ଧରିତ୍ରୀ ଦିବସ,ଏପ୍ରିଲ ୨୨

ଏପ୍ରିଲ ୨୨ ତାରିଖ ।
ଧରିତ୍ରୀ ଦିବସ।

ସର୍ବପ୍ରଥମ ଧରିତ୍ରୀ ଦିବସ,ଏକ ବିଶ୍ୱବ୍ୟାପୀ ସାମ୍ବତ୍ସରିକ ଆୟୋଜନ , ବିଶେଷ ଭାବରେ ପୃଥିବୀର ଜଳବାୟୁ ଆଉ ପାରିପାର୍ଶ୍ୱିକତା ସଂପର୍କିତ ଚିନ୍ତନ ମନନ ନିମନ୍ତେ ୧୯୭୦ ମସିହା ଏପ୍ରିଲ ମାସ ୨୨ ତାରିଖ ଦିନ ଅନୁଷ୍ଠିତ ହୋଇ ଥିଲା। ଆଉ ତାହା ପରଠାରୁ ଏପ୍ରିଲ ମାସର ୨୨ ତାରିଖ “ଧରିତ୍ରୀ ଦିବସ” ଆକାରରେ ସମଗ୍ର ବିଶ୍ୱରେ ପାଳିତ ହୋଇ ଆସୁଛି। ଧରିତ୍ରୀ ର ଅନୁଚିନ୍ତାକୁ ନେଇ ସମୃଦ୍ଧ ହେଉଥିବା ଏଇ ଦିବସଟିର ଗୁରୁତ୍ୱ ଆମମାନଙ୍କ ପାଇଁ ଯଥେଷ୍ଟ ଅଧିକ।

ଚଳିତ ବର୍ଷ ଅର୍ଥାତ୍ ୨୦୨୫ ର ଥିମ୍ ରହିଛି “ଆମର ଶକ୍ତି,ଆମର ଗ୍ରହ”

ଏହି ବିଶେଷ ଦିବସର ଗୁରୁତ୍ୱ ବୁଝିବା ପାଇଁ ଉପସ୍ଥିତ ଲେଖକର ମନକୁ ପ୍ରଖ୍ୟାତ ବୌଦ୍ଧ ସନ୍ନ୍ୟାସୀ ଥିକ୍ ନିହାଟ ହାକ୍ ଙ୍କ କଥା ମନକୁ ଆସିଲା । ତେଣୁ ତାଙ୍କର ଲେଖାର ଗୋଟିଏ ତାତ୍ପର୍ଯ୍ୟପୂର୍ଣ୍ଣ ଅଂଶର ଅନୁସୃଜନ ଏଇଠି ରଖୁଛି ।

ଥିକ୍ ଏଇ ଲେଖାଟି ରେ ଗୁରୁତ୍ୱପୂର୍ଣ୍ଣ ପଦଟିଏ କହିଛନ୍ତି ।

ଆମେ ପରସ୍ପର ର ଅଂଶବିଶେଷ। ଏଇ ଧାଡିଟିକୁ ଆମେ ଆମର ମାନସ ପଟଳରେ ତଳେ ଗାର ଦେଇ ରଖିବା ଏକାନ୍ତ ଭାବରେ ଉଚିତ।

ପୃଥିବୀ ହେଉ କି ଆମର ଯେତେକ ପାର୍ଥିବ ଅବବୋଧ ରେ ହେଉ ,କେବଳ ଏତିକି ବିଚାର ରହିପାରିଲେ ହିଁ ଯଥେଷ୍ଟ ,ଆମେ ସଭିଏଁ ପରସ୍ପରର ପରିପୂରକ।

