ମୁଘଲ ସାମ୍ରାଜ୍ୟର ପ୍ରତିଷ୍ଠାତା ଜହିରୁଦ୍ଦିନ ମହମ୍ମଦ ବାବର ପାଦଶା-ଇ-ଘାଜି ଏପରି ଗୋଟିଏ ପତ୍ର ଲେଖିଥିଲେ ତାଙ୍କର ପୁତ୍ର ହୁମାୟୁନଙ୍କ ନିକଟକୁ।
ଏଇ ପତ୍ରଟି ସ୍ୱତନ୍ତ୍ର।
ଭାରତରେ ମୁଘଲ ସାମ୍ରାଜ୍ୟ ପ୍ରତିଷ୍ଠା କରିବା ଅର୍ଥାତ୍ ୧୫୨୬ ଖ୍ରୀଷ୍ଟାବ୍ଦରେ ଘଟିତ ଭାରତର ଇତିହାସ ଦୃଷ୍ଟିରୁ ଯୁଗାନ୍ତକାରୀ ଯୁଦ୍ଧ ପ୍ରଥମ ପାନିପଥ ଯୁଦ୍ଧ ର ଅଳ୍ପ କେତେମାସ ପରେ ଏଭଳି ଖଣ୍ଡିଏ ପତ୍ର ବାବର ହୁମାୟୁନ ଙ୍କ ନିକଟକୁ ଲେଖିଥିଲେ । ହୁମାୟୁନ ସେତେବେଳକୁ ଭାରତଠାରୁ ଅନେକ ଦୂରରେ ଅର୍ଥାତ୍ ଆଫଗାନ ଇଲାକାକୁ କାବୁଲଠାରେ ରହି ବାବରଙ୍କ ନାଆଁରେ ଶାସନ କରୁଥିଲେ। କହିବା ବାହୁଲ୍ୟ ହୁମାୟୁନଙ୍କର ସେଇ ସମୟର ଶାସନକରିବାର ଶୈଳୀ ନିହାତି ଆଡମ୍ବରପୂର୍ଣ୍ଣ ବିଳାସବହୁଳତାରେ ପରିପୂର୍ଣ୍ଣ ରହିଥିଲା। ପରେ ଭାଗ୍ୟ ହୁମାୟୁନଙ୍କୁ ସେଇଭଳି ବିଳାସପୂର୍ଣ୍ଣ ଜୀବନର ଅବସର ପ୍ରଦାନ କରିବା କ୍ଷେତ୍ରରେ ଅନେକ ପରିମାଣରେ ନିଷ୍କରୁଣ ହୋଇ ରହିଆସିଛି।
୨୫ ଡିସେମ୍ବର ୧୫୨୬ ଦିନ ଏଇ ପତ୍ର ଟି ଲେଖାଯାଇଥିଲା।
ଗୋଟିଏ କାହାଣୀ ପଢିବା ଭଳି ଏଇ ପତ୍ରଟିକୁ ପଢାଯାଇପାରେ। କୌଣସି ଉତ୍କୃଷ୍ଟ କାହାଣୀରେ ଯେଉଁ ସବୁ ଉପାଦାନ ମାନ ରହିବା କଥା ସେସବୁ ଏଇ ଭଳି ପତ୍ରଟିରେ ରହିଛି। ବଖାଣ ଶୈଳୀ, ପୁଙ୍ଖାନୁପୁଙ୍ଖ ଅନୁସଙ୍ଗ ବା ଡିଟେଲିଂ, କାହାଣୀର ସାବଲୀଳ ଘଟଣା ପ୍ରବାହ ଏବଂ ଘଟଣାର କୌତୁହଳଦ୍ଦୀପକତା ଏଇ ପତ୍ରଟିକୁ ସ୍ୱତନ୍ତ୍ର ଏବଂ ବିଶିଷ୍ଟ କରିବାକୁ ସମର୍ଥ ହୋଇଛି।
ବାବରଙ୍କର ଲିଖିତ ଏଇ ପତ୍ରରୁ ଆପଣମାନେ କୌଣସି କାହାଣୀରେ ଯେଉଁସବୁ ଗଠନଗତ ଉପାଦାନ ରହିଥାଏ ତାହାକୁ ତ ନିଶ୍ଚୟ ପ୍ରତ୍ୟକ୍ଷ କରିପାରିବେ ମାତ୍ର ସବୁଠାରୁ ବଡ କଥା ହେଉଛି ଏହା ଭିତରେ ଜଣେ ପିତାର ତାହାର ପୁତ୍ର ପ୍ରତି ରହିଥିବା ଅନ୍ତରଂଗତାକୁ ଆପଣମାନେ ଅନେକାଂଶରେ ଅନୁଭବ କରିପାରିବେ।

