ନଭେମ୍ବର 12 ତାରିଖରେ 85 ବର୍ଷ ବୟସରେ ଚାଲିଗଲେ ପ୍ରଖ୍ୟାତ ନାଟ୍ୟକାର, ନାଟ୍ୟ ପରିଚାଳକ, ଅଭିନେତା ମନୋଜ ମିତ୍ର । ଶହେରୁ ଅଧିକ ନାଟକ, ଏକାଙ୍କିକା ଲେଖିଛନ୍ତି ସେ । ବହୁ ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଲେଖିଛନ୍ତି । ତାଙ୍କର ଅତ୍ୟନ୍ତ ଜନପ୍ରିୟ ନାଟକଗୁଡ଼ିକ ମଧ୍ୟରୁ ରହିଛି – ‘ସାଜାନୋ ବାଗାନ'(‘ବାଞ୍ଛାରାମେର ବାଗାନ’ ନାଁରେ ଏହା ଚଳଚିତ୍ରାୟିତ ହୋଇଥିଲା), ‘ନରକ ଗୁଲଜାର’, ‘ଅଶ୍ୱଥମା’, ‘ଚାକବାଁଧା ମଧୁ’, ‘ମେଷ ଓ ରାକ୍ଷସ’, ‘ରାଜଦର୍ଶନ’, ‘ଅଲକାନନ୍ଦର ପୁତ୍ର କନ୍ୟା’, ‘ଛାୟାର ପ୍ରସାଦ’, ‘ଜେନେ ଶୁନେ ବିଷ’, ଇତ୍ୟାଦି ।
ମନୋଜ ମିତ୍ରଙ୍କର ନାଟକରେ ସବୁବେଳେ କୌତୁକ ଏବଂ ବିଷାଦ ପାଖାପାଖି ଥାଏ । ତାଙ୍କର ଜୀବନରେ ମଧ୍ୟ ଏହା ବାରମ୍ବାର ହେଇଛି । ତାଙ୍କର ଜନ୍ମ ବର୍ତ୍ତମାନ ବାଙ୍ଗଲାଦେଶର ଖୁଲନା ଜିଲ୍ଲା ସାତଖିରା ମହକୁମାର ଧୂଳିଘର ଗାଁ । ୧୯୩୮ ମସିହା । ସେ ଥିଲେ ବାପା ମା’ଙ୍କର ପ୍ରଥମ ସନ୍ତାନ । ତାଙ୍କ ବାପା ଅଶୋକ କୁମାର ମିତ୍ର ପ୍ରାଥମିକ ଜୀବନରେ ଶିକ୍ଷକତା କରୁଥିଲେ । ପରେ ବ୍ରିଟିଶ୍ ସରକାରଙ୍କର ଭ୍ରାମ୍ୟମାଣ ଅଦାଲତର ବିଚାରକ ଭାବରେ କାମ କରନ୍ତି । ବାପାଙ୍କ ଚାକିରୀ ସୂତ୍ରରେ ପିଲାବେଳେ ମନୋଜଙ୍କୁ ଅଭିଭକ୍ତ ବଙ୍ଗ ପ୍ରଦେଶର ବିଭିନ୍ନ ଯାଗାରେ ରହିବାକୁ ପଡିଛି । ଫଳରେ ଶୈଶବରୁ ହିଁ ସେ ବିଭିନ୍ନ ପ୍ରକାରର ମଣିଷ, ସେମାନଙ୍କର ବିଚିତ୍ର ସବୁ ପେଷା ଆଉ ପ୍ରକୃତିର ସୌନ୍ଦର୍ଯ୍ୟକୁ ସେ ପ୍ରତ୍ୟକ୍ଷ କରିଛନ୍ତି । ପିଲାବେଳେ ଜଣେ ଗୃହ ଶିକ୍ଷକଙ୍କ ସାହଚର୍ଯ୍ୟ ତାଙ୍କୁ ପାଠ୍ୟ ବିଷୟ ବାହାରେ ଜଗତ ସଂପର୍କରେ ଆଗ୍ରହୀ କରିତୋଳେ । ସୃଜନଶୀଳ ଲେଖାଲେଖିର ନିଅଁ ବୋଧେ ସେହି ସମୟରୁ ପଡିବା ଆରମ୍ଭ ହୋଇଥିଲା ।
