ସମ୍ପାଦନା ଅନୁଭୂତି-୨
ମୋର ପ୍ରଥମ ସମ୍ପାଦନା ହାତଲେଖା ପତ୍ରିକା “ତଥାପି” ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମ଼ହାବିଦ୍ୟାଳୟ, ଓଡିଆ ବିଭାଗରୁ ପ୍ରକାଶ ପାଉଥିଲା। ତାହା କେବଳ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ମହଲରେ ସୀମିତ ଥିଲା। ତେବେ ହଠାତ୍ ୧୯୯୩ ମସିହାରେ ଏହାର ପଥ ପ୍ରଦର୍ଶକ ଡ. ନିଶାକର ପାଢୀ(ପାଢୀସାର୍)ଙ୍କର ଵାଙ୍କୀ ମହାବିଦ୍ୟାଳୟକୁ ବଦଳି ହେଲା। ଖବରରେ ସମଗ୍ର ଭଞ୍ଜନଗରରେ ସାହିତ୍ୟିକମାନଙ୍କ ମଧ୍ୟରେ ଶୋକର କଳାବାଦଲ ଖେଳିଗଲା। ପାଢୀସାର୍ ବାଙ୍କୀ ଗଲାପରେ “ତଥାପି” ତ ବନ୍ଦ ହୋଇଗଲା, କିନ୍ତୁ ‘ତଥାପି’ ପ୍ରକାଶନ ଓ ଶିଳ୍ପକଳାର ପ୍ରବୃତ୍ତି ମୋ ଭିତରେ ଅଧିକ ଉଜ୍ଜୀବୀତ ହୋଇଥିଲା। କଲେଜସ୍ତରରୁ ଏହା କିଭଳି ଗ୍ରାମାଞ୍ଚଳକୁ ପ୍ରସାର ହୋଇପାରିବ, ଏ ଚିନ୍ତା ଅହରହ ମୋ ଭିତରେ ଦାନା ବାନ୍ଧିଥିଲା।
ସେତେବେଳେ ଆମ ଗାଁ (କେନ୍ଦୁବାଡି) ପାଖରେ ଥିବା ବୀରରଘୁନାଥପୁର(ଶ୍ରଦ୍ଧାପୁର) ଶାସନର ସତ୍ୟବାନ ପଣ୍ଡା ମୋ ସହିତ ଭଞ୍ଜନଗରରେ ପଢୁଥିଲେ। ସାହିତ୍ୟ ପ୍ରତି ତାଙ୍କର ଶ୍ରଦ୍ଧା ଥିଲା ଓ ସେ ବି କବିତା ଲେଖୁଥିଲେ। ତାଙ୍କର ବାପା କୃଷ୍ଣଚନ୍ଦ୍ର ପଣ୍ଡା( ଗାଁ ଲୋକମାନେ ଡାକୁଥିଲେ ମାଲ ପଣ୍ଡା) ଥିଲେ ଆମ ଗାଁ ଏମ. ଇ. ସ୍କୁଲର ଶିକ୍ଷକ। ପିଲାଦିନେ ତାଙ୍କର ବେତ ମାଡରେ ମୁଁ ପାଠ ପଢିଛି। ତେଣୁ ପଣ୍ଡା ଆଜ୍ଞାଙ୍କ ପୁଅ ହିସାବରେ ତାଙ୍କ ସହିତ ମୋର ବନ୍ଧୁତା ଥିଲା। ଆମେ ଦୁହେଁ ମିଶି ଆମ ଅଞ୍ଚଳରୁ ଗୋଟିଏ ହାତଲେଖା ପତ୍ରିକା ବାହାର କରିବା ପାଇଁ ସ୍ଥିର କଲୁ। ପୂର୍ବରୁ ମୋ ଭିତରେ ଦାନା ବାନ୍ଧିଥିବା ଚିନ୍ତା ଏବେ ମୁକୁଳିବାକୁ ଆରମ୍ଭ କଲା।
ଏ ଭିତରେ ପତ୍ରିକା ସମ୍ପର୍କରେ ମୋର ଆଗ୍ରହ ଓ ଧାରଣା ବଢି ଚାଲିଥାଏ। ପାଢୀସାରଙ୍କ ସୌଜନ୍ୟରୁ ମୁଁ ସେତେବେଳକୁ ବମ୍ବେରୁ ପ୍ରକାଶ ପାଉଥିବା ହାତଲେଖା ପତ୍ରିକା ‘କୁଙ୍କୁମ’ ଦେଖି ସାରିଥାଏ।(ଏମିତିକି କୁଙ୍କୁମର ହାତଲେଖା ସଖ୍ୟା ସହ ପ୍ରଥମ ପ୍ରିଣ୍ଟର କପି ଏବେ ବି ମୋ ପାଖରେ ଅଛି)
