ରମାକାନ୍ତ ରଥ :ଶୁଭେଚ୍ଛା ଓ ଶ୍ରଦ୍ଧାଞ୍ଜଳୀ

ରମାକାନ୍ତ ରଥ

ଜହ୍ନରାତି ପଚାରିଲା
ମୋର ଅସରନ୍ତି ବିସ୍ତାର ର ଆଲିଙ୍ଗନ
ସେଥିରେ ତୁ କେଉଁଠି ଅଛୁ ?

କେଉଁ ଏରୁଣ୍ଡିକୁ ଡେଇଁବା ଆଗରୁ
ନିଜର ଲୁଗାପଟାକୁ ସଜାଡି ନେଇ
ବାହାରେ ଅପେକ୍ଷାରତ ବିବେକନାମା
ପୁଲିସକୁ କହିବା ପାଇଁ
ତୁ ଯେଉଁ ନାଆଁଟି ବାଛିନେଇଥିଲୁ
ମୋତେ ସେକଥା ବି ଜଣା ।

ବିଦେଶୀ ଆସିବ ସବୁକାଳ ପରି
ଆଉ ଏଠାରୁ
ଚୋରୀ କରି ନେଇଯିବ
ବୟସ ଗଡିଗଲା ବେଳର ମାଷ୍ଟ୍ରାଣୀ କୁ
ଆଉ ଚନ୍ଦ୍ରା ବେହେରାଣୀକୁ
ଯେତେବେଳେ ପୃଥ୍ୱୀସାରା ସଭିଙ୍କର
ପାଦମାନ ମକଚା ।

ସବୁ ରାସ୍ତାର ବାଙ୍କବୁଲାଣିରେ
ଆମର ଅପେକ୍ଷାରେ ଥିବା ଭଳି
ଛିଡା ହୋଇଥାଏ
ଜଣେ ମୁଖାଧାରୀ କାଡ୍ରାକା ଜାନି
ପାଟିରେ ତାହାର ପିକା ହାତରେ ଲଣ୍ଠଣ
ସେ ଆଉ କବି ରମାକାନ୍ତ ରଥ
ଉଭୟେ ସମସ୍ୱରରେ
ଆମ ଜହ୍ରରାତିକୁ କହନ୍ତି
ଯାହା କୁହ ପଦ୍ୟକାର
ରାସ୍ତାକୁ ବୁଝିବା ପାଇଁ
ଏଇଠୁ ଆରମ୍ଭ ହୁଏ ତମ ଅଜାଣତରେ
କେବଳ ଘାଟି ଆଉ ଘାଟି ।

°°°°°

Ramakanta Rath (13 December 1934 – 16 March 2025) was one of the most renowned modernist poets in the Odia  literature.

ଶୁଭେଚ୍ଛା ଆଉ ଶ୍ରଦ୍ଧାଞ୍ଜଳୀ,
ଏଇଠି ଏକାଠି,ଗୋଟିଏ ପଦ୍ୟରେ,ଯାହାର ଶୀର୍ଷକ ରହିଛି ” ରମାକାନ୍ତ ରଥ”।

ଟିକିଏ ବିସ୍ତାରରେ କହିଲେ ଏଇ ଯେଉଁ ଶୀର୍ଷକ ପଦ୍ୟଟି ଆଗରୁ କବିର ଏକ ପରିଣତ ଜନ୍ମଦିବସରେ ଯାହା ଏକ ଶ୍ରଦ୍ଧାର୍ଘ୍ୟ ଥିଲା ଆଜି କବିର ଦେହାବସାନରେ ସେଥିରେ ରଚିତ ହେଉଛି ତାହାର ଶ୍ରଦ୍ଧାଞ୍ଜଳୀ।

ଯେକୌଣସି କବି ତାହାର ଜନ୍ମ ଆଉ ତାହାର ମୃତ୍ୟୁର ଭିତରେ ଯେଉଁ ସଂଯୋଜନର ରେଖାଟି ରହି ଥାଏ ତାହାକୁ ବେଶ ଅବଲୀଳାକ୍ରମେ ଲିଭାଇ ଦେବା କାହାକୁ ଅଛପା ନୁହଁ।

ଆଉ ତାହାପରେ କ’ଣ ?

ତମ ଆମ ଭଳି ସାଧାରଣ କବିର କ୍ଷେତ୍ରରେ ରହିଥିବ ମରଣ ଆଉ ମରଣ ଆଉ ଅସାଧାରଣ କବିର କ୍ଷେତ୍ରରେ କେବଳ ଜନ୍ମ ଆଉ ଜନ୍ମ,ଅଧିକରୁ ଅଧିକ ଆଲୋକିତ ସେ ନୂତନତ୍ୱ, ସେ ଜନ୍ମାନ୍ୱୟ।

