ଓସାମା ଆଲୋମାରଙ୍କଏକୋଇଶଟି ଗଳ୍ପ

ଏକ
ଶାନ୍ତି ବୁଝାମଣା

ସବଳ ଆଉ ଦୁର୍ବଳ ଗୋଟିଏ ଶାନ୍ତି ବୁଝାମଣାରେ ସନ୍ତକ କରିଥିଲେ; ଦୁର୍ବଳ ସେଇ ଦଲିଲଟିକୁ ଖୁବ୍ ସୁନ୍ଦର ଗୋଟିଏ ସୁନେଲି ଫ୍ରେମ୍ ରେ ବନ୍ଧେଇକରି ରଖିଥିଲା ଆଉ ସେଇଟିକୁ ସେ ନିଜର ବୈଠକଖାନାରେ ଏମିତି ଜାଗାରେ ରଖିଥିଲାଯେଉଁଠି କି ବାହାରୁ କିଏ ଆସିଲେ ସବୁଠୁ ଆଗେ ତାହାର ଦୃଷ୍ଟି ଏହାର ଉପରେ ପଡିବ। ଏଇ ଘଟଣାକୁ ବହୁଳ ଭାବରେ ପ୍ରଚାରିତ କରିବା ପାଇଁ ସେ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଡାକିଥିଲା,ଯାହାଫଳରେ କି ଏଇ ବିଶେଷ ଦଲିଲଟିର ଫଟୋ ସମେତ ସମସ୍ତ ବିବରଣୀ ସମସ୍ତଙ୍କର ଲୋକଲୋଚନକୁ ଆସିପାରିବ। ସେ ଏହାକୁ ନିଜର ପୁନର୍ଜନ୍ମ ବୋଲି ମନେକରୁଥିଲା। ସବଳ, ଅନ୍ୟପଟେ,ନିଜ ପାଖରେ ଥିବା ସେଇ କାଗଜ-ଦଲିଲ ଖଣ୍ଡିକରେ ନିଜ ପିଲାର ଗୁହକୁ ପୋଛି ତାହାକୁ ପୋପାଡି ଦେଇଥିଲା ଆବର୍ଜନାକୁ।

ଦୁଇ
କିଏ କାହାର ନେତୃତ୍ୱ ନେବ

ମୁନିବକୁ ନିଜର ପିଠିରେ ଧରି କେତେ ମିଟର ଯାଇଛି କି ନାହିଁ, ତାହାର ମୁନିବ ଜଣେ ବୁଲାବିକାଳୀ,ସେ ହଠାତ୍ ଅଟକି ଯାଇଥିଲା ଆଉ ପାଦଟିଏ ଆଗକୁ ବଢାଇନଥିଲା।ବୁଲାବିକାଳୀ ଜଣକ ତାହାକୁ ନିଜରେ ଦୁଇ ଗୋଡରେ ଆଗକୁ ଚାଲିବା ପାଇଁ ପ୍ରରୋଚିତ କରୁଥିଲା,ହେଲେ ଏହା ବୃଥା। ସେ ଗଧର ପିଠିରୁ ତାହାପରେ ଓହ୍ଲାଇ ପଡେ,ହାତରେ ଲଗାମଟିକୁ ଧରି ନିଜର ଯାହାଯେତିକି ଶକ୍ତି ରହିଟଟ ସେ ସବୁକୁ ଲଗାଇ ତାହାକୁ ଟାଣିବାକୁ ଲାଗେ,ହେଲେ ଏହାର କିଛି ଫଳ ନାହିଁ। ନିଜର ମନକୁ ଯାହା ଆସିଲା,ପ୍ରତିଟି ଅପମାନରେ ସେ ନିଜକୁ ନିଜେ ଗାଳୀ ଦେଉଥାଏ। ଗଧଟି ଏହାର ପ୍ରତିବାଦରେ ବୋବାଇ ବୋବାଇ ଏପରି କହୁଥିଲା,” ମୁଁ ଭାବୁଛି ଏବେ ତମର ପାଳି ,ତମେ ମୋତେ ବୋହିବ ! ତମେ ଜାଣ ମୁଁ ଏଇଠୁ ଟିକିଏ ବି ଘୁଞ୍ଚିବି ନାହିଁ ଠିକ୍ ଯେଉଁ ପର୍ଯ୍ୟନ୍ତ ତମେ ମୋତେ ତମର ପିଠିରେ ବୋହି କି ନ ନେଇଛ, ଯେମିତି ମୁଁ କାହିଁ କେତେ ବର୍ଷରୁ ତମକୁ ନିଜର ପିଠିରେ ବୋହି କି ଚାଲିଛି।ଇଏ ବଡ ଅଜବ କଥା,ସାର୍,ଆମ ଭଳି ଗଧ ସଂପ୍ରଦାୟର କ’ଣ ଥରଟିଏ ହେଲେ ନିଜର ଏପରି ଅବନତି ଆଉ ଅପମାନ ର ବିରୁଦ୍ଧରେ ବିଦ୍ରୋହ କରିବାର ଅଧିକାର ନାହିଁ, ଆମର ସାରାଜୀବନ ସେଇମିତି ବିତିଯାଉଛି ? ଏଇଠି ଯେତେବେଳେ ଅଧିକାରର ପ୍ରଶ୍ନ ଉଠୁଛି ଆମର ଆଉ ତମ ସହିତ କୌଣସି ପ୍ରକାରେ ସାଲିସ୍ କରିବାର ନାହିଁ ଏବଂ ଏହାକୁ କେଉଁପରି ସୁରକ୍ଷିତ କରି ରଖାଯାଇପାରିବ ଯେତେବେଳେ ତମେ ଗୋଟିଏ ଦୋସରା ଭାଷା କହୁଛ ଆଉ ତମର କଥା ସବୁ କୁତ୍ସିତର ପାହାଡ-ତୀଖ ! ବିଦ୍ରୋହ କରିବା ପାଇଁ ଏହାଛଡା ଆମର ଆଉ କିଛି ବାଟ ନାହିଁ। ତମେ ଯଦି ଏଇ କଥାକୁ ବୁଝି ପାରୁଥିବ ,ତମେ ତ ଅଲୌକିକ ବୁଦ୍ଧିମତାର ପ୍ରଜାତିବୋଲି ନିଜେ ଯାହାକୁ ମନେକର !”

ତିନ
ଭୂମୀକମ୍ପର ବିରୁଦ୍ଧରେ ଅଭିଯୋଗ

ଗୋଟିଏ ଭୟାବହ ଭୂମୀକମ୍ପ ଦେଶକୁ ଗ୍ରାସ କରିଥିଲା,ତାହାର ବାଟରେ ଯାହା ପଡିଥିଲା ସବୁ ଶେଷ।ଉଚ୍ଚପଦସ୍ଥ କର୍ତ୍ତାବ୍ୟକ୍ତି ସଭିଏଁ ନିଜ ନିଜର ପ୍ରାସାଦ ଆଉ ଖମାରଗୁଡିକରେ ହୋଇଥିବା କ୍ଷୟକ୍ଷତିରେ ଭାରି ଅସ୍ତବ୍ୟସ୍ତ ହୋଇ ପଡିଥିଲେ। ସେମାନେ ସ୍ଥିର କଲେ ଭୂମୀକମ୍ପର ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଆଉ ସମସ୍ତେ ନିଜର ସମସ୍ତ ଚିନ୍ତାଭାବନାକୁ ଏଇ ଦିଗରେ କେନ୍ଦ୍ରୀତ କରିଥିଲେ। ଶେଷରେ ସେମାନେ ଏଇ ମାମଲାରେ ଜୟଲାଭ କରିଥିଲେ।ଭୂମୀକମ୍ପର ଦେଶକୁ ଆସିବା ପୁରାପୁରି ବନ୍ଦ ଆଉ ସେ ଏଇଲେ ଦୂରାନ୍ତରେ ନିଜକୁ ସାଉଁଟି ନେଇଛି,ଆଉ ନିଜର ସଂଚିତ ସଂପଦର ପ୍ରମୁଖ ଭାଗର କ୍ଷତି ନିମନ୍ତେ ଅଭିଶାପ ଦେଉଛି।

ଚାରି
ଖାଲି ପେଟ

ଗୋଟିଏ ଶୁଖିଲା ବ୍ରେଡକଣା ଅନେକ ଅସୁବିଧାର ବାଟ ଦେଇ ଶେଷରେ ଯାଇ ଗୋଟିଏ ଭିଖାରୀର ପେଟରେ ପହଞ୍ଚେ,ସେଇ ଭିଖାରୀଟିର ପେଟକୁ ବେଶ୍ କିଛିଦିନ ହେଲା ଦାନାଟିଏ ବି ଯାଇନଥିଲା।ବ୍ରେଡକଣାଟି ସେଇଠି ଖାଲି ପେଟ ଆଉ ଚାରିପଟର ଅନ୍ଧାରର ଭିତରେ ନିଜକୁ ଭାରି ଏକେଲା ମନେ କରୁଥିଲା। ଏପରି ଗୋଟିଏ ଅନୁଭବ ଯେ ବିନା ବିଚାରରେ ଏମିତି ଗୋଟିଏ ନିର୍ଜନ କାରାବାସକୁ ତାହାକୁ କ୍ଷେପଣ କରାଯାଇଛି ସେଇକଥା ତାହାକୁ ଅଧିକରୁ ଅଧିକ ବିଷର୍ଣ୍ଣ କରି ଚାଲୁଥିଲା। ସେ ଆଗ୍ରହର ସହିତ ଅପେକ୍ଷା କରୁଥିଲା କେତେବେଳେ ଉପରୁ ଆଉ କିଛି ଖାଦ୍ୟ ତଳକୁ ଖସି ଆସିବ ଆଉ ତାହାକୁ ଏଇ ଭୟଙ୍କର ସଂତ୍ରାସରୁ ମୁକୁଳାଇ ନେବ,ହେଲେ ସେକଥା ବୃଥା। ସେ ଚେଷ୍ଟା କଲା,ଯେଉଁଠାରୁ ଆସିଛି ସେଇଠିକୁ ଫେରିଯିବା ପାଇଁ,ସେଥିରେ ସଫଳ ହୋଇନି।ଏକ ଅନ୍ଧାର ଆଚ୍ଛନ୍ନ ବିଷାଦର ଗଭୀରକୁ ସେ ଖସିପଡିଥିଲା ଆଉ ହଜମ ହୋଇଯିବା ଆଗରୁ ତାହାର ମୃତ୍ୟୁ ଘଟିଥିଲା ।

ପାଞ୍ଚ
ପାଦର ବୁଝାମଣା

ଗଲାରାତି ମୁଁ ସ୍ୱପ୍ନରେ ଦେଖିଥିଲି ବେଶ୍ କିଛି ନାରୀ ଆଉ ପୁରୁଷ ଗୋଟିଏ ବିଶାଳ ଇତିହାସର ଗୋଲଟେବୁଲ ରେ ବସିଛନ୍ତି। ସେମାନେ ପରସ୍ପରକୁ ଅପମାନ କରୁଛନ୍ତି,ନିଜ ନିଜ ଭିତରେ ଯେଉଁ ଯୁକ୍ତିତର୍କ କରୁଛନ୍ତି ସେଥିରେ ଭାଷାମାନ ବଡ ଅଶ୍ଳୀଳ। ମାତ୍ର ମୁଁ ଲକ୍ଷ୍ୟ କରିଥିଲି,ସେମାନଙ୍କ ଭିତରେ ବୁଝାମଣା ହେଉଥିଲା,ଟେବୁଲ୍ ର ତଳ ଭାଗରେ ସେ ବୁଝାମଣା ଆଉ ସେଥିରେ ରହିଥିଲା ପାଦର ସନ୍ତକ। ଏବଂ ଯଥାଶିଘ୍ର ତଳେ ସେମାନେଛଳ ପ୍ରେମ ଆଉ ଖେଳର ଆରମ୍ଭ କରିଦିଅନ୍ତି ଯେତେବେଳେ ଉପରେ ଅପମାନ ଆଉ ଯୁକ୍ତିତର୍କ ଅଧିକରୁ ଅଧିକ ଅଶ୍ଳୀଳ ଏବଂ ଶେଷରେ ସେମାନେ ପରସ୍ପର ସହିତ ଘୁଷି ମରାମରି ହୁଅନ୍ତି,ପରସ୍ପର ର ଉପରକୁ ଛେପ ପକାନ୍ତି।

ଆଜି ଦିବାନିଦ୍ରାର ସଂକ୍ଷିପ୍ତ କାଳରେ,ମୁଁ ମୋ ସ୍ୱପ୍ନରେ ଦେଖିଥିଲି ଯେ ପରିସ୍ଥିତିର ସଂପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଛି । ଏବେ ପାଦମାନେ ପରସ୍ପର ସହ ସଂଗ୍ରାମରତ ଆଉ ଯୁକ୍ତି କରି ଚାଲିଛନ୍ତି ଆଉ ଉପରେ ହାତମାନେ ବୁଝାମଣାର ଦଲିଲ ତଳେ ସନ୍ତକ କରୁଛନ୍ତି,ଚାରିଆଡେ ହସର ଆଉ ଚୁମ୍ବନର ପ୍ରଭାବଳୟ।

ମୁଁ ସେଇ ସମର୍ଥ ନାୟକକୁ ଖୋଜୁଥାଏ ଯିଏ ପୃଥିବୀର ହଠାତ୍ କେଉଁଠୁ ଆସି ମୋଟା ଚିତ୍ରବିଚିତ୍ର ଟେବୁଲକ୍ଲଥ୍ ଟିକୁ ଉଠାଇନେବ ଆଉ ଆପେ ଆପେ ତାହାପରେ ଓଲଟିପଡିବ ଏଇ ଇତିହାସର ଟେବୁଲ୍ ।

ଛଅ
ଲାଟବହର

ଟୋପାଗୁଡିକ ଶାନ୍ତ ଭାବରେ ନୀରବରେ ଯାଆନ୍ତି।ପାଦଗୁଡିକ ଆଗକୁ ଆଗକୁ ଯାଉଥାନ୍ତି ଏକ ନିର୍ଦ୍ଦିଷ୍ଟ ଛନ୍ଦରେ । ମୁହଁରେ ଉକୁଟୁଥାଏ ହସ।ନିଜେ ପୁରାପୁରି ପ୍ରଶାନ୍ତ।ହଠାତ୍ ହର୍ଣ୍ଣର କାନଫଟା ଚିତ୍କାର ଶୂନ୍ୟତାକୁ ଭରିଦିଏ। ସୁରକ୍ଷାକର୍ମୀମାନେ ସବୁଆଡକୁ ଦୌଡି ଯାଆନ୍ତି। ସଭିଏଁ ସବୁଦିଗକୁ ଦୌଡିବାରେ ଲାଗନ୍ତି। ଶରୀରଟି କାନଫଟା ଚିତ୍କାର ଆଉ ଆର୍ତ୍ତଗଳାର ଶବ୍ଦର ଚାପରେ ବିଷ୍ଫୋରଣର ପ୍ରାକ୍ ଅବସ୍ଥାରେ ରହିଛି। “ରାସ୍ତାକୁ ପରିଷ୍କାର କର,ରାସ୍ତାକୁ ଛାଡି ବାହାରିଯାଅ” ପୁଲିସ୍ ବାଲା ପାଟି କରୁଛନ୍ତି।ସମାଜର ସବୁସ୍ତରରୁ ଟୋପାମାନେ ଡଜନେ ଡଜନେ ପ୍ରଶ୍ନ ସହିତ ଭୟରେ ସଂତ୍ରସ୍ତ ହୋଇ ଦୌଡୁଛନ୍ତି । କିଛି ସମୟ ପରେ,ହୃଦୟଠାରୁ ଶରୀରର ଅନ୍ୟ ଆଡେ ଖେଳି ଯାଇଥିବା ଧମନୀର ରାଜରାସ୍ତା କ୍ରମଶଃ ଶୁନଶାନ ହେବାକୁ ଲାଗେ,ଖାଲି ରହିଥାନ୍ତି ଉଭୟପଟରେ କେବଳ ସୁରକ୍ଷାକର୍ମୀମାନେ। ରାଜକୀୟ ଟୋପା ର ସୁରକ୍ଷାଯାନ ତୀବ୍ର ବେଗରେ ଗତିଶୀଳ ହୁଅନ୍ତି,ଆଉ ମିନିଟକ ଭିତରେ ସ୍ୱାଭାବିକ ହୋଇଯାଏ ସମସ୍ତ ଜୀବନଯାତ୍ରା।

