ପ୍ରେମ ଓ ଆବେଗର ପ୍ରତୀକ: ପ୍ୟାସନ୍ ଫ୍ଲାଓ୍ବାର

             ଅନେକ ବର୍ଷ ତଳର କଥା। ଦକ୍ଷିଣ ଆମେରିକାର ଘଞ୍ଚ ଅରଣ୍ୟ ଭିତରେ, ଗୋଟିଏ ଛୋଟିଆ ଜନବସତିରେ ନାୟେରା ନାମରେ ଝିଅଟିଏ ରହୁଥାଏ। ନାୟେରା ଦେଖିବାକୁ ଯେମିତି ସୁନ୍ଦରୀ, ତା’ ମନ ବି ସେମିତି ନରମ। ନାୟେରା ଭାରି ପରୋପକାରୀ ଆଉ ମିଷ୍ଟଭାଷୀ। ସବୁବେଳେ ଅନ୍ୟକୁ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରେ। ସବୁପରେ କିନ୍ତୁ ନାୟେରାର ଆଉ ଗୋଟିଏ ସବୁଠାରୁ ସୁଗୁଣ ଥିଲା ଯେ ସେ ପ୍ରକୃତି ଓ ଜଙ୍ଗଲକୁ ଖୁବ୍ ବେଶୀ ଭଲ ପାଏ। ଦିନଦିନ ଧରି ସେ ଜଙ୍ଗଲ ଭିତରେ ବୁଲୁଥାଏ। ଜଙ୍ଗଲର ଗଛ, ଲତା, ଫୁଲ, ଝରଣା, ପଶୁଙ୍କ ସହ ବନ୍ଧୁତା କରେ। ଜଙ୍ଗଲର ପକ୍ଷୀ ଆଉ ପ୍ରଜାପତି ଉଡିଲେ, ତାଙ୍କରି ସହ ଧାଇଁ ବୁଲେ। ଜଙ୍ଗଲ ଆଉ ପାହାଡ଼ ପାଇଁ ନାୟେରାର ଏତେ ପ୍ରଗାଢ଼ ପ୍ରେମ ଆଉ ମୋହ ସମ୍ପର୍କରେ ତା’ ଜନବସତିର ଆବାଳବୃଦ୍ଧବନିତା ସମସ୍ତେ ଜାଣନ୍ତି ଏବଂ ଆଶ୍ଚର୍ଯ୍ୟ ମଧ୍ୟ ହୁଅନ୍ତି। ହେଲେ ନାୟେରାର ଆଉ ଗୋଟିଏ ମୋହ ଓ ପ୍ରେମ ବିଷୟ ସାରା ଜନବସତିକୁ ଅଜଣା ଥାଏ! ଇଣ୍ଟି(ଇଣ୍ଟି ହେଉଛନ୍ତି ଆଦିମ ଦକ୍ଷିଣ ଆମେରିକୀୟ ସୂର୍ଯ୍ୟ ଦେବତା)ଙ୍କ ପାଇଁ ନାୟେରାର ମୋହ ଓ ପ୍ରେମ।

