ଇଏସ୍ଏସ୍ଓ କଂପାନୀ ତାହାର ଟେଲିଭିଜନ୍ ର ପ୍ରଦର୍ଶନ ପାଇଁ ୧୯୬୪ ରେ ୱାର୍ଲଡ ଥିଏଟର୍ ପର୍ଯ୍ୟାୟରେ ଗୋଟିଏ ଚଳଚ୍ଚିତ୍ର ପ୍ରଯୋଜନା କରିଥିଲା । ସେହି ପର୍ଯ୍ୟାୟର ଛବି ପାଇଁ ଭିନ୍ନ ଭିନ୍ନ ଦେଶ ଯଥା ଗ୍ରୀସ୍ , ସ୍ୱିଡେନ୍, ଇଂଲଣ୍ଡ ଇତ୍ୟାଦିରୁ କିଛି କିଛି ବିଷୟ ସଂଗ୍ରହ କରାଯାଇଥିଲା। ସେଥିରେ ଅନୁରୋଧ କ୍ରମେ ସତ୍ୟଜିତ ରାୟ ଇଂରେଜୀ ଭାଷାରେ ୧୫ ମିମି ଦୈର୍ଘ୍ୟ ବିଶିଷ୍ଟ ଗୋଟିଏ କ୍ଷୁଦ୍ର କାହାଣୀଚିତ୍ର ନିର୍ମାଣ କରିଥିଲେ । ସତ୍ୟଜିତ ରାୟ କିନ୍ତୁ ଦୁଇଟି ଶିଶୁ ଚରିତ୍ରକୁ ନେଇ ଗୋଟିଏ ନିର୍ବାକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ମନସ୍ଥ କରିଥିଲେ ।
ଶେଷରେ ଛବିଟି ପନ୍ଦର ମିନିଟର ହୋଇଥିଲା। ଏବଂ ସେଥିରେ କୌଣସି ସଂଳାପ ନଥିଲା । ଛବିଟିର ସୁଟିଂ ଏବଂ ଅନ୍ୟାନ୍ୟ ପ୍ରସ୍ତୁତି ତିନିଦିନ ଭିତରେ ସଂପର୍ଣ୍ଣ ହୋଇଥିଲା । ଏତେ କମ୍ ସମୟରେ ଛବିଟି ଶେଷ ହୋଇଥିବାରୁ ଛବିର ଶିଶୁ ଦୁଇଟିଙ୍କୁ ଆଗରୁ କାହାଣୀ ବା ଚରିତ୍ର ସଂପର୍କରେ କିଛି କହିବା ସମ୍ଭବପର ହୋଇନଥିଲା । ପରିଚାଳକ ସତ୍ୟଜିତ ରାୟଙ୍କ ନିର୍ଦ୍ଦେଶମତେ ଶିଶୁଦୁଇଟି ସେଟ୍ ରେ ଉପସ୍ଥିତ ହୋଇ ଅଭିନୟ କରିଥିଲେ ।
ଏହି ଛବିର କାହାଣୀ ଗୋଟିଏ ଧନୀଲୋକର ପୁଅ ଆଉ ଗୋଟିଏ ଗରିବଲୋକର ପୁଅ ଉପରେ ଥିଲା । ଆଗ ଦିନ ଧନୀଲୋକର ଘରେ ଗୋଟିଏ ଉତ୍ସବ ହୋଇଛି । ତାହାର କିଛି କିଛି ଅବଶେଷ ଘରସାରା ତଥାପି ବିଛାଡି ପଡିଛି । ପୁଅକୁ ଘରେ ଏକା ଛାଡି ପୁଅର ମାଆ ବାହାରକୁ ଯାଇଛନ୍ତି । ସେତେବେଳେ ପୁଅ ତାହାର ଦୋତାଲା ରେ ଥିବା ଘର ଭିତରକୁ ପ୍ରବେଶ କରି ତାହାର ଖେଳନାଗୁଡିକୁ ଧରି ଖେଳିବାକୁ ଲାଗେ । ତାହାପରେ ଗୋଟିଏ ବଂଶୀର ସ୍ୱର ଶୁଣି ଝରକା ଦେଇ ଦେଖେ ଯେ ତଳେ ଗୋଟିଏ ଗରିବ ପିଲା ହାତରେ ଗୋଟିଏ ବାଉଁଶର ବଂଶୀ ଧରି ବଜାଉଛି । ତାହା