ତେଣୁ ଏଇ କବିକୁ ଶୁଭେଚ୍ଛା ଆଉ ଶ୍ରଦ୍ଧାଞ୍ଜଳୀ,
କାଳାନୁପାତିକ ଭାବରେ ଏକ ଆଉ ଅଭିନ୍ନ ଫୁଲମାଳ।

ଏଇ କଥାର ଆଉ ଟିକିଏ ଗଭୀରକୁ ଗଲେ ଆମେ ଦେଖିବା ଯେ ଆମକୁ କୁହାଯାଇଛି ଯେ,ଯେତେବେଳେ କିଛି ନଥିଲା ଅଥବା “କିଛି ନଥିବା” ହିଁ ଜାଗ୍ରତ ଥିଲା ଠିକ୍ ସେତିକିବେଳେ ଚାରିପଟର ପରିବ୍ୟାପ୍ତ ବିଶାଳ ଅଂଧାର ଭିତରେ ଏକ ମାତ୍ର ସେ ହିଁ ଥିଲା,ସାଥିରେ ଥିଲା ତାହାର ଧାରୁଆ ଅସ୍ତ୍ର, ଯାହାକୁ ଆମେ ପରେ ଜାଣିଥିଲୁ,ତାହାର ନାଆଁ ହେଉଛି ଶବ୍ଦ।

ସେ ହେଉଛି କବି।

ଶବ୍ଦଧାରୀ କବି ତାହାପରେ ସେଇଠି ପାଦଥାପି ସମସ୍ତ ମହାଜାଗତିକ ଦୃଶ୍ୟ ଆଉ ଦୃଶ୍ୟାନ୍ତରକୁ ପ୍ରତ୍ୟକ୍ଷ କରେ, ଅନୁଭବ କରେ,ବଜ୍ର ବିଦ୍ୟୁତର ଆଘାତକୁ ଭୋଗିବାରେ ଲାଗେ,ଉତ୍ସକୁ ବୁଝେ ଆଉ ବଖାଣ କରିବସେ ଆମମାନଙ୍କ ଭଳି ଅବୋଧମାନଙ୍କୁ, ପ୍ରବୋଧନା ଦେବା ଭଳି,କାହାଣୀ କହିବା ଭଳି,ଯାଦୁର କୁହୁକ ଦେଖାଇବା ଭଳି, ସେଇ ସମସ୍ତ ଦୃଶ୍ୟାବଳୀକୁ,ସେଇ ସମସ୍ତ ଦୃଶ୍ୟାବଳୀ ଯାହା ଘଡିକରେ ଆମ ଆଗରୁ ଉଭେଇ ଯିବ।

ଆଉ ଟିକିଏ ସରଳରେ କହିଲେ କବି ହେଉଛି ସେଇ ବିଶ୍ୱସ୍ତ ଦ୍ୱାର ରକ୍ଷକ,ଯାହାର ଗୋଟିଏ ବୋଲି କାମ,ତାହାର ଦାୟିତ୍ୱରେ ଥିବା କବାଟଟିକୁ ସେ ଯେତିକି ଶିଘ୍ର ଖୋଲିଥିବ ଠିକ୍ ସେତିକି ଶିଘ୍ର ତାହାକୁ ସମସ୍ତଙ୍କ ନଜରରୁ ଆଉଜାଇ ନେବ।ଏହାର ମଧ୍ୟାନ୍ତରରେ ସେ ଆମ ମାନଙ୍କ ପାଇଁ ଛାଡିଯାଉଥିବ ସେଇ ମହାର୍ଘ କ୍ଷଣଟିକୁ ,
ଯେତେବେଳେ ଆମେ ସେଇ ଭିତରର ମାଲମତାକୁ ଦେଖି ଐଶ୍ୱର୍ଯ୍ୟଶାଳିନୀ ହେବାର ଆତ୍ମିକ ଉଲ୍ଲାସରେ ପରିପୂର୍ଣ୍ଣତା ଲାଭ କରୁଥିବୁ।

ଆରମ୍ଭରେ ସବୁ କବି ଉପସ୍ଥିତ ଥାଆନ୍ତି,ଶବ୍ଦଧାରୀ ବି, ହେଲେ ସେମାନଙ୍କ ଭିତରୁ ଅନେକ ନିଦ୍ରିତ ଥାଆନ୍ତି,ଅନେକଙ୍କ ଆଖିରେ ନିଦ ମଳମଳ ଧୈର୍ଯ୍ୟହୀନତାର କ୍ଲାନ୍ତି,କାହାର ସ୍ଥିତିକୁ ବୁଝିବାକୁ ଗଲେ ଏହାଠାରୁ ଆଉ ବଡ କିଛି ଅନୁପସ୍ଥିତି ନାହିଁ।

ଆପଣ ଏଯାଏଁ ସବୁବେଳେ ଉପସ୍ଥିତ ରହିଛନ୍ତି।ଆଗାମୀ କାଲି ଉପସ୍ଥିତ ରହିଥିବେ ବୋଲି କାମନା କରୁଛି।

ଆପଣଙ୍କର ଦେହାବସାନ ପରେ ହିଁ ଆପଣଙ୍କୁ ସବୁ ଜହ୍ନରାତିରେ କେବଳ ଘାଟି ପରେ ଘାଟି ମାନଙ୍କୁ ହିଁ ଅତିକ୍ରମ କରିବାକୁ ପଡିବ। ବିସ୍ତାର ରେ ଏହାକୁ କହିବାର ଅବସର ଆଜି ନୁହଁ।

ପ୍ରଣାମ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

Leave a Reply

Your email address will not be published. Required fields are marked *