             ନାୟେରା ଯେ ଦିନ ତମାମ କେବଳ ଗଛ, ଲତା, ଝରଣା, ପଶୁ, ପକ୍ଷୀଙ୍କ ପାଇଁ ଜଙ୍ଗଲ ଭିତରେ ଘୁରି ବୁଲେ ତା’ ନୁହେଁ, ବରଂ ଏସବୁ ଭିତରେ ସେ ଇଣ୍ଟିଙ୍କ ଗତିପଥକୁ ଅନୁସରଣ କରେ, ତାଙ୍କ ନିକଟତର ହେବାକୁ ଉଚ୍ଚରୁ ଉଚ୍ଚ ପର୍ବତ ଶୃଙ୍ଗକୁ ଚଢ଼େ ଏବଂ ଲଗାତାର ଇଣ୍ଟିଙ୍କ ପାଖରେ ପ୍ରେମ ନିବେଦନ କରେ। ଇଣ୍ଟି ତା’ ପ୍ରେମକୁ ସ୍ବୀକାର କରନ୍ତୁ ବୋଲି ଲଗାତାର ପ୍ରାର୍ଥନା କରେ ଓ ସାଧନା କରେ। ଏସବୁ କିନ୍ତୁ ନାୟେରା କରେ ଗୋପନରେ। ତା’ ପରିବାର କିମ୍ବା କୌଣସି ସଖୀ ମଧ୍ୟ ଏବିଷୟରେ ଜାଣି ନଥା’ନ୍ତି। କାରଣ ସେହି ଜନଜାତିର ବୟସ୍କ ମାନଙ୍କର ବିଶ୍ବାସ ଥାଏ ଯେ, ମର୍ତ୍ତ୍ୟରେ ରହୁଥିବା ମଣିଷମାନେ ସ୍ବର୍ଗର ଅମର ଦେବତା ମାନଙ୍କୁ ପ୍ରେମ କରିବା ପାପ ଓ ଅପରାଧ। କେହି ମଣିଷର ନିଜ ମନ ଭିତରେ ଏପରି ବିଚାର ମଧ୍ୟ ଆସିବା ଅନୁଚିତ। ଏବଂ ଏପରି ପାପ କରିବା ଦ୍ୱାରା ଦେବତାକୁଳ କ୍ରୋଧିତ ହେବେ ଏବଂ ସମଗ୍ର ଜନଜାତି ପାଇଁ ଏହା ବିନାଶର କାରଣ ହେବ। ଇଣ୍ଟି ଦେବତା ମଧ୍ୟ କୋପିତ ହୋଇ ଜନଜାତିକୁ ଅଭିଶାପ ଦେବେ।

             ଏସବୁ ଜାଣିବା ସତ୍ତ୍ବେ ନାୟେରା, ଇଣ୍ଟିଙ୍କ ପାଇଁ ନିଜ ମନ ଓ ପ୍ରେମକୁ ନିୟନ୍ତ୍ରିତ କରିପାରେ ନାହିଁ। ଇଣ୍ଟିଙ୍କ ପ୍ରତିଟି ସୁନେଲି କିରଣ ତା’ ମନର ପ୍ରେମ ଓ ସମର୍ପଣକୁ ଆହୁରି ପ୍ରଗାଢ଼ କରିଦିଏ। ନାୟେରା ଆହୁରି ଟାଣି ହୋଇଯାଏ ଇଣ୍ଟିଙ୍କ ଆଡ଼କୁ। ସମସ୍ତଙ୍କ ଅଜାଣତରେ ନାୟେରା ପ୍ରତି ଦିନ ବଡ଼ି ଭୋରରୁ, ପୃଥିବୀ ପୃଷ୍ଠରେ ଇଣ୍ଟିଙ୍କ ପ୍ରଥମ କିରଣ ପଡିବା ପୂର୍ବରୁ ପାହାଡ଼ର ଶୀର୍ଷକୁ ଚଢି ନିଜର ପ୍ରାର୍ଥନା ଆରମ୍ଭ କରିଦିଏ। ଇଣ୍ଟିଙ୍କ ନିକଟତର ହେବା ପାଇଁ ସାଧନା କରେ। ଦିନେ ନା ଦିନେ ଇଣ୍ଟିଙ୍କ ଦୃଷ୍ଟି ତା’ ପ୍ରେମ ଓ ସାଧନା ଉପରେ ପଡିବ ଏବଂ ସେ ତା’ ମନକୁ ବୁଝିବେ ବୋଲି ନାୟେରା ମନରେ ଆଶା ଥାଏ।