ଦେଖି ସେ ତାହାର ଖେଳନା ଭିତରୁ ଗୋଟିଏ ଖେଳନା କ୍ଲାରିଓନେଟ୍ ବାହାର କରି ତାହାକୁ ବଜାଇବାରେ ଲାଗେ । ସେତେବେଳେ ତଳେ ଥିବା ଗରିବ ପିଲାଟି ଉପରକୁ ଦେଖି ନିଜର ଗୋଟିଏ ଖେଳନା ଢୋଲ୍ କୁ ଆଣି ବଜାଏ । ଧନୀ ପିଲାଟି ତାହାପରେ ଗୋଟିଏ ମାଙ୍କଡ ବଜାଉଥିବା ଡ୍ରମ ଆଣି ବଜାଇବାକୁ ଲାଗେ । ସେତେବେଳେ ଗରିବ ପିଲାଟି ବଣମଣିଷ ଙ୍କର ଏକ ମୁଖା ପିନ୍ଧି ଧନୀ ଲୋକର ପୁଅକୁ ଗୋଟିଏ ବର୍ଛା ଦେଖାଇବାକୁ ଲାଗେ । ଧନୀଲୋକର ପୁଅ ତାହାପରେ ଝରକା ଦେଇ ଦେଖେ , ଗରିବ ପିଲାଟି ଗୋଟିଏ ଗୁଡି ଉଡାଉଛି। ଏହାପରେ ଧନୀ ପୁଅ ଟି ଏୟାରଗନ୍ ଦ୍ୱାରା ଗୁଡିଟିକୁ ଖସାଇ ପକାଏ ଏବଂ ସେହି ଖୁସିରେ ସେ ଜୟର ଟୀକା ଆକାରରେ ରୋବଟ୍ ର କପାଳରେ ଚୁଇଂଗମ୍ ଲଗାଇ ଦିଏ । କିନ୍ତୁ ତଳୁ ପୁଣି ସେତେବେଳେ ବଂଶୀର ସ୍ୱର ବାଜି ଉଠେ।
ସତ୍ୟଜିତ ରାୟ ଯେମିତି ଚିତ୍ରନାଟ୍ୟ ଲେଖିଥାନ୍ତି ଏହି କାହାଣୀର ଚିତ୍ରନାଟ୍ୟ ସେମିତି ଲେଖା ହୋଇନାହିଁ । ସଂଳାପ ନଥିବାରୁ ଏବଂ ସମୟର ସ୍ୱଳ୍ପତା କାରଣରୁ ସେ କେବଳ କେତେଗୁଡିଏ ଶଟ୍ ର ବର୍ଣ୍ଣନା ଲିପିବଦ୍ଧ କରିଯାଇଛନ୍ତି ।
ସତ୍ୟଜିତ ରାୟ ଏହି ଭଳି ଏଇ କାହାଣୀର ଚିତ୍ରନାଟ୍ୟ ଲେଖିଥିଲେ :

ଶଟ୍-୧
ଦିନ।ମଧ୍ୟ କଲିକତାର ଗୋଟିଏ ଦୋତାଲା ଘରର ପୋର୍ଟିକୋ । କ୍ୟାମେରାରେ ଧରା ଦୋତାଲାର ଖୋଲା ବାରନ୍ଦା । ଧନୀଘରର ପୁଅ ଘର ଭିତରୁ ବାହାରି ଆସି ଦୋତାଲାର ବାରନ୍ଦାରେ ଛିଡା ହୋଇ ତଳକୁ ଦେଖେ । ପିଲାଟିର ମଥାରେ ଗୋଟିଏ ମିକିମାଉସ୍ କ୍ୟାପ୍ ଆଉ ବାଆଁ ହାତରେ ଗୋଟିଏ କୋକାକୋଲାର ବୋତଲ । ନେପଥ୍ୟରୁ ଗୋଟିଏ ଗାଡି ଷ୍ଟାର୍ଟ ଦେବାର ଶବ୍ଦ ଶୁଣାଯାଏ ।
ଶଟ୍-୨
କ୍ୟାମେରା ଉପରର ବାରନ୍ଦାରୁ ତଳେ ବାହାରିଯାଉଥିବା ଗାଡିଟିକୁ ଦେଖେ । ଧନୀଘର ପିଲାଟିର ସାମନାରେ । ଗୋଟିଏ ବଡ ଶେଭରଲେଟ୍ ଗାଡି ଗେଟ୍ ଆଡକୁ ଯାଏ । ଗାଡିଭିତରୁ ଜଣେ ମହିଳା ପିଲା ଆଡକୁ ହାତ ହଲାଏ । ଧନୀଘର ପୁଅର କ୍ଲୋଜ୍-ଅପ୍ । ସେ ବି ହାତ ହଲାଏ । ତାହାପରେ ସେ ଜଣେ ମଦ୍ୟପ ଭଳି କୋକାକୋଲାର ବୋତଲ୍ ରୁ ଖୋଟିଏ ଢୋକ ପାନ କରେ ଏବଂ ଚାଲିଯିବା ପାଇଁ ମୁଭ୍ କରେ ।
ଶଟ୍:୩
ଦୋତାଲାର ଶିଡି । ଧନୀ ପୁଅ ବାରନ୍ଦାରୁ ଭିତରକୁ ଆସେ ଏବଂ ଡାହାଣ ପଟକୁ ଚାଲି ଚାଲି ଯିବାବେଳେ ସାମନାରେ ପଡିଥିବା ଗୋଟିଏ ରବରର ବଲ୍ କୁ ଗୋଇଠା ମାରି ନିଜର ଯିବା ବାଟରୁ ଦୂରେଇଦିଏ ।
ଶଟ୍-୪
ବେଶ୍ ବଡ ଡ୍ରଇଂରୁମ୍ । ଭଲଭାବରେ ସଜ୍ଜିତ । ଆଗ ଦିନ ହୋଇଥିବା ଗୋଟିଏ ପାର୍ଟିର ଚିହ୍ନ ରହିଛି ; ଘରସାରା ବେଲୁନ ଆଉ ଖେଳନା ଇତ୍ୟାଦି । ଧନୀ ପୁଅ ଘର ଭିତରକୁ ପ୍ରବେଶ କରି ଗୋଟିଏ ଡିଆଁମାରି ସୋଫାରେ ବସେ ଆଉ ସିଲିଂକୁ ଦେଖେ ।

ଶଟ୍:୫
ଇଲେକ୍ଟ୍ରିକ୍ ଫ୍ୟାନ ରୁ ଝୁଲୁଥିବା ଗୁଡାଏ ବେଲୁନ୍ ର ଶଟ୍ ।
ଶଟ୍-୬
ଧନୀ ପୁଅର କ୍ଲୋଜ୍-ଅପ୍ ଶଟ୍ । ଧନୀ ପୁଅ କୋକାକୋଲା ବୋତଲକୁ ତଳକୁ ରଖେ । ଗୋଟିଏ ଡିଆସିଲି ଉଠାଇ ନିଏ ।
ଶଟ୍ -୮
ଧନୀ ପୁଅର କ୍ଲୋଜ-ଅପ୍ । ସୋଫାରେ ଶୋଇଛି । ତଳେ ଥିବା ତିନୋଟି ବେଲୁନ୍ ର ଗୋଟିଏ ଗୁଚ୍ଛକୁ ସେ ଉଠାଇନିଏ । ଦିଆସିଲ୍ ରୁ ଗୋଟିଏ ପରେ ଗୋଟିଏ କାଠି ବାହାର କରି ବେଲୁନ୍ ରେ ନିଆଁ ଲଗାଏ । ବେଲୁନ ଗୁଡିକ ସଶବ୍ଦରେ ଫାଟିଯାଏ । ଧନୀ ପୁଅଟି ଉଠି ବସେ ।
ଶଟ୍-୯
ଡ୍ରଇଂରୁମ୍ ର ଲଙ୍ଗଶଟ୍ । ଧନୀପୁଅ ସୋଫାରୁ ଉଠି ତାହାର ଡାହାଢ ହାତ ପକେଟ୍ ରେ ଭର୍ତ୍ତି କରେ ;ଗୋଟିଏ ଚୁଇଂଗମ୍ ବାହାର କରି ଆଣେ। ସେ ଡାହାଣ ଦିଗରେ ଚାଲିବାକୁ ଲାଗେ ।
ଶଟ୍-୧୦
ଧନୀପୁଅର ରୁମ୍ । ପୁଅଟି ଚୁଇଂଗମ୍ ଚୋବାଇ ଚୋବାଇ ଘର ଭିତରକୁ ପ୍ରବେଶ କରେ । ଡିଭାନ ଏବଂ ତାହାର ତଳ ଅନେକ ଗୁଡିଏ ନୂଆ ଖେଳନାରେ ଭରପୁର ଅଛି । ତଳେ ପ୍ଲାଷ୍ଟିକ୍ ଇଟାରେ ଗୋଟାଏ ମନୁମେଣ୍ଟ ।ଧନୀପୁଅ ସେଇ ମନୁମେଣ୍ଟ ପାଖକୁ ଯାଏ ଏବଂ ଆଉ ଗୋଟିଏ ପ୍ଲାଷ୍ଟିକ ଖଣ୍ଡ ସେଇ ମନୁମେଣ୍ଟ ଉପରେ ସ୍ଥାପନ କରେ ।