ଏହା ମଧ୍ୟରେ ଜଣେ ଲୋକ ରାଜପଥକୁ ଲାଗି ଗୋଟିଏ ବେଞ୍ଚରେ ବସିଥିଲା,ଖୁବ୍ ଜୋର୍ ରେ ନିଃଶ୍ୱାସପ୍ରଶ୍ୱାସ ନେଉଥିଲା ଆଉ ସେ ତାହାର ସାର୍ଟର ବୋତାମଗୁଡିକୁ ଖୋଲି ରଖିଥିଲା,ତାହାର ଦେହରୁ ସେତେବେଳେ ପ୍ରଚୁର ଝାଳ ବାହାରୁ ଥାଏ।

କିଛିଦିନ ପରେ ସମାନ ପରିସ୍ଥିତିର ପୁନରାବୃତ୍ତି ଆପେ ଆପେ ଘଟେ …ପୁଲିସବାଲାଙ୍କ ବଡ ପାଟି…ହୃଦୟରୁ ଅନ୍ୟଆଡେ ଖେଳିଯାଇଥିବା ଧମନୀର ରାଜରାସ୍ତା ଏଇଲେ ସଂପୂର୍ଣ୍ଣ ରକ୍ତବିହୀନ…ଉଭୟପଟକୁ ସଂକୁଚିତ କରି ଆସିଲେଣି ସୁରକ୍ଷାକର୍ମୀମାନେ … ରାଜକୀୟ ଲାଟବହର ର ଗତି ଏଇଭଳି ଦ୍ରୁତ ଥାଏ ଯେ ଲୋକଟି ତାହାର ଚେତା ହରାଇଥିଲା। ତାହାକୁ ଇଣ୍ଟେନସିଭ୍ କେୟାର୍ ୟୁନିଟ୍ କୁ ଅଣାଯାଇଥିଲା। ଏହାର ଗୋଟିଏ ମାସ ପରେ କାହାଣୀଟିର ଆପେ ଆପେ ପୁନରାବୃତ୍ତି ଘଟେ ଆଉ ଲୋକଟିର ମୃତ୍ୟୁ ହୃଦଘାତରେ ହୁଏ।

ସାତ
ରସୁଣ ଆଉ ଫୁଲ

ଘୋଡାର ମାଲିକ ବଜାରରୁ କିଣିଥିବା ରସୁଣ ବସ୍ତାଟିକୁ ଆଣି ଟେବୁଲ ଉପରେ ରଖିଥିଲା ଆଉ ନିଜର ଲୁଗାପଟା ବଦଳାଇବା ପାଇଁ ଶୋଇବା ଘରର ଭିତରକୁ ଯାଇଥିଲା। ରସୁଣ ଟେବୁଲ ଉପରେ ଥିବା ଫୁଲ ଆଡକୁ ଘୃଣାଭରା ଦୃଷ୍ଟିରେ ଚାହିଁ ଆଉ ଠିକ୍ ସେମିତି ଗଳାରେ କହିଥିଲା
” ମୋତେ ଏଇ ନିର୍ବୋଧଟା ରଖିଦେବା ପାଇଁ ଆଉ କୌଣସି ଜାଗା ପାଇଲା ନାହିଁ ଯେ ଶେଷରେ ମୋତେ ଯାହା ଏପରି ବିଶ୍ରିଭାବରେ ଗନ୍ଧ ଛାଡୁଥିବା ଗୋଟେ ପଦାର୍ଥ ପାଖରେ ରଖିକି ଯାଇଛି?”

ଆଠ
ଅତରର ମୂଲ୍ୟ

ସାମେର,ଦ୍ୱିତୀୟ ଗ୍ରେଡ୍ ର ଜଣେ ଛାତ୍ର ସ୍କୁଲ ଛାଡିଲା ବେଳକୁ ସେ ଭାରି ଖୁସିଥିଲା,ଅଙ୍କରେ ତାହାର ବେଶ୍ ଭଲ ଗ୍ରେଡ୍ ରହିଛି। ବାପାମାଆଙ୍କ ଆଗରେ କେମିତି ଆଗ ଏଇ ସୁସଂବାଦକୁ ସେ କହିବ ସେଇଥିପାଇଁ ସେ ଘରକୁ ଯିବାବେଳେ ଚାଲୁନଥିଲା କହିବାକୁ ଗଲେ ଦୌଡୁଥିଲା।

ରାସ୍ତାର ଗୋଟିଏ କୋଣରେ ଜଣେ ବୁଢାଲୋକ ବୟସ ଯାହାର ଷାଠିଏ ଖଣ୍ଡେ ହେବ ସେ ଆସି ତାହାର ଆଗରେ ପହଞ୍ଚିଯାଏ । ତାହାର ଦେହର ଗଢଣରୁ ମନେହେଉଥାଏ ସେ ଯେମିତି ଗୋଟିଏ ଦେବଦୂତ। ତାହାର ଦାଢୀ ଲମ୍ବା ଆଉ ବରଫ ଭଳି ଧଳା। ଯେତେବେଳେ ସାମେର ଯାଇ ସେଇ ବୁଢାଲୋକର ପାଖାପାଖି ହୁଏ ସେ ତା’ଆଡକୁ ଟିକିଏ ଢଳି ଆସି ମଧୁର ଗଳାରେ କହିଥିଲା: “ବାବୁରେ,ତୋ ହାତକୁ ବାସ୍ନା ଚାହୁଁଚୁ ?”

ସାମେର ଟିକିଏ ଇତସ୍ତତ ହେଲା…ତା’ ମାଆ କହିଛି ଅଚିହ୍ନା କାହା ସାଙ୍ଗରେ କଥା ହେବୁନାହିଁ..ଛାଡ ସେକଥା..ଏଇ ଲୋକଟା ତାହାକୁ ତାହାର ଜେଜେ ଭଳି ନିଜର ଲାଗୁଛି।

“ନିଶ୍ଚୟ,ନିଶ୍ଚୟ ଜେଜେ”ଅତି ନୀରିହ ଭାବରେ କହିଥିଲା ସେ ।

ବୁଢାଲୋକ ଜଣକ ତାହାର ପକେଟରୁ ଗୋଟିଏ ଛୋଟ ଅତରର ଶିଶି ବାହାର କଲା ଆଉ ସେଥିରୂ ଟିପେ ନେଇ ସେ ତାହାକୁ ସାମେରର ହାତର ପାପୁଲିରେ ଘଷିଦେଲା । ସାମେର ତାହାର ଏଇ ହାତ ପାପୁଲିକୁ ନାକ ପାଖକୁ ନେଇ ଗୋଟିଏ ଲମ୍ବା ଶ୍ୱାସରେ ତାହାର ବାସ୍ନାକୁ ଭିତରକୁ ନେଇଥିଲା ଆଉ ସୁବାସିତ ପବନରେ ଭରିଥିଲା ନିଜର ଉଚ୍ଚ ଉଡାଣ। ହେଲେ ତାହା ଥିଲା ଘଡିକ ପାଇଁ ଯେଉଁଥିରେ ଭରିରହିଥିଲା କିଛି ଧମକାଣ ଏମିତି କିଛି ଶବ୍ଦର ଭାରରେ ସେଥିରେ ସେ ଖସିପଡେ ତଳକୁ।

“ମୋତେ ଏଇ ବାସ୍ନାର ଦାମ୍ ଦେ !”

