ରବୀନ୍ଦ୍ରନାଥଙ୍କ ପ୍ରଥମ ପ୍ରେମ: ନିଶବ୍ଦ ସ୍ବର

ରବିକଥା- ୬

ସେ ରବୀନ୍ଦ୍ରନାଥଙ୍କୁ କହିଥିଲେ ମୁହଁରେ ଦାଢି ନରଖିବା ପାଇଁ । ହୁଏତ ସେ ସ୍ବରରେ ଥିଲା ଅନେକ ଅନୁରାଗ। କିଶୋର ରବୀନ୍ଦ୍ରନାଥଙ୍କ ସହିତ ସେହି ତରୁଣୀ ଆଣି ଦେଇଥିଲେ ପ୍ରଥମ ପ୍ରେମର ଜୁଆର।ସେ ଜୁଆର ଆସିଥିଲା ନିଶବ୍ଦରେ, ତରୁଣ ବୟସରେ, ଯାହା ପରିଣତ ବୟସ୍କ ରବୀନ୍ଦ୍ରନାଥଙ୍କ ପାଖରେ ଯଥେଷ୍ଟ ଗୁରୁତ୍ବ ବହନ କରିଥିଲା। ସେ ତରୁଣୀଙ୍କ ନାମ ଥିଲା ନଳିନୀ।

ନଳିନୀ, ନାମଟି ରବୀନ୍ଦ୍ରନାଥ ନିଜେ ଦେଇଥିଲେ, ନିଜ ମୁହଁରେ। ସେଇ ନାରୀର ସ୍ବରରେ ରବୀନ୍ଦ୍ରନାଥ ପ୍ରଥମ ଥର ପାଇଁ ଶୁଣିଥିଲେ ନିଜ ଚେହେରାର ତାରିଫ୍, ମୁହଁରେ ଦାଢ଼ି ନରଖିବାର ଅନୁରୋଧ। ସେଇ ତରୁଣୀ କବିଙ୍କ କବିତା ଶୁଣି ହୋଇଥିଲେ ଅଭିଭୂତ।

ଏଇ ତରୁଣୀ ନଳିନୀଙ୍କ ସହିତ ରହିଛି ରବୀନ୍ଦ୍ରନାଥ ଯୌବନ ଆଡକୁ ପାଦ ବଢ଼ାଉଥିବା ବେଳର ଅନେକ କରୁଣ-ମଧୁର କାହାଣୀ। କବିଙ୍କ ପାଇଁ ତାଙ୍କ ହୃଦୟରେ ଥିଲା ବହୁ ଅନୁରାଗ, ବହୁ ଅନୁଭାବ। ରବୀନ୍ଦ୍ରନାଥଙ୍କ ବଡ଼ଭାଇ ସତ୍ୟେନ୍ଦ୍ରନାଥ ଯେତେବେଳେ ଅହମଦାବାଦରେ ରହୁଥିଲେ ସେତେବେଳେ ସେ ତାଙ୍କୁ ନେଇଥିଲେ ତାଙ୍କ ପାଖକୁ। ଉଦ୍ଦେଶ୍ୟ ଥିଲା ବାରିଷ୍ଟରି ପାସ୍ କରିବା ପୂର୍ବରୁ ଭାଇକୁ ଇଂରାଜୀ କହିବା ଲେଖିବାରେ ପୋଖତ କରିବା। ସତ୍ୟେନ୍ଦ୍ରନାଥ ସେଠାରେ ଥିଲେ ଜର୍ଜ। ତାଙ୍କର ପତ୍ନୀ ଓ ପୁଅମାନେ ସେତେବେଳେ ରହୁଥିଲେ ଇଂଲଣ୍ଡରେ। ବଡ଼ଭାଇ ଅଦାଲତକୁ ଗଲା ପରେ ଏତେ ବଡ଼ ଘର ଭିତରେ ରବୀନ୍ଦ୍ରନାଥ ରହୁଥିଲେ ଏକା। ନିର୍ଜନ ଘରେ ଶୁଣାଯାଉଥିଲା ଝିଙ୍କାରିର ଶବ୍ଦ। କବି ଦିନସାରା ଗୋଟିଏ ଡିକ୍ସନାରୀ ନେଇ ବିଭିନ୍ନ ଇଂରାଜୀ ବହି ପଢୁଥିଲେ।

