ଦେବତାର ସବୁବେଳେ ଥାଏ ଆରମ୍ଭ ଅର୍ଥାତ୍ ଜନ୍ମ, କେବଳ ବିସ୍ତାରିତ ଜନ୍ମ; ଆଉ ଯଦି ତାହାର ଶେଷ ଅଛି ଅଥବା ଅସ୍ତ ହୋଇଯାଏ ସେ ତାହାହେଲେ ସେ ଆଉ ଦେବତା ହୋଇ ରହିବ ନାହିଁ । ମଣିଷ ପାଲଟିଯିବ ଘଡ଼ିକରେ। ତେଣୁ ଆରମ୍ଭ ଜଣକୁ ଦେବତା କରେ ଆଉ ଶେଷ ତାହାକୁ ମଣିଷ କରେ, ଏହିଭଳି ଏକ ଅବବୋଧ ସହ ବର୍ତ୍ତମାନର ପରିଚର୍ଚ୍ଚା ଭିତରକୁ ଆମକୁ ପ୍ରବେଶ କରିବାକୁ ହେବ ।
ଚିର ଆରମ୍ଭରେ ଅବସ୍ଥାନ କରୁଥିବା ଜଣେ ଦେବତାର ଏକ ବିଚିତ୍ର ଜନ୍ମକଥାକୁ ଅଧ୍ୟୟନ କରାଯାଉ। ଆମର ଭାରତୀୟ ଦେବତତ୍ତ୍ୱରେ ଯାହାଙ୍କୁ ଆମେ ସମସ୍ତଙ୍କର ଆଗରେ ଅର୍ଥାତ୍ ଅଗ୍ରପୂଜ୍ୟ ହିସାବରେ ପ୍ରଥମେ ହିଁ ଆରାଧନା କରିଥାଉ ସେହି ଗଣଦେବତା ଅର୍ଥାତ୍ ଶ୍ରୀଗଣେଶଙ୍କ ଜନ୍ମ ବୃତ୍ତାନ୍ତକୁ ନେଇ ଏଠାରେ ଏଇ ସାଂସ୍କୃତିକ ଆଲୋଚନା ।
ପ୍ରଥମରୁ ଯାହା ଉଲ୍ଲେଖ କରାଯାଇଛି ଯେ, ଦେବତାର କେବଳ ଆରମ୍ଭ ଅଛି ଶେଷ ନାହିଁ ଆଉ ସେହି କଥାଟିକୁ ଟିକିଏ ସ୍ପଷ୍ଟ ଭାବରେ ଏବଂ ବିସ୍ତାରରେ ଦେଖାଯାଉ । ଆମର ଦୈବିକ ବିଶ୍ୱାସରେ ଜଣେ ଦେବତାର ଜନ୍ମ ପ୍ରସଙ୍ଗଟି ସବୁବେଳେ ସଂପୂର୍ଣ୍ଣ ଭିନ୍ନ । ଆମର ଧାରଣାରେ ସୃଷ୍ଟିର ଆରମ୍ଭରୁ ସୃଷ୍ଟିର ଶେଷ ଯାଏଁ ସମୟକ୍ରମରେ କାରକ ବା କାରଣ ହୋଇ ଦେବତାମାନେ ସୃଷ୍ଟି ସହିତ ଏକ ପ୍ରକାରେ ଅସଂଲଗ୍ନ ତଥା ଏକ ବିକଳ୍ପହୀନ ଅବସ୍ଥାନରେ ରହିଥା’ନ୍ତି । ଆମେ ଜଣେ ସାଧାରଣ ମଣିଷ ହିସାବରେ ଆମ ଚାରିପାଖକୁ ଲକ୍ଷ୍ୟ କରି ବିବେଚନା କରିଥାଉ ଯେ ଆମର ଆରମ୍ଭ ଆଉ ଶେଷ ରହିଅଛି । ଆଉ ସେହି ଭଳି ମଣିଷକଥାକୁ ଆଧାର କରି ଆମେ ଯଦି କୌଣସି ଦେବତାର ମଣିଷ ସମ ଆରମ୍ଭ ଆଉ ଶେଷର ନକସାଟିଏ କାଟି ଦେଉ, ତେବେ ତାହା ଅନେକ ସମୟରେ ଆମର ଅନ୍ତର୍ନିହିତ ବିଶ୍ୱାସକୁ ଆହତ କରିଥାଏ । ଦେବତାକୁ ଆମେ ପୂରାପୁରି ମଣିଷ ବିଭାବ ପ୍ରଦାନ କରିବା ସହିତ ତାହାର ଦୈବିକ ସ୍ୱରୂପଟିକୁ ଆଢୁଆଳ କରି ଦେଇଛୁ ବୋଲି ଆମ ଭିତରେ ଏକ ପାପବୋଧ ଆସେ।

ଯଦି କୌଣସି ଦେବତା ସହ କୌଣସି ପ୍ରକାରେ ଶେଷଟିଏ ଜଡ଼ିତ ହୋଇଗଲା ତେବେ ସମ୍ଭବତଃ ଦେବତାକୁ ଆମେ ଯେଉଁ ସର୍ବନିୟାମକ ଆଉ ସର୍ବବ୍ୟାପୀ ଅବଧାରଣାରେ ନିର୍ଣ୍ଣିତ କରି ସର୍ବଶକ୍ତିମାନ ଭାବରେ ବିଶ୍ୱାସ କରିଆସିଛୁ ସେଥିରେ ଟିକିଏ ବ୍ୟାଘାତ ଘଟିଥାଏ । ସଂପୃକ୍ତ ଦେବତା ଠାରୁ ସଂପୃକ୍ତ ଶେଷଟି (ତାହା କାଳ ହେଉ କି ଆଉ ଯେଉଁ ରୂପରେ ଆସିଥାଉ) ଏହା ଫଳରେ ତୁଳନାତ୍ମକ ଭାବରେ ଅଧିକ କ୍ଷମତାଶାଳୀ ହୋଇଯାଏ । ତେଣୁ ଆମେ ସବୁବେଳେ ଦେବତାକୁ ଶେଷମୁକ୍ତ କରି ରଖିବାକୁ ସୁଖ ପାଉ। ମାତ୍ର ଆମର ଦେବତା-ସାନ୍ନିଧ୍ୟର ପ୍ରିୟତମ ଲୋଭକୁ ଚରିତାର୍ଥ କରିବା ପାଇଁ ଦେବତାକୁ ମଣିଷ ଭଳି ଅବତାର-ଜନ୍ମ ଦେଇଥାଉ। ଆଉ ସେଇଠି ଦେବତା ସହ ଯେଉଁ ମରଣ ବୋଲି ଶେଷଟି ଯୋଡ଼ିଥାଉ, ଆମେ ସମସ୍ତେ କିନ୍ତୁ ଭଲଭାବରେ ଜାଣିଥାଉ ଯେ ସେଇଟି ହେଉଛି ଦେବତାର ନକଲ ମରଣ, ନକଲ ଶେଷ ।
