ଏବେ ଟ୍ରେନ୍ କଇଁଚ କି ଗେଣ୍ଡା ଠୁ ବି ଥିରେ ଚାଲୁଥାଏ । କେତେ ପ୍ରକାର କଥା ଶୁଣିବାକୁ ମିଳୁଥାଏ । ଟ୍ରେନ୍ ଲାଇନ୍ ଖରାପ ଅଛି, ଆଗରେ ଆଉ ଗୋଟେ ଟ୍ରେନ୍ ଲେଉଟିପଡିଛି, ଲାଇନ୍ ସଫା ନାହିଁ ଆହୁରି ଆହୁରି କ’ଣ କ’ଣ । ମଝିରେ ମଝିରେ ଟ୍ରେନ୍ ଠିଆ ହେଇଯାଉଥାଏ ଅନିର୍ଦ୍ଦିଷ୍ଟ କାଳ ପାଇଁ କୋଉ ଗୋଟେ ଅନାମଧ୍ୟେୟ ବଣ ମୁଲକ, ବିଲ ଜମି କି ଥୁଣ୍ଟା ବରଗଛ ଥିଲା ମେଲାରେ …. ନହେଲେ କୋଉ ଗୋଟେ ନାଆଁ ଅଜଣା ଥିବା ଷ୍ଟେସନ୍ ଯୋଉଠି ନେମ୍ ପ୍ଲେଟ୍ ତ ଥିବ ଆଉ କିଛି ନଥିବ ଯାହାକୁ ଜଗିଥିବେ ଦୁଇଟି ହାମୁଡି ପଡି ପେଟେଇ ଶୋଇଥିବା ଧକଡା କୁକୁର । ଭୁଲି ଯାଉଥାଏ କି କ’ଣ କେଜାଣି ବାଟ କୋଉପଟେ।
ସିଏ ଯାହା ହେଉ ସାତ ଘଣ୍ଟା ବିଳମ୍ବ ପରେ ପରିଶେଷରେ ଗାଡି ଯାଇ ଲାଗିଲା ଏହମଦାବାଦ ର ବିରାଟ ରେଳ ଷ୍ଟେସନରେ । ଦିନ ଯାଇ ରାତି ହେଇ ସାରିଥିଲା । ସମସ୍ତେ ଧକଉଥିଲେ । ଆମ ବସ୍ ଯାଇସାରଥିଲା । ବୋଧେ ପହଞ୍ଚି ବି ସାରିଥିବ ତା’ର ଗନ୍ତବ୍ୟରେ । ଅପେକ୍ଷାର କଷ୍ଟ ପାସୋରିବାର ଥିଲା, ପହଞ୍ଚିବାର ଖୁସି ସହ । “ଦେର୍ ଆୟେ ଦୁରୁସ୍ତ ଆୟେ “। ରାତିର ବହଳ ଚଦର ଓଢ଼ଉଥିଲା ପୃଥିବୀ ନିଶବ୍ଦରେ ।
ଷ୍ଟେସନ୍ ର escalatorରେ ଏତେ ଜିନିଷ ଓ ପିଲେ ପୁଣି କେବେ escalatorରେ ଆସୁନଥିବା ଗୁରୁଜନମାନଙ୍କୁ ଧରି ଓହ୍ଲାଇବା କଷ୍ଟ ଥିଲା । ଆଉ ଅଳ୍ପ ଭୟ ବି। ତଥାପି ସେଠିକାର ମୌଳିକ ବ୍ୟବସ୍ଥାରେ କେତେ ଜଣ ନିହାତି ଭଦ୍ର ଯାତ୍ରୀମାନଙ୍କ ସହଯୋଗର ହାତ ବଢିବା ଯୋଗୁଁ ସହଜ ହେଲା । ସେମାନେ ଧରି ଓହ୍ଲାଇ ଦେଲେ ବାପା, ଶାଶୁ ଓ ଶ୍ୱଶୁରଙ୍କୁ ….. ।
