ତରୁଣ ଔପନ୍ୟାସିକକୁ ପତ୍ର : ୧

ଗୋଟିଏ ଫିତାକୃମୀର ରୂପକଥା

ମୂଳ ଲେଖା : ମାରିଓ ଭର୍ଗାସ ୟୋସା || ଅନୁବାଦ : ଜ୍ୟୋତି ନନ୍ଦ

ପ୍ରିୟ ବନ୍ଧୁ

ଆପଣଙ୍କର ଚିଠି ପଡିବାପରେ ନିଜର ଭିତରେ ଆଲୋଡନର ସୁରାକ ପାଇଲି,କାରଣ ଆପଣଙ୍କ ଚିଠି ପଢି ମୁଁ ଲିମାରେ ନିଜର ଚଉଦପନ୍ଦର ବର୍ଷ ବୟସର ସେଇ ଉତ୍ତେଜନାକୁ ଯେମିତି ଫେରି ପାଇଲି,ସେଇ ଧୂସର ରାଜଧାନୀ ଲିମା,ଯେତେବେଳେ ତାହା ରହିଥିଲା ଜେନେରାଲ୍ ଓଡ୍ରିଆ ଭଳି ଜଣେ ଏକନାୟକତନ୍ତ୍ରର ଅଧୀନରେ ; ହଁ ସେଇ ଧୂସର ରାଜଧାନୀ ସହର ଲିମା। ନିଜକୁ ଦେଖୁଥିଲି ସେଇ ସହରରେ,ଯିଏ ଜଣେ ଲେଖକ ହେବାର ଆକାଂକ୍ଷାରେ ନିଜର ଭିତରେ ଲାଲଟହଟହ ନିଆଁରେ ପୋଡି ମରୁଥିଲା। ଦିନେ ନା ଦିନେ ତ ଲେଖକ ହେବି ! କିନ୍ତୁ ମୁଁ ଏକଦମ ଜାଣି ନଥିଲି ଯେ ଜଣେ କେମିତି ସତରେ ଲେଖକ ହୋଇ ଉଠିପାରେ,ଲେଖକ ହେବାର ପଦ୍ଧତି ଗୁଡିକ କ’ଣ,କେଉଁଭଳି ପ୍ରସ୍ତୁତି କରିବି କେଉଁ ଭଳି କେଉଁ ବାଟରେ ଗଲେ ଜଣେ ଲେଖକ ହୋଇ ପାରିବି ଆଉ କେଉଁଭଳି ମୁଁ ମୋର ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇ ପ୍ରକୃତଅର୍ଥରେ କିଛି ସୃଷ୍ଟି କରି ପାରିବି ; କେଉଁଭଳି ଏପରି ଗୋଟିଏ ଗପ ଲେଖିପାରିବି ଯାହା ପାଠକମାନଙ୍କୁ ଚମକାଇ ଦେବ, ମୁଁ ମୋର ବ୍ୟକ୍ତିଗତ ପଢିବାର ବେଳରେ ମହାନ ଲେଖକମାନଙ୍କ ଲେଖାରୁ ଠିକ୍ ଯେମିତି ଆସ୍ୱାଦନ କରି ପାରୁଥିଲି,ସେମାନଙ୍କୁ ପଢି ଚମକି ଉଠୁଥିଲି ଆଉ ଯେଉଁମାନଙ୍କର ଲେଖା ମୁଁ ସେଇ ବୟସରେ ଗଭୀର ମନୋଯୋଗ ସହିତ ପାଠ କରିଛି,ଫକନର୍,ହେମିଙ୍ଗଓୟେ, ମାର୍ଲୋ,ଦଜ୍ ପାସୋଜ,କାମ୍ୟୁ ,ସାର୍ତ୍ତ୍ରେ; ଦିନେ ନା ଦିନେ ମୁଁ ବି ସେଭଳି ଜଣେ ଲେଖକ ହେବି,କିନ୍ତୁ କେମିତି ?

ବହୁଥର ଏପରି ହୋଇଛି ଯେ,ମୁଁ ସେମାନଙ୍କ ଭିତରୁ ଯେ କୌଣସି ଜଣଙ୍କୁ (ସେମାନେ ସମସ୍ତେ ସେତେବେଳେ ଲେଖକ ହିସାବରେ ସକ୍ରୀୟ ଥିଲେ ) ଚିଠି ଲେଖିବାକୁ ଚାହିଁଛି,କେଉଁ ଭଳିଉ ଦ ଜଣେ ଲେଖକ ହୋଇ ଉଠିବା ସମ୍ଭବପର,ସେହି ପରାମର୍ଶ ଚାହିଁଛି ; କିନ୍ତୁ ସେଇ ଭଳି ସାହସ ମୋର କେବେହେଲେ ହୋଇନି;ଚିଠି ଲେଖିବାର ଇଚ୍ଛାକୁ ଦମନ କରି ରଖିଛି,ଲାଜରେ,ଯଦି ସେମାନେ ତାହାର ଉତ୍ତର ନଦିଅନ୍ତି ? ଆପଣ କ’ଣ ଲେଖନ୍ତି,କାହିଁକି ଲେଖାଲେଖି ? ମୋର ଏଇସବୁ ପ୍ରଶ୍ନର ଉତ୍ତର ସେମାନେ ଯଦି ଦେବାକୁ ରାଜି ନହୁଅନ୍ତି ,ତାହେଲେ ? ଏଇ ଭାବରେ ଇଚ୍ଛାର ଅବଦମନ ଦେଶର ବହୁ ତରୁଣଙ୍କୁ ହତୋଦ୍ୟମ କରିପକାଏ ,ଆମ ଦେଶରେ (ସବୁ ମହାଦେଶରେ) ସାହିତ୍ୟ ବିବେଚିତ ହୁଏ ଏକ ଅପ୍ରୟୋଜନୀୟ କାର୍ଯ୍ୟ ହିସାବରେ,ଏଇ କାମକୁ ଗୋପନରେ କରିବାକୁ ହୁଏ,ଆଢୁଆଳରେ ସନ୍ତର୍ପଣରେ କରିବାକୁ ହୁଏ। ଏହା ଏକ ବାଜେ ଆଉ ହତାଶଜନକ ଅବସ୍ଥା,ଅନେକ ଭାବରେ ପକ୍ଷାଘାତ ଭଳି ,ତରୁଣ ଲେଖକ ଯେମିତି ସମାଜ ଠାରୁ ଓ ଅନ୍ତେଃବାସୀ ଘର ଭଳି ଏକା। ଯଦି ଆପଣ ନିଜକୁ ଏପରି ଅବସ୍ଥାରେ ଦେଖିବାକୁ ନପାଆନ୍ତି,ତାହେଲେ ବନ୍ଧୁ ସ୍ୱାଗତମ୍ । ଆପଣ ମୋତେ ଲେଖିଛନ୍ତି,ତାହାର ମାନେ ମୁଁ ଧରିନେଇଛି ଏଇଟା ଯେ,ଆପଣ ପକ୍ଷାଘାତର ଶିକାର ନୁହଁନ୍ତି।

ଲେଖାଲେଖି ଯେ ଏକ ଚାଞ୍ଚଲ୍ୟକର ଅଭିଯାତ୍ରା : ଆପଣ ଯେ ସେଇ ଅଭିଯାତ୍ରାରେ ସାମିଲ ହେବାକୁ ଚାହାଁନ୍ତି ,ଅଭିଯାତ୍ରାଟିକୁ ଆରମ୍ଭ କରିବାକୁ ଚାହାନ୍ତି,ଆକାଂକ୍ଷା କରନ୍ତି,ମୁଁ ନିଶ୍ଚିତ ହୋଇଛି,ଯାହା ଆପଣ ହୁଏତ ଚିଠିରେ ଏତେ କିଛି କହିନାହାଁନ୍ତି,ତଥାପି ଆପଣ ଅସାଧାରଣ କିଛି ସୂତ୍ରର କଥା କହିଛନ୍ତି,ଲେଖାଲେଖିର ଅସୁଖର କବଳରୁ ମୁକ୍ଥିର ପଥ ଜାଣିବାକୁ ଚାହିଁଛନ୍ତି,ଲେଖିବାକୁ ଚାହିଁଛନ୍ତି ନିଜର ସେଇ ଗଳ୍ପଟିକୁ,ସେଇଥିପାଇଁ ମୁଁ ଆଜି ଆନନ୍ଦିତ।

