ବନ୍ଧୁ ଜାକିର ଖାନ୍ଙ୍କ ହଠାତ୍ ଫୋନ୍ ପାଇଲି । ତିନିଟା କୋଡିଏରେ ସିନେପଲିସ୍ ଆସ । ‘ଜୋସେଫ୍’ ଦେଖିବା । ଜୋସେଫ୍ ବିଷୟରେ ଆଗରୁ ଜାଣିଥିଲି । ଚଣ୍ଡି ଭାଇ (ଚଣ୍ଡି ଦାସ ମିଶ୍ର ) ଯୋଶେଫ୍ ର ସବ୍ ଟାଇଟଲ୍ କରିଥିଲେ । ସେ କିଛି କଥା କହିଥିଲେ ସିନେମା ବିଷୟରେ । ପୁରୁଣା ବସଷ୍ଟାଣ୍ଡ ଖଟିରେ ଥରେ ସିନେମାର ନିର୍ଦ୍ଦେଶକ ସୁଶାନ୍ତ ମିଶ୍ର ଓରଫ୍ ଲୁଲୁ ଭାଇ ବି ସେ ସିନେମା ବିଷୟରେ କହିଥିଲେ । ପ୍ରାଇଭେଟ୍ ସ୍କ୍ରିନିଂ ପାଇଁ ବି କଥା ଉଠିଥିଲା । ଯା’ହେଉ ଜୋସେଫ୍ ରିଲିଜ୍ ହେଇଛି । ଭୁବନେଶ୍ବର ସିନେପଲିସ୍ ରେ ଖେଳୁଛି।
ଜାକିର୍ କହିଥିଲେ ୩ ଟା ୨୦ରେ ସିନେମା ପଡିବ । ହେଲେ ମୋର ଧାରଣା କେମିତି ଗୋଟେ ହେଲା ୨ଟା ୨୦ ରେ । ଆମେ ତରତରରେ ପହଂଚିଲା ବେଳକୁ ଘଣ୍ଟାରେ ୨ଟା ୪୦ । ସିଧା ହଲ୍ ରେ ପଶି ସିଟରେ ବସିଗଲୁ । ଦଶ ମିନିଟ୍ ପରେ ଜାଣିଲି ଏ ଗୋଟେ ଅଲଗା ସିନେମା । ଟିକେଟ୍ ଦେଖିଲା ବେଳକୁ ଲେଖା ଅଛି ୩ ଟା ୨୦ । ତରତରରେ ଭୁଲ୍ ହେଇଯାଇଛି । ଲାଜରେ ବାହାରିଆସିଲା ପରେ ଯାହେଉ ବାହାରେ ବୁଲିଲୁ ।
ସିନେମା ୩ଟା ୨୦ରେ ଆରମ୍ଭ ହେଲା । ଜାକିର ସିନେମାର ଅନ୍ୟତମ ସ୍କ୍ରିନ୍ ପ୍ଲେ ଓ ସଂଳାପ ଲେଖକ । ସିନେମା ସରିଲା ପରେ ଦେଖିଲି ହଲରେ ନିର୍ଦ୍ଦେଶକ ସୁଶାନ୍ତ ମିଶ୍ର ଭାଇ ଓ ଜାକିର ମଧ୍ୟ ଉପସ୍ଥିତ ଅଛନ୍ତି । କିଟ୍ ରୁ କିଛି ଛାତ୍ରଛାତ୍ରୀ ମଧ୍ୟ ଆସିଥିଲେ । ସିନେମାଟି ଭଲ ହେଇଛି । ଭୃଦୃଶ୍ୟର ମନଲୋଭା ଆକର୍ଷଣ ସାରା ସିନେମାରେ ଆପଣଙ୍କୁ ବାନ୍ଧି ରଖିବ ।
ମଜାକଥା ହେଲା ସିନେମାରେ ଅଭିନୟ କରିଥିବା ଚିରିତ୍ରମାନେ ଅଣଓଡ଼ିଆ । କଥାବସ୍ତୁ ଅନୁସାରେ ସ୍ଥାନ ହେଉଛି ଡେରାଡୁନ୍ ଠାରୁ କିଛି ଦୂରରେ ଥିବା ଏକ ପାହାଡ଼ ଘେରା ସ୍ଥାନ । ଭାଷା ହିନ୍ଦୀ । କିନ୍ତୁ ସିନେମାଟି ଓଡ଼ିଆ ଗାଳ୍ପିକ ଉମାକାନ୍ତ ମହାପାତ୍ରଙ୍କର ଓଡ଼ିଆ କ୍ଷୁଦ୍ରଗଳ୍ପକୁ ନେଇ ନିର୍ମାଣ କରାଯାଇଛି । ଓଡ଼ିଆ ନିର୍ଦ୍ଦେଶକ ସୁଶାନ୍ତ ମିଶ୍ର ନିର୍ଦ୍ଦେଶନା ଦେଇଛନ୍ତି । ଓଡ଼ିଆ କଳା ନିର୍ଦ୍ଦେଶକ ସୁକାନ୍ତ ପାଣିଗ୍ରାହୀ କଳା ନିର୍ଦ୍ଦେଶନା ଦେଇଛନ୍ତି । ପଟ୍ଟକଥା ଓ ସଂଳାପ ଲେଖିଛନ୍ତି ଓଡ଼ିଆ କବି ଜାକୀର ଖାନ୍ । ଏମିତିକା ସିନେମା ହଲ୍ ରେ ବେଶି ଦିନ ରହିବନି । ତେଣୁ ଜଲଦି ଯାଇ ଦେଖି ନେବା ଉଚିତ । ଅନେକ ଦିନ ପରେ ଅଭିନେତା ଭିକ୍ଟର ବାନାର୍ଜୀଙ୍କୁ ଦେଖିଲି । ନିଜର ପରିଚୟ ଓ ଅସ୍ମିତା ଖୋଜୁଥିବା ନାୟକର ଏକ୍ଲାପଣ ଓ ବିସ୍ତୀର୍ଣ୍ଣ ଆଦିଗନ୍ତ ବିରାଟ ବିରାଟ ପାହାଡର ପାହାଡି ନୀରବତା ମୋତେ ପୁରା ସିନେମାରେ ବାନ୍ଧି ରଖିଲା ।ଆପଣଙ୍କୁ ବି ବାନ୍ଧି ରଖିବ । ବାନ୍ଧି ରଖିବାକୁ ଅନେକ କିଛି ଅଛି ସେଥିରେ I