ପୋଷାକ ଚୋରି ଏବଂ ମୃତ୍ୟୁଦଣ୍ଡ
ପ୍ରଥମରେ, ପୋଷାକ ଚୋରି ଭଳି ଘଟଣାଟିଏ ଘଟିବା ଆଉ ଦ୍ୱିତୀୟରେ, ଜଣେ ବିଶେଷରେ ଗୋଟିଏ ପୋଷାକମାଲିକକୁ ଖୁନ୍ କରିବା ଭଳି ନିଷ୍ପତ୍ତି ନେଇ ତାହାକୁ କାର୍ଯ୍ୟକାରୀ କରିବା ଏବଂ ତୃତୀୟରେ,କୌଣସି ହତ୍ୟାକାଣ୍ଡର ଯାହା ଯାହା ମୋଟିଭ୍ ରହିଥାଉନା କାହିଁକି ସେଥିପାଇଁ ତ ମୃତ୍ୟୁଦଣ୍ଡର ବିଧାନ ରହିଅଛି ହେଲେ ଏଇଠି ପୋଷାକ ଚୋରିର ଦାୟରେ କୌଣସି ଅଭିଯୁକ୍ତ କୁ ନ୍ୟାୟିକ ପରିଭାଷାରେ କହିଲେ ବିରଳଙ୍କ ଭିତରେ ବିରଳତମ ଘଟଣା ବା ରେୟାରେଷ୍ଟ ଅଫ୍ ଦି ରେୟାର ବୋଲି ବିଚାର କରାଯାଇ ତାହାପ୍ରତି ପ୍ରାଣଦଣ୍ଡର ବିଧାନ କରାଯିବା ,ବସ୍ତୁତଃ ଏଇ ତିନୋଟି ଯାକ ପାରସ୍ପରିକ ସଂଯୋଗ ରହିଥିବା ଭଳି ଏକ ପ୍ରସ୍ତାବନା ଆଜି ଆମକୁ ଆଶ୍ଚର୍ଯ୍ୟ କରିପାରେ ।
ଆଜି ଆମକୁ ଆଶ୍ଚର୍ଯ୍ୟଚକିତ କରିପାରେ ବୋଲି ଯେତେବେଳେ କୁହାଯାଉଛି ତେବେ ତାହାର ଅର୍ଥ କ’ଣ ଆମେ ଏହାପରେ ଏଇ ଭଳି ଧରିନେବା ଯେ ଏଇ ଘଟଣାଟି ଆଜିକାଲିର ନୁହଁ,ଆଜିକାଲିର କୌଣସି ଏକ ଦେଶର ଏକ ବିଶେଷ ପରିସ୍ଥିତିର ବା ବିଶେଷ କାରଣରୁ ଏକ ଦ୍ୱନ୍ଦ୍ୱଗ୍ରସ୍ତ ତଥା ବାଇ-ପୋଲାର୍ -ଡିସଅର୍ଡର ଭଳି କୌଣସି ମାନସିକ ବ୍ୟାଧିର ଉପଜ ନୁହଁ?
ଏହା ଯଦି ଆଜିକାଲିର କଥା ନୁହଁ ତେବେ ଏହା କ’ଣ ଅତୀତ କାଳର ,ପୁରାଣର ବା କୌଣସି ବିଶେଷ ଘଟଣା ପ୍ରବାହକୁ ଜନପ୍ରିୟ କରୁଥିବା କିଛି ଲୋକଗାଥା ?
