କାରିଗର

ବିଶେଷ କରି ଆମ ଓଡ଼ିଆ ଚିତ୍ରଶିଳ୍ପୀମାନେ ସାକ୍ଷାତକାର ସମୟରେ, କିମ୍ବା ନିଜ ନିଜର ଚିତ୍ର ଜୀବନର ପ୍ରାରମ୍ଭିକ ବିନ୍ଦୁ ସମ୍ପର୍କରେ କୁହନ୍ତି, ସେମାନେ ତାଙ୍କ ମାଆଙ୍କ ଝୋଟିଚିତାରୁ ହିଁ ତାଙ୍କ ଚିତ୍ର ଅଙ୍କାର ପ୍ରଥମ ପ୍ରେରଣା ପାଇଥିଲେ । ମୁଁ କିନ୍ତୁ ବ୍ୟକ୍ତିଗତ ଭାବରେ ମୋ ମା’ର ଝୋଟିରୁ ସେମିତି କିଛି ପ୍ରେରଣା ପାଇନି ।

ଗାଁରେ ଆମର ଅବଶ୍ୟ ମାଟି ଘର ଥିଲା । ମଗୁଶୀର ଗୁରୁବାର ବେଳକୁ କାନ୍ଥ ସବୁରେ ଝୋଟିଚିତା ପଡୁଥିଲା ଓ ମାଣବସା ଗୁରୁବାରର ପୁର୍ବ ରାତିରୁ ଦାଣ୍ଡରୁ ବାଡି ଯାଏଁ ଲକ୍ଷ୍ମୀ ପାଦ ଓ ଡାଳି ଲଟା ସହ ପଦ୍ମ ଅଙ୍କା ଯାଉଥିଲା । ମା’ ମୋର ଭଲ ଚିତା ପକାଇ ପାରୁନଥିଲା । ତଳକୋଠାର ଲକ୍ଷ୍ମୀ ପାଦ କିନ୍ତୁ ଆଙ୍କିଦିଏ । ଓଡ଼ିଆରେ ୪୪ ଲେଖେ ଓ ଚାରିର ଦୁଇ ପୁଡ଼ାକୁ ବନ୍ଦ କରି ସିଧା ସିଧା ଗାରରେ ପାଦ ଆଙ୍ଗୁଠି ଆଙ୍କେ । ଦୁଇ ପାଦରେ ସମୁଦାୟ ଦଶ ଆଙ୍ଗୁଠି ବେଳେବେଳେ ନଥାଏ । ମୁଁ ଗଣି ଗଣି କହେ ଏଠି ଆଠଟା କି ନଅଟା ଆଙ୍ଗୁଠି ହେଇଛି । କୋଉଠି କୋଉଠି ଏଗାର କି ବାର ଆଙ୍ଗୁଳିଆ ଲକ୍ଷ୍ମୀ ପାଦ ସେ ଆଙ୍କେ । କାନ୍ଥରେ ଧାନସିସା ଚିତା ଛାଟିବାକୁ ସେ ଆମ ସାହିର ଅନ୍ୟ କାହାକୁ ଡାକେ । ଯାହାର ହାତ ଆଙ୍ଗୁଠି ସରୁ ଓ ଲମ୍ବା ସେ କୁଆଡ଼େ ଭଲ ଚିତା ଛାଟି ପାରନ୍ତି । ଧାନଗଛ ସବୁ ବେଶ୍ ଲମ୍ବା ଦିଶନ୍ତି ଓ ଧାନ ଗଦା ଉପରକୁ ଲମ୍ବା ଅଙ୍ଗୁଳିର ଚିହ୍ନ ବି ବେଶ୍ ମାନେ । ମୋ ସାନବୋଉ କିନ୍ତୁ କାନ୍ଥରେ ବଢ଼ିଆ ଡାଳି ପତ୍ର ଆଙ୍କୁଥିଲେ । ପୁରା ଗୋଟେ କାନ୍ଥରେ ଗୋଟେ ଗଛ । ଗଛଟି ଗୋଟେ କୁଣ୍ଡରେ ବଢିଥାଏ । ସେ ଗଛବି ବଡ଼ କମାଲବାଲା ଗଛ ଥାଏ। ପ୍ରଥମ କଥା ସେଇଟି ଗଛ ଓ ଲଟାର ମିଶାମିଶି କିଛି ଗୋଟେ ଥିଲା । କେଉଁଠି ସେ ଗଛ ପରି ଦିଶୁଥିଲା ତ କେଉଁଠି ଲଟା ପରି । ସେଥିରେ ଏମିତିକା ପତ୍ର ସବୁ ଥିଲେ ଯାହା କେହି କେଉଁଠି ବି ଆଖି ଉଠିବା ଦିନରୁ ଦେଖିନଥିବ । ଗଛରେ ଅଙ୍ଗୁର ପେନ୍ଥା ସାଙ୍ଗରେ ନଡ଼ିଆ ଓ ଆମ୍ବ ବି ଫଳିଥିବେ । ଗଛରେ ପୁଣି ବସିଥିବେ କେତେ ପ୍ରକାରର ଚଢ଼େଇ । ଆକାରରେ ଚଢ଼େଇ ପରି ଦିଶୁଥିଲେ ବି ସେମାନେ ବାସ୍ତବ ଚଢ଼େଇ ପରି ଆଦୌ ନ ଥିଲେ । ମୁଁ ସେ ଚିତ୍ର ସବୁ ଦେଖୁଥିଲି ସତ, କିନ୍ତୁ ନିଜେ ଆଙ୍କିବାର କୌଣସି ଆଗ୍ରହ ଅନୁଭବ କରୁନଥିଲି । ସତ କହିଲେ ସେ ସବୁ ଚିତ୍ରରେ ମୁଁ ହଜାରେ ଖୁଣ କାଢ଼ୁଥିଲି ।

