ଛାୟାପଥକୁ ଆକାଶଗଙ୍ଗା ବୋଲି ବି କହନ୍ତି ।ସେଠି ଅନେକ ତାରା, ଅନେକ ସୌରମଣ୍ଡଳ, ଅସଂଖ୍ୟ ଗ୍ରହ । ଅନେକ ଗ୍ରହର ନାମକରଣ ବି ହୋଇନି | ସେମିତି ଏକ ନାମହୀନ ଛୋଟ ଗ୍ରହର ଦୁଇଜଣ ତରୁଣ ଅଧିବାସୀ ପୃଥିବୀକୁ ବୁଲି ବାହାରିଲେ ।
ସେମାନେ ଶୁଣିଥିଲେ ସୌରମଣ୍ଡଳରେ ପୃଥିବୀ ବୋଲି ଗ୍ରହଟିଏ ଅଛି, ତାହା କୁଆଡେ ଭାରି ସୁନ୍ଦର । ସେଠି ସଫେଦ ବରଫର ଚାଦର ଘୋଡ଼ି ପାହାଡ଼ ବସିଥାଏ, ତା କୋଳରେ ଖେଳେ ମେଘ । ସେଠି, ସବୁଜ ଅରଣ୍ୟ ଅଛି, ନୀଳ ସାଗର ଅଛି, ସ୍ରୋତସ୍ୱିନୀ ନଦୀ ଅଛି । ସେଠି ବହୁ ପ୍ରକାର ଜୀବଜନ୍ତୁ ଅଛନ୍ତି । ନାନା ବର୍ଣ୍ଣର ଚଢେଇ ଅଛନ୍ତି । ଆଉ ଅଛନ୍ତି ମଣିଷ । ସେମାନେ କୁଆଡ଼େ ଭାରି ବୁଦ୍ଧିମାନ ।ବୁଦ୍ଧ, ଯୀଶୁ, ଶଙ୍କରାଚାର୍ଯ୍ୟ, ସକ୍ରେଟିସ, ମହମ୍ମଦଙ୍କ ଭଳି ପ୍ରଜ୍ଞାଦୀପ୍ତ ମଣିଷ ଏଇଠି ଜନ୍ମ ନେଇଥିଲେ । ନଦୀ କୂଳରେ ଗଢି ଉଠିଛି କେତେ ସଭ୍ୟତା । ଏଠିକାର ପାଣି, ପବନରେ ଅଛି ସଂଜୀବନୀ ଶକ୍ତି ।

ଏମିତି ଏକ ଗ୍ରହକୁ ବୁଲି ଦେଖିବାକୁ ଆସିଥଲେ ସେମାନେ । ତାଙ୍କ ଅନ୍ତରୀକ୍ଷ ଯାନରୁ ଭାରି ସୁନ୍ଦର ଦିଶୁଥିଲା ପୃଥିବୀ । ଯେମିତି ନୀଳ ପରୀ ।କିନ୍ତୁ ତାଙ୍କ ଯାନ ପୃଥିବୀର ପାଖାପାଖି ହୋଇ ଆସିଲେ, ସେମାନେ ଦେଖିଲେ ବିଭିନ୍ନ ଦେଶ ପରସ୍ପର ଉପରେ ବୋମା ବର୍ଷଣ କରୁଛନ୍ତି ।ଭାଙ୍ଗି ପଡୁଛି କୋଠାବାଡ଼ି, କଳକାରଖାନା, ସ୍କୁଲ ହାସପାତାଳ । ପ୍ରାଣ ହରାଉଛନ୍ତି ହଜାର ହଜାର ଲୋକ, ମହିଳା, ଶିଶୁ ।