ଏହା ଇତିହାସର କଥା।
ସଂରଚିତ ଲୋକଗାଥା ନୁହଁ ।
ଏହା ଏକ ନିର୍ଦ୍ଦିଷ୍ଟ କାଳଖଣ୍ଡର ଏକ ସାମାଜିକ ଚଳଣି ତଥା ସାଧାରଣ ଲୋକଙ୍କର ଅର୍ଥନୈତିକ ଦୁଃସ୍ଥିତି ର ବିଚିତ୍ର କଥା।
ପରିଧାନକୁ ଚୋରି କରିବା ଭଳି ବିଚାର କଥା ଯେତେବେଳେ ଉଠୁଛି ତେବେ ଆମକୁ ପ୍ରଥମରୁ ଧରିନେବା ଉଚିତ ହେବ ଯେ ପୋଷାକ ଟି ଆମର ସାଧାରଣର ଚଳଣୀ ଅର୍ଥରେ ନିହାତି ମୂଲ୍ୟବାନ ରହିଥିଲା। ଧରାଯାଉ ଯଦି ପିନ୍ଧିବା ପାଇଁ ପୋଷାକକୁ ବିଶେଷ ବିଶେଷ ପାରିବାରିକ କାର୍ଯ୍ୟରେ ପରିଧାନ କରିବା ପାଇଁ ଲୋକମାନେ ତାହାକୁ ଅନ୍ୟଠାରୁ ଭଡାରେ ଆଣି ପାରୁଥିଲା,ଯଦି ପରିଧାନ କରାଯାଉଥିବା ପୋଷାକ କୁ ଜଣେ ଅନ୍ୟ କାହାପାଖରେ ବନ୍ଧକ ରଖି ଜରୁରୀ ସମୟରେ ତାହାର ଆର୍ଥିକ ଅନଟନର ସୁରାହା କରିପାରୁଥିଲା ,ତାହାହେଲେ ଆମେ ଏମିତି ଗୋଟିଏ କଥାରେ ନିଶ୍ଚୟ ରାଜି ହୋଇ ପାରିବା ଯେ,ଅନ୍ତତଃ ଏଦୃଷ୍ଟିରୁ ପିନ୍ଧା ପୋଷାକର ଚୋରୀ ହେଲା ଭଳି ଯୋଗ୍ୟତା ସର୍ବସାଧାରଣଙ୍କ ଦୃଷ୍ଟିରେ ନିଶ୍ଚୟ ରହିଥିଲା। ଭଡା ଦେବା ଆଉ ବନ୍ଧକ ରଖିବା ଏଇ ଭଳି ଦୁଇଟି ଅର୍ଥନୈତିକ ସଂଚାଳନରେ ଜନସାଧାରଣଙ୍କର ମାଧ୍ୟମ-ପଦାର୍ଥ ହିସାବରେ ପୋଷାକ ଯେତେବେଳେ ରହିପାରିଲା ସେତେବେଳେ ପୋଷାକ ଚୋରି ଆଉ ପୋଷାକ ଚୋରି ପାଇଁ ହତ୍ୟା ଭଳି ବିଶେଷ ପରିସ୍ଥିତି ମାନ ଘଟିବାରେ ଆମର ଆଉ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ଖ୍ରୀଷ୍ଟ୍ରୀୟ ସପ୍ତଦଶ ଶତାବ୍ଦୀ ଇଂଲଣ୍ଡର ସାମାଜିକ ଇତିହାସର ବୈଚିତ୍ର୍ୟଭରା କିଛି ପୃଷ୍ଠା ଏଇ ଭଳି ପୋଷାକ ଚୋରିର ବୃତ୍ତାନ୍ତରେ ଭରପୁର।
