ଦଶରା’ର ଛବି – ଦୁଇ

ପ୍ରଥମରେ ଆରାଧନା ଆଉ ତାହାପରେ ସଂଲଗ୍ନ ଛବିଟି ସଂପର୍କରେ କିଛି ଇତିହାସ ଆଉ ବିଚାରର କଥା।

ଶ୍ରୀଶ୍ରୀ ଚଣ୍ଡୀ

ହେ ଭକ୍ତ ଦୁଃଖହାରିଣୀ ଦେବୀ,
ତମେ ପ୍ରସନ୍ନା ହୁଅ
ହେ ଅଖିଳ ବିଶ୍ୱଜନନୀ
ତମେ ପ୍ରସନ୍ନା ହୁଅ।
ହେ ବିଶ୍ୱେଶ୍ୱରୀ,
ତମେ ପ୍ରସନ୍ନା ହୋଇ
ଏଇ ଜଗତକୁ ପାଳନ କର।
ହେ ଦେବୀ ତମେ ହିଁ
ଏହି ଚରାଚର ଜଗତର ଅଧୀଶ୍ୱରୀ।୧।

ହେ ଅଲଙ୍ଘବୀର୍ଯ୍ୟା,
ତମେ ହିଁ ଧରିତ୍ରୀ ରୂପେ ବିରାଜିତା
ସେଇଥିପାଇଁ ତ ତମେ
ଏକାକିନୀ ଏଇ ଜଗତର
ଆଶ୍ରୟ ସ୍ୱରୂପା,
ଜଳରାଶିରୂପରେ ଅବସ୍ଥିତା ହୋଇ
ତମେ ସମଗ୍ର ଜଗତର ପରିପୁଷ୍ଟି
ସାଧନ କରିଥାଅ ।୨।

ତମେ ହିଁ ବିଶ୍ୱର ମୂଳ କାରଣ
ଅନନ୍ତ ଶକ୍ତିମୟୀ ପରମ ବୈଷ୍ଣବୀ
ମାୟା ବି ତମେ।
ହେ ଦେବୀ,ତମେ ସମଗ୍ର ସଂସାରକୁ ସମ୍ମୋହିତ କରି ରଖିଅଛ,
ପୁନଶ୍ଚ ତମେ ହିଁ
ପ୍ରସନ୍ନା ହୋଇ ସକଳର ମୁକ୍ତିର କାରଣ ହୋଇଥାଅ।୩।

ହେ ଦେବୀ,ନିଖିଳ ଜଗତର
ସମସ୍ତ ବିଦ୍ୟା, ସମସ୍ତ ବ୍ରତ, ସକଳ ସୌନ୍ଦର୍ଯ୍ୟ ଏବଂ ସକଳ ତାରୁଣ୍ୟ ଭଳି ଚତୁଷ୍ଟୟକଳାମଣ୍ଡିତା
ନାରୀ ସକଳ ତମର ବିବିଧ ରୂପ ।
ମାତ୍ର ଜନନୀରୂପ କେବଳ ତମର କର୍ତ୍ତୃକ
ଏଇ ବିଶ୍ୱରେ ପରିବ୍ୟାପ୍ତ ହୋଇଛି।
ସ୍ତୁତିରେ ପ୍ରଯୁଜ୍ୟ ବାକ୍ୟାବଳୀ ସମସ୍ତ
ଯାହା ସମ୍ଭବ ହୁଏ
ତାହା କେବଳ ତମେ
ଏବେ ଆଉ କେଉଁ ରୂପରେ
ତମର ସ୍ତୁତି ବିଧାନ ସଂଭବ ?୪।

