ରାଜା ଓ ଖେଳ
ଏଇଠି ଯେଉଁ ରାଜା ଜଣକ ଏଇଟି ପ୍ରମୁଖ ଭାଗରେ ରହିଛନ୍ତି ତାଙ୍କର ନାଆଁ ସେଟେୱାୟୋ ଆଉ ଯେଉଁ ଖେଳର କଥା ଏଇଠି ଅବତାରଣା କରାଯିବ ତାହା ହେଉଛି ଆମ ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ ଫୁଟବଲ ।
ଏଇ ସବୁର ଉର୍ଦ୍ଧ୍ୱରେ ଆଉ ଯେଉଁ ଖେଳ ଏଇ ଆଲେଖ ସାରା ନିଜର ଉପସ୍ଥିତିକୁ ଜାହିର୍ କରିବାକୁ ଯାଉଛି, ତାହାର ବିଚାର ଆପଣମାନଙ୍କର । ଆପଣମାନଙ୍କର ରାଜାକୁ ତ ଆଉ ବିନାଯୁଦ୍ଧରେ କଦାପି ଚିହ୍ନିତ କରାଯାଇପାରିବ ନାହିଁ ତେଣୁ ଆଗ ଗୋଟିଏ ଯୁଦ୍ଧର ପରିସରକୁ ପ୍ରବେଶ କରାଯାଉ ।
ଯୁଦ୍ଧର କଥା ଏଇଥିପାଇଁ ଯେ ଏଇଠି ଯେଉଁ ଯୁଦ୍ଧର କଥା ଅବତାରଣା କରାଯିବ ସେଇଠି ଅର୍ଥାତ୍ ସେଇ ଯୁଦ୍ଧଟି ଶେଷ ହେବାର ଠିକ୍ ପରେ ଗୋଟିଏ ଫୁଟବଲ ମ୍ୟାଚ୍ ର କଥା ଆମର ଦୃଷ୍ଟିକୁ ଆସିବ ଆଉ ସେହି ମ୍ୟାଚଟି ଶେଷ ହେଲାବେଳକୁ ଜଣେ ପାଠକର ମନେହେବ ସେ ଅକସ୍ମାତ ଗୋଟିଏ ଅଡୁଆ ସୂତାରେ ଯେମିତି ଛନ୍ଦି ହୋଇଯାଇଛି ।
ସେହି ଯୁଦ୍ଧ ଆଉ ସେହି ଫୁଟବଲ ମ୍ୟାଚ ଦୁଇଟି ଯାକ ଏମିତି ଛନ୍ଦି ହୋଇ ଯାଇଛନ୍ତି ଯେ ପାଠକ ବିଚାରା ଜାଣିପାରିବନାହିଁ ଅସଲରେ ଏଠାରେ କେଉଁଟି ହେଉଛି ଫୁଟବଲ ଖେଳ ଆଉ କେଉଁଟି ହେଉଛି ଅସଲରେ ଯୁଦ୍ଧ ।
ଦକ୍ଷିଣ ଆଫ୍ରିକାର ଗୋଟିଏ ଦେଶ । ଦେଶଟି ଆକାରରେ ବେଶ୍ ଛୋଟ । ତାହାର ନାଆଁ ହେଉଛି ଜୁଲୁ । ସେତେବେଳକୁ ଜୁଲୁ ର ସମ୍ରାଟ୍ ଥାଆନ୍ତି ସେଟେୱାୟୋ।

୧୮୭୯ ମସିହାର ଜାନୁଆରି ମାସର କଥା।
ସେହି ୧୮୭୯ ମସିହା ଜାନୁଆରୀ ପହିଲା ଦିନ ସମ୍ରାଟ୍ ସେଟେୱାୟୋ ଗୋଟିଏ ବିରାଟ ଜୁଲୁବାହିନୀ ସହିତ ଏକ ଯୁଦ୍ଧର ପରିଚାଳନା କରିଥିଲେ । ଲକ୍ଷ୍ୟ ଥିଲା , ସେହି ସମୟରେ ଜୁଲୁ ପ୍ରଦେଶକୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ ନିକଟରେ ଉପସ୍ଥିତ ହୋଇଥିବା ପରାକ୍ରମୀ ବ୍ରିଟିଶ ସେନାବାହିନୀର ସମସ୍ତ ସାମରିକ ଯୋଜନାକୁ ଆମୂଳାନ୍ତ ପଣ୍ଡ କରିଦେବା । ସମ୍ରାଟ ସେଟେୱାୟୋଙ୍କ ନେତୃତ୍ୱରେ ଯୁଦ୍ଧକ୍ଷେତ୍ରକୁ ଆଗଭର ହୋଇଥିବା ସେହି ଜୁଲୁବାହିନୀ ର ସଂଖ୍ୟା ଆନୁମାନିକ ୫୦୦୦୦ ଥିଲା । ଜୁଲୁ ସୈନିକ ମାନେ ସେମାନଙ୍କର ନିତ୍ୟନୈମିତ୍ତିକ ସାଧାରଣ ପୋଷାକରେ ଅର୍ଥାତ୍ ଅଂଟାରେ ଖଣ୍ଡିଏ ମାତ୍ର କୌପୁନୀ ଭଳି ସ୍ୱଳ୍ପବାସ ପରିଧାନ କରି ହାତରେ ସେମାନଙ୍କର ପାରଂପାରିକ ଅସ୍ତ୍ରଶସ୍ତ୍ର ଧରି ଯୁଦ୍ଧକ୍ଷେତ୍ରକୁ ଆଗେଇ ଯାଇଥିଲେ । ସେମାନଙ୍କର ପାରଂପରିକ ଅସ୍ତ୍ରଶସ୍ତ୍ର କହିଲେ ଷଣ୍ଢ ର ଚମଡାରେ ପ୍ରସ୍ତୁତ ହୋଇଥିବା ଗୋଟିଏ ଗୋଟିଏ ଢାଲ ଏବଂ ତୀକ୍ଷ୍ଣଧାରର ବର୍ଚ୍ଛା । ଏହାବ୍ୟତୀତ ସେମାନଙ୍କ ଭିତରେ ଥିବା କିଛି କୁଶଳୀ ଯୁଦ୍ଧବିତ୍ ଜୁଲୁ ସୈନ୍ୟଙ୍କ ହାତରେ ଥିଲା ବର୍ଚ୍ଛାର ଉନ୍ନତମାନ ଭଳି ଆଉ ଏକ ଅସ୍ତ୍ର ଯାହାକୁ ସେମାନେ ସେମାନଙ୍କର ଭାଷାରେ କହୁଥିଲେ ଆସେଗାଇସ୍ ।
ସାମ୍ନାରେ ସେମାନେ ସଂଖ୍ୟାରେ ଯେତେ ଅଧିକ ହୁଅନ୍ତୁ ପଛକେ ଏଇ ଭଳି ପାରଂପରିକ ପୋଷାକ ଆଉ ଅସ୍ତ୍ରରେ ସୁସଜ୍ଜିତ ଜୁଲୁ ର ସେନାବାହିନୀକୁ ପ୍ରଥମରୁ ବେଖାତିର କରି ଚାଲିଥିଲେ ସଂଭ୍ରାନ୍ତ ଆଉ ବେଶ୍ ପ୍ରଶିକ୍ଷିତ ବ୍ରିଟିଶ ସୈନ୍ୟବାହିନୀ । ଯେଉଁମାନେ ଗୁଳିବାରୁଦ ର ସଠିକ ବ୍ୟବହାର ଜାଣିଛନ୍ତି ସେମାନେ ତ ନିଶ୍ଚୟ ଅପରାଜେୟ ରହିବେ, ଏହି ଭଳି ଏକ ଯୁଦ୍ଧବୋଧ ବିଷୟରେ ଆଉ କିଛି ଅଧିକ କହିବାର ନାହିଁ ।
ତଥାପି ପରଂପରା ଏବଂ ଆଧୁନିକତା ର ଏହି ଅସମାନ ସଂଘର୍ଷ ର ଫଳାଫଳ ବସ୍ତୁତଃ ସେମିତି ସହଜ ନଥିଲା । ଜୁଲୁ ନିକଟବର୍ତ୍ତି ଇସାନ୍ଧଲବାନା ନାମକ ସ୍ଥାନରେ ଅଗଷ୍ଟ ୧୮୭୯ ମସିହାରେ ଭୟାବହ ଯୁଦ୍ଧର ପରିଣତିରେ ଜୁଲୁ ସୈନ୍ୟମାନେ ସଂପୂର୍ଣ୍ଣ ଭାବରେ ପରାସ୍ତ ହୋଇଥିଲେ। ଏଇ ଜୁଲୁ ଯୁଦ୍ଧ ଫଳରେ ଜୁଲୁ ସାମ୍ରାଜ୍ୟର ପତନ ଘଟିଥିଲା, ଜୁଲୁର ରାଜା ସେଟେୱାୟୋ ଯୁଦ୍ଧରେ ବନ୍ଦୀ ହୋଇଥିଲେ ଏବଂ ଜୁଲୁ ରାଜ୍ୟ ବ୍ରିଟିଶ୍ ମାନଙ୍କର ନାଟାଲ୍ ଉପନିବେଶ ଅଞ୍ଚଳ ସହ ମିଶିଯାଇଥିଲା ।

