ଓଡ଼ିଶାର ଆଧୁନିକ ଓ ସମସାୟିକ ଚିତ୍ରକଳାରେ ପ୍ରତିବାଦର ସ୍ୱର ବଡ଼ ଅସ୍ପଷ୍ଟ । ଆମ ଚିତ୍ରକରମାନେ କେବେ ବି ଜନପକ୍ଷ ନିଅନ୍ତିନି। ଜନପକ୍ଷରେ ଛିଡା ହୁଅନ୍ତିନି । ଜନପକ୍ଷ କାହିଁକି, କୌଣସି ପକ୍ଷ ନେବାକୁ ସେମାନେ ପସନ୍ଦ କରନ୍ତିନି । ଲୋକଙ୍କର ଦୁଃଖ ଦୁର୍ଦଶା ସେମାନଙ୍କ ଜୀବନ ବର୍ଣନା ଅପେକ୍ଷା ଆମ ଛବିରେ ରୋମାଣ୍ଟିକ କଳ୍ପନା ବିଳାସର ଆସର ଅଧିକ । ସେଥିପାଇଁ କୌଣସି ପ୍ରତିବାଦ କିମ୍ବା ଜନ ଆନ୍ଦୋଳନର ଉଲ୍ଲେଖ ଆମେ ଆମ ଛବିରେ ସହଜରେ ପାଇବାନି । କିନ୍ତୁ ମୁଁ ଖୁସି ଯେ ଅନେକ ବର୍ଷ ଧରି ବରୋଦାରେ ରହି ଚିତ୍ର ଅଭ୍ୟାସ କରୁଥିବା ଓଡ଼ିଆ ଚିତ୍ରଶିଳ୍ପୀ ଆଲୋକ ବଳଙ୍କ ଏବର କିଛି ଚିତ୍ରରେ ସେଇ କଥାଟି ମୁଁ ଦେଖିବାକୁ ପାଇଛି ।

ସେ ଭାରତ ବର୍ଷରେ ବିଗତ କିଛି ବର୍ଷ ଧରି ଘଟିଚାଲିଥିବା କିଛି ପ୍ରମୁଖ ରାଜନୈତିକ ଓ ସାମାଜିକ ଅବ୍ୟବସ୍ଥାକୁ ଆଙ୍ଗୁଳି ଦେଖାଇଛନ୍ତି । ମଣିଷ ଓ ପ୍ରକୃତି ପାଖରେ ସହଭାଗୀ ଭାବ ନେଇ ଠିଆ ହେଇଛନ୍ତି । ତା’ ସହ ବିଶ୍ୱର ଅନ୍ୟ କୋଣରେ ଚାଲିଥିବା ମାନବାଧିକାରର ଖୋଲାଖୋଲି ଉଲଙ୍ଘନର ପରିସ୍ଥିତି ଓ ପରିଣାମ ବିଷୟରେ ବି ସେ କଥା ଉଠେଇଛନ୍ତି । ଆଲୋକ ତାଙ୍କ ଚିତ୍ରର ପରିବେଶରେ ଆମ କ୍ଷୟିଷ୍ଣୁ ପରିବେଶ, ରାଷ୍ଟ୍ରର ତା’ର ନିଜ ନାଗରିକଙ୍କ ଉପରେ ମାତ୍ରାଧିକ ଶକ୍ତି ପ୍ରୟୋଗ, ଚାଷୀ ମୃତ୍ୟୁ, ମହିଳାଙ୍କ ଉପରେ ହେଉଥିବା କ୍ରମବର୍ଦ୍ଧିଷ୍ଣୁ ହିଂସା, ଶିଳ୍ପାୟନ ପାଇଁ ବ୍ୟପକ ବିସ୍ଥାପନ, ସାମ୍ପ୍ରଦାୟିକ ବୈଷମ୍ୟ ଓ ଆଦିବାସୀ ଅଧିକାର ଆଦି ଅନେକ ବିଷୟରେ ଆଲୋଚନା କରିଛନ୍ତି । ଏବେ ଆଲୋକଙ୍କର କିଛିଦିନ ତଳେ ମୁମ୍ବାଇର ସାକ୍ଷୀ ଆର୍ଟ ଗ୍ୟାଲେରୀ ଏକକ ଚିତ୍ର ପ୍ରଦର୍ଶନୀ ଶେଷ ହେଇଛି । ଚିତ୍ର ଗୁଡିକ ଗ୍ୟାଲେରୀ ପରିସରରେ ଗତ ୨୦୨୪ ମସିହାର ଅକ୍ଟୋବର ୧୦ରୁ ନଭେମ୍ବର ୭ ତାରିଖରୁ ପର୍ଯ୍ୟନ୍ତ ପ୍ରଦର୍ଶିତ ହେଇଥିଲା । ପ୍ରଦର୍ଶନୀରେ ବେଶ ବଡ଼ ଓ ସାନ ସାନ ଆକାରର ଚିତ୍ର ସବୁ ସ୍ଥାନ ପାଇଛି । ସେଥିରୁ ଅନେକ ଚିତ୍ର ତୈଳ ରଙ୍ଗରେ କ୍ୟାନଭାସ ଉପରେ ଅଙ୍କିତ ହେଇଛି । କିଛି ଅଙ୍କାହେଇଛନ୍ତି କାଗଜ ଉପରେ ଜଳରଙ୍ଗରେ ଓ ଆଉ କିଛି କାଗଜ ଉପରେ ଚାରକୋଲରେ । ପ୍ରଦର୍ଶନୀର ନାମ ରଖାଯାଇଛି Inscribed Landscapes. ଏବେ ସେଥିରୁ ଅଳ୍ପ କେତୋଟି ଚିତ୍ର ଦିଲ୍ଲୀରେ ଶେଷ ହେଇଥିବା Indian Art Fair ରେ ପ୍ରଦର୍ଶିତ ହେଇଛି ।

ଆଲୋକଙ୍କୁ ମୁଁ ଅନେକ ବର୍ଷ ତଳୁ ଜାଣିଛି । ସେ ଯେବେ ବରୋଦାର ଶିବାଜୀ ରାଓ ବିଶ୍ୱବିଦ୍ୟାଳୟର ଫାକଲ୍ଟି ଅଫ୍ ଫାଇନ୍ ଆର୍ଟରେ ବ୍ୟାଚଲର ଡିଗ୍ରୀର ପାଠ ପଢୁଥିଲେ, ସେବେଠାରୁ । ପରେ ମୁଁ ଯେବେ କିଛି ବର୍ଷ ବରୋଦାରେ ରହି ଛବି ଆଙ୍କୁଥିଲି ସେତେବେଳେ ତାଙ୍କ ଷ୍ଟୁଡିଓ ଅନେକ ଥର ଯାଇଛି। ଆଲୋକଙ୍କର ସେ ସମୟର ଛବି ଠାରୁ ଏବର ଛବି ଅନେକଟା ଅଲଗା । କିନ୍ତୁ ସେମାନଙ୍କ ଭିତରେ ଗୋଟେ ସୂକ୍ଷ୍ମ ସମ୍ପର୍କ କିନ୍ତୁ ରହିଛି ।
ଆଲୋକ ଅନେକ ବର୍ଷ ହେଲାଣି ଭୂଦୃଶ୍ୟ ଆଙ୍କୁଛନ୍ତି । ଭୂଦୃଶ୍ୟ ଆଙ୍କିବା ଆମ ଭାରତୀୟ ଚିତ୍ର ପରମ୍ପରାରେ ବେଶ ପୁରୁଣା । ଭୂଦୃଶ୍ୟର ଏକ ବିଶେଷ ସୁବିଧା ହେଲା ତୁମେ ଏକକାଳିନ ସମାନ୍ତରାଳରେ ଘଟୁଥିବା ଅନେକ କାହାଣୀକୁ ଗୋଟେ ସ୍ଥାନରେ ସମାହିତ କରିପାରିବ । କାହାଣୀକୁ ବିସ୍ତାର କରି ବଖାଣି ପାରିବ। ଆଗରୁ ଆଲୋକଙ୍କ ଭୂଦୃଶ୍ୟରେ ମଣିଷ ଅପେକ୍ଷା ନିରୋଳା କୋଠାବାଡିଙ୍କର ପ୍ରାବଲ୍ୟ ଥିଲା । ଅଳ୍ପ ମଣିଷ ଥିଲେ କିମ୍ବା ଅନୁପସ୍ଥିତ ଥିଲେ । କିନ୍ତୁ ତାଙ୍କର ଏବର ଛବିରେ ମଣିଷର ସମସ୍ୟା ଓ ପ୍ରତିବାଦକୁ ମୁଖର କରୁଥିବା ଅନେକ ମଣିଷ ଅଛନ୍ତି, ଗଛ-ବୃକ୍ଷ ଅଛନ୍ତି, ଜଙ୍ଗଲ ଅଛି, ପାଣି ପବନ ଅଛି ଓ ସବୁଠାରୁ ବଡ଼ କଥା ହେଲା ସମୟ ଓ ସ୍ଥାନର ବି ସ୍ପଷ୍ଠ ସୂଚନା ଅଛି । ମଣିଷମାନେ ଏଠି ଆଦୌ ଏକୁଟିଆ ନୁହଁନ୍ତି । ସେମାନେ ସାଙ୍ଗ ହୋଇ ମେଳି ହୋଇ ପରସ୍ପରର ସାହଚର୍ଯ୍ୟ ନେଇ ଠିଆ ହୋଇଛନ୍ତି । ଆଲୋକଙ୍କ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ଚିତ୍ରମାନଙ୍କରେ ସୂଚିତ ସ୍ଥାନ ଗୁଡିକ ହେଉଛି କୌଣସି ଏକ ଅଦୃଶ୍ୟ ବିଭାଜନର ସୀମାରେଖା । ସୀମାରେଖାର ଦୁଇ ପାଖରେ ସାମ୍ନାସାମ୍ନିରେ ଅଛନ୍ତି ଗୋଟେ ପଟରେ ଭିକ୍ଟିମ ଓ ଅନ୍ୟପଟରେ ରାଷ୍ଟ୍ର । ଆଲୋକଙ୍କ ଏ ସବୁ ଭୂଦୃଶ୍ୟ ତାଙ୍କ ନିଜର ସଂରଚନା । ଯେଉଁଠି ସେ ଇତିହାସ, ରାଜନୀତି, ପ୍ରକୃତି ଓ ମଣିଷ ସହ ମଣିଷ ସମ୍ପର୍କକୁ ହିସାବ କରିଛନ୍ତି । ଭଲରେ ପରଖିଛନ୍ତି ।

ଆଲୋକ ତାଙ୍କ ଚିତ୍ରରେ କିଛି ସାନ ପିଲା ଓ ନାରୀମାନଙ୍କ କଥା ମଧ୍ୟ କହିଛନ୍ତି । ଯୁଦ୍ଧରେ ଧ୍ୱସ୍ଥ କଂକ୍ରିଟ ଗଦା ଭିତରେ ମୃତାହତ ପିଲା ହେଉ କିମ୍ବା ଜଙ୍ଗଲ ଭିତରେ ମରି ଶୋଇଥିବା ପିଲା ହେଉ, ଅବା ଗାଜାର ଅସହାୟ ସାନ ପିଲାମାନେ ହୁଅନ୍ତୁ । ପୃଥିବୀର ଯେଇଁ କୋଣରେ ଯେବେବି ଯୁଦ୍ଧ ହୁଏ ସେଠି ସବୁବେଳେ ବିଚରା ସାନ ପିଲାଟି ଓ ସ୍ତ୍ରୀ ଲୋକଟି ହିଁ ସବୁଠାରୁ ଅଧିକ କ୍ଷତି ସହେ ।