ଦିନେ ଉଦୁଉଦିଆ ଖରାବେଳେ ସାଇକେଲ ଧରି ଶ୍ରଦ୍ଧାପୁର ଗଲି। ତିନି କିଲୋମିଟର ଉଠାଣି ରାସ୍ତା ପରେ ମଝିରେ ପାହାଡ। ପାହାଡ ରାସ୍ତା ପାରି ହେଲେ ପୁରା ଦୁଇ କିଲୋମିଟର ଗଡାଣି ଦେଇ ଗଲେ ଶ୍ରଦ୍ଧାପୁର। ଏତେ ଖରାପ ଓ ଉଠାଣି ରାସ୍ତାରେ ସାଇକେଲ ଗଡେଇ ଗଡେଇ ନେବାକୁ ପଡୁଥିଲା। ଖରାବେଳେ ବାଘ, ଭାଲୁ ଆଦି ବଣ୍ୟଜନ୍ତୁଙ୍କ ସହ ଚୋର, ଭୂତ ପ୍ରେତ ଭୟ ବି ଲାଗି ରହିଥିଲା।
ଶ୍ରଦ୍ଧାପୁର ଯାଇ ପଣ୍ଡା ଆଜ୍ଞାଙ୍କ ବାରଣ୍ଡାରେ ବସି ପତ୍ରିକା ସମ୍ପର୍କରେ ଆଲୋଚନା କଲୁ। ମୁଁ ସିନା ଲେଖିଦେବି ଓ ଅଳଙ୍କରଣ କରିଦେବି, ହେଲେ ତାର ଜେରକ୍ସ କେମିତି ହେବ, କେମିତି ପ୍ରସାର ହେବ, ସେଥିପାଇଁ କେମିତି ଅର୍ଥ ଯୋଗାଡ ହେବ, ସେ ସମ୍ପର୍କରେ ବି ଆଲୋଚନା କଲୁ। କାରଣ ସେତେବେଳେ କୋଡିଏ ଟଙ୍କା ଯୋଗାଡ କରିବା ମୋ ପାଖରେ ଥିଲା କାଠିକର ପାଠ। ତେବେ ଇଛାଶକ୍ତି ଥିଲେ ସୁଯୋଗ ଆପେ ଆସେ। ଆମକୁ ଏ କ୍ଷେତ୍ରରେ ସାହାଯ୍ୟ କରିବା ପାଇଁ ଆମ ଅଞ୍ଚଳର କିଛି ସାହିତ୍ୟପ୍ରାଣ ବ୍ୟକ୍ତି ଆଗେଇ ଆସିଲେ।
ମୁଁ ଭଞ୍ଜନଗର ବା ଘୁମୁସର ତାଲୁକାରେ ରହି ପାଠ ପଢୁଥିଲେ ମଧ୍ୟ ଆମ ଗାଁ ହେଉଛି ଆଠଗଡର ସୀମାରେ ଅବସ୍ଥିତ। ଗାଁରୁ ଗୋଟିଏ କିଲୋମିଟର ଗଲାପରେ ଘୁମୁସର ସୀମା ଆରମ୍ଭ ହେବ। ମନରେ ଆସିଲା, ଘୁମୁସରରେ ତ ସାହିତ୍ୟ ଚର୍ଚ୍ଚା ହେଉଛି, ଭଞ୍ଜବାଣୀ ନାମରେ ଗୋଟିଏ ପତ୍ରିକା ବାହାରୁଛି, ଅଥଚ ଆଠଗଡରେ ଏ ଧରଣର କୌଣସି ପତ୍ରିକାର ପ୍ରୟାସ ନାହିଁ। ତେଣୁ ଆଠଗଡର ବିଖ୍ୟାତ କବି କବିସୂର୍ଯ୍ୟଙ୍କ ନାମରେ ଏହାର ନାମକରଣ କରିବାକୁ ସ୍ଥିର କଲୁ। ପତ୍ରିକାର ନାମ ହେଲା “କବିସୂର୍ଯ୍ୟବାଣୀ”। ସତ୍ୟବାନ ପଣ୍ଡା ଏହାର ସମ୍ପାଦକ ରହିଲେ। ଉପଦେଷ୍ଟା ଥିଲେ ପୋଲସରା ଅଞ୍ଚଳର ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ଦାଶ, ମୂରଲୀଧର ନନ୍ଦ ଓ ସଚ୍ଚିଦାନନ୍ଦ ନନ୍ଦ। ବିଜୟ କୁମାର ହୋତା, ଦୀନବନ୍ଧୁ ସାହୁ ଓ ଦିଲ୍ଲୀପ କୁମାର ନନ୍ଦ ପ୍ରମୁଖ ଆମକୁ ସାହାଯ୍ୟ ସହଯୋଗ କରୁଥିଲେ।