ଆପଣଙ୍କର ଅଭିଯାତ୍ରାର ସୂକ୍ଷ୍ମ ସୂଚନା ଆପଣଙ୍କର ଭିତରୁ ହିଁ ଆରମ୍ଭ ହେବ। ତରୁଣ ଲେଖକ ମନେକରି ମୁଁ ଆପଣଙ୍କୁ ପରାମର୍ଶ ଦେଉଛି-ଖୁବ୍ ବେଶି ଆଶା କରିବେ ନାହିଁ,ସାଫଲ୍ୟକୁ କୌଣସି ଦିନ ଗୁରୁତ୍ୱ ଦେବେନାହିଁ,ଏପରିକି ତାହାକୁ ହିସାବର ଭିତରେ ଧରିବେ ନାହିଁ। ଅବଶ୍ୟ ଆପଣଙ୍କର ବ୍ୟର୍ଥ ହେବାର କୌଣସି ବିଶେଷ କାରଣ ନାହିଁ,କିନ୍ତୁ ଆପଣ ଯଦି ଲେଖାଲେଖିରେ ଅବିଚଳ ରହିଥାନ୍ତି ,ଲେଖାକୁ ପ୍ରକାଶ କରିବା ଦିଗରେ ଅବିଚଳ ରହିଥାନ୍ତି,ନିରବଚ୍ଛିନ୍ନ ମନୋଯୋଗ ସହକାରେ କାର୍ଯ୍ୟ କରୁଥାନ୍ତି ,ତାହେଲେ ଖୁବ୍ ଶିଘ୍ର ହିଁ ଆପଣ ଆବିଷ୍କାର କରିବେ ଯେ, ପଦକ, ପୁରସ୍କାର, ଉଚ୍ଚସ୍ୱରରେ ପ୍ରଶଂସା, କରତାଳି, ସଂବର୍ଦ୍ଧନା, ବହିବିକ୍ରୀ, ଲେଖକର ସାମାଜିକ ଅବସ୍ଥାନ, ସବୁକିଛିର ହିଁ ଏକ ବିଶେଷ ଆବେଦନ ରହିଛି,ଗୂଢ ଅଭିସନ୍ଧି ବି ରହିଛି,ହଁ,ଯେଉଁମାନେ ଏଇ ସବୁ ପାଇଯାଆନ୍ତି ,ସେମାନେ ସାଧାରଣ ନୁହଁନ୍ତି ,ଅନନ୍ୟସାଧାରଣ ସେମାନେ,ତେବେ ଅନେକ ସମୟରେ ସେମାନେ ବିପୁଳ କରତାଳିରେ ନିଜେ ନିଜକୁ ଭୁଲି ଯାଆନ୍ତି ,ନିଜକୁ ଠିକ୍ ଠାକ ଚିହ୍ନି ପାରନ୍ତି ନାହିଁ,ନିଜର ଭିତରେ ଲେଖାର ପ୍ରତିଭାକୁ ସେମାନେ ମୁକ୍ତିର ପଥ ଦେବାକୁ ଅସମର୍ଥ ହୁଅନ୍ତି ,କାରଣ ସେମାନେ ଇତି ମଧ୍ୟରେ ସଫଳ ହୋଇ ଏକ ପ୍ରକାର କ୍ଳାନ୍ତ,ସେମାନେ ଯେତିକି ସଫଳ ,ସେତିକି ସେମାନେ ନିଜର ସ୍ୱପ୍ନଠାରୁ ଦୂରରେ ଦୂରରେ ରହିଯାଉଛନ୍ତି,ନିଜର ସ୍ୱପ୍ନକୁ ଆଉ ସେମାନେ ଉପଲବ୍ଧି କରି ପାରନ୍ତି ନାହିଁ । ସଫଳତାକୁ ଯେଉଁମାନେ ମୂଳଲକ୍ଷ୍ୟ ହିସାବରେ ଦେଖନ୍ତି,ସେଇଭଳି ଲେଖକମାନେ ସମ୍ଭବତଃ ସେମାନଙ୍କ ସ୍ୱପ୍ନକୁ କେବେହେଲେ ଉପଲବ୍ଧି କରିପାରନ୍ତି ନାହିଁ,ସେମାନେ ଖ୍ୟାତି ପାଇଁ କ୍ଷୁଧାର୍ତ୍ତ,ଟଙ୍କା ପାଇଁ କ୍ଷୁଧାର୍ତ୍ତ(ଯଦିଓ ସେମାନଙ୍କର ସଂଖ୍ୟା ସେମିତି ସେତେ ନୁହଁ। ଏଇଠାରେ ହିଁ ପାର୍ଥକ୍ୟ । ଲେଖକ-ବୃତ୍ତିର ନିର୍ଦ୍ଧାରିତ ବୈଶିଷ୍ଟ୍ୟଟି ହେଲା- କ୍ରାଫ୍ଟ(ଶୈଳୀ)କୁ ଯେଉଁମାନେ ଅବିରାମ ଚର୍ଚ୍ଚାର ଅନାସ୍ୱାଦିତ ପ୍ରକାଶରେ ଉନ୍ମୁଖ କରି ତୋଳି ଧରିଥାନ୍ତି ,ସେଇମାନେ ହିଁ ଶ୍ରେଷ୍ଠ,ସେଇମାନେ ହିଁ ମହତ ହେବେ,ଲେଖକର କ୍ରାଫ୍ଟ ହିଁ ତାହାର ଅସଲ ପୁରସ୍କାର,ପ୍ରକୃତ ସଫଳତା,ଲେଖାଲେଖି କରିବା ଭିତରେ ସେମାନେ ଜାଗତିକ ଯାହା କିଛି ଅର୍ଜନ କରିଥାନ୍ତି ନା କାହିଁକି,କିଛି ହିଁ ମୂଲ୍ୟବାନ ନୁହଁ ,ଶେଷ ପର୍ଯ୍ୟନ୍ତ ଅସାମାନ୍ୟ ଲେଖା ହିଁ ରହିଥାଏ। ଲେଖିବାକୁ ଆସିବା ପରେ, ମୋର ଭିତରେ ଯେଉଁସବୁ ଅନିଶ୍ଚୟତାର ଜନ୍ମ ହୋଇଛି ,ତାହାକୁ ମୁଁ ଭିନ୍ନ ଭିନ୍ନ ବାଟରେ ମୁକାବିଲା କରେ,କରିବାକୁ ଚେଷ୍ଟା କରେ,ତାହାର ଭିତରେ ଯେଉଁ ପ୍ରସଙ୍ଗଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି : ଲେଖକର “ପ୍ରାଣର ଗଭୀର ଅତଳ”,ଜଣେ ଲେଖକ ଏଇଟି ଅନୁଭବ କରିଥାନ୍ତି ଯେ,ତାହାର ସହିତ ଯାହା କିଛି ଘଟିଯାଇଛି,ସେ ଯାହା କିଛି କରିଛନ୍ତି କିମ୍ବା ଯାହାକିଛି ସେ କରିବାକୁ ଯିବେ,ତାହାରି ଭିତରେ ଲେଖାଲେଖି ହିଁ ହେଉଛି ଶ୍ରେଷ୍ଠ କାର୍ଯ୍ୟ,କାରଣ ,ଯେତିକି ପରିମାଣରେ ନିଜକୁ ସେ ଚିହ୍ନି ପାରିଛନ୍ତି ,ସେଥିରେ ସେ ବୁଝିଯାଇଛନ୍ତି ଯେ ଲେଖାଲେଖି ହିଁ ଜୀବନରେ ସବୁଠାରୁ ସନ୍ତୋଷଜନକ କାର୍ଯ୍ୟ,ଜୀବନର ଶ୍ରେଷ୍ଠ ସମ୍ଭାବନାମୟ ଉପାୟ; ତାହା ସେ ଲେଖି ଲେଖି ଯେତିକି ସାମାଜିକ ରାଜନୈତିକ ଏବଂ ଆର୍ଥୀକ ଦିଗରୁ ସଫଳ ହୁଅନ୍ତୁ ନା କାହିଁକି ଲେଖା ବ୍ୟତୀତ ତାହାର କୌଣସି ବିକଳ୍ପ ନାହିଁ। ପଦକ ପୁରସ୍କାରକୁ ସେ ମୂଲ୍ୟବାନ ମନେ କରନ୍ତି ନାହିଁ,ଉଦାସୀନ ରହନ୍ତି। ଏବେ,ଏଇ ଯେଉଁ ଲେଖକଜୀବନ ,ଯେଉଁ ଜୀବନର ପ୍ରତିଟି ମୁହୂର୍ତ୍ତ ରେ ସେ ଜଣେ ଲେଖକ; ଏଇ ଯେଉଁ ତାହାର ଲେଖକବୃତ୍ତି -ଏଇ ପ୍ରସଂଗରେ ମୋର ମନେ ହେଉଛି ଆପଣଙ୍କୁ କିଛି କଥା କହିବା ଅନିର୍ବାର୍ଯ୍ୟ ହୋଇପଡିଛି,ଯାହା ଆପଣଙ୍କୁ ଉତ୍ତେଜିତ କରିବ ପୁଣି ଏହା ବିଶେଷ ଭାବରେ ଗୋଟିଏ ଗୋଳମାଳର କଥା ବୋଲି ଆପଣମାନଙ୍କର ମନେ ହୋଇପାରେ,ଯେପରିକି : କେଉଁଭଳି ଆପଣ ଜଣେ ଲେଖକ ଆକାରରେ ଗଢି ଉଠିବେ ?ହଁ,ମୁଁ ଜୋର୍ ଦେଇ କହିପାରିବି, ଅବଶ୍ୟ ଇଏ ଏକ ବିସ୍ମୟକର କାର୍ଯ୍ୟ,ଯାହା ସଂଶୟ ଏବଂ ଆତ୍ମନିଷ୍ଠାର ମଝିରେ ଅବଗୁଣ୍ଠିତ ହୋଇ ରହିଥାଏ ,ରହିଥାଏ ଯେମିତି ଏକ କୁହୁଡିର ପର୍ଦ୍ଦା,ଯା ସବୁ ନିୟତ ହିଁ ରହସ୍ୟମୟ,ଲେଖକ ହୁଏତ ସ୍ୱନିର୍ମିତ ଏକ ଈଶ୍ୱର,କିମ୍ବା ଦେବତାମାନଙ୍କ ଭିତରୁ ଏପରି କିଏ ଜଣେ ଦେବତା ଯିଏ ଐଶ୍ୱରିକ ଶବ୍ଦଗୁଡିକୁ ଲେଖିବାର ପାଇଁ ଆଦେଶ ପାଇଛନ୍ତି! ଲେଖକର ଭିତରେ ଏପରି ଏକ ଅପାର୍ଥୀବ ଆଲୋକର ଜନ୍ମ ହୋଇଥିଲା ,ଆଉ ତାହାର ଉତ୍ତାପ ସ୍ପର୍ଶ କରିଥିଲା ମାନବ ସଭ୍ୟତାକୁ ଆଉ ମାନବାତ୍ମାକୁ,ଆଉ ଲେଖକକୁ ତାହାର ତାହାର ସମାଜ,ତାହାର ସମୟ ଗ୍ରହଣ କରି ନେଇଥିଲା,କାରଣ ସେମାନେ ଦେଖିବାକୁ ପାଇଥିଲେ ଲେଖକର ହାତରେ ରହିଛି ସୌନ୍ଦର୍ଯ୍ୟ ସୃଷ୍ଟିର ସମସ୍ତ ଉପକରଣ ଆଉ ଅମରତ୍ୱର ଏକ ଆଶ୍ଚର୍ଯ୍ୟ କ୍ଷମତା।