ବର୍ତ୍ତମାନର ସମୟକୁ ସ୍ପଷ୍ଟ ଭାବରେ ବୁଝାଇବାକୁ ବିଶ୍ୱ କଳା ଇତିହାସରୁ ଆଲୋକ ତାଙ୍କ ଚିତ୍ରରେ ଅନେକ ରେଫରେନ୍ସ ନେଇଛନ୍ତି । ଯେମିତିକି ନରୱେର ଚିତ୍ରଶିଳ୍ପୀ Edvard Munch ୧୮୯୩ ମସିହାରେ ‘‘The Scream’ ଶୀର୍ଷକରେ ଛବିଟିଏ ଆଙ୍କିଥିଲେ । ଏବେ ଆଲୋକ ‘‘Scream – After Edvard Munch’ ଶୀର୍ଷକରେ ଛବିଟେ ଆଙ୍କିଛନ୍ତି ୨୦୨୪ରେ। ଛବିରେ ରକ୍ତିମ ଆକାଶ ତଳେ ଯନ୍ତ୍ରଣା କାତର ମୁହଁର ମଣିଷଟେ ଅଛି । ବିଶ୍ୱ କଳା ଇତିହାସରେ ଏହି ଚିତ୍ରଟି ମଣିଷର ଅବସ୍ଥା, ଓ ଅଶାନ୍ତ ଏବଂ ଉଦ୍ବେଗ ଭରା ମନସ୍ଥତିକୁ ପ୍ରତିନିଧିତ୍ୱ କରେ । ଏଠି ଆଲୋକଙ୍କ ଛବିରେ ମୃତ ଶିଶୁପତ୍ରକୁ ଧରି ଶେଷ ଚୁମ୍ବନ ଦେଉଥିବା ଅସହାୟ ବାପା ରହିଛି । ନୀରବ ଦିଶୁଥିବା ବାପା ପୁଅଙ୍କ ଏହି ଛବିରୁ ବାହାରୁଥିବା ଆର୍ତ୍ତ ଚିତ୍କାର କିନ୍ତୁ ଶୁଣିହେଉଛି । ଆଲୋକଙ୍କ ଛବିର ଆକାଶ, Munchଙ୍କ ଛବିର ଆକାଶ ସହ ଅନେକ ସାମଞ୍ଜସ୍ୟତା ରକ୍ଷା କରିଛି ।

ଅନ୍ୟ ଏକ ଛବିରେ ସେ ବ୍ରିଟିଶ ଶିଳ୍ପୀ Sir John Millaisଙ୍କ Ophelia ନାମକ ଚିତ୍ରକୁ ଅବଲମ୍ବନ କରି ଛବିଟେ ଆଙ୍କିଛନ୍ତି । ଛବିର ଶୀର୍ଷକ ରହିଛି ‘ଫତିମା’ । Ophelia ସେକସ୍ପିଅରଙ୍କ କାଳଜୟୀ ନାଟକ ହାମଲେଟର ଏକ ଚରିତ୍ର । ଯିଏ ଗୀତ ଗାଇ ଗାଇ ନଈ ପାଣିରେ ବୁଡି ମରିଛି । କୁହାଯାଏ Opheliaର ମୃତ୍ୟୁ ବିଶ୍ୱ ସାହିତ୍ୟରେ ଲେଖାଯାଇଥିବା ସବୁଠାରୁ କରୁଣ କାବ୍ୟିକ ମୃତ୍ୟୁ । ଆଲୋକଙ୍କ ଛବିରେ ଯେଉଁଠି ଏକ ନିର୍ଜନ ଅନ୍ଧାର ରାତିରେ ଜଣେ ଯୁବତୀ ଏକ ପରିତ୍ୟକ୍ତ ଜଳାଶୟରେ ଉପରମୁହାଁ ହୋଇ ଭାସୁଛି । ଫତିମା ଏଠି ମରି ଭାସୁଛି ନା ମରିବା ପୂର୍ବରୁ ଅସହାୟତାର ହଂସ ଗୀତି ଗାନ କରୁଛି? କିଏ ଏଇ ଫତିମା? ସାମ୍ପ୍ରଦାୟିକ ଦଙ୍ଗାର ଶୀକାର ହେଇଥିବା ଆମ ସମୟର ଅସହାୟ ନାରୀମାନଙ୍କର ପ୍ରତିନିଧି କି ସେ? ଚିତ୍ରରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦର୍ଶକ ଜାଣେ ।
ଆଲୋକଙ୍କର ‘ସମର ଲ୍ୟାଣ୍ଡସ୍କେପ’ ଛବିର ପୃଷ୍ଠଭୂମି ହେଉଛି ୨୦୨୦ ମସିହାର କୃଷକ ଆନ୍ଦୋଳନର । ଛବିରେ ଆନ୍ଦୋଳନରେ ଭାଗ ନେଇଥିବା ମହିଳାମାନେ ହଳଦୀ ରଙ୍ଗର ଦୁପଟ୍ଟା ଏଠି ଘୋଡେଇ ହୋଇଛନ୍ତି । ସେମାନଙ୍କ ସହ ଗେରୁଆ ରଙ୍ଗର ଭୂଦୃଶ୍ୟରେ ଅଛି ଅନେକ ସୁନାରୀ ଫୁଲର ରୋଷଣୀ । ଆଜିର ଭାରତୀୟ ରାଜନୈତିକ ପ୍ରେକ୍ଷାପଟରେ ଗେରୁଆ ରଙ୍ଗର ପରିଚୟ କାହାକୁ ଅଜଣା ନୁହେଁ । ଗ୍ରୀଷ୍ମଋତୁରେ ଫୁଟୁଥିବା ସୁନାରୀ ଯେମିତି ଅସହ୍ୟ ଗ୍ରୀଷ୍ମ ବିରୋଧରେ ତା’ର ନୀରବ ଅସନ୍ତୋଷ ବ୍ୟକ୍ତ କରୁଛି ।

ଆର୍ନ୍ତଜାତିକ ସମସ୍ୟା ସହ ଆଲୋକ ଆମ ଦେଶର ଚର୍ଚ୍ଚିତ ସାହିନବାଗ ଆନ୍ଦୋଳନ, ଭାରତୀୟ ସେନାରେ ଅଗ୍ନିବୀର ଭାବରେ ଯୋଗଦେଇଥିବା ଯୁବକଙ୍କ ସମସ୍ୟା, କୃଷକ ଆତ୍ମହତ୍ୟା, ମହିଳାଙ୍କ ଉପରେ କ୍ରମବର୍ଦ୍ଧିଷ୍ଣୁ ଅତ୍ୟାଚାର, ନକ୍ସଲ ଏନକାଉଣ୍ଟର ନାମରେ ଆଦିବାସୀ ହତ୍ୟା, ରାଜନୈତିକ ସୁବିଧା ପାଇଁ ସୃଷ୍ଟ ସାମ୍ପ୍ରଦାୟିକ ହିଂସାକୁ ଆଲୋକ ତାଙ୍କ ଛବିର ବିଷୟ ବସ୍ତୁ ଭାବରେ ଚୟନ କରିଛନ୍ତି । ଆଲୋକ ତାଙ୍କର ଅନ୍ୟ ଏକ ଛବିରେ ଆଇରନ ଲେଡି ଅଫ୍ ଇରୋମ ଚାନୁ ଶର୍ମିଳାଙ୍କୁ ଆଙ୍କିଛନ୍ତି। ଏକ ବିଶାଳ ଭୁଦୃଶ୍ୟ ମଝିରେ ଶର୍ମିଳା ଛିଡା ହେଇଛନ୍ତି। ଆକାଶରେ ଘୋଟି ରହିଛି ଘମାଘୋଟ ମେଘ । ଆକାଶରୁ ଝରି ପଡୁଛି ବର୍ଷା । ଶର୍ମିଳା ୧୯୫୮ର କେନ୍ଦ୍ର ସରକାରଙ୍କର ଆର୍ମଡ ଫୋର୍ସେସ ଆକ୍ଟକୁ ବିରୋଧ କରି ସେ ଦୀର୍ଘ ଷୋଳ ବର୍ଷ ଧରି ଆମରଣ ଅନଶନ କରି ଭାରତୀୟ ରାଜନୈତିକ ପ୍ରତିବାଦର ଜଣେ ପରିଚିତ ସାମାଜିକ କର୍ମୀ ଭାବରେ ଚର୍ଚ୍ଚିତା ହେଇଥିଲେ ।