ଭଲ ମଣିଷ ସବୁଠି ସବୁରି ଭିତରେ ଥା’ନ୍ତି । ସବୁଠି ଥା’ନ୍ତି। ସୁଯୋଗ ତାଙ୍କୁ ଉନ୍ମୁକ୍ତ କରେ । ଉଜ୍ଜ୍ୱଳ କରେ ।
ଆଉ ସମୟ ନଥିଲା କୋଉଠି ଅଟକି ପୁଣି ଯାତ୍ରା ଆରମ୍ଭ କରିବାକୁ, ତେଣୁ ଆମେ ତୁରନ୍ତ ବ୍ୟବସ୍ଥା କ’ଣ ହେଇପାରିବ ଖୋଜିଲୁ ।
ଗୋଟିଏ ବସର ବ୍ୟବସ୍ଥା ହେଇଗଲା ଯେ ଆମେ ଚଢି ସିନା ଗଲୁ ଆଉ ସିଏ ତୁରନ୍ତ ଛାଡି ଦେଲା ହେଲେ ତା’ ଭିତରର ଅବସ୍ଥା ନ କହିବା ଭଲ । ଶୋଇବା ବସ। ତଳ ଦୁଇଟିରେ ଶାଶୁ ଶଶୁର ଆଉ ଗୋଟିକରେ ମୋ ସାନ ଭାଇ ଓ ବାପା ଙ୍କୁ ବସେଇଲୁ । ତାର କବାଟ ସବୁ କାଠର ଓ ସବାରୀ ପରି ଥିଲା । ନୂଆବୋଉ ଶାଶୁଘର ଗଲା ପରି ତା ଭିତରେ ପଶିବାକୁ ହେଲା । ଆଉ ତଳ ସିଟ୍ ନଥିଲା । ତେଣୁ ଉପରକୁ ଆମେ ଚାରିହେଁ ଉଠିଲୁ । ଚଢିବା ପାହାଚ ବି ନଥାଏ । ଜଗନ୍ନାଥେଙ୍କୁ ଜଣା କେମିତି ଚଢିଲୁ । ଚଢି ସିନା ଗଲୁ ଯେହେତୁ ବ୍ଯାଗ ସବୁ ବସ୍ ର ଡିକିରେ ଓ ଆମେ କିଛି ବେଡସିଟ୍ କି ଚଦର ତରବରରେ ବାହାର କରିପାରିନଥିଲୁ ଏବଂ ଏଠି ଏ ସିଟ୍ ସବୁ କଟକ ରିକ୍ସା ସିଟ୍ ଉପର ପରିକା ରବର ଚଦର ପଡିଥାଏ । ଏ ଭାଇ ! କୋଲ ମାରିଗଲୁ ସବୁତକ । କାଚ ଉପର ଗୋଟେ ଫଟା ଥିବାରୁ ସବୁତକ ପବନ ସେଇପଟେ ସାଇଁ ସାଇଁ କରି ପଶୁଥାଏ । ପୁରା ରାତି କେମିତି ବଞ୍ଚିବ ମଣିଷ । ହାତ ପାଦ ବରଫ ହେଇଗଲା ପରି ଲାଗୁଥାଏ ।ପିଲେ ଦିଟା ମୋର ଓଢଣୀ ଆଉ ସ୍କାର୍ଫକୁ ଟାଣିନେଇ ଘୋଡେଇ ହେଇଥା’ନ୍ତି ଆଉ ଆମ କୋଳରେ ଜାକିଜୁକିହେଇ ପଶିଥା’ନ୍ତି କଙ୍ଗାରୁ ଛୁଆ ପରି । ଆମର ହାତ ପାଦ ଶୀଥଳ ହେଇଯାଉଥାଏ । ତଳେ ବାପା ଆଉ ଶଶୁରଙ୍କର ବାକ୍ସ ମୁହଁ କାଠ ହେତୁ ଥଣ୍ଡା ପଶିପାରୁ ନଥାଏ ତ, ସେମାନେ ବସିଥା’ନ୍ତି ଆରାମରେ ଯା ହେଉ । ପିଲେ ଆମକୁ ଛାଡି ତଳକୁ ଚାଲିଯିବାକୁ ବିଲକୁଲ ରାଜି ହେଉନଥାନ୍ତି । ଆମେ ଚାରି ଜଣ ପ୍ରାଣୀ ସେ ରାତି କେବେ ନ ଭୁଲିବୁ । ସେଇମିତି ଥର ଥର ଅବସ୍ଥାରେ ଘୁମଉଥା’ନ୍ତି ପିଲେ, କୁଂ କୁ ଶଦ୍ଦ ସହ । ଆମେ ଦିହେଁ ଦିହିଁଙ୍କି ଚାହୁଁଥାଉ । ଆଉ ଉପାୟ କ’ଣ । ମୁଁ ମନେ ମନେ ମହାପ୍ରଭୁଙ୍କୁ ଡାକୁଥାଏ । କେତେ ପରୀକ୍ଷାରେ ପକେଇବ ଆଉ ଠାକୁରେ ! ଭାବୁଥାଏ । ହେଉ ତୁମ ଇଚ୍ଛା । ତଳେ ବାପା ବାରମ୍ବାର ବ୍ୟସ୍ତ ହେଉଥାନ୍ତି କି ଉପରେ ସବୁ ଠିକ୍ ତ। ଆମେ ବଡ଼ ତୋଡ଼ରେ ହଁ ହଁ ମାରୁଥାଉ। ମୁଁ ପିଲାଙ୍କୁ ଦଶ ମିନିଟରେ ଥରେ ବୁଝାଉଥାଏ “ତଳକୁ ପଳାଅରେ । କାଇଁ ଶୁଣୁନ।” ସିଏ କାଇଁ ବା ଶୁଣିବେ। ବୋଉ ଯୋଉଠି, ଲାଖ ସେଇଠି। ହଉ ପଛେ କଷ୍ଟ।
ସକାଳ ସାଢେ ସାତ ଆଠରେ ଆମେ ଓହ୍ଲାଇଲୁ ଦ୍ବାରକାଧୀଶଙ୍କର ଭବ୍ଯ ପାବନ ଭୂମିରେ । ଓହୋ, ବଞ୍ଚିଗଲା ମଣିଷ । ବ୍ଯାଗପତ୍ର କାଢି ଚାଲଲୁ । ଖରା ପଡି ଆରାମ ଲାଗୁଥାଏ । ଜୀବନ ପଶୁଥାଏ । ବଡ଼ ପବିତ୍ର ସ୍ଥାନ । ତା’ର ଅନୁଭବ ହୃଦୟକୁ ପ୍ଲାବିତ କରୁଥାଏ ।
“ବଂଶୀ ବାଲା”ରେ ଥିଲା ଆମ ରହଣୀ । ଏଠିକାର ସବୁ ଦୋକାନ ସବୁ ହୋଟେଲ ସବୁ ପ୍ରଭୁଙ୍କ ନାଁରେ ହିଁ ଥିଲା । ମନେ ପଡୁଥିଲା ବୃନ୍ଦାବନ ।ସେଠି ବି ଦେଖିଥିଲି ସବୁ ଘର, ଦୋକାନ, ଅନୁଷ୍ଠାନ ଗୋବିନ୍ଦ ନାଆଁରେ ହିଁ ନାମିତ ଥିଲା । ଯୋଉ ଆଡେ ନଜର ପହଁରୁଥିଲା ସବୁଠି ଗୋବିନ୍ଦ ଗୋବିନ୍ଦ ଦିଶୁଥିଲା ।