ଶଟ୍-୧୧
ଧନୀପୁଅ ଏଥର ସେଲଫ୍ ପାଖକୁ ଯାଇ ଛିଡାହୁଏ ଏବଂ ସେଲଫ୍ ର ଥାକରେ ସଜା ହୋଇଥିବା ଯାନ୍ତ୍ରିକ ଖେଳନା ଗୁଡିକୁ ଦେଖେ । ଗୋଟିଏ ମାଙ୍କଡ-ବାଜା,ଗୋଟିଏ ରୋବଟ୍,ଗୋଟିଏ ପାଇପର୍,ଗୋଟିଏ ଭାଓଲିନ୍ ବାଦକ । ନେପଥ୍ୟରୁ ଗୋଟିଏ ବାଉଁଶରେ ତିଆରି ବଂଶୀର ସ୍ୱର ଭାସି ଆସେ।ଧନୀପୁଅଟି ଶୁଣେ ଏବଂ ଡାହାଣ ଆଡକୁ ଯାଏ।

ଶଟ୍-୧୨
ଝରକାର ବାହାର ପଟୁ ଶୁଟିଂ । ଧନୀ ପୁଅ ଟି ଝରକା ଆଡକୁ ଆସେ ଏବଂ ଝରକା ଦେଇ ବାହାରର ତଳକୁ ଦେଖେ ।
ଶଟ୍-୧୩
ଧନୀପୁଅର ଦୃଷ୍ଟିକୋଣରୁ ଶଟ୍ : ଗୋଟିଏ ଟାଙ୍ଗରା ଜମିରେ ଗୋଟିଏ ଝୋପଡି । ଗୋଟିଏ ଗରିବର ପୁଅ ଗୋଟିଏ ବାଉଁଶ ବୁଦା ସାମ୍ନାରେ ଛିଡା ହୋଇ ବାଉଁଶରୁ ତିଆରି ଗୋଟିଏ ବଂଶୀ ବଜାଉଛି ।
ଶଟ୍-୧୪
ଧନୀଘର ପୁଅ କୌତୁହଳରେ ତାହା ଦେଖି ଶଟ୍ ରୁ ବାହାରିଯାଏ ।
ଶଟ୍-୧୫
ଧନୀଘର ପୁଅ ସେଲଫ୍ ରୁ ଗୋଟିଏ ଖେଳନା କ୍ଲାରିଓନେଟ୍ ଉଠାଇ ନିଏ ଏବଂ ଝରକା ଆଡକୁ ଯାଏ ।
ଶଟ୍-୧୬
ଧନୀଘରର ପୁଅ ଝରକାକୁ ଫେରି କ୍ଲାରିଓନେଟ୍ କୁ ଫୁଙ୍କି ବଜାଇବାକୁ ଲାଗେ ।
ଶଟ୍-୧୭
ଗରିବଘର ପୁଅ ଉପରକୁ ଦେଖେ । ବଂଶୀ ବଜାଇବା ବନ୍ଦ କରେ । ଝୋପଡି ଆଡକୁ ଚାଲିଯାଏ ।
ଶଟ୍-୧୮
ଧନୀଘରର ପୁଅ କ୍ଲାରିଓନେଟ୍ ବଜାଇବା ବନ୍ଦ କରେ । ପରେ ଆଉ କ’ଣ ହେବ ଦେଖିବା ପାଇଁ ଅପେକ୍ଷା କରେ ।

ଶଟ୍-୧୯
ଗରିବଘରର ପୁଅ ବାହାରକୁ ଦୌଡି ଆସେ,ଗୋଟିଏ ଖେଳନା ଢୋଲ ବଜାଏ ।
ଶଟ୍-୨୦
ଧନୀଘରର ପୁଅ ଦେଖେ ଏବଂ ବାହାରିଯାଏ ।
ଶଟ୍-୨୧
ଧନୀଘରର ପୁଅ ଡିଭାନ ଉପରୁ ମାଙ୍କଡବଜା ଡ୍ରମ୍ କୁ ଉଠାଇ ନିଏ,ଝରକା ଆଡକୁ ଯାଏ ।
ଶଟ୍-୨୨
ଧନୀଘରର ପୁଅ ଝରକା ସାମ୍ନାରେ । ଗରିବ ଘରର ପୁଅଟି ଅନେକ ଦୂରରେ ଢୋଲ ବଜାଉଛି । ଧନୀଘରର ପୁଅ ମାଙ୍କଡ ବଜା ଡ୍ରମରେ ଚାବି ଦିଏ । ଢୋଲ ଆଉ ଡ୍ରମ୍ ଏକାସଂଗରେ ବାଜୁଥାନ୍ତି ।
