ସମ୍ବାଦ ପତ୍ରରୁ ରେଭେନ୍ସା : କଲେଜ ଓ ସାହେବ

ବିଭିନ୍ନ ସମ୍ବାଦ ପତ୍ରରୁ ତାରିଖ କ୍ରମରେ ସଂଗୃହିତ କିଛି ସଂବାଦରୁ ଆମେ ରେଭେନ୍ସା କଲେଜ ତଥା ତାହାର ସ୍ଥାପନାରେ  ରେଭେନ୍ସା ସାହେବଙ୍କ ଭୂମୀକା ସଂପର୍କରେ ଏକ ବୃହତ ଢାଞ୍ଚାଗତ ସ୍ୱରୂପକୁ ଦେଖି ପାରିବା।

ରେଭେନ୍ସା କଲେଜର ନିର୍ମାଣ ଇତିହାସ ଦୃଷ୍ଟିରୁ ଏତେ ସହଜ ନଥିଲା ଏବଂ ଯଦିଓ ଏଇ କଲେଜର  ନିର୍ମାଣ ବସ୍ତୁତଃ ଓଡିଶାର ରାଜା ଜମିଦାର (ବିଶେଷ ଭାବରେ କଟକ, ପୁରୀ ଆଉ ବାଲେଶ୍ୱରର ରାଜା ଆଉ ଜମିଦାରମାନଙ୍କର ସାମୁହିକ ଆର୍ଥିକ ପ୍ରଚେଷ୍ଟା ଫଳରେ ସଂପନ୍ନ ହୋଇଥିଲା ଆଉ ଅନ୍ୟ ପକ୍ଷରେ ସେହି କଲେଜ ସ୍ଥାପନାର ଆନୁଷ୍ଠାନିକ ସରକାରୀଗତ ସମସ୍ତ କ୍ରିୟାର କାରକ ରହିଥିଲେ ରେଭେନ୍ସା ସାହେବ।

ଏବେ ସଂବାଦପତ୍ରର ସେଇ ବିବରଣୀଗୁଡିକୁ ଯତ୍ନର ସହିତ  ପାଠ କରାଯାଉ।

ଉତ୍କଳ ଦୀପିକା,

୩ୟ ଭାଗ,୧୮..୧୮୬୮, ସଂଖ୍ୟା ୧୬

କଟକ ହାଇସ୍କୁଲର ବାର୍ଷିକ ପାରିତୋଷିକ ଦାନ

°°°°°

ଗତ ସୋମବାର ବେଳ ଘ୧୧ଣ୍ଟା ସମୟରେ କଟକ ହାଇସ୍କୁଲ ଗୃହରେ ଏ ସଭା ହୋଇଥିଲା।ଅନ୍ୟାନ୍ୟ ଲୋକ ମଧ୍ୟରେ ନଗରବାସୀ ଦିୟୋଟି ବିଲାତି ମେମ ଓ ପ୍ରଧାନ ୨ ଇଂରେଜମାନେ ଆଗମନ କରିଥିଲେ ଏବଂ ଏ ଦେଶୀୟ ଗବର୍ଣ୍ଣମେଣ୍ଟ କର୍ମଚାରୀ ଓ ଜମିଦାର ମଧ୍ୟ ଅନେକ ଉପସ୍ଥିତ ଥିଲେ । ଶ୍ରୀଯୁକ୍ତ କମିଶ୍ନର ସାହେବ ସଭାପତି ସ୍ୱରୂପେ ସଭାର କାର୍ଯ୍ୟାରମ୍ଭ କରି ପ୍ରଥମେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବାଳକମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କଲେ ଏବଂ ତଦୁତ୍ତାରୁ ଇଂରାଜୀ ଓ ବଙ୍ଗଳା ଏ ଉଭୟ ବିଦ୍ୟାଳୟର ଯେ ସମସ୍ତ ବାଳକମାନେ ଉତ୍ତମରୂପେ ପରୀକ୍ଷା ଦେଇଥିଲେ ସେ ସମସ୍ତଙ୍କର ପ୍ରାପ୍ୟ ପାରିତୋଷିକ ବିତରଣ କଲେ।ଏଥିରେ ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଗତ ହେଲା।ଗବର୍ଣ୍ଣମେଣ୍ଟଙ୍କ ଦତ୍ତ ପୁରସ୍କାର ବାଣ୍ଟିସାରି ସଭାପତି ମହାଶୟ ଆପଣା ହାତରୁ ଟ୧୦୦ଙ୍କା ବାହାର କରି ଇଂରାଜୀ ସ୍କୁଲ ର ପ୍ରତ୍ୟେକ ଶ୍ରେଣୀର ଛାତ୍ର ସର୍ବୋତ୍କୃଷ୍ଟ ଉତ୍କଳ ବାଳକଙ୍କୁ ପ୍ରଦାନ କଲେ।ଉପସ୍ଥିତ ଦେଶୀୟ ସଭ୍ୟମାନଙ୍କ ମଧ୍ୟରୁ କେତେକ ଲୋକ ପ୍ରାୟ ଟ୬୫ଙ୍କା କି ଟ୭୦ଙ୍କା ସରିକି ଉପଯୁକ୍ତ ବାଳକମାନଙ୍କୁ ପ୍ରଦାନ କରି ସଭାକୁ ସନ୍ତୁଷ୍ଟ କଲେ। xxxxx ଅନନ୍ତର ସଭାପତି ମହାଶୟ ( ରେଭେନ୍ସା ସାହେବ) ଗୋଟିଏ ସୁଦୀର୍ଘ ଓ ସଦବକ୍ତୃତା ପ୍ରଦାନ କଲେ।ଏକ ଏକ ବିଷୟରେ ତାଙ୍କର ମନୋଭାବ ଯେମନ୍ତ ବ୍ୟକ୍ତ କଲେ ସେଥିରୁ ତାଙ୍କର ଗମ୍ଭୀର ବୁଦ୍ଧି ଓ ଆମମାନଙ୍କର ହିତଚେଷ୍ଟାର ପରିଚୟ ପ୍ରାପ୍ତ ହୁଅଇ। ପାଠକ ମାନଙ୍କର ଜାଣିବା କାରଣ ବକ୍ତୃତାର ସାରାଂଶ ଏଠାରେ ବର୍ଣ୍ଣନା କଲୁ।

  xxxx

ସଭାପତି ସଂପ୍ରତି ଯେଉଁ ଉପାୟମାନ କରିବାର ପ୍ରସ୍ତାବ ହୋଇଅଛି କି ଶିଘ୍ର ହେବ ସେ ସମସ୍ତର ବିବରଣ ଓ ହିତାହିତ ଅତି ସୁନ୍ଦର ରୂପେ ବ୍ୟକ୍ତ କଲେ ଯଥା :

୧| ବର୍ତ୍ତମାନ ଛାତ୍ର ଓ ଶିକ୍ଷକଙ୍କ ସଂଖ୍ୟା ଦୃଷ୍ଟିରୁ ସ୍କୁଲ ଗୃହକୁ ବଢାଇବାର ପ୍ରସ୍ତାବ।

୨| ଏ ପ୍ରଦେଶରେ ବିଦ୍ୟାଳୟ ସମୂହରେ ବଙ୍ଗଭାଷା ଶିକ୍ଷାଦେବା ପ୍ରସଙ୍ଗରେ ସଭାପତି (ରେଭେନ୍ସା) କହିଲେ ଯେ ତାହାଙ୍କ ବିବେଚନାରେ ବଙ୍ଗଭାଷାର କୌଣସି ପ୍ରୟୋଜନ ନାହିଁ। ଏହାକୁ ଏକାବେଳକେ ଉଠାଇ ଦେବାର କର୍ତ୍ତବ୍ୟ। ସମସ୍ତ ଲୋକଙ୍କୁ ସ୍ୱଦେଶୀୟ ଭାଷା ଶିଖିବାର ଉଚିତ ଏବଂ ଯାହାର କୌଣସି ବିଦେଶୀୟ ବିଦ୍ୟା ଅଭ୍ୟାସ କରିବାର ଆବଶ୍ୟକ ହେବ ସେ ଇଂରାଜୀ ସ୍କୁଲ୍ କୁ ଆସିବ।ବଙ୍ଗଳା ଭାଷା ଶିଖି ଏ ଦେଶୀୟ ଲୋକଙ୍କର କିଛି ଉପକାର ନାହିଁ। ଏତେଦିନ ବଙ୍ଗଳା ଭାଷା ଉଠାଇ ନଦେବାର ଏହି କାରଣ ବ୍ୟକ୍ତ ହୋଇଅଛି ଯେ ଉତ୍କଳ ଭାଷାରେ ଶିକ୍ଷୋପଯୋଗୀ ଅନେକ ଉତ୍ତମ ପୁସ୍ତକ ନାହିଁ କିନ୍ତୁ ବର୍ତ୍ତମାନ ଯେତେ ପୁସ୍ତକ ଉତ୍କଳ ଭାଷାରେ ପ୍ରାପ୍ତ ହୁଅଇ ଏବଂ କଟକ ପ୍ରିଣ୍ଟିଂ କୁମ୍ପାନୀ ଯେତେ ପୁସ୍ତକ ମୁଦ୍ରିତ କରି ଅଛନ୍ତି କିମ୍ବା ମୁଦ୍ରିତ କରିବେ ବୋଲି ପ୍ରସ୍ତୁତ କରୁଅଛନ୍ତି ଏଥିରୁ ବୋଧ ହୁଅଇ ଯେ ଏ ଅଭାବ ଅଧିକ କାଳ ରହିବ ନାହିଁ ।ବିଶେଷରେ ବର୍ତ୍ତମାନ ଏ ଦେଶରେ କେତେକ ଲୋକ ଇଂରେଜୀ ଓ ବଙ୍ଗଳା ଭାଷାରେ ଶିକ୍ଷା ଲାଭ କରିଥିବାରୁ ଅତ୍ୟଳ୍ପ କାଳରେ ପ୍ରଚୂର ପୁସ୍ତକ ପ୍ରଚାର କରିବାର ଆଶା ଦେଖା ଯାଉଛି। ଏ ଅବସ୍ଥାରେ ବଙ୍ଗଭାଷା ରଖିବାର କୌଣସି କାରଣ ନାହିଁ ।

[ ଓଡିଶାର କମିଶନର ତଥା କଟକ,ପୁରୀ ଏବଂ ବାଲେଶ୍ୱର ର ସର୍ବୋଚ୍ଚ କର୍ତ୍ତା ତଥା ଦେଶୀୟ ରାଜ୍ୟ ସମୂହର ସୁପରିନଟେଣ୍ଡେଣ୍ଟ ଟି.ଇ. ରେଭେନ୍ସାଙ୍କର ଏଇ ପୁରସ୍କାର ବିତରଣୀ ସଭାର ବକ୍ତବ୍ୟ ପରବର୍ତ୍ତି ଓଡିଆ ଭାଷାଦେଶ ଗଠନ ନିମନ୍ତେ ଏକ ଐତିହାସିକ ବକ୍ତବ୍ୟ ଓ ଗୁରୁତ୍ୱପୂର୍ଣ୍ଣ ସରକାରୀ ଆଭିମୁଖ୍ୟ। ବଂଗଳା ଭାଷା ପ୍ରଚଳନର ଏଠାରେ ପ୍ରୟୋଜନ ନାହିଁ,ଯାହାର ଇଚ୍ଛା ସେଇ ଭାଷା ଶିଖିବାକୁ ସେ ଇଂରେଜୀ ସ୍କୁଲ କୁ ଯାଉ,ଓଡିଆ ଭାଷାରେ ଜ୍ଞାନପାଠର ଉପଯୁକ୍ତ  ଅଭିବୃଦ୍ଧି ଘଟୁଛି,ଏଇଭଳି ସ୍ପଷ୍ଟ ଆଉ ଶାଣିତ ଭାଷାରେ ଆଗରୁ କେହି କହିନଥିଲେ। ବ୍ରିଟିଶ ମାନେ ଫୋର୍ଟ ଉଇଲିଅମ ରେ ତାଙ୍କର ଅମଲା ମାନଙ୍କୁ ପ୍ରଶିକ୍ଷିତ କରିବା ପାଇଁ କଲେଜ ଖୋଲିଛନ୍ତି,ସେଇଠି ବଙ୍ଗଳା ଭାଷାର ଶିକ୍ଷାଦାନ ପାଇଁ ବିଶେଷ ପ୍ରବନ୍ଧ ହୋଇଛି,ଆଉ ସେଇଠି ବଙ୍ଗଳା ଭାଷାର ମୂଖ୍ୟ ତଥା ସେଇ ପ୍ରଶାସନୀକ ତାଲିମ କଲେଜ୍ ର ଅଧ୍ୟକ୍ଷ ହୋଇଛନ୍ତି ପ୍ରଖ୍ୟାତ ମିଶନାରୀ ଉଇଲିଅମ କେରୀ,ସେ ରାମରାମ ରାୟ ନାମକ ଜଣେ ବଙ୍ଗଭାଷୀ ମୁନସୀଙ୍କ ଠାରୁ ବଙ୍ଗଳା ଶିଖି ବ୍ରିଟିଶ ଅଫିସର୍ ମାନଙ୍କୁ ତାଲିମ ଦେଉଛନ୍ତି,ବଙ୍ଗଳା ଭାଷାରେ ଗପ,ଜୀବନୀ ଆଦି ରଚନା କରୁଛନ୍ତି,ଏଇ ଭଳି ଶାସନର ବସ୍ତୁତଃ କେନ୍ଦ୍ରରେ ବ୍ରିଟିଶ ସରକାରର ବଙ୍ଗଳାଭାବାପନ୍ନ ଆଭିମୁଖ୍ୟ ର ପରିପ୍ରେକ୍ଷୀରେ ରେଭେନ୍ସା ସାହେବ ବଂଗଳା ଭାଷା ର ବିରୁଦ୍ଧ ମନ୍ତବ୍ୟ ପ୍ରକାଶ୍ୟରେ ରଖିବା ଆମର ଭାଷାଦେଶ ପାଇଁ ନିହାତି ତାତ୍ପର୍ଯ୍ୟପୂର୍ଣ୍ଣ। ଏହା ଆମର ଭାଷା ସଂଗ୍ରାମୀ ମାନଙ୍କୁ ବସ୍ତୁତଃ ସାହସ ଯୋଗାଇଛି।]