ସାମେର ସେଇ ବୁଢାଲୋକର ମୁହଁକୁ ଚାହେଁ ଆଉ ସେଇଠି ଦେଖେ ଯେ ତାହାର ଜେଜେର ମୁହଁଟି ବଦଳିଯାଇ ସେଇଠି ରହିଛି ମୁହଁ ତରାଟୁଥିବା ଗୋଟିଏ ଗଧିଆର ମୁହଁ।

ସେ କିଛି ପାହୁଣ୍ଡ ପଛେଇ ଆସେ। ପଙ୍ଗପାଳମାନେ ଦଳ ଦଳ ହୋଇ ତାହାର ଅନାବିଷ୍କୃତ ବନସ୍ତକୁ ଆକ୍ରମଣ କରିବା ଆରମ୍ଭ କରିଦେଇଥାନ୍ତି। ଗଧିଆର ମୁହଁଟି ଆଁ କରି ତାହାର ଆଡୁକୁ ଚିହିଁକି ଆସିଲା,”ମୋତେ ଏଇ ବାସ୍ନାର ଦାମ୍ ଦେ ରେ ବେଧ !”

ସଂତ୍ରାସର କୁହୁଡି ଭିତରେ,ସେ ଦେଖିପାରିଲା ତାହାର ମୁନିଆଁ ମୁନିଆଁ ଦାନ୍ତ। ତାହାକୁ ଲାଗିଲା ଯେମିତି ସାରା ପୃଥିବୀ ଏଇଲେ ଗୋଟିଏ
ମୁନିଆଁ ଦାନ୍ତ ପାଲଟି ଯାଇଛି ଆଉ ମେଲା ପାଟିରୁ ଯେଉଁ ବତାସ ବାହାରୁଛି ତାହା ଭୟର ଭୟଙ୍କର ଝଡ। ତାହାର ସମସ୍ତ ପ୍ରଶାନ୍ତି କେରା କେରା ହୋଇ ଏଇ ରାକ୍ଷସର ଆଖିପୁଅ ରେ ଯେମିତି ଗୋଟିଏ ଗୋଟିଏ ପେଣ୍ଡୁ । ସେ ଜାଣିପାରୁନାହିଁ କେମିତି ତାହାର ହାତଟିକୁ ସେ ସେହି ଝାମ୍ପରୁ ମୁକୁଳାଇ ଆଣି ପାରିବ।

“ତୁ ମୋତେ ଲୁଟିବାକୁ ଚାହୁଁଚୁ ରେ ବୁଢାହଡା ?”

ଅଙ୍କରେ ରହିଥିବା ଭଲ ଗ୍ରେଡ୍ ଉଭାନ୍..ଦଳ ଦଳ ପଙ୍ଗପାଳଙ୍କ ବସତି ଏଇଲେ ତାହାର ହୃଦୟରେ,ଯାହା ଏକଦା ସବୁଜସୁନ୍ଦର ଥିଲା ..ଗଧିଆମାନଙ୍କର କୁହାଟରେ ଅନ୍ଧାରୁଆ ସୁଡଙ୍ଗ ଭିତରେ ସେ ନିଜର ଘରଆଡକୁ ଦୌଡିବାରେ ଲାଗେ ।

ନଅ
ଶବ୍ଦରେ ମହୁ

ଆରମ୍ଭଟି ତାଙ୍କର ପ୍ରସାରିତ ହସଠାରୁ,ତାଙ୍କ ଭିତରୁ ଦିନ ରାତି ବହିଆସୁଥାଏ ମହୁଭିଜା ଶବ୍ଦର ବନ୍ୟା। ସେଇଥିପାଇଁ ତ ସେ ହୋଇଯାଆନ୍ତି କୀଟପତଙ୍ଗ ଆଉ ଧୂଳିକଣା ମାନଙ୍କର ସହଜ ବନ୍ଦୀ ।

ଦଶ
ଭାଗ୍ୟ

ପିମ୍ପୁଡିମାନଙ୍କ ଦଳର ଭିତରେ,ଅନ୍ୟମାନଙ୍କ ଠାରୁ ଟିକିଏ ଦୂରରେ ଦିଜଣ ପରସ୍ପର ଭିତରେ କଥାବାର୍ତ୍ତା କରୁଥିଲେ। ଜଣେ ଆରଜଣକୁ ପଚାରିଲା : “ଭାଗ୍ୟକୁ ନେଇ ସତ୍ୟ କ’ଣ,ଏ ବିଷୟରେ ତମର ମତ ?”

ତାହାର ବନ୍ଧୁ ଘଡିଏ ଭାବିଲା,ନିଜର ଓଠକୁ ଚାପି ଧରିଥିଲା ଆଉ କହିଥିଲା,”ମୁଁ ଭାବୁଛି ଏହା ଏକ ବିରାଟ ଶକ୍ତି,ଆମଠାରୁ ବିରାଟ,ଏତେ ବିରାଟ ଯେ ଆମେ ତାହାଠାରୁ ମୁକୁଳିପାରିବା ନାହିଁ। ଆହୁରି,ଏହା ଏପରି ଭାବରେ ବିରାଟ ଯେ ଏହା ତମେ ଜାଣିପାରିବ ନାହିଁ ଅଥଚ ଏହା ତମକୁ ଉଠାଇନେଉଥିବ ଉପରକୁ ଅବା ତଳକୁ କଚାଡିଦେଉଥିବ । ବେଳେ ବେଳେ…”

ଠିକ୍ ସେତିକିବେଳେ ସେହି ଦିଜଣଙ୍କୁ ଆଶ୍ଚର୍ଯ୍ୟ କରିଦିଏ ବଲ୍ ଖେଳୁଥିବା ପିଲାଟିର ଗୋଟିଏ ବିରାଟ ପାଦ,ଅନେକ ଗୁଡିଏ ପିମ୍ପୁଡିକୁ ଏକାଠି ଦଳିଦିଏ ସେ। ସେଇ ଦିଜଣ କିନ୍ତୁ ଆଶ୍ଚର୍ଯ୍ୟଜନକଭାବରେ ଏଇ ସାମୂହିକ ଗଣହତ୍ୟାରୁ ବର୍ତ୍ତି ଯାଆନ୍ତି। ପିଲାଟି କିନ୍ତୁ ଯେମିତି କିଛି ହୋଇନି ସେମିତି ବଲ୍ ଖେଳିଚାଲୁଥାଏ। ଦିଜଣ ସାଙ୍ଗ ଭୟରେ ଥରି ଥରି ଯେତେ ଶିଘ୍ର ହେବ ସେମିତି ସେଇଠୁ ଦୌଡି ପଳାଇବାରେ ଲାଗନ୍ତି। ଯେତେବେଳେ ସେମାନେ ଗୋଟିଏ ସୁରକ୍ଷିତ ଜାଗାରେ ଯାଇ ପହଞ୍ଚିଗଲେ ଆଉ ସେମାନଙ୍କର ଧଇଁସଇଁ କମ୍ ହେବାକୁ ଲାଗିଲା,ଦ୍ୱିତୀୟ ପିମ୍ପୁଡିଟି ତାହାର ସାଙ୍ଗକୁ କହିଥିଲା,” ଏଇଟି ହେଉଛି ଭାଗ୍ୟ,ଏଇଟି ହେଉଛି ଅସଲ ଭାଗ୍ୟ,ବନ୍ଧୁ ମୋର ।”