ଯଦି ମୋର ଧାରଣାଟି ଭୂଲ ନହୁଏ (ଯଦିଓ ସେପରି କିଛି ଭୂଲ ହୋଇଯିବ ବୋଲି ମୁଁ ମନେ କରୁନାହିଁ),ଜଣେ ପୁରୁଷ ବା ଜଣେ ନାରୀ ଶୈଶବ କିମ୍ବା କୈଶୋର ବୟସରୁ ଚେତନ-ଅବଚେତନରେ, ଏପରି ଭାବରେ ବଡ ହୋଇ ଆସିଥାନ୍ତି ,ତାଙ୍କର ଭିତରେ ଏପରି ଏକ ଅବସ୍ଥା ତିଆରି ହୁଏ ବା ଜନ୍ମ ହୋଇଯାଇଥାଏ ଯାହାର ମାଧ୍ୟମରେ ମଣିଷ,ପରିସ୍ଥିତି,ଉପାଖ୍ୟାନ, ଯେଉଁ ଜଗତରେ ସେ ବାସ କରିଥାଏ ତାହାର ସହିତ ଅନ୍ୟ ଜଗତ ଭିନ୍ନତା ଇତ୍ୟାଦିର ସଂପର୍କରେ ତାହାର ଭିତରେ ସ୍ୱପ୍ନ ଏବଂ କୁହୁକ-ବିଭ୍ରମର ଜନ୍ମ ହୁଏ; ଆଉ ଏଇ ସ୍ୱପ୍ନ କିମ୍ବା ବିଭ୍ରମ ହିଁ ପ୍ରଥମ ଲକ୍ଷଣ,ଯାହା ପରେ ଲେଖକ ହିସାବରେ ତାହାର ଆତ୍ମପ୍ରକାଶକୁ ସମ୍ଭବ କରିଥାଏ।ପୁଣି ଗରିଷ୍ଠ ସଂଖ୍ୟକ ମଣିଷର ଭିତରର କେଉଁଠି ଯେମିତି ଏକ ଅତଳ ଗହ୍ୱର ରହିଛି ,ଯାହା କେବେହେଲେ ବାସ୍ତବ ଜଗତର ଆଡକୁ ତୀବ୍ର ଚକ୍ଷୁରେ ଚାହିଁ ନଥାଏ, ଯେଉଁ ଚକ୍ଷୁରେ ଚାହିଁଲେ ତାହାର ନିକଟରେ ହୁଏତ ଜଗତ ସଂସାର ଅନ୍ୟପ୍ରକାରର ମନେ ହେବ,ତାହାର ମଧ୍ୟରେ ବିପୁଳ କଳ୍ପନାଶକ୍ତିର ଜନ୍ମ ହୁଏ ,ଆଉ ତାହା ଫଳରେ ସେ ଅସଲ ସାହିତ୍ୟ ଚର୍ଚ୍ଚାର ପଥରେ ଅଗ୍ରସର ହୋଇଥାଏ। ଅସଲରେ କେହି କେହି କଳ୍ପନା ସୃଷ୍ଟିର ଆଡକୁ ଯାଇଥାନ୍ତି,ସମସ୍ତେ ନୁହଁନ୍ତି। ଆଉ ଯେଉଁମାନେ ବାସ୍ତବ ଆଉ କଳ୍ପନାର ପ୍ରାଚୀରକୁ ଅତିକ୍ରମ କରିଥାନ୍ତି,କେବଳ ସେହିମାନେ ହିଁ ଲିଖିତ ଶବ୍ଦର ଭିତର ଦେଇ ବିଶ୍ୱଜଗତର ସ୍ରଷ୍ଟା ହୋଇ ଉଠନ୍ତି-ସେଇମାନେ ହେଲେ ଲେଖକ,ସେଇମାନେ ହିଁ ସେଇ ଅଳ୍ପସଂଖ୍ୟକ ବ୍ୟକ୍ତି ,ଯେଉଁମାନେ ଦିନ ଦିନ ଧରି ନିଜକୁ ପ୍ରସ୍ତୁତ କରିଛନ୍ତି,ଗଢି ତୋଳିଛନ୍ତି ନିଜକୁ,ଅବିରାମ ଭଙ୍ଗାରୁଜାର ଭିତର ଦେଇ ଯାଉ ଯାଉ ଆହୁରି ଶାଣିତ କରିଛନ୍ତି ନିଜର ଲେଖନୀ-ଶକ୍ତିକୁ,ଆହୁରି ଅଧିକ ସଂବେଦନଶୀଳ ହୋଇଛନ୍ତି,ସାର୍ତ୍ତ୍ରେ ଯାହାକୁ କହିଛନ୍ତି, ଲେଖକମାନେ ବାଛିଥାନ୍ତି; ଆଉ ଗ୍ରହଣ,ସୃଷ୍ଟି ଓ ମୁକ୍ତିର ସେଇ ଅଲୌକିକ ମୁହୂର୍ତ୍ତରେ ସେମାନେ ସିଦ୍ଧାନ୍ତ ନେଇଛନ୍ତି ଯେ ସବୁ କିଛିର ବଦଳରେ ସେମାନେ କେବଳ ଲେଖକ ହେବେ,ତାହା ଛଡା ଆଉ କିଛି ନୁହଁ,ଆଉ କିଛି ନୁହଁ। ସେମାନେ ଏହାକୁ ହିଁ ନିଜ ପାଇଁ ପସନ୍ଦ କରିଥାନ୍ତି,ବାଛି ନେଇଥାନ୍ତି,ସେମାନେ କେବଳ ଲେଖକ ହେବେ।