ଉତ୍କଳ ଦୀପିକା,

୪ର୍ଥ ଭାଗ ,୨୦.. ୧୮୬୯, ସଂଖ୍ୟା

ଆଇନ ଉପଦେଶକ

°°°°°

ଉତ୍କଳର ଆଉ ଗୋଟିଏ ଅଭାବ ସଂପ୍ରତି ଗବର୍ଣ୍ଣମେଣ୍ଟ ମୋଚନ କରିଅଛନ୍ତି । ଏଠାରେ ଆଇନ ଉପଦେଷ୍ଟା ଜଣେ ନିଯୁକ୍ତ ନଥିବାରୁ ଉଚ୍ଚ ଶ୍ରେଣୀର ଉକିଲାତି ପରୀକ୍ଷା ଦେବାର ଯେଉଁ ଅସୁବିଧାଥିଲା କି ସେ ବିଷୟରେ ମାତ୍ର ମା୬ସ ପୂର୍ବେ ଉତ୍କଳର ଲୋକମାନେ ହାଇକୋର୍ଟକୁ ଯେଉଁ ଆବେଦନପତ୍ର ପଠାଇଥିଲେ ତାହା ଦୂରୀକୃତ ହୋଇଅଛି । ବର୍ତ୍ତମାନ କଟକ ହାଇସ୍କୁଲରେ ଆଇନ୍ ର ଉପଦେଶ ଦେବା କାରଣ ଗବର୍ଣ୍ଣମେଣ୍ଟ ରାଜକୃଷ୍ଣ ମୁଖୋପାଧ୍ୟାୟଙ୍କୁ ଟ୧୫୦ଙ୍କା ରେ ନିଯୁକ୍ତ କରି ଏ ସ୍ଥାନକୁ ପଠାଉ ଅଛନ୍ତି । କଟକ କମିଟୀ ଓ ବିଶେଷରେ ଶ୍ରୀଯୁକ୍ତ କମିଶନର ରେଭେନ୍ସା ସାହେବ ଏ ବିଷୟରେ ଯେରୂପ ମନୋଯୋଗୀ ହୋଇଥିଲେ ତାହା ଶିଘ୍ର ସଫଳ ହେଲା ଆନନ୍ଦର ବିଷୟ ଅଟଇ।

[ ଭାରତର ସ୍ୱାଧୀନତା ସଂଗ୍ରାମରେ ମୁଖର ନେତୃତ୍ୱର ଶିରୋପା ସବୁବେଳେ ଗୋଟିଏ ମୁକ୍ତ ବୃତ୍ତି ଉପରେ ନିଶ୍ଚିତ ରହିବ ,ସେଇ ମୁକ୍ତବୃତ୍ତିଟି ହେଉଛି ଓକିଲାତି। ଆଇନ ବ୍ୟବସାୟରେ ରହିଥିବା ବ୍ୟକ୍ତି ମାନେ ବସ୍ତୁତଃ ଅନେକ ସମୟରେ ଭାରତର ସ୍ୱାଧୀନତା ସଂଗ୍ରାମକୁ ସମ୍ମୁଖ ଭାଗରୁ ହିଁ ଲଢିଛନ୍ତି । ଆଇନ ଅଧ୍ୟୟନ ପାଇଁ ସେତେବେଳେ ଜଣେ ଆଇନ ଉପଦେଶକର ଆବଶ୍ୟକତା ରହୁଥିଲା।  ଭବିଷ୍ୟତର ନେତୃତ୍ୱ ପାଇଁ ଓଡିଶାରେ ଆଇନ ବ୍ୟବସାୟୀଙ୍କ ନିମନ୍ତେ କ୍ଷେତ୍ର ପ୍ରସ୍ତୁତି ଦୃଷ୍ଟିରୁ ରେଭେନ୍ସା ଆମର ସ୍ମରଣରେ ରହିବେ।]

ଉତ୍କଳ ଦୀପିକା,

୪ର୍ଥ ଭାଗ,୨୭..୧୮୬୯,ସଂଖ୍ୟା ୧୩

କଟକ ହାଇସ୍କୁଲର ବାର୍ଷିକ ପାରିତୋଷିକ ଦାନର ସଭା

°°°°°

ଗତ ବୁଧବାର ଏଇ ଉପଲକ୍ଷରେ କଟକ ହାଇସ୍କୁଲ ଗୃହରେ ଏକ ବୃହତ ସଭା ରଚନା ହୋଇଥିଲା। ଏ ନଗରସ୍ଥ ଦେଶୀୟ ଓ ବିଦେଶୀୟ ସମସ୍ତ ଧନାଢ୍ୟ ଓ ସମ୍ଭ୍ରାନ୍ତବ୍ୟକ୍ତିଙ୍କୁ ପୂର୍ବରୁ ନିମନ୍ତ୍ରଣ ହୋଇଥିଲା।xxx ଏଥିରେ ଶ୍ରୀଯୁକ୍ତ ରେଭେନ୍ସା ସାହେବ ସଭାପତି ଓ ଶ୍ରୀ ଆର୍ମଷ୍ଟ୍ରଙ୍ଗ ସାହେବ ସେକ୍ରେଟାରୀ ,ମାକଫର୍ସନ ସାହେବ କଲେକଟର୍ ଓ ପାଦ୍ରୀ ବକଲି ସାହେବ ଓ କେମ୍ବଲ ସାହେବ ଉପସ୍ଥିତ ଥିଲେ ଏବଂ ଦେଶୀୟ ସଂପ୍ରଦାୟ ଭିତରୁ ଢେଙ୍କାନାଳ ମହାରାଜ,ଦୁଇ ଚାରି ପ୍ରଧାନ ୨ ଜମିଦାର ଓ ହାକିମ ଅମଲା ମାନେ ଆଗମନ କରିଥିଲେ।xxxx ସଭାପତିଙ୍କ ବକ୍ତୃତାର ମର୍ମ ଏହି ଯେ ବର୍ଷାନ୍ତେ ପୁନର୍ବାର ଏରୂପ ସଭାର ସଭାପତି ହୋଇ ପୁରସ୍କାର ବଣ୍ଟନ କରିବାକୁ ସମର୍ଥ ହେବାରୁ ସେ ଅତିଶୟ ଆନନ୍ଦ ହେଲେ। xxx ତାଙ୍କର ଏମନ୍ତ  କହିବାରେ କେହି ମନେ ନକରିବେ ଯେ ସେ ବଙ୍ଗ ବାଳକଙ୍କ ବିରୁଦ୍ଧରେ ଉତ୍କଳ ବାଳକଙ୍କୁ ରଖିବାର ବାଞ୍ଛା କରନ୍ତି । ଏରୂପ କଦାଚ ନୁହଁଇ ,ତାହାଙ୍କର ଭାବ ଏଇ ଯେ ବଙ୍ଗ ବାଳକ ମାନେ ପୂର୍ବେ ସମସ୍ତେ ଅଗ୍ରସର ହୋଇ ଉତ୍କଳୀୟଙ୍କୁ ପଛରେ ପକାଇ ଦେଉଥିଲେ ଏବର୍ଷ ଜଣାଗଲା ଯେ ଏବେ ଉତ୍କଳୀୟମାନେ ସମ ଯୋଗ୍ୟ ହୋଇ ଅଗ୍ରସର ହେବେ। ଗତବର୍ଷ ହାଇସ୍କୁଲ ସ୍ଥାପନ ହେଲା ଏବଂ ଜଣେ ଆଇନ ଉପଦେଷ୍ଟା ନିମିତ୍ତ ଯେ ପ୍ରସ୍ତାବ ହୋଇଥିଲା ତାହା ସଂପ୍ରତି ସିଦ୍ଧ ହୋଇଅଛି ଏହା ବଡ ସୁଖର ବିଷୟ ଅଟଇ। ନବ୍ୟ ସଂପ୍ରଦାୟ ମଧ୍ୟରୁ କେତେକ ଲୋକ ଆଇନ ଶିକ୍ଷାକରି ଉକିଲ ହେବାର ଅତି ପ୍ରୟୋଜନୀୟ ଯେହେତୁ ବର୍ତ୍ତମାନ ଅତ୍ରତ୍ୟ ଉକାଲତୀର ଅବସ୍ଥା ଶୋଚନୀୟ ଅଟଇ। ଆହୁରି ଗୋଟିଏ ଅଭାବ ମୋଚନ ପକ୍ଷରେ ଯତ୍ନ ହୋଇଅଛି ବୋଧହୁଅଇ ଅଚିରେ ତାହା ଫଳପ୍ରଦ ହେବ। ଜମିମାପ ବିଦ୍ୟା ଶିକ୍ଷା ନିମିତ୍ତ ଏଠାରେ କୌଣସି ଉପାୟ ନାହିଁ ଅଥଚ ଭୂମୀମାପ କର୍ମ ଏଠାରେ ଅତି ପ୍ରୟୋଜନୀୟ। ବାରିକ ମାସ୍ତରୀ ଓ ଅମିନି ଏବଂ ଅନ୍ୟାନ୍ୟ ସରକାରୀ କର୍ମରେ ଏରୂପ ବ୍ୟକ୍ତିର ପ୍ରୟୋଜନ ହୁଅଇ। ଏପରି ଜଳସେଚନ କାର୍ଯ୍ୟ ସଂପର୍କରେ ବହୁତ ଜରିବ କର୍ମ ଜାଣିବା ବ୍ୟକ୍ତିର ଆବଶ୍ୟକ ହେବ। ଏ ସମସ୍ତ ବିବେଚନାରେ ଏହି ସ୍କୁଲରେ ମାପ ଶିକ୍ଷା ଦେବା ପାଇଁ ଗୋଟିଏ ସ୍ଵତନ୍ତ୍ର ଶ୍ରେଣୀ ହେବାର ପ୍ରସ୍ତାବ ହୋଇଅଛି ଭରସା ହୁଅଇ ଶିଘ୍ର ଗ୍ରାହ୍ୟ ହେବ। ଆଉ ଏକ ଆନନ୍ଦର ବିଷୟ ଏହି ଯେ ଢେଙ୍କାନାଳର ମହାରାଜ ଅସାଧାରଣ ବଦାନ୍ୟତା ପ୍ରଦର୍ଶନ ପୂର୍ବକ ମାସିକ ଟ୩୦ଙ୍କା ଛାତ୍ରବୃତ୍ତି ଦେବା ଭଳି ଗବର୍ଣ୍ଣମେଣ୍ଟ ପ୍ରମିସରି ନୋଟ୍ ଅର୍ଥାତ୍ କୁମ୍ପାନୀ କାଗଜ କ୍ରୟକରି କମିଟି ହସ୍ତରେ ସମର୍ପଣ କରି ଅଛନ୍ତି ,ଏ ଦାନ କେବଳ ଏକବର୍ଷ କି ଦୁଇ ବର୍ଷ ନିମିତ୍ତ ନୁହଁ ମାତ୍ର ଚିରସ୍ଥାୟୀ ଅଟଇ।

xxx ଏ ଉତ୍ତାରୁ ସଭାପତି କହିଲେ ଯେ ସେ ଏକବର୍ଷର ବିଦାୟ ଗ୍ରହଣ କରି ସ୍ୱଦେଶକୁ ଯାଉଅଛନ୍ତି ସେଠାରେ ଆପଣା ବନ୍ଧୁବାନ୍ଧବ ଆଉ ପୁତ୍ରମାନଙ୍କୁ ଦର୍ଶନ କରି କିଛିକାଳ ସେମାନଙ୍କ ସଙ୍ଗେ ସୁଖଭୋଗ କରି ଫେରି ଆସିବେ। ଏଠାରେ ରହି ଏ ଦେଶର ବାଳକଙ୍କ ଶିକ୍ଷାରେ ଯେମନ୍ତ ଯତ୍ନ କରିଥିଲେ ତଦପେକ୍ଷା ଆପଣା ବାଳକଙ୍କ ଶିକ୍ଷାର ତତ୍ତ୍ୱ କରିବା ଅଧିକ ମଣନ୍ତି କିନ୍ତୁ ସେ ଅନୁପସ୍ଥିତ ସମୟରେ ଉତ୍କଳକୁ ପାଶୋରିବେ ନାହିଁ ଓ ଆଗାମୀ ବର୍ଷ ଏହି ବାର୍ଷିକ ସଭାରେ ବସିବାକୁ ଭରସା କରନ୍ତି। ପରିଶେଷରେ ଶିକ୍ଷକଙ୍କୁ ଧନ୍ୟବାଦ ଦେଇ ସେ କ୍ଷାନ୍ତ ହେଲେ।

[ ଶିକ୍ଷକଙ୍କୁ ଧନ୍ୟବାଦ ଦେଇ ନିଜର ଭାଷଣରୁ କ୍ଷାନ୍ତ ହୋଇଥିଲେ ସେଦିନ ଓଡିଶାର ସର୍ବୋଚ୍ଚ କର୍ତ୍ତା କମିଶନର ରେଭେନ୍ସା ସାହେବ। ଏଇଟିକୁ ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଉଛି ଗୁରୁଦିବସର ଔପଚାରିକତା ବ୍ୟତୀତ କୌଣସି ସଭାରେ ଶୀର୍ଷ ଆସନ ଅଳଙ୍କୃତ କରିଥିବା କୌଣସି  ଉଚ୍ଚ ସ୍ଥାନୀୟ ଅମଲା କେବେ ସିଧା ସଳଖ କୌଣସି ଶିକ୍ଷକକୁ ଧନ୍ୟବାଦ ଦେବା ଉପସ୍ଥିତ ଲେଖକ ତାହାର ପ୍ରାୟ ଚାରି ଦଶନ୍ଧୀର ଶିକ୍ଷକ ଜୀବନରେ ଦେଖିନାହିଁ।