ଥିକ୍ ନିହାଟ ହାକ୍ ଙ୍କୁ ଥରେ ପଢିବାକୁ ଅନୁରୋଧ କରୁଛି।

ଥିକ୍ ନିହାଟ ହାକ୍ (୧୯୨୬-୨୦୨୨) ଜଣେ ଭିଏତନାମୀୟ ଜେନ୍ ଗୁରୁ,କବି,ବିଦ୍ୱାନ,ଶାନ୍ତି କର୍ମକର୍ତ୍ତା । ମାର୍ଟିନ୍ ଲୁଥର କିଙ୍ଗ ୧୯୬୭ ମସିହାରେ ଥିକ୍ ଙ୍କ ନାଆଁ ନୋବେଲ୍ ଶାନ୍ତି ପୁରସ୍କାର ନିମନ୍ତେ ସୁପାରିସ୍ କରିଥିଲେ। ସାଇଗନ୍ ଠାରେ ସେ ଏକ ବୌଦ୍ଧ ବିଶ୍ୱବିଦ୍ୟାଳୟ ସ୍ଥାପନା କରିଥିଲେ। ବିଶ୍ୱ ଶାନ୍ତି ପାଇଁ କାମ କରୁଥିବା କାରଣରୁ ସେ ନିର୍ବାସିତ ହୋଇ ଫ୍ରାନ୍ସରେ ବସବାସ କରୁଥିଲେ ।

ଥିକ୍ ନିହାଟ ହାକ୍
(Thich Nhat Hanh)

ସର୍ବଶ୍ରେଷ୍ଠ ପ୍ରାର୍ଥନା

ବିଶ୍ୱଜଗତର ବିପୁଳ ଶକ୍ତିସାମର୍ଥ୍ୟକୁ ଦେଖିବା ବେଳେ ଆମେ ସବୁବେଳେ ଏକ ବିପୁଳ ବିସ୍ମୟ ଆଉ ଭୟ ରେ ଅଭିଭୂତ ହୋଇ ପଡିଥାଉ ଆଉ ଆମେ ଏଇ ଭଳି ଗୋଟିଏ ବିଶ୍ୱାସ ର ଆକର୍ଷଣରେ ଆସକ୍ତ ହୋଇପଡୁ ଯେ,ଏମିତି ଏକ ପରିକଳ୍ପନା ପଛରେ ରହିଛନ୍ତି ଯେମିତି ଆମରି ପରି ଜଣେ ମାନବଦେହୀ ଈଶ୍ୱର । ପ୍ରକୃତିର ବିପୁଳ ଉର୍ଜ୍ଜାରେ ବିଭୋର ହୋଇ ଆମେ ଅନେକ ସମୟରେ କଳ୍ପନା କରୁ ଏହି ଗର୍ଜନଶୀଳ ଝଡ ର ଉହାଡରେ ରହିଛନ୍ତି ନିଶ୍ଚିତ ଜଣେ ବଜ୍ରର ଦେବତା,ବର୍ଷାର ଦେବତା ଅଥବା ଏମିତି ଜଣେ ଶକ୍ତିଶାଳୀ ଦେବତା ଯିଏକି ସମୁଦ୍ରର ସମସ୍ତ ଅଶାନ୍ତ ଜୁଆର ଏବଃ ଭଟ୍ଟାକୁ ନିଜ ହାତରେ ନିୟନ୍ତ୍ରଣ କରୁଛନ୍ତି । ମଣିଷ ରୂପରେ ଏମିତି ଜଣେ ସର୍ବୋଚ୍ଚ ନିୟନ୍ତ୍ରକ ରହିଛନ୍ତି ବୋଲି ଭାବିଲେ ଆମକୁ ଭାରି ଭଲ ଲାଗେ ।

