ତରୁଣ ଔପନ୍ୟାସିକକୁ ପତ୍ର : ୨

ଦି କାଟୋବ୍ଲେପାସ୍ [The Catoblepas]

ମୂଳ ଲେଖା : ମାରିଓ ଭର୍ଗାସ ୟୋସା || ଅନୁବାଦ : ଜ୍ୟୋତି ନନ୍ଦ

ପ୍ରିୟ ବନ୍ଧୁ

ମୁଁ ଏଇ କିଛି ଦିନ ଧରି ଏତେ ବ୍ୟସ୍ତ ରହିଥିଲି ଯେ,ତମର ଚିଠି ପାଇବାମାତ୍ରକେ ଯେତିକି ଶିଘ୍ର ମୋର ତାହାର ଉତ୍ତର ଦେବାକଥା ବୋଲି ମୁଁ ମନେକରୁଥିଲି ତାହା ହୋଇ ପାରିନି। ମୁଁ ତମର ଚିଠିଟି ପାଇବା ପରଠାରୁ ଏହାର ବିଷୟରେ ଅନେକ ଭାବିଛି। ଏକଥା ନୁହଁ ଯେ ଏହାର ପଛରେ ଯେଉଁ ଉଦ୍ଦୀପନା ରହିଛି ମୁଁ ତାହାକୁ ସହଭାଗ କରିବି,ବିଶ୍ୱାସ କରୁଛି ଯେ ତମେ ମନେ କରୁଛ ଦୁର୍ଭାଗ୍ୟକୁ ପ୍ରତିରୋଧ କରିବା ପାଇଁ ସାହିତ୍ୟ ହେଉଛି ସବୁଠାରୁ ଶ୍ରେଷ୍ଠ ଉଦ୍ଭାବନ, କିନ୍ତୁ ଆଉ ଏହାର  ସହିତ ତମେ ଯେଉଁ ପ୍ରଶ୍ନଗୁଡିକାସନ ପଚାରିଛ-“କେଉଁଠାରୁ କାହାଣୀମାନେ ଆସିଥାନ୍ତି”ଆଉ ” ଔପନ୍ୟାସିକ ତାହାର ଧାରଣାଗୁଡିକ କେଉଁଠାରୁ ଅର୍ଜନ କରିଥାଏ”- ଏହା ମୋ ଭିତରେ ତଥାପି ଅଧିକରୁ ଅଧିକ ଉତ୍ସୁକତା ଜାଗ୍ରତ କରିଥାଏ,ଲେଖାଲେଖିର ଆରମ୍ଭ କାଳ ଯେମିତି ରହିଥିଲା,ଏବେ ଏତେଗୁଡିଏ ଉପନ୍ୟାସ ଲେଖିସାରିବା ପରେ ବି ସେଇ ସମାନ ପ୍ରଶ୍ନ ଗୁଡିକ ମୋ ପାଇଁ ସମାନ କୌତୁହଳ ରଖିଛନ୍ତି।

ତମ ପାଇଁ ମୋର ଗୋଟିଏ ଉତ୍ତର,ଯାହା ହୁଏତ ଅତ୍ୟନ୍ତ ସୂକ୍ଷ୍ମ ପାର୍ଥକ୍ୟକୁ ଦେଖାଉଥିବ, ଯଦି ଏହା ପୂର୍ଣ୍ଣତଃ ତ୍ରୁଟିଯୁକ୍ତ ହୋଇନଥାଏ। ସମସ୍ତ କାହାଣୀମାନ ସେଇମାନଙ୍କ ଜୀବନରେ ପ୍ରୋଥିତ ହୋଇ ରହିଥାନ୍ତି ଯେଉଁମାନେ ବସ୍ତୁତଃ କାହାଣୀର ଲେଖକ; ଅଭିଜ୍ଞତା ହେଉଛି ସେଇ ଉତ୍ସ ଯେଉଁଠାରୁ କାହାଣୀଗୁଡିକ ପ୍ରବାହିତ ହୋଇଥାନ୍ତି।ତାହାର ଅର୍ଥ ନୁହଁ, ଉପନ୍ୟାସ ଗୁଡିକ ସବୁବେଳେ ସେମାନଙ୍କର ଲେଖକମାନଙ୍କର  ସୂକ୍ଷ୍ମ ଛଦ୍ମବେଶରେ ଆତ୍ମକଥା ; ବରଂ ପ୍ରତିଟି ଉପନ୍ୟାସରେ ,ସବୁଠାରୁ ମୁକ୍ତ ଆଉ ବାଧକ-ରହିତ କଳ୍ପନା, ଏହାର ମଧ୍ୟରୁ ଏକ ଆରମ୍ଭ ବିନ୍ଦୁ ବାହାର କରିପାରିବା ସମ୍ଭବ, ଗୋଟିଏ ଗୋପନ ତନ୍ତୁ ଯାହା ଆଙ୍ଗିକ ଭାବରେ ଲେଖକର ସ୍ମୃତିଗୁଡିକ ସହିତ ଜଡିତ ରହିଥାଏ। ମୁଁ ଏପରି କହିବା ପାଇଁ ସାହସ କରୁଛି ଯେ ଏହି ନିୟମର କୌଣସି ବ୍ୟତିକ୍ରମ ନାହିଁ ଯେ, ସେମିତି କହିଲେ  ବିଜ୍ଞାନସମ୍ମତ ଭାବରେ ସଂପୂର୍ଣ୍ଣ ଉଦ୍ଭାବନ କଥାଟିର ସ୍ଥିତି ସାହିତ୍ୟରେ ନାହିଁ। ସମସ୍ତ କାହାଣୀ ହେଉଛି ଅତିକଳ୍ପନା ବା ଫାଣ୍ଟାସୀ ର ନିର୍ମାଣ ଆଉ ସେହି ସ୍ଥାପତ୍ୟ କିଛି ନିର୍ଦ୍ଦିଷ୍ଟ କ୍ରିୟା, ଲୋକବାକ ବା ପାରିପାର୍ଶ୍ୱିକର ଆଖପାଖର ହିଁ ନିର୍ମାଣ, ଯାହା ବସ୍ତୁତଃ ଲେଖକର ସ୍ମୃତିରେ ଚହଟି ଉଠିଥାଏ ଆଉ ଲେଖକର କଳ୍ପନାକୁ ଉଦ୍ଦୀପିତ କରିଥାଏ, ଯାହା ଲେଖକକୁ ଏପରି ଏକ ପୃଥିବୀକୁ ଗଢିବା ନିମନ୍ତେ ପ୍ରରୋଚିତ କରିଯାଏ ଯାହା ଏପରି ସମୃଦ୍ଧ ଆଉ ବହୁବିଧ ଯେ ବେଳେବେଳେ ଏହାକୁ ଲେଖକର ଆତ୍ମଜୈବନୀକ ତଥ୍ୟପରକତାରେ ଏକ ସୃଜନ ବୋଲି  ଚିହ୍ନଟ କରିପାରିବା ପୁରାପୁରି ଅସମ୍ଭବ ( ଆଉ ବେଳେବେଳେ ସରଳ ଭାବରେ ଅସମ୍ଭବ) ଏବଂ ଏପରି ଭାବରେ ଦେଖିଲେ ତାହା ହିଁ ହେଉଛି ସମସ୍ତ କାହାଣୀର ଗୋପନ ରହସ୍ୟ, ତାହା ସହିତ,ଏହାର ଅପରାଂଶ ଏବଂ ଆଣ୍ଟିଥେସିସ୍।

ଗୋଟିଏ ଯୁବ-ସମାବେଶରେ,ମୁଁ ଏହି ପ୍ରକ୍ରିୟାକୁ ଓଲଟ-ଷ୍ଟ୍ରିପଟିଜ୍ ବୋଲି ବୁଝାଇଥିଲି। ଉପନ୍ୟାସ ଲେଖିବା ଜଣେ ପେଶାଦାର ଷ୍ଟ୍ରିପର୍ ର କାର୍ଯ୍ୟ ସହିତ ସମାନ ଯେତେବେଳେ ସେମାନେ ନିଜର ଶରୀରରୁ ସମସ୍ତ ଲୁଗାପଟାକୁ ଫୋପାଡି ଦେଇଥାନ୍ତି ଆଉ ଜନସମକ୍ଷରେ ମଞ୍ଚର ଉପରେ ପ୍ରଦର୍ଶନ କରିଥାନ୍ତି  ନିଜର ଉଲଗ୍ନ ଦେହସମସ୍ତକୁ। ଔପନ୍ୟାସିକ ଏହି ସମାନକାମକୁ ଓଲଟା ଭାବରେ କରିଥାଏ। ଗୋଟିଏ ଉପନ୍ୟାସ ଗଢିବା ବେଳେ, ସେ ଲୁଗାପଟା ପିନ୍ଧିବା ଭଳି ନିଜକୁ ସୁସଜ୍ଜିତ କରିଥାଏ, ଲୁଚାଇଦେବାକୁ ଯାଏ ନିଜର ସମସ୍ତ ନଗ୍ନତା ଯାହାକୁ ସେ ନିଜକୁ ଭଲଭାବରେ ଘୋଡାଇ ପାରିବା ଭଳି ଲୁଗାପଟାରେ, ଚମକଦାର ପଦାର୍ଥରେ ନିଜର କଳ୍ପନା ଦ୍ୱାରା ଆଢୁଆଳ କରି ଦେଇଥିଲା। ଏଇ ପ୍ରକ୍ରିୟାଟି ଅତ୍ୟନ୍ତ ଜଟିଳ ଏବଂ ପ୍ରକୃତପକ୍ଷରେ ଅଧିକାଂଶ ସମୟରେ ଲେଖକ ନିଜେ ହିଁ ନିଜର  ଫିନିସଡ୍ ପ୍ରଡକ୍ଟକୁ ଚିହ୍ନିପାରିବାକୁ ଅସମର୍ଥ ହୁଏ- କାଳ୍ପନିକ ମଣିଷ ଆଉ କାଳ୍ପନିକ ପୃଥ୍ୱୀ ଉଦ୍ଭାବନ କରିବାର ସମସ୍ତ ପ୍ରଫୁଲ୍ଲ ଉଲ୍ଲାସ-ସେଇ ଚିତ୍ରପ୍ରତିମା ମାନେ ତାହାର ସ୍ମୃତିରେ ଉଙ୍କି ମାରୁଥାନ୍ତି,  ସ୍ଥିର ଭାବରେ ଜଡିତ ରହିଥାନ୍ତି ଜୀବନ ସହିତ ଯାହା ତାହାର କଳ୍ପନାକୁ ଇନ୍ଧନ ଯୋଗାଏ, ଚାଲିବା ପାଇଁ ଗୋଇଠିରେ ଧକ୍କା ମାରେ ଆଉ ପ୍ରରୋଚିତ କରେ ଲେଖିବାପାଇଁ ତାହାକୁ ଏକ ନୂତନ କାହାଣୀ।

ଥିମ୍ ବା ବିଷୟବସ୍ତୁ ର କଥା କହିଲେ,ଦେଖ,ମୁଁ ବିଶ୍ୱାସ କରେ ଯେ ଔପନ୍ୟାସିକ ନିଜର ସାମର୍ଥ୍ୟ ସଞ୍ଚୟ କରିଥାଏ ସେଇ କାଟାବ୍ଲେପାସ ଭଳି-କାଟାବ୍ଲେପାସ ହେଉଛି ସେଇ ପୌରାଣିକ ଜନ୍ତୁ ଯାହା ଫ୍ଲୁବେୟାର୍ ଙ୍କ “ଦି ଟେମ୍ପଟେସନ୍ ଅଫ୍ ସେଣ୍ଟ ଆଣ୍ଟୋନୀ” ରେ ସେଣ୍ଟ ଆଣ୍ଟୋନୀଙ୍କ ଆଗରେ ଉପସ୍ଥିତ ହୋଇଥିଲା ଆଉ ଯାହାକୁ  ହର୍ହେ ଲୁଇସ୍ ବର୍ହେସ୍ ତାଙ୍କର “ବୁକ ଅଫ୍ ଇମାଜିନାରୀ ବିଙ୍ଗ୍” ରେ ପରେ ଭେଟିଥିଲେ।କାଟୋବ୍ଲେପାସ୍ ହେଉଛି ଗୋଟିଏ ଅସମ୍ଭବ ଜୀବ ଯିଏ ନିଜକୁ ଭକ୍ଷଣ କରିଥାଏ, ପ୍ରଥମରେ ତାହାର ଆହାର୍ଯ୍ୟ ହେଉଛି ତାହାର ଦୁଇଟିଯାକ ପାଦ। ସମାନୁରୂପରେ ଔପନ୍ୟାସିକ ନିଜର ଅଭିଜ୍ଞତାରେ ଝାଡୁ ମାରେ ତାହାର କାହାଣୀର କଞ୍ଚାମାଲ ପାଇଁ ଔପନ୍ୟାସିକ ତାହାର ନିଜର ଅଭିଜ୍ଞତାକୁ ଝାଡୁରେ ଓଳାଇଥାଏ -କହିବାକୁ ଗଲେ ଅଧିକ ଅମୂର୍ତ୍ତ ଭାବରେ, ଅବଶ୍ୟ। ସେ ଏହାଦ୍ୱାରା  କେବଳ ନିଜର କିଛି ନିର୍ଦ୍ଦିଷ୍ଟ ସ୍ମରଣର ଭିତରରୁ  ଯେ ଚରିତ୍ରାବଳୀ, ଉପାଖ୍ୟାନମାଳା, ଅଥବା ଭୂଚିତ୍ର ଆଦିର ପୁନର୍ନିର୍ମାଣ କରିଥାଏ, ତାହାର ସହିତ ମଧ୍ୟ ସେ ଏଥିରୁ ଏପରି କିଛି ଇନ୍ଧନ ନିଜର ଇଚ୍ଛାଶକ୍ତି ପାଇଁ ସଂଗ୍ରହ କରିଥାଏ ଯାହା କୌଣସି ଏକ ଦୀର୍ଘ ଦୃଷ୍ଟି ଏବଂ କଠିନ ପ୍ରକଳ୍ପ ନିମନ୍ତେ ସହାୟକ ହୋଇଥାଏ।