୧୬୩୬ ସାଲରେ ଜୋହାନ ବାର୍ସ ନାମକ ଜଣେ ଗୃହପରିଚାରିକା ଦିନେ ବିଷାକ୍ତ ମରକ୍ୟୁରୀ(ପାରଦ ବିଶେଷ ) କିଣିବାକୁ ବଜାରକୁ ଯାଏ । ତାହାର ଉଦ୍ଦେଶ୍ୟ ଥିଲା ତାହାର ଗୃହକର୍ତ୍ତୀଙ୍କୁ ରାତିରେ ଶୋଇବା ଆଗରୁ ସେ ଯେଉଁ ଦୁଗ୍ଧ ଗ୍ଲାସଟି ନିୟମିତ ପିଇବାକୁ ଦେଇଥାଏ ଆଗରୁ ସେଥିରେ ସେ ଏଇ ମରକ୍ୟୁରୀକୁ ମିଶାଇ ଦେବ। ମରକ୍ୟୁରୀ ମିଶା ଦୁଗ୍ଧ ଗ୍ଳାସକୁ ପାନ କରିବା ପରେ ଗୃହକର୍ତ୍ତୀଙ୍କର ମୃତ୍ୟୁ ଘଟିଲାପରେ ତାଙ୍କର ସମସ୍ତ ଦାମୀ ପୋଷାକ ଗୁଡିକ ଧରି ସେ ସେଠାରୁ ଚମ୍ପଟ ଦେବ। ହେଲେ ପରିଚାରିକା ଜୋଆନ ବାର୍ସ ର ସେଇ ଷଡଯନ୍ତ୍ର ଟି ସଫଳ ହୋଇନଥିଲା। ସେ ସମୟରେ ନିଜର ଖାଦ୍ୟରେ ସଂଭାବିତ ବିଷର ପ୍ରୟୋଗକୁ ନେଇ ଅଭିଜାତ ମାନେ ସବୁସମୟରେ ଆଶଙ୍କିତ ହୋଇ ରହୁଥିଲେ। ସେଇଥିପାଇଁ ସେମାନେ ବିରାଡି କୁକୁର ଭଳି ପୋଷାଜନ୍ତୁଙ୍କର ନିୟମିତ ବ୍ୟବହାର କରୁଥିଲେ । ଏହା ସହିତ ଅନ୍ୟାନ୍ୟ ମାନବ ଚାଖଣାକାରୀମାନଙ୍କୁ ନିଜର ସୁରକ୍ଷା କାରଣରୁ ସେମାନେ ନିୟୋଜିତ କରିଆସୁଥିଲେ। ପରିଚାରିକା ଜୋହାନ ବାର୍ସର ଦୁର୍ଭାଗ୍ୟ ଯେ ସେ ସମସ୍ତ ସତର୍କତା ସତ୍ତ୍ୱେ ସେହି ସୁରକ୍ଷା ବଳୟକୁ ଭେଦି ପାରିଲା ନାହିଁ। ଧରାପଡି ସେ ପୁଲିସ ଦ୍ୱାରା ଗିରଫ ହୋଇଥିଲା ଏବଂ ସେହି ମାମଲାଟି ସେସମୟର ବିଶେଷ ଚର୍ଚ୍ଚିତ ମାମଲା ଥିଲା।
ସେ ସମୟ ଅର୍ଥାତ୍ ଖ୍ରୀଷ୍ଟୀୟ ସପ୍ତଦଶ ଶତାବ୍ଦୀର ଇଂଲଣ୍ଡରେ ସାଧାରଣ ମାନର ଅର୍ଥାତ୍ ଏକ ପାଉଣ୍ଡ ମୂଲ୍ୟର ଗୋଟିଏ କୋଟ କୁ ପ୍ରସ୍ତୁତ କରିବା ପାଇଁ ଜଣେ ଦକ୍ଷ ବ୍ୟବସାୟୀକୁ ଲାଗୁଥିଲା ପ୍ରାୟ କୋଡିଏ ଦିନ। ସେ ସମୟରେ ନିଜର ପୋଷାକପତ୍ରର ସଂପତ୍ତି ମୂଲ୍ୟ କେଉଁପରି