           କିନ୍ତୁ ନାୟେରାର ପ୍ରେମ ଓ ସାଧନା ବେଶିଦିନ ଲୁଚି ରହି ପାରିଲାନି। ଦିନେ ବଡ଼ି ଭୋରରୁ ନାୟେରା ପାହାଡ଼ ଶିଖରକୁ ଯିବା ସମୟରେ ସେମନଙ୍କ ଆଖିରେ ସେହି କଥା ପଡିଗଲା। ସାମନ୍ ତୁରନ୍ତ ଡେଙ୍ଗୁରା ପିଟିଲେ ଏବଂ ଗାଁ ଲୋକଙ୍କୁ ଏକାଠି କଲେ। ଗାଁର ସବୁ ଲୋକଙ୍କ ଆଗରେ କଥା ପ୍ରଘଟ ହେଲା। ଗାଁ ଲୋକଙ୍କ ଭିତରେ ଭାଳେଣି ପଡିଗଲା ଯେ, ଏବେ ଇଣ୍ଟିଙ୍କ କୋପ ଆଉ ଅଭିଶାପର ସାମନା କରିବା ପାଇଁଁ ପଡିବ। ତାଙ୍କ ଜନବସତି, ପାହାଡ଼, ଜଙ୍ଗଲ, ସବୁର ଧ୍ବଂସ ହେବା ସମୟ ଆସିଗଲା। ଗାଁ ଲୋକେ ବିଚାର କଲେ ଏବଂ ସାମନର କଥା ଅନୁସାରେ ସମସ୍ତେ ମିଶି ନାୟେରାକୁ ଶାସ୍ତି ଦେବା କଥା ବିଚାର କଲେ। ନାୟେରା ବିକଳରେ ସୂର୍ଯ୍ୟୋଦୟ ପୂର୍ବରୁ ଘଞ୍ଚ ଅରଣ୍ୟ ଦେଇ ପାହାଡ଼ ଶିଖରରେ ପହଞ୍ଚିବା ପାଇଁଁ ଚେଷ୍ଟା କରୁଥାଏ। ପାହାଡ଼ ଉପରେ ପହଞ୍ଚି ନାୟେରା ଦେବତାମାନଙ୍କୁ ପ୍ରାର୍ଥନା କରେ। ତାକୁ ରକ୍ଷା କରିବା ପାଇଁଁ ନିବେଦନ କରେ। ତାକୁ ନିଜ ପାଖକୁ ନେଇଯିବା ପାଇଁ ଇଣ୍ଟିଙ୍କ ପାଖରେ ଅନୁନୟ କରେ। ପାହାଡ଼ ତଳୁ ଗାଁ ଲୋକଙ୍କ ହୋ’ହାଲ୍ଲା ଆଉ ଶିଖର ଆଡ଼କୁ ମାଡ଼ି ଆସିବାର ଶବ୍ଦ ତୀବ୍ର ହେଉଥାଏ। ନାୟେରାର ଦୁଇ ଆଖିରୁ ଧାରଧାର ଲୁହ ବୋହି ଯାଉଥାଏ। ଆକାଶ, ଇଣ୍ଟି ଏବଂ ଦେବତାଙ୍କ ଉଦ୍ଦେଶ୍ୟରେ ତା’ର ପ୍ରାର୍ଥନା ଜାରି ଥାଏ। ଦେବତା ମାନଙ୍କର ନାୟେରା ଉପରେ ଦୟା ଆସେ। ପୂର୍ବ ଦିଗରେ ସିନ୍ଦୂରା ଫାଟେ। ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡୁ ପଡୁ ନାୟେରାର ଶରୀର ତରଳିବାକୁ ଲାଗେ ଏବଂ ସେ ଭୂମିରେ ମିଶିଯାଏ। ପୂର୍ବ ଆକାଶରେ ସୂର୍ଯ୍ୟ ସମ୍ପୂର୍ଣ୍ଣ ଦିଶିଲା ବେଳକୁ ଭୂମିର ଯେଉଁ ସ୍ଥାନରେ ନାୟେରାର ଶରୀର ତରଳି ମିଶି ଯାଇଥାଏ, ସେଇଠୁ ଗୋଟିଏ ଛନଛନିଆ ଲତା ପୂର୍ବ ଆକାଶର ଇଣ୍ଟିଙ୍କ ଆଡ଼କୁ ବଢ଼େ ଆଉ ତା’ ଅଗରେ ଠିକ୍ ଇଣ୍ଟିଙ୍କ ପରି ଦେଖା ଯାଉଥିବା ଫୁଲଟିଏ ଫୁଟେ। ଫୁଲର ପାଖୁଡ଼ା ଗୁଡିକ ଗୋଲାକାର ଆକୃତିରେ ଚାରି ପଟକୁ ମେଲି ଯାଆନ୍ତି ଆଉ ଫୁଲର ପରାଗ ତନ୍ତୁ (filaments) ଗୁଡିକ ମଝିରୁ ଠିକ୍ ସୂର୍ଯ୍ୟ କିରଣ ପରି ଫୁଟି ଉଠନ୍ତି। ସକାଳର ଖରା ପଡ଼ି ପରାଗ ତନ୍ତୁ ଗୁଡ଼ିକର ଅଗରେ ଥିବା ଧଳା ରଙ୍ଗର ଟିପିଟିପି ଦାଗ ଠିକ୍ କିରଣ ପରି ହିଁ ଉଜ୍ବଳ ଦିଶେ। ଇଣ୍ଟିଙ୍କ ପାଇଁ ନାୟେରାର ଅତୁଟ ସ୍ନେହ ଓ ବିଶ୍ବାସ ତଥା ଗଭୀର ଆବେଗ ପାଇଁ ଏ ଫୁଲର ନାଁ ପଡ଼େ ପ୍ୟାସନ୍ (passion flower) ଫ୍ଲାଓ୍ବାର୍।

