ମହାଦେବୀ ଜ୍ଞାନଦା

ଅଗନା ଅଗନି ବନସ୍ତ ଘଞ୍ଚ ପାଦପ ଭରା ଛନ୍ଦିୟିତ ପ୍ରକୃତିର ଲହରୀ ପର୍ବତ ଦେହରେ । ନେଳି ବୋଳିହେଇଯାଇଛି ଆକାଶର ଶେଷ ମୁଣ୍ଡ ଯାଏଁ । ଓହ୍ଲେଇ ଆସିଛି ଆକାଶର ନୀଳପଣ ପ୍ରିୟତମା ନଈ କୋଳକୁ । ଅଙ୍କା ବଙ୍କା ହେଇ ବହିଯାଉଛି ସ୍ନିଗ୍ଧା ତୁଙ୍ଗଭଦ୍ରା ସ୍ନିଗ୍ଧ ଜହ୍ନର ପ୍ରତିବିମ୍ବକୁ ଛାତିରେ ଆଉଜେଇ ନେଇ। କଣ୍ଟା ଲଟାଝଟାକୁ କେଜାଣି କେମିତି ଆଡେଇ ଗିରିବର ବକ୍ଷରେ ନିଜ ପାଦଯୁଗଳ ଥାପି ଚାଲୁଛନ୍ତି ଜଣେ ମହାନ୍ ଋଷି। ଖୋଜୁଛନ୍ତି ମାନବ ଜାତିର ଉତ୍ତର ପୀଢି ପାଇଁ ଗତିମୁକ୍ତିର ପଥ । ଚାଲୁଛନ୍ତି ଅବିରତ। ସନ୍ଥଙ୍କ ପାଦ କଣ ଥକେ! ତାଙ୍କ ଜନ୍ମ ଉଦ୍ଦେଶ୍ୟ ଯେ ଭିନ୍ନ। ମହତ ଜନେ , ବିକାର ନ ଥାଇ ତାଙ୍କରି ମନେ ।

ଚାଇଁ ଚାଇଁ ଖରା ମାରୁଛି। ତହିଁରେ ଦକ୍ଷିଣ ଦେଶ । କନକ କିରଣର ପ୍ରକୋପ ଢେର୍ ଏଠି । ଠାଏ ଠିଆ ହେଇଗଲେ ଜଗତଗୁରୁ। ଆଶ୍ରୟ ଟିକେ ନେଇ ତରୁବର ଛାୟାରେ ଆଉ ପାଦେ ଚାଲିବେ ପରା । ଜଗତଗୁରୁ ଦେଖୁଛନ୍ତି ଅଳ୍ପ ଦୂରରେ ଏକ ଗର୍ଭିଣୀ ମାଆ ମଣ୍ଡୁକୀ । ଖରା ଧାସରେ ଧଇଁ ସଇଁ । ପାଦେ ଚାଲିବାକୁ ବଳ ନାହିଁ । ଭାରିଉଦର ଘେନି ହଲଚଲ ନ ହୋଇ ପାରୁଛି । ତାଙ୍କ ମନ ଦୟାରେ ଦ୍ରବିଭୂତ ହେଉଛି ତ କାହୁଁ ଥିଲା ଏକ ବିରାଟ ଫଣଧର ଫଣା ଫୁଲେଇ ଦାର୍ଦୁର ଆଡ଼କୁ ସରସର ଗତିରେ ବଢୁଛି । ଆହାଃ। କଣ କରାଯାଏ।ଏଇତ ଏହିକ୍ଷଣି ଉଦରସ୍ଥ କରିନେବ ମାଆଟି ସହ ପୁଞ୍ଚା ପୁଞ୍ଜା ପିଲାଙ୍କୁ ପେଟରୁ ନ ବାହାରୁଣୁ । ମୟାରହିତ ହେଲେ ମଧ୍ୟ କାରୁଣ୍ୟ ରସରେ ଉବୁଟୁବୁ ଜଗତଗୁରୁ । କିଛି ତ କରିବାକୁ ହିଁ ହେବ । ରକ୍ଷା କରିବାକୁ ହେବ ନିଷ୍ପାପ ଶିଶୁ ମାନଙ୍କୁ। ହୁଅନ୍ତୁ ପଛେ ଜୀବ କିନ୍ତୁ ନାରାୟଣ ତ ସବୁରି ତନେ। ତେବେ ହେଲେ ଅହିଟି ବି ତ ନିରିହ।ତାର ବା ଦୋଷ କଣ। ପ୍ରକୃତି ଦେବୀ ଯେ ତାକୁ ସେମିତି ଗଢିଛି । ଦ୍ବନ୍ଦରେ ଜଗତଗୁରୁ ।ଏ ସମୟେ କଣ ଦେଖନ୍ତି ! କି ଆଚମ୍ବିତ ଦୃଶ୍ୟ ସତେ। ଖାଦ୍ୟ ଖାଦକକୁ ନ‌ଖାଇ ବଢାଉଛି ଆଶ୍ରୟ ! ଆହା ସତେ କି ସଂସାରକୁ ସତ୍ୟଯୁଗ ଲେଉଟିଲା! ଭୁଜଙ୍ଗ ତାର ଅଭିପ୍ସ ଭୋଜନକୁ ନ ଭକ୍ଷି ଛତା ପରି ତୋଳି ରଖୁଛି ତା ଫନ। ବେଙ୍ଗୁଲି ଡରି ନ ଯାଇ ସାଙ୍ଗ ସଖା ସହୋଦର ପରି ଫଣାଛାୟାରେ କିଛି କ୍ଷଣ ଆରାମ କରୁଛି।

ଜଗତଗୁରୁ ଧ୍ୟାନସ୍ଥ ଏ ଅପୂର୍ବ ଦୃଶ୍ୟ ଶୋଭାରେ । ବୁଝିପାରୁଛନ୍ତି ନିଶ୍ଚିତ ଯେ ଏ ଭୂଖଣ୍ଡ କିଛି ସାଧାରଣ ଭୂମି ନୁହେଁ । ଏହାର ମହାତ୍ମ୍ୟ ଅପାର । ଅପରିଜେୟ। ଅତୁଳନୀୟ ।