ସେମାନେ ଲିଖିତ ଶବ୍ଦର ମାଧ୍ୟମରେ ସୂକ୍ଷ୍ମତମ ଅନୁସଙ୍ଗଗୁଡିକୁ ଲେଖିବାର ପକ୍ଷରେ ଜୀବିତକାଳକୁ ଅବିରାମ ଗଢିଚାଲିଥାନ୍ତି,ଯେମିତି ସେଇମାନେ ହିଁ,ଏକମାତ୍ର ସେଇମାନେ ହିଁ ଜୀବନକୁ ଫୁଲର ମାଳ ପିନ୍ଧାଇବେ,ପୂର୍ଣ୍ଣତା ପ୍ରଦାନ କରିବେ,ମନର ଦୁର୍ବୋଧ୍ୟ ଅବସ୍ଥାକୁ ଭାଷାରେ ପ୍ରକାଶ କରିବେ,ନିଜର ଜୀବନ,ଅନ୍ୟ ଜୀବନ,ଏବଂ ଜଗତର ରୂପକାର ହେବେ ,ଚାକ୍ଷିକ ହେବେ,ଆପଣ ଏଇଲେ ଠିକ୍ ଏଇ ଅବସ୍ଥାରେ ରହିଛନ୍ତି : ଜୀବନର ଋଢ ଏବଂ ରୋମାଞ୍ଚକର ମୁହୂର୍ତ୍ତରେ ଆପଣଙ୍କୁ ଅବଶ୍ୟ ଏପରି ସିଦ୍ଧାନ୍ତ ନେବାକୁ ପଡିବ ଯେ ଆପଣ କଳ୍ପିତ-ବାସ୍ତବତା, ଅର୍ଥାତ୍ ଫିକ୍ସନାଲ୍ ରିଅଲିଟି ର ସୃଷ୍ଟିରେ ନିଜକୁ ହଜାଇ ଦେବେ,ଅଥବା ସେଇ କଳ୍ପିତ ବାସ୍ତବତାକୁ ନେଇ ଜୀବନର ଅମୋଘ ବାସ୍ତବତାର ଉନ୍ମୋଚନ ଲେଖିବାକୁ ବସିବେ । ଏହି ଦାୟଟି ଏକାନ୍ତ ଭାବରେ ଆପଣଙ୍କର,ହେ ତରୁଣ ଲେଖକ ।

ଆପଣ ଯଦି ଏଥିରୁ ଯେକୌଣସିରୁ ଗୋଟିଏକୁ ଗ୍ରହଣ କରନ୍ତି ,ତାହେଲେ ଏଇଥିପାଇଁ ଆପଣଙ୍କୁ ଅବଶ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ହେବ ,ଅର୍ଥାତ୍ ଆପଣଙ୍କୁ ଝୁଙ୍କ୍ ନେବାକୁ ହେବ,ଆପଣଙ୍କୁ ଆନତ ରହିବାକୁ ହେବ,ଅବିରାମ ଲାଗିରହିବାକୁ ହେବ,ପ୍ରବଳ ଆକାଂକ୍ଷା ପୋଷଣ କରିବାକୁ ହେବ,ଯଦିଓ ଲେଖକ ହିସାବରେ ଆପଣଙ୍କର ଭବିଷ୍ୟତ ଏଇଲେ କୁହୁଡିର ଆଚ୍ଛାଦନରେ,ସବୁଠାରୁ ତାତ୍ପର୍ଯ୍ୟପୂର୍ଣ୍ଣ ହେଉଛି -ନିଜର ଜୀବନକୁ ଉଦ୍ଦେଶ୍ୟପୂରଣର ଦିଗରେ ଧାବମାନ କରିବା ପ୍ରତି ଆପଣଙ୍କର ଯେଉଁ ସିଦ୍ଧାନ୍ତ ,ନିଜର କମିଟମେଣ୍ଟ ପ୍ରତି ଆପଣାର
ଗଭୀର ମନୋଯୋଗ, ତାହା ହିଁ ହେଉଛି ସବୁଠାରୁ କାର୍ଯ୍ୟକର ପଦ୍ଧତି ଏବଂ ପଥ,ସମ୍ଭବତଃ ଏକମାତ୍ର ଇତିବାଚକ ପଦ୍ଧତି -ଯାହା,ଜଣେ ଲେଖକ ହେବାର ଦିଗରେ ଅଗ୍ରସର ହେବାର ସୂଚନାବିନ୍ଦୁ।

ଲେଖକ ଜୀବନ ପ୍ରତି ସୂଚନାର ଦିଗରେ ଆକାଂକ୍ଷା ବା ଝୁଙ୍କ କାହାର ? କ’ଣ ସେ ଆକାଂକ୍ଷା ? ଆପଣଙ୍କର କ’ଣ ଏ ବିଷୟରେ ଧାରଣା ରହିଛି ? ତାହା କ’ଣ ଖାଲି ଚରିତ୍ରର ସୃଷ୍ଟି ଏବଂ ଗଳ୍ପ ଆବିଷ୍କାର ନିମନ୍ତେ ଉଦ୍ଦିଷ୍ଟ ? ଏଇ ପ୍ରଶ୍ନର ଉତ୍ତର ଯଦି ମୁଁ ଦିଏ ତାହେଲେ କହିବି,ଏହା ହେଉଛି ବିଦ୍ରୋହ।

ମୁଁ ନିଶ୍ଚିତ ଯେ,ସେମାନେ,ଯେଉଁମାନେ ନିଜକୁ ନିମଜ୍ଜିତ କରନ୍ତି ,ଜୀବନର ବହୁମୂଲ୍ୟ “ସମୟ” ସୃଷ୍ଟି ନିମନ୍ତେ ବିନିଯୋଗ କରନ୍ତି,ସୃଷ୍ଟିର ନିମନ୍ତେ ପରିଶ୍ରମ କରନ୍ତି,ସେମାନେ ଅସଲରେ “ବିଦ୍ରୋହ” କରୁଥାନ୍ତି ନିଜର ଜୀବନର ବିରୁଦ୍ଧରେ,ସମାଲୋଚନା ଏବଂ ପ୍ରତ୍ୟାଖ୍ୟାନର ମାଧ୍ୟମରେ,ଯାହାର ପ୍ରତିପକ୍ଷ ହେଉଛି ଏଇ ବାସ୍ତବ ପୃଥିବୀ,ଏବଂ ସେମାନେ ସେମାନଙ୍କର ଆକାଂକ୍ଷାକୁ ଏହା ଫଳରେ ସ୍ପଷ୍ଟତାର ସହ ପରିଭାଷିତ କରିଥାନ୍ତି ଏବଂ ସେମାନେ ସେମାନଙ୍କର ସୃଜନ କଳ୍ପନା ଏବଂ ସ୍ୱପ୍ନର ଆଧାରରେ ସୃଷ୍ଟିର ନିମନ୍ତେ ଏକ ବିକଳ୍ପ ଜଗତ ର ନିର୍ମାଣ କରିଥାନ୍ତି।