ରାସ୍ତା ଘାଟ ପରିଷ୍କାର ପରିଛନ୍ନ । ଲୋକେ ସରଳ, ନିର୍ଭେଜାଲ୍, ପରିଶ୍ରମୀ ଦିଶୁଥା’ନ୍ତି । ସମସ୍ତେ ଲାଗିଥା’ନ୍ତି ନିଜ ନିଜର ଦୋକାନର ଖୋଲିବାର ପ୍ରାଥମିକ ପଦ୍ଧତିରେ । ଓଳା, ଧୁଆ, ପୋଛା, ଧୂପ ଦୀପ, ଫୁଲ, ପାଣି ଭୋଗ ଅର୍ପଣେ ହାତ ଯୋଡୁଥା’ନ୍ତି ଦୋକିନୀମାନେ ଗ୍ରାହକ ଈଶ୍ବରମାନଙ୍କ ଉଦ୍ଦେଶ୍ୟରେ ।
ଚଳ ଚଞ୍ଚଳତା ବଢୁଥାଏ । ଏଠାରେ ସବୁକିଛି ଘିଅରେ ତିଆରି ବିନା ପିଆଜରସୁଣ ଓ ସାଦା ଥାଳି ଖାଇବା ଥାଏ । ଆମ ହୋଟେଲରେ ଆମେ ଗାଧୁଆ ପାଧୁଆ କାମ ସାରି ବରାଦ କରିଥିବା ଖାଦ୍ଯ ଖାଇ ବାହାରିଲୁ ଦର୍ଶନ ନିମନ୍ତେ । ମୁଁ ଆଉ ମୋ ବାପା କିଛି ଖାଇଲୁନି ।ଦର୍ଶନ ସାରି ପ୍ରସାଦ ପାଇ ସାରି ଖାଇବୁ ବୋଲି । ଜାଣିନଥିଲୁ ଏଠି ଆମ କାଳିଆ ମନ୍ଦିର ପରି ଅନ୍ନ ଭୋଗ ବ୍ୟବସ୍ଥା ଅଛି କି ନାହିଁ ।ଯଦି ଅଛି ତେବେ ନିଶ୍ଚିତ ସେଇଥିରେ ମନ । ଦେଖାଯାଉ ଯାହା ପ୍ରଭୁଙ୍କ ଇଛ୍ଛା । ଆମ ପୁରୀ ଦାଣ୍ଡ ପରି ବିଶାଳ ବଡ ଦାଣ୍ଡ ନହେଲେ ମଧ୍ୟ ସେଇପରି ଛୋଟ ଛୋଟ ବ୍ଯବସାୟୀମାନଙ୍କର ଖଟିଆ ଓ ବିପଣୀ ମନ ଖୁସି କରୁଥାଏ । ଆକର୍ଷୁଥାଏ। ଦର୍ଶନ ସାରି ଫେରିଲେ ବଜାର ଦେଖିବି ଭାବି ଆଗେଇଲୁ । ଆହୁରି ବହୁତ ଦର୍ଶନାର୍ଥୀ ଗହଳି ଲଗେଇଥାନ୍ତି । କେତେ ପ୍ରକାରେ ବେଶପଟା ପଡିଥାନ୍ତି । ଚନ୍ଦନ ତିଳକ ମଜେଇକି ଚିତା କୁଟେଇଥାନ୍ତି । କୀର୍ତ୍ତନ ମଣ୍ଡଳୀ ଚାଲିଥାନ୍ତି । ତାଙ୍କ ସହ ତାଳ ଦେଇ ସମସ୍ତ ଚଲାଲୋକ ହାତ ତାଳି ସହ ମହାମନ୍ତ୍ର ଜାପ କରୁଥାନ୍ତି ଆପେ ଆପେ । ହରିନାମ ଗଗନେ ପବନେ ଗୁଞୁଥାଏ ।
ସତସଙ୍ଗ ମଣିଷ କୁ କେତେ ଶାନ୍ତି ସ୍ଥର କୁ ନେଇଯାଏ । ତୁମ ଚେତନାକୁ ବାଟ କଢାଏ । ଅଭ୍ୟସ୍ତ କରେଇଦିଏ ଆନନ୍ଦମୟତାକୁ ।ଆପେ ଆପେ ଏ ଭୂମଣ୍ଡଳର ଦୁଃଖ କଷ୍ଟ ଦୂରୀଭୂତ ହୁଏ । ଏହା ହିଁ ତ ସତସଙ୍ଗର ମହିମା ।