ଧ୍ୟାନ ବଳରେ ଗୁରୁଦେବ ଅବଗତ ହେଉଛନ୍ତି ଏହାର ପୃଷ୍ଠଭୂମି ସହ । ରାମାୟଣ ତଥା ମହାଭାରତ ମହାକାବ୍ୟରେ ରହିଛି ଏହି ସ୍ଥାନର ଉଲ୍ଲେଖ।ଏହି ତୁଙ୍ଗନଦୀ କୁଳରେ ବିଭାଣ୍ଡକ ନାମକ ରୂଷି ଅପ୍ସରୀ ଉର୍ବଶୀଙ୍କୁ ସ୍ବଚକ୍ଷୁରେ ଦେଖିବା ପରେ ଏତେ ମାତ୍ରାରେ କାମାସକ୍ତ ହୋଇପଡିଲେ ଯେ ଝରଣାରେ ସ୍ନାନ କରୁଥିବା ସମୟରେ ତାଙ୍କ ଦେହର ତେଜ ଜଳବାହିତ ହେଲା ଓ ତାହାକୁ ଏକ ହରିଣୀ ଯିଏ କି ଏକ ଅଭିଶପ୍ତ ଅପସରା ଥିଲା ଜଳ ପାନ କରି ଗର୍ଭ ଧାରଣ କଲା। ସନ୍ତାନଟିକୁ ବିଧିତା ମଣିଷ ଶରୀର ତଥା ମୃଗଶିଶ କରି ଜନ୍ମ କଲେ । ଶାନ୍ତ,ସୁଧାର,ପିତୃଭକ୍ତ ବାଳକ ମଥା ଉପରକୁ ଠିକ୍ ହରିଣୀ ପରି ଯୋଡିଏ ଶିଙ୍ଗ ତାର ଜନ୍ମ ବୃତ୍ତାନ୍ତକୁ ପ୍ରତ୍ୟକ୍ଷ କରୁଥିଲେ। ବିଭାଣ୍ଡକ ଭାବିଲେ,’ ନା , ମୁଁ ମୋର ପୁତ୍ରକୁ ଏକ ପ୍ରଚଣ୍ଡ ସନ୍ୟାସୀ କରି ତିଆରିବି ଯିଏ ଅଖଣ୍ଡ ବ୍ରହ୍ମଚାର୍ଯ୍ଯ ପାଳନ କରିବ।’ ରୂଷ୍ୟଶୃଂଗ ପିତୃ ଆଦେଶ ଶିରୋଧାର୍ଯ୍ଯ କରି ଏକନିଷ୍ଠ ଭାବେ ବାଳ ବ୍ରହ୍ମଚାରୀ ହୋଇ ବଣ ଭିତରେ ଜୀବନ ବଞ୍ଚୁଥିଲେ ।

ଏକଦା ଅଙ୍ଗ ଦେଶର ରାଜା ରୋମପାଦ ତାଙ୍କ ରାଜ୍ୟରେ ବ୍ରାହ୍ମଣଙ୍କୁ ଅପମାନିତ କଲେ ଓ ଯଦ୍ୱାରା ସମସ୍ତ ବ୍ରାହ୍ମଣକୁଳ ତାଙ୍କ ରାଜ୍ୟ ତ୍ୟାଗ କଲେ। ହୋମ ଯଜ୍ଞ ପୂଜା ପଦ୍ଧତି ସବୁ ବନ୍ଦ ହେଲା । ହୋମରେ ଘୃତ,ସମିଧ ଦାନ ନ ହେବାରୁ ଦେବତା ମାନେ ଶକ୍ତିହୀନ ହେଲେ। ଦେବରାଜ କୋପିତ ହୋଇ ସେଠାରେ ମେଘଦାନ କଲେ ନାହିଁ। ଜନଜୀବନ ପ୍ରଭାବିତ ହେଲା। ବିପର୍ଯ୍ୟୟ କୁ ରୋକିବାରେ ଅନଭ୍ୟସ୍ତ ରଜା ଉପାୟ ଖୋଜିବାକୁ ମନ୍ତ୍ରୀଦଳଙ୍କୁ ଆଦେଶ କଲେ ଓ ଏହି ନିଷ୍କର୍ଷରେ‌ ଉପନିତ ହେଲେ ଯେ ଜଣେ ଚିର ବ୍ରହ୍ମଚାରୀ ମିଳିବା ସଂସାର ଭିତରେ ବଡ କାଠିକର ପାଠ।‌ ସିଏ ଯା ହେଉ ରୂଷ୍ୟଶୃଂଗ ଙ୍କ ବିଷୟରେ ଖବର ପାଇ ଯେତେବେଳେ ନିମନ୍ତ୍ରଣ ନେଇ ରାଜଦୂତ ଯାଏ ବିଭଣ୍ଡକ ରୂଷି ଏକବାରକେ ଅରାଜି। ତାଙ୍କ କହିବା କଥା “ନାରୀ” ନାମକ ଜୀବଟି କଳା କି ଧଳା ତାଙ୍କ ନିରିହ,ନିଷ୍ପାପ ପୁତ୍ର ଅନଭିଜ୍ଞ। ସେ ମଧ୍ୟ ତାକୁ ଏ ମାୟା ଜଞ୍ଜାଳରେ ବୁଡେଇ ହଇରାଣ କରିବାକୁ ଚାହୁଁ ନଥିବାରୁ ହିଁ ଏଡେ ଘୋର ଜଙ୍ଗଲ ଭିତରେ ଏକରକମ ଲୁଚେଇ ରଖିଛନ୍ତି। ତେଣୁ ତାଙ୍କ ସୁରକ୍ଷା ବଳୟ ଭିତରୁ ରୂଷ୍ୟଶୃଂଗଙ୍କୁ ବାହାର ଦୁନିଆ କୁ ଘେନିଯିବାର ଅନୁମତି ନାହିଁ ।

କଳେ ବଳେ କୈଶଳେ ରଜା ଉପାୟ ପାଞ୍ଚିଲେ । ପିତାଙ୍କ ଅନୁପସ୍ଥିତିରେ ଅତୀବ ସୁନ୍ଦରୀ କନ୍ୟା ମାନଙ୍କୁ ପଠାଇ ବିଚରା ରୂଷ୍ୟଶୃଂଗଙ୍କୁ ଦିଗଭ୍ରଷ୍ଟ କରାଇବାର ଅପଚେଷ୍ଟା ରଖାଗଲା। କିନ୍ତୁ ଦିବ୍ୟାତ୍ମା ବାଳକ ଓଲଟି ଲଳନା ମାନଙ୍କୁ ତପସ୍ୱୀନି ପାଲଟିବାର ସଞ୍ଜିବନି ଦାନ କରିବାକୁ ଲାଗିଲେ।ତଥାପି ନିଜେ କୋଉ ସଂପୂର୍ଣ୍ଣ ବର୍ତ୍ତି ଯାଇ ପାରିଲେ ଏ ବନ୍ଧନୀରୁ। ପୁରାଣ ଯାହା କହେ ଶାନ୍ତା ନାମକ କନ୍ୟାକୁ ଧର୍ମପତ୍ନୀ ରୂପେ ରୂଷ୍ୟଶୃଂଗ ଗ୍ରହଣ କଲେ ଏବଂ ରାଜ ମହଲକୁ ଆସି ହୋମ୍ କଲେ । ବର୍ଷା ହେଲା। ପ୍ରଚୁର ବର୍ଷା ହେଲା। ସବୁଆଡେ ସବୁଜିମା ଭରିଗଲା।

ରାମାୟଣ କଥା ଅନୁସାରେ ରଜା ଦଶରଥ ତାଙ୍କର ତିନି ରାଣୀଙ୍କ ସହ ମହା ପୁତ୍ରେଷ୍ଠି ଯଜ୍ଞ କଲେ ଓ ସେଇ ଯଜ୍ଞର ପୁରୋହିତ ଥିଲେ ରୂଷ୍ୟଶୃଂଗ ରୂଷି। ସେହି ପ୍ରସିଦ୍ଧ ରୂଷ୍ୟଶୃଂଗ ଯେତେବେଳେ ଏହି ଅନୋଖା ପର୍ବତ ଶିଖରରେ ବସି ମହାଦେବୀଙ୍କର ଆରଧନା କରନ୍ତି ମାଆ କଲ୍ୟାଣୀ ଭଗବତୀ ମହା ସରସ୍ବତୀ ସ୍ବୟଂ ଆବିର୍ଭୂତା‌ ହୁଅନ୍ତି ଓ “ଉଭୟ ଭାରତୀ” ନାମରେ ରୂଷ୍ୟଶୃଂଗଙ୍କୁ ଆଶିର୍ବାଦ କରନ୍ତି।