              ପ୍ୟାସନ୍ ଫ୍ଲାଓ୍ବାରକୁ ଓଡ଼ିଆରେ କୃଷ୍ଣ ତମାଳ କୁହାଯାଏ। ସେହିପରି ହିନ୍ଦୀ, ମରାଠୀ, କନ୍ନଡ଼ ଏବଂ ବଙ୍ଗଳାରେ କ୍ରୀଷ୍ଣା-କମଲ୍, ତେଲୁଗୁରେ ତେଲାଝୁମୁକି, ସ°ସ୍କୃତରେ ବିଦାରୀ କୁହାଯାଏ। ଅନେକ ସମୟରେ ବଙ୍ଗଳାରେ ଝୁମକା ଲତା ମଧ୍ୟ କୁହନ୍ତି। ଇଂରାଜୀରେ ଆହୁରି ମଧ୍ୟ ଏହାକୁ Passion vine କୁହାଯାଉଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ ଭାଗରେ ସାଧାରଣତଃ Maypop କୁହାଯାଏ। ପ୍ୟାସନ୍ ଫ୍ଲାଓ୍ବାରର ପ୍ରକୃତ ବା scientific name ହେଉଛି Passiflora incarnata (ପ୍ୟାସିଫ୍ଲୋରା ଇନ୍-କାରନାଟା)।

            ହିନ୍ଦୁ ମାନ୍ୟତା ଅନୁସାରେ କୃଷ୍ଣ ତମାଳର ମଝିରେ ଥିବା ପାଞ୍ଚଟି ପରାଗ ତନ୍ତୁ ପଞ୍ଚୁପାଣ୍ଡବଙ୍କୁ ସୂଚାଉ ଥିବା ବେଳେ ତା’ ଚାରି ପାଖରେ ଥିବା ଶହେଟି ସରୁସରୁ ତନ୍ତୁ କୌରବ ମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥାଏ ଏବଂ ସମ୍ପୂର୍ଣ୍ଣ ଫୁଲଟିକୁ ଉପରୁ ଦେଖିଲେ କୃଷ୍ଣଙ୍କ ସୁଦର୍ଶନ ଚକ୍ର ପରି ଦେଖାଯାଏ। ଖ୍ରୀଷ୍ଟ ଧର୍ମ ବିଶ୍ଵାସ ଅନୁସାରେ,ସମସ୍ତ ଅତ୍ୟାଚାର, ପ୍ରପଞ୍ଚ ଏବଂ ତାଡ଼ନା ସତ୍ତ୍ବେ ଯୀଶୁଙ୍କ ପ୍ରେମ, ଦୟା, କରୁଣା ଓ ଆବେଗର ପ୍ରତୀକ ଅଟେ ପ୍ୟାସନ୍ ଫ୍ଲାଓ୍ବାର। ତା’ର ଦଶଟି ପାଖୁଡାକୁ ଯୀଶୁଙ୍କ ଦଶଜଣ ପ୍ରିୟ ଏବଂ ବିଶ୍ବସ୍ତ ଶିଷ୍ୟ ହିସାବରେ ଗ୍ରହଣ କରାଯାଏ। ସେହିପରି ଫୁଲ ମଝିରେ ଥିବା ପାଞ୍ଚଟି ପରାଗ ତନ୍ତୁକୁ କୃଶବିଦ୍ଧ ସମୟରେ ଯୀଶୁଙ୍କ ଶରୀରରେ ଲାଗିଥିବା ପାଞ୍ଚଟି କ୍ଷତ ସହ ତୁଳନା କରା ଯାଏ (ଦୁଇଟି ହାତରେ, ଦୁଇଟି ପାଦରେ ଏବଂ ଗୋଟିଏ ମଥାରେ)। କୃଷ୍ଣ ତମାଳ ଯଦିଓ ଫୁଟିବା ସମୟରେ ଖୁବ ସୁନ୍ଦର ଓ ଆକର୍ଷଣୀୟ ଲାଗେ କିନ୍ତୁ ଖୁବ୍ କମ୍ ସମୟ ଭିତରେ ମଉଳି ଯାଏ। ଖାସ୍ ଏହି କାରଣରୁ ବୈ।ଦ୍ଧ ଧର୍ମ ଅନୁସାରେ ଏହାକୁ ମଣିଷର ଶାରୀରିକ ସୌନ୍ଦର୍ଯ୍ୟ ଏବଂ ଐଶ୍ୱର୍ଯ୍ୟ ଯେ କ୍ଷୀଣସ୍ଥାୟୀ ଏହାକୁ ବୁଝାଏ।