ସେ ଯାହାହେଉ ମୁଁ ଈଶ୍ୱରଙ୍କୁ ଆକାଶରେ ବସବାସ କରୁଥିବା ଜଣେ ଦୀର୍ଘ ଶ୍ମଶ୍ରୁବହୁଳ ବୁଢାଲୋକ ବୋଲି ମନେକରେନାହିଁ । ଈଶ୍ୱର ସୃଷ୍ଟିର ବାହାରେ ଅବସ୍ଥାନ କରନ୍ତି ନାହିଁ । ମୁଁ ମନେକରେ ଈଶ୍ୱର ହେଉଛନ୍ତି ପୃଥିବୀ,ସମସ୍ତ ଜୀବନ୍ତ ଭିତରେ ତାଙ୍କର ବସତି । ଆମେ ଯାହାକୁ ଦୈବିକ ବା ଡିଭାଇନ୍ ବୋଲି କହୁ ତାହା ଅସଲରେ ଶକ୍ତିର ଉପଲବ୍ଧି, ଶାନ୍ତିର, ବୁଝାମଣାର,ପ୍ରେମର, ଏହା ବ୍ୟତୀତ ଆଉ କିଛି ନୁହଁ ଆଉ ଏଇ କଥା କେବଳ ସବୁ ମଣିଷ ମାନଙ୍କ ଭିତରର କଥା ନୁହଁ,ଏହା ପୃଥିବୀର ସମସ୍ତ ପ୍ରତ୍ୟେକ ପ୍ରଜାତି ପାଇଁ ପ୍ରଯୁଜ୍ୟ । ବୌଦ୍ଧଧର୍ମ ରେ ସମସ୍ତ ଅନୁଭବକ୍ଷମ ପଦାର୍ଥ ଏହିଭଳି ଜାଗରଣ ନିମନ୍ତେ ତଥା ଏହାକୁ ଗଭୀର ଭାବରେ ଉପଲବ୍ଧି କରିପାରିଥାଏ ବୋଲି ଆମେ କହିଥାଉ । ଆମେ ଏହାକୁ ବୁଦ୍ଧଭାବ ବୋଲି କହିଥାଉ। ହରିଣ, କୁକୁର, ବିରାଡି, ଗୁଣ୍ଡୁଚି ଆଉ ପକ୍ଷୀ,ଏ ସମସ୍ତଙ୍କର ବୁଦ୍ଧଭାବ ରହିଅଛି । ତାହାହେଲେ ନିର୍ଜୀବ ପଦାର୍ଥ ର ପ୍ରସଙ୍ଗରେ ଏହାକୁ ନେଇ କହିବା କ’ଣ ? ଆମ ବଗିଚାରେ ଯେଉଁ ଦେବଦାରୁ ଗଛ ,ସେଇଠି ଯେଉଁ ଘାସ ରହିଛି,ଯେଉଁ ଫୁଲ ଫୁଟିଛି, ସେମାନଙ୍କ ବିଷୟରେ କ’ଣ କହିବା ? ଜୀବନ୍ତ ପୃଥିବୀମାତାର ଅଂଶବିଶେଷ ହିସାବରେ ଏମାନଙ୍କର ବି ବୁଦ୍ଧଭାବ ରହିଅଛି । ଏହା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଯାହା ଆମକୁ ଅଶେଷ ଆନନ୍ଦ ପ୍ରଦାନ କରିଥାଏ । ଘାସ କେଣ୍ଡାର ପ୍ରତିଟି ଧାର, ପ୍ରତ୍ୟେକ ଗଛ ,ପ୍ରତ୍ୟେକ ଉଦ୍ଭିଦ, ସବୁ ଛୋଟ ବଡ ସୃଷ୍ଟି ସମସ୍ତେ ପୃଥିବୀମାତାର ସନ୍ତାନ ଆଉ ସମସ୍ତଙ୍କ ନିକଟରେ ବୁଦ୍ଧଭାବ ମହଯୁଦ ରହିଛି। ପୃଥିବୀର ବୁଦ୍ଧଭାବ ରହିଛି ତେଣୁ ତାହାର ସନ୍ତାନମାନଙ୍କ ମଧ୍ୟରେ ସେହି ବୁଦ୍ଧଭାବ ନିଶ୍ଚିତ ଭାବରେ ରହିଅଛି । ଆଉ ଆମେ ସମସ୍ତେ ଯେହେତୁ ନିଜ ଭିତରେ ବୁଦ୍ଧଭାବ କୁ ଧାରଣ କରିଅଛୁ,ସେ ଦୃଷ୍ଟିରୁ ଆମେ ସଭିଏଁ ଆନନ୍ଦରେ ଏଇଠି ବସବାସ କରିବାପାଇଁ ଯୋଗ୍ୟ । ଆଉ ଆନନ୍ଦରେ ବସବାସ କରିବାବେଳେ ଆମର ଗୋଟିଏ ଦାୟିତ୍ୱ ରହିଛି । ତାହା ହେଉଛି ଆମର ମାଆ ପ୍ରତି କିଛି କର୍ତ୍ତବ୍ୟ ରହିଛି ,ମାଆ କହିଲେ ସେହି ପୃଥିବୀମାତା ।