ମାଆ ଶାରଦାମ୍ବିକାଙ୍କର ଆବିର୍ଭାବ ହେତୁ ଜଗତଗୁରୁ ଏହିଠାରେ‌ ହିଁ ତାଙ୍କର ପ୍ରଥମ ମଠ ଆଠଶ ଶତାବ୍ଦୀରେ ସ୍ଥାପନା କରିବାକୁ ଚିନ୍ତା କରିଥିଲେ। ମାଆ ବାଗ ଦେବୀଙ୍କର ଏକ ଅତୀବ କମନୀୟ ମୂର୍ତ୍ତି ଚନ୍ଦନ କାଠରେ ନିର୍ମାଣ କରାଇଥିଲେ ଶଙ୍କରାଚାର୍ଯ୍ୟ, ଯାହା ବର୍ତ୍ତମାନ ମଧ୍ୟ ଦର୍ଶନ ସୈାଭାଗ୍ୟ ଦାନ କରନ୍ତି।

ବିଜୟ ନଗର ରାଜାଙ୍କର ଶାସନକାଳ ମଧ୍ୟରେ ଜିର୍ଣ୍ଣୋଦ୍ଧାର କରାଯାଇଥିଲା ପୁରାତନ ମନ୍ଦିରରେ ଓ ରଜା ବର୍ତ୍ତମାନ ଆମେ ଦର୍ଶନ କରୁଥିବା ସୁବର୍ଣ୍ଣ ମୂର୍ତ୍ତି ଗଢାଇ ଥିଲେ। ଶ୍ରୀ ଶଙ୍କରାଚାର୍ଯ୍ୟଙ୍କୁ ଏଠାରେ ଭଗବାନ ଶଙ୍କର ଦର୍ଶନ ଦେଇ କୃତାର୍ଥ କରିବା ସହ ତାଙ୍କୁ ସ୍ପଟିକ ଶିବ ଲିଙ୍ଗ ପ୍ରଦାନ କରିଥିଲେ ଯାହା କି ବର୍ତ୍ତମାନ ମନ୍ଦିର ବେଢାସ୍ଥିତ ବିଦ୍ୟା ଶଙ୍କର ମନ୍ଦିରରେ ପୂଜିତ । ଏଠାରେ ତାଙ୍କ ନାମ ବିଦ୍ୟା ଶଙ୍କର ଚନ୍ଦ୍ର ମୈଳୀଶ୍ବର ରହିବ ବୋଲି ସଙ୍କେତ ଦେଇଥିଲେ ନିଜେ ଶିବଶଙ୍କର। ବିଶ୍ଵାସ କରାଯାଏ ଏଠାରେ ବିଦ୍ୟା ଆରମ୍ଭ କଲେ ସକଳ ମଙ୍ଗଳ ସହ ବିଦ୍ୟା ପାରଙ୍ଗମତା ପ୍ରାପ୍ତି ହୁଏ । ଏଠାରେ ମାଆଙ୍କ ଦର୍ଶନ କଲେ ତ୍ରିନାଥ ଠାକୁରଙ୍କ ସହ ତ୍ରିଦେବୀଙ୍କର ଆଶିଷ ପ୍ରାପ୍ତ ହୁଏ ବୋଲି ମାନ୍ୟତା ରହିଛି।

କର୍ଣ୍ଣାଟକ ତଥା ଆଖପାଖ ଅଞ୍ଚଳବାସୀଙ୍କ ବିଶ୍ବାସ। ସେମାନେ ତାଙ୍କ ସନ୍ତାନମାନଙ୍କର ଖଡ଼ି ଛୁଆଁ ବା ଅକ୍ଷର ଅଭ୍ୟାସ ଆରମ୍ଭ ପ୍ରଥା ଏହିଠାରୁ କରାଇଥାନ୍ତି । ପ୍ରତିଦିନ ସେଠି ଶହ ଶହ ପିଲାଙ୍କର ଖଡ଼ି ଛୁଆଁ ହୁଏ । ଶ୍ଲୋକ ମନ୍ତ୍ର ଉଚ୍ଚାରଣ ସହ ଗୁରୁଙ୍କ ଠାରୁ ମୁଣ୍ଡଳୀ ବୁଲେଇ ପିଲେ ଶିକ୍ଷା,ଦିକ୍ଷା ଗୁରୁଙ୍କର ଚରଣ ସ୍ପର୍ଶ କରନ୍ତି।

ଆମେ ସକାଳୁ ଯାଇ ପହଞ୍ଚିବା ବେଳକୁ ସୁନାରଙ୍ଗି ଖରା ପାଉଁଜିପିନ୍ଧା ଝରଣା ନଦୀ ସହ ତାଳ ଦେଇ ଛୁଇଁ ଛୁଇଁ ଯାଉଥିବା ପବନକୁ ଦେଖି ହସୁଥିଲା ।। ସାନ ସାନ ବିପଣି ମେଳା ଭିତରେ ଫୁଲ ,ଦୀପ,ଧୂପ, ନୈବେଦ୍ୟ ବିକୁଥିବା ଝିଅଟିଏ ପାଖରୁ କିଛି କମଳା ବାଇଗିଣି ରଙ୍ଗ ଫୁଲ ,ନଡ଼ିଆ ନେଇ ଆମେ ଭିତରକୁ ଗଲୁ। ବିରାଟ ଦାକ୍ଷିଣାତ୍ୟ ଶୈଳୀରେ ଗଢା ଭାସ୍କର୍ଯ୍ୟ ସମ୍ପନ୍ନ ମନ୍ଦିରକଳା । କାରୁକାର୍ଯ୍ୟ ତ ଆମ ଦେଶରେ ଏକ ଆରେକ ବଳି । ବିପଣୀରେ ଝୁମୁଝୁମା ଖେଳନାଠୁ ଯେ‌ ମନୋହରୀ, ଘରକରଣାଠୁ ଯେ ଚେରମୂଳି,ମସଲାମସଲି ସବୁ ଥାଏ ପ୍ରାୟ ।

ଆଜି କାଲି ମନ୍ଦିର ଦର୍ଶନ ଯୋଉଭଳି କଷ୍ଟକର ହେଲାଣି ଦେବତା ଦର୍ଶନ ଇଛ୍ଛାକୁ ବେଳେବେଳେ ଭିଡ ପ୍ରତି ଥିବା ଭୟ ବଳିପଡେ ଓ ପାଦ ଘୁଞ୍ଚେନି । ମାତ୍ର ଏଠାରେ! ଆହା । ଲାଗିଲା ଯେମିତି ମୁଁ ମୋ ପିଲାଦିନର ସେହି ଶାନ୍ତସୁଧାର ପବିତ୍ର ପରିବେଶ ମନେପଡିଗଲା । ଭକ୍ତ ଗହଳି କମ ନୁହେଁ , କିନ୍ତୁ ଶୃଙ୍ଖଳିତ । କିଛି ଧଡପଗଡ,ପେଲାମରା, ବିରକ୍ତି,କ୍ଲାନ୍ତି,ଯୋଜନେ ଯୋଜନେ ଆଖି ଦୃଶିଆ ଲାଇନ, ପୋଲିସଙ୍କ ଯେଛାତା ବ୍ୟବହାର,ମନ ଇଛ୍ଛା ଠକ ନ ଥିଲେ। ଆଉ କଣ ଦରକାର!