ତାହାପରେ ସେହି ବୃହତ୍ତର ଅଂଚଳକୁ କୁହାଗଲା ରିପବ୍ଲିକ୍ ଅଫ୍ ସାଉଥ୍ ଆଫ୍ରିକା ।
ଜୁଲୁ ଯୁଦ୍ଧର ଦଶ ସପ୍ତାହ ବିତିଛି କି ନାହିଁ ଏପଟେ ଇଂଲଣ୍ଡରେ ଫୁଟବଲ ଖେଳର ପ୍ରଥମ କ୍ଲବ ଯାହା ୧୮୫୭ ମସିହାରେ ଇଂଲଣ୍ଡ ର ସେଫିଲ୍ଡ ସହରରେ ପ୍ରତିଷ୍ଠିତ ହୋଇଥିଲା ସେଇଠି ଅର୍ଥାତ୍ ସେଠିକାର ପ୍ରସିଦ୍ଧ ବ୍ରାମଲ୍ ଲେନ୍ ରେ ଥିବା ଖେଳପଡିଆରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଫୁଟବଲ୍ ଖେଳ ଅନୁଷ୍ଠିତ ହୋଇଥିଲା । ସେଇ ସମୟରେ ସେଠିକାର ଯେତେ ବ୍ରିଟିଶ୍ ଏହି ଫୁଟବଲ୍ ଖେଳରେ ନିଜର ଦକ୍ଷତାର ପ୍ରଦର୍ଶନ କରିଥିଲେ ଏବଂ ସେମାନଙ୍କ ଭିତରୁ ଶେଷରେ ଏଗାର ଜଣର ଫୁଟବଲ ଦଳଟିଏ ବଛା ଯାଇଥିଲା।
ସେଫିଲ୍ଡର ଏଇ ନିର୍ବାଚିତ ଏକାଦଶ ବିରୁଦ୍ଧରେ ସେଦିନ ଖେଳିବା ପାଇଁ ଯେଉଁ ଦଳଟିକୁ ସ୍ଥିର କରାଯାଇଥିଲା ସେମାନେ ଜୁଲୁଦେଶରୁ ଜାହାଜରେ ଯାଇ ଲଣ୍ଡନରେ ପହଞ୍ଚିଥିଲେ । ଆଉ ଏହି ଏକାଦଶ କୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ ସେମାନେ କେବଳ ତାଙ୍କର ପାରଂପରିକ କୌପୁନି ପରିଧାନ କରି ଖେଳ ପଡିଆ ଭିତରକୁ ଯାଇପାରିବେ ମାତ୍ର ତାହା ପୂର୍ବରୁ ସେମାନଙ୍କୁ ନିଜର ପାରଂପରିକ ଅସ୍ତ୍ରଶସ୍ତ୍ର ଅର୍ଥାତ୍ ଷଣ୍ଢର ଚମଡାରେ ତିଆରି ଢାଲ,ବର୍ଛା ଅଥବା ଆସେଗାଇସ୍ ବା ବିଶେଷ ବର୍ଚ୍ଛାକୁ ଖେଳ ପଡିଆର ବାହାରେ ଛାଡିଦେଇ ଭିତରକୁ ଯିବାକୁ ପଡିଥିଲା ।