ଏ ମହାପାର୍ବଣରେ ମାଆ ଆପଣଙ୍କୁ ଏବଂ ଆପଣଙ୍କର ସୁନ୍ଦର ପୃଥିବୀକୁ ସାହା ହୋଇ ରହିଥାନ୍ତୁ।

ସଂଲଗ୍ନ ଛବିଟି ବିଷୟରେ ଦୁଇପଦ ସଂକ୍ଷେପରେ।

ସଂଲଗ୍ନ ସ୍ଥାପତ୍ୟ ଟି ରୂପା ରେ ତିଆରି।
ପ୍ରଥମ ଦୃଷ୍ଟିରେ ମାଆଙ୍କର ପରିଚିତ ମହିଷମର୍ଦ୍ଦିନୀର ରୂପ ଏଥିରୁ ସ୍ପଷ୍ଟ ଦେଖାଯାଉଥିଲେ ହେଁ ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ଯେ , ବସ୍ତୁ ଆକାରରେ ଏହା କୌଣସି ଦେବୀମୂର୍ତ୍ତି ନୁହଁ, କୌଣସି ଦେବୀର ପ୍ରତୀକ ରୂପ ବି ନୁହଁ ବା ଏହାକୁ ନେଇ କୌଣସି ଆରାଧନାର ପୂଜାବେଦୀକୁ ଭାବମଣ୍ଡନ କରାଯାଏ ନାହିଁ । ହୁଏତ ଏହାକୁ ଦେଖିବା ପରେ କେହି ମନେ କରିପାରନ୍ତି ଯେ ଏହା ସାଧାରଣତଃ ବ୍ୟକ୍ତିପରକ କାର୍ଯ୍ୟ ତଥା ଗୋଷ୍ଠୀଗତ ଭାବରେ ସଫଳତା , ଶୁଭଫଳ ତଥା ଆଗତ ବିପଦରୁ ସୁରକ୍ଷା ଆଦି ପ୍ରଦାନ କରିବାର ବିଶ୍ୱାସ ସହିତ ଜଣେ ଲୋକ ପାଖରେ ସବୁବେଳେ ଯେଉଁ “ଟୋଟେମ” ପଦାର୍ଥ ରଖିଥାଏ ,ଏହା ସେଇଭଳି କୌଣସି ପବିତ୍ର ପଦାର୍ଥ ନୁହଁ।

ଏହା ସହିତ ଜଡିତ ପବିତ୍ରଭାଗଟିର ଉତ୍ସ ଅନ୍ୟତ୍ର।

ସଂଲଗ୍ନ ସ୍ଥାପତ୍ୟଟି ଆମକୁ ଏପରି ଦୈବୀକ ବିଭ୍ରମରେ ପକାଉଥିଲେ ବି ଏହା ବସ୍ତୁତଃ ଏକ ପାନପାତ୍ର। ଆଉ ପାନପାତ୍ର ଗୋଟିଏ ପାନପାତ୍ର ହୋଇଥିଲେ ବି ଏଇ ବିଶେଷ ଧରଣର ନିର୍ମିତ ପାନପାତ୍ର ସହିତ ସାଧାରଣତଃ ଏକ ପ୍ରକାର ପବିତ୍ର ଭାବ ସେତେବେଳେ ସଂଯୋଜିତ ହୋଇ ରହିଥିଲା।