କେବଳ ନିୟମ ଥିଲା ଭାରତୀୟମାନଙ୍କ ପାରମ୍ପରିକ ପୋଷାକରେ ଦର୍ଶନ । ଶାଢୀ,ଧୋତି- ଦୋସଡା। ଗଳବସ୍ତ୍ର ହେଇ ସମସ୍ତେ ହାତ ଯୋଡୁଥାନ୍ତି ।ମୋ ମନ ଖୁସି ହେଇଯାଉଥାଏ ସେଠିକାର ପରିବେଶକୁ ଦେଖି। ଚିତ୍ର ଆଙ୍କିଲା ପରି ଘର ତିଆରି ଶୈଳୀ ସବୁ ‌। ପଛପଟୁ ଦିଟି ଛାଁଟ ଛାଁଟ ଏ ବଡ ବଡ ଠିଆ ଡେଙ୍ଗା ଶ୍ରୀ ଫଳ ଗଛ ।ଖୋଲାମେଲା ଅଗଣା,ସବୁ ପାର୍ଶ୍ବ ମନ୍ଦିରର ଚଉତରା କଳା ପାଲିଶ ମୁଗୁନି ପଥରରେ ଗଢି । ମନ୍ଦିର ପାଟ ଅଗଣା ବିସ୍ତୃତ । ଗୋଟେ ପଟେ ବିରାଟ ପେଣ୍ଡାଲ । ବୋଧେ ସଂଧ୍ୟାରେ ଦିନରେ ଭଜନ କୀର୍ତ୍ତନ ସହ ପ୍ରବଚନ,ହରି କଥା ହେଉଛି ପ୍ରତିଦିନ । ପୁଣି ଦେଖେ ବିଟାଟ ଚକ୍ରାକାର ଗୋଲେଇ କରି ନାଚୁଛନ୍ତି ବାଳୁତଠୁ ବୟସ୍କ ଯାଏ ସମସ୍ତେ । ନାରୀ ପୁରୁଷ ନିର୍ବିଶେଷେ ।ଏକା ପରି ବେଶ ପୋଷାକ।ଏକା ତାଳରେ ଗିନି,ଝାଞ୍ଜ, ମୃଦଙ୍ଗର‌ ମିଳନ । ଆହାଃ। ଆନନ୍ଦେ ନାଚୁଛି ପବନ ପବନ ।

ସେଇପଟକୁ ଅଛି ପାଦହାତ ଧୁଆ ବ୍ୟବସ୍ଥା ।ଭାରତର ଏହି ବ୍ୟବସ୍ଥାଟି ମୋର ଭାରି ପସନ୍ଦ। ପରିଚ୍ଛନ୍ନତା ଈଶ୍ୱରଙ୍କ ଯାଏ ପହଞ୍ଚାଇବାର ପ୍ରଥମ ପାହାଚ । ଆମ ପିଲା ଦିନେ ଘର ବାହାର‌ମେଲା ବା ଆଗପଟ ଅଗଣାରେ ଗୋଟେ ବାଲ୍ଟିରେ ପାଣି ରହୁଥିଲା ବା କୋଣକୁ କଳଟିଏ ଲଗାଯାଉଥିଲା। ଉଦ୍ଦେଶ୍ୟ ମହାନ। ଘରକୁ ଜୀବାଣୁ ପଶିବେନି ପୁଣି ଗଛ,ବୃଛ୍ଛ,ପଟାଳି,କିଆରିରେ ଅଲଗାଟି ପାଣି ମଡେଇବାକୁ ପଡିବନି ।

ଆମେ ଧୋଇହେଲୁ ଓ ଆଗକୁ ବଢିଲୁ। ଡାହାଣ ପଟରେ ମାଆ ଶାରଦାମ୍ବାଙ୍କର ମୁଖ୍ୟ ମନ୍ଦିର ଓ‌ ଠିକ୍ ସାମ୍ନାକୁ ପୁରାତନ କିନ୍ତୁ ଅପୂର୍ବ ବିଦ୍ୟାଶଙ୍କର ମନ୍ଦିର। ମନ ଘଡିଏ ଲାଖି ଗଲା ପରି ମନ୍ଦିର ଓ ତାର କାରୁକାର୍ଯ୍ୟ । ମତେ ସବୁଥର ଏମିତି କାରୁକାର୍ଯ୍ୟ ସମ୍ପନ୍ନ କିଛି ଦେଖିଲେ ଲାଗେ ,ସତରେ ଏ ସବୁ ମଣିଷର ଏହି ଚର୍ମହାତର କାମ ହେଇପାରେ ! ସାଧାରଣ ମଣିଷଟିଏ,ଭୋକ ,ଲୁହ ସହୁଥିବା, ଜଞ୍ଜାଳ ଜର୍ଜରିତ ମଣିଷଟେ କଣ ସତରେ ପାରେ ଏମିତି ପଥରରେ କଢି ଫୁଟେଇ! ପ୍ରତିଥର ସେଇ ଭାସ୍କର୍ଯ୍ୟ ମାନେ ଉତ୍ତର ରଖନ୍ତି , ହଁ ତୁମେ ଯେତେବେଳେ ଆତ୍ମା ଢାଳି ପ୍ରେମର,କରୁଣାର, ଆନନ୍ଦର, ଶୃଙ୍ଗାରର,ପ୍ରକୃତିର ନବରସ ଓଜାଡି ଦେଉଥାଅ ଆମ ପଥର ଦେହ ସଜୀବ ହୋଇ ଉଠୁଥାଏ ତୁମ ସ୍ନିଗ୍ଧ ସ୍ପର୍ଶରେ । କୁହୁକ ଆଙ୍କି ହେଉଥାଏ ନିହାଣ,ଛେଣି,ମାର୍ତୁଲର ଠକ୍ ଠକ୍ ତାଳ ଦେଇ । ଈଶ୍ୱରଙ୍କ ପ୍ରତିରୂପ ପରା ତୁମେ ମଣିଷ ଜାତି। ସିଏ ବ୍ରହ୍ମାଣ୍ଡ ଗଢୁଛି ଆଉ ତାର ପ୍ରତିରୂପ ତା ଗଢା ବ୍ରହ୍ମାଣ୍ଡର ସୂକ୍ଷ୍ମାତିସୂକ୍ଷ୍ମ ରୂପକୁ ଖୋଜି ବୁଝି ଆଙ୍କି ଚାଲିଛି ତାରି ପ୍ରକୃତି ଦତ୍ତ ସମ୍ପତ୍ତିରେ । ଈଶ୍ୱର ଈଶ୍ୱରଙ୍କୁ‌ ଗଢୁଥାନ୍ତି ।