୧୫୨୬ ଖ୍ରୀଷ୍ଟାବ୍ଦର ମଧ୍ୟଭାଗରୁ ବାବର ଭାରତକୁ ଆକ୍ରମଣ କରନ୍ତି,ଦିଲ୍ଲୀର ଶାସନକର୍ତ୍ତା ଇବ୍ରାହିମ ଲୋଦୀଙ୍କୁ ପ୍ରଥମ ପାନିପଥ ଯୁଦ୍ଧରେ ପରାସ୍ତ କରି ଭାରତରେ ରାଜୁତି କରୁଥିବା ଲୋଦୀବଂଶକୁ ଅପସାରିତ କରି ତା’ ସ୍ଥାନରେ ପ୍ରତିଷ୍ଠା କରନ୍ତି ମୁଘଲ ସାମ୍ରାଜ୍ୟର ଶାସନ। ପ୍ରଥମ ପାନିପଥ ଯୁଦ୍ଧରେ ଇବ୍ରାହୀମ ଲୋଦୀଙ୍କ ସମେତ ତାଙ୍କର ଅନେକ ସହଯୋଗୀଙ୍କର ମୃତ୍ୟୁ ବରଣ ଘଟେ। ଇବ୍ରାହୀମ ଲୋଦୀଙ୍କର ଯେମିତି ଜଣେ କେହି ପୁରୁଷ ବଂଶଧର ବଞ୍ଚି ନରହେ ସେଥିପ୍ରତି ବାବରଙ୍କ ନିଷ୍କରୁଣ କ୍ଷମତାପରକ ଦୃଷ୍ଟି ଯଥେଷ୍ଟ ପରିମାଣରେ ଉଗ୍ର ହୋଇ ରହିଥିଲା। ତାହାର ଫଳ ସ୍ୱରୂପ ଇବ୍ରାହୀମ ଲୋଦୀଙ୍କର ଅନେକ ସଂପର୍କୀୟଙ୍କୁ ନିର୍ବିଚାରରେ ହତ୍ୟାକରା ଯାଇଥିଲା। ଜଣେ କ୍ଷମତାଚ୍ୟୁତ ତଥା ମୃତ ସମ୍ରାଟର କ୍ଷମତାର ପୌରୁଷକୁ ପ୍ରତିଷ୍ଠିତ କରିଆସୁଥିବା ହାରେମ୍ ର ରମଣୀ ମାନଙ୍କର ପରବର୍ତ୍ତି ଦୁର୍ଦ୍ଦଶାର କଥା ଆମର ସହଜ କଳ୍ପନା ଭିତରକୁ ଆସିବ ନାହିଁ।
ଅବଶ୍ୟ ଈବ୍ରାହୀମ ଲୋଦୀଙ୍କର ଜଣେ ଅତ୍ୟନ୍ତ ନିକଟ ଆତ୍ମୀୟାଙ୍କ ପ୍ରତି ବାବର କିନ୍ତୁ ଯଥେଷ୍ଟ ଉଦାର ଥିଲେ। ସେହି ଆତ୍ମୀୟା ଜଣକୁ ସେ ନିଜର ପ୍ରାସାଦର ନିକଟ ଅଂଚଳରେ ରହିବାର ସୁଯୋଗ ଦେଇଥିଲେ ଏବଂ ସେହି ରମଣୀ ଜଣକଙ୍କ ଉପରେ ସେପରି କୌଣସି ନଜରଦାରୀର ପ୍ରତିବନ୍ଧ ରହିନଥିଲା।
ସମ୍ରାଟ ଯେ କାହାପ୍ରତି ଉଦାର ହେବେ ଆଉ କାହିଁକି ଅଥବା କେତେ ସମୟ ଉଦାର ରହିବେ ସେ କଥା ସମସ୍ତଙ୍କ ପାଇଁ ପ୍ରଶ୍ନାତୀତ ପ୍ରସଂଗ।
ସେ ଯାହା ହେଉ ବାବର ପୁତ୍ର ହୁମାୟୁନକୁ ଲେଖିଥିବା ବର୍ତ୍ତମାନର ଏଇ ପତ୍ରରେ ସେଇ ନାରୀ ଜଣକର ଏକ ପ୍ରମୁଖ ଭୂମୀକା ରହିଛି, ପ୍ରମୁଖ ଭୂମୀକା କ’ଣ,ବାବରଙ୍କର ଏଇ ପତ୍ରଟି ମୁଖ୍ୟତଃ ସେଇ ନାରୀଜଣକର ଉପରେ ଆଧାରିତ।