ଆଦ୍ୟ କାଳରେ ଗ୍ରୀକ୍ ମାନେ କୌଣସି ଉତ୍ସବ କାଳରେ ପବିତ୍ର ପାନୀୟ କୁ ଗ୍ରହଣ କରିବା ପାଇଁ ଏକ ବିଶେଷ ଧରଣର ପାନପାତ୍ରର ବ୍ୟବହାର କରୁଥିଲେ । ଏହି ପାନପାତ୍ର ଗୁଡିକ ଭିନ୍ନ ଭିନ୍ନ ଜୀବଜନ୍ତୁଙ୍କ ମଥାକୁ ଆକାର କରି ତିଆରି ହେଉଥିଲା । ସେହି ପାନପାତ୍ର ମାନଙ୍କୁ “ରାଇଟନ୍” ବୋଲି କୁହାଯାଉଥିଲା । ପୃଥିବୀର ଭିନ୍ନ ଭିନ୍ନ ମ୍ୟୁଜିଅମ୍ ରେ ଯେତେକ “ରାଇଟନ୍” ସଂରକ୍ଷିତ ହୋଇ ରହିଛି ସେ ସବୁ କୁ ଦେଖିଲେ ଜଣାପଡେ ଯେ ଗ୍ରୀକ୍ ମାନେ “ରାଇଟନ୍” ତିଆରି କଲାବେଳେ ଅଧିକାଂଶ ସମୟରେ ମଇଁଷି ର ମୁଣ୍ଡକୁ ହିଁ ମଡେଲ୍ ଆକାରରେ ବ୍ୟବହାର କରିଛନ୍ତି । ଗୋଟିଏ ପଶୁ ଆକାରରେ ମଇଁଷି ର ଶକ୍ତି କୁ ଆବହମାନ କାଳରୁ ମଣିଷ ଜାଣିଛି। ଆଉ ସେଇଥିପାଇଁ ତେଣୁ ପବିତ୍ର ପାନୀୟକୁ ମଇଁଷିର ମୁଣ୍ଡ ରୂପକୁ ନେଇ ପ୍ରସ୍ତୁତ ପାନପାତ୍ର ରେ ପାନ କଲେ ତାହାର ଭିତରେ ଉଭୟ ଦୈବିକ ଏବଂ ପାର୍ଥୀବ ଶକ୍ତିର ଅଫୁରନ୍ତ ଜୁଆର ଜାଗରିତ ହେବ। ସେଦୃଷ୍ଟିରୁ ଦୈବିକ ଶକ୍ତିକୁ ଗ୍ରହଣ କରିବାର ଏକ ମାଧ୍ୟମ ହିସାବରେ ଏଇ ପାନପାତ୍ର ଟି ଯେତିକି ଦୈବିକତାର ସଂସ୍ରବ ଲାଭ କରିଥାଏ ସେଥିରୁ ଅର୍ଜିତ ହୋଇଛି ତାହାର ପବିତ୍ରତା ଏବଂ ଲୋକପକ୍ଷରେ ସମସ୍ତ ଆଦୃତି ।

ସଂଲଗ୍ନ “ରାଇଟନ୍” ଟି ଉତ୍ତର ଇରାନ୍ ର ଦେଲାମାନ ନାମକ ଏକ ସଂଗ୍ରହାଳୟରେ ରହିଅଛି। ସେଇଠି ସୂଚିତ ଅଛି ଯେ ,ଏହି ବସ୍ତୁଟି ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀର ନିର୍ମାଣ ଏବଂ ଏହାକୁ ଆଫଗାନିସ୍ଥାନ ରୁ ଲୁଣ୍ଠନ କରି ଅଣାଯାଇଥିବା ଏକ ପଦାର୍ଥ।

ଆଫଗାନିସ୍ଥାନ କୁ ସେତେବେଳେ ଗାନ୍ଧାର ବୋଲି କୁହାଯାଉଥିଲା ଆଉ ତାହାର ଭାଷା ଥିଲା ଖରୋଷ୍ଟ୍ରି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସଂଲଗ୍ନ “ରାଇଟନ” ରେ ଖରୋଷ୍ଟ୍ରୀ ଲିପିରେ ଲେଖା ହୋଇଛି,ମହିଷମର୍ଦ୍ଦିନୀ ।