ସେହି ବିଦ୍ୟାଶଙ୍କର ମନ୍ଦିର ପିଣ୍ଢାରେ ବସିଥାନ୍ତି ଅନେକ ସାନ ସାନ ପିଲେ ଚକା ପକେଇ ଆଉ ହାତରେ ତାଙ୍କର ସିଲଟ,ଖଡି,ଖାତା କଲମ ବା ପେନସିଲ । ମନେ ପଡିଲା ଆମ ପିଲାଦିନେ ଗଣେଶ ଚତୁର୍ଥୀ କି ବସନ୍ତ ପଞ୍ଚମୀ ଦିନ ନୂଆ ସିଲଟ, ମୁଣ୍ଡା କି ଦୁଦୁଖଡି ଦିଅଁଙ୍କୁ ଛୁଏଁଇ ତିନୋଟି ବଡ ଗୋଲ ବୁଲେଇ ବ୍ରହ୍ମା, ବିଷ୍ଣୁ,ମହେଶ ଗାଉଥାନ୍ତି। ମୁଁ ପାଖକୁ ଯାଇ ଦେଖେ ପିଲେ ଲେଖୁଛନ୍ତି ଏମିତି କିଛି ଯାହା ଆମକୁ ସଂସାର ସାଗରୁ ପାରି କରେଇ ପାରେ । ମନ ଆନନ୍ଦରେ ଫୁଲ ଫୁଟେଇ ଦେଲା।ସେଇଠି ଠିଆ ହୋଇଥିବା ସୁନ୍ଦରିଆ ଝିଅଟି ସମସ୍ତଙ୍କ ଲେଖାକୁ ଲକ୍ଷ୍ୟ କରୁଥାଏ । ମୁଁ ତାଙ୍କ ପାଖକୁ ଯାଇ ହୀନ୍ଦି ଇଂରାଜୀ ମିଶା ଖେଚୁଡ଼ି ଭାଷାରେ ପଚାରିଲି,” ମାଆରେ ଏହା କଣ କେମିତି କରିହବଟି? କଣ କରିବାକୁ ହେବ? ମୁଁ ବି କରନ୍ତି ଟିକିଏ। କରି ହେବ ତ ! ” କେ ତ ମତେ ଏପଟ ଭାଷା ଆସେନି ।ଦୁଇରେ ଏପଟେ ସମସ୍ତେ ତାଙ୍କ ଭାଷା ପ୍ରତି ପ୍ରଗାଢ ଭକ୍ତି ରଖନ୍ତି।ବିଶେଷ ତାମିଳ ଓ କନ୍ନଡ ଭାଷାଭାଷୀ ସମ୍ପ୍ରଦାୟ । ତେଣୁ ଠାରଠୁରା ସହ ବୁଝେଇବାର ଚେଷ୍ଟା କରୁଥାଏ ନିଜ ତରଫରୁ ଯେ ମୁଁ କଣ ଚାହୁଁଛି ।

ସତେ ମାଆ ହଂସବାହିନୀ ସ୍ବୟଂ। ରୂପ ଯେମିତି ଗୁଣ ତହୁଁ ସରସ ।
ବିଣାଜିଣା ସ୍ବରରେ ପରିଷ୍କାର ଇଂରାଜୀରେ ଦରଫୁଟା ହସଟେ ସହ କହିଲା,” ସେଇଠି ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟ ମାନେ ବସିଛନ୍ତି।ସେଇଠୁ ନେଇ ଆସନ୍ତୁ ଓ ଲେଖନ୍ତୁ। ନିଶୁଳ୍କ । ଲେଖିସାରି ମତେ ଦେବେ ‌। ଯେଉଁ ଭାଷାରେ ଚାହାନ୍ତି ଲେଖିପାରିବେ ।”

ବାସ୍। କେବେ ନିଜ ଠାରୁ ଅନ୍ୟକୁ ‘ ଇଏ କାଳେ ଜାଣନଥିବେ ‘ ଭାବିବନି ।

ମୁଁ ବୁଲିଲି ଝିଅଟିର ନିର୍ଦ୍ଦେଶନା ମାନି । ଏପଟ ମନ୍ଦିର ସବୁରେ ନିର୍ଦ୍ଧାରିତ ଦେୟ ଶୁଳ୍କ ସହ ଅର୍ଚ୍ଚନା, ବନ୍ଦନା,ପୂଜାବିଧି,ଅନ୍ନଦାନ,ଶାଢୀ ଲାଗି ଆଦିର ତାଲିକା ରହିଥାଏ। ଟୁକନ କାଟି ଆପଣ ଗୋତ୍ର,ନାମ, ନକ୍ଷତ୍ର ଦେଲେ ପୂଜା ହୋଇଥାଏ । ଏବଂ ପୂଜା ପରେ ମନ୍ଦିର ତରଫରୁ ଅତି ସ୍ବାଦିଷ୍ଟ ଚାରିକୋଣିଆ ନଡିଆ ଲଡୁ,ଗୋଲିଆ ବଡ ବୁନ୍ଦିଆ ଲଡୁ , ଲାଗିଫୁଲ, ସିନ୍ଦୂର ( କୁଙ୍କୁମ ) ,ହଳଦୀ,ମିଳିଥାଏ । ଅର୍ଚ୍ଚନାର ମୂଲ୍ୟ ମାତ୍ର ଦଶ ଟଙ୍କାରୁ ଆରମ୍ଭ । ତେଣୁ ସମସ୍ତ ବର୍ଗର ଲୋକେ ନିଜ ପରିବାର ମଂଗଳ ପାଇଁ ପୂଜା ଖୁସି ଖୁସି କରିପାରନ୍ତି । ମାଆ ଦରବାରରେ ସଭିଏଁ ସମାନ ।

ସେହିଠାରେ ବସିଥିବା ବୟସ୍କ ସାଧୁ ମାନଙ୍କ ଠାରୁ ମୁଁ ପରିକ୍ଷାପଟା, କାଗଜ କଲମ ଆଣିଲି ।ସେହି କାଗଜର ବିଶେଷତ୍ଵ ଏହିକି ଯେ ସେଥିର ଏକ ପାଖରେ ରଘୁ କୁଳ ତିଳକ ରଘୁବୀର ଧନୁବାଣର୍ଧାରୀ ଭଗବାନ ରାମଚନ୍ଦ୍ର ଓ ଅନ୍ୟ ପାଖରେ ପରମ ଯୋଗୀ ଭୋଳା ନାଥଙ୍କ ଛବି ସହ ଶହେ ଆଠ ଗୋଟି ଲେଖାଏଁ ଗାରକଟା ବାକ୍ସ ଅଙ୍କା ହେଇଛି । ପ୍ରତିଟି ସ୍ତମ୍ଭର ପ୍ରଥମ ଧାଡିଆରମ୍ଭରେ ଗୋଟେ ପ
ରକାର ଭାଷା ରେ ” ଶ୍ରୀରାମ” ଓ ଯଥାକ୍ରମେ ” ନମଃ ଶିବାୟ” ଲେଖା ହୋଇଛି ।ସେଥିଲେ ତେଲୁଗୁ,ତାମିଳ,ମାଳାୟଳି, କନ୍ନଡ, ହୀନ୍ଦି, ଇଂରାଜୀ,ଆଦି ଆଦି ଭାଷା ମାନଙ୍କ ସହ ମୋ ମାତୃଭାଷା” ଓଡିଆ ” କୁ ପାଇଁ ମୁଁ କୃତ୍ୟ କୃତ୍ୟ ହେଇଗଲି।ନାଚିଗଲା ମନ ଦି ଘେରା ଡେଣା ମେଲେଇ।

ମୁଁ ଓଡିଆରେ ଲେଖିଲି । ମନ ଦେଇ । ଆତ୍ମାରୁ ।

ଏବେ ତ ମୋବାଇଲ ଟାଇପରେ ଲେଖୁଛେ ଆମେ । ଆଉ କୋଉ କାଳିକାଗଜ ଲେଖା ଅଭ୍ୟାସ ଅଛି ଭଲା ।ସିଏ ପୁଣି ପରିକ୍ଷା ବୋର୍ଡ ଉପରେ ଥୋଇ । ତେଣୁ ଲାଗିଲା ପିଲାଦିନ ଫେରେଇ ଦେଲା ସମୟ ମନେ ରହିଲା ପରି ମୂହୁର୍ତ୍ତ ।