ଏଗାର
ଅନ୍ଧାର ପକ୍ଷ

ଚନ୍ଦ୍ର ଚିନ୍ତାକଲା ସେଇ ଲୋକମାନଙ୍କୁ ଦଣ୍ଡ ଦେବ ଯେଉଁମାନେ ଅନେକ ଅନେକ ଉଲ୍ଲଙ୍ଘନ କରୁଛନ୍ତି ଆଉ ପରସ୍ପର ପ୍ରତି ଆଉ ପ୍ରକୃତିର ବିରୁଦ୍ଧରେ ଭୟାବହ ଅପରାଧ ଘଟାଉଛନ୍ତି। ସେ ତେଣୁ ତାହାର ଆଲୁଅ ପକ୍ଷକୁ ଲୁଚାଇଦେବାକୁ ବସିଗଲା ଯାହା ଫଳରେ କି ସେମାନଙ୍କ ଭିତରକୁ ସେମାନଙ୍କର ବିଚାର ଫେରିଆସିବ ଆଉ ସେମାନେ ନିଜ ନିଜର ବ୍ୟବହାର ଉପରେ ଅଙ୍କୁଶ ଲଗାଇବେ …ଆଉ ତେଣୁ ଚନ୍ଦ୍ରଗ୍ରହଣ ଘଟେ। ହେଲେ ସବୁଠୁ ବଡ ଆଶ୍ଚର୍ଯ୍ୟ ଚନ୍ଦ୍ରକୁ ଲାଗେ,ଯେତେବେଳେ ସେ ଦେଖେ ଯେ ନିଜ ନିଜର ଘରୁ ବାହାରି ଆସିଛନ୍ତି ଲକ୍ଷ ଲକ୍ଷ ଲୋକ ଆଉ ଆନନ୍ଦ ନେଉଛନ୍ତି ତାହାର ଅଂଧାରପକ୍ଷର।

ବାର
ଭାବଭଂଗୀର ସ୍ୱାଧୀନତା

ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଥିଲା,
ଦେଶର ସମସ୍ତ ଜନସାଧାରଣଙ୍କୁ ଏହାପରଠାରୁ ନିଜର ମୁହଁର ଭାବଭଂଗୀକୁ ପ୍ରକାଶ କରିବା ନିମନ୍ତେ ମୁକ୍ତ ସ୍ୱାଧୀନତା ପ୍ରଦାନ କରାଯାଉଛି। ଏହାକୁ ଗୋଟିଏ ବିରାଟ ପଦକ୍ଷେପ ବୋଲି ଗ୍ରହଣ କରାଗଲା,ଯେହେତୁ ସେଇସମୟରେ ଅଧିକାଂଶ ଦେଶ ତାହାର ଜନସାଧାରଣଙ୍କ ନିମନ୍ତେ ଏପରି ଭାବଭଂଗୀର ସଂପୂର୍ଣ୍ଣ ପ୍ରକାଶର ନିଷିଦ୍ଧ ଘୋଷଣାକୁ ବଳବତ୍ତର ରଖିଥିଲେ। ଲକ୍ଷ ଲକ୍ଷ ଜନସିଧାରଣ ଗଣତନ୍ତ୍ରର ବିଜୟ ପରିପ୍ରେକ୍ଷୀରେ ଏପରି ଏକ ସରକାରୀ ଘୋଷଣାର ସମର୍ଥନ ଉଦ୍ଦେଶ୍ୟରେ ଗୋଟିଏ ବିଶାଳ ପ୍ରଦର୍ଶନୀରେ ରାଜରାସ୍ତାରେ ଏକତ୍ରିତ ହୋଇଥିଲେ। ପଟୁଆର କରି ଯିବା ବେଳେ ସେମାନଙ୍କର ହସ ବିସ୍ତାରି ପଡୁଥିଲା ,ସେମାନଙ୍କର ମୁହଁରେ ଲାଗି ରହିଥିଲା ଗୋଟିଏ ଗୋଟିଏ ଆନନ୍ଦର ବିକୃତ ମୁଖା।

ତେର
ସଂକୋଚନ

ଆକ୍ରମ ନିଜକୁ ଅଭିଶାପ ଦିଏ, ସେଇଦିନ ଯେଉଁଦିନ ସେ ନିଜର ବୟସକୁ ସତୁରୀରୁ ଖସାଇ ଆଣିଥିଲା କୋଡିଏକୁ,କାରଣ ସେତିକିବେଳେ ସେ ଦେଖିବାକୁ ପାଇଲା ଯେ,ସେଇଠି ଶୈଶବର ନିପାରିଲା ପଣ ଯାଇ ମିଶିଯାଇଛି ବାର୍ଦ୍ଧକ୍ୟର ନିପାରିଲାପଣ ସହିତ। ବେଦନାଦାୟକ ସ୍ମୃତି ଗୁଡିକ ଯାଇ ମିଶି ଯାଇଛି ଆନନ୍ଦ ମଧୁର ସ୍ମୃତି ଗୁଡିକ ସହିତ,ସଫଳତା ସହିତ ବିଫଳତା ମିଶି ଏକାକାର ଆଉ ବିବାହ ସହିତ ମିଶିଯାଇଛି ବିବାହ-ବିଚ୍ଛେଦ । ହସ ସହିତ ଲୁହ ମିଶିଛି ଆଉ ବନ୍ଧୁମାନଙ୍କ ସହ ଶତ୍ରୁମାନେ ଗୋଟିଏ ସମାନ ତରଳିବା ପାତ୍ରରେ ଯାଇ ଏକାଠି ହୋଇଯାଇଛନ୍ତି। ସକାର ଆଉ ବିକାର ଭିତରେ ରହିଥିବା ସୀମାରେଖାଟି ଉଭାନ ହୋଇଯାଇଛି । ଯନ୍ତ୍ରଣାର ଆଉ ଦୁଃସ୍ଥିତିର ଉପଶମ ନିମନ୍ତେ ସମୟର ପାଖରେ ଯେଉଁ ଯାଦୁର ପ୍ରଭାବ ରହିଥିଲା ତାହା ନିରର୍ଥକ ହୋଇ ଅଦୃଶ୍ୟ। ଏବଂ ତେଣୁ,ନିଜର ଅସଲ ବୟସକୁ ଉପଭୋଗ କରିବା ନିମନ୍ତେ,ଆକ୍ରମ ଫିଟାଇଦିଏ ସମୟର ସଂକୋଚନର ଗଣ୍ଠି ସବୁକୁ।

ଚଉଦ
ଯେଉଁ ଦେଶଗୁଡିକର ବିକ୍ରୀ ସରିଛି

ଯେତେବେଳେ ଦରଦାମ ଛିଡିଗଲା, ବଣିକଜଣକ ସବୁତକ ଅର୍ଥ ଭର୍ତ୍ତି କରିଦେଇଥିଲା ନିଜର ପକେଟରେ। ସେଥିଭିତରୁ ଜଣେ ନୋଟ୍ ତାହାର ସାଥିମାନଙ୍କୁ ଭାରି ବିରକ୍ତ ହୋଇ କହିଲା,” ଏମିତି ହାତରୁ ହାତକୁ ଭାରି ସହଜରେ ଯିବା କଥାଟି ମୋର ଜମା ପସନ୍ଦର ନୁହଁ। ଆଉ ଯାହା ହେଉନା କାହିଁକି ନିହାତିପକ୍ଷରେ ଆମର ସ୍ଥିରତାର ପ୍ରୟୋଜନ ରହିଛି !”