ରହିଥିଲା ତାହାକୁ ଏଇ ଗୋଟିକ କଥାରୁ ସହଜରେ ବୁଝାଯାଇ ପାରେ । ସେତେବେଳର ଅଭିଜାତ ବ୍ରିଟିଶ ମାନେ ନିଜର ଉଇଲ ପ୍ରସ୍ତୁତ କରିବା ବେଳେ ନିଜର ପୋଷାକ ପରିଚ୍ଛଦର ବିବରଣୀ ତଥା ଏହାର ସଂଭାବ୍ୟ ମାଲିକାନାର ହସ୍ତାନ୍ତରଣକୁ ନିଶ୍ଚିତ ଭାବରେ ଉଲ୍ଲେଖ କରୁଥିଲେ, ସେମାନଙ୍କର ସେ ସମୟର ଘରବାଡି ଆଦିର ମୂଲ୍ୟର ତୁଳନାରେ ଅଧିକ ଦାମୀ ଥିଲା ଯେହେତୁ ସେମାନଙ୍କର ପୋଷାକପତ୍ର।
ବ୍ରିଟିଶ ସାମାଜିକ ଇତିହାସ ଅଧ୍ୟୟନରେ ଜଣେ ଇଂରେଜ ନୌ-ପ୍ରଶାସକ ଙ୍କର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମୀକା ରହିଅଛି। ସେଇ ନୌ ପ୍ରଶାସକଙ୍କ ନାଆଁ ସାମୁଏଲ ପେପିସ୍। ସାମୁଏଲ ପେପିସ୍ (୧୬୩୩-୧୭୦୩) ଜଣେ ସିଭିଲ ସର୍ଭାଣ୍ଟ ଥିଲେ ଆଉ ବିଶେଷତଃ ସେ ବ୍ରିଟିଶ ନୌ-ପ୍ରଶାସନ ର କଥା ବୁଝୁଥିଲେ। ଶେଷକୁ ତାଙ୍କର ଦକ୍ଷତାର କାରଣରୁ ସେ ବ୍ରିଟିଶ ପାର୍ଲିଆମେଣ୍ଟର ଜଣେ ସାଂସଦ ହୋଇଥିଲେ। ତାଙ୍କ ବିଷୟରେ ଏତେସବୁ କହିବା ପଛରେ ଦୁଇଟି କାରଣ ରହିଛି। ପ୍ରଥମରେ ସେ ତାଙ୍କର ଡାଏରୀ ନିମନ୍ତେ ବିଶେଷ ଚର୍ଚ୍ଚିତ। ନିଷ୍ଠାପର ଭାବରେ ସେ ତାଙ୍କର ଡାଏରୀ ଲେଖନ କର୍ମଟି ୧୬୬୦ ରୁ ୧୬୬୯ ଯାଏଁ ଦୀର୍ଘ ନଅବର୍ଷ ଧରି ସଂପାଦନ କରି ଆସିଛନ୍ତି। ସାମୁଏଲ ପେପିସ୍ ଙ୍କ ଡାଏରୀରେ ଲିପିବଦ୍ଧ ଥିବା ତାଙ୍କର ସାଧାରଣ ଅଙ୍ଗେଲିଭା ତଥା ସାଧାରଣ ଚଳଣୀ ର କଥାମାନ ଏବେ ବ୍ରିଟିଶ ସାମାଜିକ ଇତିହାସ ଅଧ୍ୟୟନର ଏକ ପ୍ରାଥମିକ ତଥ୍ୟ ସମୃଦ୍ଧ ପ୍ରାମାଣିକ ଉପାଦାନ । ଦ୍ୱିତୀୟରେ ସାମୁଏଲ ପେପିସ୍ ଙ୍କର ଉଲ୍ଲେଖ ର ଉଦ୍ଦେଶ୍ୟ ହେଉଛି ଯେ ଥିଲେ ଜଣେ ସଂଭ୍ରାନ୍ତ ଆଭିଜାତ୍ୟ ସଂପନ୍ନ ଇଂରେଜ। ଏବେ ଏଇ ଆଲେଖଟିର ପ୍ରସଂଗକୁ ଫେରିବାକୁ ଗଲାବେଳେ ଏଇ କଥା ଉଲ୍ଲେଖଯୋଗ୍ୟ ଯେ ସାମୁଏଲ ପେପିସ୍ ଙ୍କ ଭଳି ଜଣେ ସଂଭ୍ରାନ୍ତ ଆଭିଜାତ୍ୟ ସଂପର୍ଣ୍ଣ ଇଂରେଜ କୁ ,ତାଙ୍କର ଡାଏରୀ ଅନୁସାରେ,ନୂତନ ପୋଷାକ ପ୍ରସ୍ତୁତ କରିବା ଅତ୍ୟନ୍ତ ବ୍ୟୟବହୁଳ ତଥା ପ୍ରାୟତଃ ଅସମ୍ଭବ ଥିଲା।ତେଣୁ ବସ୍ତୁତଃ ସେ ନିଜର ପୁରୁଣା ଯେତିକି ପୋଷାକ ରହିଥିଲା ତାହାକୁ ଯୋଡାତାଳି ପକାଇ ତଥା ରଫୁ ଆଦି କରି ନିଜର କାମକୁ ଚଳାଇନେଉଥିଲେ।
ଏଥିରୁ ସପ୍ତଦଶ ଶତାବ୍ଦୀରେ ଇଂଲଣ୍ଡରେ ପୋଷାକର ଦୁର୍ମୂଲ୍ୟ ତଥା ଦୁର୍ଲଭତାର ଭରପୁର କାହାଣୀ ପଢିବାକୁ ମିଳେ।
ଏହାର ଫଳଶ୍ରୁତି ହିସାବରେ ସେତେବେଳର ଇଂଲଣ୍ଡର ବଜାରରେ ପୋଷାକର କଳାବଜାର ବେଶ୍ ଜମି ଉଠିଥିଲା। ଏଇ ସବୁ ବଜାରରେ ହକରମାନେ ନୂଆ ଏବଂ ପୁରୁଣା ଉଭୟ ପ୍ରକାରର ପୋଷାକ ବିକ୍ରି କରୁଥିଲେ। ଆଉ ବିଶେଷଭାବରେ ଅନେକ ସମୟରେ ପୋଷାକ ଚୋରାମାଲ୍ ଅର୍ଥାତ୍ ଧନୀକ ଗୃହରୁ ପୋଷାକକୁ ଚୋରି କରି ଆଣି ଏଇ ବଜାରରେ ବିପଣୀସମ୍ଭାର ଆକାରରେ ଭରପୂର ବିକ୍ରି କରାଯାଉଥିବାର ଦେଖାଯାଉଥିଲା। ଏମିତି ଘଟିବା ଫଳରେ ଯେଉଁ ପୋଷାକଗୁଡିକ ଯାହାଠାରୁ ଚୋରୀ ହୋଇଯାଉଥିଲା ତାହାକୁ ଆଉ ତାହାର ମାଲିକ ପାଖକୁ ଫେରି ଆସିବା ଖୁବ୍ ଦୁରୂହ ବ୍ୟାପାର ଥିଲା।
ପୋଷାକର ବିରାଟ ଚାହିଦାକୁ ପୂରଣ କରିବା ପାଇଁ ସପ୍ତଦଶ ଶତାବ୍ଦୀର ଇଂଲଣ୍ଡରେ ନିତ୍ୟନୂତନ ଅପରାଧ ମାନ ସଂଘଟିତ ହେବାରେ ଲାଗିଲା।
