ଶୀତଦିନେ ଗାଧୋଇବାଟା ଯେ କି କଷ୍ଟ କାମ ତାହା ଭୁକ୍ତଭୋଗୀ ମାତ୍ରକେ ଜାଣନ୍ତି । ଏମିତିରେ ଶୀତଦିନେ ସକାଳେ ଉଠିବା କଷ୍ଟ । କମ୍ବଳ, ରେଜେଇ ଯେମିତି ଚୁମ୍ବକ ଭଳିଆ ଦେହଟାକୁ ଟାଣି ଧରିଥାଏ । ସେ ଆକର୍ଷଣରୁ ନିଜକୁ ମୁକ୍ତ କରି ବିଛଣାରୁ ଉଠିବା କୌଣସି ମୁନିଋଷିଙ୍କ ତିତୀକ୍ଷାରୁ କମ ନୁହେଁ । ତାପରେ ପୁଣି ଗାଧୁଆ!
କିନ୍ତୁ ସମସ୍ୟା ହେଲା ଯେଉଁମାନେ ନ ଗାଧାନ୍ତି ସେମାନଙ୍କୁ ଅନ୍ୟ ଲୋକମାନେ ବଡ଼ ହୀନ ଦୃଷ୍ଟିରେ ଦେଖନ୍ତି । ଇହି ତମେ ଗାଧୋଇନ! ଏମିତି ଭାବରେ କହନ୍ତି ଯେମିତି ନ ଗାଧାଇବାଟା ଗୋଟେ ମାରାତ୍ମକ ଅପରାଧ । ଅନେକେ କହନ୍ତି ଗାଧୋଇନ? ସେଇଥିପାଇଁ ତମ ଦେହରୁ ଏମିତି ବିଚିକିଟିଆ ଗନ୍ଧ ବାହାରୁଛି । ଭାବି ଦେଖ, ଫରାସୀ ଲୋକମାନେ ଯଦି ପ୍ରତିଦିନ ଗାଧୋଉଥାନ୍ତେ ତେବେ ଏତେ ସୁଗନ୍ଧୀ ଅତର, ପରଫ୍ୟୁମ୍ ସେ ଦେଶରେ ତିଆରି ହୋଇ ପାରି ଥାନ୍ତାକି!
ଗାଧୋଇଲା ଭଳି କଷ୍ଟ କାମଟିକୁ ଅନେକେ କରନ୍ତି ନାହିଁ । ବା କରି ପାରନ୍ତି ନାହିଁ । ବିଶେଷକରି ମୋର ବନ୍ଧୁ ନବଘନ ଭଳି ପୁରୁଷ ଲୋକମାନେ । ସେମାନେ ଯୁକ୍ତି ବାଢ଼ନ୍ତି: ଗାଧୋଇବାଟା ଗୋଟେ ମର୍ଦ୍ଦପୁଅର କାମ ଆଦୌ ନୁହେଁ । ସିଂହକୁ ଦେଖ । ସେ ଗାଧାଏ? ବାଘକୁ କେବେ ଶୀତଦିନେ ଗାଧୋଇବାର ଦେଖିଛ? ଯଦି ମହାବଳ ବାଘ, ପଶୁରାଜ ସିଂହ ଗାଧୋଉ ନାହାନ୍ତି ତେବେ ଆମେ ଗାଧୋଇବା କାହିଁକି? କଥାଟା ୱାଜିବ । ହେଲେ ନବଘନର ପନିୀ ରଂଗବତୀ ଏ କଥାଟିକୁ ଫୁଃ କରି ଉଡ଼େଇ ଦେଇ ଫରମାନ ଜାରି କରିଦେଲେ ନ ଗାଧୋଇଲେ ସକାଳୁ ଜଳଖିଆ ମିଳିବନି । ନବଘନ କହିଲା ଏଟା ପୁରୁଷ ଜାତି ପ୍ରତି ଅବିଚାର ଓ ଅତ୍ୟାଚାର । ଭାରତରେ ମହିଳାମାନଙ୍କ ଉପରେ ଅତ୍ୟାଚାର କଥା ବୁଝିବା ପାଇଁ ମହିଳା କମିଶନ ଅଛି, ହେଲେ ପୁରୁଷମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରର ପ୍ରତିବିଧାନ ପାଇଁ ପୁରୁଷ କମିଶନ ଏଯାଏ ଗଠିତ ହୋଇନି । ହେଲାମାତ୍ରେ ନବଘନ ସେଠି ରଂଗବତୀ ବିରୋଧରେ ଫେରାଦ ହେବ ।