ବାବରଙ୍କର ଏଇ ପତ୍ରନାୟିକାର ନାଆଁ ବୁୟା।
ବୁୟା ହେଉଛନ୍ତି ପ୍ରଥମ ପାନିପଥ ଯୁଦ୍ଧରେ ବାବରଙ୍କ ଦ୍ୱାରା ପରାଜିତ ଆଉ ନିହତ ଦିଲ୍ଲୀର ସମ୍ରାଟ ଇବ୍ରାହୀମ ଲୋଦୀଙ୍କର ଗର୍ଭଧାରିଣୀ ଜନନୀ।
ଏବେ ପତ୍ରପାଠ ହେଉ।
ପିତା ବାବରଙ୍କର ପୁତ୍ର ହୁମାୟୁନଙ୍କ ନିକଟକୁ ଲେଖାଯାଇଥିବା ସେଇ ପତ୍ରର ବଳୟ ଭିତରକୁ ପ୍ରବେଶ କରାଯାଉ :
“ପ୍ରିୟ ସନ୍ତାନ ମୋର ! ସେଦିନ ଜୁମ୍ମାଦିନ, ରାବିମାସ ର ଷୋଡଶ ଦିବସ (ଇଂରେଜୀ ତାରିଖ ୨୧ ଡିସେମ୍ବର ) ,ଗୋଟିଏ ଅଦ୍ଭୁତ ଘଟଣା ଘଟିଯାଇଛି। ହୀନମତି ବୁୟା,ଇବ୍ରାହୀମର ଅମ୍ମି,ଶୁଣିବାକୁ ପାଇଥିଲା ଯେ ମୁଁ ହିନ୍ଦୁସ୍ଥାନୀ ପାଚକମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରୁଅଛି। ଆଜିର ତାରିଖର ତିନି ଚାରି ମାସ ଆଗରୁ ଏକଥା ମୋର ମନକୁ ଆସିଥିଲା, ଯେହେତୁ ମୁଁ ଆଗରୁ ହିନ୍ଦୁସ୍ଥାନୀ ଖାଦ୍ୟ କହିଲେ କ’ଣ ସେକଥା କେବେହେଲେ ଦେଖିନଥିଲି,ମୁଁ କହିଥିଲି ଯେ ଇବ୍ରାହୀମ୍ ର ପାଚକମାନଙ୍କୁ ଆଗ ତଲବ କରାଯାଉ। ପଚାଶ କି ଷାଠିଏ ଉପସ୍ଥିତ ହେଲେ ଆଉ ମୁଁ ସେଥିରୁ ଚାରିଜଣଙ୍କୁ ରଖିଥିଲି। ଏଇକଥାକୁ ଯେମିତି ଶୁଣିଛି ସେଇ ହୀନମତି ବୁୟା ଜଣେ ଲୋକକୁ ଇଟାୱାକୁ ପଠେଇଥିଲା,ସେ ସେଇଠୁ କାଗଜରେ ଗୁଡାଇ ଏକ ତୋଳା ବିଷ ଆଣି ଜଣେ ବୟସ୍କା ଖିଦମତଗାର୍ ର ହାତକୁ ବଢାଇ ଦିଏ ,ସେଇ ଆଖିକୁ ସେମିତି ଭଲ ଦିଶୁନଥିବା ଖିଦମତଗାର ତାହାପରେ ସେଇ ବିଷପୁଡିଆକୁ ବଢାଇଦିଏ ଅହମଦ ଚାଷନିଗିର୍ ର ହାତକୁ। ( ହିନ୍ଦୁସ୍ଥାନୀ ମାନେ ଚାଖୁଣିଆକୁ ଚାଷନିଗିର୍ ବୋଲି କହିଥାନ୍ତି ) । ଅହମଦ ତାହାପରେ ସେଇ ପୁଡିଆଟିକୁ ଆମର ରୋଷଘରର ହିନ୍ଦୁସ୍ଥାନି ପାଚକକୁ ଦେଇଥିଲା,ମୋ ଖାଦ୍ୟରେ ଏହାକୁ ମିଶାଇଦେଲେ ତାହାକୁ ଚାରିଗୋଟି ପ୍ରଗଣା ଦେବବୋଲି