ତାହାର ସାଙ୍ଗସାଥିମାନେ ବି ବିଷାଦଭରା ଗଳାରେ ଉତ୍ତର ଦେଇଥିଲେ,” ପ୍ରିୟବର ,ତମେ କାହିଁକି ଭୁଲିଯାଉଛ ଯେ ଖାସ୍ ଏଇଥିପାଇଁ ତ ଆମର ଜନ୍ମ”; ସେ ଏଥିରେ ଗୋଟିଏ ଯଥେଷ୍ଟ ଦୀର୍ଘ ଦୀର୍ଘଶ୍ୱାସ ଛାଡିଲା ଆଉ କହିବାକୁ ଲାଗିଲା,”ଆମେ ଅସଲରେ ଠିକ୍ ଏଇ ଦେଶଗୁଡିକ ଭଳି ଯାହାର ବିକ୍ରୀ ସରିଛି,ଯାହାର ଦେହରେ ଲାଗିଛି ହଜାର ହଜାର ଟିପଚିହ୍ନ,ହଜାର ହଜାର ପକେଟରୁ ପକେଟକୁ ସେମାନଙ୍କ ଗତାଗତ,ଚିରାଫଟା ହେବାଯାଏଁ ।”

ମିନିଟକ ପରେ,ଆଉ ଏକ ନଗଦ କାରବାର ପରେ,ବଣିକ ଜଣକ ଖୁବ୍ ତରତରରେ ନିଜର ପକେଟ ରୁ ନୋଟ୍ ଖଣ୍ଡିଏ ବାହାର କରେ। ସେଇ ବିଚରା ନୋଟଟି ଗୋଟିଏ ତରଳବଟୁଆ ବା ଡିଜିଟାଲି ଅପରେଟେଡ୍ କୋଲ୍ବ ୱାଲେଟରେ ଚିରସ୍ଥାୟୀ ହୋଇଯିବା ପୂର୍ବରୁ ତାହାର ସାଙ୍ଗସାଥିଙ୍କୁ ଶୁଭବିଦାୟ ବୋଲି କହିବା ଭଳି ସୁଯୋଗ ପାଇନଥିଲା ।

ପନ୍ଦର
ଅପମାନ

ଘରୁ ବାହାରି ବଜାରକୁ ଯିବା ବାଟରେ,ମୋର ମନକୁ ଆସିଲା ଯେମିତି ମୁଁ ଶୁଣୁଛି ପ୍ରତିଟି ପାହାଚ ତାହାର ତଳେଥିବା ପାହାଚକୁ ଅପମାନ କରିଚାଲିଛି । ଯେତେବେଳେ ମୁଁ ଆଉ ଟିକିଏ ସତର୍କ ହୋଇ ଶୁଣିବାକୁ ଲାଗିଲି,ମୁଁ ଦେଖିଲି ଯେ ସେଇଟା ହେଉଛି ମୋର ଯୋତା, ପ୍ରତିଟି ପାହାଚ ପ୍ରତି ତାହାର ଅବଜ୍ଞାକୁ ବ୍ୟକ୍ତ କରୁଛି,ଯାହାର ଆରମ୍ଭ ହୋଇଛି ଶୀର୍ଷରୁ।

ଷୋହଳ
ସମ୍ମାନ

ମୁଁ ଏମିତି ଲୋକଙ୍କୁ ଦେଖିଛି ଯାହାର ଆଖିମାନ ମୂଷାର ଆଖି ଭଳି ଆଉ ଏମିତି ମୂଷାଙ୍କୁ ଦେଖିଛି ଯାହାର ଆଖି ଯେମିତି କୌଣସି ବିଜ୍ଞଜନର ଆଖି।

ମୁଁ ଏମିତି ଗଧଙ୍କୁ ଦେଖିଛି ଯେଉମାନେ ନିଜ ପିଠିରେ ଏପରିକି ବସ୍ତାଟିଏ ବୋହି ନେବାକୁ ସିଧାସଳଖ ମନା କରିଦେଇଥାନ୍ତି ଆଉ ମଣିଷମାନେ ସେଇଠି ବଡ ପଥରଖଣ୍ଡେ ମୁଣ୍ଡରେ ବିନା ପ୍ରତିଦାନରେ ବୋହିନେବାକୁ ଏକକଥାରେ ରାଜି ।

ମୁଁ ଦେଖିଛି ଏପରି ଜୀବ ଯିଏ ପୁରାପୁରି କାନରେ ଗଢା ଆଉ ଏପରି ହୋଇଥିଲେ ବି ସିଏ ପଦଟିଏ ବି କିଛି ଶୁଣିପାରିବାକୁ ଅକ୍ଷମ। ଆଉ ମୁଁ ବି ଦେଖିଛି ଏପରି ଜୀବଙ୍କୁ ଯାହାର କାନ କହିଲେ କିଛି ନାହିଁ, ସିଏ କିନ୍ତୁ ସବୁକଥା ଶୁଣି ପାରନ୍ତି।

ମୁଁ ଦେଖିଛି ଏପରି ଏବେକାର ଖପୁରୀ ଯିଏ ସବୁବେଳେ ପିନ୍ଧିଥାଏ ଗୋଟିଏ ସୁନ୍ଦର ଅତୀତର ମୁଖା।

ମୁଁ ପ୍ରଭୂଙ୍କୁ ଦେଖିଛି ଯାହାର ବ୍ୟବହାର ଭୃତ୍ୟ ଭଳି ଆଉ ଏମିତି ଭୃତ୍ୟଙ୍କୁ ଦେଖିଛି ଯାହାର ପ୍ରଭୂ ଭଳି ବ୍ୟବହାର ।

ମୁଁ ଦେଖିଛି ଲାଞ୍ଜମାନେ ସାପ ପାଲଟି ଯାଆନ୍ତି,ଅବିରାମ ଦଂଶନରେ ସେମାନଙ୍କର ଟିକିଏ ବୋଲି କ୍ଳାନ୍ତି ନାହିଁ।

ଏବଂ ତେଣୁ ମୁଁ ସମସ୍ତ ଜୀବଙ୍କୁ ଅତ୍ୟନ୍ତ ସମ୍ମାନର ଦୃଷ୍ଟିରେ ଦେଖୁଥାଏ ଯେଉଁ ପର୍ଯ୍ୟନ୍ତ ତାହାର ପ୍ରତିପକ୍ଷଟି ଆସି ଉପସ୍ଥିତ ନହୋଇଛି।

ସତର
ସୁନ୍ଦର ମୁହଁ

ମୁଁ ପାହାଡର ଚୂଡାରେ ବସି ଇତିହାସର ଅଦ୍ଭୁତ ସୁନ୍ଦର ମୁହଁକୁ ଦେଖୁଥିଲି।ମୋର ମନେହେଲା ଯେମିତି ଏଇ ସୁନ୍ଦର ମୁହଁଟି ମାନବ ରୂପର ସବୁଠାରୁ ଆଶ୍ଚର୍ଯ୍ୟ ଆଉ ମନୋହାରୀ ମୁହଁର ସୌନ୍ଦର୍ଯ୍ୟକୁ ଅତିକ୍ରମ କରି ଯାଇଛି।ମୁଁ ପାସାଡ ଚୂଡାରୁ ତଳକୁ ଓହ୍ଲାଇଲି ଆଉ ତାହାର ଆଡକୁ ଯିବାକୁ ଲାଗିଲି। ମୋ ଆଖିକୁ ସେ ଝଲସାଇ ଦେଇଥିଲା ଆଉ ମୁଁ ମୋ ହୃଦୟରେ ଯେଉଁ ଗୋଛାକ ଫୁଲ ଧରି କି ଯାଇଥିଲି ତାହାର ଆକାର ଅନବରତ ବଢିବାକୁ ଲାଗିଲା। ହେଲେ ଯେତେବେଳେ ମୁଁ ତାହାର ନିକଟବର୍ତ୍ତି ହୋଇଥିଲି,ଲକ୍ଷ୍ୟ କରିଥିଲି ତାହାର ସେଇ ଚମତ୍କାର ଆଖିର ଭିତରେ ଭୟଙ୍କର କ’ଣ କିଛି ରହିଛି: ତାହାର ଆଖିପୁଅ ଦିଶୁଥିଲା ଦୁଇଟି ବିଶାଳ ତୋପର ସାମ୍ନାପଟ ଯେଉଁଠୁ ଆନ୍ତର୍କାଳାନୁକ୍ରମିକ ଗୋଳାମାନ ଯୁଗଯୁଗ ଧରି ବର୍ଷଣ କରାଯାଉଛି। ସ୍ପଷ୍ଟ ଭାବରେ ଟଣାଯାଇଥିବା ତାହାର ମୁହଁରୁ ବାହାରୁଥିଲା ମିଛର ଅପବାଦ ଆଉ ଅଶ୍ଳିଳ ବିଧର୍ମୀର କଥା ତାହା ଶତାବ୍ଦୀ ଶତାବ୍ଦୀକୁ ପାର ହୋଇ ଯାଉଥିଲା,ଆଉ ରହିଥିଲା ଦ୍ୱେଷ ଯାହା ଚିହ୍ନଟ କରିପାରୁନଥିଲା ସମୟର ସୀମାରେଖା। ମୁହଁ ବୁଲାଇ ମୁଁ ସେଇଠୁ ଫେରି ଆସିଥିଲି ମୋ ନିଜ ଘରକୁ,ଇତିହାସର ବର୍ଣ୍ଣାଢ୍ୟ ଆଡମ୍ବରକୁ ମନ ଭରି ଗାଳି ଦେଉଥିଲି ଏଇଥିପାଇଁ ଯେ ମୋର ଭବିଷ୍ୟତକୁ ବିନଷ୍ଟ କରିଦେବାରେ ତାହାର ରହିଛି ଭାରି ଆଗ୍ରହ।