ସେ ଯାହାହେଉ ଏଠାରେ ଉପସ୍ଥିତ ଲେଖକର ଆଉ କାହାର ବିଶ୍ୱାସକୁ ଆହତ କରିବାର ସାମାନ୍ୟତମ ଅଭିପ୍ରାୟ ନାହିଁ । ଏହା ମୂଳତଃ ଦେବତାର ଏକ ବିବର୍ତ୍ତନମୂଳକ ସାଂସ୍କୃତିକ ଜନ୍ମ କଥା। ଦେବତା କ୍ଷେତ୍ରରେ ବିବର୍ତ୍ତନ ଭଳି ବିଶେଷଣଟିଏ ଏଇଥିପାଇଁ ଯୋଡ଼ା ଯାଇଛି ଯେ, ମଣିଷ ସାଧାରଣତଃ ନିଜର ଅସହାୟତା ଆଉ ଆନନ୍ଦର ସହଭାଗ ପାଇଁ ଦେବତାକୁ ଆବଶ୍ୟକ କରିଥାଏ। ମଣିଷ ସଭ୍ୟତାର ବିବର୍ତ୍ତନରେ ମଣିଷ ସର୍ବଶକ୍ତିମାନ ଦେବତାକୁ ନିଜର ସହାୟତା କରିବା ବା ସେହି ଦେବତା ନିକଟରେ କୃପାପ୍ରାର୍ଥୀ ହୋଇ ନତଜାନୁ ହେବା ପାଇଁ ତାହାକୁ ଅତ୍ୟନ୍ତ ନିଖୁଣ ତଥା ସୁନ୍ଦରତମ ଭାବରେ ନିର୍ମାଣ କରିବା ପଛରେ ମଣିଷର ଚିନ୍ତା ଶକ୍ତିର ବିବର୍ତ୍ତନ ହିଁ କାମ କରିଥାଏ । ମଣିଷ ଯେଉଁଭଳି ପାରିପାର୍ଶ୍ଵିକ ଅବସ୍ଥାରେ ରହିଥାଏ ସେହି ଅନୁସାରେ ଦେବତାମାନେ ଆବିର୍ଭାବ ହୋଇଥା’ନ୍ତି । ମଣିଷ ପ୍ରାଥମିକ ଭାବରେ ଯେତେବେଳେ ଖାଦ୍ୟ ସଂଗ୍ରାହକ (ଶିକାର, ପଶୁପାଳନ)ର ଜୀବନ ବଞ୍ଚୁଛି ଆଉ ପରେ ଯେତେବେଳେ ଖାଦ୍ୟ ଉତ୍ପାଦକ (କୃଷି କର୍ମ)ର ଜୀବନ ବଞ୍ଚୁଛି, ସେତେବେଳେ ନିରପେକ୍ଷ ଦୃଷ୍ଟିରେ ଦେଖିଲେ ମଣିଷର ଏହି ଦୁଇଟି ସଭ୍ୟତାଭିତ୍ତିକ ଅବସ୍ଥାନରେ ମଣିଷର ଚିନ୍ତା କରିବାର ସାମର୍ଥ୍ୟ ବି ଭିନ୍ନ ଭିନ୍ନ ରହିବ । ତେଣୁ ଏହି ଭିନ୍ନ ଭିନ୍ନ ଚିନ୍ତାରେ ଥିବାବେଳେ ମଣିଷ ନିଜର ସହାୟତା ପାଇଁ ଯେଉଁ “ଅତିମଣିଷ”ମାନ ଗଢିବ ତାହା ନିଶ୍ଚିନ୍ତ ଭାବରେ ଭିନ୍ନ ଭିନ୍ନ ହେବା ଆବଶ୍ୟକ । ଆଉ ତାହାହିଁ ହୋଇଛି । ଆମର ଦେବତତ୍ତ୍ୱରେ ପ୍ରାଗାର୍ଯ୍ୟ ସମୟରେ ଇନ୍ଦ୍ର (ଯୁଦ୍ଧର ଦେବତା) ପ୍ରମୁଖ ଥିବାବେଳେ ଆର୍ଯ୍ୟକାଳରେ ବିଷ୍ଣୁ ( ପାଳନକର୍ତ୍ତା) ପ୍ରମୂଖ ଦେବତା ଭାବରେ ଆମର ଚିନ୍ତା ଚେତନାରେ ଅବସ୍ଥାନ କରିଛନ୍ତି।
ମଣିଷ ଯେତେବେଳେ କାହାର ଜନ୍ମଦିନ ପାଳନ କରିବାକୁ ଆରମ୍ଭ କଲା ତାହା ସହିତ ମୂଳତଃ ଗୋଟିଏ କଥା ଜଡିତ ହୋଇ ରହିଥିଲା । ସାଧାରଣତଃ ମଣିଷ ହିସାବରେ ଦେଖିଲେ ଜନ୍ମରେ ସଭିଏଁ ସାଧାରଣ । ଗୋଟିଏ ଶିଶୁର ଜନ୍ମ ଏବଂ ଆଉ ଗୋଟିଏ ଶିଶୁର ଜନ୍ମ ଭିତରେ ଏମିତିରେ କେଉଁ ପାର୍ଥକ୍ୟ ଅଛି ଯେ ତାହାକୁ ପାଳନ କରାଯିବ ? କହିବାକୁ ଗଲେ ଜନ୍ମଦିନ ପାଳିବା ଭଳି ଗୋଟିଏ ବିଶେଷ ଯୋଗ୍ୟତା ଆମ ମଣିଷଙ୍କର ଜନ୍ମଦିନରେ ଆଦୌ ନଥାଏ । ନିଜ ଜୀବନ କାଳରେ ଗୋଟିଏ ବିଶେଷ ମଣିଷପଣର ଯୋଗ୍ୟତା ମଣିଷ କ୍ରମଶଃ ଅର୍ଜନ କରିଥାଏ, ଆଉ କହିବାକୁ ଗଲେ ମଣିଷର ମରଣରେ ହିଁ ତାହାର ସେହି ବିଶେଷ ମଣିଷପଣର ଯୋଗ୍ୟତାକୁ ଆମେ ପରିଷ୍କାର ଦେଖୁ ଆଉ ଝୁରିହେଉ । ସେଇଥିପାଇଁ ଜଣେ ମଣିଷର ସମସ୍ତ ମଣିଷସୁଲଭ ପାକେଜିଂ ମରଣରେ ଥାଏ ବୋଲି ଆମେ ସଭ୍ୟତାର ଆଦିକାଳରେ ମଣିଷର ମରଣ ଦିବସକୁ ହିଁ ପ୍ରଥମେ ପାଳୁଥିଲୁ । ଆମର ପାର୍ଥୀବ ଜୀବନର ଖରାବର୍ଷାକୁ ଆଢୁଆଳ କରି ରଖିବା ପାଇଁ ଗିରିଗୋବର୍ଦ୍ଧନ ଭଳି ଛତାର ଛତାଧାରୀ ହିସାବରେ ଦେବତାମାନଙ୍କୁ ଆମର ବିଶ୍ୱାସରେ ଢେର୍ ପ୍ରୟୋଜନ ରହିଛି । ଆମେ ତେଣୁ ଦେବତାମାନଙ୍କୁ ଆବାହନ କଲୁ। ଦେବତାମାନଙ୍କ ପାଇଁ ତିଥି-ବାର-ନକ୍ଷତ୍ରର ଶୁଭମୁହୂର୍ତ୍ତଟିଏ ଗଢ଼ି ସେମାନଙ୍କ ମାନବିକ ଜନ୍ମକାହାଣୀ ଲେଖିବାରେ ଆମର ଭାରି ଶ୍ରଦ୍ଧା ରହିଲା । ସେହି ଶ୍ରଦ୍ଧା ଆମ ଭିତରେ ପ୍ରତ୍ୟୟ ଦିଏ ଯେ ଆମେ ଦେଖିପାରୁନୁ ସିନା, ଦେବତାମାନେ ଏଇ ଆଖପାଖରେ କେଉଁଠି ବରାଭୟ ମୁଦ୍ରାରେ ବିରାଜମାନ ହୋଇ ରହିଛନ୍ତି । ସେଇଥିପାଇଁ ସେହି ଶ୍ରଦ୍ଧାର ଆବାହନ କାହାଣୀକୁ ଦେବତାମାନଙ୍କର ଜନ୍ମଦିନରେ ବ୍ରତକଥା ଭଳି ଶୁଦ୍ଧପୂତ ହୋଇ ଆମେ ଗାଉ । ଏମିତି କହିଲେ ଦେବତାମାନଙ୍କୁ ଆମମାନଙ୍କ ଭିତରୁ ସବୁଠୁ ବେଶୀ ସବୁବେଳେ ଯଦି କିଏ ଅନୁକରଣ କରୁଥାଏ ତେବେ ସେମାନେ ହେଉଛନ୍ତି ଆମର ରଜା । ରାଜା ତାହାପରେ ଦେବତାମାନଙ୍କୁ ଦେଖି ଅନୁକରଣ କରି ନିଜର ଜନ୍ମଦିନ ପାଳିଲା ଆଉ ତାହାପରେ ସେଇ କ୍ଷମତାଧର ରଜାଟିର ଅନୁଗତ ଅନୁସରଣକାରୀ ହେଲୁ ଆମେ। ତେଣୁ ଆମେ ରଜାକୁ ଅନୁକରଣ କରି ନିଜ ନିଜର ଜନ୍ମଦିନ ପାଳିଆସିଲୁ । ଆଉ ଆଗଭଳି ମଣିଷର ଜନ୍ମଦିନରେ ତାହାର ଯେଉଁ ଜୀବନବ୍ୟାପୀ ସାମଗ୍ରିକ ମାନବିକ କୃତିତ୍ୱର ସ୍ମରଣ ତଥା ପାଳନ କରାଯାଉଥିଲା, କ୍ରମଶଃ ଜନ୍ମଦିନରେ ତାହା କେବଳ ସ୍ୱାଭାବିକ ତଥା ନୂତନର ସଶ୍ରଦ୍ଧ ଆବାହନରେ ପରିବର୍ତ୍ତିତ ହୋଇଗଲା ।
ଜନ୍ମ ସହିତ ଜଡ଼ିତ ଏହି ବିଚାର ପରେ ଏବେ ଆସିବା ଗଣଦେବତାଙ୍କ ଜନ୍ମ ପ୍ରସଙ୍ଗକୁ।

ଭାରତ ତତ୍ତ୍ୱର ପ୍ରଖ୍ୟାତ ବିଦୂଷୀ ପ୍ରଫେସର୍ ସୁକୁମାରୀ ଭଟ୍ଟାଚାର୍ଯ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ “ଭାରତୀୟ ଦେବତତ୍ତ୍ୱ” ଅନୁସାରେ ଆମର ସମଗ୍ର ଭାରତୀୟ ଦେବଦେବୀ ହୁଏତ ବିଷ୍ଣୁଅଂଶୀ ବା ରୁଦ୍ରଅଂଶୀ । ଗଣେଷଙ୍କ ଜନ୍ମଜାତକରେ ବିଷ୍ଣୁଭାଗ ଓ ରୁଦ୍ରଭାଗ ସମନ୍ବିତ । ବ୍ରହ୍ମବୈବର୍ତ୍ତ ପୁରାଣରେ ଶ୍ରୀଗଣେଶ ଜନ୍ମର ବାରଂବାର ମୋଡ଼ ବଦଳୁଥିବା କାହାଣୀର କଥା ସମସ୍ତେ ଜାଣନ୍ତି । ଗୌରୀ ଏକ ପୁତ୍ରର କାମନାରେ ଯଜ୍ଞାନୁଷ୍ଠାନ କଲେ । ସେଇ ଯଜ୍ଞଟିର ନାଁ ଥିଲା ପୁଣ୍ୟକ ଆଉ ତାହାର ଆରାଧ୍ୟ ହେଉଛନ୍ତି ବିଷ୍ଣୁ । ବିଷ୍ଣୁଙ୍କ ଭଳି ସୁନ୍ଦର ଓ ପରାକ୍ରମଶାଳୀ ସନ୍ତାନରେ ମତି ରହିଥିଲା ଗୌରୀଙ୍କର । ଗୌରୀଙ୍କର ଏହି ଯଜ୍ଞାନୁଷ୍ଠାନରେ ପୁରୋହିତ କାର୍ଯ୍ୟ ସଂପାଦନ କରିଥିଲେ ସନତକୁମାର । ଯଜ୍ଞାନୁଷ୍ଠାନରେ ବିଷ୍ଣୁ ପ୍ରସନ୍ନ ହୋଇ ଗୌରୀଙ୍କୁ ତାଙ୍କ ଭଳି ଏକ ସନ୍ତାନର ବର ପ୍ରଦାନ କରିବା ସହିତ ଏହି ପୁଣ୍ୟକ ଯଜ୍ଞରେ ଦକ୍ଷିଣା ସ୍ୱରୂପ ପୁରୋହିତ ସନତକୁମାର ସ୍ୱୟଂ ଶିବଙ୍କୁ ପ୍ରାପ୍ୟ ଆକାର ଦାବି କରିବା କାରଣରୁ ଯେଉଁ ଅସୁବିଧା ହୋଇଥିଲା ତାହାର ବି ସମାଧାନ କରିଥିଲେ।
ତେଣୁ ଗଣେଶ କହିବାକୁ ଗଲେ ଜନ୍ମ ନେଇଥିଲେ ବିଷ୍ଣୁଙ୍କ ଅନିନ୍ଦ୍ୟ ରୂପକାନ୍ତି ସହ । ମାତ୍ର ସେ ଥିଲେ ଜଣେ ଅଯୋନୀସଂଭୂତ, ମାନସପୁତ୍ର ତଥା ଗୌରୀପୁତ୍ର। ତାଙ୍କର ଜନ୍ମକାହାଣୀ ଭିତରକୁ ପରେ ପରେ ପ୍ରବେଶ କରିଥିଲେ ଗ୍ରହରାଜ ଶନି। ତାହାପରେ ଘଟିଥିଲା ଇନ୍ଦ୍ରଙ୍କ ଐରାବତର ମସ୍ତକ ଛେଦନ, ଗଣେଷ ତାହା ଫଳରେ ଗଜମସ୍ତକ ଧାରୀ ହେଲେ, ଏବଂ ତାହାପରେ ବିଘ୍ନବିନାଶକ ଭାବରେ ଅଗ୍ରପୂଜ୍ୟ ହେଲେ । ଏହି ସମସ୍ତ ଚମତକାର ପୁରାଣ କାହାଣୀର ପ୍ରଚୁର ପାଠକୀୟତାର ବାଙ୍କ ବୁଲାଣିରେ ଦେଖିଲେ ଶ୍ରୀଗଣେଶଙ୍କ ଜନ୍ମ ରହସ୍ୟର ଅସଲ ମଞ୍ଜୁଷାଟି ରହିଛି।
ଆରମ୍ଭରୁ କେତୋଟି ସଂକେତକୁ ବିଚାରକୁ ନିଆଯାଉ । ଗଣେଶ ହେଉଛନ୍ତି ଜଣେ ଅଯୋନୀସଂଭୂତ ଗୌରୀପୁତ୍ର, ଆଉ ସେହି କାହାଣୀରୁ ପ୍ରାଥମିକ ଭାବରେ ଶିବଙ୍କ ଭଳି ଜଣେ ମହାପରାକ୍ରମଶାଳୀ ତଥା ଭାରତୀୟ ଦେବତତ୍ତ୍ୱର ଅନ୍ୟତମ ପ୍ରମୁଖ ଅଂଶୀଦାର ଭଳି ଗୋଟିଏ ପିତାକୁ ଦୂରେଇ ରଖାଯାଇଛି। ସାଧାରଣତଃ ପୁରାଣ କାହାଣୀମାନଂକରେ ବରଦାନ ଆଉ ଅଭିଶାପକୁ ସୁସମାହିତ କରି ପୁରାଣ କାହାଣୀକାରମାନେ କାହାଣୀକୁ ଗତିଶୀଳ କରିଥାଆନ୍ତି । ତେଣୁ ଅଭିଶାପ ଆଉ ବରଦାନ ସବୁ ହେଉଛି ଏହି କାହାଣୀଗୁଡିକରେ ପ୍ରକୃତରେ ଯାହାକୁ ଆମର ଗଳ୍ପକର୍ମରେ କହିଥାନ୍ତି ଷ୍ଟୋରି ପଏଣ୍ଟ ବା କାହାଣୀର ଦିଗବାରେଣୀ । ସେହି ଦୃଷ୍ଟିରୁ ଦେଖିଲେ ଏକଥା କୁହାଯାଇ ପାରିବ ଯେ ଅଯୋନୀସଂଭୂତ ଗୌରୀପୁତ୍ର ହୋଇଥିବା କାରଣରୁ ଗଣେଶ ମାତୃକୈନ୍ଦ୍ରୀକ ବ୍ୟବସ୍ଥାପନାର ଏକ ପୂର୍ଣ୍ଣତଃ ଉପଜ। ଆଉ ସାମାଜିକ ଉଦ୍ଭବର ଇତିହାସରେ ମାତୃକୈନ୍ଦ୍ରୀକତାକୁ ପ୍ରାଚୀନତା ବା ପ୍ରିମିଟିଭିଟି ସହ ଯୋଡ଼ା ଯାଇଥିବା କାରଣରୁ ପ୍ରଥମରେ ଗଣେଶ ହେଉଛନ୍ତି ପ୍ରାଚୀନତାର ଏକ ସ୍ୱୟଂଭୂ ପ୍ରତୀକ । ଦୁଇରେ ଗଣେଶଙ୍କୁ ବିଘ୍ନରାଜ ବା ବିଘ୍ନ ବିନାଶନକାରୀ ବୋଲି ପ୍ରାଥମିକ ସଂବୋଧନ କରାଯାଉଥିବା କାରଣରୁ ଅର୍ଥାତ୍ ଗୋଟିଏ ସ୍ୱୟଂଭୂ ପ୍ରତୀକକୁ ସାର୍ବଜନୀନ ଭାବରେ ନିର୍ମାଣ କରି କୌଣସି ବିଘ୍ନକୁ ବିନାଶନ ପାଇଁ ଶକ୍ତିମନ୍ତ କରିବା ପଛରେ ସାଧାରଣତଃ କାହାର ବ୍ୟକ୍ତିପରକ ବିଘ୍ନର ବିନାଶନ ଅପେକ୍ଷା ସମଷ୍ଟିଗତ ବିଘ୍ନର ଦୂରୀକରଣର ଅପରିହାର୍ଯ୍ୟ ପ୍ରାଥମିକ କାରଣ ହିସାବରେ ରହିଥିବା ବିବେଚନା ଦୃଷ୍ଟିରୁ ଅଧିକ ପ୍ରାସଂଗିକ । ତିନିରେ ଯାହାର ନାଆଁ ଗଣନାଥ ବା ଗଣେଶ ଯାହାର ସହଜ ଅର୍ଥ ହେଉଛି ଗଣର ନାଥ ବା ଗଣର ଇଶ, ଅର୍ଥାତ୍ ଗଣର ଦେବତା । ସମାଜତତ୍ତ୍ୱରେ ‘ଗଣ’ର ଗୋଟିଏ ବିଶେଷ ଲୌକିକ ପରିଭାଷା ରହିଛି । ଏଇ ତିନୋଟି ଆଦ୍ୟ ସଂକେତରୁ ଶ୍ରୀଗଣେଶଙ୍କ ଜନ୍ମକଥାର ପରିଚର୍ଚ୍ଚା କରିବା ଉଚିତ୍ ହେବ ।
ଶ୍ରୀ ଗଣେଶଙ୍କ ସହିତ ଜଡିତ ଏକଥା ବି ସ୍ପଷ୍ଟ ଯେ ବିଷ୍ଣୁଙ୍କର ନରସିଂହ ଅବତାରକୁ ବାଦ୍ ଦେଲେ ଗଣେଶ ହେଉଛନ୍ତି ଭାରତୀୟ ଦେବତତ୍ତ୍ୱର ଏକମାତ୍ର ଆଗଧାଡିର ଦେବତା ଯିଏ ଦେବାଙ୍ଗରେ ପଶୁ ଓ ମଣିଷର ସମନ୍ୱୟ ହିସାବରେ ବିରାଜିତ ।
ସେ ଦୃଷ୍ଟିରୁ ଶ୍ରୀଗଣେଶ ହେଉଛନ୍ତି ଭାରତୀୟ ସାମାଜିକ ସମନ୍ୱୟର ଏକ ଐତିହାସିକ ପ୍ରତୀକ ବିଶେଷ। ଏହି ମୂଖ୍ୟ ବିଭାବ ଉପରେ ହିଁ ଶ୍ରୀ ଗଣେଶଙ୍କର ଅବସ୍ଥାନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ପ୍ରଖ୍ୟାତ ଐତିହାସିକ ରୋମିଲା ଥାପରଙ୍କ ମତରେ ଭାରତର ଆଦ୍ୟ ସାମାଜିକ ସଂରଚନାରେ ବ୍ରାହ୍ମଣତାନ୍ତ୍ରୀକ ରାଷ୍ଟ୍ର ବ୍ୟବସ୍ଥାରେ ସମତଳ ଅଂଚଳରେ ରାଜତନ୍ତ୍ର ରହିଥିଲା । ଏହି ରାଜତାନ୍ତ୍ରୀକ ଶାସନ ବ୍ୟବସ୍ଥାରେ ଯେଉଁମାନେ ସନ୍ତୁଷ୍ଟ ନଥିଲେ, ସଂପତ୍ତିର ଅଧିକାରଗତ କି ନ୍ୟାୟ ବିଚାର କି ପ୍ରଥାଗତ କି ବିବାହଗତ କାରଣରୁ, ସେମାନେ ବନାଞ୍ଚଳରେ ସଂକ୍ଷିପ୍ତ ଗଣତନ୍ତ୍ର ପ୍ରଚଳିତ ରାଜ୍ୟମାନ ଗଠନ କରିଥିଲେ। ବନାଞ୍ଚଳର ଏହି ରାଜ୍ୟଗୁଡିକ ବ୍ରାହ୍ମଣତାନ୍ତ୍ରୀକ ରାଜତନ୍ତ୍ରର ପ୍ରତିକ୍ରିୟା ଓ ପ୍ରତିବାଦ ଥିଲା । ଏହାକୁ ପ୍ରଫେସର୍ ଥାପର୍ ବୈଦିକ ଋଢିବାଦର ବିଚ୍ୟୁତାତ୍ମକ ସଂପୃକ୍ତି ବା ପାର୍ଟିଙ୍ଗ୍ କଂପାନୀ ଅଫ୍ ବେଦିକ୍ ଅର୍ଥୋଡକ୍ସି ବୋଲି କହିଛନ୍ତି । ତାହାର ଅର୍ଥ ହେଲା ଏହି ଗଣରାଜ୍ୟଗୁଡିକ ନିଜ ସହ କିଛି ବୈଦିକ ଋଢିବାଦକୁ ଧରି ଚାଲିଥିଲେ ଏବଂ ପରେ ଏହି ଋଢିବାଦ ଯୋଗୁ ଗଣରାଜ୍ୟମାନେ କ୍ରମଶଃ ସମତଳ ଅଞ୍ଚଳର ରାଜତନ୍ତ୍ର ସହ ଏକୀଭୂତ ହୋଇଗଲେ ।