ଆଚ୍ଛା, ସବୁ ସମସ୍ୟାର ସମାଧାନ ଅଛି । ଖୋଜି ଜାଣିଲେ ହେଲା । ଇତିମଧ୍ୟରେ ମୁଁ ଶୀତଦିନ ସକାଳେ କିଭଳି ଆନନ୍ଦରେ ଗାଧେଇ ହେବ ତାର ଛଟି ଉପାୟ ବାହାର କରିଛି । ମଡର୍ଣ୍ଣ ଯୁଗର ମଡର୍ଣ୍ଣ ଉପାୟ । ଯେଉଁମାନେ ସକାଳେ ଦେହରେ ପାଣି ଢାଳି ଗାଧୋଇବାର କଷ୍ଟରେ ପ୍ରତିଦିନ ସନ୍ତୁଳି ହେଉଛନ୍ତି ସେମାନେ ଧ୍ୟାନ ଦିଅନ୍ତୁ । ସବୁଦିନ ଗୋଟେ ଗୋଟେ ଉପାୟ ଆପଣାନ୍ତୁ । ସୋମରୁ ଶନି । ରବିବାର ଛୁଟିଦିନ । ସେଦିନ ଏମିତିରେଇ ସବୁ କାମରୁ ଛୁଟି । ସବୁ କାମ ଭିତରେ ଗାଧେଇବା ବି ଯାଏ । ଏବେ ପଢ଼ନ୍ତୁ ଉପାୟଗୁଡ଼ିକ:
୧. ବୁନ୍ଦା ସ୍ନାନ: ଆଜିକାଲି ଚାଷବାସ କ୍ଷେତ୍ରରେ ବୁନ୍ଦା ଜଳସେଚନ ଉପରେ ଗୁରୁତ୍ୱ ଦିଆଯାଉଛି । ଗଛରେ ଅଧିକା ପାଣି ନ ଢାଳି ବୁନ୍ଦା ବୁନ୍ଦା କରି ଦେଲେ ଗଛ ଭଲ ବଢ଼ିବ ବୋଲି କୁହାଯାଉଛି । ସେଇ ଫରମୁଲାରେ ଏପ୍ରକାର ସ୍ନାନର ପରିକଳ୍ପନା । ଏ ପ୍ରକାର ସ୍ନାନରେ ଆପଣ ନିଜ ଉପରେ କେଇ ବୁନ୍ଦା ମାତ୍ର ଜଳ ଛିଞ୍ଚି ଦେବେ । ବାସ୍ ସେଇଥିରେ ସ୍ନାନ ସମାପ୍ତ ହେଲା ବୋଲି ଧରାଯିବ ।
୨. ନଳ ସ୍ପର୍ଶ ସ୍ନାନ: ମନ୍ଦିରରେ ଅଳ୍ପ କିଛି ଖିରି ଦିଅଁଙ୍କ ପାଖରେ ଭୋଗ ଲଗାଇ, ସେଇ ପ୍ରସାଦକୁ ଖିରି ହାଣ୍ଡିରେ ମିଶେଇଦେଲେ ପୂରା ହାଣ୍ଡି ଯାକ ଖିରକୁ ପ୍ରସାଦ ବୋଲି ଗ୍ରହଣ କରାଯାଏ । ଅର୍ଥାତ୍ କିଞ୍ଚିତ୍ ପ୍ରସାଦର ସ୍ପର୍ଶରେ ବି ତାହା ପ୍ରସାଦ ହୋଇଯାଏ । ସେହି ନ୍ୟାୟରେ ବାଥ୍ରୁମ୍ରେ ଜଳର ନଳକୁ ସ୍ପର୍ଶ କଲେ ତାହା ସ୍ନାନ ସମାପ୍ତ ହେଲା ବୋଲି ଧରାଯିବ।
୩. ଜଳ ସ୍ମରଣ ସ୍ନାନ: ଏ ପ୍ରକାର ସ୍ନାନରେ ଆପଣ ଜଳ ପାଖକୁ ଯିବା ଦରକାର ନାହିଁ । ବିଛଣାରେ ଶୋଇ ନିଜେ ଗାଧୋଉଛନ୍ତି ବୋଲି କଳ୍ପନା କଲେ ହିଁ ଆପଣଙ୍କ ସ୍ନାନ ସମାପ୍ତ ହୋଇଛି ବୋଲି ଧରାଯିବ ।