ଅତି ସାନ ବୟସରେ ମୁଁ ଏ ଚିତ୍ର ଫିତ୍ର କିଛି କରୁନଥିଲି । କିନ୍ତୁ ସମୟ ଓ ସୁବିଧା ପାଇଲା ମାନେ କାଦୁଅରେ ଖେଳିବାକୁ ଭଲ ପାଉଥିଲି ।  ଆମ ଗାଁର ମାଟି ପ୍ରବଳ ଚିକିଟା ଥିଲା ଓ ଗଡ଼ିଆ ତୁଠରେ ଯାହାକୁ ଯେତେ କାଦୁଅ । ମୋର କାଦୁଅ ଖେଳର ସମୟ ଥିଲା ଝାଡ଼ା ଯାଇ ଧୁଆ ଧୁଇ ହେବାର ସମୟତକ । କେବେ କେବେ ମିଛରେ ଝାଡ଼ା ନାଁ କହି ମୁଁ ଗଡ଼ିଆ ପାଖକୁ ପଳଉଥିଲି । ଏଣୁ ତେଣୁ କଅଣ କଅଣ ସବୁ ଗଢ଼ୁଥିଲି ଓ ଭାଙ୍ଗୁଥିଲି । କଅଣ ସବୁ ଗଢୁଥିଲି ଏବେ ଆଉ ମନେପଡୁନି । ମନେ କିନ୍ତୁ ପଡୁଛି କାଦୁଅ ଖେଳ ସାରି ଯେତେ ସତର୍କରେ ଧୁଆ ଧୁଇ ହେଲେ ବି କେଉଁଠି ନା କେଉଁଠି କାଦୁଅ ଟିକେ ଦେହରେ ଲାଗି ରହୁଥିଲା ଓ ମା’ ଆଖିରେ ପଡୁଥିଲା । ଗାଳି ଖାଉଥିଲି, କେବେ କେବେ ମାଡ଼ ବି ।