କାହିଁକି ସେଇ ଭଳି ଜଣେ ଲେଖକ ହେବାକୁ ଚାହୁଁଥିବା “ଜଣକ” ଯେ ବାସ୍ତବକୁ ଗଭୀର ଅର୍ଥରେ ଜାଣି ବି ,ବାସ୍ତବ ଜୀବନରୁ ରକ୍ତମାଂସକୁ ଛାଣି ସେଥିରେ ଲୋଟିପଡିବାର ଏକ ଜୀବନ ଯାପନ କରି ବି, ନିଜକୁ ଏପରି କିଛିର ନିମନ୍ତେ ଉତ୍ସର୍ଗ କରିଦେବ ଯାହା ଅଳୀକ,ଅବାସ୍ତବ,
ଉଦ୍ଭଟ,ଖିଆଲି,କଳ୍ପନାପ୍ରବଣ,ଏବଂ ଯାହା ଆଖ୍ୟାନର ବାସ୍ତବ କିମ୍ବା କଳ୍ପିତ ବାସ୍ତବର ସୃଷ୍ଟି ? ମୁଁ ନିଶ୍ଚିତ,ଯେଉଁମାନେ ଜୀବନର ବିରୁଦ୍ଧରେ ବିଦ୍ରୋହୀ,ସେମାନେ ସେଇ କ୍ଷମତାକୁ ନେଇ ହିଁ ଜନ୍ମ ନେଇଛନ୍ତି ,ସେମାନେ ଚରିତ୍ର ସୃଷ୍ଟି କରି ପାରନ୍ତି,ନୂଚନ ଜୀବନର ଜନ୍ମ ଦେଇ ପାରନ୍ତି,ଆବିଷ୍କାର କରିପାରନ୍ତି ଯାପନର ଏପରି କିଛି କଳା କୌଶଳ,ଯାହା ପ୍ରକୃତ ମଣିଷର ଯାପନ କରିବାର କଥା ଥିଲା,ହଁ,ସେଇ ଆବିଷ୍କାର ପ୍ରତ୍ୟାଖାନର ହୋଇପାରେ,କର୍ତ୍ତୃପକ୍ଷର ବିରୁଦ୍ଧରେ ଅସମ୍ମାନ ପ୍ରଦର୍ଶନ ହୋଇପାରେ,ପୁଣି ସମାଜରେ ନିଷିଦ୍ଧ ରହିଛି ଏପରି କିଛିର ପ୍ରତି ଆକାଂକ୍ଷା ବି ହୋଇପାରେ।ବାସ୍ତବକୁ ପ୍ରଶ୍ନ କରିବାର ମୌଳିକ ପ୍ରକୃତି ଯାହା ନିଜ ସହିତ ସମସ୍ତ ଲେଖକଙ୍କର ଲେଖାଲେଖି କରିବାର ଆରମ୍ଭରୁ ଆମର ମନରେ ସୁପ୍ତ ଅବସ୍ଥାରେ ଥିଲା ବୋଲି ମୁଁ ମନେକରେ ,ଏବଂ ଏଇ ଭଳି କିଛି ଥିବା ନିହାତି ସ୍ୱାଭାବିକ। ଯାହା ଲେଖକକୁ ଅନବରତ ଚିଡାଉଥାଏ,ରଗାଉଥାଏ-ଏପରି ଏକ ଜାଗା ତ ବାସ୍ତବ ଦୁନିଆ,ଲେଖକ ମନେ ମନେ ତେଣୁ ଯୁଦ୍ଧ କରେ-ଗୋଟିଏ ପରେ ଗୋଟିଏ ଶବ୍ଦ ସେ ତେଣୁ ଲେଖି ପକାଉଥାଏ।

ବାସ୍ତବକୁ ଅନବରତ ପ୍ରଶ୍ନ କରି ଚାଲିବା ହେଉଛି ସାହିତ୍ୟର ଗୋଟିଏ ଭିତର-ବାସ୍ତବର ବିଷୟ,ସେଥିରେ ଲେଖକ ନିଶ୍ଚିତ ହୋଇ ଥାଏ- ଜୀବନ ତାହାକୁ ମୌଳିକ କିଛି ନିଶ୍ଚୟ ଦେଖାଇବ,ଜୀବନର ଉପନ୍ୟାସରେ ଯେଉଁଭଳି ବର୍ଣ୍ଣିତ ହୁଏ (ବିଶେଷ କରି ପ୍ରଧାନ ଉପନ୍ୟାସଗୁଡିକରେ), ଅସଲରେ ଜୀବନ କେବେହେଲେ ସେଇଭଳି ଜୀବନ ହୁଏନାହିଁ ,ହୋଇ ପାରେ ନାହିଁ । ଯାପିତ ଜୀବନର ଅଭିଜ୍ଞତାରେ ପରିପୁଷ୍ଟ ଲେଖକମାନେ ଜୀବନକୁ କଳ୍ପନା କରିଛନ୍ତି,ଲେଖିଛନ୍ତି। ପଢିଛନ୍ତି ଅଥବା ପ୍ରାଜ୍ଞ ହୋଇ ଉଠିଛନ୍ତି,କିନ୍ତୁ ଅସଲରେ କଳ୍ପନାର ଜୀବନ ଥିଲା ସେମାନଙ୍କର ଆକାଂକ୍ଷିତ, ଲେଖିବସିଲା ବେଳେ ସେମାନେ ଜୀବନକୁ ମିଛ ମିଛ ନିର୍ମାଣ କରିଛନ୍ତି,ନିଜ ନିଜ ବାଟରେ ବର୍ଣ୍ଣନା କରିଛନ୍ତି,ଛବି ଆଙ୍କିଛନ୍ତି,କାରଣ ସେମାନେ ସେଯାହାହେଉନା କାହିଁକି ଚିହ୍ନା ବାସ୍ତବତାରେ ବସବାସ କରିପାରୁନଥିଲେ, ଭିତରର ଜୀବନ ଅର୍ଥାତ୍ ଅନ୍ତର୍ଗତ ଜୀବନର ଯାପନକଥା ଲେଖିବାକୁ ଅନେକ ପରିମାଣରେ ବାଧ୍ୟ ହୋଇଥିଲେ,କାରଣ ନିରୋଳା ବାସ୍ତବରେ ବଞ୍ଚି ରହି ପାରୁନଥିଲେ,ପଳାଇବାକୁ ଚାହୁଁଥିଲେ,ମନର ଭିତରେ ଆତ୍ମନିର୍ମିତ ଜଗତଭିତରକୁ ପଳାଇଯାଇ ବଞ୍ଚିବାକୁ ଚାହୁଁଥିଲେ ସେମାନେ,ସେଇଠି ରହିଥାଏ ସେମାନଙ୍କର ସ୍ୱପ୍ନ,ସେଇଠି ରହିଥାଏ ତାଙ୍କର ଫିକ୍ସନ ବା ନିର୍ମିତ କଥାବୃତ୍ତ। ଫିକ୍ସନ ହେଉଛି ଗଭୀର ସତ୍ୟର ଆବରଣରେ ରହିଥିବା ଏକ ମିଥ୍ୟା,ଫିକ୍ସନର ଜୀବନ ଯେମିତି କେଉଁଠି କେବେହେଲେ ନଥିଲା,ଫିକ୍ସନର ଜୀବନ ହେଉଛି ଏପରି ଏକ ଜୀବନ କିଛି ମଣିଷ ଯେଉଁ ଜୀବନକୁ ଯାପନ କରିବାକୁ ଚାହୁଁଥିଲେ,କିନ୍ତୁ ସେଥିରେ ସେମାନେ ସଫଳ ହୋଇପାରି ନାହାଁନ୍ତି,କେଉଁଠି ସେମାନେ ସେଇ ଜୀବନକୁ ଖୋଜି ଖୋଜି ପାଇନାହାଁନ୍ତି ,ପାଇନାହାଁନ୍ତି ବୋଲି ତ ସେମାନେ ତାହାକୁ ନିର୍ମାଣ କରିଛନ୍ତି। ଆବିଷ୍କାର କରିଛନ୍ତି।ଯାହା କିଛି ସେମାନେ କଳ୍ପନା କରିଛନ୍ତି ,ତାହାକୁ ସେମାନେ ଅଟକାଇ ଧରିରଖିଛନ୍ତି ଶବ୍ଦରେ ଜୀବନକୁ ଅର୍ଥବହ କରିବାର ଚେଷ୍ଟା କରିଛନ୍ତି। ସର୍ଭାନ୍ତିସ୍ ଙ୍କ “ଦନ୍ କିହୋତେ” ଓ ଫ୍ଲୁବେୟାର୍ ଙ୍କର “ମାଦାମ ବୋଭାରୀ” ହେଉଛି ଏପରି ବିଦ୍ରୋହ,ବାସ୍ତବର ବିରୁଦ୍ଧରେ କଳ୍ପନାର ଜୀବନକୁ ଦ୍ୱନ୍ଦ୍ୱଯୁଦ୍ଧ ନିମନ୍ତେ ଆହ୍ୱାନ,ବ୍ୟକ୍ତି ସେଇଠି ଜୀବନକୁ ନେଇ ବିଭ୍ରାନ୍ତିରେ ପଡିଯାଏ,ଏ ଉପନ୍ୟାସ ସେତେବେଳେ ଜୀବନ ଆଡକୁ ତାହାକୁ ଉନ୍ମୁଖ କରି ତୋଳେ,କିନ୍ତୁ ହୁଏତ ସେ କେଉଁଠି ସେଇ ଜୀବନକୁ ଖୋଜି ପାଏ ନାହିଁ।