ସେ ପ୍ରତିଶ୍ରୁତି ବି ଦେଇଥିଲା। ପ୍ରଥମ ବୟସ୍କା ଖିଦମତଗାର ଯିଏ ହିଁ ଅହମଦ ଚାଷନିଗିର୍ କୁ ବିଷ ପୁଡିଆଟି ଦେଇଥିଲା ତାହାର ହାତକୁ ବିଷପୁଡିଆଟି ବଢାଇ ଦେବାପରେ ସେଇ ଦୁର୍ମତି ବୁୟା ଆଉ ଜଣକୁ ପଠାଇଥିଲା ତଦାରଖ୍ କରିବା ପାଇଁ ଯେ ଅହମଦ ଚାଷନିଗିର୍ ଅସଲରେ ମୋତେ ବିଷ ଦେଇଛି ନା ନାହିଁ । ସେ କିନ୍ତୁ ସେଇ ବିଷକୁ ମୋ ଥାଳୀରେ ପରଷି ଦେଇଥିଲା, ଖାଦ୍ୟପାତ୍ରରେ ମିଶାଇ ନଥିଲା, ତାହାର ଏପରି କରିବାର କାରଣ ହେଉଛି ଯେ ମୁଁ ହିନ୍ଦୁସ୍ଥାନୀ ପାଚକମାନଙ୍କୁ ତଦାରଖ କରିବା ବିଷୟରେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲି ଯେ ଖାଦ୍ୟ ପ୍ରସ୍ତୁତ ହେବା ସମୟରେ ସେମାନେ ଯେମିତି ଖାଦ୍ୟ ପ୍ରସ୍ତୁତ ହେଊଥିବା ପାତ୍ରରୁ ଖାଦ୍ୟକୁ ଚାଖନ୍ତି। ପାତ୍ରରୁ ଖାଦ୍ୟ ଥାଳିରେ ବଢା ହେବା ସମୟରେ ଏଇ ପାଚକ ମାନେ କର୍ତ୍ତବ୍ୟରେ ସଂପୂର୍ଣ୍ଣ ଅବହେଳା କରିଛନ୍ତି । ଜଣେ ପାଚକ ଗୋଟିଏ ପୋରସିଲିନ ଥାଳିରେ ପଟେ ପତଳା ରୁଟି ରଖିଥିଲା ଆଉ କାଗଜପୁଡିଆରେ ଥିବା ବିଷରୁ ପ୍ରାୟ ଅଧାରୁ ଟିକିଏ କମ୍ ବିଷକୁ ସେ ସେଇ ରୁଟିର ଉପରପଟରେ ଛିଞ୍ଚି ଦେଇଥିଲା । ରୁଟିର ଯେଉଁ ଉପରପଟେ ବିଷ ଛିଞ୍ଚା ଯାଇଥିଲା ସେଇ ବିଷର ଉପରେ ସେ କିଛି ତେଲରେ ଭଜା ଗୋସ୍ତକୁ ସଜାଡି ରଖିଥିଲା । ସେ ଯଦି ମାଂସରେ ବିଷ ଛିଞ୍ଚି ଥାଆନ୍ତା ଅଥବା ଖାଦ୍ୟ ପ୍ରସ୍ତୁତ ହୋଇରହିଥିବା ପାତ୍ରରେ ବିଷ ପକାଇଥାନ୍ତା ତାହାହେଲେ ଅବସ୍ଥା ଅଧିକ ମାରାତ୍ମକ ହୋଇଥାଆନ୍ତା। ଭୟଭୀତ ହୋଇ ସେ ହିନ୍ଦୁସ୍ଥାନୀ ପାଚକ ତରତର ହୋଇ ବଳକା ବିଷକୁ ଚୁଲ୍ଲିରେ ପକାଇଦେଇଥିଲା ।