ପ୍ରତିବର୍ଷ ଦଶହରା ବେଳକୁ ପ୍ରାୟତଃ ଆମେ ସବୁ ମାମୁଁଘର ଗାଁକୁ  ଯାଉଥିଲୁ । ଆମେ ମାନେ; ମା, ମୁଁ ଓ ମୋ ସାନଭାଇ । ବାପା କେବେବି ଆମ ସାଙ୍ଗରେ ଯାଉ ନଥିଲେ । ସେମିତି ଦେଖିଲେ ବାପା ମାମୁଁ ଘରକୁ ତାଙ୍କ ଜୀବନ କାଳ ଭିତରେ ସମୁଦାୟ ପାଞ୍ଚ ଛଅ ଥର  ହିଁ ଯାଇଥିବେ । 

ମଝିଆ ମାମୁଁ ଆମର ତାଙ୍କ ଗାଁ ଦଶହରାର ମୁଖ୍ୟ ଉଦ୍ୟୋକ୍ତା । ଏମିତିକି ଦେବୀଙ୍କ ପାଖରେ ପୂଜା ପାଉଥିବା ଖଣ୍ଡାଟି ମାମୁଁଘର ସିନ୍ଦୁକ ଭିତରେ ଘର ଖଣ୍ଡା ସହ ସାରା ବର୍ଷ ରହେ । ଦେବୀଙ୍କ ଚଅଁର ବି ଭାଗବତ ଘର କାନ୍ଥରେ ଟଙ୍ଗା ହେଇକି ଥାଏ । ଧଳା ଚଅଁରର ରୁପା ବେଣ୍ଟ । ସେ ଚଅଁର ଉପରେ ମୋର ବଡ଼ ଲୋଭ । ଅଜା କୁହନ୍ତି ଏଗୁଡା ପାହାଡ଼ି ଗାଈଙ୍କ ଲାଞ୍ଜ । ମୁଁ ଭାବେ ବଡ଼ ହେଲେ ଚଅଁର ଗୋଟେ କିଣିବି । ମାମୁଁଘର ଗାଈ କି ବାଛୁରୀର ଲାଞ୍ଜକୁ ପରଖେ । ନା ଏଗୁଡ଼ା ଚଅଁର ପରି ନୁହଁନ୍ତି । ଦେବୀ ମୂର୍ତ୍ତି ଗଢ଼ା ବେଳେ ଯେଉଁ ରଙ୍ଗ ବ୍ୟବହାର ହୁଏ ତା’ର ଶୁଖିଲା ଷଢ଼େଇ ବି ଘରର ଆଟୁ ଉପରେ ପଡ଼ି ରହେ । ମୁଁ ସେ ରଙ୍ଗଲଗା ଷଢ଼େଇରେ ପାଣି ପୁରେଇ ରଙ୍ଗକୁ ଉଖାରିବାକୁ ବସେ, ହେଲେ କିଛି ଲାଭ ହୁଏନି । ହେଲେ ଦେବୀ ମୂର୍ତ୍ତି ଗଢ଼ା କେମିତି ହୁଏ ସେକଥା ମୁଁ ଜାଣି ପାରେନି । କିନ୍ତୁ ସେଇ ଦଶହରା ବେଳକୁ କାର୍ତ୍ତିକେଶ୍ଵର ମୂର୍ତ୍ତି ଗଢ଼ା ହେଉଥାଏ । ମାମୁଁ ଘର ଗାଁରେ ଜଣେ ଲୋକ ନିଜେ ନିଜ ହାତରେ କାର୍ତ୍ତିକେଶ୍ୱର ଗଢ଼େ  l ସେଥର ମୁଁ ଦେଖିଦେଲି । ପ୍ରଥମେ ନଡ଼ା ଓ ତାପରେ କାଦୁଅ । ସେ ଚାରି କତି ପାଲ ଘୋଡେଇ ବଡ଼ ଗୁପ୍ତରେ ମୂର୍ତ୍ତି ଗଢୁଥାଏ । ମୁଁ ବି ବଡ଼ ସତର୍କରେ ଲୁଚି ଲୁଚି ଦେଖୁଥାଏ ।  ଧିରେ ଧିରେ ମୂର୍ତ୍ତି ତିଆରି ଆଗକୁ ବଢୁଥାଏ । ମୋତେ ତ ଚମତ୍କାର କିମିଆ ପରି ମନେ ହେଉଥାଏ । ମୟୁର ଉପରେ ଉପବେସନ କରିଛନ୍ତି କାର୍ତ୍ତିକେୟ । ପଛରେ ସୋଲ କାଗଜ ଓ ଅଭ୍ରର ମେଢ଼ । ମୂର୍ତ୍ତିରେ ଯେବେ ରଙ୍ଗ ଦିଆଗଲା ସେଦିନ ଢେର ବେଳ ଯାଏଁ ମୁଁ ସେଇଠି ଠିଆ ହେଲି । ଖାସ୍ ରଙ୍ଗର ବାସ୍ନା ପାଇଁ । କେଉ ରଙ୍ଗ ସେ ମାରୁଥିଲା କେଜାଣି । ତା’ ପରଠୁଁ ସେଇ ରଙ୍ଗ ବାସନା ମୋତେ ବଡ଼ ଭଲଲାଗେ । ସୁଯୋଗ ମିଳିଲେ ନାକ ସୁଁ କରି ମୁଁ ପିଇଯାଏ । ଦାଣ୍ଡରେ ମଟର ସାଇକେଲ୍ ଗଲାପରେ ପବନରେ ଧାଇଁ ବୁଲୁଥିବା ପେଟ୍ରୋଲର ବାସ୍ନା ପରି ନୂଆ ଏକ ବାସ୍ନା । ରଙ୍ଗ କାମ ସରିଲା ପରେ, ଗୁପ୍ତରେ ଚକ୍ଷୁ ଦାନ ହେଲା ଓ ସମସ୍ତଙ୍କ ପାଇଁ ପୂଜା ପେଣ୍ଡାଲ ଖୋଲି ଦିଆଗଲା । 