କିଛି ବର୍ଷ ହେଲାଣି ଭାରତୀୟ ଚିତ୍ରଶିଳ୍ପୀମାନେ ଯେଉଁ ଫଟୋ ରିଆଲିଜିମର ମାୟାରେ ପଡିଛନ୍ତି ଓ ଛବି ଅତି ସୁନ୍ଦର ଏବଂ ଚିକ୍କଣ କରି ଆଙ୍କୁଛନ୍ତି ଆଲୋକ ତାଙ୍କ ଛବିରେ ତାହା କରିନାହାଁନ୍ତି। ଅନ୍ୟ ମାନଙ୍କ ପରି ନିଜର ସମୟକୁ ଚିତ୍ରାୟନ କରିବାକୁ ଜାଣତରେ ଅବା ଅଜାଣତରେ ଏଡାଇ ଯାଇନାହାଁନ୍ତି । ଆଲୋକଙ୍କ ଛବିରେ ଓଡ଼ିଶା ଅଛି, ଭାରତ ଅଛି, ଭାରତ ବାହାରର ଦେଶ ବି ଅଛି । ଆଜିର ପିଡିତ ସମୟ ଅଛି, ଆଜିର ପିଡିତ ମଣିଷ ଓ ପ୍ରକୃତି ବି ଅଛି । ଓଡ଼ିଶାର ନିୟମଗିରି, ପାଲେଷ୍ଟାଇନର ଗାଜା ପଟି, ଦିଲ୍ଲୀର ସାହିନବାଗ ଓ ପଞ୍ଜାବ ଏବଂ ହରିଆଣାର ଚାଷୀ, ନକ୍ସଲ ଏନକାଉଣ୍ଟର, ଋଣ ଶୁଝିନପାରି ଆତ୍ମହତ୍ୟା କରୁଥିବା ଗରିବ ଚାଷୀ ଓ ଆହୁରି ଏମିତି ଅନେକ ଚରିତ୍ର, ଘଟଣା, ପରିବେଶ ଓ ପରିସ୍ଥିତି ରହିଛି । ବଡ କଥା ହେଲା ସବୁଠି ଆଲୋକ ନିଜେ ଅଛନ୍ତି ଓ ତାଙ୍କ ଛବିକୁ ସମ୍ବେଦନାର ସହ ଦେଖୁଥିବା ଆମମାନଙ୍କୁ ଛବିର ଜଣେ ଜଣେ ଚରିତ୍ର ବୋଲି ବି ଚିହ୍ନାଇଦେଇ ପାରିଛନ୍ତି । ତାପରେ ଅନ୍ୟ କଥାଟି ହେଲା ଆଲୋକ ତାଙ୍କ ପକ୍ଷ ରଖିସାରିଛନ୍ତି । ଆଉ ଆମେମାନେ କୋଉ ପକ୍ଷର ବୋଲି ତାଙ୍କର ପ୍ରତିଟି ଛବିରେ ବାର ବାର ପ୍ରଶ୍ନ ବି ପଚାରିଚାଲିଛନ୍ତି ।




Thank you for writing this article. I appreciate the subject too. http://www.hairstylesvip.com