ଶଟ୍-୨୩
ଗରିବ ଘରର ପୁଅ ଦେଖେ । ତାହାର ମୁହଁରେ ଆଖିରେ ପ୍ରତିକ୍ରୀୟା ର ପ୍ରକାଶ ଘଟେ । ଢୋଲ ବଜାଇବା ବନ୍ଦ କରେ;ଝୋପଡି ଆଡକୁ ଦୌଡିଯାଏ । ଭିତରକୁ ଯାଏ । ତାହାପରେ ଗୋଟିଏ ମୁଖା ପିନ୍ଧି ଏବଂ ଗୋଟିଏ ବର୍ଚ୍ଛା ହାତରେ ଧରି ବାହାରିଆସେ । ବଣମଣିଷ ପରି ନାଚି ନାଚି ସେ ସେହି ଧନୀଘରର ପୁଅକୁ ବର୍ଚ୍ଛା ଦେଖାଇବାକୁ ଲାଗେ ।
ଶଟ୍-୨୪
ଧନୀଘରର ପୁଅର ପ୍ରତିକ୍ରୀୟା, ଏବଂ ସେ ବାହାରି ଯାଏ ।
ଶଟ୍-୨୫
ଗରିବ ଘରର ପୁଅ ତାହାର ନାଚ ବନ୍ଦ କରେ।ଅପେକ୍ଷା କରି ଝରକା ଆଡକୁ ଚାହିଁ ରହେ ।
ଶଟ୍-୨୬
ଧନୀଘରର ପୁଅ ଝରକାରେ ଦେଖାଯାଏ ,ଗୋଟିଏ ମୁଖା ସେ ପିନ୍ଧିଛି । ସେ ଗରିବଘରର ପୁଅକୁ ଗୋଟିଏ ତଲବାର ଦେଖାଏ ।
ଶଟ୍-୨୭-୨୯
ଧନୀଘରର ପୁଅ ନାନାରକମର ମୁଖା ପିନ୍ଧିବା ଏବଂ ନାନାରକମର ଅସ୍ତ୍ର ଦେଖାଇବାର ମଣ୍ଟାଜ୍ ଶଟ୍ ।

ଶଟ୍-୩୦
ଗରିବ ଘରର ପୁଅକୁ ବିଧ୍ୱସ୍ତ ଏବଂ ପରାଜିତ ମନେହୁଏ । ସେ ଝୋପଡି ଭିତରକୁ ଚାଲି ଯାଏ।
ଶଟ୍-୩୧
ଧନୀଘରର ପୁଅ ବିଜୟର ଆନନ୍ଦରେ ଘରର ଭିତରକୁ ଚାଲି ଯାଏ ।
ଶଟ୍-୩୨
ଧନୀଘରର ପୁଅ ସେଲଫ୍ ର ସାମ୍ନା କୁ ଯାଇ ଛିଡାହୁଏ ,ଗୋଟିଏ ଚୁଇଂଗମ୍ ପାଟିରୁ ବାହାର କରେ,ସେଇଟିକୁ ରୋବଟ୍ ର କପାଳରେ ଲଗାଇଦିଏ ଏବଂ ବାଆଁ ଆଡକୁ ଚାଲିଯାଏ ।
ଶଟ୍-୩୩
ଧନୀଘରର ପୁଅ ଡ୍ରଇଂରୁମ୍ ଭିତର ଦେଇ ପାଣ୍ଟ୍ରି ଆଡକୁ ଯାଏ ।
ଶଟ୍-୩୪
ଧନୀଘରର ପୁଅ ପାଣ୍ଟ୍ରି ଭିତରକୁ ଯାଏ,ରେଫ୍ରିଜେରେଟର୍ ଖୋଲେ , ଗୋଟିଏ ଆପେଲ୍ ନିଏ ଏବଂ ବାଆଁପଟକୁ ବାହାରିଯାଏ।
ଶଟ୍-୩୫
ଧନୀଘରର ପୁଅ ତାହାର ରୁମ୍ କୁ ଆସେ,ପୂର୍ଣ୍ଣ ତୃପ୍ତିର ସହ ଆପେଲ୍ କୁ ଚୋବାଇବାକୁ
ଲାଗେ ।
ଶଟ୍-୩୬
ଝରକା । ଝରକା ଦେଇ ଗୋଟିଏ ଗୁଡି ଉଡୁଥିବାର ଦେଖାଯାଏ । ଗୁଡି ଟି ଝରକା ନିକଟକୁ ଘୁରି ଫେରି ଆସୁଥାଏ ଏବଂ ପରିହାସ କଲା ଭଳି କାନି ଖାଇ ଉଡି ବୁଲୁଥାଏ ।