ସେ ଯାହାହେଉ ରେଭେନ୍ସା ସାହେବଙ୍କର ଏଇ ଅଭିଭାଷଣରୁ ତାଙ୍କର ଶିକ୍ଷାନୀତିର ବହୁମୁଖୀତା ତଥା କମ୍ପୋଜିଟନେସ୍ କୁ ବୁଝାଯାଇପାରିବ ଆଉ ବୁଝାଯାଇପାରିବ କେଉଁଭଳି ଓଡିଶା ସହ ନିଜର ସଂପର୍କକୁ ସେ ଆବେଗିକ ସ୍ତରକୁ ନେଇଯାଇଥିଲେ।]

ଉତ୍କଳ ଦୀପିକା,

୭ମ ଭାଗ, ୧୦.. ୧୮୭୨, ସଂଖ୍ୟା

ଓଡିଶାରେ ଗୋଟିଏ କଲେଜର ପ୍ରୟୋଜନ

°°°°°

xxx

ତେବେ ଆମମାନଙ୍କର ଗୋଟିଏ ଆଶା ଏହି ଅଛି ଯେ ଓଡିଶା ବଙ୍ଗଦେଶରେ ଗୋଟିଏ ସୁଭା ଅଟଇ,ବଙ୍ଗଳା ଓ ବିହାର ଅନ୍ୟ ଦୁଇ ସୁଭା। ଏଥିରେ ବଙ୍ଗଳାରେ ବହୁତ କଲେଜ ଅଛି ଓ ବିହାରରେ ମଧ୍ୟ ପାଟନା କଲେଜ ଅଛି କିନ୍ତୁ ଓଡିଶା କି ଦୋଷ କରିଅଛି ଯେ ଗୋଟିଏ ସୁଦ୍ଧା କଲେଜ ପାଇବ ନାହିଁ । ବାସ୍ତବରେ ଏହାର ଗୋଟିଏ କଲେଜ ପ୍ରତି ଦାବୀ ହୋଇଅଛି। ଏଥକୁ ଗବର୍ଣ୍ଣମେଣ୍ଟ ବ୍ରହ୍ମପୁର କଲେଜ ଉଠାଇ ଦେଇ ଯେଉଁ ଲାଭ କରି ଅଛନ୍ତି ତାହାର କୌଣସି ଅଂଶ ଓଡିଶାକୁ ଦେଲେ କାର୍ଯ୍ୟ ଚଳିପାରେ । ଏ ସବୁ ଶୁଭଲକ୍ଷଣ ଛଡା ଆହୁରି ଦେଖାଯାଏ ଯେ ଏହି ବର୍ଷ ନିମନ୍ତେ ବହୁତ ଛାତ୍ର ପରୀକ୍ଷୋତ୍ତୀର୍ଣ୍ଣ ହେବାରୁ କଲେଜ ସ୍ଥାପନ ର ନିତାନ୍ତ ପ୍ରୟୋଜନ ହୋଇଅଛି। ତେମନ୍ତ ମହାମାନ୍ୟବର ଗବର୍ଣ୍ଣର ଜେନେରାଲ୍ ସାହେବ ଚିରଦୁଃଖିନୀ ଓଡିଶା-ଦୁର୍ଦ୍ଦଶା ସ୍ୱଚକ୍ଷୁରେ ଦର୍ଶନ କରିବାକୁ ଶୁଭାଗମନ କରୁଛନ୍ତି। ଏରୂପ ସଂଯୋଗକୁ ରାଜଯୋଟକ ବୋଲା ଯାଇପାରେ। ଯେବେ ଗୋଟିଏ କଲେଜ ସ୍ଥାପନର ଆଜ୍ଞା ନହେବ ତେବେ ଏଡେ ଯୋଗଟା କି ବ୍ୟର୍ଥ ଯିବ ? xxx ଯଥେଷ୍ଟ ଧାନ ଫଳିବାରୁ ପ୍ରାଣଧାରଣ କରିବାକୁ ସମର୍ଥ ହେଉଅଛୁଁ ଓ ଯାହା ଅବା କଦା କଦା ୨ ଦୁର୍ଭିକ୍ଷର ଭୟ ଥିଲା ତାହା ନିବାରଣ ପକ୍ଷରେ ଗବର୍ଣ୍ଣମେଣ୍ଟ ନାଳଖୋଳି ଆପଣା କର୍ତ୍ତବ୍ୟ ସାଧନ କରୁ ଅଛନ୍ତି ।ଏଥର ମାନସିକ ଦୁର୍ଭିକ୍ଷ ବଳବତ୍ତର ରୂପେ ପଡିଲା।ଏଥିର ଉଦ୍ଧାର କାରଣ କିଛି ଉପାୟ ହୋଇନାହିଁ  ଅତଏବ ସର୍ବାଗ୍ରେ ଗବର୍ଣ୍ଣର ଜେନେରାଲ୍ ଙ୍କ ଆସିବା ଅପେକ୍ଷାରେ ଏଇ କାର୍ଯ୍ୟଟି ରହିଅଛି।

[ ନଅଙ୍କ ଦୁର୍ଭିକ୍ଷର କରାଳ ଛାୟା ଆଉ ଜନମାନସରେ ନାହିଁ ,ଅଛି ମାନସିକ ଦୁର୍ଭିକ୍ଷ ଆଉ ସେଇଥିପାଇଁ ଏକ କଲେଜ ସ୍ଥାପନାର ନିବେଦନ।]

ଉତ୍କଳ ଦୀପିକା,

୮ମ ଭାଗ, ..୧୮୭୩, ସଂଖ୍ୟା

ଓଡିଶା ଶିକ୍ଷା ବିଭାଗର ବାର୍ଷିକ ବିଜ୍ଞାପନ

°°°°°

ଓଡିଶାର ବିଦ୍ୟାଳୟ ମାନଙ୍କରେ ବଙ୍ଗଳା ଭାଷାରେ ଶିକ୍ଷାଦେବା ଏକାବେଳକେ ନିଷେଧ କରିବା ପାଇଁ ଶ୍ରୀଯୁକ୍ତ କମିଶନର ସାହେବ ଗବର୍ଣ୍ଣମେଣ୍ଟଙ୍କୁ ଅନୁରୋଧ କରିଥିଲେ।ଏଥକୁ ଗବର୍ଣ୍ଣମେଣ୍ଟ ବଙ୍ଗାଳ ଏକ ମନ୍ତବ୍ୟ ପ୍ରକାଶ କରି ଅଛନ୍ତି ଯେ ସେପରି ହେବାର ଉଚିତ କେବଳ

ବଡ ୨ ସ୍କୁଲରେ ବଙ୍ଗାଳିଙ୍କ ସଂଖ୍ୟା ଅଧିକ ହେତୁରୁ ଗୋଟିଏ ସ୍ୱତନ୍ତ୍ର ଶ୍ରେଣୀ ସ୍ଥାପନ ହୋଇପାରେ। ଏରୂପ ଉପାୟ କଲେ କିରୂପ କାର୍ଯ୍ୟ ହେବ ଅର୍ଥାତ୍ କୌଣସି ବାଧା ହେବକି ନାହିଁ ଏ ବିଷୟରେ କମିଶନର ଓ ଇନସପେକ୍ଟର ଙ୍କ ମତ ପ୍ରାର୍ଥନା କରାଯାଇଅଛି।

xxx

ଶ୍ରୀଯୁକ୍ତ ରେଭେନ୍ସା ସାହେବ ଉତ୍କଳ ପାଠ୍ୟପୁସ୍ତକ ଯାହାକି କେତେକ ବର୍ଷ ମଧ୍ୟରେ ପ୍ରକାଶିତ ହୋଇଅଛି ତହିଁର ଖଣ୍ଡିଏ ତାଲିକା ପଠାଇ ଅଛନ୍ତି।ମାନ୍ୟବର ଲେଫଟନାଣ୍ଟ ଗବର୍ଣ୍ଣର ଏ ବିଷୟରେ କହିଆଛନ୍ତି ଯେ କଟକ,ବାଲେଶ୍ୱର ,

ମଧ୍ୟପ୍ରଦେଶ,ଗଞ୍ଜାମ ଏବଂ କଲିକତାରେ ପ୍ରକାଶିତ ସମସ୍ତ ଉତ୍କଳ ପୁସ୍ତକ ଅନୁସନ୍ଧାନ ପୂର୍ବକ ରିପୋର୍ଟ କରିବାର ଯେଉଁ ଉଦଯୋଗ ହୋଇଅଛି ତାହା ଅତି ପ୍ରଶଂସାଯୋଗ୍ୟ ଅଟଇ।

[ ଓଡିଆ ସ୍କୁଲ୍ ରୁ ବଙ୍ଗଳା ଭାଷା ଉଠାଇ ନେବା ପାଇଁ  ରେଭେନ୍ସା ଙ୍କ ପ୍ରସ୍ତାବ ବସ୍ତୁତଃ ଓଡିଆ ଭାଷାଦେଶ ନିମନ୍ତେ ପ୍ରଥମ ସଫଳ କାର୍ଯ୍ୟକାରୀ ପଦକ୍ଷେପ। ]

ଉତ୍କଳ ହିତୈଷଣୀ,

ସଂଖ୍ୟା ,୧୬ ମଇ ୧୮୭୪, ସଂଖ୍ୟା

°°°°°

ଆମ୍ଭେମାନେ ଅତ୍ୟନ୍ତ ଆନନ୍ଦର ସହିତ ଅବଗତ ହୋଇଛୁ ଯେ ଗବର୍ଣ୍ଣମେଣ୍ଟ ଟ ୧୫ ମୂଲ୍ୟର ଦୁଇଗୋଟି ଛାତ୍ରବୃତ୍ତି ଓଡିଶାର ଦେଶୀୟ ଛାତ୍ର ଯେଉଁ ମାନେ ଡାକ୍ତରି ଶିକ୍ଷା ନିମନ୍ତେ ଊପଯୁକ୍ତ ବିବେଚିତ ହେବେ ସେମାନଙ୍କ ନିମନ୍ତେ ବ୍ୟବସ୍ଥା କରିଛନ୍ତି । ଏଇ ଦୁଇଟି ଛାତ୍ରବୃତ୍ତି ସିଆଲଦା ମେଡିକାଲ୍ ଇନଷ୍ଟିଚ୍ୟୁସନ ଅଧ୍ୟୟନ ନିମନ୍ତେ ଏବଂ ଓଡିଆ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଆଶା ଓଡିଶାର ଛାତ୍ରମାନେ ଏହାର ସୁଯୋଗ ନେବେ। ଆମର ସୁଯୋଗ୍ୟ କମିଶନର ଯିଏ ଓଡିଶାରେ ଲୋକହିତକର କାର୍ଯ୍ୟ ନିମନ୍ତେ ବିଶେଷ ପ୍ରସିଦ୍ଧି ଅର୍ଜନ କରିଅଛନ୍ତି ଏହି କାର୍ଯ୍ୟନିମନ୍ତେ ସେ ଧନ୍ୟବାଦାର୍ହ।

(ଇଂରେଜୀ ବିବରଣୀର ଓଡିଆ ରୂପାନ୍ତର)

ଉତ୍କଳ ପୁତ୍ର,

୨ୟ ଭାଗ,.୧୦.୧୮୭୪, ସଂଖ୍ୟା ୧୨

ପାଠକେ ! ଆପଣମାନେ ଅବଗତ ହୋଇ ଆନନ୍ଦିତ ହେବେ ଯେ ଆମ୍ଭମାନଙ୍କର ହିତୈଷୀ କମିଶନର ରାଭେନ୍ସା ସାହେବ କଲିକତା ମେଡିକାଲ ସ୍କୁଲ୍ ରେ ପଢୁଥିବା ଓଡିଶାବାସୀ ଜ୩ଣ ଓ ମେଡିକାଲ କଲେଜରେ ପଢୁଥିବା ଜନାର୍ଦ୍ଦନ ମହାପାତ୍ର ନାମକ ଜଣକୁ ପୁସ୍ତକ ଯନ୍ତ୍ରାଦି କ୍ରୟ କରିବା ଉଦ୍ଦେଶ୍ୟରେ ଟ୨୫ଙ୍କା ଲେଖାଏଁ ପ୍ରତ୍ୟେକଙ୍କୁ ପଠାଇଛନ୍ତି,ମଧ୍ୟ ଏହା ବଡ ପ୍ରଶଂସାର ବିଷୟ।ସାଧାରଣଙ୍କର କମିଶନର ସାହେବଙ୍କୁ ଏ ବିଷୟରେ ଅନୁସରଣ କରିବା ବିଧେୟ। ବିଶେଷତଃ ଜନାର୍ଦ୍ଦନ ମହାପାତ୍ର ସକାଶେ ସାଧାରଣଙ୍କୁ ଅନୁରୋଧ କରୁଅଛୁ କିଛି ୨ ତାକୁ ସମସ୍ତେ ସାହାଯ୍ୟ କରନ୍ତୁ । ଆମ୍ଭମାନଙ୍କଠାକୁ,କାହାର କିଛି ଦେବାର ଥିଲେ ପଠାଇଲେ,ଆମ୍ଭେମାନେ ଯଥାସ୍ଥଳକୁ ପଠାଇଦେବୁ।