ପ୍ରାଥମିକ ଭାବରେ ସେହିଭଳି ଏକ ସଂକ୍ଷିପ୍ତ ଗଣତନ୍ତ୍ର ପ୍ରଚଳିତ ବନାଞ୍ଚଳ ପରିବେଷ୍ଟିତ କୌଣସି ଗଣରାଜ୍ୟର ଉପାସ୍ୟ ଦେବତା ଥିଲେ ଶ୍ରୀଗଣେଶ, ଯାହାର ମୂଖ୍ୟ ଟୋଟେମ୍ ବା ପବିତ୍ର ବସ୍ତୁ ଥିଲା ହାତୀ । ସେହି ଗଣରାଜ୍ୟ ମାନଙ୍କରେ ସମତଳ ଅଂଚଳର ରାଜତନ୍ତ୍ରରେ ପୂଜିତ ସୃଷ୍ଟିକର୍ତ୍ତା ଅର୍ଥାତ୍ ପ୍ରଜାପତି, ପାଳନକର୍ତ୍ତା ଅର୍ଥାତ ବିଷ୍ଣୁ ଏବଂ ସଂହାରକର୍ତ୍ତା ଅର୍ଥାତ୍ ରୁଦ୍ରଙ୍କ ବିକଳ୍ପ ଦେବତାମାନଙ୍କୁ ଟୋଟେମ୍ ବା ପବିତ୍ର ବସ୍ତୁରେ ସଂଧାନ କରାଗଲା । ତେଣୁ ଗଣରାଜ୍ୟମାନଙ୍କରେ ଯେଉଁ ଦେବତାମାନେ ପୂଜା ପାଇଲେ ସେମାନେ ପଶୁ, ବୃକ୍ଷ, ପାହାଡ଼ ଓ ପର୍ବତ ଭଳି ଅଣମାନବ ପଦାର୍ଥରେ ନିର୍ମିତ ହେଲେ । ସେହି ଗଣ ରାଜ୍ୟମାନ ଯାହା ସବୁବେଳେ ଆକାରରେ ଛୋଟ ତାହାକୁ ବାହାର ଆକ୍ରମଣରୁ ରକ୍ଷା କରିବା ଏଇ ଟୋଟେମ୍ ଦେବତାମାନଙ୍କର ଏକମାତ୍ର କାର୍ଯ୍ୟ ଥିଲା ।
ସେହିଭଳି କୌଣସି ଗଣ ବା ଗୋଷ୍ଠୀ ବା ଟ୍ରାଇବ୍’ର ଉପାସ୍ୟ ଦେବତା ରହିଥିବା କାରଣରୁ ଗଣେଶଙ୍କର ଅନ୍ୟନାମ ଗଣପତି । ଏବଂ ସେତେବେଳେ ସେହିଭଳି ବିଭିନ୍ନ ଛୋଟ ଛୋଟ ରାଜ୍ୟରେ ପୂଜିତ ହେଉଥିବା କାରଣରୁ ଗଣେଶଙ୍କର ଭିନ୍ନ ଭିନ୍ନ ରୂପରେ ସଂରଚନା କରାଯାଉଥିଲା । ତେଣୁ ଗଣେଶଙ୍କ ଭଳି ଏତେ ବେଶଧାରୀ ଏତେ ରୂପଧାରୀ ଦେବତା କହିଲେ ତାଙ୍କର ପାଖାପାଖି କେବଳ ଜଣେ ହିଁ ଦେବତା (ହୁଏତ ଜଣେ କହିବା ଠିକ୍ ହେବ ନାହିଁ। ସେମାନେ ତିନିଜଣ) ହେବେ, ସେ ଆମର ଜଗନ୍ନାଥ, ବଳଭଦ୍ର ଆଉ ମାଆ ସୁଭଦ୍ରା । ସେହି ଗୋଷ୍ଠୀମାନଙ୍କର ବିଘ୍ନ ବିନାଶକ ହୋଇଥିବାରୁ ତାଙ୍କୁ ବିଘ୍ନେଶ ବୋଲି କୁହାଯାଉଥିଲା । ବ୍ରାହ୍ମଣ ସଂସ୍କୃତିର ଆଢୁଆଳରେ ସଂକ୍ଷିପ୍ତ ଗଣତନ୍ତ୍ର-ପୁଷ୍ଟ ଗଣରାଜ୍ୟରେ ଏହା ରହିଥିଲା ଶ୍ରୀଗଣେଶଙ୍କ ସାଂସ୍କୃତିକ ଆଦ୍ୟକାଳ ।
ତାହାପରେ ଛୋଟଛୋଟ ଗଣରାଜ୍ୟଗୁଡିକ ନିଜର ସୁରକ୍ଷା ଓ ଆଧୁନିକ ହେବାର ରାଷ୍ଟ୍ରାୟତ୍ତ ଲୋଭରେ ଯେତେବେଳେ ସମତଳ, ରାଜତନ୍ତ୍ର ଓ ବ୍ରାହ୍ମଣତନ୍ତ୍ରରେ ନିଜର ବିଲୟ ଘଟିବା ଅପରିହାର୍ଯ୍ୟ ବୋଲି ଦେଖିଲେ ସେତେବେଳେ ସେମାନେ ନିଜର ଏହି ଟୋଟେମ୍ ମାନଙ୍କୁ ବ୍ରାହ୍ମଣତନ୍ତ୍ରରେ ସୁବିନ୍ୟସ୍ତ କରି ନିଜର ଏକଦା ଅତୀତକୁ ଭୋଗିବାର ସୁଖଟିକୁ କାମନା କରୁଥିଲେ । ଅନ୍ୟପକ୍ଷରେ ବ୍ରାହ୍ମଣତନ୍ତ୍ର ସେଇ ଟୋଟେମ୍ ମାନଙ୍କୁ ନିଜର ଧାର୍ମିକ ବ୍ୟବସ୍ଥାର ଅନୁସଙ୍ଗ କରି ପ୍ରାଚୀନତା ବା ପ୍ରିମିଟିଭିଟି ସହ ଏକ ପ୍ରକାର ସାଂସ୍କୃତିକ ସାଲିସ୍ କରିବା ରାଷ୍ଟ୍ର ପକ୍ଷରେ ମଙ୍ଗଳକର ବୋଲି ନୀତିଗତ ନିର୍ଣ୍ଣୟ କଲେ । ଏଇ ସମନ୍ୱୟର ବ୍ୟବସ୍ଥା ସ୍ୱରୂପ ଗଣେଶ ଅଯୋନୀସଂଭୂତ ଗୌରୀପୁତ୍ର ତାହାପରେ ପିତାର ସାନ୍ନିଧ୍ୟ ପାଇଲେ ଏବଂ ଶିବଙ୍କ ଭଳି ପିତାର ପ୍ରିୟତମ ପୁତ୍ର ପାଲଟି ଗଲେ । ଆଉ ବିବର୍ତ୍ତନ ଦୃଷ୍ଟିରୁ ଏକଥା ତାତ୍ପର୍ଯ୍ୟପୂର୍ଣ୍ଣ ଯେ ଗଣେଷଙ୍କ ପିତା ଶିବ ହେଉଛନ୍ତି ହରପ୍ପା ସିଲମୋହରର ସେହି ପଶୁବେଷ୍ଟିତ ପଶୁପତି, ଅନାର୍ଯ୍ୟ ଅବସ୍ଥାରୁ ଉନ୍ନୀତ ଏକ ସଂଶ୍ଳେଷିତ ଆର୍ଯ୍ୟଦେବ । ତେଣୁ ତାଙ୍କର ପ୍ରିୟତମ ପୁତ୍ର ହିସାବରେ ଗଣେଶଙ୍କୁ ସଂଯୋଜିତ କରିବା ପାଇଁ ଆମର ପୁରାଣକାରମାନଙ୍କୁ ଅଳ୍ପ ପରିଶ୍ରମ କରିବାକୁ ପଡିଛି। ପୁରାଣ କାହାଣୀରେ ଗ୍ରହରାଜ ଶନି ବା ସ୍ୱୟଂ ଶିବଙ୍କ ମାର୍ଫତରେ ତାଙ୍କର ସୁନ୍ଦର ମଣିଷ ମୁଣ୍ଡଟି ସ୍ଥାନରେ ଗଜରାଜର ମୁଣ୍ଡଟିକୁ ରୋପଣ କରିବାକୁ ପଡିଛି । ଠିକ୍ ଯେମିତି ବଣମୂଲକର କନ୍ୟା ଶକୁନ୍ତଳାର ଗର୍ଭସ୍ଥ ସନ୍ତାନ ଭରତକୁ ସମତଳ ଅଞ୍ଚଳର ସ୍ୱୀକୃତି ମିଳିବା ପାଇଁ ଏକ ଅପହୃତ ମୁଦିର କାହାଣୀ ନିର୍ମାଣ କରିବାକୁ ପଡିଛି ଆମ ପୁରାଣକାରମାନଙ୍କୁ ।