ଏହାର ପ୍ରଥମ ସଖ୍ୟା ନିଜେ ଘରେ ବସି ଲେଖିଥିଲି ଓ ଅଳଙ୍କରଣ ବି କରିଥିଲି। ତେବେ ଲେଖିବା ପାଇଁ ଇଣ୍ଡିଆନ୍ ଇଙ୍କ୍ ପେନ୍ ସହଜରେ ଆଖପାଖରେ ମିଳୁନଥିଲା। ତେଣୁ ଚଉତିରିଶ କିଲୋମିଟର ସାଇକେଲ୍ ଚଲେଇ ଯାଇ ଭଞ୍ଜନଗରରୁ ଆଣିବାକୁ ପଡିଥିଲା। ଲେଖା ସରିବା ପରେ ବୁଗୁଡା ଯାଇ ଜେରେକ୍ସ କରିବାକୁ ପଡୁଥିଲା। ସେତେବେଳେ ବୁଗୁଡାରେ ମାତ୍ର ଗୋଟିଏ ବିଦ୍ୟୁତଚାଳିତ ମାନୁଏଲ୍ ଜେରେକ୍କ ଦୋକାନ ଥିବାରୁ ବିଦ୍ୟୁତ ଚାଲିଗଲେ ସାତ ଆଠ ଘଣ୍ଟା ଧରି ଅପେକ୍ଷା କରିବାକୁ ହେଉଥିଲା। ପତ୍ରିକାଟି ଏ-ଥ୍ରୀ ସାଇଜ ପେପରରେ ପଚାଶ ଖଣ୍ଡ କପି ଜେରେକ୍ସ କରି ଆଣି ଆଖପାଖ ଗାଁର ସାଙ୍ଗ ସାଥୀମାନଙ୍କୁ ବାଣ୍ଟିଥିଲୁ। ପ୍ରଥମ ସଂଖ୍ୟା ବାହାରିବାର ଖୁସି କହିଲେ ନସରେ।
ସେତେବେଳେ ଅର୍ଥାତ୍ ୧୯୯୩ ମସିହାରେ ଗଞ୍ଜାମ ଜିଲ୍ଲାରେ ସାକ୍ଷରତା ମିଶନ କାର୍ଯ୍ୟ କରୁଥାଏ ଓ ‘ସାକ୍ଷର ଗଞ୍ଜାମ ସୁନ୍ଦର ଗଞ୍ଜାମ’ର ସ୍ବର ଚାରିଆଡେ ଗୁଞ୍ଜରୀ ଉଠୁଥାଏ। ତେଣୁ ଏହାର ଦ୍ବିତୀୟ ସଖ୍ୟାଟିକୁ ଆମେ ସାକ୍ଷର ବିଶେଷାଙ୍କ କରିଥିଲୁ। “କବିସୂର୍ଯ୍ୟବାଣୀ” ହାତଲେଖା ପତ୍ରିକାର ମୂଲ୍ୟ ଥିଲା ମାତ୍ର ଏକ ଟଙ୍କା। ଭଞ୍ଜନଗର, ବୁଗୁଡା, ବାଲିପଦର ଓ ପୋଲସରାର ଆଖପାଖ ଅଞ୍ଚଳରେ ରହୁଥିବା କବିମାନଙ୍କ କବିତା ଏଥିରେ ସ୍ଥାନ ପାଇଥିଲା। ଗୌରୀପତି ଦାଶ,ଜଗନ୍ନାଥ ନନ୍ଦ, ସଚ୍ଚିଭାଇ, ସୁଶାନ୍ତ କୁମାର କର, ସୁରେନ୍ଦ୍ର ନନ୍ଦ, ବିଜୟ କୁମାର ହୋତା, ବୀଣାପାଣି ପଣ୍ଡା, ବିମ୍ବାଧର ଷଡଙ୍ଗୀ, ରଞ୍ଜିତ କୁମାର ପଣ୍ଡା ଏବଂ ଆହୁରି ଅନେକ ପ୍ରବୀଣ ଓ ତରୁଣ କବିମାନେ ଏଥିରେ କବିତା ଲେଖୁଥିଲେ।ସେତେବେଳର ସେହି ଲେଖକମାନଙ୍କ ମଧ୍ୟରୁ ବର୍ତ୍ତମାନ ମଧ୍ୟ ଅନେକ କବିତା ରଚନା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଛନ୍ତି।
ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ଏଭଳି ଉଦ୍ୟମ ଗୁଣ୍ଡୁଚି ମୂଷା ଭଳି ହୋଇପାରେ, କିନ୍ତୁ ସେଥିରୁ ମିଳୁଥିବା ଉତ୍ସାହ ଓ ପ୍ରେରଣା ପରବର୍ତ୍ତୀ ସମୟରେ ମୋତେ ଆହୁରି ଅଧିକ କର୍ମଠ ଓ ଚଳଚଞ୍ଚଳ କରିଛି। ମାତ୍ର ଚାରୋଟି ସଂଖ୍ୟା ପ୍ରକାଶ ପାଇ “କବିସୂର୍ଯ୍ୟବାଣୀ” ବନ୍ଦ ହୋଇଗଲା, ହେଲେ ଗ୍ରାମାଞ୍ଚଳରେ ସାହିତ୍ୟର ପ୍ରସାର ଓ ଗାଁର ଜନସାଧାରଣଙ୍କ ହୃଦୟରେ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ଦିଗରେ ଏହାର ଭୂମିକାକୁ ଅସ୍ବୀକାର କରାଯାଇ ନପାରେ।
ସୌଜନ୍ୟ: ପଢାପଢି(ସମ୍ପାଦକ-ପ୍ରଦୀପ୍ତ କୁମାର ବେଉରା)