ତାଙ୍କ ଜୀବନର ଆଶ୍ଚର୍ଯ୍ୟ ଘଟଣା ହେଉଛି ସ୍ୱାଧିନତା । ୧୯୪୭ ୧୫ ଅଗଷ୍ଟରେ ତାଙ୍କ ବାପାଙ୍କର ତତ୍କାଳୀନ କର୍ମସ୍ଥାନ ମୈମନସିଂ ପାକିସ୍ଥାନକୁ ଆଉ ଆଉ ତାଙ୍କର ପୈତୃକ ନିବାସ ଖୁଲନା ଜିଲ୍ଲା ଭାରତକୁ ଗଲା ବୋଲି କୁହାଗଲା । ହେଲେ ଠିକ୍ ତା ଦିନେ ପରେ ଜଣା ପଡିଲା ଯେ ଖୁଲନା ପାକିସ୍ଥାନରେ ପଡିଛି । ମୁହୁର୍ତ୍ତକ ମଧ୍ୟରେ ନିଜ ଭୂମିକୁ ପରବାସରେ ପରିଣତ ହେବା- ଜୀବନର ଏ ନିଷ୍ଠୁର ରସିକତାକୁ ସେ ଅଙ୍ଗେ ନିଭେଇଛନ୍ତି । ତା ପରଠୁ ତାଙ୍କ ନାଟକରେ ଏଇ ଦୈବ ବିଡମ୍ବିତ ମଣିଷର ବିଷୟ ବାରମ୍ବାର ଆସିଛି ।
୧୯୫୦ ମସିହା ବେଳକୁ ମନୋଜ ମିତ୍ରଙ୍କର ପରିବାର ଭାରତକୁ ଚାଲି ଆସନ୍ତି ଏବଂ ପଶ୍ଚିମବଙ୍ଗରେ ବସବାସ ଆରମ୍ଭ କରନ୍ତି । ସ୍କୁଲ ଜୀବନରୁ ତାଙ୍କର ଥିଏଟର ଚର୍ଚ୍ଚାର ଆରମ୍ଭ ହୁଏ । ୧୯୫୪ ମସିହାରେ ସ୍କଟିସ ଚର୍ଚ୍ଚ କଲେଜରେ ଇଣ୍ଟରମିଡିଏଟରେ ଯେତେବେଳେ ସେ ଭର୍ତ୍ତି ହେଲେ ସେତେବେଳେ ସେ ସମମନସ୍କ ବେଶ୍ କିଛି ଲୋକଙ୍କୁ ପାଇଥିଲେ । ଆଉ କଲେଜ ଅଧ୍ୟାପକମାନଙ୍କ ଭିତରୁ ଅନେକେ ଥିଲେ ସୃଜନଶୀଳ ବିଷୟରେ ଖୁବ୍ ଉତ୍ସାହିତ । ସେହି ସମୟରୁ ମନୋଜ ଛୋଟ ଗଳ୍ପ ଲେଖିବା ଆରମ୍ଭ କରନ୍ତି । ପରେ ସେହି କଲେଜରେହିଁ ଯେତେବେଳେ ଦର୍ଶନରେ ଅନର୍ସ ନେଇ ସ୍ନାତକ ଶ୍ରେଣୀରେ ପଢ଼ନ୍ତି ସେତେବେଳେ ବନ୍ଧୁମାନଙ୍କୁ ନେଇ ପ୍ରତିଷ୍ଠା କରନ୍ତି ନାଟକ ଦଳ ‘ସୁନ୍ଦରମ୍’ । ସେଇଠୁ ସେ ନାଟକ ସହିତ ପୁରାପୁରି ଜଡିତ ହୋଇ ପଡିଥିଲେ ।
କଲିକତା ବିଶ୍ୱବିଦ୍ୟାଳୟରେ ଏମ. ଏ. ପଢ଼ିଲାବେଳେ ତାଙ୍କର ପ୍ରଥମ ନାଟକ ଲେଖା । ୨୧ ବର୍ଷ ବୟସରେ ମନୋଜଙ୍କର ପ୍ରଥମ ଲେଖା ନାଟକ ‘ମ୍ରିତ୍ୟୁର ଚୋଖେ ଜଲ’ (ମୃତ୍ୟୁ ଆଖିରେ ପାଣି) ଏକାଙ୍କ ପ୍ରତିଯୋଗୀତା ପାଇଁ ଲେଖା ହୋଇଥିଲା । ଏ ନାଟକଟି ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଏହି ସମୟରୁ ଛୋଟ ଗଳ୍ପରୁ ଧିରେ ଧିରେ ସେ ନାଟକ ଆଡକୁ ମୁହେଁଇ ଯାଆନ୍ତି । ନାଟକକୁ ହିଁ ତାଙ୍କର ଯାବତୀୟ ଭାବନାର ପ୍ରକାଶ ମାଧ୍ୟମ କରି ତୋଳିବା ପାଇଁ ସେ ସଚେଷ୍ଟ ହୁଅନ୍ତି ।