ପ୍ରାଚୀନତା ତଥା ପ୍ରିମିଟିଭିଟି ଆମ ବ୍ୟବସ୍ଥା ଆଦ୍ୟଭାଗ ହୋଇଥିବା କାରଣରୁ ଶ୍ରୀଗଣେଶଙ୍କୁ ଆମର ପରିବର୍ତ୍ତିତ ବ୍ରାହ୍ଣଣତାନ୍ତ୍ରୀକ ସମାଜ ବ୍ୟବସ୍ଥାରେ ଅଗ୍ରପୂଜ୍ୟ କରି ରଖାଗଲା । ଆମେ କୌଣସି ସମୟରେ ଯେତେ ଆଧୁନିକ ହେଲେ ବି ଆମର ପ୍ରାଚୀନତମ ଉତ୍ସକୁ ଅସ୍ୱୀକାର କରି ପାରିବୁ ନାହିଁ । ଠିକ୍ ସେହି କାରଣରୁ ଶ୍ରୀଗଣେଶ ହେଉଛନ୍ତି ଆମର ଉତ୍ସମୂଳର ଦେବତା । ଏବଂ ଆମର ଉତ୍ସ ଅନୁରାଗ କାରଣରୁ ସେ ଆମର ପ୍ରିୟତମ ଦେବତା । ଆଗରୁ କ୍ଷୁଦ୍ର ଗଣରାଜ୍ୟଗୁଡିକର ବିଘ୍ନ ବିନାଶକ ଥିଲେ, ସେ ଏବେ ସେ ଏକ ବ୍ୟାପକ କ୍ଷେତ୍ରରେ ବିଘ୍ନରାଜ ହେବା ସହ ଆମର ମଙ୍ଗଳବିଧାନ ନିମନ୍ତେ ମଙ୍ଗଳମୂର୍ତ୍ତୀ ହୋଇ ବିରାଜିତ ହେଲେ। ସିଦ୍ଧମ୍ ଶବ୍ଦର ପ୍ରାଚୀନତମ ଅର୍ଥ ହେଉଛି ଅକ୍ଷର। ତେଣୁ ନିଜର କଥିତ ଭାଷାକୁ ସଂରକ୍ଷିତ କରିବା ପାଇଁ ଲିପିର ପ୍ରୟୋଜନ ହେବା କାରଣରୁ ଶ୍ରୀଗଣେଶଙ୍କୁ ତାହାର ଆରାଧ୍ୟ ଦେବତା କରାଗଲା । ଏବଂ ତାଙ୍କୁ ଏକ ପୂର୍ଣ୍ଣତମ ଦେବ ରୂପ ଦେବା ପାଇଁ ତାଙ୍କ ସହିତ ଦୁଇଟି ନାରୀ ଚରିତ୍ର ଜଡିତ ହୋଇ ପଡିଲେ, ସେମାନେ ହେଲେ ସିଦ୍ଧି ଆଉ ବୁଦ୍ଧି।
ଏସବୁ କେବଳ ଶ୍ରୀଗଣେଶଙ୍କ ଜନ୍ମର ଆଦ୍ୟକ୍ରମଟିକୁ ବୁଝିବାର ପ୍ରୟାସ । ସେ ଆମର ମୂଳାନୁଗ ଦେବ।
କୋଲକାତାର ଦକ୍ଷିଣ ଚବିଶପ୍ରଗଣା ଇଲାକାରେ ଲୋକ ପୁରାଣରେ ଗଣେଷଙ୍କ ଅପହୃତ ମଣିଷ ମୁଣ୍ଡର ପ୍ରସଂଗ ରହିଛି । ତାଙ୍କର ସେହି ମଣିଷ ମୁଣ୍ଡକୁ ସେଇ ଅଂଚଳରେ ବାରାଠାକୁର୍ ବା ବଡଠାକୁର ବୋଲି ଅତ୍ୟନ୍ତ ଶ୍ରଦ୍ଧାର ସହ ଉପାସନା କରାଯାଇଥାଏ ।
ଏଥିରୁ ଏତିକି ବୁଝିହେବ ଯେ ଶ୍ରୀଗଣେଶ ହେଉଛନ୍ତି ଆର୍ଯ୍ୟ ଓ ଅନାର୍ଯ୍ୟର ଏକ ପ୍ରମୁଖ ଦୈବିକ ମିଳନବିନ୍ଦୁ ।
ଶେଷରେ ଶ୍ରୀଗଣେଶଙ୍କ ଜନ୍ମବୃତ୍ତାନ୍ତକୁ ନେଇ ଦୁଇଟି ଚମତ୍କାର କାହାଣୀ।
ଶ୍ରୀଗଣେଶଙ୍କ ଜନ୍ମରହସ୍ୟ ଉପରେ ଗୋଟିଏ ଚମତ୍କାର କାହାଣୀ ଦୁର୍ଗାଷଷ୍ଠୀ ବ୍ରତକଥାରେ ରହିଛି । ଥରେ ପ୍ରଭୂ ନାରାୟଣଙ୍କର ମା ଦୁର୍ଗାଙ୍କର ସ୍ତନ୍ୟପାନ କରିବାର ଇଚ୍ଛା ହେଲା । ତେଣୁ ପ୍ରଭୂ ନାରାୟଣ ପ୍ରବେଶ କଲେ ମାଆ ଦୁର୍ଗାଙ୍କ ପ୍ରତିମାର ଗଭୀର ଅଭ୍ୟନ୍ତରକୁ । ଆଉ ସଂସାରରେ ତାହାପରେ ଏକ ଅଲୌଲିକ ଘଟଣା ଘଟିଗଲା । ସେହି ଦୁର୍ଗା ପ୍ରତିମା ଓ ନାରାୟଣଙ୍କ ଜୀବନ୍ତ ସତ୍ତା ମିଶି ରୂପବନ୍ତ ହୋଇଗଲା।
ସେହି ରୂପବନ୍ତ ହେଉଛନ୍ତି ଶ୍ରୀଗଣେଶ ।
ଏଇଠି କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଆମର ବୈଦିକ ଦେବତାମାନଙ୍କ ଗଣତି ମଧ୍ୟରେ ଗଣେଶଙ୍କର ଉଲ୍ଲେଖ ନାହିଁ । ଠିକ୍ ସେମିତି ମହାଭାରତରେ ଗଣେଶଙ୍କ ନାଆଁ ଜଣେ ଦୈବିକ ଲେଖନକାର ହିସାବରେ ଉଲ୍ଲେଖରେ ରହିଥିଲେ ହେଁ ସେଥିରେ ତାଙ୍କର ଜୀବନକଥାର କୌଣସି ବର୍ଣ୍ଣନା ନାହିଁ । ସେଥିରେ ତାଙ୍କର ଦେବପଣ, ଲେଖନ ଏବଂ ପାଣ୍ଡିତ୍ୟକୁ ନିଷ୍କପଟ ଭାବରେ ସ୍ୱୀକାର କରାଯାଇଥିଲେ ବି ତାଙ୍କର ଅନ୍ୟ କୌଣସି ଦୈବିକତାର ଉତ୍ସ ବା ଦୈବିକ ନାୟକତ୍ୱର ସୂଚନା ନାହିଁ। ତେଣୁ ଏଥିରୁ ଆମେ ଗୋଟିଏ ଅବଧାରଣାକୁ ଅନୁମାନ କରିପାରିବା। ଭାରତୀୟ ସମାଜର ପ୍ରାକ୍-ବୈଦିକ କାଳ ଏବଂ ପରବର୍ତ୍ତି ବୈଦିକ କାଳ (ମହାଭାରତ କାଳ) ରେ ଅନ୍ୟ ଦେବତାମାନଙ୍କୁ ନେଇ ଆମର ଯାହା ଯାହା ଧାରଣା ରହିଥିଲା, ଗଣେଶଙ୍କୁ ନେଇ ଠିକ୍ ସେମିତି ସମାନ ବିଚାର ଥିଲା। ଅର୍ଥାତ୍ ସବୁ ଦେବତାମାନେ ଜନ୍ମ-ମୃତ୍ୟୁର ଉର୍ଦ୍ଧ୍ୱରେ କେବଳ ସେମାନେ ନିଜର ମହାନ ଅବସ୍ଥିତିରେ ଗରୀୟାନ, ତଳେ ମଣିଷର ଦୁଃଖ ଦୁର୍ଦ୍ଦଶାକୁ ଦୂର କରିବା ପାଇଁ ଏକ ଚିରଜାଗ୍ରତ ଉପସ୍ଥିତି। କିନ୍ତୁ ପରବର୍ତ୍ତି କାଳରେ ଅର୍ଥାତ୍ ପରବର୍ତ୍ତି ବୈଦିକ କାଳରେ ଯେତେବେଳେ ଭାରତୀୟ ସମାଜ ନିଜର ସଂରଚନାରେ ଆଉ ବୃତ୍ତି ଏବଂ ବର୍ଣ୍ଣଭିତ୍ତିକ ବ୍ୟବସ୍ଥାରେ ଅଧିକ ସଂହତ ହେବାକୁ ଯାଇଛି ସେତେବେଳେ ତାହାର ଚେତନାର ଦେବତତ୍ତ୍ୱରେ ଅନେକ ପରିବର୍ତ୍ତନ ଘଟିଛି। ବସ୍ତୁତଃ ସେଇ ପୁରାଣ ଯୁଗରେ ଦେବତା ଆଉ ମଣିଷ ସଂପର୍କକୁ ନେଇ ଅଧିକରୁ ଅଧିକ ବୀରଗାଥାମାନ ଦେବତାର ନାୟକତ୍ୱରେ ନିର୍ମିତ ହେବାକୁ ଲାଗିଛି। ଏଇଟି ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଯେତେବେଳେ ଆଦି ତ୍ରିମୂର୍ତ୍ତି ଅର୍ଥାତ୍ ବ୍ରହ୍ମା-ବିଷ୍ଣୁ-ରୁଦ୍ରଙ୍କ ସଦୃଶ ଅନ୍ୟ ଦେବତାମାନେ ଅପରାଜେୟ ନାୟକତ୍ୱର ଦୈବିକ କାହାଣୀ ଭିତରକୁ ପ୍ରବେଶ କରିଛନ୍ତି। ଶ୍ରୀଗଣେଶଙ୍କୁ ନେଇ ସେଇ କାଳଖଣ୍ଡର ଧାରଣା ଓ ବିଶ୍ୱାସ ଯାହା ଆଗରୁ ଉଲ୍ଲେଖ କରାଯାଇଛି, ଯଥା ଗଣର ଇଶ, ଟୋଟେମ୍, ମାତୃକୈନ୍ଦ୍ରୀକ ଆଧିପତ୍ୟର ପ୍ରତୀକ ତଥା ତାଙ୍କର ମାନବଶରୀର ଏବଂ ଗଜମୁଖକୁ ସମସ୍ତ ବିଦ୍ୱତାର ଶ୍ରେଷ୍ଠ ପ୍ରତୀକ ରୂପକ ଭାବରେ ଗ୍ରହଣ କରାଯିବା ପଛରେ ପ୍ରାଚୀନବୋଧ ତଥା ପ୍ରିମିଟିଭିଟି ଓ ସମକାଳ ତଥା ମଡର୍ଣ୍ଣିଟି ଏବଂ ବନସ୍ତ ଓ ବସତିର ଏକ ସମନ୍ୱିତ ରୂପକୁ ଦେଖାଯାଇଛି। ତେଣୁ ଭାରତୀୟ ସମାଜର ସେହି ପୁରାଣକାଳରେ ଗଣେଶଙ୍କ ଭଳି ଅଗ୍ରପୂଜ୍ୟ ଦେବତାକୁ ଅଧିକ ବୈଚିତ୍ର୍ୟମଣ୍ଡିତ କରାଯାଇଛି। ସେଇଥିପାଇଁ ବସ୍ତୁତଃ ବୈଦିକ ଯୁଗରେ ଅନୁପସ୍ଥିତ ଏବଂ ମହାଭାରତ କାଳରେ ସଂକ୍ଷିପ୍ତ ଉପସ୍ଥିତି ଅର୍ଜନ କରିଥିବା ଗଣେଶଙ୍କ ଜନ୍ମର ସମସ୍ତ କାହାଣୀ ଆମର ପୁରାଣମାନଙ୍କରୁ ହିଁ ଦେଖିବାକୁ ମିଳିଥାଏ। ଶ୍ରୀଗଣେଶଙ୍କ ଜନ୍ମକାହାଣୀ ଭିନ୍ନ ଭିନ୍ନ ପୁରାଣରେ ଭିନ୍ନ ଭିନ୍ନ ଭାବରେ ଅତ୍ୟନ୍ତ ରୋଚକ ଢଙ୍ଗରେ ପରିବେଷିତ ହୋଇଛି। ସବୁ ପୁରାଣର ବଖାଣରେ ତିନୋଟି ସ୍ଥିର ବିନ୍ଦୁ, ତାଙ୍କର ପିତାମାତା ଶିବ ଆଉ ଗୌରୀ, ସବୁଠି ସେ ଅଯୋନୀସଂଭୂତ ଗୌରୀପୁତ୍ର ଏବଂ ସବୁଠି ତାଙ୍କର ଗଜମୁଖ । ଏଇ ତିନୋଟି ଆଧାରବିନ୍ଦୁକୁ ନେଇ ଆମର ପୁରାଣକାରମାନେ ନିଜର କଳ୍ପନାରେ ଶ୍ରୀଗଣେଶଙ୍କର ଜନ୍ମକାହାଣୀ ବିରଚିତ କରିଛନ୍ତି। ସେସବୁରୁ ସମକାଳ ଆଉ ସାମାଜିକ ସ୍ଥିତାବସ୍ଥାର କୌଣସି ନା କୌଣସି ସଙ୍କେତ ଖୋଜିଲେ ମିଳିପାରିବ।

ଉପସ୍ଥିତ ଲେଖକର ମନେ ହୋଇଛି ଶ୍ରୀଗଣେଶଙ୍କ ଜନ୍ମବୃତ୍ତାନ୍ତର ସବୁଠାରୁ ଆଧୁନିକ କାହାଣୀଟି ରହିଛି ବରାହ ପୁରାଣରେ । ସେହି କାହାଣୀର ଚରିତ୍ରମାନଙ୍କୁ ସମକାଳର ଚରିତ୍ର କରିଦେଲେ ଆମେ ନିଶ୍ଚୟ ବର୍ତ୍ତମାନ ସମୟର ମାନବିକ ଦ୍ୱନ୍ଦ୍ୱକୁ ସେଥିରୁ ସନାକ୍ତ କରିପାରିବା।