ଶହେ ମିଟର ହବ ବୋଧେ । ଚଲାବାଟ । ଦିଅଁ ଙ୍କର ମନ୍ଦିର ଚୁଡା ଦୃଶ୍ୟମାନ ହେଲେ ।ହାତ ଯୋଡିଲୁ ସମସ୍ତେ ଏକ ଗଦଗଦ ଭାବରେ ।ଯେତେ ଥକାପଣ ସବୁ ମିଳେଇଗଲା ।” ହରି ହେ, ହରି ହେ ।ତୁମେ କୃପାମୟ ” ଆପେ କହିହେଇଗଲା ।
ଆମେ ଠିଆ ହେଇଥିଲୁ ଚତୁର୍ଧାମ ତୀର୍ଥ ଭୂମି ସମ୍ମୁଖରେ । ସାଙ୍ଗରେ ବୋଉ ଥିଲା ପରି ଅନୁଭବ ଟେ ହେଉଥିଲା ।ସାନ ଭାଇ କହିଲା, ” ଆଜି ବୋଉ ବହୁତ ଖୁସି ହବ ,ଯୋଉଠି ଥିବ । ତାର ଚାରିଧାମ ଦର୍ଶନ ଆଉ ଟିକିଏକରେ ସଂପୂର୍ଣ୍ଣ ହବ ।” ବାପା ଲୁହ ଲୁହ ଦିଶିଲେ ଏକ ଅବ୍ଯକ୍ତ ଖୁସି ଆଉ ଆବେଗକୁ ଧରି ରଖୁ ରଖୁ ।ମୁଁ ତାଙ୍କ ହାତ ପାପୁଲିକୁ ଧରିଲି । ସିଏ ମୁଠେଇ ଧରି ମତେ ଚାହିଁ ହସିଲେ ଏକ ଆନନ୍ଦ ଦୁଃଖ ମିଶା ହସ । ମୁହଁ ର ଭଙ୍ଗୀ କେତେ କଥା ଲେଖି ନ ଦିଏ ମନରେ ସତେ ! ଆଉ ଶୂନ୍ୟତାକୁ ପୂର୍ଣ୍ଣତାରେ ଭରିବାର ଚେଷ୍ଟା ତ ମଣିଷ ର ଜନ୍ମଗତ ପ୍ରଚେଷ୍ଟା ହି ।
ଆମେ ଧାଡିରେ ଠିଆ ହେଇଥିଲୁ । ପେଲାପେଲି ନଥିଲା । ଶୃଙ୍ଖଳିତ ଧାଡି । ଲୋକେ ହାତରେ ଫୁଲଡାଲା, ଫଳସାକର ଭୋଗ, ଧୂପ ଦୀପ ପୂଜା ସାମଗ୍ରୀ ସବୁ ନୈବେଦ୍ୟ ବାଢିବାକୁ ନେଉଥିଲେ । ମୁଁ ପଦ୍ମ କେତୋଟି ଆଣିଲି ଆଠ ଦଶ ବର୍ଷର କୁନି ପିଲାର ପଦ୍ମ ପସରାରୁ । ତା ଓଠର ହସ ପଦ୍ମ ପରି ପ୍ରତୀତ ହେଲା । ସମସ୍ତଙ୍କୁ ଗୋଟିଏ ଗୋଟିଏ ପଦ୍ମ ଦେଲି ପ୍ରଭୁ ଚରଣାରବିନ୍ଦେ ଅର୍ପଣ ନିମନ୍ତେ ।
ରାଧେ କୃଷ୍ଣ, ହରି ଗୋବିନ୍ଦ ଗୋପାଳ
ହରି ବସୁଦେବ ବାଳ, ଭଜ ନନ୍ଦ ଦୁଲାର
ଜୟ ଜୟ ଦେବ ହରେ …..