ସବୁଠାରୁ ଆମୋଦଦାୟକ ବିଷୟ ହେଉଛି ଯେ ଏଇ ସବୁ ପୋଷାକ ଚୋରିର ସମୟ ହେଉଛି ରାତିର ଉତ୍ତୀର୍ଣ୍ଣ ପ୍ରହର,ପୋଷାକ ଚୋର ମାନେ ଅପେକ୍ଷା କରି ରହିଥାନ୍ତି କେତେବେଳେ ପୋଷାକ-ମାଲିକ ମଦ୍ୟପାନ ପରେ ନିଶାରେ ଚୁର୍ ହୋଇ ନିଜର ଘରକୁ ଫେରିବ। ପୋଷାକ ଚୋର ମାନଙ୍କର ଦୃଷ୍ଟିରେ ସେଇଟି ହିଁ ପ୍ରକୃଷ୍ଟ ସମୟ। ସେତିକିବେଳେ ମାତାଲ ମାଲିକର ନିକଟରୁ ପୋଷାକ ଚୋରି କରିବା ଅତ୍ୟନ୍ତ ସହଜସାଧ୍ୟ ଆଉ ଏଥିରେ ଧରା ପଡିବାର ସମ୍ଭାବନା ବି ଯଥେଷ୍ଟ କମ୍। ତାହାଛଡା ବେଳେବେଳେ ଚୋରମାନେ ନିଜର ସୁବିଧା ସମୟ ବାଛି କାହାର ଘରର ପାଚେରୀକୁ ଚଢି ଭିତରକୁ ଯାଇ ସେଇଠୁ ପୋଷାକ ଚୋରି କରୁଥିଲେ। ଯଦି କେହି ନିଜର ପୋଷାକକୁ ଆଉ କାହାର ହାତପାହାନ୍ତାରେ ଶୁଖାଇ ବସୁଥିଲା ତାହେଲେ ସେସବୁ ଚୋରି ହୋଇଯିବାର ସଂଭାବନା ରହିଥିଲା ଯଥେଷ୍ଟ ଅଧିକ।
ଏଲିଜାବେଥ ଯୁଗର ଜଣେ ତାରକା ବ୍ୟକ୍ତିତ୍ୱ ବିଦୁଷକ ରିଚାର୍ଡ ଟାଲଟନ ଦିନେ ତାଙ୍କର ବନ୍ଧୁମାନଙ୍କ ସହିତ ଆଡ୍ଡା ଦେଉଥିବା ସମୟରେ ତାଙ୍କର ସବୁତକ ପୋଷାକ ଚୋରି ହୋଇଯାଇଥିଲା। କୁହାଯାଏ ଯେ ରିଚାର୍ଡ ସେଦିନ ତାଙ୍କର ବନ୍ଧୁମାନଙ୍କୁ ଯେଉଁ ରସକାହାଣୀଟି କହି ଆମୋଦିତ କରିଥିଲେ ତାହା କୌଣସି ଏକ ପୋଷାକ ଚୋରିକୁ ନେଇ ରହିଥିଲା। ଟାଲଟନ୍ ଙ୍କ କାହାଣୀରେ ଥିଲା , ଜଣକର ସବୁତକ ପୋଷାକ ଚୋରି ହୋଇଯାଇଛି ଆଉ ସେ କେମିତି ତାହାର ବନ୍ଧୁ ପରିଜନଙ୍କ ନିକଟରୁ ତତକ୍ଷଣାତ ପୋଷାକ ସାହାଯ୍ୟର କାମନା କରୁଛି ଆଉ ଯେଉଁ ବାଳକଟି ହାତରେ ଆତ୍ମୀୟ କେହିଜଣେ କିଛି ପୋଷାକ ପଠେଇଛି ସେଇ ବାଳକ କିନ୍ତୁ ପୋଷାକ ସହ ଆସି ପୋଷାକ-ପୀଡିତ ପାଖରେ ପହଞ୍ଚୁନାହିଁ,ବାଟ ମଝିରେ ଆଉ କୁଆଡକୁ ଚମ୍ପଟ ଦେଇଛି ।