ବରାହ ପୁରାଣର ସେଇ ଭିନ୍ନ ଧରଣରେ ଶ୍ରୀଗଣେଶ ଜନ୍ମ କାହାଣୀରେ ଉଲ୍ଲେଖ ଅଛି ଯେ, ଗୋଟିଏ ସମୟରେ ଜଗତରୁ ଅନ୍ୟାୟ ଅନାଚାର ତଥା ପାପ ଆଉ ବିଘ୍ନ ଆଦି ଦୂର କରିବା ନିମନ୍ତେ ଦେବଗଣ ଶିବଙ୍କର ଶରଣାପନ୍ନ ହେଲେ। ଦେବଗଣଙ୍କର ଅନୁରୋଧକୁ ଶ୍ରବଣ କରି ପରମ ଯୋଗେଶ୍ୱର ଶିବ ଚିନ୍ତାମଗ୍ନ ହେଲେ । ଆଉ ସେମିତି ଜଟିଳ ଆଉ ଗମ୍ଭୀର ଚିନ୍ତାରେ ମଗ୍ନ ଥିବାବେଳେ ତାଙ୍କର ଦୃଷ୍ଟି ଗୌରୀଙ୍କ ଉପରେ ଅକସ୍ମାତ ନିପତିତ ହୋଇଥିଲା। ଗୌରୀଙ୍କ ସଦା ପ୍ରସନ୍ନ ମୁଖମଣ୍ଡଳ ଉପରେ ତାଙ୍କର ଦୃଷ୍ଟି କେନ୍ଦ୍ରିତ ହେଲେ ତାଙ୍କର ମନରେ ଖେଳୁଛି ଏକ ବିଚିତ୍ର ଭାବନା, ପଞ୍ଚଭୂତର ମଧ୍ୟରୁ ପୃଥିବୀ, ଜଳ, ଅଗ୍ନି ଓ ବାୟୁର ଉପସ୍ଥିତି ଦୃଶ୍ୟମାନ ହେଲେ ଆକାଶ ନିର୍ଦୃଶ୍ୟ କାହିଁକି ? ଏହି ଅପରିମିତ ଶୂନ୍ୟତା କ’ଣ କେବେ ଗୌରୀଙ୍କ ସଦୃଶ ସୁନ୍ଦର ଏବଂ ଚିର ପ୍ରଶାନ୍ତ ରୂପ ଗ୍ରହଣ କରିପାରିବ ? ନିଜର ଏପରି ଏକ ଅଜବ ଖିଆଲ୍ ରେ ଦେବତାମାନଙ୍କ ଭିତରେ ପ୍ରଖର ସଂସାରୀ ଶିବ ମନେ ମନେ ହସି ଉଠିଥିଲେ। ତାହାପରେ ଏକ ଅଲୌକିକ ଘଟଣା ଘଟିଗଲା। ଶିବଙ୍କର ସେଇ ଅସ୍ୱାଭାବିକ ଅଲୌକିକ ହସରୁ ଜନ୍ମ ନେଇଥିଲା ଏକ ଅପୂର୍ବ ସୁନ୍ଦର ତେଜସ୍ୱୀ ଯୁବକ । ବାଳକର ରୂପରେ ସମସ୍ତେ ମୋହିତ । ସମସ୍ତେ ତାହାକୁ ଅପଲକ ଦୃଷ୍ଟିରେ ଚାହିଁ ରହିଛନ୍ତି । ସ୍ୱୟଂ ଗୌରୀ ବି ତାହାକୁ ଏକ ଦୃଷ୍ଟିରେ ଚାହିଁ ରହିଛନ୍ତି ଆଉ ଶିବ ଯେତେବେଳେ ଦେଖନ୍ତି ଯେ ସମସ୍ତ ଦୃଷ୍ଟିର କେନ୍ଦ୍ର ସେଇ ତେଜସ୍ୱୀ ସୁନ୍ଦର ବାଳକଟି ଗୌରୀଙ୍କର ଚିତ୍ତଚାଞ୍ଚଲ୍ୟର କାରଣ ସାଜିଛି ସେତେବେଳେ ଅତ୍ୟନ୍ତ କ୍ରୋଧିତ ହୋଇପଡନ୍ତି ସେ। ତାହାପରେ ସେ ସେଇ ବାଳକକୁ ଅଭିଶାପ ଦିଅନ୍ତି, ତମେ ଆଜିଠାରୁ ଗଜମୁଖ ହୁଅ, ତମର ଉଦର ଲମ୍ବିତ ହେଉ, ତମେ କୁତ୍ସିତ ହୋଇଯାଅ। ଠିକ୍ ସେତିକିବେଳେ ଶିବଙ୍କର କ୍ରୋଧବିଚ୍ଛୁରିତ ଶରୀରରୁ ସୃଷ୍ଟି ହୁଏ ବିପୁଳ ସଂଖ୍ୟକ ଗଜମୁଖ, ଶସ୍ତ୍ରଧାରୀ ଡିନାୟକଗଣର । କ୍ରୋଧ ଶାନ୍ତ ହେବାପରେ ଶିବ ସେହି ଗଜମୁଖ ସ୍ପୀତୋଦରକୁ ନିଜର ସନ୍ତାନ ହିସାବରେ ଗ୍ରହଣ କରନ୍ତି ଆଉ ତାଙ୍କର ଶରୀର-ସଂଜାତ ବିନାୟକଗଣଙ୍କର ଅଧୀଶ୍ୱର ଏବଂ ତାଙ୍କର ଏଇ ସନ୍ତାନ ଜଗତର ପାପତାପ ବିନାଶର ଅଧିକର୍ତ୍ତା ବୋଲି ଘୋଷଣା କରନ୍ତି।
ବରାହ ପୁରାଣରେ ଶ୍ରୀଗଣେଶ ମୂଖ୍ୟତଃ ଶିବପୁତ୍ର।
ବରାଣ ପୁରାଣରେ ବର୍ଣ୍ଣିତ ଏଇ ଭିନ୍ନ ପୁରାଣ କାହାଣୀରେ ତିନୋଟି ଆଧୁନିକ ଦ୍ୱନ୍ଦ୍ୱ ଯଥା ନାରୀ ଆଉ ପୁରୁଷ ମଧ୍ୟରେ ଦ୍ୱନ୍ଦ୍ୱ, ମଣିଷର ସମାଜ ସହ ଦ୍ୱନ୍ଦ୍ୱ ଓ ନିଜର ନିଜ ସହ ଦ୍ୱନ୍ଦ୍ୱକୁ ଅତ୍ୟନ୍ତ ଦକ୍ଷତାର ସହ ପ୍ରକାଶ କରାଯାଇଛି।
ଉପସଂହାରରେ ସଂକ୍ଷେପ କହିଲେ ଶ୍ରୀଗଣେଶ ସାଧାରଣତଃ ଏକ ବଳିଷ୍ଟ ମାତୃକାହାଣୀର ପରିଣତି ତଥା ପରିଣତ ଏକ ଦେବ ଚରିତ୍ର ଯେଉଁଠି ଆମର ସମସ୍ତ ଉତ୍ସ ତଥା ଆମର ପ୍ରିମିଟିଭିଟି ଏବଂ ଆମର ବସ୍ତୁସ୍ଥିତି ତଥା ସମକାଳ ବ୍ୟବସ୍ଥିତ ଓ ସଂଶ୍ଳେଷିତ ହୋଇ ରହିଅଛି । କିନ୍ତୁ ବରାହ ପୁରାଣରେ ଆମର ଏଇ ପ୍ରିୟ ଦେବତା ଜଣକ ଯେତେବେଳେ ଏମିତି ଗୋଟିଏ ଘଟଣା ପ୍ରବାହରେ ଆବିର୍ଭୂତ ହୁଏ ଯେଉଁଠି ଘଟଣା ପ୍ରବାହଟି ସୁନ୍ଦରପଣରୁ କୁତ୍ସିତ ପାଲଟି ଯାଏ ଆଉ ସେଇ କୁତ୍ସିତପଣକୁ ସୁନ୍ଦର ବୋଲି ଜଗତ ନିଜର ପାପତାପର ବିନାଶ ପାଇଁ ନିରନ୍ତର ମାଜଣା କରୁଥାଏ ।
ଏମିତି ଦ୍ୱନ୍ଦ୍ୱ ଆଉ ବିରୋଧାଭାଷରେ ପ୍ରିୟ ଦେବତାକୁ ଅଧିଷ୍ଠିତ ହେବାର ଦେଖିଲେ ନିଜର ଆଧୁନିକବୋଧ ପ୍ରତି ଅଧିକ ବିଶ୍ୱାସ ଓ ଭରସା ସ୍ଥାପିତ ହୁଏ।
ଜୟ ଶ୍ରୀଗଣେଶ।