ଶୁକ୍ରବାର ଦିନ ଟିକିଏ ବିଳମ୍ବ ସଞ୍ଜରେ ସେମାନେ ଖାଦ୍ୟ ପରଷିବାକୁ ଲାଗିଯାଆନ୍ତି। ମୁଁ ଠେକୁଆ ଝୋଳ ଅଧିକ ଖାଇଥିଲି, ଜାଫ୍ରାନ ଗୋସ୍ତ ବହୁତ ଖାଇଥିଲି । ଏଇଠୁ ସେଇଠୁ ଟିକିଏ ଟିକିଏ କରି ସେଇ ବିଷଯୁକ୍ତ ହିନ୍ଦୁସ୍ଥାନୀ ଖାଦ୍ୟର ଉପରୁ ଉପରୁ କିଛି ଖାଇଥିଲି । ସେଥିରୁ ଭଜା ମାଂସକୁ ଖାଇଥିଲି। ଖାଦ୍ୟର ସ୍ୱାଦ ଠିକ୍ ଠାକ୍ ରହିଥିଲା। ମୁଁ ଦୁଇ ତିନି ଖଣ୍ଡ ଭଜା ମାଂସ ଖାଇଥିଲି।ମୋତେ ବାନ୍ତି ବାନ୍ତି ଲାଗିଲା,ମୁଣ୍ଡ ବୁଲାଇବାକୁ ଲାଗିଲା। ଏହାର ଆଗ ଦିନ ଭଜା ମାଂସ ଖାଇବା ବେଳେ ତାହାର ସ୍ୱାଦ କେମିତି ଠିକ୍ ନଥିଲା,ଭାବିଲି ଏହା ହିଁ ବୋଧେ ମୋତେ ଏମିତି ଲାଗିବାର କାରଣ । ଆଉ ଥରେ ମୋ ପେଟ ଘାଣ୍ଟି ଚକଟି ହେଲା । ଖାଇ ବସିଥିବା ବେଳେ ମୋର ଦୁଇ ତିନିଥର ବାନ୍ତି ହେଲା,ଖାଇ ବସିବା ମୋ ପାଇଁ ଆଉ ସମ୍ଭବ ହେଲା ନାହିଁ । ଶେଷରେ ମୁଁ ନିଜକୁ କହିଥିଲି,” ଖାଇବା ଏବେ ଯଥେଷ୍ଟ ।” ମୁଁ ଉଠି ଛିଡାହେଲି ଆଉ ଗୋସଲଖାନା ଆଡକୁ ଯିବାବେଳେ ଥରେ ଖସି ପଡିଲି। ଗୋସଲଖାନାକୁ ଯିବାବେଳେ ମୋର ଅନେକ ଥର ବାନ୍ତି ହେଲା । ଖାଇସାରିବା ପରେ ମୋର କେବେ ବାନ୍ତି ହୁଏନାହିଁ , ଏପରିକି ମଦ୍ୟପାନ କରିବା ପରେ ବି କେବେ ନୁହଁ । ମୋର ମନକୁ ସନ୍ଦେହର କଳାବାଦଲ ଛାଇଗଲା। ମୁଁ ସେଇ ପାଚକକୁ ଅଟକ ରଖିବାକୁ ନିର୍ଦ୍ଦେଶ ଦେଲି ଆଉ ସେତେବେଳେ ମୋର ବାନ୍ତିକୁ ଗୋଟିଏ କୁକୁରକୁ ଖାଇବାକୁ ଦିଆଯିବା ସହିତ ତାହାକୁ ବିଶେଷ ଭାବରେ ଲକ୍ଷ୍ୟ କରାଯାଇଥିଲା। ଦେଖାଗଲା ଯେ ତାହା ପରଦିନ ସକାଳରେ କୁକୁରଟି ପ୍ରାୟତଃ ନିଶ୍ଚଳ ରହିଥିଲା ଆଉ ତାହାର ପେଟ ଅସ୍ୱାଭାବିକ ଭାବରେ ଫାମ୍ପି ଯାଇଥିଲା। ତାହାର ଉପରକୁ ଯେତେ ପଥର ଫୋପାଡିଲେ ବି ସେ ଟିକିଏ ଚଙ୍କିବାର ନାଆଁ ଧରୁନଥାଏ । ସେ ଠିକ୍ ସେଇ ଭଳି ଅପରାହ୍ନ ଯାଏଁ ପଡିରହିଥିଲା ,ମାତ୍ର ତାହାପରେ ସେ ଉଠି ଛିଡା ହୋଇଥିଲା ,ସେ ମରିନାହିଁ । ଆଉ ଜଣେ କି ଦିଜଣ କିଏ ସେଦିନର ପ୍ରସ୍ତୁତ ଖାଦ୍ୟ ଯାହା ଥାଳିରେ ବଢା ଯାଇଥିଲା ସେଥିରୁ କିଛି ନେଇ ଖାଇଥିଲେ ଆଉ ପରଦିନ ସକାଳ ଯାଏଁ ବାନ୍ତି କରି କରି ସେମାନେ ତଳୁ ଆଉ ଉଠିପାରୁନଥାନ୍ତି। ସେମାନଙ୍କ ଭିତରୁ ଜଣକର ଅବସ୍ଥା ଭାରି ଶୋଚନୀୟ ଥିଲା, ହେଲେ ଶେଷ ଆଡକୁ ସମସ୍ତେ ପୁରାପୁରି ଭଲ ହୋଇଯାଇଥିଲେ। “ବିପତ୍ତି ଆସେ, ହେଲେ ଯାହାର ଅନ୍ତଟି ଭଲ ତାହାର ସବୁ ଭଲ ” ପରବରଦିଗାର ଆଲମ ମୋତେ ଏକ ନୂତନ ଜୀବନ ପ୍ରଦାନ କରିଛନ୍ତି ,ମୁଁ ମରଣର ମୁହଁରୁ ଫେରି ଆସିଛି, ଏହା ମୋର ପୁନର୍ଜନ୍ମ ।
” କ୍ଷତବିକ୍ଷତ,
ସଜା ସରିଥିଲା ମୋର ମରଣ
ଆଉ ମୁଁ ଫେରି ଆସିଛି ସେଇଠୁ
ଏବେ ମୁଁ ଶିଖିଯାଇଛି ଜୀବନ କହିଲେ
କ’ଣ ସେ ଅର୍ଥ ।”
ମୁଁ ନିର୍ଦ୍ଦେଶ ଦେଇଥିଲି ସୁଲତାନ-ମହମ୍ଭଦ ବକ୍ସିକୁ,ସେଇ ପାଚକ ଉପରେ ଯେମିତି ଏକ ନିକଟ ଏବଂ ସଘନ ନଜରଦାରୀ ରଖାଯାଏ। କିଛି ସମୟର ଦୈହିକ ନିର୍ଯ୍ୟାତନା ପରେ ସେ ସବୁକଥାକୁ ଗୋଟି ଗୋଟି କରି ସ୍ୱୀକାର କରେ, ତାହାକୁ ବିସ୍ତାରରେ ମୁଁ ତୁମ୍ଭ ନିକଟକୁ ପତ୍ରର ପ୍ରଥମଭାଗରେ ବୃତ୍ତାନ୍ତ କରିଅଛି।

ସୋମବାର ଦିନ ମୁଁ ସମସ୍ତ ଖାନଜାଦ, ଅମିର ଆଉ ମନ୍ତ୍ରୀମାନଙ୍କୁ ଏକ ଖାସ୍ ବୈଠକରେ ଉପସ୍ଥିତ ରହିବାକୁ ଆଦେଶ ଦେଇଥିଲି। ଦୁଇଜଣ ବନ୍ଦା ଆଉ ଦୁଇଜଣ ବାନ୍ଦୀଙ୍କୁ ପୁଛତାଛ କରିବା ପାଇଁ ସାମ୍ନାକୁ ଅଣାଗଲା। ସେମାନେ ଏହା ପଛରେ ଯାହା ଯାହା ଘଟିଅଛି ତାହାକୁ ଟିକିନିଖି କରି କହି ନିଜର ଦୋଷକୁ କବୁଲ୍ କରିଥିଲେ। ଅହମଦ ଚାଷନିଗିର୍ ର ଜିଅନ୍ତା ଶରୀରକୁ ତୁରନ୍ତ କାଟି ଖଣ୍ଡଖଣ୍ଡ କରିଦେବା ପାଇଁ ନିର୍ଦ୍ଦେଶ ଦେଇଥିଲି ଆଉ ପାଚକର ଦେହରୁ ତାହାର ଚମଡାକୁ ଛେଲି ଜିଅନ୍ତା ବାହାର କରିଦେବା ପାଇଁ କହିଥିଲି। ଦୁଇଜଣ ବାନ୍ଦୀଙ୍କ ଭିତରୁ ଜଣକୁ ହାତୀର ପାଦତଳରେ ଚାପି ମୃତ୍ୟୁଦଣ୍ଡ ଦିଆ ଯାଇଥିଲା ଆଉ ଆର ଜଣକୁ ମୁଁ ମୋ ନିଜ ହାତରେ ଗୁଳି କରିଥିଲି। ଦୁଷ୍ଟମତୀ ବୁୟାକୁ ଗିରଫ କରାଯାଇଥିଲା। ସେ ଯାହା କରିଛି ତାହାର ଫଳ ସେ ନିଶ୍ଚୟ ଭୋଗିବ।