ମାମୁଁଘର ଗାଁ ଓ ଆଖ ପାଖ ଗାଁରେ ସେବେ ପାଖା ପାଖି ପନ୍ଦର ସରିକି କାର୍ତ୍ତିକେଶ୍ୱର ମେଢ଼ ହୁଏ। ମୁଁ ମାମୁଁ ଝିଅ ଦେଇ ଓ  ଅନ୍ୟମାନଙ୍କ ସହ ମେଢ଼ ବୁଲିବାକୁ ବାହାରିଲି । ବଢ଼ିଆ ବଢ଼ିଆ ମେଢ଼ । କେଉଁଠି ପୁରା ପରିବାର ସହ ଷ୍ଟୁଡିଓରେ ଫ୍ୟାମିଲି ଫଟୋ ଉଠେଇବା ପରି ମୁଦ୍ରାରେ କୁନି କାର୍ତ୍ତିକେଶ୍ଵର ବାପା ମହାଦେବଙ୍କ କୋଳରେ ତ କେଉଁଠି ରାକ୍ଷାସ ସହ ଘମାଘୋଟ ଯୁଦ୍ଧରେ ବ୍ୟସ୍ତ । ଚର୍ତୁଦିଗ ବୁଲି ବୁଲି ଶେଷରେ ଘର ପାଖ ମେଢ଼ ପାଖରେ ପହଂଚିଲୁ । ଯୋଉ ମେଢକୁ ମୁଁ ନଡ଼ା ଭିଡ଼ା ବେଳରୁ ଦେଖୁଥାଏ । ବଡ଼ଦେଈ  ଲକ୍ଷ୍ଯ କଲା ମୁଁ ଅନ୍ୟଠି ହାତ ଯୋଡ଼ି, ଆଣ୍ଠୁ ତଳେ ଲଗେଇ ଭକ୍ତିପୂର୍ଣ୍ଣ ନମସ୍କାର କରିଥିବା ବେଳେ ସେଇଠି ବିନା ପ୍ରଣିପାତରେ ଖାଡ଼ା ଖାଡ଼ା ଠିଆ ହେଇଛି । କାରଣ ପଚାରିଲାରୁ କହିଲି, ଏ ଠାକୁର ତ ନଡ଼ାରେ ଆଉ କାଦୁଅରେ ତିଆରି । ଏମିତିକା ଠାକୁରଙ୍କୁ ମୁଁ ଓଳଗି ହେବିନି । ମୋ କଥା ଶୁଣି ସମସ୍ତେ ହସିଲେ । ମୁଁ  କିନ୍ତୁ ବୁଝିପାରିଲିନି ଏଥିରେ ହସିବାର କଥା କଅଣ ଥିଲା ।