ଟିକିଏ ଭିତରକୁ ଯାଇ ମୁଁ ଏଥର କାହାଣୀର ବିଷୟବସ୍ତୁ ବା ଥିମ୍ ଉପରେ ଆଲୋଚନା କରିବାକୁ ସାହସ କରୁଛି। ଔପନ୍ୟାସିକ ତାହାର ଥିମ୍ ବା ବିଷୟବସ୍ତୁକୁ ନିର୍ବାଚନ କରିନଥାଏ ; ସେ ତାହାରି ଦ୍ୱାରା ନିର୍ବାଚିତ ହୋଇଥାଏ। ସେ କୌଣସି ନିର୍ଦ୍ଦିଷ୍ଟ ବିଷୟ ବା ସବଜେକ୍ଟ ଉପରେ ଲେଖିଥାଏ କାରଣ କିଛି ନିର୍ଦ୍ଦିଷ୍ଟ ଘଟଣା ତାହାରି ସହିତ ଘଟିଯାଇଥାଏ। ଗୋଟିଏ ବିଷୟବସ୍ତୁ ବା ଥିମ୍ କୁ ବାଛିବାକୁ ଗଲାବେଳେ, ଲେଖକର ସ୍ୱାଧୀନତା ଆପେକ୍ଷିକ,ସମ୍ଭବତଃ ତାହା ଅନସ୍ତିତ୍ୱ ଅର୍ଥାତ୍ ତାହାର କୌଣସି ଅସ୍ତିତ୍ୱ ନଥାଏ। ଯେ କୌଣସି ଦୃଷ୍ଟିରୁ,ଏହା ସେପରି କିଛି ନୁହଁ ଯେତେବେଳେ  ତାହାକୁ ଅନ୍ୟ ସମସ୍ତ ସାହିତ୍ୟିକ ପ୍ରବିଧି ବା ଫର୍ମର ଭିତରୁ ଗୋଟିଏକୁ ବାଛିବା ଭଳି ତାହାର ସ୍ୱାଧୀନତାକୁ ତୁଳନା କରାଯାଏ ; ଠିକ୍ ସେଇଠି, ମୋତେ ଲାଗେ, ସେ ସଂପୂର୍ଣ୍ଣ ଅବାଧ ଅଧିକାର ବା ଲିବର୍ଟି କୁ ଉପଭୋଗ କରୁଛି-ଏବଂ ତାହା ସହିତ ରହିଛି ସଂପୂର୍ଣ୍ଣ ଦାୟବଦ୍ଧତା ବା ରେସପନସିବିଲିଟି। ମୋର ଧାରଣା ହେଉଛି ଯେ ଜୀବନ-ଏକ ବିଶାଳ ଶବ୍ଦ, ମୁଁ ଜାଣେ-ଲେଖକର ଉପରେ ବିଷୟବସ୍ତୁ ବା ଥିମ୍ ର ଶାସ୍ତିବିଧାନ କରିଥାଏ କିଛି ନିର୍ଦ୍ଦିଷ୍ଟ ଅଭିଜ୍ଞତା ମାଧ୍ୟମରେ ଯାହା ଲେଖକର ଚେତନା ଅଥବା ଅବଚେତନରେ ନିଜର ପ୍ରଭାବ ବିସ୍ତାର କରିଥାନ୍ତି ଆଉ ପରେ ଲେଖକ ଠାରୁ ନିଜକୁ ମୁକ୍ତ କରିନେବା ପାଇଁ କାହାଣୀର ବାଟ ଲୋଡିଥାନ୍ତି। ଏଇ ଭଳି କିଛି ଦୃଷ୍ଟାନ୍ତ ର ଆମର ସେମିତି କିଛି ଦରକାର ପଡିବ ନାହିଁ ଯେଉଁଠି ଜୀବନରୁ ବାହାରିଆସି ବିଷୟବସ୍ତୁ ବା ଥିମ୍ ଲେଖକ ଉପରେ ପ୍ରଭାବ ବିସ୍ତାର କରୁଛି,କାରଣ ସମସ୍ତ ପ୍ରମାଣପତ୍ର ଏକମତ :ଗୋଟିଏ କାହାଣୀ, ଗୋଟିଏ ଚରିତ୍ର, ଗୋଟିଏ ପରିସ୍ଥିତି, ଗୋଟିଏ ରହସ୍ୟ ମୋର ଗଭୀରରୁ ମୋତେ ଭୂତଗ୍ରସ୍ତଭଳି ତାଡିତ କରୁଥାଏ, ଅନବରତ ଘାରୁଥାଏ,ଅନୁନୟ କରୁଥାଏ, ଯେଉଁ ପର୍ଯ୍ୟନ୍ତ ତାହାକୁ ମୁଁ ଲେଖିଦେଇ ତାହାଠାରୁ ମୁକ୍ତ ନହୋଇଛି। ଯଦିଓ, ପ୍ରୁସ୍ତୋ ଙ୍କ ନାଆଁ ପ୍ରଥମରେ  ମନକୁ ଆସିବ। ଜଣେ ପ୍ରକୃତ ଲେଖକ-କାଟୋବ୍ଲେପାସ୍, ସେ କ’ଣ ସେମିତି ନଥିଲେ, ଯିଏ କ’ଣ ନିଜର ସ୍ମୃତିର ପୂରାତାତ୍ତ୍ୱିକ ଗହ୍ୱରକୁ ବିଶେଷ ଭାବରେ ଆତ୍ମସାତ କରିନାହାଁନ୍ତି ? ସେ ହେଉଛନ୍ତି “ଇନ୍ ସର୍ଚ୍ଚ ଅଫ୍ ଲଷ୍ଟ ଟାଇମ୍” ର ସେଇ ପରିଶ୍ରମୀ ଲେଖକ, ନିଜର ଦୈନନ୍ଦିନ ପାରିପାର୍ଶ୍ୱିକ, ପରିବାର, ବନ୍ଧୁତ୍ୱ, ସଂପର୍କ, ପସନ୍ଦ ଅବା ଅପସନ୍ଦ,ପ୍ରକାଶ୍ୟ ଅବା ଅପ୍ରକାଶ୍ୟ ଏଇ ସମସ୍ତ ଜୀବନର ସୁବିଶାଳ କଳାତ୍ମକ ପୁନର୍ନିର୍ମାଣ କରିଛନ୍ତି,ଏବଂ ତାହା ସହିତ ମାନବ ଆତ୍ମାର ସମସ୍ତ ସୂକ୍ଷ୍ମ ଏବଂ ରହସ୍ୟମୟ ଆକର୍ଷଣଗୁଡିକୁ ଯଥେଷ୍ଟ ଶ୍ରମସାଧ୍ୟପୂର୍ବକ ସଂଗ୍ରହ,ଉଦ୍ଧାର ଏବଂ ଗୋପନ, ସମ୍ବନ୍ଧକୃତ ଏବଂ ଅସମ୍ବନ୍ଧକରଣ, ପାଲିସ୍ ଅଥବା ବିକୃତ କରିଛନ୍ତି, ସେହି ଆକର୍ଷଣଗୁଡିକ ଯାହା ଚିତ୍ରରୂପରେ ସେମାନଙ୍କ ସ୍ମୃତିରେ ଅତୀତ କାଳରେ ରହିଥିଲା। ପ୍ରୁସ୍ତୋଙ୍କ ଜୀବନୀକାରମାନେ ( ପେଣ୍ଟର ,ଉଦାହାରଣ ସ୍ୱରୂପ) ଏପରି କିଛି ଦୀର୍ଘ ତାଲିକାର ପ୍ରସ୍ତୁତ କରି ପାରିଛନ୍ତି ଯେଉଁଥିରେ ପ୍ରୁସ୍ତୀୟ ଦୁଃସାହସିକ କାହାଣୀରେ  ଗୋପନରେ ଥିବା ଲୋକମାନଙ୍କର ଦୀର୍ଘ ଅଭିଜ୍ଞତାକୁ ପ୍ରକାଶ କରାଯାଇଛି, ନିର୍ବିବାଦୀୟ ଭାବରେ ଏଇ ବିଚକ୍ଷଣ ସାହିତ୍ୟ ସୃଜନ ଏହାର ଲେଖକଙ୍କ ସହିତ ସଂପୃକ୍ତ ଜୀବନର କଞ୍ଚାମାଲର ଏକତ୍ରୀକରଣ କରିବାର ସାମର୍ଥ୍ୟ ଉପରେ ହିଁ ନିହିତ।କିନ୍ତୁ ଆଲୋଚକମାନଙ୍କ ଦ୍ୱାରା ଏହି ଯେଉଁ ଆତ୍ମଜୈବନୀକ ତଥ୍ୟର ତାଲିକାକୁ ଅଭୂମ୍ୟ କରାଯାଇଛି ବସ୍ତୁତଃ ଆମମାନଙ୍କୁ ଅଲଗା କିଛି କହିଥାଏ : ପ୍ରୁସ୍ତୋଙ୍କ ସୃଜନ ସାମର୍ଥ୍ୟ, ଯିଏ, ନିଜର ଅତୀତର ଗଭୀର ମନନ ଏବଂ ପର୍ଯ୍ୟବେକ୍ଷଣ ବଳରେ ନିଜର ଦୈନନ୍ଦିନ ସାଧାରଣ ଜୀବନ ସତ୍ତାର ଘଟଣା ପ୍ରବାହକୁ ଏକ ଭବ୍ୟ କାରୁକାର୍ଯ୍ୟରେ ରୂପାନ୍ତରିତ କରିପାରିଛନ୍ତି,ମାନବିକ ଜୀବନର ପ୍ରବାହର ଏକ ଆଶ୍ଚର୍ଯ୍ୟ ପ୍ରତିନିଧିପଣ,ଏପରି ଏକ ସଚେତନ ଦୃଷ୍ଟି ଭଙ୍ଗିରେ ଯାହାକୁ ଉପଲବ୍ଧି କରାଯାଇପାରିବ, ଯାହା ଅଭ୍ୟନ୍ତରରେ ଜୀବନର ବିକଶିତ ହେଉଥିବାକୁ ଦେଖିପାରୁଥିବ।

ଏହା ଆମକୁ ଆଉ ଏକ ଅବବୋଧ ଆଡକୁ ନେଇଥାଏ,ପୂର୍ବ ଅପେକ୍ଷା କମ୍ ଗୁରୁତ୍ୱପୂର୍ଣ୍ଣ ନୁହଁ।ଯଦିଓ ଗୋଟିଏ ଉପନ୍ୟାସର ନିର୍ମାଣ ହେଉଛି ଅସଲରେ ଲେଖକଟି ଯାହା ବଞ୍ଚିଥିଲା, ସେକଥା ନୁହଁ, ସେପରି ବି ହୋଇପାରିବ ନାହିଁ, ତାହାର ଶେଷ ବିନ୍ଦୁ। ନିର୍ମାଣର ଶେଷଟି ଗୋଟିଏ ନିର୍ଦ୍ଦିଷ୍ଟ ବିବେଚନାଯୋଗ୍ୟ  ଦୂରତ୍ୱରେ ରହିଥାଏ -ବେଳେବେଳେ ମହାଜାଗତିତ ଦୂରତ୍ୱରେ- ନିଜର ଆରମ୍ଭ ବିନ୍ଦୁ ଠାରୁ ,କାରଣ ବିଷୟବସ୍ତୁ ବା ଥିମ୍ ହିସାବରେ ଏହା ଭାଷାରେ ଆଉ ବଖାଣରେ, ରୂପାନ୍ତରିତ ଆତ୍ମଜୈବନୀକ ତଥ୍ୟରେ,ଏବଂ ସମୃଦ୍ଧ ମନେରଖା କଥା ଅଥବା କଳ୍ପିତ ବିଷୟ ସହିତ ଏକାଙ୍ଗ ହୋଇ ବାସ୍ତବରୂପ ଗ୍ରହଣ କରିଥାଏ ଏବଂ ନିଜର ସୁବିଧା ଅନୁସାରେ ପରିଚାଳନା ବା ନିର୍ମାଣ -ଉପନ୍ୟାସକୁ ନିର୍ମାଣ ଆକାରରେ ନେଲେ- ଯେଉଁ ପର୍ଯ୍ୟନ୍ତ ଏହା ପୂର୍ଣ୍ଣ ସ୍ୱାଧୀନତା ଅର୍ଜନ କରିନାହିଁ ଯେ କାହାଣୀଟି ଏଥର ନିଜର ମନମୁତାବକ ଗତିଟିକୁ ପ୍ରାପ୍ତ ହୋଇଛି।(ସେଇ କାହାଣୀମାନ ଯାହା ସେମାନଙ୍କର ଲେଖକ ଠାରୁ କେବେହେଲେ ମୁକୁଳି ଆସି ପାରି ନାହାଁନ୍ତି ଆଉ ଯାହା କେବଳ କୌଣସି ଆତ୍ମଜୈବନୀକ ତଥ୍ୟ ହିସାବରେ ନିଜର କର୍ମ ସଂପାଦନ କରୁଅଛନ୍ତି ,ଅସଲରେ,ବିଫଳ କାହାଣୀ।)।ଔପନ୍ୟାସିକର ଉପରେ ଯେଉଁ ଦାୟିତ୍ୱଟି ରହିଥାଏ ତାହା ହେଉଛି ତାହାର ନିଜ ସ୍ମୃତି ତାହାକୁ ଯେଉଁ ସବୁ ତଥ୍ୟ ସରବରାହ କରୁଛି ସେଇ ସବୁକୁ ଗୋଟିଏ ଶବ୍ଦର ବସ୍ତୁଭିତ୍ତିକ (ଅବଜେକ୍ଟିଭ୍) ପୃଥିବୀରେ ରୂପାନ୍ତରଣ କରିଦେବା : ତାହା ଉପନ୍ୟାସ। ଫର୍ମ କହିଲେ ଯାହା ବସ୍ତୁପାଠକୁ କାହାଣୀ ସଂପର୍କରେ  ଏକାଠି କରିଥାଏ,ନିର୍ଦ୍ଦିଷ୍ଟ ଆକାର ନେଇଥାଏ, ଆଉ ଏହା ହେଉଛି ଫର୍ମର ଅପବ୍ୟବହାର ର ପରିଧିରେ ଆସିବ, ଯଦି ମୋର ସାହିତ୍ୟିକ ପ୍ରକଳ୍ପର  ଅବଧାରଣାଟି ଠିକ୍ (ମୁଁ ଏହାକୁ ଆଉଥରେ କହିବି ଯେ,ଏଥିରେ ମୋର ସନ୍ଦେହ ରହିଛି),ଯେ ଔପନ୍ୟାସିକ ସଂପୂର୍ଣ୍ଣ ସ୍ୱାଧୀନତା ଉପଭୋଗ କରୁଥାଏ,ଏବଂ ସେଇଥିପାଇଁ ନିଜର ପରିଣାମ ପାଇଁ ସେ ଦାୟୀ। ଯଦି ତମେ ଯାହା ଦୁଇଟି ଧାଡିର ଅଭ୍ୟନ୍ତରରୁ ପଢିବାକୁ ପାଉଛ,ମୋ ବିଚାରରେ,କାହାଣୀର ଲେଖକମାନେ ତାଙ୍କର ବିଷୟବସ୍ତୁ ବା ଥିମ୍ ପ୍ରତି ଦାୟବଦ୍ଧ ନୁହଁନ୍ତି (କାରଣ  ଜୀବନ ସେମାନଙ୍କୁ ଦାୟିତ୍ୱ ଦେଇଛି) ମାତ୍ର ସେମାନେ ତାହାକୁ ଯେଉଁ ବାଟରେ ସାହିତ୍ୟରେ ପରିବର୍ତ୍ତନ କରିବାକୁ ଯାଉଥାନ୍ତି ସେତିକିବେଳେ ସେମାନଙ୍କର ଦାୟିତ୍ୱ ରହିଛି ଏବଂ ତାହା ଫଳରେ ଏ କଥା କହିବା ସମ୍ଭବପର ଯେ ସେମାନେ ସର୍ବଶେଷରେ ନିଜର ସଫଳତା ବା ବିଫଳତା ପାଇଁ ଦାୟୀ,ସେମାନଙ୍କର ଅସାଧାରଣ ସୃଜନୀ ଶକ୍ତି ବା ମଧ୍ୟମଗୁଣ ବିଶିଷ୍ଟ ସୃଜନୀଶକ୍ତି,ତାହାହିଁ ହେଉଛି ଅସଲରେ ମୁଁ ଯାହା କହିବା ପାଇଁ ଚାହୁଁଛି।

