ଆଉ ଗୋଟେ ବର୍ଷ ସରିବାକୁ ଯାଉଛି । ଆଉ ଗୋଟେ ଅରଖ ନୂଆ ବର୍ଷ ଆରମ୍ଭ ହେବ । ନୂଆବର୍ଷକୁ ଧୁମ ଧାମରେ ପାଳନ କରିବାର ପ୍ରସ୍ତୁତି ଏବେଠୁଁ ଆରମ୍ଭ ହୋଇଗଲାଣି । ଯେ କୌଣସି ଉତ୍ସବର ସାମଜିକୀକରଣ ଏବଂ ଵାଣିଜ୍ୟକରଣ ବ୍ୟବସାୟୀଙ୍କ ପୁରୁଣା ଅଭ୍ୟାସ । ତେଣୁ ଗଣମାଧ୍ୟମରେ ଦିଶୁଚି / ଶୁଭୁଛି ନୂଆବର୍ଷ ଅବସରରେ ବିଜ୍ଞାପନ ।
ଏ ଅବସରରେ ନୂଆବର୍ଷ ପାଳନର ଆରମ୍ଭ ବିଷୟରେ ଆଲୋଚନା ପ୍ରାସଙ୍ଗିକ ।
ଅନନ୍ତରୁ ଅନନ୍ତ ବିସ୍ତାରିଥିବାସମୟକୁ ଏମିତି ବର୍ଷ, ମାସ, ଦିନ, ପ୍ରହର, ଘଣ୍ଟା, ମିନିଟ ସେକେଣ୍ଡରେ ବିଭକ୍ତ କରିବାର ପ୍ରଣାଳୀ ପ୍ରଥମେ କେବେ କେଉଁଠୁ ଆରମ୍ଭ ହୋଇଥିଲା – ତାହା ଏଯାଏଁ ଠିକ ଭାବେ କହି ହେବ ନାହିଁ । ଅନୁମାନ କରାଯାଏ 11-12 ହଜାର ବର୍ଷ ତଳେ, ଯେତେବେଳେ କୃଷି ଆରମ୍ଭ ହେଲା – ତା ପରେ ପରେ କ୍ରମଶଃ କାଳଖଣ୍ଡକୁ ବିଭକ୍ତ କରିବାର ଅବଧାରଣାର ଊଦ୍ଭବ ହେଲା ।
ଖ୍ରୀଷ୍ଟପୂର୍ବ 3000 ରେ ପ୍ରାଚୀନ ମିଶରୀୟ ସଭ୍ୟତାରେ 365 ଦିନରେ ବର୍ଷର ଅଵଧାରଣାର ଆରମ୍ଭ । ପ୍ରେକ୍ଷାପଟ ଥିଲା ନୀଳ ନଦୀର ବନ୍ୟା । ବ୍ୟ।ବିଲନୀୟ ସଭ୍ୟତାରେ ପାଖାପାଖି ସମୟରେ କ୍ୟାଲେଣ୍ଡରର ଉତ୍ପତ୍ତି ହେଲା । ତା ପରେ ପରେ ବିଭିନ୍ନ ସଭ୍ୟତା ଓ ଦେଶରେ ସମୟ ବାରିବା ଓ ମାପିବାର ବ୍ୟବସ୍ଥା ଉଦ୍ଭାବନ କରାଗଲା ।
ଭାରତର ବିଭିନ୍ନ ଅଞ୍ଚଳରେ ବର୍ଷ ବିଭିନ୍ନ ସମୟରେ ଆରମ୍ଭ ହୁଏ । ଓଡ଼ିଆ କ୍ୟାଲେଣ୍ଡର ମତରେ ବର୍ଷ ଆରମ୍ଭ ହୁଏ ବିଷୁବ ସଂକ୍ରାନ୍ତି ଦିନରେ – ଇଂରାଜୀ ଜରଜିଅନ କ୍ୟାଲେଣ୍ଡର ଏହା ଏପ୍ରିଲ 13-14 । ସେଇଦିନ ବି ତାମିଲ ନୂଆବର୍ଷ । ବଙ୍ଗଳା କ୍ୟାଲେଣ୍ଡର ମତରେ ବର୍ଷ ଆରମ୍ଭ ହୁଏ ପହିଲା ବୈଶାଖରେ । ଏହା 14-15 ଏପ୍ରିଲରେ ପଡ଼େ । ଆସାମ, ତ୍ରିପୁରାରେ ସେଇଦିନ ନୂଆ ବର୍ଷ ଆରମ୍ଭ । ପାର୍ସିମାନଙ୍କର ନୂଆବର୍ଷ ‘ନୌରୋଜ’ ପାଳିତ ହୁଏ ଦୁଇଟି ଅଲଗା କ୍ୟାଲେଣ୍ଡର ଅନୁସାରେ । ଭାରତୀୟ ପାର୍ସୀମାନେ ଏହାକୁ ଅଗଷ୍ଟ 15-16ରେ ପାଳନ କରନ୍ତି । ଇରାନ ଏବଂ ଅନ୍ୟାନ୍ୟ ଦେଶରେ ଏହା ମାର୍ଚ୍ଚ 21 ପାଖାପାଖି ପାଳିତ ହୁଏ ।
ଜାନୁଆରୀ ପହିଲାରେ ନୂଆବର୍ଷ ପାଳିତ ହୁଏ ଜରଜିଅନ କ୍ୟାଲେଣ୍ଡର ଅନୁସାରେ, ଯାହାକୁ ଆମେ ଇଂରାଜୀ କ୍ୟାଲେଣ୍ଡର ବୋଲି କହୁ । ଏହାର ଆରମ୍ଭ ଷୋଡଶ ଶତାବ୍ଦୀରେ । ସେଇଠୁ ଜରଜିଆନ କ୍ୟାଲେଣ୍ଡରର ଆରମ୍ଭ । ତେବେ ତାର ବହୁ ପୂର୍ବରୁ ଖ୍ରୀଷ୍ଟ ପୂର୍ବ 46ରେ ରୋମ ସମ୍ରାଟ ଜୁଲିୟାସ ସିଜର ପୁରୁଣା ରୋମାନ କ୍ୟାଲେଣ୍ଡରଙ୍କୁ ସଂସ୍କାର କରି ଜାନୁଆରୀ ପହିଲାରୁ ନୂଆ ବର୍ଷ ଆରମ୍ଭର ବିଧି କରିଥିଲେ । ଏହାକୁ ଜୁଲିଆନ କ୍ୟାଲେଣ୍ଡର କୁହାଯାଉଥିଲା । 1570ରେ ତ୍ରୟୋଦଶ ପୋପ ଗ୍ରେଗରୀ ଏ କ୍ୟାଲେଣ୍ଡରଙ୍କୁ ସଂଶୋଧନ କଲେ । ହେଲେ ଏଥିରେ ବି ନୂଆବର୍ଷ ଆରମ୍ଭ ହେଲା ଜାନୁଆରୀ ପହିଲାରେ ।
ପାଠକ ବନ୍ଧୁ! ଏବେ ଆପଣ ଠିକ କରି ନିଅନ୍ତୁ, ଆପଣ କେବେ ନୂଆବର୍ଷ ପାଳନ କରିବେ ।
—
Prof. (Dr) Mrinal Chatterjee
Regional Director
Indian Institute of Mass Communication (IIMC)
Sanchar Marg, Dhenkanal 759 001, Odisha
iimcdkl@yahoo.co.in
www.iimc.gov.in
www.mrinalchatterjee.com
91 94370 26194 | 91 6762 226194/5