ବାଲେଶ୍ୱର ସମ୍ବାଦ ବାହିକା,

୮ମ ଭାଗ, ୧୬ ନଭେମ୍ବର ୧୮୭୫, ସଂଖ୍ୟା

କଟକ କଲେଜ ନିମନ୍ତେ ଭେଦା ସଂଗ୍ରହ

କଟକରେ କଲେଜ ସ୍ଥାପନ କରିବା ବିଷୟରେ ଆମ୍ଭମାନଙ୍କ କମିଶନର ସାହେବ (ରେଭେନ୍ସା ସାହେବ ) ଯେପରି ଯତ୍ନ କରୁଛନ୍ତି ତାହା ପାଠକମାନଙ୍କ ଠାରେ ଅବିଦିତ ନାହିଁ, ସରକାର ବାହାଦୁର ପାଞ୍ଚବର୍ଷ ନିମନ୍ତେ ଯେଉଁ ୩୦ ହଜାର ଟଙ୍କା ସାହାଯ୍ୟ ଚାହିଁଥିଲେ,ତାହା ପ୍ରାୟ ସ୍ୱାକ୍ଷରିତ ହୋଇଅଛି। ଆମ୍ଭେମାନେ ଅନୁମାନ କରୁ,ଆମ୍ଭ ମାନଙ୍କର କଲେକ୍ଟର ସାହେବ ବାଲେଶ୍ୱରରୁ ଯେଉଁ ପରିମାଣରେ ଭେଦା ସ୍ୱାକ୍ଷର କରାଇ ଅଛନ୍ତି ସେହି ପରିମାଣରେ କଟକ ଓ ପୁରୀରୁ ଯେବେ ଭେଦା ଉଠେ,ତେବେ ବିଦେଶୀୟ ଭେଦାକୁ ଘେନି ଟଙ୍କା ବଳି ପଡିବ। ବାଲେଶ୍ୱର ଜିଲ୍ଲାରୁ ସବୁସୁଦ୍ଧା ଟ୫୨୨୫ଙ୍କା ଭେଦା ଉଠିଅଛି। ଏହି ଟଙ୍କା ମଧ୍ୟରୁ ଯେଉଁ ଜମିଦାର ଯେତେ ସ୍ୱାକ୍ଷର କରିଅଛନ୍ତି ଓ ସ୍ୱାକ୍ଷରିତ ଟଙ୍କା ମଧ୍ୟରୁ ଯେଉଁ ମହାଶୟ ଯେତେ ନଗଦ ଦେଇଅଛନ୍ତି କଲେକ୍ଟର (ଏଠାରେ ଜନ ବୀମସ୍) ଙ୍କ ଆଜ୍ଞା ଅନୁସାରେ ସେମାନଙ୍କର ନାମ ଓ ସେମାନଙ୍କର ଭେଦା ତାଲିକା ତଳେ ପ୍ରକାଶ କଲୁ।(ବିସ୍ତୃତ ତାଲିକା ରହିଛି)।

[ଏଇ ସଂବାଦରୁ ଗୋଟିଏ କଥା ପରିଷ୍କାର ଯେ କଟକ କଲେଜର ପ୍ରତିଷ୍ଠା ପାଇଁ ଆବଶ୍ୟକ ହେଉଥିବା ଟ୩୦୦୦୦ଙ୍କା ପାଇଁ କମିସନର ରେଭେନ୍ସା ଙ୍କର ତାଙ୍କର ଅଧୀନସ୍ଥ ତିନୋଟିଯାକ ଜିଲ୍ଲା ଯଥା,କଟକ ,ପୁରୀ ଆଉ ବାଲେଶ୍ୱର ରୁ ଯାହାକୁ ଆଜିର ଭାଷାରେ କହିବା “କ୍ରାଉଡ୍ ଫଣ୍ଡିଙ୍ଗ” ଆକାରରେ ସଂଗୃହୀତ ହୋଇଥିଲା। ବାଲେଶ୍ୱର ରୁ ସଂଗୃହୀତ ଟ୫୨୨୫ଙ୍କା ଭିତରେ ମୟୁରଭଞ୍ଜ ମହାରାଜଙ୍କ ଟ୫୦୦ଙ୍କା ର ଯୋଗଦାନ ରହିଅଛି। ପରେ ମୟୁରଭଞ୍ଜ ମହାରାଜା ସ୍ୱତନ୍ତ୍ରଭାବରେ ଟ୨୦,୦୦୦ଙ୍କା ପ୍ରଦାନ କରିଥିଲେ। ଏହି ସମ୍ବାଦ ପାଠ କରିବା ପରେ ଆମର କହିବା କଥା ହେଉଛି ରେଭେନ୍ସା ସାହେବ କଲେଜ ଗଠନ ନିମନ୍ତେ ସରକାରୀଗତ ସମସ୍ତ କାର୍ଯ୍ୟନ୍ୱୟନ କରିଥିବା ବେଳେ ଓଡିଶାର ଲୋକେ ବିଶେଷ ଭାବରେ କଟକ,ପୁରୀ ଆଉ ବାଲେଶ୍ୱର ର ଦେଶୀୟ ଜମିଦାର ମାନେ ଉଦାର ହସ୍ତରେ ଅର୍ଥ ପ୍ରଦାନ କରିଛନ୍ତି। ଏଇଠି ଆଉ ଗୋଟିଏ କଥା ଉଲ୍ଲେଖଯୋଗ୍ୟ ଯେ ରେଭେନ୍ସା ଙ୍କ ଅଧୀନସ୍ଥ ( ଯେହେତୁ ସେ କମିଶନର ସହ ଗଡଜାତ ସମୂହର ସୁପରିନଟେଣ୍ଡେଣ୍ଟ ଥିଲେ) ଗଡଜାତ ସମୂହରୁ ମଧ୍ୟ କଟକ କଲେଜ ପ୍ରତି କିଛି ପାଣ୍ଠି ମିଳିଥିଲା। କିନ୍ତୁ କଳାହାଣ୍ଡି ମହାରାଜା ଏବଂ ବାମଣ୍ଡା ମହାରାଜା କଟକ କଲେଜ ଅପେକ୍ଷା କଟକର ମେଡିକାଲ ସ୍କୁଲ୍ ପାଇଁ ନିୟମିତ ଦୁଇଟି ଲେଖାଏଁ ଛାତ୍ରବୃତ୍ତିର ପ୍ରବଂଧ କରିବା ସହିତ ଭିନ୍ନ ଭିନ୍ନ ସମୟରେ  ଅର୍ଥ ପ୍ରଦାନ କରୁଥିଲେ। ମେଡିକାଲ ସ୍କୁଲ ପ୍ରତି ଗଡଜାତ୍ ମାନଙ୍କର ଝୁଙ୍କ ଅଧିକ ଥିଲା।]

ଊତ୍କଳ ଦୀପିକା,

୧୧ ଭାଗ, ୨୯..୧୮୭୬, ସଂଖ୍ୟା

କଟକ କଲେଜ

°°°°°

ଆମ୍ଭେମାନେ ଅବଗତ ହୋଇଅଛୁ ଯେ କଟକ କଲେଜ ଏଥର ନିଶ୍ଚୟ ଫିଟିବ। ଶ୍ରୀଯୁକ୍ତ ଏଜର ସାହେବ ପ୍ରିନସିପାଲ ହେଲେ ମାତ୍ର ବର୍ତ୍ତମାନ ପୂରା ବେତନ ନପାଇ ଟ୩୫୦ଙ୍କା ପାଇବେ।ରାସାୟନିକ ଓ ସାଧାରଣ ବିଷୟର ଶିକ୍ଷା ନିମିତ୍ତ ଏକ ବ୍ୟକ୍ତି ନିଯୁକ୍ତ ହୋଇ ଆସୁଅଛନ୍ତି ।ଏହି ମାସରେ ପହଞ୍ଚିବେ ଓ ଜଣେ ହେଡମାଷ୍ଟର ମଧ୍ୟ ଶିଘ୍ର ନିଯୁକ୍ତ ହେବେ କିନ୍ତୁ କଲେଜରେ କେତେ ଜଣ ପଢିବେ ଅବଧି ଠିକ୍ ହୋଇନାହିଁ । ଏ ବର୍ଷ ଚାରିଜଣ ଫାଷ୍ଟ ଆର୍ଟସ୍ (ଏଫଏ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଅଛନ୍ତି ତହିଁ ମଧ୍ୟରୁ ଜଣେ କଲିକତାରେ ପଢିବେ ଅପର ତିନିଜଣ ମଧ୍ୟରୁ ଜଣେ ବୃତ୍ତି ପାଇଅଛି ସେ ପଢିବ ଆଉ ଦୁଇଜଣ ବୃତ୍ତି ନପାଇଲେ ପଢିବେ ନାହିଁ ବୋଲି ଶୁଣାଯାଏ । ଏହାଙ୍କୁ ବୃତ୍ତି ଅବା କେଉଁଠାରୁ ଦିଆଯିବ। ବୋଧହୁଏ ଜଣେ ମେଓ ବୃତ୍ତି ପାଇପାରିବେ । ଏପରି ଶୁଣାଯାଏ  ପୂର୍ବେ ଯେଉଁମାନେ ଏ ପରୀକ୍ଷାରେ କୃତକାର୍ଯ୍ୟ ଲଭି ବର୍ତ୍ତମାନ ଚାକିରୀ କରିଅଛନ୍ତି ତାହାଙ୍କୁ ପଢାଇବାର ଉଦ୍ୟମ ହେଉଅଛି।ପ୍ରତ୍ୟକ୍ଷ ଦେଖା ନଗଲେ ଏଥିରେ ବିଶ୍ୱାସ ହେଉନାହିଁ ଏପରି ପ୍ରବେଶିକା ପରୀକ୍ଷାର ଫଳ ଦୃଷ୍ଟିରେ ଆଗାମୀ ବର୍ଷକୁ ମଧ୍ୟ ଅଳ୍ପ ଛାତ୍ର କଲେଜ ପାଇଁ ମିଳିବାର ସମ୍ଭାବନା ଦେଖାଯାଏ ଏମନ୍ତ ସ୍ଥଳେ କାହିଁକି ହାକିମ ମାନେ କଲେଜ କରିବାକୁ ଏତେ ତର୨ ହେଉ ଅଛନ୍ତି କୁହାଯାଇନପାରେ। କଲେଜ ସକାଶେ ଯେଉଁ ୩୦ ହଜାର ଟଙ୍କା ଉଠିଅଛି ତହିଁର ସୁଧରୁ ବୃତ୍ତି ଦେଲେ ବର୍ଷକୁ ଚାରିଜଣ ଲେଖାଏଁ କଲିକତାରେ ଯାଇ ପଢିପାରନ୍ତି। ତାହା ନକରି ଅସମୟରେ କଲେଜ ଫିଟାଇ ଦରିଦ୍ର ଓଡିଶାର ଟଙ୍କା ବିନିର୍ବ୍ୟୟ କରିବା ଆମ୍ଭମାନଙ୍କ ମତରେ ଭଲ ହୋଇ ନାହିଁ ।ଏଥିରେ କେବଳ ବର୍ତ୍ତମାନ କ୍ଷତି ହେବ ଏମନ୍ତ ନୁହେଁ ଭବିଷ୍ୟତକୁ କଲେଜ ରହିବା ପକ୍ଷରେ ମଧ୍ୟ ଖୋଳମାଳ ହୋଇପାରେ ।

୧୦

ଉତ୍କଳ ଦୀପିକା,

୧୧ଶ ଭାଗ,୧୮.. ୧୮୭୬, ସଂଖ୍ୟା

ଓଡିଶା ମେଡିକାଲ ସ୍କୁଲ

°°°°°

ଚଳିତ ମାସ ତା୧୫ରିଖ ଠାରୁ ଓଡିଶାର ମେଡିକାଲ ସ୍କୁଲ ଫିଟିଲା। ସେଦିନ ସମସ୍ତ ଶିକ୍ଷକ ଓ ଛାତ୍ରମାନେ ଉପସ୍ଥିତ ହେଲାରୁ ଆସିଷ୍ଟାଣ୍ଟ ସର୍ଜନ ଚୁନିଲାଲ ବାବୁ ପ୍ରଥମେ ଗୋଟିଏ ବକ୍ତୃତା ଦ୍ୱାରା ଇଂରାଜୀ ଚିକିତ୍ସାର ଇତିହାସ ସଂକ୍ଷେପ ରୂପେ ଛାତ୍ରଙ୍କୁ ଜଣାଇଲେ । ତହିଁ ଉତ୍ତାରୁ ଶ୍ରୀଯୁକ୍ତ ଡାକ୍ତର ଷ୍ଟିୱାର୍ଟ ସାହେବ ଇଂରେଜୀରେ ଗୋଟିଏ ଉପଦେଶ ଗର୍ଭକ ବକ୍ତୃତା କଲେ ଓ ନେଟିଭ ଡାକ୍ତର ଭୂଷଣ ବାବୁ ତାହା ଉତ୍କଳ ଭାଷାରେ ଛାତ୍ରଙ୍କୁ ବୁଝାଇ ଦେଲେ।