ତେଣୁ ସେଦିନର ଖେଳ ପଡିଆର ବାହାରେ ପାରଂପାରିକ ଜୁଲୁ ଅସ୍ତ୍ରଶସ୍ତ୍ର କିଛି ଜମା ହୋଇ ରହିଥିଲା । ଦର୍ଶକ ମାନଙ୍କର ସେ ସବୁ ପ୍ରତି ଆଗ୍ରହ ଯେମିତି କୌଣସି ବିଶେଷ ପ୍ରକାରର ବିଶୃଙ୍ଖଳା ରେ ପରିଣତ ହୋଇ ନଯାଏ ସେଇଥିପାଇଁ ସେଠାରେ ଯଥେଷ୍ଟ ସେନା ମୁତୟନ କରାଯାଇଥିଲା ।
ଖେଳ ପଡିଆକୁ ଯିବା ବେଳେ ସବୁ ଖେଳାଳୀଙ୍କ ନାମକୁ ଘୋଷଣା କରା ଯାଉଥାଏ।
ଜୁଲୁ ଦଳ ବା ଯାହାକୁ ଜୁଲୁ ୱାରିଅର୍ ଦଳ ବୋଲି କୁହାଯାଇଥିଲା ସେଇ ଦଳ ଖେଳ ପଡିଆ ଭିତରକୁ ପ୍ରବେଶ କଲାବେଳେ ଯେଉଁ ନାଆଁ ଟି ପ୍ରଥମେ ଘୋଷଣା କରାଯାଇଥିଲା ତାହା ହେଉଛି ସେଟେୱାୟୋ।
ସେଟେୱାୟୋ ପୂର୍ବ ଜୁଲୁ ଦେଶର ସମ୍ରାଟ ।
ସେଟେୱାୟୋଙ୍କ ନେତୃତ୍ୱରେ ଜୁଲୁ ଖେଳାଳୀ ମାନେ ସେଫିଲ୍ଡରେ ଫୁଟବଲ ଖେଳିବାକୁ ଆସିଛନ୍ତି ବୋଲି ସେ ସମୟରେ ଉପସ୍ଥିତ ଦର୍ଶକ ମାନେ ଶୁଣିବାକୁ ପାଇଥିଲେ । ସେଟେୱାୟୋଙ୍କ ପରେ ଦ୍ୱିତୀୟରେ ଯେଉଁ ଜୁଲୁ ଖେଳାଳୀଙ୍କ ନାଆଁ ସମସ୍ତ ଉପସ୍ଥିତ ଦର୍ଶକମାନଙ୍କ ଉଦ୍ଦେଶ୍ୟରେ ଘୋଷଣା କରାଯାଇଥିଲା ସେ ଥିଲେ ପ୍ରାକ୍ତନ ଜୁଲୁଦେଶର ସେନାଧ୍ୟକ୍ଷ ସିରାୟୋ ।
ଏହି ଫୁଟବଲ ଖେଳ ର ଫଳାଫଳ ଅସ୍ୱାଭାବିକ ଥିଲା । ଜୁଲୁ ୱାରିଅର୍ ଦଳ ସେସମୟର ସେଫିଲ୍ଡରେ ଇଂଲଣ୍ଡର ବଛା ଡଛା ଫୁଟବଲ୍ ଖେଳାଳୀଙ୍କ ଦ୍ୱାରା ଗଠିତ ଦଳକୁ ପରାସ୍ତ କରିଥିଲେ ।

ଖେଳ ର ସ୍କୋରକାର୍ଡ ଥିଲା ୫-୪ ।
ଏହି ସ୍କୋରକାର୍ଡରୁ ଜଣାଯାଇପାରିବ ଯେ ,ସେଦିନର ସେହି ଫୁଟବଲ୍ ଖେଳ କେତେ ପରିମାଣରେ ପ୍ରତିଦ୍ୱନ୍ଦିତାମୂଳକ ଥିଲା ।
ଏହି ଖେଳରେ ସମ୍ରାଟ ସେଟେୱାୟୋ ନିଜେ ଦୁଇଟି ଗୋଲ୍ ସ୍କୋର କରିଥିଲେ ।
୧୮୭୯ ର ସେହି ସେଫିଲ୍ଡ ଦଳ ଆଉ ଜୁଲୁ ୱାରିଅର୍ ଦଳ ଭିତରେ ଯେଉଁ ଫୁଟବଲ୍ ଖେଳ ହୋଇଥିଲା ତାହାର ଗୋଟିଏ ବିଶେଷ ଉଦ୍ଦେଶ୍ୟ ଥିଲା । ଏହି ଖେଳରୁ ଯାହା ଅର୍ଥ ଉପାର୍ଜନ ହେବ ତାହା ଜୁଲୁ ଯୁଦ୍ଧରେ ପ୍ରାଣତ୍ୟାଗ କରିଥିବା ସୈନ୍ୟମାନଙ୍କର ପରିବାରକୁ ସହାୟତା ରାଶି ଆକାରରେ ପ୍ରଦାନ କରାଯିବ ବୋଲି ଆଗରୁ ସ୍ଥିର କରାଯାଇଥିଲା। ଏଥିପାଇଁ ସେଦିନ ସେଫିଲ୍ଡ ଠାରେ ପ୍ରାୟ ୨୦୦୦ ଲୋକ ଅର୍ଥ ଦାନ କରିଥିଲେ।