ଅହମଦାବାଦରେ କିଛି ମାସ ଇଂରାଜୀ ସାହିତ୍ୟ ପଢି କବି ଆସିଲେ ବମ୍ବେ। ଏଠାରେ ତାଙ୍କ ସହିତ ଦେଖାହେଲା ବିଲାତ ଫେରନ୍ତା ଜଣେ ତରୁଣୀ ଆନ୍ନାଙ୍କ ସହିତ, ଯିଏ ଇଂରାଜୀ ଭାଷାରେ ପ୍ରବୀଣା , ବୟସରେ ରବୀନ୍ଦ୍ରନାଥଙ୍କ ଠାରୁ ଟିକେ ବଡ଼। ସେ କେବଳ ଗୁଣରେ ଅତୁଲ୍ୟା ନଥିଲେ, ରୂପରେ ମଧ୍ୟ ଥିଲେ ଅତୁଳନୀୟା। ସେଇ ତରୁଣୀଙ୍କ ଉପରେ ପଡ଼ିଲା କିଶୋର କବି ରବୀନ୍ଦ୍ରନାଥଙ୍କ ଇଂରାଜୀ ଶିକ୍ଷାର ଭାର। ସବୁଦିନେ ପାଠଶାଳାରୁ ଫେରି ଆସୁଥିବା ପିଲାଟିଏ ବୋଧହୁଏ ସେଇ ପ୍ରଥମେ ଖୋଜି ପାଇଥିଲା ତାର ପ୍ରଥମ ଶିକ୍ଷିକା। ପ୍ରଥମ ପ୍ରେମ। ଜୀବନର ଶେଷ ପର୍ଯ୍ୟନ୍ତ ସେ ଥିଲେ ରବୀନ୍ଦ୍ରନାଥଙ୍କ ସ୍ମୃତିରେ ଯୋଡ଼ି ହୋଇ।

ଯଦିଓ ବୟସରେ ବଡ଼, ଯଦିଓ ଶିକ୍ଷିକା, ତେବେ ତାଙ୍କ ମୁହଁରୁ ରବୀନ୍ଦ୍ରନାଥ ନିଜ ଚେହେରାର ତାରିଫ୍ ପ୍ରଥମବାର ଶୁଣିଥିଲେ। “ଛେଲେବେଲା”(ପିଲାବେଳ) ଗ୍ରନ୍ଥରେ ରବୀନ୍ଦ୍ରନାଥ ଲେଖିଛନ୍ତି,- “ମନେ ପଡୁଛି, ତାଙ୍କର ମୁହଁରେ ପ୍ରଥମେ ଶୁଣିଥିଲି ମୋ ଚେହେରାର ତାରିଫ୍। ସେ ଥରେ ମତେ କହିଥିଲେ-ଗୋଟିଏ କଥା ମୋର ମନେ ରଖିବ। ତୁମେ କେବେ ଦାଢ଼ି ରଖିବ ନାହିଁ। ତୁମ ମୁହଁର ସୀମାକୁ ଯେମିତି ଦାଢ଼ି ଢାଙ୍କି ହୋଇ ନଯାଏ।” ପୁଣି ଥରେ କହିଥିଲେ- “କବି, ତମର ଗୀତ ଶୁଣିଲେ ମୋର ପ୍ରାଣ ଜାଗ୍ରତ ହୋଇଉଠେ।”

ହେଲେ ରବୀନ୍ଦ୍ରନାଥ ତାଙ୍କର କଥା ରଖି ପାରିନାହାନ୍ତି, ଜୀବନସାରା ଦାଢ଼ି ରଖିଛନ୍ତି, ଏକଥା ସମସ୍ତେ ଜାଣନ୍ତି। କବିଙ୍କ ଭାଷାରେ- “ମୋ ମୁଁହରେ ଅବାଧ୍ୟତା ପ୍ରକାଶ ପାଇବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଗଲା।”

୧୮୭୯ ମସିହା ନଭେମ୍ବର ୧୧ ତାରିଖରେ ବରୋଦା କଲେଜର ଉପାଧ୍ୟକ୍ଷ ହ୍ୟାରଣ୍ଡ ଲିଟଲଡଲେରଙ୍କ ସହିତ ଆନ୍ନାଙ୍କ ବିବାହ ହୋଇଥିଲା। ବିବାହିତ ଜୀବନରେ ବି ସେ ରବୀନ୍ଦ୍ରନାଥଙ୍କୁ ଭୁଲି ନଥିଲେ। କବିଙ୍କ ଆଦରର ଡାକନାମ ନଳିନୀ ସ୍ବାକ୍ଷରରେ ସେ ନିଜର ପ୍ରବନ୍ଧାଦି ପ୍ରକାଶ କରୁଥିଲେ। ୧୮୯୧ ମସିହାରେ ଏଡିନବରା ସହରରେ ଖୁବ୍ କମ୍ ବୟସରେ ସେ ମୃତ୍ୟୁବରଣ କରିଥିଲେ।

କିଶୋର ବୟସରେ ଘଟିଥିବା ଏଇ ନିଶବ୍ଦ ପ୍ରେମର ସ୍ବର ପ୍ରତିଧ୍ବନି ହୋଇ କବିଙ୍କୁ ସାରା ଜୀବନ ଶୁଣାଯାଉଥିଲା।

About Dr. Sarat Kumar Jena

Dr. Sarat Kumar Jena is a writer, researcher and from Odisha. Currently he is working as a professor at Biswabharati University, Kolkata.

View all posts by Dr. Sarat Kumar Jena →

Leave a Reply

Your email address will not be published. Required fields are marked *