ଶଟ୍-୩୭
ଧନୀଘରର ପୁଅ ନିଶ୍ଚିନ୍ତ ଭାବରେ ଝରକା ଆଡକୁ ଯାଏ ।
ଶଟ୍-୩୮
ଗରିବଘର ର ପୁଅ ଗୁଡି ଉଡାଉଥିବାର ଦେଖାଯାଏ । ସେ ଧନୀଘରର ପୁଅ କୁ ଦେଖେ ଏବଂ ହସେ ।
ଶଟ୍-୩୯
ଧନୀଘରର ପୁଅ ର ପ୍ରତିକ୍ରିୟା, ତାହାର ମୁହଁ ଲାଲ ପଡିଯାଏ ।ସେ ଆକାଶ ଆଡକୁ ଅନାଏ।
ଶଟ୍-୪୦
ଆକାଶରେ ଗୁଡି ଉଡୁଛି ।
ଶଟ୍-୪୧
ଗରିବଘର ର ପୁଅ ଟି ଗୁଡି ଉଡାଉଛି,ମଝିରେ ମଝିରେ ଧନୀଘରର ପୁଅ ଆଡକୁ ଅନାଉଛି ।
ଶଟ୍-୪୨
ଧନୀଘରର ପୁଅ ଝରକାରୁ ଅପସରି ଯାଏ । ସେ ଗୋଟିଏ ବାଟୁଳିଖଡା ଧରି ଫେରି ଆସେ । ଗୁଡି ଆଡକୁ ଲକ୍ଷ୍ୟ କରି ବାଟୁଳି ମାରେ।
ଶଟ୍-୪୩
ବାଟୁଳି ଗୁଡିର ଦେହରେ ଲାଗେ ନାହିଁ ।
ଶଟ୍-୪୪
ଗରିବଘର ର ପୁଅ ଧନୀଘରର ପୁଅ ଆଡକୁ ଅନାଇ ହସେ ।
ଶଟ୍-୪୫
ଧନୀଘରର ପୁଅ ଆଉଥରେ ବାଟୁଳି ଲକ୍ଷ୍ୟ କରି ମାରେ । କିନ୍ତୁ ଏଥର ଗୁଡି ଦେହରେ ବି ବାଜେ ନାହିଁ ।
ଶଟ୍-୪୬
ରାଗରେ ଧନୀଘରର ପୁଅର କପାଳ କୁଞ୍ଚିତ ହୁଏ।
ଶଟ୍-୪୭
ଧନୀଘରର ପୁଅ ବାଟୁଳିଖଡାକୁ ଫୋପାଡି ଦେଇ ଗୋଟିଏ ନୂଆ ଏୟାରଗନ୍ ଉଠାଇ ନିଏ ଏବଂ ସେଥିରେ ଗୁଳି ଭର୍ତ୍ତି କରେ,ଝରକା ଆଡକୁ ଯାଏ ।
ଶଟ୍-୪୮
ଆକାଶରେ ଗୁଡି ।
ଶଟ୍-୪୯
ଗରିବ ଘରର ପୁଅଟି ଉପରକୁ ଚାହିଁ ଧନୀଘରର ପୁଅ କୁ ଦେଖେ ,ବନ୍ଧୁକକୁ ଦେଖି ଡରିଯାଏ ।
ଶଟ୍-୫୦
ବନ୍ଧୁକ ସହ ଧନୀଘରର ପୁଅର ଲଂଶଟ୍ ।
ଶଟ୍-୫୧
ଧନୀଘରର ପୁଅ ବନ୍ଧୁକରେ ଗୁଡିକୁ ଲକ୍ଷ୍ୟ କରିବାର କ୍ଲୋଜ୍-ଶଟ୍। ସେ ଗୁଳି ମାରେ ।
ଶଟ୍-୫୨
ଗୁଡିରେ ଗୁଳି ବାଜେ ଏବଂ ଗୁଡିଟି ଚିରି ଯାଏ ।
ଶଟ୍-୫୩
ଗରିବଘର ର ପୁଅ କଠିନ ମୁହଁରେ ଧନୀଘରର ପୁଅକୁ ଦେଖେ ।
ଶଟ୍-୫୪
ଧନୀଘରର ପୁଅ ଗର୍ବର ସହ ହସେ ।
ଶଟ୍-୫୫
ଗରିବଘରର ପୁଅ ସୂତାକୁ ଗୋଟାଇବାରେ ଲାଗେ ।
ଶଟ୍-୫୬