ତେବେ ସପ୍ତଦଶ ଶତାବ୍ଦୀ ଇଂଲଣ୍ଡର ପୋଷାକ ଚୋରି କ୍ଷେତ୍ରରେ ଧରାପଡିବାର ସଂଖ୍ୟା ବହୁତ କମ୍ ହେଲେ ବି ଯେଉଁମାନେ ଧରାପଡିଯାଉଥିଲେ ସେମାନଙ୍କୁ ସାକ୍ଷ୍ୟ ପ୍ରମାଣ ସହ ଅଭିଯୁକ୍ତ କରିବା ଅନେକାଂଶରେ ସହଜ ଥିଲା,କାରଣ ଚୋରି ପୋଷାକର ମାଲିକର ତରଫରୁ ଯେଉଁ ସାକ୍ଷୀ ମାନେ ଉପସ୍ଥିତ ହେଉଥିଲେ ସେମାନେ ଅତି ସହଜରେ ସେଇ ଚୋରି ପୋଷାକକୁ ବିଚାରାଳୟରେ ଚିହ୍ନଟ କରିପାରୁଥିଲେ।
ସେ ସମୟର ଇଂଲଣ୍ଡର ପରିସ୍ଥିତି ଏପରି ଥିଲା ଯେ ଅନେକ ସମୟରେ କେହି ନୂତନ ପୋଷାକ ପରିଧାନ କରି ବାହାରକୁ ଆସିଲେ ଅନ୍ୟମାନେ ତାହାକୁ ସଂଦେହର ଦୃଷ୍ଟିରେ ଦେଖୁଥିଲେ। ସେଇ ପରିପ୍ରେକ୍ଷୀରେ କେହି କେହି ମନେ କରିଥାନ୍ତି ଯେ ଆମର ନୂତନ ବସ୍ତ୍ର ପରିଧାନ କୁ ଦେଖିଲାମାତ୍ରକେ
ସାଙ୍ଗସାଥୀମାନେ ଥଟ୍ଟାମଜାରେ ନୂତନ-ଚିମୁଟା ବା ନିଉ-ପିଞ୍ଚ୍ ବୋଲି ଚିମୁଟି ଦେଇଥାନ୍ତି ସେଇ ପ୍ରକ୍ରିୟାର ପଛରେ ଜଣକର ନୂତନ ବସ୍ତ୍ର ପରିଧାନକୁ ପ୍ରାଥମିକ ଭାବରେ ଦେଖାଯାଉଥିବା ସାମୂହିକ ଦୃଷ୍ଟିର ସନ୍ଦେହ ଏବଂ ତାହାକୁ ଗ୍ରହଣ କରାଯିବା ଭଳି ଧାରଣାର ଏକ ଆମୋଦଦାୟକ ମିଶ୍ରଣର ପରିପ୍ରକାଶ ।
୧୭୦୦ ଶତକର ଆରମ୍ଭ କାଳରେ ପୋଷାକ ଚୋରିର ଘଟଣାକୁ ନେଇ ଇଂଲଣ୍ଡରେ ସବୁଠାରୁ ବେଶି ମାମଲା ଦାୟର କରାଯାଉଥିଲା। ପୋଷାକକୁ ନେଇ ହତ୍ୟାକାଣ୍ଡର ଘଟଣା କମ୍ ହେଲେ ବି ପୋଷାକକୁ ନେଇ ଏମିତି ଅପରାଧର ମାତ୍ରା ସେମିତି ବିରଳ ପର୍ଯ୍ୟାୟର ନଥିଲା। କୌଣସି ହତ୍ୟାକାଣ୍ଡରେ ଅଭିଯୁକ୍ତ ପାଇଁ ତ ମୃତ୍ୟୁଦଣ୍ଡ ର ବିଧାନ ସେ ସମୟରେ ଏକ ସ୍ୱାଭାବିକ ବିଚାର କଥା ଥିଲା। ହେଲେ ଇଂଲଣ୍ଡରେ ସେଇ ସମୟରେ ବ୍ୟାପକ ପୋଷାକ ଚୋରିକୁ ରୋକିବା ପାଇଁ ତଥା ଏହାକୁ ଦୃଢ ହସ୍ତରେ ଦମନ କରିବା ପାଇଁ