ଏହି ପାନପାତ୍ର ବା “ରାଇଟନ୍” ରେ ଖରୋଷ୍ଟ୍ରୀ ଭାଷାରେ ଲିଖିତ ଥିବା “ମହିଷମର୍ଦ୍ଦିନୀ” ଆମକୁ ଆଉ ଗୋଟିଏ ଦିଗ ପ୍ରତି ଆକୃଷ୍ଟ କରୁଛି। ଆଦିମ କାଳରୁ ମଣିଷର ଚିନ୍ତା ଚେତନାର ପୃଥିବୀମନସ୍କତା ଏକ ସୁବୃହତ ପ୍ରତୀକ ରୂପରେ ମାତୃଆରାଧନା ତଥା ଦେବୀ ଆରାଧନା ଭଳି ବିଚାରରେ ପରିଭାଷିତ ହୋଇ ଆସିଛି। ଆଜି ଯାହାକୁ ଆଫଗାନିସ୍ଥାନ ବୋଲି କୁହାଯାଉଛି ତାହା ସେତେବେଳେ ବୃହତ୍ତର ଆର୍ଯ୍ୟାବର୍ତ୍ତର ଆଚାରବିଚାରର ପ୍ରଭାବ ପରିସରରେ ରହିଥିଲା। ଏବଂ ଆର୍ଯ୍ୟାବର୍ତ୍ତରେ ଦେବୀ ଆରାଧନା ଆରମ୍ଭ ରୁ ରହିଆସିଥିଲା। ଯଦିଓ ଦେବୀକୁ ପ୍ରାଥମିକ ଭାବରେ ପ୍ରତିକୀ ରୂପରେ (ଘଟ,ପଟ,ବେଲଗଛ ଆଦିରେ) ବରଣ କରାଯାଉଥିଲା ଆଉ ପରେ ଦେବୀ ରୂପକୁ ଆମର ଚିହ୍ନା ମାନବୀ ର ସୁନ୍ଦର ଦୈହିକ ରୂପ ସୌଷ୍ଠବରେ ରୂପାନ୍ତରିତ କରାଯାଇଥିଲା। ପ୍ରତୀକୀ ରୂପ ଅପେକ୍ଷା ଦେବୀମାତାକୁ ମାନବୀ ରୂପରେ ସୁସଜ୍ଛିତ କରିବା ହିଁ ଉପସ୍ଥିତ ସମସ୍ତ ଆର୍ଯ୍ୟାବର୍ତ୍ତର ମଣିଷ ନିକଟରେ ଅଧିକ ଗ୍ରହଣୀୟ ହେଲା। ତେଣୁ ଆର୍ଯ୍ୟାବର୍ତ୍ତରେ ଦେବୀପୂଜାର ଐତିହାସିକ ଆଦିମ ପ୍ରତୀକ ରୂପ ସହିତ ପରବର୍ତ୍ତି କାଳରେ ବିବର୍ତ୍ତିତ ମାନବୀ ରୂପ ଉଭୟର ସୁସ୍ଥ ସମନ୍ୱୟ ଭାବ ଆମେ ଆମର ଦେବୀପୂଜାର ପାରଂପାରିକ କାଳ ପ୍ରବାହରେ ବର୍ତ୍ତମାନ ଯାଏଁ ଦେଖି ଆସିଛୁ।

ମଇଁଷି ପାଶବିକ ଶକ୍ତିର ପ୍ରତୀକ ଆଉ ଦେବୀ ହେଉଛନ୍ତି ଜଗତରେ ଦୈବିକଶକ୍ତିକୁ ପ୍ରତିସ୍ଥାପନ କରିବା ପାଇଁ ମହିଷମର୍ଦ୍ଦିନୀ। କୌଣସି ଦେବୀଆରାଧନା ନୁହଁ ଏଇ କାହାଣୀଟିର ଉପଲକ୍ଷକୁ ଭବିଷ୍ୟତ ପାଇଁ ଲିପିବଦ୍ଧ କରିଯିବା ଉଦ୍ଦେଶ୍ୟରେ ଗ୍ରୀକ୍ ମାନେ ପବିତ୍ରପାନୀୟ ଗ୍ରହଣ କରିବା ସମୟରେ ବ୍ୟବହୃତ ଏଇ ବିଶେଷ ପାନପାତ୍ରଟିର ନାମକରଣ ତେଣୁ କରିଛନ୍ତି,ମହିଷମର୍ଦ୍ଦିନୀ।

ଗ୍ରୀକ ମାନଙ୍କ ସହିତ ଭାରତ ର ସଂପର୍କର ପ୍ରାଚୀନ ପର୍ଯ୍ୟାୟ ଯେ ଅତ୍ୟନ୍ତ ସୁଗଭୀର ,ଏକଥା ଆମକୁ ଊଣା ଅଧିକେ ଜଣା।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

Leave a Reply

Your email address will not be published. Required fields are marked *