୧୧

ବାଲେଶ୍ୱର ସଂବାଦ ବାହିକା,

୮ମ ଭାଗ, ୧୬..୧୮୭୭, ସଂଖ୍ୟା ୧୬

ଶିକ୍ଷା ସଂକ୍ରାନ୍ତ ଓଡିଶ୍ୟା ବିଭାଗ ଉଚ୍ଚ ଶ୍ରେଣୀର ବୃତ୍ତି ଭୋଗୀ ବଙ୍ଗାଳୀ ଛାତ୍ରମାନେ

xxxx

ଓଡିଶ୍ୟାରେ ଯେତେ ପିଲା ଇଂରେଜୀ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ପ୍ରାୟ ସମସ୍ତେ ବୃତ୍ତି ପାଇପାରନ୍ତି,ମଧ୍ୟ କେଭେ ୨ ବୃତ୍ତି ବଳି ପଡେ । ବଙ୍ଗଦେଶରେ ସେଭଳି ଘଟେ ନାହିଁ,ଅନେକ ପିଲା ପାସ କରନ୍ତି ମାତ୍ର ଅତ୍ୟଳ୍ପ ପିଲା ବୃତ୍ତି ପାଆନ୍ତି।କୌଣସି କୌଣସି ବଙ୍ଗାଳି ପିଲା କେବଳ ବୃତ୍ତି ପାଇବା ଆଶାରେ ଆସି ଓଡିଶ୍ୟାର ଇଂରେଜୀ ସ୍କୁଲ ମାନଙ୍କରେ ପଢନ୍ତି ମଧ୍ୟ ପାସ କରି ବୃତ୍ତି ଘେନି ପ୍ରେସିଡେନସି କଲେଜରେ ପଢିବା ନିମନ୍ତେ ଚାଲି ଯାଆନ୍ତି। ଯେତେବେଳେ କଟକରେ କଲେଜ ବସି ନଥିଲା ତେତେବେଳେ ବଙ୍ଗାଳି ପିଲାମାନଙ୍କର ଏରୂପ ଯିବା ଶୋଭା ପାଉଥିଲା,କଟକରେ ହାଇସ୍କୁଲ ବସିଲା ଦିନଠାରୁ ସେମାନଙ୍କର ଏପରି ଯିବା ଆଉ ଶୋଭା ଦିଶିଲା ନାହିଁ;ତଥାଚ ଏଥି ମଧ୍ୟରେ କେହି ୨ ସେହି ବୃତ୍ତି ଘେନି ପ୍ରେସିଡେନସି କଲେଜକୁ ଯାଇଥିଲେ। ସେଇ ପରି ଗତ ଏଫଏ ପରୀକ୍ଷାରେ ଯୋଡିଏ ଛାତ୍ର ଓଡିଶ୍ୟାର ବୃତ୍ତି ପାଇ ଓଡିଶ୍ୟାର ନୂତନ କଲେଜର ନପଢି ପ୍ରେସିଡେନ୍ସି କଲେଜକୁ ଯାଇ ପଢୁଥିବାର ଦେଖାଯାଇଛି ।

[ବାଲେଶ୍ୱର ସମ୍ବାଦ ବାହିକାର ଏଇ ସଂବାଦ ଓଡିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଆଡକୁ ଆମର ଦୃଷ୍ଟି ଆକର୍ଷଣ କରୁଛି। ଛାତ୍ରଟି ଓଡିଶା ପାଇଁ ଉଦ୍ଦିଷ୍ଟ ବୃତ୍ତି ପାଇବ ଅଥଚ ସେ ଓଡିଶାକୁ ଛାଡି କଲିକତା କୁ ପଢିବାକୁ ଯିବ। କମିଶନର ରେଭେନ୍ସା ସାହେବଙ୍କର ଓଡିଶା ମନସ୍କତା କାରଣରୁ ଓଡିଶା ର ବୃତ୍ତିଧାରୀ ଛାତ୍ରମାନେ କଲିକତାରେ ଯାଇ ପଢିବା ଆଗରୁ କେତେଥର ନିଶ୍ଚୟ ଭାବୁଥିଲେ।

୧୨

ଉତ୍କଳ ଦୀପିକା,

୧୨ଶ ଭାଗ, ୧୦..୧୮୭୭

ବି.. ପରୀକ୍ଷା ଫଳ

କଲିକତା ବିଶ୍ୱ ବିଦ୍ୟାଳୟର ବି.ଏ.  ପରୀକ୍ଷାର ଫଳ କଲିକତା ଗେଜେଟ ରେ ବାହାରିଅଛି।ଆମ୍ଭେମାନେ ତହିଁରେ ଅତ୍ୟନ୍ତ ଆନନ୍ଦର ସହିତ ପାଠ କଲୁ ଯେ ଓଡିଶାର ଦିୟୋଟି ଛାତ୍ର ଏଥର ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଅଛନ୍ତି।ଏମାନଙ୍କ ନାମ ନିତ୍ୟାନନ୍ଦ ଘୋଷ ଓ ଚତୁର୍ଭୂଜ ପଟ୍ଟନାୟକ । ଏଥିପୂର୍ବେ କେବଳ ବାବୁ ମଧୁସୂଦନ ଦାସ ବି.ଏ.  ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ମାତ୍ର ସେ ଓଡିଶାରୁ ବାହାରି ଯାଇ ଖ୍ରୀଷ୍ଟିଆନ ହୋଇ କଲିକତାରେ ଅଧ୍ୟୟନ କରିବା ଦ୍ୱାରା କୃତକାର୍ଯ୍ୟ ହୋଇଥିବାରୁ ଓଡିଶାର ଲୋକ ପରି ବୋଧ ହେଲେ ନାହିଁ । ସଂପ୍ରତି ଯେଉଁ ଦୁଇଜଣ ଉତ୍ତୀର୍ଣ୍ଣ ହେଲେ ଏମାନେ କେବଳ ପ୍ରକୃତ ଓଡିଆ ଏତିକି ନୁହଁ କଟକ ହାଇସ୍କୁଲ ରେ ଏଫ.ଏ.ପରୀକ୍ଷା ଦେଇ ପ୍ରେସିଡେନ୍ସି କଲେଜରେ ପାଠ କରୁଥିଲେ। ନିତ୍ୟାନନ୍ଦ ବାବୁ ଏକାଥରକେ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ଏଥିପାଇଁ ସେ ବିଶେଷ ପ୍ରଶଂସାର ଯୋଗ୍ୟ ଅଟନ୍ତି ମାତ୍ର ଚତୁର୍ଭୂଜ ପଟ୍ଟନାୟକ ତିନିଥର ହାରିଯାଇ ସୁଦ୍ଧା ସେ ହତାଶ ନହୋଇ କ୍ରମଶଃ ପରିଶ୍ରମ କରି ଚତୁର୍ଥ ଥରରେ କୃତକାର୍ଯ୍ୟ ହେଲେ ତାହାଙ୍କର ଅଧ୍ୟବସାୟ ସାମାନ୍ୟ ପ୍ରଶଂସାର ବିଷୟ ନୁହଇ। ଅନେକ ଛାତ୍ର ଥରକରେ ଅକ୍ଷମ ହେଲେ ସୁଦ୍ଧା ଛାଡିଦେଇ ବସନ୍ତି ,ଏପରି ଲୋକଙ୍କୁ ଆମ୍ଭେମାନେ ଅନୁରୋଧ କରୁଅଛୁ ଯେ ସେମାନେ ପଟ୍ଟନାୟକଙ୍କ ଅଧ୍ୟବସାୟ ଅନୁକରଣ କରନ୍ତୁ ତାହାହେଲେ ଓଡିଶାର ଅବସ୍ଥା ଶୀଘ୍ର ଉନ୍ନତ ହେବ। xxx ଆମ୍ଭମାନଙ୍କର ମତରେ ଏମାନେ ଆଇନର ପରୀକ୍ଷା ଦେଇ ଓକିଲ ହୋଇ ଆସିଲେ ହେବ।

[ ମଧୁ ବାବୁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିବାରୁ ତାଙ୍କୁ ନେଇ ଓଡିଶାରେ ସେତେବେଳେ କିଛି ବିରୂପତାର ପ୍ରକାଶ ପାଇଥିଲା ତାହାର ପ୍ରମାଣ ଏଇ ସମ୍ବାଦ। ତାଙ୍କର ଓଡିଆତ୍ୱ ଉପରେ ବି ପ୍ରଶ୍ନ ଚିହ୍ନ ଲଗାଇଥିଲା ସେଦିନ ଉତ୍କଳ ଦୀପିକା। ଆଉ ଗୋଟିଏ କଥା ଏଇ ସମ୍ବାଦରୁ ସ୍ପଷ୍ଟ ଯେ ଯେଉଁମାନେ ବି.ଏ. ପାଶ କରୁଛନ୍ତି ସେମାନେ ଓକିଲାତି ବୃତ୍ତିକୁ ଆସନ୍ତୁ । ସେ ସମୟର ଭାରତୀୟ ସମାଜରେ ଓକିଲ ମାନେ ନେତୃତ୍ୱର ଆଗଧାଡିରେ ରହୁଥିଲେ।]

୧୩

ଉତ୍କଳ ଦୀପିକା,

୧୩ ଭାଗ, ..୧୮୭୮, ସଂଖ୍ୟା ୧୪

ଓଡିଶା ମେଡିକାଲ ସ୍କୁଲ

ଗତ ସୋମବାର ଏ ନଗରସ୍ଥ ମେଡିକାଲ ସ୍କୁଲ୍ (ଚିକିତ୍ସା ବିଦ୍ୟାଳୟ)ର ଛାତ୍ରମାନଙ୍କୁ ବାର୍ଷିକ ପାରିତୋଷିକ ବିତରଣ ଉଦ୍ଦେଶ୍ୟରେ ହାସପାତାଲ ଠାରେ ସଭା ହୋଇଥିଲା । ଶ୍ରୀଯୁକ୍ତ କମିଶନର ରେଭେନଶା ସାହେବ ସଭାପତିର ଆସନ ଗ୍ରହଣ କରିଥିଲେ । ସଭାରେ ସ୍କୁଲ ର ଶିକ୍ଷକ ଓ ଛାତ୍ରମାନଙ୍କ ସହିତ ଏ ନଗରୀର କେତେଜଣ ଇଂରାଜ ଓ ଦେଶୀୟ ଭଦ୍ରଲୋକ ଉପସ୍ଥିତ ହୋଇଥିଲେ । ସକାଳ ଘ୮ଣ୍ଟା ସମୟରେ ସଭାର କାର୍ଯ୍ୟ ଆରମ୍ଭ ହୁଅନ୍ତେ ଶ୍ରୀଯୁକ୍ତ ଡାକ୍ତର ଷ୍ଟିୱାର୍ଟ ସାହେବ ବାର୍ଷିକ ବିଜ୍ଞାପନୀ ପାଠ କଲେ। ତହିଁରୁ ଜଣାଗଲା ଯେ ବିଦ୍ୟାଳୟର ଦ୍ୱିତୀୟ ବାର୍ଷିକ ଅଧିବେଶନ ସନ ୧୮୭୭ ସାଲ ଜୁନ ମାସରେ ଆରମ୍ଭ ହୋଇ ସନ ୧୮୭୮ ସାଲ ତା୩୧ରିଖ ମାର୍ଚ୍ଚରେ ଶେଷ ହେଲା। ଛାତ୍ରମାନେ ଦୁଇ ଶ୍ରେଣୀରେ ବିଭକ୍ତ ହୋଇ ଥିଲେ। ଦ୍ୱିତୀୟ ବାର୍ଷିକ ଅର୍ଥାତ୍ ଉଚ୍ଚ ଶ୍ରେଣୀରେ ଜ୧୯ଣ ଓ ପ୍ରଥମ ବାର୍ଷିକ ଅର୍ଥାତ୍ ନିମ୍ନ ଶ୍ରେଣୀରେ ଜ୧୩ଣ ବାଳକ ଅଧ୍ୟୟନ କରୁଥିଲେ। ଏଥି ମଧ୍ୟରେ ଜ୨୦ଣ ଗବର୍ଣ୍ଣମେଣ୍ଟଙ୍କ ବୃତ୍ତି ଓ ଦୁଇଜଣ ସ୍ଥାନୀୟ ବୃତ୍ତି ପାଇଥିଲେ ଅବଶିଷ୍ଟ ଜ୧୦ଣ ବିନା ବେତନରେ ପଢୁଥିଲେ ।ଛାତ୍ରମାନେ ସାଧାରଣ ରୂପେ ମନୋଯୋଗ ପୂର୍ବକ ଶିକ୍ଷା କରିଥିଲେ ଏବଂ ସଚ୍ଚରିତ୍ର ଦେଖାଇଥିଲେ। ପ୍ରାୟ ସମସ୍ତ ଶିକ୍ଷକ ତଳ ଲିଖିତ ଛାତ୍ରଙ୍କର ଅଧିକ ପ୍ରଶଂସା କରିଅଛନ୍ତି ଯଥା :- ଆନନ୍ଦଲାଲ ବୋଷ,ଫକୀର ନାୟକ,ଲାଲ ବିହାରିଲାଲ ରାୟ,କ୍ଷେତ୍ରମୋହନ ଚନ୍ଦ୍ର। xxx  ବିଦ୍ୟାଳୟ ପାଖରେ ଛାତ୍ରମାନଙ୍କର ବସା ଅବଧି ରହିଅଛି ଓ ତହିଁରେ ଜ୨୦ଣ ଛାତ୍ର ବସାକରି ରହିଥିଲେ। ବାର୍ଷିକ ପାରିତୋଷିକ ଦାନ ସକାଶେ ମୟୁରଭଞ୍ଜ ମହାରାଜା ଟ୧୦୦ଙ୍କା ଏବଂ ରାୟ ନିମାଇଁ ଚରଣ ବୋଷ ବାହାଦୁର ଗୋଟିଏ ପକେଟ କେସ୍ ପ୍ରଦାନ କରିଥିଲେ । ଏପରି ଅନ୍ୟ ଦେଶୀୟ ଭଦ୍ରଲୋକଙ୍କ ଠାରୁ ଟ୧୫୦ଙ୍କା ସଂଗୃହିତ ହୋଇଥିଲା। ଏହାପରେ ମୟୁରଭଞ୍ଜ ମହାରାଜା ଯେଉଁ ଏକହଜାର ଟଙ୍କା ଦାନ କରି ଅଛନ୍ତି ତାହା ବିଲାତକୁ ପଠାଯାଇଛି ଯେ ତହିଁରେ ବିଦ୍ୟାଳୟର କେତେକ ପ୍ରୟୋଜନୀୟ ଦ୍ରବ୍ୟ କିଣା ହୋଇ ଆସିବ। ବିଜ୍ଞାପନୀ ପାଠ ହେଲା ଉତ୍ତାରୁ ଶ୍ରୀଯୁକ୍ତ କମିଶନର ସାହେବ ସ୍ୱହସ୍ତରେ ପାରିତୋଷିକ ବିତରଣ କରି ଗୋଟିଏ କ୍ଷୁଦ୍ର ବକ୍ତୃତାଦ୍ୱାରା ଜେନେରାଲ୍ ହସପାତାଲ ଓ ତହିଁ ଉତ୍ତାରୁ ମେଡିକାଲ ସ୍କୁଲ୍ ଯେ ପ୍ରକାରେ ସଂସ୍ଥାପିତ ହେଲା ତାହା ବର୍ଣ୍ଣନା କଲେ ଏବଂ ବିଦ୍ୟାଳୟ କାର୍ଯ୍ୟ ସୁଚାରୁରୂପେ ଚାଲିବାର ଦେଖି ଡାକ୍ତର ଷ୍ଟିୱାର୍ଟ ଏବଂ ବିଦ୍ୟାଳୟର ଆଉ ସମସ୍ତ ଶିକ୍ଷକଙ୍କର ପ୍ରଶଂସା କଲେ ଓ କହିଲେ ଯେ ବିଦ୍ୟାଳୟ ବଙ୍ଗଳାର ଅନ୍ୟାନ୍ୟ ବିଦ୍ୟାଳୟରୁ ଉତ୍କୃଷ୍ଟ ନହେଉ ମାତ୍ର କୌଣସି ଅଂଶରେ ପରୀକ୍ଷାର ଫଳ ମନ୍ଦ ହେବନାହିଁ । ଛାତ୍ରଙ୍କ ଭବିଷ୍ୟତ ବିଷୟରେ ସେ କହିଲେ ଯେ ଯଦ୍ୟପି କି ବଙ୍ଗାଳିଙ୍କ ପ୍ରତି ତାହାଙ୍କର କୌଣସି ଦ୍ୱେଷ ନାହିଁ ତଥାଚ ତାହାଙ୍କ ବିବେଚନାରେ ଓଡିଶାର ଚିକିତ୍ସାଳୟ ମାନଙ୍କରେ ଏ ଦେଶୀୟ ଲୋକଙ୍କୁ ନିଯୁକ୍ତ କରିବା ବିହିତ ଅଟଇ ଓ ଏ ବିଦ୍ୟାଳୟର ଛାତ୍ରମାନେ ଯୋଗ୍ୟତା ଲାଭକଲେ କ୍ରମଶଃ ସରକାରୀ କର୍ମମାନ ପାଇପାରିବେ। xxxx  ରେଭେନ୍ସା ସାହେବଙ୍କ ଉନ୍ନତିର ଅନୁଷ୍ଠାନ ମଧ୍ୟରେ ଏଇଟି ସର୍ବାଙ୍ଗ ସୁନ୍ଦର ହୋଇଅଛି ଓ ତାହା ଯେ କେବଳ ଡାକ୍ତର ଷ୍ଟିୱାର୍ଟ ସାହେବଙ୍କ ଅଧ୍ୟବସାୟ ଓ ଯତ୍ନର ଫଳ ଅଟଇ ଏହା ସର୍ବସାଧାରଣରେ ବିଦିତ ଅଛି।