ଶନିବାର ଦିନ ଗୋଟିଏ କପ୍ ଦୁଗ୍ଧ ପାନ କରିଥିଲି।ରବିବାର ଦିନ ବି ଖାଲି ଗୋଟିଏ କପ୍ ଦୁଗ୍ଧ। ଲେମନସ୍ ଦ୍ୱୀପର ମାଟି ଆଉ ଅଫିମ ମିଶା ଦୁଗ୍ଧର କାଢା ମୋତେ ପିଇବାକୁ ଦିଆଯାଇଥିଲା। ସେଇ ଦୁଗ୍ଧକୁ ପାନ କରିସାରିବା ପରେ ମୋର ଦେହର ଭିତର କ’ଣ କିଛିର ଉଦଗୀରଣ ହେବା ଭଳି ଢେର୍ ସମୟ ଥରି ଉଠିଥିଲା। ମୋର ତାହାପରେ ପିତ୍ତ ଭଳି ଦେଖିବାକୁ ଗାଢ କଳାରଙ୍ଗର ଝାଡା ହୋଇଥିଲା। ପରବରଦିଗାର ଆଲମଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଯେ ଏଇଲେ ସବୁ ଭଲ ହୋଇଯାଇଛି।ମୁଁ ଆଗରୁ ଜାଣି ନଥିଲି ଜୀବନଟା କେତେ ମୂଲ୍ୟବାନ। ପଦ୍ୟରେ ଏମିତି ଧାଡିଟିଏ ରହିଛି ” ଯିଏ ମରଣର ମୁହାଣରେ ପହଞ୍ଚିଯାଏ ସେ ହିଁ ଅସଲରେ ଜୀବନକୁ ସଠିକ ପସନ୍ଦ କରିଥାଏ।” ମୁଁ ଯେତେଥର ସେହି ଭୟାନକ ଘଡିକୁ ମନେପକାଉଛି ମୋ ଭିତରେ ସେତିକି ସେତିକି କ୍ରୋଧ ଜାତ ହେଉଛି। ଆଲ୍ଲାଙ୍କ ଅପରିସୀମ କରୁଣାରୁ ହିଁ କେବଳ ମୁଁ ପୁନର୍ଜନ୍ମ ପାଇଛି। ମୁଁ କେଉଁଭଳି ତାଙ୍କୁ ମୋର ଧନ୍ୟବାଦ ଜ୍ଞାପନ କରିପାରିବି ?
ଆଶା କରୁଛି ଏହା କୌଣସି ସତର୍କ ହେବାର ସରିସ୍ଥିତି ସୃଷ୍ଟି କରିବ ନାହିଁ, ମୁଁ ତ ବିସ୍ତାରରେ ଯାହା ଯାହା ଘଟିଛି ସେସବୁ କଥା ଏଇ ପତ୍ରରେ ଲେଖିଦେଇଛି। ଯଦିଓ ଏହା ଏପରି ଏକ ଭୟାନକ ଘଟଣା ଯାହାକୁ ପ୍ରକୃତ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ, ଦିନଦୁନିଆର ମାଲିକ୍ ଙ୍କୁ ଧନ୍ୟବାଦ,ମୁଁ ଆଉ ଗୋଟିଏ ଦିନ ଦେଖିବାକୁ ସୁଯୋଗ ପାଇଛି, ଏବଂ ସେଇ ସବୁ ଭଲ ଯାହାର ଅନ୍ତ ଭଲ ।
ବ୍ୟସ୍ତ ହେବ ନାହିଁ ।”
ପିତା ବାବରଙ୍କର ପୁତ୍ର ହୁମାୟୁନକୁ ଲେଖିଥିବା ପତ୍ରଟି ଏଇଠି ଶେଷ ହୁଏ।