ସାହିତ୍ୟର ଖେଳ କିନ୍ତୁ ନିଷ୍ପାପ ନୁହଁ,ଏହା ହେଉଛି ବାସ୍ତବ ଜୀବନ ସହିତ ଗଭୀର ଅସନ୍ତୋଷର ଫଳ,କଥାସାହିତ୍ୟ ନିଜେ ହିଁ ଅଶ୍ୱସ୍ତି ଏବଂ ଅସନ୍ତୁଷ୍ଟର ଉତ୍ସ ।ସର୍ଭାନ୍ତିସ୍ (ଦନ୍ କିହୋତେ) ଏବଂ ଫ୍ଲୁବେୟର୍ (ମାଡାମ ବୋଭାରୀ) ଏଇ ଦୁଇଟି ନାଆଁର ଉଲ୍ଲେଖର ମାଧ୍ୟମରେ ମୁଁ ଯେଉଁ ଦୁଇଟି ଗପର କଥା ଆଗରୁ କହିଛି,ସେମାନେ ଯେଉଁମାନେ ଏଇ ଗଳ୍ପ ପଢିବାର ଭିତର ଦେଇ ଯାଇଛନ୍ତି ,ଏଇ ଗଳ୍ପପାଠର ଅଭିଜ୍ଞତା ଯାହାର ହୋଇଛି,ସେମାନେ ଜୀବନର ସୀମାବଦ୍ଧତା ଏବଂ ଅସଂପୂର୍ଣ୍ଣତାଗୁଡିକ ପ୍ରତି ତୀବ୍ର ସମ୍ବେଦନସହ ବାସ୍ତବଜୀବନକୁ ଫେରି ଆସିବାର ଏକ ଅଦ୍ଭୁତ ନାଟକୀୟତା ସହିତ ନିଜକୁ ଖାପ ଖୁଆଇ ନିଅନ୍ତି,ସେମାନେ ଅଭିଜ୍ଞତାର ମାଧ୍ୟମରେ ସତର୍କ ରହିଥାଆନ୍ତି,ଏଇ ଦୁଇଟି ଅନନ୍ୟସାଧାରଣ ଫିକ୍ସନ ର ଅନ୍ତର୍ଗତ ସତ୍ୟର ଦ୍ୱାରା ଯେଉଁଠି ବାସ୍ତବ ଜଗତ ଏବଂ ଜୀବନ ,ଯେଉଁଠି ସେମାନେ ବଞ୍ଚିରହନ୍ତି ତାହା ହେଉଛି- ବହୁଗୁଣ ବେଶି ଅସାମାନ୍ୟ ଏକ ଜଗତ,ଯାହା ନିର୍ମିତ ହୋଇଥାଏ ଲେଖକର ଦ୍ୱାରା।

ପାଠକ ଯେତେବେଳେ ସତସତିକା ଜଗତର ସାମ୍ନାସାମ୍ନି ହୁଏ (ଶ୍ରେଷ୍ଠ ସାହିତ୍ୟ ହୁଏତ ପାଠକର ଅଶ୍ୱସ୍ତି ବଢାଇ ଦେଇଥାଏ ),ପାଠକ ସେତେବେଳେ ସାହିତ୍ୟକୁ କର୍ତ୍ତୃତ୍ୱ,ପ୍ରତିଷ୍ଠାନ, ଏବଂ ଅନୁମୋଦିତ ବିଶ୍ୱାସର ବିରୁଦ୍ଧରେ ବିଦ୍ରୋହ ହିସାବରେ ଚିହ୍ନିତ କରି ପାରେ। ଏଇଠି ଥାଏ ଲେଖାର ଅସଲ ଶକ୍ତି।

ଏହି କାରଣରୁ ସ୍ପେନୀୟ ଶାସକମାନେ କଥାସାହିତ୍ୟିକର କାମକୁ କେବେହେଲେ ବିଶ୍ୱାସ କରନ୍ତି ନାହିଁ,ବିଶ୍ୱାସ କରି ପାରନ୍ତି ନାହିଁ ବୋଲି ଫିକ୍ସନର ଉପରେ ନିୟନ୍ତ୍ରଣ ବା ସେନସରସିପ୍ ଆରୋପ କରିଥାଆନ୍ତି,ଏହାର ଫଳରେ ଦୀର୍ଘ ତିନିଶହ ବର୍ଷ ଧରି ଆମେରିକୀୟ ଉପନିବେଶ ଗୁଡିକରେ ଫିକ୍ସନକୁ କଠୋର ନଜରଦାରିରେ ରହିବାକୁ ପଡିଛି,କେବଳ ଏପରି ମାମୁଲି ବାହାନାରେ ଯେ, ବୁଣା ଯାଇଥିବା ଗଳ୍ପଗୁଡିକ ଇଣ୍ଡିଆନମାନଙ୍କର ଦେବ -ଉପାସନାକୁ ବିଭ୍ରାନ୍ତ କରିପାରେ। ଇତିହାସର ଏଇ ନିର୍ମମ ସତ୍ୟର ଅନୁରୂପ ପ୍ରତିଟି ଦେଶର ସରକାର ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିଛି,ଏବଂ କେବଳ ନାଗରିକ ଜୀବନର ନିରାପତ୍ତା ଆଳରେ କେବଳ ଗଳ୍ପର ଉପରେ ସେନସରସିପ୍ ଆରୋପ କରିଛି। ଏବେ ତାହେଲେ କହିବା କଥା ହେଉଛି,ପ୍ରାଚୀନ ପୃଥିବୀର ଦଣ୍ଡଧାରୀ ଶାସକ ଏବଂ ଆଜିକାର ଶାସକ ,ଯାହାର କଥାକୁ ବିଚାରକୁ ନିଆଯାଉନା କାହିଁକି,ସେମାନେ କୌଣସି ଭୁଲ କରିନାହାଁନ୍ତି,ଗଳ୍ପଦମନରେ ସେମାନେ ସଠିକ ଥିଲେ,ଏଥିରେ ମୁଁ କୌଣସି ଦୋଷ ଦେଖୁନାହିଁ,ବରଂ ଓଲଟା ଭାବରେ ଏପରି କହିବି,ଗଳ୍ପ ଲେଖା ହେଉଛି ସ୍ୱାଧୀନତା ଚର୍ଚ୍ଚାର ସର୍ବୋତ୍କୃଷ୍ଟ ଉପାୟ,ଏବଂ ତାହା ସହିତ ବୁଝାପଢା ଏବଂ ତର୍କ କରିବାର ଏକ ପଦ୍ଧତି,ସେମାନେ ଧର୍ମବାଦୀ ହୁଅନ୍ତୁ ବା ସିକୁଲାର୍ ହୁଅନ୍ତୁ,ଯେଉଁମାନେ ସାହିତ୍ୟକୁ ସବୁସମୟରେ ଭୟ ପାଆନ୍ତି,ସାହିତ୍ୟକୁ ନିର୍ବାସିତ କରିବାଈଉ ଚାହିଁଥାନ୍ତି।