       ଦକ୍ଷିଣ ଆମେରିକୀୟ, ଉତ୍ତର ଆମେରିକୀୟ, ୟୁରୋପିଆନ୍, ଚାଇନିଜ୍ ପାରମ୍ପରିକ ଚିକିତ୍ସା ଏବଂ ଭାରତୀୟ ଆୟୁର୍ବେଦ ଚିକିତ୍ସା, ଏ ସମସ୍ତ ପାରମ୍ପରିକ ଚିକିତ୍ସା ପଦ୍ଧତିରେ ପ୍ୟାସନ୍ ଫ୍ଲାଓ୍ବାରକୁ ମାନସିକ ବ୍ୟାଧିର ଚିକିତ୍ସା, ଅନିଦ୍ରା ଦୋଷ, ଦୁଶ୍ଚିନ୍ତା ଆଦିର ଚିକିତ୍ସା ପାଇଁ ବ୍ୟବହାର କରାଯାଏ। ଦକ୍ଷିଣ ଆମେରିକୀୟ ପାରମ୍ପରିକ ଚିକିତ୍ସା ପଦ୍ଧତିରେ ଆହୁରି ମଧ୍ୟ ପାଚନ ଶକ୍ତି ବର୍ଦ୍ଧକ, ଋତୁସ୍ରାବ ଜନିତ ଯନ୍ତ୍ରଣା ଆଦିର ଚିକିତ୍ସାରେ ବ୍ୟବହାର କରାଯାଇଥାଏ। ଥାଇଲାଣ୍ଡ୍ ପାରମ୍ପରିକ ଚିକିତ୍ସାରେ ଏହାକୁ ଶରୀରର ଥଣ୍ଡା ଏବଂ ଜ୍ବର କମାଇବା ପାଇଁ ବ୍ୟବହାର କରାଯାଏ। ପ୍ୟାସନ୍ ଫ୍ଲାଓ୍ବାର ଚା’, ମନକୁ ଶାନ୍ତ ରଖେ, ମୁଣ୍ଡ ବ୍ୟଥାରେ ଆରାମ ଦିଏ, ଦୁଶ୍ଚିନ୍ତା ଦୂର କରେ ଏବଂ ଅନିଦ୍ରା ଦୋଷ ଦୂର କରି ସୁଖନିଦ୍ରାରେ ସାହାଯ୍ୟ କରେ। କିନ୍ତୁ ଏହାକୁ ଲଗାତାର ଅଧିକ ଦିନ ପର୍ଯ୍ୟନ୍ତ ଗ୍ରହଣ କରିବା ପାଇଁଁ ବାରଣ କରାଯାଏ। ଆରୋମା ଥେରାପିରେ ମଧ୍ୟ ଏହାର ବ୍ୟବହାର କରାଯାଏ।