ବାଇବେଲ୍ ରେ ପ୍ରଭୂ ଯୀଶୁ କହିଛନ୍ତି,” ମୁଁ ପିତାଙ୍କ ଭିତରେ,ଏବଂ ପିତା ବି ମୋ ଭିତରେ ଅଛନ୍ତି “(ଜନ୍ ୧୪:୧୧)। ମହାତ୍ମା ବୁଦ୍ଧ ବି ଏହି ଭଳି ଶିକ୍ଷା ପ୍ରଦାନ କରିଛନ୍ତି,ଆମେ ହେଉଛୁ ପରସ୍ପର ର ଅଂଶବିଶେଷ । ଆମେ କୌଣସି ସ୍ୱତନ୍ତ୍ର ଅସ୍ତିତ୍ୱ ନୁହଁ । ପିତା ଏବଂ ପୁତ୍ର କହିବାକୁ ଗଲେ ସର୍ବତୋ ଭାବେ ସମାନ ନୁହଁନ୍ତି ଏବଂ ଏକଥା ମଧ୍ୟ ସତ ଯେ ଉଭୟ ପରସ୍ପର ଠାରୁ ସେମିତି ବିଚ୍ଛିନ୍ନ ହେବା ଭଳି ଭିନ୍ନ ବି ନୁହଁନ୍ତି । ଜଣେ ଆଉ ଜଣକୁ ଆଶ୍ରାକରି ଉପସ୍ଥିତ ରହିଅଛି । ଯେତେବେଳେ ଆମେ ଆମର ଶରୀର-ସଂରଚନାକୁ ଦେଖୁ,ସେତେବେଳେ ଦେଖିବା ଯେ,ପୃଥିବୀମାତା ଆମର ଅଭ୍ୟନ୍ତରରେ ରହିଛି ,ଏବଂ ସେହିଦୃଷ୍ଟିରୁ ଆମର ଅଭ୍ୟନ୍ତରରେ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ବି ରହିଅଛି । ଥରେ ଆମ ଭିତରେ ଯଦି ଏହିଭଳି ପାରସ୍ପରିକତା ର ଅବବୋଧ ତିଆରି ହୋଇଯାଏ ,ତାହାହେଲେ ଆମେ ପୃଥିବୀ ସହ ଯଥାଯଥ ଯୋଗସୂତ୍ର ପ୍ରସ୍ତୁତ କରିପାରିବା। ଆଉ ତାହାହିଁ ହେଉଛି ସର୍ବଶ୍ରେଷ୍ଟ ସଂଭାବ୍ୟ ପ୍ରାର୍ଥନା ର ରୂପରେଖ ।