ମୋ ଲେଖା ସରିବା ସରିବା ହେଉଛି ମୋ ପିଲେ ଦିହେଁ ଓ ସ୍ବାମୀ ଆସି ପହଞ୍ଚିଲେ ଓ ସେମାନେ ମଧ୍ୟ ଭାରି ଖୁସି ହେଇ ଲେଖିବା ଆରମ୍ଭିଲେ । ମୁଁ ଆଖପାଖ ପିଲାଙ୍କୁ ବଡ ପ୍ରିତ ହେଇ ଦେଖୁ ଥାଏ । ମୁଗ୍ଧ ଚିତ୍ର ।

ପଛପଟେ କୋଳାହଳ। ଭକ୍ତ ଗହଳି। ପବିତ୍ର ପବିତ୍ର ରେଣୁ ରେଣୁ।

ହଠାତ୍ ମୋ ପୁଅ ଲେଖା ମଝିରୁ ଅଟକି ଯାଇ ବୋଉ ବୋଉ ବୋଉ ବୋଲି ଡାକି ଖୁସିରେ କୁରୁଳି ଉଠିଲା ।ତା ଖୁସି ଆମ ଆଖିଓଠକୁ ସଞ୍ଚରି ଆସିବାକୁ ବେଶି ସମୟ ନେଲାନି ଯେତେବେଳେ ଆମେ ସବୁ ତା ଆଖିକୁ ଅନୁସରଣ ପୂର୍ବକ ପଛକୁ ବୁଲି ଚାହିଲୁ । ସେତେବେଳକୁ ସିଏ ତା ଖାତା କଲମ ମତେ ଧରେଇ ଦେଇ ଅଗଣାରେ ଟିକି ଚଢେଇଟେ ପରି ଉଡିଗଲାଣି କହି କହିକା ଯେ ,” ମୁଁ ଆସିଲେ ଲେଖିବି ବୋଉ। ତୁ ମୋ ପାଇଁ ଲେଖେବୁନି।” ଲେଖିବାକୁ ସବୁବେଳେ କୁନ୍ଥେଇ ହଉ ଥିବା ପିଲାଟା ଏମିତି କହିବା ଦେବୀ ମହାତ୍ମ୍ୟ ଯେ ନିଶ୍ଚିତ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ସବୁ ପାଠ ଆସେ ,ଖାଲି କହିବ ମତେ ପଚାରିଦେ ମୁଁ କହିଦେବି ଗଳଗଳ । ହେଲେ ପରିକ୍ଷା ତ ଆଉ ସବୁବେଳେ ମୈଖିକ ନୁହେଁ ନା ପାଠ୍ୟଖସଡାରେ। ଜୀବନ କଥା ଯଦିଓ ଭିନ୍ନ । ହା ହା। ମୁଁ ପୁଣି କୃତ୍ୟ କୃତ୍ୟ ହେଲି ।

ଦେବୀ ଅଗଣାରେ ବିରାଟ ବିରାଟ ଦିଟି ଦାନ୍ତାହାତୀ । ଓଁ ଗଣ ଗଣପତୟେ ନମଃ। ମାଆଟି ଓ ସନ୍ତାନଟି ଦୁହିଁଙ୍କର ଦାନ୍ତ ଅଛି। ସୁନ୍ଦର ପରିପାଟି।ଚନ୍ଦନ, ତିଳକ,କୁଙ୍କୁମ, ବିଭୁଷିତ। ଓମ୍ କାର ଅଙ୍କିତ। କର୍ଣ୍ଣ ଦ୍ବୟରେ ଅଙ୍କୁଶ ଅଙ୍କା । ପ୍ରବେଶ ମାତ୍ରକେ ତାଙ୍କ ଚାରିପଟେ ଜନଗହଳି। ମାତ୍ର ସେ ଦିହିଁଙ୍କ ଲକ୍ଷ୍ୟ ମାଆର ସାହାଣମେଲା କପାଟରେ। ଦିହେଁ ସେଇଠି ଆଣ୍ଠେଇପଡି ଆଖି ମୁଦି ନମନ କଲେ ।ଶୁଣ୍ଢ ଟେଟି ପ୍ରଣତି ବାଢିଲେ । ” ସେବାରେ ଉପସ୍ଥିତ ହେଲୁ ମାଆ, ଆଜ୍ଞା ଦେବା ହେଉ ।” ଜଣାଇଲେ । ଭିତରୁ ବ୍ରାହ୍ମଣ ପୂଜକ ହାତରେ ଆଳତୀ ଥାଳି ସହ ଆଶିର୍ବାଦର ଫୁଲ ପ୍ରସାଦ ବଢେଇ ଦେଇ ତା କପାଳକୁ ସସ୍ନେହ ଛୁଇଁଦେଲେ । ସ୍ନେହ ପାଳିତ ଜୀବ ଦିଟି ଖୁସିହେଇ ତାଙ୍କ ଅନୁରକ୍ତି ବାଢିଲେ ଓ ସ୍ବସ୍ଥାନକୁ ଫେରିଲେ । ଠିଆ ହେଲେ ଯାଇ ମଝି ଅଗଣାରେ ।

ଅଭ୍ୟସ୍ତ ଶୁଣ୍ଢରେ ଥିରେ କି ଆଶିଷ ମୁଦ୍ରାରେ ଛୁଆଁ ଦେଉଥାନ୍ତି ସବୁରି ମଥା ଉପରେ ତାଙ୍କୁ ଯିଏ ଯିଏ ମଥାନତ ନମସ୍କାର କରୁଥାନ୍ତି ।ହାତୀ ମୋର ପ୍ରିୟତମ ଜୀବ ତାଲିକା ଭିତରୁ ଗୋଟିଏ ।ହାତୀ ଦେଖିବାକୁ,ଆଦର କରିବାକୁ, ଚିତ୍ରରେ ଆଙ୍କିବାକୁ,ପିଠିରେ ବସେଇ ବୁଲେଇବାକୁ ସବୁକୁ ଡଉଲଡାଉଲ ପ୍ରାଣୀଟି । ସେଠାରେ ଥିବା ଆକାଶେ ଡେଙ୍ଗା ନାରିକେଳ ବୃଛ ଛାୟାରେ ହସ୍ତୀ ଦ୍ବୟ ତାଙ୍କ ଦୋଳିତ କର୍ଣ୍ଣ ଓ ତନୁକୁ ଧାରଣ କରି ସାନନ୍ଦେ ରମ୍ଭାଫଳ,ଶ୍ରୀଫଳ,ହରିତ ପାତ ଓ ବିଭିନ୍ନ ଭକ୍ତଦତ୍ତ ଫଳ ଗ୍ରହଣ କରୁଥାନ୍ତି। ପିଲେ ତ ପିଲେ ସମସ୍ତେ ଖୁସି ତାଙ୍କୁ ଏଠି ପାଇ ।

ମୋ ପୁଅ ଫେରି ଆସି ତା ଲେଖା ସାରିଲା ଓ ଭଉଣୀକୁ ସାଙ୍ଗରେ ଧରି ହାତୀ ପାଖକୁ ଲେଉଟିଗଲା ଡେଇଁ ଡେଇଁକା । ଆମେ ଆମ ଚାରି ଜଣଙ୍କର ଲେଖା ଦେଲୁ ଓ ମୁଁ ଆଉ ଗୋଟିଏ କାଗଜ ଲେଖିବାର ଲୋଭ ସମ୍ବରଣ କରି ନ ପାରି ଆଉ ଫର୍ଦ୍ଦଟିଏ ପାଇଁ ଅନୁରୋଧ ରଖିଲି ଯେ ଠାକୁରେ ବୁଲେଇ ବଙ୍କେଇ କହଲେ ,ବେଶି ଲୋଭ ହିତକର ନୁହେଁ ।ଆଜି ପାଇଁ ଏତିକି ପୂଣ୍ୟ ଘେନିଯା,ଆଉ କର୍ମ କରେ ।ମାଆ ସରସ୍ଵତୀ ବରଦା ହୁଅନ୍ତୁ। ” ପଥରରୁ ଶୁଭିଥିବା ଅଦୃଶ୍ୟ ସ୍ବର ମତେ ବାଟ କଢେଇଲେ ।