ବାପା ସ୍ବର କରି ଗାଉଥାନ୍ତି । ଆମେ କାଳିଆ ମନ୍ଦିର ଦର୍ଶନରେ ଯେତେଥର ଯାଉ ବାପା ଆମକୁ ପ୍ରାର୍ଥନା, ଜଣାଣ ସବୁ ଗାଇବାକୁ ଶିଖେଇଥା’ନ୍ତି । ଆଜି ପୁଣି ଏତେ ଦିନେ ତାଙ୍କ ସହ ପ୍ରାର୍ଥନା ଗାଇବାର ଆନନ୍ଦ ସ୍ବର୍ଗ ସୁଖକୁ ବି ତୁଚ୍ଛ କଲାପରି ଥିଲା । ଆନନ୍ଦମୟଙ୍କ ଅଗଣା ଯାକ ଆନନ୍ଦ ବୁଣି ହେଇଯାଉଥିଲା । ରାଜାଧୀରାଜ କୋଟି ସମ୍ରାଟଙ୍କ ମଉଡମଣି ମଣିମା ଦ୍ବାରକାଧିପତିଙ୍କ ପାଟଅଗଣାରେ ଭକ୍ତ ସମାବେଶ । ସମସ୍ତଙ୍କ ଚକ୍ଷୁ, ଚେତନା, ଆତ୍ମା, ମନ, ଜୀବନ ଏକ ଲକ୍ଷ୍ୟ, ଏକ ଦିଗାଭିମୁଖୀ । କିଏ କେତେ କଣ ମନୋବାଞ୍ଛା ନେଇ କରପତ୍ର ଯୋଡୁଛି, ନିଉଛାଳି ହେଉଛି, ଲମ୍ବ ଦଣ୍ଡବତ ପ୍ରତିପାଦିତ କରୁଛି । ଅନ୍ତରରେ ଭକ୍ତି ଉବୁଟୁବୁ । ଚତୁର୍ବଗ ଫଳ ଧର୍ମ, ଅର୍ଥ, କାମ, ମୋକ୍ଷ ପ୍ରଦାନୁଛନ୍ତି ମହାବାହୁ ଚତୁର୍ଭୁଜ ଖୋଲି । ଢାଳୁଛନ୍ତି କରୁଣା । ଏବେ ଲେଖିଲା ବେଳେ ବି ରୋମ ଟାଙ୍କୁରି ଉଠୁଛି ଆନନ୍ଦର ଅନୁଭୂତିରେ।
” ନେଇ ଯା ନେଇ ଯା ରେ ମୂଢମତି
ଭକତି ସମ୍ପତ୍ତି ଧନ….
ବଦଳରେ ଦେଇ ମନ ….
ରେ ମୂଢମତି ଭକତି ସମ୍ପତ୍ତି ଧନ ।”
କେତେ ପ୍ରକାରେ ସାଧୁସନ୍ଥ, ସାଧ୍ବୀ, ତପସ୍ବୀ ଠୁଳ ହେଇଥା’ନ୍ତି । ତନ୍ମୟ ଥା’ନ୍ତି। ଅଦ୍ଭୁତ ବେଶରେ ଯୋଗସାଧନା କରୁଥାନ୍ତି । ମନ୍ଦିର କାନ୍ଥ ସାରା କୃଷ୍ଣ ଲୀଳା ଛବି ସବୁ ଅଙ୍କିତ ହୋଇଥା’ନ୍ତି ।
କୁହାଯାଏ କାଳେ ମଣିମା ପରମବ୍ରହ୍ମ ଗୋବିନ୍ଦଚନ୍ଦ୍ରଙ୍କର ଅଣନାତି ବ୍ରଜନଭ ଗଢେଇଥିଲେ ବର୍ତ୍ତମାନର ଏଇ ମନ୍ଦିର । ଆମେ ଜାଣିଥିବା, ଶୁଣିଥିବା ବା ପଢିଥିବା ଦ୍ବାରକା ସେଇ ଐଶ୍ଚଯ୍ଯମୟୀ ଦ୍ବାରକା, ଲକ୍ଷ୍ମୀ ଅଧିପତି ଜଗଦୀଶଙ୍କର ରାଜଧାନୀ ଭବ୍ଯ ଦ୍ବାରକାର ଛବି ବର୍ତ୍ତମାନ ଅତଳ ସାଗର ଗର୍ଭରେ ଲୀନ । ରହିଛି ତ କିଛି ଭଗ୍ନାବିଶେଷ ଆମ ପାଇଁ । ଆମେ ସେଇ ଯୁଗର ଚିଜ ଏଇ ଯୁଗରେ ଦେଖିପାରିବା ବ୍ୟବସ୍ଥା ଠାକୁରେ ଖଞ୍ଜା କରିଛନ୍ତି କ’ଣ କମ୍ କୃପା।
କ୍ରମଶଃ ……