ଅଠର
ଘ୍ରାଣ

ତରୁଣ ଜଣକ ବନସ୍ତକୁ ଆବିଷ୍କାର କରିବା ନିମନ୍ତେ ପ୍ରାୟ ମାସାଧିକ କାଳ ଯାତ୍ରା ପରେ ଘରକୁ ଫେରି ଆସେ। ଏଇ ବିଗତ ସମୟରେ ସେ ଅସଲରେ ଖୋଜୁଥିଲା କେବଳ କିଛି ନୂତନ ଆଉ ଅଦ୍ଭୁତ କିସମର ପଦାର୍ଥ। ଘରର ଭିତରକୁ ଯିବା ପରେ ପରେ ସେ ଗୋଟିଏ ଦୀର୍ଘ ଶ୍ୱାସ ଛାଡିଥିଲା ଆଉ ସେଥିରେ ଭରି ରହିଥିଲା ତାହାର ସମସ୍ତ କ୍ଳାନ୍ତି। ସେ ନିଜର ପାଦରୁ ଜୋତା ଖୋଲେ,ମୋଜା ଖୋଲେ,ଦେହରୁ ଜାମାପଟା ଖୋଲି ପକାଏ ଆଉ ବୈଠକଖାନାରେ ପଡିଥିବା ସୋଫାଟି ଉପରେ ଆଉଜି ବସେ,ଆଉ ଏହାର ଘଡିକ ପରେ କେଉଁଠୁ ଆସି ତାହାର ଆଖିପତାକୁ ଆବୋରି ଧରେ ରାଜ୍ୟଯାକର ନିଦ।

ଉତ୍କଟ ବାସ୍ନାଟିଏ ତାହାର ପାଦରୁ ବାହାରି ଘରଟି ସାରା ବିକ୍ଷିପ୍ତ ଭାବରେ ବ୍ୟାପିଯାଇଥିଲା। ଏଥିରେ ଅଶ୍ୱସ୍ତି ବୋଧ କରି ପାଦ ହଳକ ଈର୍ଷାତୁର ଭଂଗୀରେ ଚାହିଁ ରହିଥିଲେ ତାହାର ହାତ ଦୁଇଟି ଆଡକୁ ଆଉ ଶେଷରେ ସେମାନଙ୍କୁ ପଚାରିଥିଲେ,
” ଏପରି ଘୃଣା କରିବା ଭଳି ବିରକ୍ତିକର ବାସ୍ନା ଖାଲି ଆମଠାରୁ ବାହାରୁଛି କାହିଁକି,ତମଠୁ କାହିଁକି ନୁହଁ ?” ହାତ ଦୁଇଟି ବେଶ୍ ବଡ ପାଟିରେ ଏହାପରେ ଉତ୍ତର ଦିଅନ୍ତି,” କାରଣ ଆମେମାନେ ସବୁବେଳେ ଅନ୍ୟମାନଙ୍କ ପାଇଁ ମୁକ୍ତ ରହିଥାଉ ଆଉ ସଂପୂର୍ଣ୍ଣ ଭାବରେ ନିଜ ଭିତରେ ସଂକୁଚିତ ହେବାକୁ ଦୃଢ ଭାବରେ ଆମର ମନା ।”

ଊଣେଇଶ
ବେକଯାଏଁ ପଡିଥିବା କେଶ
ଆଉ ଗିଲୋଟିନ

ସେମାନେ ତାହାକୁ ଗିଲୋଟିନ ର ପାଖକୁ ନେବାର ଠିକ୍ ଆଗରୁ କାନ୍ଧଯାଏ ପଡିଥିବା ତାହାର କେଶକୁ କାଟି ଦେଇଥିଲେ। ସେମାନଙ୍କ ଭିତରୁ କେରାଟିଏ କେଶ ତାହାର ସାଙ୍ଗସାଥିଙ୍କୁ କହିଥିଲା,” କାହିଁକି ସେମାନେ ଏପରି କରୁଛନ୍ତି,ସେମାନେ କ’ଣ ଜାଣି ନାହାଁନ୍ତି ଯେ ପ୍ରକୃତିଗତ ଭାବରେ ଆମେ ମାନେ ଅତ୍ୟନ୍ତ ଦୁର୍ବଳ ? ସେମାନେ ଆମକୁ ବଙ୍କା କରିଦେଇ ପାରିବେ,ଆମକୁ ଏକାଠି ଗୋଛା କରିପାରିବେ ଆଉ ବାନ୍ଧି ଦେଇ ପାରିବେ,ଯେମିତି ଇଚ୍ଛା ସେମିତି କରିପାରିବେ।” ଆଉ ଗୋଟିଏ କେରା କେଶ ତାହାକୁ ଉତ୍ତର ଦେଇଥିଲା,କହିଥିଲା,”ହଁ ସତ ଏତେ ସବୁ ଦୁର୍ବଳତା ରହିଛି … ଏକାଠି ହେବାରେ ଶକ୍ତି ଥାଏ।”

କୋଡିଏ
ଗଛ

ଯେବେ ସେମାନଙ୍କ ଭିତରୁ ଜଣେ,ହଠାତ୍ ରାଗରେ,ଗୋଟିଏ ବିଶାଳ ଐତିହାସିକ ଗଛକୁ କାଟିବାରେ ଲାଗିଗଲା,ମୁଁ ଆଶା କରୁଥିଲି ଯେ ଯେଉଁ ଦିଗରେ ଏଇ ଗଛଟି ପଡିବ ତାହା ବର୍ତ୍ତମାନ କି ଭବିଷ୍ୟତର ଦିଗରେ ନୁହଁ।

ଏକୋଇଶ
ସେମାନେ ମୋତେ
ଜିଭ ଦେଖାନ୍ତି !

ମୁଁ ଯେତେବେଳେ ଯୁବା ଥିଲି ମୁଁ ବୁଢାମାନଙ୍କ ଆଡକୁ ଚାହିଁ ସବୁବେଳେ ଥଟ୍ଟା କରୁଥିଲି।ଏବେ ମୋହର ଯିବା ବେଳ ଆଉ ମୋହର ଯୁବାବେଳର ସବୁ ସ୍ମୃତି ଏଇଲେ ସେମାନଙ୍କର ଜିଭକୁ ମୋ ଆଗରେ ଲହ ଲହ କରୁଛନ୍ତି,ସେମାନଙ୍କର ଆଖିପତାକୁ ଘଡି କି ଘଡି ନଚାଉଛନ୍ତି ,ଆଉ କହୁଛନ୍ତି “ଆରେ ବୁଢା, ପାଜି କେଉଁଠିକାର !”