ଏ କଣ! ଗ୍ରହର ବହୁ ସ୍ଥାନରେ ଏମିତି ଲଢ଼େଇ କାହିଁକି ଚାଲିଛି ? ମଣିଷ ପରା ବୁଦ୍ଧିମାନ ଜୀବ ! ପରସ୍ପରକୁ ଏମାନେ ହତ୍ୟା କାହିଁକି କରୁଛନ୍ତି? ଏମାନେ ଏତେ ହିଂସ୍ର କାହିଁକି? ଏଠିକାର ଜନ୍ତୁଜନ୍ତ, ଚଢେଇ, କୀଟ ପତଙ୍ଗ, ଜଳଜ ପ୍ରାଣୀମାନେ – ସମସ୍ତେ ଏତେ ଭୀତ, ସଂତ୍ରସ୍ତ କାହିଁକି ଦିଶୁଛନ୍ତି ?ଭିନ୍ନ ଗ୍ରହର ଜଣେ ଆର ଜଣକୁ କହିଲା, ଚାଲ ବନ୍ଧୁ ଫେରିଯିବା । ଦରକାର ନାହିଁ ପୃଥିବୀରେ ପାଦ ଦେବାର । ଏଠି ଗଲେ ହୁଏତ ଆମେ ବି ଏମାନଙ୍କ ଭଳି ହୋଇଯିବୁ ।ଭିନ୍ନ ଗ୍ରହର ଅଧିବାସୀ ଦୁଇଜଣ ତାଙ୍କ ଅନ୍ତରୀକ୍ଷ ଯାନକୁ ବୁଲେଇ ଫେରି ଯାଉଥିଲେ, ଜଣେ ଆର ଜଣକୁ କହିଲା, ଭାଇ, ଆମେ ଏତେ ବାଟ ଆସିଛନ୍ତି – ଥରେ ଅନ୍ତତଃ ପୃଥିବୀ ମାଟି ନ ଛୁଇଁ ଫେରିଯିବା! ଚାଲ, ଥରେ ପୃଥିବୀରେ ଓଲ୍ହେଇ, ତା ମାଟିକୁ ଛୁଇଁ, କିଛି ଫଟୋ ନେଇ ଆମେ ଫେରିଯିବା । ନିଜ ଗ୍ରହକୁ ଫେରି ବନ୍ଧୁମାନଙ୍କୁ କହି ତ ପାରିବା ଆମେ ପୃଥିବୀ ବୁଲି ଆସିଲୁ …
- ହଉ, ଚାଲ | କିନ୍ତୁ ଖୁବ ଅଳ୍ପ ସମୟ ପାଇଁ । ଭିନ୍ନ ଗ୍ରହର ଦୁଇଜଣ ତାଙ୍କ ଅନ୍ତରୀକ୍ଷ ଯାନରେ ବସି ପୃଥିବୀର ଏକ ନଦୀ କୂଳରେ ଓଲ୍ହେଇଲେ । ଏଯାଏଁ ସେମାନେ ମୁଁହରେ ଅନ୍ତରୀକ୍ଷଚାରୀଙ୍କ ମୁଖା, ଦେହରେ ସାଞ୍ଜୁ ଭଳି ପୋଷାକ ପିନ୍ଧିଥିଲେ । ନଦୀକୂଳରେ ଓଲ୍ହେଇ ସେମାନେ ତାକୁ ଖୋଲିଦେଇ ଧାଇଁଗଲେ ନଈ ପାଖକୁ | ନଈରୁ ଆଞ୍ଜୁଳା ଆଞ୍ଜୁଳା ପାଣି ନେଇ ପିଇଗଲେ । ପ୍ରାଣ ଭରି ଗ୍ରହଣ କଲେ ପୃଥିବୀର ପବନ । … ଆଉ କିଛି ସମୟ ପରେ ସେମାନେ ଛୋଟ କଥାରେ ପରସ୍ପର ସହିତ ବାଦାନୁବାଦ କରିବାକୁ ଲାଗିଲେ । ଅଳ୍ପ ସମୟ ଭିତରେ ସେମାନେ ହାତାହାତି ହେବାକୁ ଲାଗିଲେ । ଆଉ କିଛି ସମୟରେ ଅକ୍ଷର ଦ୍ଵିତୀୟା ଜହ୍ନ ଦେଖିଲା ସେମାନେ ପରସ୍ପର ପରସ୍ପରକୁ ମାରି ପକେଇଲେ । ସେମାନେ ଜାଣି ନ ଥିଲେ – ପୃଥିବୀର ମାଟି ପାଣି ପବନରେ ଏବେ ହିଂସା, ଘୃଣା ଆଉ ଅବିଦ୍ୟାର ବିଷ ଚରିଯାଇଛି ।