[ ଏଇ ବକ୍ତବ୍ୟରୁ ରେଭେନ୍ସା ସାହେବଙ୍କ ଓଡିଆ ପ୍ରୀତିଟି ବି ବେଶ୍ ସ୍ପଷ୍ଟ। ଯଦିଓ ରେଭେନ୍ସା ସାହେବଙ୍କର ଅବଦାନ” କଟକ କଲେଜ” କୁ ନେଇ ଅଧିକ ଚର୍ଚ୍ଚା ହୁଏ ମାତ୍ର ତୁଳନାତ୍ମକ ଭାବରେ ଓଡିଶାରେ ମେଡିକାଲ୍ ସ୍କୁଲ୍ ପ୍ରତିଷ୍ଠା କରିବା କ୍ଷେତ୍ରରେ ତାଙ୍କର ଭୂମିକା ଅଧିକ ଉଲ୍ଲେଖଯୋଗ୍ୟ। କଟକ କଲେଜ ଥିଲା ସାଧାରଣ ଶିକ୍ଷାର କ୍ଷେତ୍ର ମାତ୍ର ମେଡିକାଲ ସ୍କୁଲ୍ ଥିଲା ଏକ ବୃତ୍ତିଗତ ଶିକ୍ଷାନୁଷ୍ଠାନ।

ଏଇଠି ଆଉ ଗୋଟିଏ କଥା ଉଲ୍ଲେଖଯୋଗ୍ୟ। ଉତ୍କଳ ପୁତ୍ର (୧ମ ଭାଗ, ୧.୧୦.୧୮୭୩)ରେ “ଚିକିତ୍ସା ବିଦ୍ୟାଳୟ”ଶୀର୍ଷକରେ ଗୋଟିଏ ସମ୍ବାଦ ବାହାରି ଥିଲା। ସେହି ସଂବାଦଟି ଅନୁସାରେ ଯେତେବେଳେ ” ଉତ୍କଳ ଦୀପିକା”ଆଉ “ସମ୍ବାଦ ହିତୈଷଣୀ” କଟକରେ ଗୋଟିଏ ମେଡିକାଲ ସ୍କୁଲ୍ ସ୍ଥାପନ କରିବା ପାଇଁ ପ୍ରସ୍ତାବ କରିଥିଲେ ତାହାକୁ ନେଇ ସେତେବେଳେ ରେଭେନ୍ସା ଙ୍କ ଅବର୍ତ୍ତମାନରେ ( ସେ ନିଜ ଦେଶକୁ ପ୍ରିଭିଲେଜ୍ ଛୁଟିରେ ଯାଇଥିଲେ) କଟକ ସ୍ଥିତ ଅସ୍ଥାୟୀ କମିଶନର ଜନ ବୀମସ୍ ଙ୍କ ଭିନ୍ନ ମତ ରହିଥିଲା। ଜନ୍ ବୀମସ୍ ଙ୍କର ସ୍ପଷ୍ଟ ମତ ରହିଥିଲା ଯେ ,ଏଇ ଭଳି ଗୋଟିଏ ସ୍କୁଲ ଏଠାରେ ଚାଲି ପାରିବା ନିହାତି କଷ୍ଟକର ହେବ। ଯେହେତୁ ଦେଶୀୟ ଲୋକେ ଇଂରେଜମାନଙ୍କର ଔଷଧ ବ୍ୟବହାର କରନ୍ତି ନାହିଁ ଏବଂ ଯେଉଁମାନେ ଏଠିକୁ ଶିକ୍ଷାଲାଭ କରିବାକୁ ଆସୁଥିଲେ ସେମାନଙ୍କୁ ଟ୪ଙ୍କା ଖୋରାକୀ ଆକାରରେ ଦେବାର ବ୍ୟବସ୍ଥା ହୋଇଥିଲା  ଆଉ କେବଳ ପ୍ରାଥମିକ ଭାବରେ ଦୁଇ ତିନି ଜଣ ଏଇ ବିଦ୍ୟାଶିକ୍ଷା କରିବାକୁ ଆସିଥିଲେ,ଜନ ବୀମସ୍ ଙ୍କ ଅଭିମତ ଥିଲା ଏଇ ମେଡିକାଲ ସ୍କୁଲ କୁ ଯିଏ ପଢିବାକୁ ଆସିବ ତାହାର କାରଣ କେବଳ “ଅର୍ଥଲୋଭ” ,ତେଣୁ ଏଇ ମେଡିକାଲ ସ୍କୁଲ୍ ସଫଳ ହେବ ନାହିଁ । କହିବା କଥା ହେଉଛି ଓଡିଶାରେ ମେଡିକାଲ ସ୍କୁଲ ର ପ୍ରତିଷ୍ଠା ଫଳରେ ରାଜକୋଷରୁ ଅଧିକ ଅର୍ଥ ଅପବ୍ୟୟ ହେବ କାରଣ ଏଥିପାଇଁ ଛାତ୍ରବୃତ୍ତି ର ପରିମାଣ ଆଉ ଆନୁସଙ୍ଗିକ ବ୍ୟବସ୍ଥା ନିମନ୍ତେ ଅଧିକ ଅର୍ଥ ଯୋଗାଡ କରିବାକୁ ପଡିବ ଯାହା ଅନ୍ୟ କୌଣସି ସାଧାରଣ କଲେଜ ର ପରିଚାଳନାର ବ୍ୟୟଭାର ଠାରୁ ଯଥେଷ୍ଟ ଅଧିକ ହେବ। ତେଣୁ ଏହାର ପ୍ରତିଷ୍ଠାକୁ ନେଇ ଜନ ବୀମସ୍ ଏବଂ ରେଭେନ୍ସା ଙ୍କ ମଧ୍ୟରେ ତୀବ୍ର ମତ ପାର୍ଥକ୍ୟ ରହିଥିଲା। ଜନ ବୀମସ୍ ଙ୍କ ଧାରଣା ରେ ବିସଙ୍ଗତି କିଛି ନାହିଁ,ପାଶ୍ଚାତ୍ୟ ଚିକିତ୍ସାକୁ ଆପଣାର କରିବା ଭଳି ମାନସିକତା ସେସମୟର ଓଡିଶାରେ ନଥିଲା କିନ୍ତୁ ପାଶ୍ଚାତ୍ୟ ଚିକିତ୍ସା ଅବଶ୍ୟମ୍ଭାବୀ ହୋଇ ପଡୁଥିଲା,ବିଶେଷରେ ଏଠାରେ ଅବସ୍ଥାପିତ ବ୍ରିଟିଶମାନଙ୍କର ତାହା ନିତାନ୍ତ ପ୍ରୟୋଜନ ଥିଲା। ଏପରିକି  ପୁରୀର ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ସମୟରେ  ହାଡଗୋଡ ଭଂଗା ଆଦି ଶାରୀରିକ ଅଘଟଣର ପରିଚର୍ଯ୍ୟା ନିମନ୍ତେ ଉପଯୁକ୍ତ ପାଶ୍ଚାତ୍ୟ ଚିକିତ୍ସା ଶାସ୍ତ୍ରରେ ପାରଙ୍ଗମ ( ଆମ୍ପୁଟେସନ୍ କାମରେ ଦକ୍ଷ) ଡାକ୍ତରଙ୍କ ଅଭାବ ଦୃଷ୍ଟିରୁ କେହି କେହି କଲେକ୍ଟର ମାନେ ରଥଯାତ୍ରାକୁ ବାତିଲ୍ କରିଦେବା ପାଇଁ ଲେଫଟନାଣ୍ଟ ଗଭର୍ଣ୍ଣରଙ୍କୁ ପତ୍ର ଲେଖୁଥିଲେ।

ସେ ଯାହାହେଉ ରେଭେନ୍ସା ସାହେବଙ୍କ ଉଦ୍ୟମ ଫଳରେ ଆଉ ଡାକ୍ତର ଷ୍ଟିୱାର୍ଟ ଙ୍କ ନିରବଚ୍ଛିନ୍ନ ଫଳରେ ଓଡିଶା ମେଡିକାଲ ସ୍କୁଲ ପ୍ରତିଷ୍ଠିତ ହୋଇଥିଲା।

ରେଭେନ୍ସା ସାହେବଙ୍କର ମେଡିକାଲ ସ୍କୁଲରେ ପଢୁଥିବା ଓଡିଆ ଛାତ୍ରମାନଙ୍କ ପ୍ରତି ବିଶେଷ ସଂପ୍ରିତୀ ରହିଥିଲା ।]

୧୪

ଉତ୍କଳ ପୁତ୍ର,

୧୧ଶ ଭାଗ, ୧୭.୧୦.୧୮୭୮, ସଂଖ୍ୟା ୪୦

ମୟୁରଭଞ୍ଜର ମହାରାଜା ଶିକ୍ଷା ବିଭାଗ ପ୍ରତି ବଡ ସହାନୁଭୂତି ଦେଖାଉଛନ୍ତି। ମହାରାଜା ଏଥିପୂର୍ବେ କଟକ କଲେଜ ଓ କଟକ ମେଡିକାଲ ସ୍କୁଲ୍ କୁ ଅନେକ ଟଙ୍କା ଦାନ କରିଥିଲେ। ବର୍ତ୍ତମାନ ଉକ୍ତ କଲେଜ ନିମନ୍ତେ ପୁଣି କୋଡିଏ ହଜାର (ଟ୨୦୦୦୦) ଟଙ୍କା ଦାନ କରି ଅଛନ୍ତି ଅତ୍ୟନ୍ତ ଆନନ୍ଦର କଥା।