କର୍ମ ଜୀବନରେ ପ୍ରବେଶ କରନ୍ତି ସେ ଦର୍ଶନର ଅଧ୍ୟାପକ ଭାବରେ କିନ୍ତୁ ପରେ ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟରେ ନାଟକ ବିଭାଗରେ ଅଧ୍ୟାପନା କାର୍ଯ୍ୟରେ ଯୋଗ ଦିଅନ୍ତି । ପ୍ୟାଶନ ସହିତ ପ୍ରଫେସନ ଏକାଠି ହୁଏ । ବେଶ୍ କିଛି ନାଟକ ସିଏ ଲେଖିଛନ୍ତି । ଅଭିନୟ କରିଛନ୍ତି, ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।
୧୯୭୭ ମସିହାରେ ମନୋଜ ଲେଖିଲେ ‘ସାଜାନୋ ବାଗାନ’ (ସଜାସଜି ହୋଇଥିବା ବଗିଚା) । ପ୍ରଧାନ ଭୂମିକାରେ ସେ ନିଜେ ଅଭିନୟ କରିଥିଲେ । ନାଟକର ଦର୍ଶକମାନେ ଏମିତି ଏକ ନାଟକ ଉପହାର ପାଇଲେ ଯାହାର ଫର୍ମ ସହିତ ସେମାନଙ୍କର ବିଶେଷ ପରିଚିତ ନଥିଲା । ବକ୍ତବ୍ୟ ଭାରାକ୍ରାନ୍ତ ନଥିଲା ‘ସାଜାନୋ ବାଗାନ’ । ବକ୍ତବ୍ୟ ଭାରାକ୍ରାନ୍ତତାରୁ ନାଟକକୁ ମୁକ୍ତି ଦେବାପାଇଁ ଚାହିଁଥିଲା ‘ସାଜାନୋ ବାଗାନ’ । ସେଥିରେ ମଣିଷର ସୁଖଦୁଖ ଥିଲା । ଆଶା ଆକାଂକ୍ଷା ଥିଲା । ପ୍ରାକୃତ ଓ ଅପ୍ରାକୃତର ସହଜ ସହାବସ୍ଥାନ ଥିଲା କିନ୍ତୁ ଶ୍ରେଣୀ ସଂଗ୍ରାମର ତତ୍ତ୍ୱ କଠିନ ପ୍ରୟୋଗ ନଥିଲା । ତଥାକଥିତ ସାମାଜିକ ଦାୟବୋଧ ବଙ୍ଗଳା ନାଟକକୁ କ୍ରମଶଃ କ୍ଳାନ୍ତ ଏବଂ ବୈଚିତ୍ରହୀନ କରି ତୋଳୁଛି ସେକଥା ସେ ବୁଝି ପାରିଥିଲେ । କିନ୍ତୁ ତାଙ୍କ ନାଟକ ବକ୍ତବ୍ୟହୀନ ହେଇଯାଇ ନାହିଁ କେବେ । ଶ୍ରେଣୀ ନୁହେଁ, ବ୍ୟକ୍ତିହିଁ ତାଙ୍କ ନାଟକର କେନ୍ଦ୍ର ହେଇ ଉଠେ । ‘ଚାକ ଭାଙ୍ଗା ମଧୁ’ର ଜଟା ‘ସାଜାନୋ ବାଗାନ’ର ବାଂଛା – ସମସ୍ତେ ବ୍ୟକ୍ତି । କମେଡିର ଉଲ୍ଲାସ କ୍ରମଶଃ ଟିକିଏ ସଂଜତ ଜୀବନର ବେଦନାର ସ୍ରୋତ ଟିକେ ଅଧିକ ।