ମୁଁ ହାତ ଯୋଡି କଥା ମାନିଲି ।

ଆମେ ମାଆଙ୍କ ଦର୍ଶନ ପାଇଁ ମୁଖ୍ୟ ମନ୍ଦିରକୁ ପ୍ରବେଶ କଲୁ । ଏଇଠି ଟିକେ ଲାଇନ ଥିଲା ।ଏଇ ଖୋଜେ ବାଟ ମାତ୍ର । ମାଆ ଦିଶୁଥିଲେ ଦୁଆରୁ ହିଁ । ପାଖକୁ ଯିବାକୁ ଆମେ ପାଦ ବଢେଇଲୁ । ଭବ୍ୟ ମନ୍ଦିର। ମନ୍ଦିର କାନ୍ଥ ସବୁ ସୁଉଚ୍ଚ । କାରୁକାର୍ଯ୍ୟ ପୂର୍ଣ୍ଣ ।ଜଗମୋହନକୁ ତିନୋଟି ପ୍ରବେଶ ଦ୍ବାର । ବିରାଟ ବିରାଟ କାଚ ଆଲମାରୀ ସବୁରେ ରୂପା,ସୁନା,ଚାନ୍ଦି,ପିତଳ,ତମ୍ବା,ଅଷ୍ଟଧାତୁ ତଥା ଚଳନ୍ତି ପ୍ରତିମାର ଅଶ୍ବ, ସିଂହ,ମୟୁର,ସଖୀ, ମୃଗ, ସିଂହଶରୀର ମାନବୀ ମୁଖ କନ୍ୟା, ଆଦି ପ୍ରତିମା ରହିଥାନ୍ତି । ବୋଧହୁଏ କୈାଣସି କୈାଣସି ପର୍ବପର୍ବାଣୀରେ ହିଁ ବ୍ୟବହୃତ ହେଉଥିବ । ଆମ ଦେଶର ସଂସ୍କୃତି ତାର ଉତ୍କୃଷ୍ଟତାରେ ମଣ୍ଡିତ ଆମ ମନ୍ଦିର ମାଳିନୀ ମାଟି ‌ । କ୍ୟାମେରା ନିଷେଧ । ଆମର ପୂର୍ବଜ ମାନଙ୍କର ଏହା ସବୁ ଅକ୍ଷୂର୍ଣ୍ଣ କୃତି ଯାହା ଯୁଗ ଯୁଗକୁ ଆମ ପରମ୍ପରା ସଂସ୍କୃତିକୁ ଯଶୋଦୀପ୍ତ କରିରଖିଛି।

ମହା ସରସ୍ବତୀଙ୍କର ଦର୍ଶନ ହେଲା  । କରପତ୍ର ଯୋଡି ଆମେ ସରସ୍ୱତୀ ମନ୍ତ୍ର ଯାହା ଯାହା ଜାଣିଥିଲୁ ଗାଇଗଲୁ ଏକାଠି । ତାଙ୍କରି କୃପାରେ ହିଁ ତାଙ୍କ ମନ୍ତ୍ର ଉଚ୍ଚାରଣ ସମ୍ଭବ ହେଲା ପରି ଲାଗେ ।

ଅଇଲେ ମାଆ ସରସ୍ଵତୀ ନିର୍ମଳ ବର୍ଣ୍ଣେ
ରତ୍ନର ବିଭୁଷିତା କୁଣ୍ଡଳ କର୍ଣ୍ଣେ
ଗଳାରେ ମାଆ ଗଜମୋତି ମୁକୁତାର ହାର
ଦିଅ ମାଆ ସରସ୍ଵତୀ ବିଦ୍ୟା ଭଣ୍ଡାର ।।

ଗୋଟେ ପଟେ ଦର୍ଶନ କରି ଆରପଟେ ପ୍ରସାଦ ନେଇ ବାହାରିଗଲୁ । ନୂଆ ପେନସିଲ ଦିଟି ପିଲେ ମୋର ଛୁଏଁଇ ଆଣିଲେ ମାଆଙ୍କ ପାଦ ତଳେ  ଭଲ ପାଠ ପଢିବେ ବୋଲି ।