ତା’ ପରଠୁଁ କିନ୍ତୁ ଆମ ଗାଁକୁ ଫେରିଲା ପରେ ମୁଁ ନଡ଼ା ଉପରେ କାଦୁଅ ନେସି ମୂର୍ତ୍ତି ଗଢ଼ାରେ ଲାଗିଲି । ମୋ ବୁଢ଼ୀମା’ କାଦୁଅରେ ବଢ଼ିଆ ଘୋଡ଼ା ଗଢ଼େ । ସାହିର ସାନ ଝିଅ ମାନେ ଆସି ତା’ ପାଖରୁ କଣ୍ଢେଇ ବାହାଘର ପାଇଁ ମାଟି କଣ୍ଢେଇ ଗଢ଼ାନ୍ତି । ମୁଁ ବି ଏଥିର କଣ୍ଢେଇ ଗଢ଼ିଲି ଓ ଘୋଡ଼ା ବି ଗଢ଼ିଲି । ଝୋଟକୁ କାଟି ଘୋଡ଼ାର ଲାଞ୍ଜ ତିଆରିଲି । ସେତବେଳକୁ ମୁଁ ସତସତିକା ଘୋଡ଼ା ଦେଖିନଥିଲି । ମାଟିରେ ଜଗନ୍ନାଥ, ଘର, ହାଣ୍ଡି, ମାଠିଆ, ମାଛ, ଟ୍ରକ୍, ଜିପ୍, ସାପ, ବେଙ୍ଗ, ହାତୀ ଓ ଆହୁରି କେତେ କ’ଣ । ଆହାଃ, ଲୁଚେଇକି ଗଢ଼ ଓ ପୁଣି ତାଙ୍କୁ ଲୁଚେଇକି ଖରାରେ ଶୁଖାଅ ଓ ପୁଣି ଲୁଚେଇକି ରଖ । ଧରାପଡିଲେ ମାଡ଼ ଗାଳି ଖାଅ । ହାଏ, କିଛି କମି କଷ୍ଟ କରିବାକୁ ହେଉ ନଥିଲା ।

ସେ ଦିନମାନଙ୍କରେ ଭାବୁଥିଲି, ପୃଥିବୀର ସବୁ ଜିନିଷ ମୁଁ କାଦୁଅରେ ତିଆରି କରିଦେଇ ପାରିବି ଓ ସବୁ ଭାଙ୍ଗି ଯାଇଥିବା ଓ ଚିରି ଯାଇଥିବା ଜିନିଷକୁ ସଜନା ଅଠାରେ ଯୋଡ଼ି ଦେଇ ପାରିବି ।

About Dr. Ramakanta Samantaray

Ramakanta Samantaray is a contemporary Indian Artist and well known Odia fiction writer. He also regularly writing features and critical texts on art and culture. Presently he is living and working in Bhubaneswar. He has published more than fifteen books.

View all posts by Dr. Ramakanta Samantaray →