         ପୃଥିବୀର ବିଭିନ୍ନ ଦେଶ ଓ ଅଞ୍ଚଳରେ ପ୍ୟାସନ୍ ଫ୍ଲାଓ୍ବାରକୁ ନେଇ ଭିନ୍ନ ଭିନ୍ନ ମାନ୍ୟତା ରହିଛି। ଦକ୍ଷିଣ ଆମେରିକୀୟ ଜନଜାତି ଗୁଡ଼ିକରେ ଏହା ପ୍ରକୃତି ଏବଂ ମଣିଷ ଜାତି ଭିତରେ ସମନ୍ୱୟର ପ୍ରତୀକ ଅଟେ। ଏହା ମାଧ୍ୟମରେ ସର୍ଗର ଦେବତାମାନଙ୍କ ନିକଟତର ହୋଇ ହୁଏ ଏବଂ କୃପା ଦୃଷ୍ଟି ଲାଭହୁଏ ବୋଲି ବିଶ୍ୱାସ ରହିଛି। ପାରମ୍ପରିକ ୟୁରୋପୀୟ ବିଶ୍ବାସ ଅନୁସାରେ ଏହା ଶାନ୍ତ, ସ୍ନିଗ୍ଧ ମନର ପ୍ରତୀକ ଅଟେ। ଏହାର ସୁନ୍ଦର ଗୋଲ୍ ଆକୃତି କାରଣରୁ ରୋମାନ୍, ଇସ୍ରାଏଲ, ଗ୍ରୀସ୍, ଜାପାନ ଏବଂ ହାଓ୍ବାଇ ଆଦି ଅଞ୍ଚଳରେ ଏହାକୁ ଘଡି ବା କ୍ଲକର ପ୍ରତୀକ ବୋଲି କୁହାଯାଏ। ଏମିତିକି ଗ୍ରୀସ୍ ଏବଂ ଜାପାନରେ ଏହି ଫୁଲର ନାମର ଆକ୍ଷରିକ ଅର୍ଥ ଘଡି ବା କ୍ଲକ୍ ଫ୍ଲାଓ୍ବାର ହିଁ ଅଟେ।

          ଫ୍ଲାଓ୍ବାର ସିମ୍ବଲିଜିମ୍ ଅନୁସାରେ ପ୍ୟାସନ୍ ଫ୍ଲାଓ୍ବାର ପ୍ରଗାଢ଼ ପ୍ରେମ, ସ୍ନେହ, ଆବେଗ ଓ ଉତ୍ସାହକୁ ପ୍ରତିପାଦିତ କରେ। ଏହାର ଆହୁରି ମଧ୍ୟ ଶାନ୍ତି ଏବଂ ଆତିଥ୍ୟପରାୟଣତାର ଚିହ୍ନ। ବଗିଚାରେ ଏହି ଗଛ ରହିବାର ଅର୍ଥ, ସେ ଘରେ ମଣିଷ, ପଶୁ, ପକ୍ଷୀ, ସମସ୍ତଙ୍କ ପାଇଁ ଦ୍ବାର ଉନ୍ମୁକ୍ତ ବୋଲି ବିଚାର କରାଯାଏ। ଏଥିରେ ଥିବା ବଡ଼ ବଡ଼ ଦଶଟି ପାଖୁଡ଼ା ଓ ତା’ ଭିତରେ ପରସ୍ତ ପରସ୍ତ ହୋଇ ଥିବା ସରୁସରୁ ତନ୍ତୁ ସଦୃଶ ପାଖୁଡ଼ା ମଣଷ ମନର ବିଭିନ୍ନ ସ୍ତରକୁ ପ୍ରତିପାଦିତ କରେ। ଏହା ମଣିଷର ସାଧାରଣ, ସା°ସାରିକ ବୁଦ୍ଧି ଏବଂ ଆଧ୍ୟାତ୍ମିକ ଚେତନା ଭିତରେ ଯୋଗସୂତ୍ରର କାମ କରେ।