ପୃଥିବୀକୁ ଉପାସନା କରିବାର ଅର୍ଥ ତାହାକୁ ଦେବୀରୂପ ପ୍ରଦାନ କରିବା ଅଥବା ସେ ଆମମାନଙ୍କ ତୁଳନାରେ ଅଧିକ ପବିତ୍ର ବୋଲି ବିଶ୍ୱାସ କରିବା,ଏହି ଭଳି ପ୍ରସଙ୍ଗ ନୁହଁ । ପୃଥିବୀକୁ ଉପାସନା କରିବାର ଅର୍ଥ ହେଉଛି ତାହାକୁ ଭଲ ପାଇବା,ତାହାର ସେବା ଶୁଶ୍ରୁଷା କରିବା ଏବଂ ତାହା ଭିତରେ ନିଜର ଆଶ୍ରା ଖୋଜିବା । ଆମେ ଯେତେବେଳେ ଯନ୍ତ୍ରଣାରେ ବାଧିତ ଥାଉ ପୃଥିବୀ ଆମକୁ ଆଲିଙ୍ଗନ କରିଥାଏ,ଆମକୁ ଗ୍ରହଣ କରିଥାଏ ଏବଂ ଆମର ଶକ୍ତି ସାମର୍ଥ୍ୟକୁ ଏପରି ଭାବରେ ପୁନଃ ସଂସ୍ଥାପନ କରିଥାଏ ଯାହାଫଳରେ ଆମେ ଶକ୍ତ ଏବଂ ସ୍ଥିର ହୋଇପାରିବୁ ଆଗଭଳି । ଆମେ ଆଶ୍ୱସ୍ତ ହେବା ଭଳି ଯେଉଁ ଧାରଣାକୁ ଖୋଜିବୁଲୁ ଥାଉ ତାହା ଅସଲରେ ଆମର ପାଦ ତଳରେ ଥାଏ,ଆମ ଚାରିପଟରେ ରହିଥାଏ । ଏତିକି ବିଶ୍ୱାସ ଆସିଲେ ଆମର ଯନ୍ତ୍ରଣାର ଅନେକ ପରିମାଣରେ ଉପଶମ ଘଟିଯିବ । ଆମେ ଯଦି ପୃଥିବୀ ସହିତ ଆମର ଗଭୀର ସଂପୃକ୍ତି ଆଉ ସଂପର୍କ କୁ ହୃଦୟଙ୍ଗମ କରିବା ତାହାହେଲେ ଦେଖିବା ଆମ ଭିତରେ ଯଥେଷ୍ଟ ପ୍ରେମ , ସାମର୍ଥ୍ୟ ଏବଂ ଉପଲବ୍ଧି ନିର୍ମାଣ ହୋଇଯାଇଛି ,ଯାହା ଫଳରେ ଆମେ ଉଭୟେ ପୃଥିବୀ ଆଉ ଆମେ ବଂଚିବା ଭଳି ବଂଚିପାରିବା ।

ଯନ୍ତ୍ରଣାରେ ଥିବା ବେଳେ ଆମର ପ୍ରେମ ଆଉ ବୁଝାମଣାର ଆବଶ୍ୟକତା ପଡିଥାଏ । ଆମ ପାଖରେ ସେତେବେଳେ ବିଶେଷରେ ଏହି ଭଳି ଗୁଣ ରୁ ଯଥାଯଥ ପରିମାଣ ର ନଥାଏ ,ତେଣୁ ଯେତେବେଳେ ଆମେ କଷ୍ଟ ପାଉ ଆମେ ବସ୍ତୁତଃ ସେହି ସବୁ ଗୁଣକୁ ଆମର ବାହାରେ ଖୋଜିଥାଉ । ଏପରି ହେବା ସ୍ୱାଭାବିକ । ଆମେ ବିଶ୍ୱାସ କରୁ ଆମେ ଆବଶ୍ୟକ କରୁଥିବା ପ୍ରେମ ଆଉ ବୁଝାମଣା ଆଉ କିଏ ବ୍ୟକ୍ତି ବା ବସ୍ତୁ କେଉଁଠୁ ଆସି ଆମକୁ ପ୍ରଦାନ କରିବ । ସେ ଆଉ କିଏ ,ଯିଏ ପ୍ରେମ ଆଉ ବୁଝାମଣାରେ ଭରପୁର, ସାଧୁତା,ସତ୍ୟ ଆଉ ସୌନ୍ଦର୍ଯ୍ୟର ଏକ ନିବିଡ ପ୍ରତିମୂର୍ତ୍ତି। ଆମେ ଜାଣିଛୁ ଆମ ଭିତରେ କିଛି ପରିମାଣରେ ସାଧୁତା,ସତ୍ୟ ଆଉ ସୁନ୍ଦରତା ମହଯୁଦ ରହିଛି ,ମାତ୍ର ଏତିକି ଆମକୁ ସନ୍ତୋଷ ପ୍ରଦାନ କରିବାପାଇଁ ହୁଏତ ଅକୁଳାନ। ଆମେ ଜାଣି ନାହୁଁ କେଉଁ ଭଳି ଏଇସବୁ ଗୁଣକୁ ବିକଶିତ କରିପାରିବୁ ଯାହା ପ୍ରକୃତ ଦୃଷ୍ଟି ଏବଂ ପ୍ରଜ୍ଞା ଲାଭ ଦିଗରେ ଆମର ସହାୟକ ହେବ।