୧୫

ଉତ୍କଳ ଦୀପିକା,

୧୪ ଭାଗ, ..୧୮୭୯, ସଂଖ୍ୟା ୧୦

କଟକ କଲେଜ

°°°°°

ଗତ କଲିକତା ଗେଜେଟ୍ ରେ ମୟୁରଭଞ୍ଜ ମହାରାଜାଙ୍କର ଗୋଟିଏ ଉତ୍କୃଷ୍ଟ ବଦାନ୍ୟତାକୁ ବଙ୍ଗାଳ ଗଭର୍ଣ୍ଣମେଣ୍ଟ ସ୍ୱୀକାର କରି ଧନ୍ୟବାଦ ଦେଇ ଅଛନ୍ତି। ଶ୍ରୀଯୁକ୍ତ ରେବନ୍ସା ସାହେବ ଏଠାରେ ଦୀର୍ଘକାଳ କମିଶନର ଥାଇ ଓଡିଶାର ଅନେକ ମଙ୍ଗଳ ସାଧନ କରିଥିଲେ।ତାହାଙ୍କ ନାମକୁ ଓଡିଶାରେ ଚିରସ୍ମରଣୀୟ କରିବା ସକାଶେ ଓଡିଶାର ସର୍ବପ୍ରଧାନ ବ୍ୟକ୍ତି ଅର୍ଥାତ୍ ମୟୁରଭଞ୍ଜ ମହାରାଜା କୋଡିଏ ହଜାର ଟଙ୍କା ଦାନ କରି ଅଛନ୍ତି,କଟକ କଲେଜ ଶ୍ରୀଯୁକ୍ତ ରେବନ୍ସା ସାହେବଙ୍କର ପ୍ରଧାନ କୀର୍ତ୍ତି। ଏ କଲେଜ ଚିରସ୍ଥାୟୀ ହେଲେ ତାହାଙ୍କର ନାମ ସୁଦ୍ଧା ଚିରସ୍ଥାୟୀ ହେବ ଏହି ବିବେଚନାରେ ଗଭର୍ଣ୍ଣମେଣ୍ଟ ମହାରାଜାଙ୍କ ସମ୍ମତି ସହିତ ଉକ୍ତ ବିଂଶତି ସହସ୍ର ଟଙ୍କା କଟକ କଲେଜକୁ ଦାନ କରିଅଛନ୍ତି ଯେ ଏହା ପାଣ୍ଠି ସ୍ୱରୂପ କୁମ୍ପାନୀ କାଗଜରେ ଗଚ୍ଛିତ ହେବ ଏବଂ ଏଥିର ସୁଧ ଦ୍ୱାରା କଲେଜର ଆଂଶିକ ବ୍ୟୟ ଚାଲୁ ହେବ। ଏଥି ସଙ୍ଗେ ୨ କଟକ କଲେଜର ନାମ ରେବନ୍ସା କଲେଜ ବୋଲି ପରିବର୍ତ୍ତିତ ହେଲା। ମହାରାଜାଙ୍କର ଏ କାର୍ଯ୍ୟଟି ସର୍ବସାଧାରଣଙ୍କର ମନୋନୀତ ହୋଇ ଅଛି ଏବଂ ଅତ୍ୟନ୍ତ ପ୍ରଶଂସନୀୟ ସନ୍ଦେହ ନାହିଁ କିନ୍ତୁ କଲେଜକୁ ଯେବେ ଗବର୍ଣ୍ଣମେଣ୍ଟ ପ୍ରକୃତ କଲେଜ କରି ନଦେଇ ଏହିପରି ରଖିବେ ତେବେ ରେବନ୍ସା ସାହେବଙ୍କର ନାମର ଟେକ ରହିବ ନାହିଁ ବରଂ ନିନ୍ଦନୀୟ ହେବ।

[ ରେଭେନ୍ସା କଲେଜ ସ୍ଥାପନା ଓ ନାମକରଣ ପଛରେ ମୟୁରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କର ପାଣ୍ଠି ଯୋଗାଣ ଓ ସମ୍ମତିର ଏକ ଗୁରୁତ୍ୱପୂର୍ଣ୍ଣ ଭୂମୀକା ରହିଛି। ଏହି ଐତିହାସିକ ଆଧାର କୁ ଆମକୁ ସମ୍ମାନ ଦେବାକୁ ପଡିବ। ଏବଂ କହିବାକଥା ହେଉଛି  ସେତେବେଳକୁ ରେଭେନ୍ସା କଟକର କମିଶନର ପଦବୀରେ  ନଥିଲେ ।]

୧୬

ଉତ୍କଳ ଦୀପିକା,

୧୪ ଭାଗ, ୧୦..୧୮୭୯, ସଂଖ୍ୟା ୧୯

କଟକ ମେଡିକାଲ ସ୍କୁଲ୍

ଆମ୍ଭେମାନେ ଗତ ସପ୍ତାହରେ ଏ ସ୍କୁଲର ବାର୍ଷିକ ପାରିତୋଷିକ ଦାନ ସଭା ହୋଇଥିବାର ସମ୍ବାଦ ମାତ୍ର ପାଠକ ମାନଙ୍କୁ ଦେଇ ସମୟାଭାବରୁ ତହିଁର ବିବରଣ ବର୍ତ୍ତମାନ ସପ୍ତାହକୁ ରଖି ଦେଇଥିଲୁ।

ଏଠାର ଭୂତପୂର୍ବ କମିଶ୍ନର ଶ୍ରୀଯୁକ୍ତ ରେବନ୍ସା ସାହେବ ଓଡିଶାର ଶିକ୍ଷା ଉନ୍ନତି ନିମିତ୍ତ ଯେତେଗୁଡିଏ ନୂତନ କାର୍ଯ୍ୟର ଅନୁଷ୍ଠାନ କରି ଯାଇଥିଲେ ତହିଁ ମଧ୍ୟରେ ଏଠାର ମେଡିକାଲ ସ୍କୁଲ ଅର୍ଥାତ୍ ଚିକିତ୍ସାଳୟକୁ ପ୍ରଧାନ ବୋଲିବାକୁ ହେବ କାରଣ ଏହାଦ୍ୱାରା ତାହାଙ୍କର ଶୁଭ କାମନା ଯେତେ ଶିଘ୍ର ଏବଂ ଯେମନ୍ତ ସୁନ୍ଦରରୂପେ ପୂର୍ଣ୍ଣହେଲା ଏମନ୍ତ ଅନ୍ୟ କୌଣସି ସ୍ଥଳରେ ଦେଖାଯାଇ ନାହିଁ । ଶ୍ରୀଯୁକ୍ତ ଡାକ୍ତର ଷ୍ଟୁଆର୍ଟ ସାହେବ ଏ ସ୍କୁଲ୍ ର ମୂଳ କାରଣ ହେଉଅଛନ୍ତି। ତାହାଙ୍କ ପ୍ରବର୍ତ୍ତନାରେ ଶ୍ରୀଯୁକ୍ତ ରେଭେନ୍ସା ସାହେବ ଗଭର୍ଣ୍ଣମେଣ୍ଟରେ ବାର ୨ ଅନୁରୋଧ କରି ଏ ସ୍କୁଲ ବସାଇଲେ ତେମନ୍ତ ସ୍ୱୟଂ ନିସ୍ୱାର୍ଥଭାବରେ ଆପେ ପରିଶ୍ରମ କରି ଏବଂ ଆପଣା ଅଧୀନସ୍ଥ କର୍ମଚାରୀଙ୍କୁ ପରିଶ୍ରମ କରାଇ ଅତି ଅଳ୍ପକାଳରେ ଏ ବିଦ୍ୟାଳୟକୁ ସର୍ବାଙ୍ଗ ସୁନ୍ଦର କରି ତହିଁରେ ସୁଫଳ ଫଳାଇ ସର୍ବସାଧାରଣଙ୍କୁ ଚମତ୍କାର କଲେ ଏବଂ ସେମାନଙ୍କର ଧନ୍ୟବାଦର ପାତ୍ର ହେଲେ।

୧୭

ଉତ୍କଳ ଦୀପିକା,

୧୫ଶ ଭାଗ, ୧୪..୧୮୮୦, ସଂଖ୍ୟା

ବି.. ପରୀକ୍ଷାଫଳ

କଲିକତା ବିଶ୍ୱବିଦ୍ୟାଳୟର ବି.ଏ. ପରୀକ୍ଷାଫଳ ବାହାରିଅଛି। ଗତ ସପ୍ତାହରେ କଲିକତା ଗେଜେଟରେ ଦେଖାଗଲା ଯେ ଏଥର ୧୧୨ ଜଣ ଛାତ୍ର ଉକ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଅଛନ୍ତି ତହିଁ ମଧ୍ୟରେ ପ୍ରଥମ ଶ୍ରେଣୀରେ ୭ ଜଣ,ଦ୍ୱିତୀୟ ଶ୍ରେଣୀରେ ୩୭ ଜଣ ଏବଂ ତୃତୀୟ ଶ୍ରେଣୀରେ ୬୯ ଜଣ। xxxx

କଟକ କଲେଜର ଏକଜଣ ଛାତ୍ର ଦୁର୍ଗାଚରଣ ସାହୁ ଏଇ ପରୀକ୍ଷାରେ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଅଛନ୍ତି ଏବଂ ଏଥିପାଇଁ କଲେଜର ପ୍ରିନସିପାଲ୍ ଏଜର୍ ସାହେବ ଅତ୍ୟନ୍ତ ଆନନ୍ଦିତ ହୋଇ ଏକଦିନ କଲେଜ ବନ୍ଦ କରିଥିଲେ। ବାସ୍ତବରେ କଲେଜର ଶିକ୍ଷକଙ୍କ ପକ୍ଷରେ ଏହା ଆନନ୍ଦର ବିଷୟ ଅଟଇ। ଅନ୍ତତଃ ସେମାନେ ଏଥର ଦମ୍ଭ ହୋଇ କହିପାରନ୍ତି କି ଏତେକାଳ ଯେବେ ଏ କଲେଜର କେହି ଛାତ୍ର ପାସ୍ କରି ପାରିନଥିଲେ ତାହା ସେମାନଙ୍କର ଦୋଷରୁ ନୁହଇ କେବଳ ଛାତ୍ରମାନଙ୍କ ଦୋଷରୁ କାରଣ ପୂର୍ବବର୍ଷ ମାନଙ୍କରେ ଦୁର୍ଗାଚରଣ ସାହୁ ପରି ଛାତ୍ର ଥିଲେ ଅବଶ୍ୟ ପାସ୍ କରିଥାନ୍ତେ ମାତ୍ର ଆମ୍ଭେମାନେ ବର୍ତ୍ତମାନର ଫଳରେ ତାଦୃଶ ଆନନ୍ଦିତ ହେବାର କାରଣ ଦେଖୁନାହୁଁ। ଆମ୍ଭେମାନେ ବୋଧକରୁ ଯେ ଏଥିରେ କେବଳ କଟକ କଲେଜର ବନ୍ଧ୍ୟା ନାମ ଘୁଞ୍ଚିଗଲା ମାତ୍ର ପ୍ରଶଂସାର ବିଷୟ କିଛି ହେଲେ ନାହିଁ । ପାଞ୍ଚ ବର୍ଷରେ ଗୋଟିଏ ମାତ୍ର ଛାତ୍ର ଉତ୍ତୀର୍ଣ୍ଣ ହେଲା । ସେ ପୁଣି ତୃତୀୟ ଶ୍ରେଣୀରେ ! ଏପରି ମଡଥିଆ ଫଳ ଉପରେ କେଉଁ ଉତ୍ସବ ପ୍ରୀତିକର ଅନୁଭବ ହୁଅଇ ତାହା ପାଠକମାନେ ଅନାୟାସରେ ସ୍ଥିର କରି ପାରନ୍ତି। ଫଳକଥା ଏହିକି ଆମ୍ଭେମାନେ ପୁନଃ ପୁନଃ କହିଅଛୁ ଏବଂ ବର୍ତ୍ତମାନ ମଧ୍ୟ କହୁଅଛୁଁ ଯେ କଟକ କଲେଜ ବିଡମ୍ବନା ମାତ୍ର । ଏଥିରେ ଦରିଦ୍ର ଓଡିଶାର ଗୁଡିଏ ଧନ ଅକାରଣ ଧ୍ୱଂସ ହେଲା ଏବଂ କିୟତ୍କାଳ ସକାଶେ ଉନ୍ନତିର ମାର୍ଗରେ କଣ୍ଟା ଦିଆଗଲା। ଏହା ଭିନ୍ନ ଆଉ କିଛି ହେଲା ନାହିଁ । ଗତ ପାଞ୍ଚବର୍ଷରେ ଏଇ କଲେଜରେ ଯେତେଟଙ୍କା ବ୍ୟୟ ହୋଇଗଲା ଯେବେ ତେତିକି ଟଙ୍କା କମ୍ପାନୀ କାଗଜରେ ଗଚ୍ଛିତ ହୋଇଥାନ୍ତା ତେବେ ତହିଁର ସୁଧରେ ଅନ୍ତତଃ ଚାରିଜଣ ଛାତ୍ର ପ୍ରତିବର୍ଷ କଲିକତାର ଉତ୍କୃଷ୍ଟ କଲେଜରେ ଅଧ୍ୟୟନ କରିପାରିଥାନ୍ତେ ଓ ତଦ୍ଦ୍ୱାରା ଏଥିମଧ୍ୟରେ କେବଳ କେତେଜଣ ବି.ଏ.  ଉପାଧି ଧାରୀ ଓଡିଶାରେ ହୋଇଥାନ୍ତେ ଏମନ୍ତ ନୁହେ କେହି ୨ ବି.ଏଲ୍. ପରୀକ୍ଷାମଧ୍ୟ  ଦେଇ ସ୍ୱାଧୀନ ଜୀବିକା ନିର୍ବାହ କରିବାକୁ ସମର୍ଥ ହୋଇଥାନ୍ତେ ଓ ତହିଁରେ ଓଡିଶାର ଗୌରବ ବଢିଥାନ୍ତା । କିନ୍ତୁ ମୂଳଧନ ଯାକ ସମସ୍ତ ବ୍ୟୟ ହୋଇ ଗୋଟିଏ ମାତ୍ର ବି.ଏ. ଉପାଧିଧାରୀ ଲାଭ ହେଲା। ଏହା କି ସନ୍ତୋଷ ଅଟଇ ? ଆମ୍ଭେମାନେ ଏତେବେଳେ ସୁଦ୍ଧା ଗବର୍ଣ୍ଣମେଣ୍ଟକୁ ଅନୁରୋଧ କରୁଛୁ କି ଯଦ୍ୟପି  ଯଥାର୍ଥରେ ଓଡିଶା ପ୍ରତି ଦୟାକରି କଲେଜକୁ ଚିରସ୍ଥାୟୀ କରିବାକୁ ମନସ୍ଥ କରି ଅଛନ୍ତି ତେବେ ଯେତେ ବ୍ୟୟ ଓ ଯେ ପ୍ରକାର ଯୋଗ୍ୟ ଲୋକ ପ୍ରକୃତ କଲେଜ ସକାଶେ ଆବଶ୍ୟକ ତାହା ଅବିଳମ୍ବେ ପ୍ରଦାନ ଓ ନିୟୋଗ କରନ୍ତୁ ନୋହିଲେ ଏପରି ନାମମାତ୍ର କଲେଜରେ ଯେଉଁ ଟଙ୍କା ବ୍ୟୟ କରୁଅଛନ୍ତି ତହିଁର କିୟଦଂଶ ବୃତ୍ତିରୂପ ଛାତ୍ରଙ୍କୁ ଦେଉନ୍ତୁ। ତାହାହେଲେ ସେମାନେ ଅନାୟାସରେ ବଙ୍ଗଳାର କଲେଜମାନଙ୍କରେ ଉଚ୍ଚଶିକ୍ଷା ଲାଭ କରି ପାରିବେ।