ଗରିବଘର ର ପୁଅ ନିଜ ଆଡକୁ ଛିଣ୍ଡା ଗୁଡିକୁ ଟାଣି ଆଣେ । ସେ ଗୁଡିଟିକୁ ହାତରେ ଧରେ ,ଭାରାକ୍ରାନ୍ତ ମନରେ ଧୀରେ ଧୀରେ ଚାଲିଯାଏ ।
ଶଟ୍-୫୭
ଧନୀଘରର ପୁଅ ଝରକାରୁ ଅପସରି ଯାଏ ।
ଶଟ୍-୫୮
ଧନୀଘରର ପୁଅ ସେଲଫ୍ ନିକଟକୁ ଆସେ,ସବୁ ଯାନ୍ତ୍ରିକ ଖେଳନାଗୁଡିକୁ ଚାବି ଦେଇ ଚଳାଇ ଦିଏ । ତାହାପରେ ରୋବଟ୍ ଟିକୁ ଉଠାଇ ନିଏ ,ଦମ୍ ଦେଇ ତଳେ
ଛାଡିଦିଏ । ରୋବଟ୍ ଟା ଚାଲିବାକୁ ଆରମ୍ଭ କରେ ।
ଶଟ୍-୫୯
ଧନୀଘରର ପୁଅ ଉଠି ଛିଡା ହୁଏ ; ସୁଖୀ କିନ୍ତୁ ତାହାର କପାଳ ସଂଶୟରେ କୁଞ୍ଚିତ ହୁଏ । ନେପଥ୍ୟରୁ ଗୋଟିଏ ବଂଶୀର ସ୍ୱର ଶୁଣିବାକୁ ପାଏ ।
ଶଟ୍ -୬୦
ରୋବଟ୍ ଟା ଚାଲୁଥାଏ ।
ଶଟ୍-୬୧
ଧନୀଘରର ପୁଅ ର ଘରେ ଲଂଶଟ୍ ।ଗରିବଘରର ପୁଅର ବଂଶୀରେ ଆନନ୍ଦର ସ୍ୱର ବାଜି ଚାଲିଥାଏ । ଧନୀଘରର ପୁଅ ବିରକ୍ତି ଆଉ ବିଭ୍ରାନ୍ତି ରେ ସୋଫା ର ଉପରେ ଶୋଇପଡେ । ରୋବଟ୍ ଟା ଚଟାଣରେ ଚାଲିଚାଲି ମନୁମେଣ୍ଟଟାକୁ ଧକ୍କା ଦେଇ ପକାଇ ଦିଏ । ପ୍ଲାଷ୍ଟିକର ଇଟାଗୁଡିକ ସଶବ୍ଦ ଚଟାଣର ଉପରେ ବିଛାଡି ପଡେ । ବଂଶୀର ସୁଖୀସ୍ୱର ବାଜି ଚାଲିଥାଏ ।
°°°°°

ସତ୍ୟଜିତ ରାୟଙ୍କ କ୍ଷୁଦ୍ର ଚରଚ୍ଚିତ୍ର “ଟୁ” ଏଇଠି ଶେଷ ହୁଏ ।
ଶେଷରେ ଗୋଟିଏ ପ୍ରଶ୍ନ । ଏହାକୁ ଆମେ ପଢିବା କାହିଁକି ?
ଉପସ୍ଥିତ ଲେଖକ ର ଗୋଟିଏ ଉତ୍ତର ।
ଏହାକୁ ପଢିବା ଦ୍ୱାରା ଆମମାନଙ୍କ ଭଳି ଯେଉଁମାନେ ସୃଜନକର୍ମରେ ନିଜର ଶିକ୍ଷାନବିଶୀକୁ ଶେଷ କରିବା ପାଇଁ କଦାପି ସମର୍ଥ ହୁଅନ୍ତି ନାହିଁ ସେମାନେ ଜାଣିପାରିବେ ଯେ,ଲେଖକ ହେବାକୁ ହେଲେ ଜଣକ ନିକଟରେ ଚିତ୍ରକର ହେବା ଭଳି ଦୃଶ୍ୟ-ଅନୁବନ୍ଧ ଉପରେ ଯଥେଷ୍ଟ ଦକ୍ଷତା ତଥା ସମନ୍ୱିତ ଅବବୋଧ ରହିଥିବା ଦରକାର । “ଦେଖାଅ,କୁହ ନାହିଁ” ବୋଲି କାହାଣୀ ନିର୍ମାଣରେ ସେମିତି ଏକ ଆପ୍ତବାକ୍ୟ ରହିଅଛି।