         ଯେହେତୁ ଗଛରୁ ଛିଣ୍ଡାଇଲେ ପ୍ୟାସନ୍ ଫ୍ଲାଓ୍ବାର ଖୁବ୍ ଶୀଘ୍ର ମଉଳିଯାଏ, ତେଣୁ ଏହାକୁ ଉପହାର ଦେବା ସମ୍ଭବ ହୁଏ ନାହିଁ। କିନ୍ତୁ ଏହାର ଜୀବନ୍ତ ଲତାକୁ ଉପହାର ସ୍ବରୂପ ଦିଆଯାଇ ପାରେ। ଗାଢ଼ ବାଇଗଣି, ଫିକା ଗୋଲାପୀ, ଲାଲ୍ ଏବଂ ଧଳା ଆଦି ରଙ୍ଗର ପ୍ୟାସନ୍ ଫ୍ଲାଓ୍ବାର ଦେଖାଯାଏ। ବଗିଚାର ପ୍ରବେଶ ଦ୍ଵାର ବା ଗେଟ୍ ପାଖରେ ଏ ଲଟା ରହିବା ଦ୍ବାରା ଘରକୁ ଶାନ୍ତି, ସୁଖ ଏବଂ ଐଶ୍ୱର୍ଯ୍ୟ ଆସିଥାଏ। ଫେଙ୍ଗ୍-ସୁଇରେ ମଧ୍ୟ ଘରର ବଗିଚାରେ ପ୍ୟାସନ ଫ୍ଲାଓ୍ବାର ଲଟା ରହିବା ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି। ଏହା ଦ୍ବାରା ଘରକୁ ସକାରାତ୍ମକ ଉର୍ଜା ଆସିବା ସହ ଶାନ୍ତି ପ୍ରତିଷ୍ଠା ହୋଇଥାଏ। ବଗିଚାର ଉତ୍ତର-ପୂର୍ବ କିମ୍ବା ଉତ୍ତର ଦିଗରେ ଏହି ଲଟାକୁ ରୋପଣ କରିବା ଶୁଭ ବୋଲି ଦର୍ଶାଯାଏ। ଏହା ଦ୍ବାରା ଘରେ ଶାନ୍ତି ପ୍ରତିଷ୍ଠା ହେବା ସହ ପାରିବାରିକ କଳହ ଦୂର ହୁଏ ଏବଂ ସମ୍ପର୍କ ସୁଦୃଢ଼ ହୁଏ।

          ପ୍ରକୃତରେ କେଉଁ ଦିଗ କିମ୍ବା କେଉଁ କୋଣରେ କୃଷ୍ଣ ତମାଳ ଲଟା ଲଗାଇବା ଦ୍ବାରା ଘରକୁ ଶାନ୍ତି ଆସେ କି ନାହିଁ, ଆଉ ତାହା ସତ କି ମିଛ; କହିଦେଲା ପରି ଜ୍ଞାନ ମୋ’ର ନାହିଁ। କିନ୍ତୁ ମୁଁ ଦେଖିଛି, କୃଷ୍ଣ ତମାଳ ଫୁଲ ଅଳ୍ପ ସମୟ ପାଇଁ ଫୁଟିଲେ ମଧ୍ୟ ଛୋଟ ଚଢ଼େଇ, ପ୍ରଜାପତି ଏବଂ ମହୁମାଛିଙ୍କୁ ଖୁବ୍ ଆକୃଷ୍ଟ କରେ। ଏହା ପରିବେଶ ସୁରକ୍ଷା ଏବଂ ପୋଲିନେସନରେ ସାହାଯ୍ୟ କରେ। ଭାବୁ ନାହାନ୍ତି, ଯଦି ଆପଣଙ୍କ ବଗିଚାର କୃଷ୍ଣ ତମାଳ ଲଟାରେ ଫୁଲ ଭର୍ତ୍ତି ହୋଇଥିବ, ଚଢ଼େଇ କିଚିରି-ମିଚିରି ହେଉଥିବେ, ରଙ୍ଗ ବେରଙ୍ଗ ପ୍ରଜାପତି ଉଡୁଥିବେ ଆଉ ଆପଣ ବସି ନିଜ ପ୍ରିୟଜନଙ୍କ ସହ ଚା’ ପି’, ଗପରେ ମାତି ଥିବେ….. ୟା ଠୁ ସୁଖକର ଆଉ ଶାନ୍ତିମୟ ସମୟ ଆଉ କ’ଣ ହୋଇପାରେ?

           କେବେ ସୁବିଧା ହେଲେ ପ୍ୟାସନ୍ ଫ୍ଲାଓ୍ବାର ଲଟାଟେ ଆଣି ଲଗାନ୍ତୁ………ଇଣ୍ଟିଙ୍କୁ ଚାହିଁ ଯେତେବେଳେ ଗାଢ଼ ବାଇଗଣି କି ଲାଲ୍ ରଙ୍ଗର ପ୍ୟାସନ୍ ଫ୍ଲାଓ୍ବାରଟେ ପାଖୁଡା ମେଲିବ……ହୁଏତ ଆପଣଙ୍କ ଜୀବନ ବି ନାୟେରାର ପ୍ରେମ ଓ ଆବେଗରେ ଭରି ଯିବ!

About Dr. Ipsita Pradhan

Dr. Ipsita Pradhan is a doctor by profession and writer by passion.

View all posts by Dr. Ipsita Pradhan →