°°°°°

Osama Alomar (1968 ), is a Syrian short story writer poet and essayist. He is especially recognized for his work in the “very short story “medium.

ଓସାମା ଆଲାମାର ୧୯୬୮ ମସିହାରେ ସିରିଆର ଦାମସ୍କସ୍ ସହରରେ ଜନ୍ମିତ ଜଣେ ସମ୍ମାନିତ କବି ଆଉ କଥାକାର। ସେ ସଂପ୍ରତି ଆମେରିକାର ପିଟସବର୍ଗ ଠାରେ ଏକ ନିର୍ବାସିତର ଜୀବନ ଯାପନ କରୁଛନ୍ତି।

ଓସାମା ଆଲୋମାର ଯେଉଁ ଲେଖକୀୟ ଶୈଳୀର ଅନୁଗାମୀ ତାହାକୁ ଆରବିକ୍ ରେ କୁହାଯାଏ “ଆରବିକାଲ-କିସା ଅଲ୍-କାସିରା ଜିଡାନ”ଅର୍ଥାତ୍ ଅତ୍ୟନ୍ତ ସଂକ୍ଷିପ୍ତ ଗଳ୍ପ ବା ” ଭେରି ସର୍ଟ ଷ୍ଟୋରୀ”।

ତାଙ୍କର କାହାଣୀମାନ ପୃଥିବୀର ଅନେକ ବିଖ୍ୟାତ ପତ୍ରିକାରେ ପ୍ରକାଶିତ ହୋଇ ବିଶେଷ ଭାବରେ ଚର୍ଚ୍ଚିତ।

ଆଲୋମାରଙ୍କ କାହାଣୀରେ ଏପରି ଗୋଟିଏ ବିଶ୍ୱ ବିଦ୍ୟମାନ ଯାହାର ଉପସ୍ଥାପିତ ପ୍ରତୀକମାନ ହାସ୍ୟକର ଭାବରେ ନିରର୍ଥକ ଆଉ ଆମେ ଏହାକୁ କିନ୍ତୁ ଅତି ସହଜରେ ଗ୍ରହଣ କରିପାରୁ ଏଇଥିପାଇଁ ଯେ କାରଣ ଏହାର ଅବାସ୍ତବତାର ଅଭିଲାପଣ ଆମକୁ ପ୍ରଥମରୁ ଆବୋରି ବସିବା ଭଳି ଶକ୍ତ କାହାଣୀ-ସାମର୍ଥ୍ୟ ତାହାର ଭିତରେ ରହିଥାଏ।

ଅବାସ୍ତବ ସୃଷ୍ଟି କରିବା ସେମିତି କିଛି ବଡ କଥା ନୁହଁ କାରଣ ଯିଏ ଯାହା ପାରିବ ସେଇ କଥାକୁ ସେ ନିଶ୍ଚିନ୍ତରେ ଲେଖିପାରିବ କିନ୍ତୁ ଏପରି ସୃଷ୍ଟ ଅବାସ୍ତବ ର ବସ୍ତୁତଃ କୌଣସି ଦିଗବଳୟ ନଥାଏ, କହିବାକୁ ଗଲେ ଯେଉଁବିନ୍ଦୁରେ ଏହାର ଉପସ୍ଥିତି ଠିକ୍ ସେଇ ସମାନ ବିନ୍ଦୁରେ ତାହାର ପ୍ରସ୍ଥାନ ଘଟିଥାଏ । ସେହି ସବୁ ଅବାସ୍ତବ ବସ୍ତୁତଃ ସଂଚରଣ-ଅକ୍ଷମ।

ଓସାମା ଆଲାମାରଙ୍କର ଅବାସ୍ତବ ଯଥାର୍ଥ ଆମକୁ ଏକ ବିଚିତ୍ର ସମ୍ମୋହନର ପରିଧିକୁ ଟାଣି ଆଣିଥାଏ,ଯେଉଁଠି ଆମକୁ ଏହା ରୂପକଥା ମନେ ହୁଏ,ସମସାମୟିକ ସ୍ଥିତିର ଚଟୁଳ ବ୍ୟଞ୍ଜନାର ଘଡିକ ସମୟ ଭଳି ମନେହୁଏ ଆଉ ସେଇଠୁ ନିଜର କାହାଣୀକୁ ପରିଣତିରେ ସେ ଏପରି ଏକ ଧାରାଭାଷ୍ୟକାରୀ ଭଳି ଅତିରଞ୍ଜନ ବିବର୍ଜିତ ଦୃଶ୍ୟସୁଖ ପ୍ରଦାନ କରିଥାନ୍ତି ଯାହା ଆମକୁ ଲାଗେ ଯେମିତି ଏହା ଗୋଟିଏ ଗୋଟିଏ ଆପ୍ତବାକ୍ୟ,
ଏ କମେଣ୍ଟାରୀ ଅନ୍ ଲିଭିଙ୍ଗ୍“।

ଓସାମା ଆଲୋମାର୍ ଙ୍କ କାହାଣୀରେ ସେ ଆମକୁ ସଂତୁଷ୍ଟ କରନ୍ତି ନାହିଁ( ଆମେ ଅନେକ ସମୟରେ କାହାଣୀକୁ ଆମର ସଂତୋଷର ଏକ ପ୍ରମୁଖ ଦୃଶ୍ୟ-ଶ୍ରାବ୍ୟ ଭିତ୍ତିକ ଇଚ୍ଛାପୂର୍ତ୍ତିର ଉପକରଣ ହିସାବରେ ବିବେଚନା କରିଥାଉ।),ସଂତୁଷ୍ଟି ର ବଦଳରେ ସେ ଆମକୁ କେବଳ ଦେଖାଇବାକୁ ଚାହିଁଛନ୍ତି(ହଁ, କେବଳ ଦୃଷ୍ଟିପାତ କରିବାକୁ ପ୍ରବର୍ତ୍ତାଇବା ହିଁ ତାଙ୍କର ଏକମାତ୍ର ଉଦ୍ଦେଶ୍ୟ) ଆଉ ଆମ ଭିତରେ ବିବେଚନାଟିଏ ନିର୍ମିତ ହେବାର ପ୍ରୟାସ କରିଛନ୍ତି ।

ସଂପୃକ୍ତ କାହାଣୀଗୁଡିକ ତାଙ୍କର କାହାଣୀ ସଂଗ୍ରହ
ଦି ଟିଥ୍ ଅଫ ଦି କମ୍ବ ଆଣ୍ଡ ଅଦର ଷ୍ଟୋରିଜ୍“ରୁ ଅନୁସୃଜିତ।

ଓସାମା ଆଲୋମାର ତାହେଲେ ଆମକୁ ଦେଖାଇବାକୁ ଚାହିଁଛନ୍ତି କ’ଣ ?

ପୃଥିବୀର ସମସ୍ତ କାରୁଣ୍ୟ ଆଉ ସୁନ୍ଦରପଣର ବିବିଧତା।

ଏହାର ତଳେ ନାଲିକାଳିରେ ଗାର ଦିଆଯାଉ।

ଆଉ ଏହା ପ୍ରତି ଦୃଷ୍ଟିପାତ କଲେ ହୁଏତ ଆମେ ଆମର ଜାଗତିକ ପୃଥ୍ୱୀରେ ଆଉ ସେମିତି କ୍ରୁରତର ହୋଇ ରହିପାରିବା ସମ୍ଭବ ହେବ ନାହିଁ ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

Leave a Reply

Your email address will not be published. Required fields are marked *