କାହିଁକି,ଲେଖକ ଜୀବନର ସମସ୍ତ ଅସୁମାରୀ ଘଟଣା ସତ୍ତ୍ୱେ,ଅଳ୍ପକିଛି ସୃଜନକର୍ମକୁ ଏତେ ତୀବ୍ର ଭାବରେ ସଂଚାଳିତ କରିଥାଏ,ଆଉ ଏତେ ଏତେ ଅନ୍ୟ କିଛି ସ୍ମୃତିର ବଳୟରେ ଛଣା ହୋଇ କଳ୍ପନାର କ୍ଷେତ୍ରରେ ଅଲୋଡା ହୋଇ ରହିଯାଆନ୍ତି ? ମୁଁ ସଠିକ ଭାବରେ ଏହାର କାରଣ ଜାଣେ ନାହିଁ। ଅତିବେଶିରେ ମୋ ପାଖରେ ଗୋଟିଏ ସନ୍ଦେହ ରହିଛି। ଆଉ ତାହା ହେଉଛି ଯେ ସେଇ ସବୁ ମୁହଁ, ବିବରଣୀ, ପରିସ୍ଥିତି ଏବଂ ଦ୍ୱନ୍ଦ୍ୱ ଯାହା ଲେଖକ ଉପରେ ଆପଣାର ପ୍ରଭାବ ବିସ୍ତାର କରି ଥାଆନ୍ତି ଆଉ ଯାହା ଲେଖକକୁ କାହାଣୀର ସ୍ୱପ୍ନ ବୁଣିବା ପାଇଁ ଆଗେଇ ନେଉଥାନ୍ତି,ତାହା ସବୁ ଅସଲରେ ହେଉଛି ଯାହା ବାସ୍ତବ ଜୀବନର ପ୍ରତିନିଧିତ୍ୱ ଅଥବା ପ୍ରତ୍ୟାଖ୍ୟାନ କରୁଥାଏ, ସେଇ ପୃଥିବୀର ଭିତରୁ  ଯେମିତି,ଯାହା ଔପନ୍ୟାସିକର ଦୃଢ ଧାରଣାର ଉତ୍ସ,ସେଇ ଗୋପନ ତାଡନ ଶକ୍ତି ଯାହା ତାହାକୁ ଅସଲ ପୃଥିବୀକୁ ଅସ୍ୱୀକାର କରିବା ପାଇଁ ଚାଳିତ କରିଥାଏ ଆଉ ତାହାଫଳରେ ସେ ଅସଲ ପୃଥିବୀକୁ କାହାଣୀର ପ୍ରତୀକାତ୍ମକତାରେ ପାଲଟାଇ ଦେଇଥାଏ।

ଏଇ ଅବବୋଧକୁ ବୁଝାଇ କହିବା ପାଇଁ ଥିବା ଅନେକଗୁଡିଏ ଉଦାହାରଣର ଭିତରୁ ମୁଁ ଜଣେ ସାଧାରଣ ଲେଖକକୁ ବାଛିଚି,ଯଦିଓ ସେ ଏପରି ବହୁସ୍ରାବୀ ଯେ ନିଜର ମଳମୂତ୍ରକୁ ରୋକିପାରିବା ଯାଏଁ ସେ ଲେଖକ,ସେ ଅଷ୍ଟାଦଶ ଶତାବ୍ଦୀର ଫ୍ରାନ୍ସର, ସେ ରେସ୍ତିଫ ଦେ ଲା ବ୍ରିତୋଁ । ମୁଁ ତାଙ୍କର ପ୍ରତିଭା ପାଇଁ ତାଙ୍କୁ ଏଇଠି ବାଛିନାହିଁ -ତାଙ୍କର ସେମିତି କିଛି ପ୍ରତିଭା ନଥିଲା- ମାତ୍ର ତାଙ୍କର ପ୍ରକୃତିରେ ରହିଥିଲା ବାସ୍ତବତାର ବିପକ୍ଷରେ ସିଧାସଳଖ ଯୁଦ୍ଧ,ବାସ୍ତବ ଜଗତରେ ରହିବା ତାଙ୍କପାଇଁ ଅସହ୍ୟ ଥିଲା ,ତାହା ହିଁ ତାଙ୍କୁ ସର୍ବଦା କାହାଣୀର ବାସ୍ତବତାର ବୈଷୟିକ ନିର୍ମାଣ ପାଇଁ ଚାଳିତ କରୁଥିଲା,ଯାହାର ଫଳରେ ସେ ବାସ୍ତବ ପୃଥିବୀର ଅନୁକରଣ କରି ସେ ଯେମିତି  ଜଗତରେ ବାସ କରିବା ପାଇଁ ଚାହୁଁଥିଲେ ତାହାକୁ ସେମିତି ଭାବରେ ନିର୍ମାଣ କରୁଥିଲେ।