ଈଶ୍ୱରୀ ପରିକ୍ରମା ବେଳେ ହିଁ ଦଣ୍ଡବତ ପ୍ରଣାମ କଲୁ।ବାହାର ବେଢାରେ ଶ୍ରୀ ଗଣପତି ଓ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କର ସୁନ୍ଦରିଆ ମନ୍ଦିର ଦୁଇଟିରେ ପ୍ରଣତି ବାଢି ଆଗେଇଲୁ ଏଠିଥିବା ଶଙ୍କରାଚାର୍ଯ୍ୟ ମଠର ବିସ୍ତ୍ରୁତ ଭୋଜନାଳୟ ଆଡେ। ଆପଣ ଦେଉଥିବା ଅନ୍ନଦାନ, ସ୍ବର୍ଣ୍ଣ ଦାନ, ମୁଦ୍ରାଦାନ, ହୁଣ୍ଡି ତଥା ବହି, ରୁଦ୍ରାକ୍ଷ,ସ୍ପଟିକ,ପଦ୍ମମଞ୍ଜି,ସଂଗ୍ରହ ଏଠାରେ ପ୍ରସିଦ ରୂପେ ଆମକୁ ଫେରେଇ ଦିଆଯାଏ। ଲମ୍ବା ପିଢା ପରି ପିଣ୍ଢା।ଦି ପଟକୁ ଲୋକ ପିଠିକୁ ପିଠି ଲଗେଇ ବସିଲେ ଗୋଟେ ଧାଡିରେ ପାଖାପାଖି ଚାରିଶ ଲୋକ ତ ବସୁ ହିଁ ଥିବେ ।ସେମିତିଆର ଚାରି ଧାଡି,ମାନେ‌ ପାଖାପାଖି ବାରଶ ଲୋକ ଏକା ସଙ୍ଗେ ଖାଇବସିଲେ ଆଉ ଶହେ ଲୋକ ଯିଏ ଟିକେ ବୃଦ୍ଧ ବା ତଳେ ବସିପାରିବାକୁ ଅକ୍ଷମ ତାଙ୍କ ପାଇଁ ଚଉକି ଟେବୁଲର ବ୍ୟବସ୍ଥା । ଚକଲଗା ବିରାଟ ହଣ୍ଡା ସବୁରେ ଗରମ ଗରମ୍ ଧୂଆଁ ଉଠୁଥିବା ଅରୁଆ ଭାତର ମହକ, ସମ୍ବର , ଚାରୁ ( ରାଗ ରାଗ ତେନ୍ତୁଳି ପାଣି ) ,ଦହି ଚଲ୍ହା,ପପୁଚାରୁ ( ଡାଲି ) ସବୁକୁ ବାଢିବାକୁ ପ୍ରସ୍ତୁତ ବୟସ୍କ ମାଆ ମାନେ ,ବାବା ମାନେ । ସବୁ ଆଡେ଼ ବୟସ୍କ ଅଭିଜ୍ଞ ହାତ ମାନଙ୍କର ପରିପକ୍ବ ଚିହ୍ନ । ରନ୍ଧା ଠୁ ବଢ଼ା ଠୁ‌ ପରଶିବା ଯାଏ । ବଡ ଗୋଟେ ଚାରିଚକିଆ ଗାଡ଼ିରେ ବାସନ ଥାକ ଗଡି ଗଡି ଗଲା।ଯୋଉଥିରେ ଚେକା ଚେକା ଥାଳି ସବୁ ଥିଲା। ସେ ଥାଳି ସବୁ ତମକୁ ନବାକୁ ହବ ନିଜେ । ପାଣି ପିଇବାକୁ ଷ୍ଟିଲ ଗ୍ଲାସ ଦିଆଯାଇଥିଲା। ଆଗକାଳିଆ ଚାହା କେଟିଲରେ ସଫା ପିଇବା ପାଣି ଯୋଗେଇ ଦିଆଗଲା । ଆମେ ସଡସଡ ହାପୁଡି ହାପୁଡି ଶେଷକୁ ଥାଳି ଉଠେଇ ଢକଢାକ କରି ରାଗ ରାଗ ଚଟପଟା ଦହି ପାଣି ତକ ଉଦରସ୍ଥ କରି ହାତ ଧୋଇବାକୁ ଉଠିଲୁ । ଥାଳି ଅଲଗା ଓ ଗ୍ଲାସ୍ ଅଲଗା ଜାଗାରେ ଜିମା ଦେଇ ପ୍ରସ୍ଥାନ କବାଟ ବାଟେ ବାହାର ମେଲାକୁ ବାହାରିଲୁ। ସେଇ ଅନୁପାତରେ ସେତିକି ଲୋକ ପୁଣି ଭୋଜନାର୍ଥେ ଗହଳି ଲଗେଇ ସାରିଥିଲେ ହଲ୍ ଭିତରେ । ବାହାର‌ ଅଗଣାରେ କଣ ଦେଖୁ! ଦେଖୁ କି ଗୁଲଗୁଲିଆ ଭକ୍ତିଆ ହାତୀ ଦିଟି ଆମର ଝୁମିଝୁମିକା ଆସି ସେଇଠି ହାଜର ।ମାହୁନ୍ତ ହାତରେ ଅଙ୍କୁଶ ବଦଳରେ ପାଣି ପାଇପ୍। ଗଜଗଜ ହେଇ ମୋଟ ଜଳ ସ୍ରୋତରେ ଟିକି ଗଜରାଜ ଆମର ସ୍ନାହାନ ଆରମ୍ଭିଲେ ଆଗେ …. ଓଃ କି ଆନନ୍ଦ …. କି‌ ତୃପ୍ତି ।

ଟିକେ ଘୁଞ୍ଚିକି ଠିଆ ହେଇଛି ମାତୃ କରିଂଦ୍ର । ମୁକ୍ତ ନଦୀର ଆକର୍ଷଣକୁ ମନେ ପକାଉଛି କି କୁଞ୍ଜର ! ମନେ ପଡୁଛି କି ତାର ଘୋର ଅରଣ୍ୟାନିର ହରିତଘେରା ଘର ! ମାତଙ୍ଗ ଅନ୍ୟ ମନସ୍କ ଦିଶୁଛି। ଶିଶୁଟି କିନ୍ତୁ ଏତେ କଥା ଭାବୁନି ।ତା ଦୁନିଆ ତ ତା ମାଆ।ଯିଏ ତା ପାଖରେ ଠିଆ ହେଇ ତାକୁ ସକଳ ସ୍ନେହରେ ଚାହିଁଛି । ଅବଗାହନ ଅନନ୍ଦେ ମଗ୍ନ କୁମ୍ଭୀଦ୍ବୟଙ୍କୁ ସେଇଠି ପ୍ରଣାମ କରି ଆମେ ବାହାରିଲୁ ।‌ମହନ୍ତ ପାଖରେ ଥିଲେ ହାତୀଦିଟି ଆଉ ବିନା ଦକ୍ଷିଣାରେ ଆଶିର୍ବାଦ କରୁନଥାନ୍ତି । ତାଙ୍କ ଶୁଣ୍ଢ ଅଗରେ ପଇସା କି ଟଙ୍କା ଯାହା ରଖିଲେ ପ୍ରଥମେ ଯନ୍ତ୍ରଚାଳିତ ପରି ମାଲିକକୁ ବଢେଇଦେଇ ଆଶିର୍ବାଦ ଦବା କାମଟି ଛିଣ୍ଢେଇ ଦବ ତୁରନ୍ତ। ମନ ଦେଇ ଶିଖିଛି ଯାହା ମାଲିକ କହିଛି। କିନ୍ତୁ ମଣିଷର ପ୍ରିୟ ରୋଜଗାର ତକ ଛଡା ଅନ୍ୟାନ୍ୟ ଫଳମୂଳ ରେ ହକ କେବଳ ତା ନିଜର ।ସେଥିରେ କାହାର କିଛି କହିବାର ନାହିଁ। । ଆହାର ବେଳେ ଆପତ୍ତି ହାତି କୋ ପସନ୍ଦ ନେହିଁ ।

ଏବେ ଆମେ ଭଗବତୀଙ୍କ ଦର୍ଶନ ଆଉ ଥରେ କରି ସଂପୂର୍ଣ୍ଣ ମନ୍ଦିରକୁ ଥରେ ଆଖି ପୁରେଇ ଦେଖି ରଙ୍ଗବିରଙ୍ଗୀ କୁଙ୍କୁମ ସେଟ୍ ଟି ଧରି ଲେଉଟିଲୁ । ଝିଅ ମୋର ପଟ୍ଟୁ ପାଉଡାଟିଏ ଖୋଜୁଥିଲା ତା ପାଇଁ। ମୋ ମନ କିନ୍ତୁ ଟାଣିନେଲା ବାସ୍ନାଟିଏ ଛୁଟିଥିବା ଦିଗକୁ ।
ମୋ ମନ ବୁଝି ଇଏ ମତେ ହାତେ ଲମ୍ବ ମଲ୍ଲୀମାଳ ଯୋଉଥିରେ ସାନ ସାନ କଢିମଲ୍ଲୀ ସହ କମଳା,ବାଇଗିଣୀ କୁଞ୍ଚୁକୁଞ୍ଚିଆ ଫୁଲ ସହ ସବୁଜ ପତ୍ର ଗୁନ୍ଥା ହେଇ ଅତି ମନୋହର ଦିଶୁଛି। ମୁଁ ଟିକେ କିଶୋରୀ ବୟସକୁ ଫେରିଯାଇ ଖୋସି ଦେଲି ମଥାରେ ।‌

ମନ୍ଦିରକୁ ବୁଲି ଚାହିଁ ସମସ୍ତେ ଏକାସାଙ୍ଗରେ ହାତ ଟେକିଲୁ ଓ ଗାଇଲୁ

ଯା କୁନ୍ଦେନ୍ଦୁ ତୁଷାର ହାର ଧବଳା
ଯା ଶୁଭ୍ରା ବସ୍ତ୍ରାଭୁତା……

—++++
ଶ୍ରୀମତି ଲୋପାମୁଦ୍ରା ପରିଡ଼ା
ପାନାଥୁର
ବାଙ୍ଗାଲୋର