ପୋଷାକ-ଚୋରକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ଭଳି ବିଚାର ପ୍ରକ୍ରିୟାର ଆରମ୍ଭ ହୋଇଥିଲା ସେଇଠୁ।
ପୋଷାକ ଚୋରିରେ ଅଭିଯୁକ୍ତ ଆସାମୀକୁ ପ୍ରଥମେ ଅନେକ ଦିନ କାରାଗାରରେ ରଖାଯାଉଥିଲା। ମୃତ୍ୟୁଦଣ୍ଡର ଦିନ ଆସାମୀକୁ ବଧସ୍ଥଳ ପର୍ଯ୍ୟନ୍ତ ଗୋଟିଏ ଘୋଡା ଗାଡିର ପଛରେ ବାନ୍ଧି ତାହାକୁ ଲୋକଗହଳି ର ଭିତରେ ଟାଣି ଟାଣି ଅଣାଯାଉଥିଲା। ଲୋକମାନେ ଉପସ୍ଥିତ ପୋଷାକ ଚୋରକୁ ସାମ୍ନାରେ ଦେଖି ତାହା ସହିତ ଥଟ୍ଟା ତାମସା କରୁଥିଲେ। ଅଶ୍ଳୀଳ ହରକତ ବି କରୁଥିଲେ,ଥଟ୍ଟାମଜାର ସେଇ ଗହଳି ଭିତରେ ପକେଟମାର୍ ମାନେ ବି ଥିଲେ ବେଶ୍ ସକ୍ରିୟ ।
ପୋଷାକ ଚୋରିର ଅଭିଯୁକ୍ତକୁ ଅଣାଯାଉଥିଲା ବଧସ୍ଥଳକୁ। ଅନେକ ସମୟରେ ଉପସ୍ଥିତ ଜନତା ଚିତ୍କାର କରୁଥିଲେ ଯଥାଶିଘ୍ର ଏହି ଅବିଯୁକ୍ତକୁ ନିର୍ବସ୍ତ୍ର କରାଯାଉ। ସେ ଏହାପରେ ସର୍ବସାଧାରଣରେ ନିର୍ବସ୍ତ୍ର ରହିବାର ଔଚିତ୍ୟ ରହିଅଛି। ମାତ୍ର ସେଇଭଳି କିଛି ସାମାଜିକ ଅସଂଜତ ପଣକୁ
କୌଣସି ପ୍ରକାରର ପ୍ରଶ୍ରୟ ଦିଆଯାଉନଥିଲା।
ବଧସ୍ଥଳଟି ଖାସ୍ ଥିଲା।
ଗଛ ଟିଏ ଆଉ ଗଛରୁ ଝୁଲୁଛି ଫାଶଟିଏ । ସେଇ ଫାଶରେ ଅବଶେଷରେ ଝୁଲାଇ ଦିଆଯାଉଥିଲା ସପ୍ତଦଶ ଶତାବ୍ଦୀର କୁଖ୍ୟାତ ପୋଷାକ ଚୋରିର ଅଭିଯୁକ୍ତକୁ ।
ବଧସ୍ଥଳର ସେଇ ବିଶେଷ ଗଛଟି ଅସଲରେ ଆମେ ଦେଖୁଥିବା ବା ଜାଣିଥିବା ଗଛଟିଏ ଭଳି କୌଣସି ଗଛ ନଥିଲା । ଏଇ ଫାଶିଖୁଣ୍ଟଟି କାଠରେ ତିଆରି ହୋଇଥିଲା ଏବଂ ଏହି ଚର୍ଚ୍ଚିତ ଫାଶିଖୁଣ୍ଟକୁ କୁହାଯାଉଥିଲା ” ଟାଇବର୍ଣ୍ଣ ଟ୍ରି “।