ଲେଖାଲେଖି ସୌଖୀନ ବିଷୟ ନୁହଁ,ଖେଳକସରତ ବା ଅବସରର ବିନୋଦନମୂଳକ କିଛି ନୁହଁ,ଲେଖାଲେଖି ଭିତରର ସଂବେଦୀ,ଜରୁରୀ ଏବଂ ସାର୍ବକ୍ଷଣିକ ଏକ କାର୍ଯ୍ୟ,ଯାହାକୁ ପେଶା ହିସାବରେ ଗ୍ରହଣ କରିବାକୁ କେହି ବାଧ୍ୟ କରେନି,ଲେଖାଲେଖି ନିଜେ ମାନିନେଇଥିବା ଏକ ଦାସତ୍ୱ ,ଯାହା ଭିକ୍ଟିମ୍ କୁ (ଭାଗ୍ୟବାନ ଭିକ୍ଟିମ୍ କୁ) ତାହାର ଦାସ ରେ ପରିଣତ କରିଥାଏ। ସାହିତ୍ୟ ଲେଖକର ସମସ୍ତ ଚିନ୍ତାକୁ ଆଚ୍ଛନ୍ନ କରି ରଖେ,ଦଖଲ କରି ରଖେ,ଚିରଦିନ ପାଇଁ ତାହାର ଭିତରେ ସ୍ଥାୟୀ ହୋଇ ଯାଏ। ଲେଖକର ସମସ୍ତ ଅସ୍ତିତ୍ୱକୁ ସେ ଅଧିକାର କରେ,ଯାହାକୁ ଜୀବନର ପୂରା ସମୟ ଦେବାକୁ ହୋଇଥାଏ।ଏହା ଏପରି ଗୋଟିଏ ବିଷୟ ଯାହା ଆପଣାର ପୂରା ଅସ୍ତିତ୍ୱକୁ ଗ୍ରହଣ କରେ, ଆପଣାର ଭିତର ଦେଇ ଆତ୍ମପ୍ରକାଶ କରେ।

Mario Vargas Llosa, (28 March 1936 – 13 April 2025), was a Peruvian novelist, journalist, essayist, and politician.

ଫ୍ଲବେୟାର୍ ଯେମିତି କହନ୍ତି,”ଲେଖା ହେଉଛି ବଞ୍ଚି ରହିବାର ଅନ୍ୟ ଗୋଟିଏ ଉପାୟ।” ଅନ୍ୟଭାବରେ କହିଲେ ,ଯେଉଁମାନେ ଲେଖାଲେଖିକୁ ଜୀବନରେ ମନ୍ତ୍ର ହିସାବରେ ଗ୍ରହଣ କରିଛନ୍ତି ସେମାନେ କିନ୍ତୁ ବଞ୍ଚିବା ପାଇଁ ଲେଖନ୍ତି ନାହିଁ,ଲେଖିବା ପାଇଁ ବଞ୍ଚିଥାନ୍ତି। ଥମାସ ଓଲ୍ଫ,ଦି ଅଟୋବାୟୋଗ୍ରାଫି ଅଫ୍ ଆନ୍ ଆମେରିକାନ ନଭେଲିଷ୍ଟ ର ଲେଖକ,ଲେଖକବୃତ୍ତିକୁ ସେ କୃମୀର ସହିତ ତୁଳନା କରିଛନ୍ତି,ସେ ଲେଖିଛନ୍ତି : ” ନିଦ ଯେମିତି ଚିରଦିନ ପାଇଁ ମୃତ,ଶୈଶବର ସେଇ କୋମଳ ପୁଷ୍ପ ଭଳି ନିଦ ମୋହର ଝରି ଯାଇଛି,ଠିକ୍ ଯେଉଦିନ ମୋ ହୃଦୟର ଭିତରକୁ ସେଇ କୃମୀକୀଟଟିର ପ୍ରବେଶ ଘଟିଥିଲା । କୃମୀଟି ମୋର ମଗଜ,ମୋର ଆତ୍ମା,ଏବଂ ମୋର ସମସ୍ତ ସ୍ମୃତିକୁ ଆଲିଙ୍ଗନ କରି ଚାଲିଥିଲା,ମୋ ସହିତ ଏକାଠି ଶୋଇବାକୁ ଯାଉଥିଲା ସେ,ମୁଁ ସେଦିନ ହିଁ ପ୍ରଥମେ ଉପଲବ୍ଧି କରିଥିଲି ଯେ,ଅବଶେଷରେ ମୁଁ ମୋ ନିଜର ନିଆଁରେ ଧରାପଡିଯାଇଛି ,ମୁଁ ମୋର ନିଜର କ୍ଷୁଧାକୁ ପ୍ରଶମିତ କରିବାକୁ ଯାଇ ନିଜକୁ ଆହାର କରିଛି ,ଉପଲବ୍ଧି କଲି ଯେ ମୁଁ ଅବରୁଦ୍ଧ ହୋଇ ପଡିଛି,ଝୁଲି ପଡିଛି ଏପରି ଏକ କ୍ରୁଶକାଠର ଉପରେ,କ୍ଷିପ୍ତ,ଉନ୍ମତ୍ତ, ଅସଂଜତ, ପ୍ରଚଣ୍ଡ ଏବଂ ସଂବେଦନହୀନ ନିର୍ଜୀବ ଏକ ଆକାଂକ୍ଷା ର ଭିତରେ ମୁଁ ହଜିଯାଉଛି ଯାହା ଚିରଦିନ ପାଇଁ ମୋ ଜୀବନକୁ ତାହାର ଭିତରକୁ ଟାଣି ନେଉଛି ,ଆତ୍ମୀଭୂତ କରି ପକାଉଛି। ଯଥାଶିଘ୍ର ମୁଁ ଜାଣିଗଲି ଯେ ମୋର ମଥାରେ ଅଥବା ହୃଦୟରେ ଅଥବା ସ୍ମୃତିରେ ଗୋଟିଏ ଉଜ୍ଜଳ କୋଷ ଏହାପରଠାରୁ ଚିରଦିନ ପାଇଁ ପ୍ରଜ୍ଜଳିତ ରହିବ ଏବଂ ଅଦ୍ଭୁତ ଏକ ଆଲୋକର ଦ୍ୟୁତି ବିଛାଡି ପଡିବ,ସମସ୍ତ ରାତିର,ପ୍ରତିଟି ଦିନରେ,ପ୍ରତିଟି ପଦକ୍ଷେପରେ,ନିଦରେ, ନିଦଶୂନ୍ୟତାରେ କୁହୁକରେ, ସ୍ୱପ୍ନରେ, ଦୁଃସ୍ୱପ୍ନରେ, ମୋର ଭିତରର କୃମୀଟି ନିଜକୁ ପରିପୂର୍ଣ୍ଣ କରି ନେଉଥାଏ ,ମୋର ମୋପଣକୁ ଖାଇ ଖାଇ ନିଜକୁ ସେ ବଞ୍ଚାଇ ରଖେ ,ଏବଂ ବତୀଗୁଡିକ ଜଳି ଉଠେ ,କେହି ତାହାକୁ ଅଟକାଇ ପାରେନା,ନା କୌଣସି ବ୍ୟଥାନାଶକ ଔଷଧ,ନା କାହାର ବନ୍ଧୁତ୍ୱ,ନା କୌଣସି ଭ୍ରମଣ ,ଖେଳ କିମ୍ବା ନାରୀ,କେହି କିଛି ବି କରି ପାରନ୍ତି ନାହିଁ,ଯନ୍ତ୍ରଣାର ଜ୍ୱାଳାକୁ ଦୂର କରି ପାରନ୍ତି ନାହିଁ,ଏବଂ ମୃତ୍ୟୁରେ ଆମର ଜୀବନର ସଂପୂର୍ଣ୍ଣ ଆଉ ଚୂଡାନ୍ତ ଅନ୍ଧକାର ଓହ୍ଲାଇଆସିବାର ଘଡିକ ଆଗରୁ ମୁଁ ଆଉ ପଳାଇପାରିବି ନାହିଁ। ଏଇ ଭାବରେ ହିଁ,ଶେଷ ପର୍ଯ୍ୟନ୍ତ ମୁଁ ବୁଝି ପାରିଲି ଯେ ମୁଁ ଲେଖକ ହୋଇଛି ଆଉ ଶେଷ ପର୍ଯ୍ୟନ୍ତ ମୁଁ ଜାଣି ପାରିଲି ଯେ ଏପରି ଜଣେ ଲୋକର କ’ଣ ହୁଏ ଯେତେବେଳେ ସେ ନିଜର ଜୀବନକୁ ଲେଖକର ଜୀବନ ଆକାରରେ ଗଢି ତୋଳି ଥାଏ। ମୁଁ ମନେ କରେ,କେବଳ ସେଇମାନେ,ଯେଉଁମାନେ ଲେଖିବାକୁ ଆସିଥାନ୍ତି,ସେମାନେ ଯେମିତି ନିଜର ସମୟ,ଶକ୍ତି ଏବଂ ପ୍ରଚେଷ୍ଟାକୁ ଲେଖାଲେଖିର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଦେବାକୁ ସବୁବେଳେ ପ୍ରସ୍ତୁତ ରହିଥାନ୍ତି,ଯେମିତି ସେମାନେ ଲେଖକ ହୋଇପାରନ୍ତି ଆଉ ପ୍ରତି ମୁହୂର୍ତ୍ତରେ ନିଜକୁ ଅତିକ୍ରମ କରି ଅନନ୍ୟସାଧାରଣ ହେବାକୁ ଚେଷ୍ଟାରତ ଥାଆନ୍ତି। ଉପନ୍ୟାସ ଲେଖିବାକୁ ଗଲେ ଜିନିଅସ୍ ହେବାର ଲୋଡା ନାହିଁ,ଲୋଡା ଦୀର୍ଘ ପ୍ରସ୍ତୁତି,ଗଠନଶୈଳୀ ବା କ୍ରାଫ୍ଟର ଚର୍ଚ୍ଚା,ଯଦିଓ,ବେଳେ ବେଳେ କବି କିମ୍ବା ସଙ୍ଗୀତଜ୍ଞ ଙ୍କ ମଧ୍ୟରେ ଏପରି କାହାର ଦେଖା ମିଳିବ ,ଯିଏ ସତକୁ ସତ ଜିନିଅସ୍ ( ରାମ୍ବୋ ଏବଂ ମୋଜାର୍ଟ) ,ବହୁବର୍ଷର ଚର୍ଚ୍ଚାର ଶେଷରେ ସ୍ପଷ୍ଟ ହୁଏ ଖାଣ୍ଟି ଲେଖକ ଜଣକ କିଏ ! ଉପନ୍ୟାସ-ଲେଖା ର ବିସ୍ମୟକର ଦୃଷ୍ଟାନ୍ତ ବୋଲି କେଉଁଠି କିଛି ନାହିଁ।