ଏହି ଫୁଟବଲ୍ ଖେଳର ପରବର୍ତ୍ତି କଥାଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଜୁଲୁ ୱାରିଅର୍ ଦଳ ତରଫରୁ ସେଦିନର ସେହି ଫୁଟବଲ୍ ଖେଳରେ ଯେତେଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ ସମସ୍ତେ ତାହାପରଦିନ ସ୍କିନ୍ ଆଲର୍ଜି ରେ ପୀଡିତ ଥିବାର କଥା ଜଣା ପଡିଥିଲା । ଖେଳ ଆରମ୍ଭ ହେବା ପୂର୍ବରୁ ସେମାନଙ୍କୁ ଯେଉଁ ନିର୍ଦ୍ଦିଷ୍ଟ ଅଂଗାରକୁ ନିଜର ଦେହରେ ମୁଣ୍ଡରେ ବୋଳି ହେବାକୁ କୁହାଯାଇଥିଲା ତାହା ଶେଷରେ ତାହାର ସବିଶେଷ ପ୍ରତିକ୍ରୀୟା ଦେଖାଇଥିଲା ।
ସବୁଠୁ ବେଶି ପ୍ରତିକ୍ରୀୟା ଦେଖାଯାଇଥିଲା ସମ୍ରାଟ ସେଟେୱାୟୋ ଙ୍କ ଶରୀରରେ । ତାଙ୍କୁ ନିକଟସ୍ଥ ହସପିଟାଲ୍ ରେ ବେଶ୍ କିଛିଦିନ ରହିବାକୁ ପଡିଥିଲା।
ଏଇଠି କିନ୍ତୁ ସବୁ ରହସ୍ୟର ଉଦଘାଟନ କରିବାକୁ ଯାଇ କହିବାର କଥା ହେଉଛି ,ସେ ଅସଲରେ କୌଣସି ସମ୍ରାଟ୍ ସେଟେୱାୟୋ ନଥିଲେ ମାତ୍ର ଏହି ଖେଳ ପରଠାରୁ ସାଧାରଣରେ ଲୋକେ ତାଙ୍କୁ ସମ୍ରାଟ ସେଟେୱାୟୋ ବୋଲି ଡାକିବା ଆରମ୍ଭ କରିଦେଇଥିଲେ ।
ବସ୍ତୁତଃ ସେ ଥିଲେ ଜଣେ ବ୍ରିଟିଶ୍ ଆଉ ଠିକ୍ ସେହିପରି ଜୁଲୁ ୱାରିଅର୍ ଦଳରେ ଅନ୍ୟ ଯେଉଁମାନେ ଜୁଲୁମାନଙ୍କର ପାରଂପରିକ ବେଶ ଭୂଷାରେ ଆସି ସେଦିନର ସେହି ସେଫିଲ୍ଡ ରେ ଫୁଟବଲ୍ ଖେଳିଥିଲେ ସେମାନେ ସମସ୍ତେ ଥିଲେ ସାଉଥ ଆଫ୍ରିକାରେ ରହୁଥିବା ବ୍ରିଟିଶ୍ । ଏଇ ଫୁଟବଲ ଖେଳକୁ ଏକ ଭବ୍ୟ ଐତିହାସିକତା ପ୍ରଦାନ କରିବା ପାଇଁ ସେଭାନଙ୍କୁ ଖାସ୍ ସେଠାରୁ ଏଠିକୁ ଅଣାଯାଇଥିଲା।
କହିବା ବାହୁଲ୍ୟ ରଙ୍ଗର ଜଟିଳ ସଂକ୍ରମଣ ଭାରି ବ୍ୟାପକ ଥିଲା ସେ ସମୟରେ ।