ରେସ୍ତିଫ ଦେ ଲା ବ୍ରିତୋଁ ଯେତେଗୁଡିଏ ଉପନ୍ୟାସ ଲେଖିଯାଇଛନ୍ତି  (ତାଙ୍କର ଲେଖାଗୁଡିକ ମଧ୍ୟରେ ସବୁଠୁ ଅଧିକ ଜଣା ଦୀର୍ଘ ଆତ୍ମଜୈବନୀକ ଉପନ୍ୟାସ ର ନାଆଁ ହେଉଛି “ମସିଓଁ ନିକୋଲାସ୍”)ସେଥିରେ  ଅଷ୍ଟାଦଶ ଶତାବ୍ଦୀ ଫ୍ରାନ୍ସ ର ସହର ଏବଂ ଗ୍ରାମର ବିସ୍ତୃତ ସାମାଜିକ ଚିତ୍ର ତଥା ସେତେବେଳର ମଣିଷର ଆଚାର ବ୍ୟବହାର, ରୀତିନୀତି, ଦୈନନ୍ଦିନ କାର୍ଯ୍ୟକ୍ରମ, ଉତ୍ସବ, କୁସଂସ୍କାର, ପୋଷାକପତ୍ର ଆଉ ବିଶ୍ୱାସ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି ଆଉ ସେସବୁର ବର୍ଣ୍ଣନା ଏପରି ଭାବରେ କରାଯାଇଛି ଯାହା ଯେକୌଣସି ଗବେଷକ ର ଗଣ୍ଠିଧନ ହୋଇପାରିବ : ଖାଲି ସେତିକି ନୁହଁ ଐତିହାସିକ, ନୃତତ୍ତ୍ୱବିତ୍, ନୃବିଜ୍ଞାନୀ ଏବଂ ସାମାଜିକ ବିଜ୍ଞାନୀ ମାନେ ସେଥିରେ ବର୍ଣ୍ଣିତ ତଥ୍ୟରେ ବହୁଳ ଭାବରେ  ନିଜକୁ ସମୃଦ୍ଧ କରିପାରିଛନ୍ତି। ସେଯାହାହେଉ,ତାଙ୍କର ଉପନ୍ୟାସଗୁଡିକର ଭିତରୁ ଏହି ସାମାଜିକ ଏବଂ ଐତିହାସିକ ବାସ୍ତବତା ଯାହା ଏତେ ନିଖୁଣ ଭାବରେ ଉପସ୍ଥାପନ କରାଯାଇଛି ସେସବୁର ଏକ ମୌଳିକ ପରିବର୍ତ୍ତନ ଘଟିଯାଇଛି,ଆଉ ସେଇଥିପାଇଁ ଏଇ ଉପନ୍ୟାସଗୁଡିକ କାହାଣୀ। ଏହି ବିପୁଳ ବିଶ୍ୱରେ ଯାହା ସେ ସର୍ଜନା କରିଛନ୍ତି,ବାସ୍ତବ ଜଗତ ସହିତ ଯାହା ଅନେକ ଭାବରେ ସମାନ ଆଉ ସେଇ ବାସ୍ତବ ଜଗତ ହିଁ ଲେଖକଙ୍କୁ ଏପରି ଲେଖିବା ପାଇଁ ପ୍ରରୋଚିତ କରିଛି,ପୁରୁଷ ପ୍ରେମରେ ପଡିଯାଉଛି ସେଇ ନାରୀର ମୁଁହର ସୌନ୍ଦର୍ଯ୍ୟକୁ  କି ତାହାର କୃଶ କଟିଦେଶକୁ ଦେଖି ,ତାହାର ଆଭିଜାତ୍ୟ କି ତାହାର ରହସ୍ୟମୟତା ହିଁ ତାହାର ପ୍ରେମରେ ପଡିଯିବାର କାରଣ ,ଏସବୁ ନୁହଁ, ନାରୀର ପାଦ ର ସୌନ୍ଦର୍ଯ୍ୟ ଆଉ ତାହାର ଚପଲର ସଂଭ୍ରମତା ହେଉଛି ତାହାର ପ୍ରେମରେ ପଡିଯିବାର ଶେଷକଥା। ରେସ୍ତିଫ୍ ଦେ ଲା ବ୍ରିତୋଁ ଐନ୍ଦ୍ରଜାଲିକତାରେ ଅଧିକ ବିଶ୍ୱାସ ରଖୁଥିଲେ,ବାସ୍ତବ ଜୀବନର ଏପରି କଛି ତାଙ୍କୁ ତାଙ୍କର ସମସାମୟିକମାନଙ୍କ ଭିତରେ ଏକସେଣ୍ଟ୍ରିକ୍ କରି ଗଢିତୋଳିଥିଲା, ନିୟମର ବିରୁଦ୍ଧରେ ଯିବାର ପ୍ରବୃତ୍ତି, କହିବାକୁ ଗଲେ ବାସ୍ତବତାର ଜଣେ “ବିପକ୍ଷବାଦୀ” ବା “ଡିସିଡେଣ୍ଟ”। ଏବଂ ସେଇ ବିପକ୍ଷବାଦ, ନିର୍ଦ୍ଦିଷ୍ଟ ଭାବରେ ତାଙ୍କର ଲେଖନୀର ଚାଳିକା ଶକ୍ତି, ଯାହା ତାଙ୍କର ଲେଖାରୁ ଆମର ସାମ୍ନାରେ ପ୍ରତିଭାତ,ଯେଉଁଥିରେ ଜୀବନର ସଂଶୋଧନ କରାଯାଇଛି, ଚିତ୍ରଗୁଡିକରେ ପୁନର୍ନିର୍ମାଣ କରାଯାଇଛି ଏବଂ ତାହା ଅବିକଳ ରେସ୍ତିଭ୍ ଙ୍କ ଭଳି। ରେସ୍ତିଭ୍ ଙ୍କର ଅନୁଭବରେ ପୃଥିବୀଟି ଯେମିତି ରହିଥିଲା,ଏହା ସ୍ୱାଭାବିକ ଆଉ ସାଧାରଣ ଥିଲା ଯେଉଁଛି ମୁଖ୍ୟ ନାରୀ ଚରିତ୍ର ମାନେ ପୁରୁଷର ତଥା ସମଗ୍ର ପୁରୁଷର କାମନାର ଆକର୍ଷକ ବସ୍ତୁ ଆଉ ସେଇଥିପାଇଁ ସେମାନେ ସବୁବେଳେ ଚରମ ଭାବରେ ସୂକ୍ଷ୍ମ ଆଉ କୋମଳ ରହିବା ବିଧେୟ, ସେମାନଙ୍କର ପାଦ ଆଉ ଚପଲ ମଧୁର ଦିଶିବା ଆବଶ୍ୟକ। ଅଳ୍ପ କିଛି ଲେଖକ ସହଜରେ ସେଇ ପ୍ରକ୍ରିୟାକୁ ଧରି ପାରନ୍ତି ଯାହାଦ୍ୱାରା କାହାଣୀ  ଔପନ୍ୟାସିକର  ବିଷୟଗତ ଉଦଗାର ଯଥା କାମନା, କ୍ଷୁଧା, ସ୍ୱପ୍ନ ,ନିରାଶା , ଈର୍ଷା ଇତ୍ୟାଦି  ଦ୍ୱାରା ନିର୍ଦ୍ଦେଶିତ ହୋଇ ପୃଥିବୀର  ରୂପାନ୍ତର କରି ପାରନ୍ତି।