କାହାଣୀର ଗତି କୁ ତ୍ୱରାନ୍ୱିତ କରିବା ପାଇଁ ଏଇଠି ଯେମିତି କ୍ୟାମେରାଟି ବାରଂବାର ପାର୍ଶ୍ୱ ପରିବର୍ତ୍ତନ କରୁଛି ଗୋଟିଏ ନିର୍ଦ୍ଦିଷ୍ଟ ଅବସ୍ଥାନରେ ଚରିତ୍ରମାନଙ୍କର ଭିନ୍ନ ଭିନ୍ନ ଦୃଷ୍ଟିଭଂଗୀକୁ ଆମକୁ ଦେଖାଇବା ପାଇଁ ,ସେଇଥିପାଇଁ ଆମକୁ ଚରିତ୍ର ମାନଙ୍କ ଆଖିରେ କ୍ୟାମେରା ସାଜିବା ଆବଶ୍ୟକ । ତେଣୁ ଅନ୍ୟଭାବରେ କହିଲେ କାହାଣୀ ଲେଖିବା ବେଳେ ଚରିତ୍ର ମାନଙ୍କର ଯାହାକୁ କହନ୍ତି ” ପଏଣ୍ଟ ଅଫ୍ ଭିଉ ” କୁ ପରିଭାଷିତ କରିବାପାଇଁ ଆମକୁ ଜଣେ ଜଣେ ଦକ୍ଷ କ୍ୟାମେରାମାନ୍ ହେବାର ପ୍ରୟୋଜନ ରହିଛି । କ୍ୟାମେରାକୁ ବରଗଛ ଡାଳରେ ବାନ୍ଧି ତଳେ ବସି ରହି ଚିତ୍ର ଉତ୍ତୋଳନକରିବା ଅତି ସହଜ ମାତ୍ର ଏଥିରେ ଆମକୁ କେବଳ ଏକ ସ୍ଥିରତାର ଅସହ୍ୟପଣ ବିବ୍ରତ କରିବ । ଚରିତ୍ରମାନେ ଫ୍ରେମ୍ ଭିତରକୁ ଯାଉଥିବେ ଆସୁଥିବେ ସତ ମାତ୍ର ସ୍ଥିରତା ସେମାନଙ୍କ ଭିତରୁ କାହାଣୀର ସମସ୍ତ ଗତିଶୀଳତାକୁ ଧ୍ୱଂସ୍ତ କରିଦେଉଥିବ ।
ଏହା ବ୍ୟତୀତ ସବୁଠୁ ବଡ କଥା ହେଉଛି କାହାଣୀରେ ନିଜ ସୃଜନକୁ ନିଜେ ନିରପେକ୍ଷ ହୋଇ ଦେଖିବାଭଳି ଏକ ଦର୍ଶକ ଦୃଷ୍ଟି । ଯେମିତି ଆମେ ଏଇ ଚିତ୍ରନାଟ୍ୟକୁ ପଢିଲେ ଏବଂ ପୃଥିବୀର ଧନୀ ବନାମ ଗରିବର ଚିରାଚରିତ ସଂଘର୍ଷକୁ ଦେଖିପାରିଲେ ଏବଂ ସେଥିରେ ବ୍ୟବହୃତ ଦୃଶ୍ୟମାନ ଆମକୁ ସେଇ ଚିରାଚରିତ କଥାକୁ ନୂଆ ଭଳି କହୁଥିବା ଭଳି ଲାଗିଲା ।
ଜଣେ ଚିତ୍ରକର,ଜଣେ କ୍ୟାମେରାମାନ ଆଉ ଜଣେ ଦର୍ଶକ ,ଏଇ ଭଳି ତିନୋଟି ସଂସ୍କରଣରେ ଦକ୍ଷତା ଅର୍ଜନ କରିବା ଭଳି ସୃଜନ-କାମନାରେ ସବୁବେଳେ ସନ୍ତାପିତ ହେଉଥିବା ଉପସ୍ଥିତ ଲେଖକ,ସେଇଥିପାଇଁ ତ ଅତି ସାଧାରଣ ଜଣେ ଲେଖକ ।
ଆଜି ମେ ମାସର ୨ ତାରିଖ। ଆଜିର ଦିନରେ ଅର୍ଥାତ୍ ୨ ମେ ୧୯୨୧ ରେ ଏହି ମହାନ ଚିତ୍ରଭାଷ୍ୟକାର ଜନ୍ମ ଗ୍ରହଣ କରିଥିଲେ।
ଦେଖିଲେ ବୁଝିବ ଯଦି ଏକ ଆପ୍ତବାକ୍ୟ ତେବେ ଆମର ସ୍ମରଣରେ ସତ୍ୟଜିତ ରାୟ ରହିବା ଏକ ଜୀବନମୁଖୀ ଆବଶ୍ୟକତା।