[ କଟକ କଲେଜ ଟି ପ୍ରତିଷ୍ଠିତ ହେବା ର ପାଞ୍ଚବର୍ଷ ଯାଏଁ ବି.ଏ. ପରୀକ୍ଷାର ଫଳାଫଳକୁ ନେଇ ଏକ କ୍ଷୁବ୍ଧ ଜନମତ ର ପ୍ରକାଶ ଏପରି ଘଟିଥିଲା। ପାଞ୍ଚ ବର୍ଷ ପରେ ଜଣେ ଛାତ୍ର ବି.ଏ.  ତୃତୀୟ ଶ୍ରେଣୀରେ ପାସ୍ କରାଥିଲେ। ଛାତ୍ରର ପରିଚୟରେ କଲେଜର ପରିଚୟ। ତେଣୁ ସେ ସମୟର ଜନମତ ଏପରି କଲେଜ ସ୍ଥାପନ ଏକ ବିଡମ୍ବନା ଆଉ ଏହି ଅର୍ଥ ଓଡିଶାର ବିକାଶରେ ବ୍ୟୟିତ ହୋଇ ପାରିଥାନ୍ତା ବୋଲି ବିଚାର କରୁଥିଲା। ଅନ୍ୟପକ୍ଷରେ ତାହାର ତୁଳନାରେ ଏଠାରେ ଏଇଭଳି କଲେଜ ସ୍ଥାପନ ନକରି ଉପଯୁକ୍ତ ଛାତ୍ରକୁ ବୃତ୍ତି ଆକାରେ କିଛି ଅର୍ଥ ପ୍ରଦାନ କରି କଲିକତାରେ ଉଚ୍ଚତ୍ତର ଶିକ୍ଷା ପାଇଁ ପଠାଇବା କମ୍ ବ୍ୟୟବହୁଳ ହେବ ବୋଲି ଯୁକ୍ତି କରାଯାଉଥିଲା। ଓଡିଶାର ଜନମତର ଏଇ କ୍ଷୋଭ ର କିନ୍ତୁ ଅସଲ କାରଣ  ଥିଲା , ଏଇ କଲେଜକୁ ଶିକ୍ଷା ଆଉ ଶିକ୍ଷକ ଦୃଷ୍ଟିରୁ ଉପଯୁକ୍ତ କରି ଗଢି ତୋଳିବା।

ଆମକୁ କିନ୍ତୁ ଏଇଠି ସ୍ମରଣରେ ରଖିବାକୁ ହେବ ରେଭେନ୍ସା କଲେଜର ସେହି ପ୍ରଥମ ବି.ଏ. ଉପାଧିପ୍ରାପ୍ତ ଛାତ୍ରଙ୍କୁ ଯିଏ କହିବାକୁଗଲେ କଲେଜ ପ୍ରତି ଆଲୋଚନାମୁଖର ଜନତାଙ୍କୁ କିଛି ପରିମାଣରେ କଲେଜର  ପକ୍ଷଧର ତଥା ଓଡିଶାରେ ଉଚ୍ଚଶିକ୍ଷାର ପକ୍ଷଧର କରିପାରିବାକୁ ସମର୍ଥ ହୋଇଥିଲେ। ସେଇ ନାଆଁଟି, ଶ୍ରୀଯୁକ୍ତ ଦୁର୍ଗାଚରଣ ସାହୁ।]

୧୮

ଉତ୍କଳ ଦୀପିକା,

୧୬ଶ ଭାଗ, ୧୫..୧୮୮୧, ସଂଖ୍ୟା

ଫାଷ୍ଟ ଆର୍ଟସ ପ୍ରବେଶିକା ପରୀକ୍ଷାର ଫଳ

.. .. ..

ଫାଷ୍ଟ ଆର୍ଟସ ପରୀକ୍ଷାର ଫଳାଫଳରେ ଏକା ରେଭେନ୍ସା  କଲେଜର ସଂପର୍କ ଅଛି କାରଣ ଅନ୍ୟ କୌଣସି ଠାରେ ଏ ପରୀକ୍ଷା ସକାଶେ ଛାତ୍ର ପ୍ରସ୍ତୁତ ହୁଅନ୍ତି ନାହିଁ । ଗତବର୍ଷ କେବଳ ଚାରିଜଣ (ଏଫ୍ଏ) ପାଶ କରିଥିଲେ। ଏଥର ଜ୧୧ଣ ପ୍ରାର୍ଥୀଙ୍କ ମଧ୍ୟରୁ ଜ୮ଣ ପାଶ କରିଅଛନ୍ତି ଏବଂ ତହିଁ ମଧ୍ୟରୁ ଏକଜଣ ପ୍ରଥମ ଶ୍ରେଣୀରେ ସ୍ଥାନ ପାଇଅଛି । ଏଠାରେ ଆମ୍ଭେମାନେ ମନମୋହନ ଚକ୍ରବର୍ତ୍ତିଙ୍କର ପ୍ରଶଂସା ନକରି ଏ ପ୍ରସଙ୍ଗ ଶେଷ କରି ନପାରୁ। ସନ ୧୮୭୮ ର ପ୍ରବେଶିକା ପରୀକ୍ଷାରେ ସେହି ଏକା ଓଡିଶାରେ ପ୍ରଥମ ଶ୍ରେଣୀରେ ପାସ କରିଥିଲେ । ଏଥର ଫାଷ୍ଟ ଆର୍ଟସ ପରୀକ୍ଷାରେ ମଧ୍ୟ ପ୍ରଥମ ସ୍ଥାନ ପାଇ ଅଛନ୍ତି।

୧୯

ଉତ୍କଳ ଦୀପିକା,

୧୬ ଭାଗ, ..୧୮୮୧, ସଂଖ୍ୟା

ବିଏ ପରୀକ୍ଷାଫଳ

କଲିକତା ବିଶ୍ୱବିଦ୍ୟାଳୟ ବି .ଏ . ପରୀକ୍ଷାଫଳ ବାହାରିଅଛି । କଟକ କଲେଜରୁ ଚାରିଜଣ ପରୀକ୍ଷା ନିମିତ୍ତ ଯାଇଥିଲେ,ତହିଁ ମଧ୍ୟରୁ କେବଳ ଏକଜଣ ଅର୍ଥାତ୍ ଜାନକୀ ବଲ୍ଲଭ ଘୋଷ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଅଛନ୍ତି। ଗତବର୍ଷ ମଧ୍ୟ ଠିକ୍ ଏହିପରି ଫଳ ହୋଇଥିଲା ଏବଂ ଏହା ଯେ ଏଠା କଲେଜ ପ୍ରତି ନିତାନ୍ତ ଅସନ୍ତୋଷଜନକ ଏକଥା ବୋଲିବା ବାହୁଲ୍ୟ ଅଟଇ।ଏଥର ସାଧାରଣ ମତ ଏହି ଯେ କଲେଜର ଶିକ୍ଷାକାର୍ଯ୍ୟ ଯେଉଁ ପ୍ରଣାଳୀରେ ଚାଲିବାର ଉଚିତ ତାହା ହେଉନାହିଁ ଓ ତହିଁ ସକାଶେ ପ୍ରିନ୍ସିପାଲ ଦାୟୀ ଅଟନ୍ତି । ଆମ୍ଭେମାନେ ବିବେଚନା କରୁ କି ଶ୍ରୀଯୁକ୍ତ ଏଜର୍ ସାହେବଙ୍କୁ ବଦଳି କରିଦେଇ ଜଣେ ବହୁଦର୍ଶି ପ୍ରିନ୍ସିପାଲ ଗବର୍ଣ୍ଣମେଣ୍ଟ ଏଠାକୁ ପ୍ରେରଣ କରନ୍ତୁ । ତହିଁରେ କଲେଜର ଦୁର୍ଦ୍ଦଶା ଘୁଞ୍ଚିଯାଇ ପାରେ। ଏହା ଛଡା ଆଉ କିଛି ଉପାୟ ଦିଶୁନାହିଁ।

୨୦

ଉତ୍କଳ ଦୀପିକା,

୧୬ ଭାଗ,୧୨.୧୧.୧୮୮୧, ସଂଖ୍ୟା ୪୫

କଟକ ରେଭେନ୍ସା କଲେଜ

ଏ କଲେଜଟି ଚିରସ୍ଥାୟୀ ହେବାର ସଂବାଦ ପାଇ ଆମ୍ଭେମାନେ ଅତି ଆନନ୍ଦିତ ହୋଇ ଅଛୁ। ଭେଦା, ଛାତ୍ର ବେତନ,ମୟୁରଭଞ୍ଜ ମହାରାଜାଙ୍କ ଦତ୍ତ ଟଙ୍କାର ସୁଧ ଏବଂ ଗବର୍ଣ୍ଣମେଣ୍ଟଙ୍କ ସାହାଯ୍ୟରେ ଏ କଲେଜର କାର୍ଯ୍ୟ ଏପର୍ଯ୍ୟନ୍ତ ଚଳୁଥିଲା ବର୍ତ୍ତମାନ ଗବର୍ଣ୍ଣମେଣ୍ଟ ତହିଁର ସମୁଦାୟ ଭାର ଏହି ନିୟମରେ ନେଇ ଅଛନ୍ତି କି ଛାତ୍ର ବେତନ ଓ ମୟୁରଭଞ୍ଜ ଟଙ୍କାର ସୁଧ ସରକାରରେ ଜମା ହେବ,କଲେଜର ସକଳ ଖର୍ଚ୍ଚା ସରକାରରୁ ଚଳିବ,ତହିଁପାଇଁ ଭେଦା ନିଆଯିବ ନାହିଁ । ଏଇ ଶୁଭ ସମ୍ବାଦରେ କଲେଜର ଅଧ୍ୟାପକମାନେ ଆନନ୍ଦିତ ହୋଇ କଲେଜ ଦିନେ ବନ୍ଦ କରିଥିଲେ।ବାସ୍ତବରେ ଏହା ଆନନ୍ଦର ବିଷୟ କାରଣ କଲେଜର କାର୍ଯ୍ୟ ସନ୍ତୋଷଜନକ ମତେ ଚଳୁ ନଥିବାରୁ ତାହା ଚିରସ୍ଥାୟୀ ହେବା ପକ୍ଷରେ ବଡ ସନ୍ଦେହ ଥିଲା। ଏପରି ସ୍ଥଳେ କଲେଜଟି ଚିରସ୍ଥାୟୀ ହେବା ବିଶେଷ ଆନନ୍ଦର ବିଷୟ। ଦୟାଳୁ ଓ ବିଦ୍ୟୋତ୍ସାହୀ ଗବର୍ଣ୍ଣମେଣ୍ଟ ଆମ୍ଭମାନଙ୍କୁ କଲେଜଟିଏ ପ୍ରଦାନ କଲେ ଏଥିପାଇଁ ଆମ୍ଭେମାନେ ତାଙ୍କୁ ଧନ୍ୟବାଦ ଦେଇଅଛୁଁ। କିନ୍ତୁ ବର୍ତ୍ତମାନ କଲେଜ ଯେପରି ଅବସ୍ଥାରେ ଅଛି ସେହିପରି ଅବସ୍ଥାରେ ରହିଲେ ତେଡେ ଉପକାର ହେବନାହିଁ,ତେଡେ ଆନନ୍ଦର ବିଷୟ ହେବ ନାହିଁ ।ଗବର୍ଣ୍ଣମେଣ୍ଟ ଯେପରି ଦୟାବହି କଲେଜଟିକୁ ଚିରସ୍ଥାୟୀ କଲେ ଓ ତହିଁର ସକଳ ଭାର ଆପଣା ଉପରେ ନେଲେ ସେହିପରି ତହିଁର ଉନ୍ନତି ପକ୍ଷରେ ଯତ୍ନ କରନ୍ତୁ ।ବର୍ଷେ ହେଲା ଆଇନ ଶିକ୍ଷାର୍ଥେ କଲେଜରେ ଗୋଟିଏ Law class ଫିଟିଅଛି।ଏହା ଅତି ଉତ୍ତମ ହୋଇଅଛି ଓ ଏଥିରେ ବଡ ଉପକାରର ସମ୍ଭାବନା। ଯେସ୍ଥଳେ ଗବର୍ଣ୍ଣମେଣ୍ଟ ଏତେ ବ୍ୟୟ ସ୍ୱୀକାର କରି ଅଛନ୍ତି ସେ ସ୍ଥଳେ ଆଉକିଛି ଅଧିକ ବ୍ୟୟରେ କୁଣ୍ଠିତ ନ ହୁଅନ୍ତୁ ହେଲେ ତାଙ୍କର ଏତେ ବ୍ୟୟ ସମ୍ୟକ ପ୍ରକାରରେ ଫଳଦାୟକ ହୋଇ ନପାରିବ । ଅତଏବ ଆମ୍ଭେମାନେ ଗବର୍ଣ୍ଣମେଣ୍ଟଙ୍କୁ ଅନୁରୋଧ କରୁଅଛୁ ଯେ ବଙ୍ଗଦେଶର କଲେଜ ମାନଙ୍କରେ ଯେପରି ଅଧିକ ବେତନରେ ସୁଯୋଗ୍ୟ ପ୍ରିନସିପାଲ ଇତ୍ୟାଦି ଅଛନ୍ତି ସେହିପରି ଏଠାରେ ହେଉ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

One Comment on “ସମ୍ବାଦ ପତ୍ରରୁ ରେଭେନ୍ସା : କଲେଜ ଓ ସାହେବ”

  1. ଅତି ସୁନ୍ଦର ଗବେଷଣାଧର୍ମୀ ଆଲୋଚନା
    ଯଥାମାନ୍ୟ ଗ୍ରହଣ କରିବେ
    👌🏿

Comments are closed.