କାହାଣୀର ସମସ୍ତ ସ୍ରଷ୍ଠା ମାନେ ସେଇ ସମାନ ପ୍ରକ୍ରିୟାର ବିଶୃଙ୍ଖଳା ସହିତ ଜଡିତ ହୋଇ ପଡିଥାନ୍ତି,ଅତି ଅଳ୍ପ ପୁଙ୍ଖାନୁପୁଙ୍ଖ ଭାବରେ ଆଉ ଲଜ୍ଜାଜନକ ଭାବରେ। ସେମାନଙ୍କ ଜୀବନରେ ରେସ୍ତିଫ୍ ଦେ ଲା ବ୍ରିତୋଁ ଙ୍କ  ଐନ୍ଦ୍ରଜାଲିକତା ଭଳି ଏପରି କିଛି ରହିଥାଏ, ଏକ ସଦାଚାର ଭିତ୍ତିକ ନ୍ୟାୟ ପ୍ରତି ଆକର୍ଷଣ,ଅହଂ ତାଡିତ କାର୍ଯ୍ୟାନୁଷ୍ଠାନର ପ୍ରତିଫଳନ,ଦୁଃସାହସିକ ଜୀବନ ପ୍ରତି ଏକ କୁଣ୍ଠିତ ଆବେଗ,ଏକ ଶାଶ୍ୱତ ପ୍ରେମ-ଯାହା ସେମାନଙ୍କର ବଞ୍ଚୁଥିବା ପୃଥିବୀଠାରୁ ଅଲଗା ଏକ ପୃଥିବୀର ଶବ୍ଦନିର୍ମାଣ ପାଇଁ ଆବେଗପରକ ଭାବରେ କାର୍ଯ୍ୟ କରୁଥାଏ। ଆଉ ସେଇ ଭଳି ଏକ ପୃଥିବୀରେ ରହି ସେମାନେ ନିଜର ବାସ କରୁଥିବା ପୃଥିବୀକୁ ପ୍ରଶ୍ନ କରୁଥାନ୍ତି।

ହୁଏତ,ମୋର ପ୍ରିୟ ତରୁଣ ଲେଖକ ବନ୍ଧୁମାନେ, ସାହିତ୍ୟପାଇଁ ପ୍ରଯୁଜ୍ୟ ସେଇ ବିପଜ୍ଛନକ ଧାରଣାଟିକୁ ପ୍ରକାଶ କରିବା ପାଇଁ ଏଇଟି ହେଉଛି ଅସଲ ସମୟ: ବିଶ୍ୱାସଯୋଗ୍ୟତା। ଜଣେ ବିଶ୍ୱାସଯୋଗ୍ୟ ଲେଖକ କହିଲେ ତାହା କ’ଣ ବୁଝାଇବ ? କାହାଣୀ ରେ ଯାହାକୁ ଆମେ ନିର୍ଦ୍ଦିଷ୍ଟ ବୋଲି କହିବା,ସଂଜ୍ଞା ଅନୁଯାୟୀ ତାହା ପ୍ରବଞ୍ଚନା ବା ଫ୍ରଡ୍- ତାହା ଏପରିକିଛି ଯାହା ବାସ୍ତବ ନୁହଁ ତଥାପି ବାସ୍ତବତାର ସମସ୍ତ ଆଭାସ ଦେଉଥିବ-ଏବଂ ସମସ୍ତ ଉପନ୍ୟାସ ହେଉଛି ମିଛ ହିସାବରେ  ଗତିଶୀଳ ହୋଇଥାନ୍ତି ସତ୍ୟ ଆକାରରେ,ଏହା ଏପରି ସୃଜନ ଯାହାର ପ୍ରବର୍ତ୍ତନା ସାମର୍ଥ୍ୟ ଔପନ୍ୟାସିକର ହାତସଫେଇ ଭଳି କୌଶଳ ଉପରେ ନିର୍ଭର କରିଥାଏ , ଠିକ୍ ଯେମିତି ସେ ଗୋଟିଏ ଥିଏଟର୍ ବା ସର୍କସର ଯାଦୁକର। ତେଣୁ କାହାଣୀରେ ବିଶ୍ୱାସଯୋଗ୍ୟତା ସଂପର୍କରେ କହିବାର କିଛି ଅର୍ଥ ଅଛି,ଏମିତି ଗୋଟିଏ ସାହିତ୍ୟର ଇଏ ପ୍ରବିଧି ଯେଉଁଠି ଜଣେ ଭଲ  ପ୍ରତାରଣାକାରୀ ହୋଇପାରିବା ହିଁ ତାହାର ବିଶ୍ୱାସଯୋଗ୍ୟତାକୁ ପରିଭାଷିତ କରୁଥାଏ ? ଏପରି ହୁଏ,ମାତ୍ର ଏହିପରି ବାଟରେ ହୋଇଥାଏ : ଜଣେ ବିଶ୍ୱାସଯୋଗ୍ୟ ଔପନ୍ୟାସିକ ହେଉଛି ଏପରି ଜଣେ ଔପନ୍ୟାସିକ ଯିଏ  ଜୀବନ ଯାହା  ନିର୍ଦ୍ଦେଶ ଦେଇଥାଏ ସେଇ  ନିୟମନାମାର ଆଦେଶକୁ ପାଳନ ପାଇଁ ସର୍ବଦା ଇଚ୍ଛୁକ ରହିଥିବ,ନିଜର ଅଭିଜ୍ଞତାରୁ ସୃଷ୍ଟ ବିଷୟବସ୍ତୁ ବା ଥିମ୍ ଉପରେ ଲେଖୁଥିବ ଏବଂ ତାତ୍କାଳିକତା ରେ ଆବିଷ୍ଟ ହୋଇ ଯିଏ ଅନ୍ୟସବୁଠାରୁ ବିଚ୍ଛିନ୍ନ ରହି ପାରୁଥିବ। ତାହା ହିଁ ହେଉଛି ଔପନ୍ୟାସିକ ପାଇଁ ବିଶ୍ୱାସଯୋଗ୍ୟତା ଅଥବା ବିଶ୍ୱସ୍ତତା : ନିଜର ରାକ୍ଷସ ମାନଙ୍କର  ଆବାହନ ଏବଂ ଯଥାସମ୍ଭବ ସେମାନଙ୍କର ପରିଚର୍ଯ୍ୟା।