୪. ଦର୍ପଣ-ସ୍ନାନ: ଏ ପ୍ରକାର ସ୍ନାନ ପାଇଁ ଆପଣ ବାଥ୍ରୁମ୍ ଭିତରେ ପଶନ୍ତୁ । ବାଥ୍ରୁମ୍ର ଦର୍ପଣ ଆଗରେ ଠିଆ ହୁଅନ୍ତୁ । ମଗ୍ରେ ପାଣି ନିଅନ୍ତୁ । ଆଉ ଦର୍ପଣରେ ଦିଶୁଥିବା ନିଜର ପ୍ରତିଚ୍ଛବି ଉପରେ ପାଣି ଛାଟନ୍ତୁ । ପାଞ୍ଚ ମିନିଟ ଧରି ଏପରି କରି ଚାଲନ୍ତୁ । ଏହାପରେ ଗୋଟେ ପାନିଆ ନିଅନ୍ତୁ । ତାକୁ ପାଣିରେ ବୁଡ଼ାନ୍ତୁ । ଓଦା ପାନିଆରେ ନିଜ ମୁଣ୍ଡଟି କୁଣ୍ଡେଇ ନିଅନ୍ତୁ । ସ୍ନାନ ସମାପ୍ତ ।
୫. ଅନ୍ଲାଇନ୍ ସ୍ନାନ: ଆଜିକାଲି ସିନେମା ଟିକଟ୍ କାଟିବାଠୁଁ ଖାଇବା ଅର୍ଡର କରିବା- ବହୁ କାମ ଅନ୍ଲାଇନ୍ରେ କରି ହେଉଛି । ସେଇ ନ୍ୟାୟରେ ସ୍ନାନ ବି ଅନ୍ଲାଇନ୍ରେ କରିହେବ । କମ୍ପ୍ୟୁଟର ଖୋଲନ୍ତୁ । ଇଣ୍ଟରନେଟ୍ କନେକଫ୍ କରନ୍ତୁ । ଗୁଗୁଲ୍ରେ ସର୍ଚ୍ଚ କରନ୍ତୁ: ହରିଦ୍ୱାରରେ ଗଙ୍ଗା ନଦୀ ଫଟୋ । କମ୍ପ୍ୟୁଟର ପରଦାରେ ଗଂଗା ନଦୀର ଫଟୋ ଦିଶିଲାପରେ ନିଜ ମାଉସ୍କୁ ସେଥିରେ ତିନିଥର କ୍ଲିକ୍ କରନ୍ତୁ । ତାପରେ ସେ ଫଟୋକୁ କପି କରି ନିଜ ଫେସ୍ବୁକ୍ରେ ବ୍ୟାକ୍ଗ୍ରାଉଣ୍ଡ୍ ଫଟୋ କରି ଲଗାନ୍ତୁ । ତିନିଥର ଜୟ ମା ଗଙ୍ଗା ବୋଲି କୁହନ୍ତୁ ବା ଫେସ୍ବୁକ୍ରେ ଲେଖନ୍ତୁ । ସ୍ନାନ ସମାପ୍ତ ।
୬. ଭରଚୁଆଲ୍ ସ୍ନାନ: ବାଲ୍ଟିଏ ପାଣି ଆଉ ଗୋଟେ ପିତଳ ଢାଳ ଆଣି ଖୋଲା ଜାଗାରେ ଖରାକୁ ପିଠି କରି ବସନ୍ତୁ । ନିଜ ଛାଇକୁ ଦେଖନ୍ତୁ । ତାପରେ ବାଲ୍ଟିରୁ ଢାଳରେ ପାଣି ନେଇ ନିଜ ଛାଇ ଉପରେ ଢାଳନ୍ତୁ । ପୂରା ବାଲ୍ଟି ଖାଲି ହେବା ପର୍ଯ୍ୟନ୍ତ ଢାଳି ଚାଲନ୍ତୁ । ସରିଗଲା ପରେ ବଡ଼ ପାଟିରେ ଚାଲୁ ହିନ୍ଦୀ ଗୀତ କିମ୍ବା ଓଡ଼ିଆ ଆଲ୍ବମ୍ ଗୀତ ଗାଆନ୍ତୁ । ଯେତେ ବେସୁରା ଗାଇପାରିବେ ସେତେ ଭଲ । ସ୍ନାନ ସମାପ୍ତ ।
—
Prof. (Dr) Mrinal Chatterjee
Regional Director
Indian Institute of Mass Communication (IIMC)
Sanchar Marg, Dhenkanal 759 001, Odisha
iimcdkl@yahoo.co.in
www.iimc.gov.in
www.mrinalchatterjee.com
91 94370 26194 | 91 6762 226194/5