ଆମେ ଆବଶ୍ୟକ କରୁଥିବା ସମସ୍ତ ଗୁଣାବଳୀ ସହିତ ସାମର୍ଥ୍ୟ, ସ୍ଥିରତା, ଧୈର୍ଯ୍ୟ, ଏବଂ ସଂବେଦନା ଆଦି ପୃଥିବୀ ନିକଟରେ ବିଦ୍ୟମାନ ଅଛି । ପୃଥିବୀ ସମସ୍ତଙ୍କୁ ଆଲିଙ୍ଗନ କରିଥାଏ । ଏହି ସବୁକୁ ଦେଖିବା ପାଇଁ ଆମର କୁସଂସ୍କାର ର ଆବଶ୍ୟକ ନାହିଁ । କୌଣସି ସୁଦୂର ଅଥବା ଅମୂର୍ତ୍ତ ଦେବବିଗ୍ରହ ଯାହାକୁ ସ୍ପର୍ଶ କରିବା ହୁଏତ କଷ୍ଟକର ଅଥବା ଅସାଧ୍ୟ ତାହା ନିକଟରେ କୃତଜ୍ଞତା ପ୍ରକାଶ ବା ପ୍ରାର୍ଥନା ରେ ସଂବୋଧନ ର କୌଣସି ଆବଶ୍ୟକତା ନାହିଁ । ଆମେ ଆମର ସକଳ ପ୍ରାର୍ଥନା ଏବଂ କୃତଜ୍ଞତା ସିଧାସଳଖ ପୃଥିବୀ କୁ ନିବେଦନ କରି ପାରିବୁ । ପୃଥିବୀ ତ ଏଇଠି ରହିଛି । ସେ ଆମକୁ ପ୍ରତ୍ୟକ୍ଷ ଆଉ ଅପ୍ରତ୍ୟକ୍ଷ ଉଭୟ ରୂପରେ ସାହାଯ୍ୟ କରିଥାଏ । ଏକଥାକୁ କେହି କେବେ ଅସ୍ୱୀକାର କରିପାରିବ ନାହିଁ ଯେ,ଜଳ ଯାହା ଆମକୁ ଧାରଣ କରିଛି,ପବନ ଯାହା ଆମର ଶ୍ୱାସକ୍ରିୟାରେ ଅଛି ଆଉ ଖାଦ୍ୟ ଯାହା ଦ୍ୱାରା ଆମେ ପରିପୁଷ୍ଟ ସେସବୁ ପୃଥିବୀର ଆମକୁ ଦାନ ।

ଏବଂ ଶେଷକଥା:

ନିଜର ଲେଖକୀୟ ପ୍ରତିଷ୍ଠାରେ ଉତ୍ତୁଙ୍ଗ ଆମେରିକୀୟ ଲେଖକ ମାର୍କ ଟ୍ୱେନ (୧୮୩୫-୧୯୧୦) ଯିଏ ନିଜର ଚଟୁଳ ଉଦ୍ଧୃତି ସମ୍ଭାର କାରଣରୁ ଅଧିକ ଜନପ୍ରିୟ ତାଙ୍କର ଗୋଟିଏ ପ୍ରାସଙ୍ଗିକ ଉଦ୍ଧୃତି ଏଇଠି ରଖୁଛି। ସେ କହିଥିଲେ,”ଜଳବାୟୁ ବା କ୍ଲାଇମେଟ୍ ହେଉଛି ଯାହାକୁ ଆମେ କାମନା କରିଥାଉ ଆଉ ଆମକୁ ଯାହା ମିଳିଥାଏ ତାହା ହେଉଛି ଋତୁ ବା ୱେଦର”।

କ୍ଲାଇମେଟ ଆଉ ୱେଦର ଏକା ହୋଇଗଲେ ଆମେ ମଣିଷ ହିସାବରେ ପୃଥିବୀ ଉପରେ ଖୁସି ହୋଇଯାଉ,ଯଦି ଏଥିରେ ବିଚ୍ୟୁତି ଘଟିଲା ତାହେଲେ ଆମେ ଆମର ସମସ୍ତ ହାତକୁ ଝାଡି ଦେଇ ଏହି ଦୋଷର ସମସ୍ତ ଉପଲକ୍ଷ୍ୟ ପୃଥିବୀ ଉପରେ ଲଦି ଦେଇଥାଉ। ଆମେ ସେଇଠି ପୃଥିବୀର ତଥା ସମସ୍ତଙ୍କର ପରିପୂରକ ବୋଲି ଯେଉଁ କଥାଟି ଆମର ପ୍ରାତଃ ସ୍ମରଣୀୟ ଚିନ୍ତକ ଥିକ୍ ନିହାଟ ହାକ୍ କହିଛନ୍ତି ସେଇ ଅମୂଲ୍ୟ କଥାଟିରୁ ନିଜକୁ ଅଲଗା କରିନେଉ।

ଆଜିର ଦିନରେ ନିଜକୁ ପୃଥିବୀ ସହ ଯୋଡିବାର ରହିଛି। ସଭିଙ୍କୁ ଏଇ କଥା ବୁଝାଇଦେବାର ରହିଛି।

ଆଜି ଆମେ ଅର୍ଥାତ୍ ଏପ୍ରିଲ ୨୨ ଦିନ ଯେତେବେଳେ ଧରିତ୍ରୀ ଦିବସ ପାଳନ କରୁଛୁ ,ଧରିତ୍ରୀମୟତାରେ ଆପ୍ଳୁତ ହେବାକୁ ଯାଉଛୁ ସେତେବେଳେ ଆମର ମନର ଗୋପନ କୋଣରେ ଆଉ ଗୋଟିଏ ତଥ୍ୟ ରହିଥିବା ଆବଶ୍ୟକ।

ସେଇ ତଥ୍ୟଟି ସହ ଏଇ ଲେଖାର ଉପସଂହାର।

ଆମର ସ୍ମରଣରେ ଥାଉ ଯେ,୧୯୦୪ ମସିହାର ସେଇ ଏପ୍ରିଲ ୨୨ତାରିଖ ଦିନ ତାଙ୍କର ଜନ୍ମ ହୋଇଥିଲା।

ସେ ଆମେରିକୀୟ ପଦାର୍ଥବିତ,ଜୁଲିଅସ ରବର୍ଟ ଓପେନହାଇମାର,ଯାହାଙ୍କୁ କୁହାଯାଏ “ପରମାଣୁ ବୋମାର ଜନକ “।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

Leave a Reply

Your email address will not be published. Required fields are marked *