ସେହି ଔପନ୍ୟାସିକ ଯିଏ ତାହାକୁ ଯାହା ତାହାର ଗୋପନ ଗଭୀରରୁ ଆଲୋଡିତ କରୁଥାଏ ସେହି ବିଷୟକୁ ଲେଖେ ନାହିଁ ଆଉ ଯିଏ ନିରାସକ୍ତ ଭାବରେ ତାହାର ଚରିତ୍ର ଏବଂ ଥିମ୍ କୁ ଏକ ଯୁକ୍ତିପରକ ଢାଞ୍ଚାରେ ବାଛିଥାଏ କାରଣ ଏପରି କ୍ଷେତ୍ରରେ ସେ ବିଶ୍ୱାସ କରିଥାଏ ଯେ ସେହିପରି ବାଟରେ ସେ ଅବିଶ୍ୱାସ୍ୟକରତାକୁ ଅଧିକ ଭଲ ଭାବରେ ଉପସ୍ଥାପନ କରି ପାରିବାରେ ସେ ସଫଳ ହେବ ଏବଂ ଏହା ଗୋଟିଏ ମନ୍ଦ ଔପନ୍ୟାସିକର ଲକ୍ଷଣ ( ଯଦି ବା ସେ ସଫଳ ହୁଏ,ବେଷ୍ଟସେଲର୍ ର ତାଲିକାରେ ଅନେକ ମନ୍ଦ ଔପନ୍ୟାସିକଙ୍କ ଭୀଡ,ଏକଥା ସମସ୍ତେ ଜାଣନ୍ତି )।ମାତ୍ର ମୋତେ ଏହା ଠିକ୍ ଲାଗେନାହିଁ ଯେ ,ଯିଏ କେହି ବି ସ୍ରଷ୍ଟା ହୋଇପାରିବ,ବାସ୍ତବତାର ରୂପାନ୍ତରଣକାର ହୋଇପାରିବ,ଯଦି ସେ ନିଜର ସତ୍ତାର ଗଭୀରରେ ଥିବା ଭୂତ ଅଥବା ସୟତାନମାନଙ୍କ ଦ୍ୱାରା ଉଦ୍ଦୀପିତ ଆଉ ପୋଷିତ ହୋଇଥିବା ଭଳି ଲେଖାକୁ ନଲେଖେ,ବସ୍ତୁତଃ ସେମାନେ ଆମକୁ ଔପନ୍ୟାସିକ କରିଦେଇଥାନ୍ତି, ଆମେ ଯେଉଁ କାହାଣୀ କହିବାକୁ ଲାଗୁ ସେଥିରେ ଜୀବନର ପୁନର୍ନିର୍ମାଣ ହେବା ସହିତ  ଆମେ ଦୃଢ ପ୍ରତିବାଦୀ ହୋଇଯାଇଥାଉ। ମୁଁ ଭାବେ ଯେ ସେଇ ଭଳି ଗୋଟିଏ ଭାରକୁ ଗ୍ରହଣ କରିନେବାର ଅର୍ଥ -ଯାହା ଆମକୁ ଘାରିଥାଏ (ଅବସେସନ୍) ତାହାକୁ ଲେଖିବା ଆଉ ତାହା ହିଁ ଅନେକ ସମୟରେ ଆମର ଅସ୍ତିତ୍ୱର ରହସ୍ୟଜନକ ମଞ୍ଜ- ଅଧିକ ଭଲଭାବରେ ଲେଖିପାରିବାର ଚେଷ୍ଟା,ପ୍ରତ୍ୟୟର ସହିତ,ଅଧିକ ସାମର୍ଥ୍ୟର ସହିତ ଲେଖିପାରିବାର ଚେଷ୍ଟା ଏବଂ ତାହା ଫଳରେ ଯେ ଖାଲି କୌଣସି ଦୁଃସାହସ ନିମନ୍ତେ ଅଧିକ ସାମର୍ଥ୍ୟ ରହିଥିବ ଏକଥା ନୁହଁ ,ଏହା ଫଳରେ ଶ୍ରମସାଧ୍ୟ ଏବଂ ବେଳେବେଳେ ହତାଶାବ୍ୟଞ୍ଜକ,ଦୁଃଖଦାୟକ ଉପନ୍ୟାସ ର ସଂରଚନା ନିମନ୍ତେ ଆମକୁ ପ୍ରକୌଶଳ ଯୋଗାଉଥିବ।

ସେଇ ଲେଖକ ମାନେ ଯେଉଁମାନେ ନିଜର ରାକ୍ଷସକୁ ନିରାପଦ ଦୂରତ୍ୱରେ ବର୍ଜନ କରିଛନ୍ତି ଆଉ ନିଜ ପାଇଁ ଏପରି ଥିମ୍ ନିର୍ଦ୍ଧାରଣ କରିଛନ୍ତି,କାରଣ ସେମାନଙ୍କ ବିଚାରରେ ସେମାନଙ୍କର ବିଶ୍ୱାସ ମୌଳିକ ନୁହଁ ବା ତାହାର ସେପରି କୌଣସି ଉପଯୁକ୍ତ ଆବେଦନ ନାହିଁ ଆଉ ସେଇଥିପାଇଁ ଏହା ହିଁ କୌଣସି ବିଶାଳମାପର ତ୍ରୁଟି କରିପାରେ। ଏହା,ଏବଂ ଏହାର ଭିତରେ,କୌଣସି ସାହିତ୍ୟିକ ଥିମ୍ ଉତ୍ତମ ଅବା ନ୍ୟୁନ ନୁହଁ। ଯେ କୌଣସି ଥିମ୍  ହୁଏତ ଏହିପରି,ଆଉ ଯାହାର ଚୂଡାନ୍ତ ନିଷ୍ପତି ଥିମ୍ ର ଉପରେ ନିର୍ଭର କରେ ନାହିଁ ବରଂ ଏହି ଆଙ୍ଗିକର ଉପଯୋଘରେ  ତାହା କ’ଣ ହେବାକୁ ଯାଉଛି -ବଖାଣ ଶୈଳୀ,ଗଠନ ସ୍ଥାପତ୍ୟ- ତାହାକୁ ଉପନ୍ୟାସ କରିଥାଏ। ଏହା ହେଉଛି ସେଇ ଆଙ୍ଗିକ (ଫର୍ମ) ଯାହାର ଉପରେ ଉପବେଶନ କରି ଥାଏ  କୌଣସି ଏକ ଥିମ୍ ଯାହା କାହାଣୀକୁ ମୌଳିକ ଅଥବା ଗୁରୁତ୍ୱହୀନ,ପ୍ରଗାଢ ଅଥବା ବାହ୍ୟପରକ,ବହୁବିଦ୍ଧ ଅଥବା ସରଳ  କରିଥାଏ,ଆଉ ଏହା ଚରିତ୍ରକୁ ଗଭୀରତା, ଅନେକାର୍ଥତା,ବିଶ୍ୱାସଯୋଗ୍ୟତା ଅଥବା ତାହାକୁ ଜୀବନ ନଥିବା ଏକ ପ୍ରହସନରେ ପରିଣତ କରିଦେଇଥାଏ,ଯେମିତି କୌଣସି କଣ୍ଢେଇନାଚର ମାଷ୍ଟର ର କଣ୍ଢେଇ। ତାହା ହେଉଛି ସାହିତ୍ୟର  ଇଲାକାରେ ଥିବା ନିୟମମାନଙ୍କ ଭିତରୁ ଅନ୍ୟ କିଛି ନିୟମ ,ଯାହା ମୋତେ ଲାଗେ,ଯାହାର ବ୍ୟତିକ୍ରମକୁ ସହି ହେବ ନାହିଁ : ଗୋଟିଏ ଉପନ୍ୟାସର ବିଷୟବସ୍ତୁ ବା ଥିମ୍ କୁ ଦେଖିଲେ ଅସଲରେ ତାହା ସେମିତି କିଛି କହନ୍ତି ନାହିଁ,କାରଣ ତାହା ଉତ୍ତମ କି ଅଧମ,ତାହାକୁ ନେଇ ଆମର ଆକର୍ଷଣ ରହିଛି କି ବିକର୍ଷଣ ରହିଛି  ତାହା ଅସଲରେ ଔପନ୍ୟାସିକ ସେଇ ବିଷୟବସ୍ତୁ ବା ଥିମ୍ କୁ ନେଇ କୌଣସି ନିର୍ଦ୍ଦିଷ୍ଟ ଶୃଙ୍ଖଳାରେ ଶାବ୍ଦିକ ବାସ୍ତବତାରେ ତାହାକୁ କେଉଁଭଳି ପରିଭାଷିତ କରି ପାରିଛି ଖାସ ତାହାରି ଉପରେ ହିଁ ନିର୍ଭର କରିଥାଏ।

ତାହେଲେ ପ୍ରିୟ ବନ୍ଧୁ,ଭାବୁଛି ଆଜି ପାଇଁ ଏତିକି।

ଶ୍ରଦ୍ଧାର ସହ,

°°°°

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

Leave a Reply

Your email address will not be published. Required fields are marked *