ସମସ୍ତ ମହତ (ଶ୍ରେଷ୍ଠ,କାଳୋତ୍ତୀର୍ଣ୍ଣ) ଏବଂ ସମସ୍ତ ଶ୍ରଦ୍ଧେୟ ଔପନ୍ୟାସିକ ମାନେ ଆରମ୍ଭରେ ଥିଲେ ସେହିସବୁ ପ୍ରଥମ ଶିକ୍ଷାନବିଶୀ ଲେଖକ ଯେଉଁମାନଙ୍କର ଉନ୍ମୋଚନ-ଉନ୍ମୁଖ ପ୍ରତିଭାର ନିମନ୍ତେ ଦରକାର ଥିଲା ପ୍ରତ୍ୟୟର ଦୃଢତା,ଏବଂ ଗଭୀର ମନୋନିବେଶ।

ଯଦି ପ୍ରକୃତପକ୍ଷରେ ଆପଣ ଲେଖାଲେଖି ନିମନ୍ତେ ଆଗ୍ରହୀ ରହିଥାନ୍ତି ,ତାହାକୁ ନିଜର ଜୀବନରେ ଲାଳନ କରିବା ପାଇଁ ଚାହାଁନ୍ତି,ନିମଜ୍ଜିତ ହେବାକୁ ଚାହାଁନ୍ତି,ତାହେଲେ,ମୁଁ ଆପଣଙ୍କୁ ଅନୁରୋଧ କରିବି ,ଗୁସ୍ତାଭ ଫ୍ଲବେଅର୍ ଙ୍କ ଚିଠିଗୁଡିକ ପଢିବାକୁ ଆରମ୍ଭ କରନ୍ତୁ,ବିଶେଷ ଭାବରେ ପ୍ରେମିକା ଲୁଇଜ କୋଲ୍ କୁ ୧୮୫୦ ରୁ ୧୮୫୪ ଖ୍ରୀଅର ସମୟରେ ଲିଖିତ ଚିଠିଗୁଡିକୁ ଆପଣଙ୍କର ପଢିବାକୁ ହେବ,କାରଣ ଏଇ ହେଉଛି ସେଇ ସମୟ ,ଫ୍ଲବେଅର୍ ଯେତେବେଳେ “ମାଡାମ୍ ବୋଭାରୀ” ଲେଖୁଛନ୍ତି ,ତାଙ୍କର ପ୍ରଥମ ମାଷ୍ଟରପିସ୍।

ମୁଁ ସେଇ ଚିଠିଗୁଡିକୁ ପଢିବାକୁ ଆରମ୍ଭ କରିଥିଲି ଠିକ୍ ଯେତେବେଳେ ମୁଁ ମୋର ପ୍ରଥମ ବହିଟି ଲେଖିବା ସମୟରେ ରହିଥିଲି। ଚିଠିଗୁଢିକ ମୋତେ ନାନାଭାବରେ ସାହସ ଯୋଗାଇଥିଲା,ଯଦିଓ ଫ୍ଲବେଅର୍ ଥିଲେ ଜଣେ ମାନବ ବିଦ୍ୱେଷୀ ଲେଖକ,ତାଙ୍କର ଚିଠିଗୁଡିକ ଥିଲା ମାନବସମାଜ ପ୍ରତି ଘୃଣା ଓ ତିରସ୍କାରରେ ଭର୍ତ୍ତି କିନ୍ତୁ ସାହିତ୍ୟ ପ୍ରତି ତାଙ୍କର ପ୍ରେମ ଥିଲା ସୀମାହୀନ,ଆଉ ସେଇ କାରଣରେ ହିଁ ସେ ଲେଖକବୃତ୍ତିର ପ୍ରତି ନିଜକୁ ନିବେଦିତ କରିପାରିଥିଲେ,ନିଜର ପ୍ରତି ପ୍ରତିଶ୍ରୁତିବଦ୍ଧ ହୋଇପାରିଥିଲେ,ଅବିରାମ ଦିନରାତ୍ରୀ କୌଣସି ଜଣେ ନିରଳସ ବିଦ୍ରୋହୀ ପରି ନିଜକୁ ସୃଷ୍ଟି ଦ୍ୱାରା ଘେରାଇ ରଖି ପାରିଥିଲେ,ଆଉ ଥିଲେ ସେ ଜଣେ ପ୍ରତି ମୁହୂର୍ତ୍ତରେ ନିଜକୁ ଅଲଗା କରିନେଇପାରୁଥିବା ଜଣେ ମଗ୍ନ ବିଭୋର ଶିଳ୍ପୀ ଆଉ ନିଜର ସୀମାବଦ୍ଧତାକୁ କ୍ରମଶଃ ଅତିକ୍ରମ କରି ଉଠୁଥିଲେ ସେ ,ଯଦିଓ ତାଙ୍କର ଆରମ୍ଭର ଉପନ୍ୟାସ ଗୁଡିକ ପ୍ରଥାଗତ ଥିଲା, ପରେ କିନ୍ତୁ ସେ “ମାଡାମ୍ ବୋଭାରୀ” ଆଉ “ଏ ସେଣ୍ଟିମେଣ୍ଟାଲ୍ ଏଡୁକେସନ” ଭଳି ଉପନ୍ୟାସ ଲେଖିବାକୁ ସକ୍ଷମ ହୋଇଥିଲେ,ଯାହା କହିବାକୁ ଗଲେ ସମ୍ଭବତଃ ପ୍ରଥମ ଦୁଇଟି ଆଧୁନିକ ଉପନ୍ୟାସ।

ଆଜି ଏଇଠି ଶେଷ କରୁଛି।ଆହୁରି ମତ ବିନିମୟ କରିବା । ଆହୁରି କିଛି ଜଟିଳତା ବିଷୟରେ କଥା ହେବା ।

°°°°°

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

Leave a Reply

Your email address will not be published. Required fields are marked *