ନାଟ୍ୟକାର-ପରିଚାଳକ ମନୋଜ ମିତ୍ରଙ୍କୁ ଚଳଚ୍ଚିତ୍ର ଅଭିନୟରେ ପ୍ରଥମେ ଦେଖାଯାଏ ତପନ ସିଂହ ପରିଚାଳିତ ‘ବାଂଛାରାମେର ବାଗାନ୍’ (୧୯୮୦)ରେ । ତାଙ୍କରି ନାଟକର ଚଳଚ୍ଚିତ୍ରାୟନରେ ସେ ନିଜେ ବାଂଛାରାମର ଚରିତ୍ରରେ ଅଭିନୟ କରିଥିଲେ । ପରିଣତ ବୟସରେ ମଂଚରୁ ସିନେମା ପର୍ଦ୍ଦାକୁ ଉଠି ଆସିବା ସହଜ କାମ ନଥିଲା । କିନ୍ତୁ ଅତ୍ୟନ୍ତ ସଫଳତାର ସହିତ ମନୋଜ ମିତ୍ର ତାହା କଲେ । ତା ପରଠୁ ପରଦା ଏବଂ ମଂଚ ଉଭୟର ଅଭିନେତା ହୋଇ ଉଠିଥିଲେ ସେ । ତପନ ସିଂହ, ବୁଦ୍ଧଦେବ ଦାସଗୁପ୍ତ, ସତ୍ୟଜିତ ରାୟଙ୍କ ଭଳି ପରିଚାଳକଙ୍କ ନିର୍ଦ୍ଦେଶନାରେ ସେ କାମ କରିଛନ୍ତି ପୁଣି ଅରବିନ୍ଦ ମୁଖୋପାଧ୍ୟାୟ, ହରନାଥ ଚକ୍ରବର୍ତ୍ତୀ, ପ୍ରଭାତ ରାୟ ବା ଅଞ୍ଜନ ଚୌଧୁରୀଙ୍କ ଭଳିଆ ମୂଳଧାରାର ପରିଚାଳକଙ୍କ ଚଳଚ୍ଚିତ୍ରରେ ଥିଲା ତାଙ୍କର ଅନାୟାସ ଉପସ୍ଥିତି । ଅଞ୍ଜନ ଚୌଧୂରୀ ପରିଚାଳିତ ୧୯୮୪ର ଚଳଚ୍ଚିତ୍ର ‘ଶତୃ’ରେ ଖଳନାୟକ ଭୂମିକାରେ ସିରିଓ -କମିକ ଭିଲିଆନର ଉଦାହରଣ ସୃଷ୍ଟି କରିଥିଲେ ସେ ।
ଶ୍ରେଷ୍ଠ ନାଟ୍ୟକାର ଭାବରେ ସଙ୍ଗୀତ ନାଟକ ଆକାଡେମୀ, ପଶ୍ଚିମବଙ୍ଗ ରାଜ୍ୟ ସରକାର ପୁରଷ୍କାର, ଏସିଆଟିକ ସୋସାଇଟିର ସ୍ୱର୍ଣ୍ଣପଦକ,ବାଙ୍ଗଳାଦେଶ ଥିଏଟର ସୋସାଇଟ୍ ପ୍ରଦତ୍ତ ମୁନୀର ଚୌଧୂରୀ ପୁରଷ୍କାର ଇତ୍ୟାଦି ସମ୍ମାନରେ ସେ ସମ୍ମାନୀତ ହୋଇଛନ୍ତି । ୨୦୧୯ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ନାଟ୍ୟ ଏକାଡେମୀର ସଭାପତି ଦାୟିତ୍ୱ ସମ୍ଭାଳିଛନ୍ତି ।
ତାଙ୍କର ବହୁ ନାଟକ ଓଡିଆ ଭାଷାରେ ଅନୁଦିତ ହୋଇ ମଂଚସ୍ଥ ହୋଇଛି । ‘ବାଞ୍ଛାରାମେର ବାଗାନ’ ଠୁ ‘ତକ୍ଷକ’, ‘ଦେବୀ ସର୍ପମସ୍ତା’, ‘କିନାରାମ୍ ବେଚାରାମ’, ଇତ୍ୟାଦି ବହୁ ନାଟକ ଦର୍ଶକମାନଙ୍କୁ ଆମୋଦିତ କରିବା ସଙ୍ଗେ ସଙ୍ଗେ ସମାଜର ବାସ୍ତବ ରୂପକୁ ଦର୍ଶକଙ୍କ ସାମ୍ନାରେ ତୋଳି ଧରେ ।
ତାଙ୍କର ବିୟୋଗ ଯେ ଭାରତୀୟ ନାଟ୍ୟ ଜଗତରେ ଏକ ବିଶାଳ ଶୂନ୍ୟତା ସୃଷ୍ଟି କରିଛି ଏକଥା କହିବା ବାହୁଲ୍ୟ ମାତ୍ର ।
++
ଆଇ. ଆଇ. ଏମ. ସି., ସଞ୍ଚାର ମାର୍ଗ, ଢେଙ୍କାନାଳ, 759001
mrinalchatterjeeiimc@gmail.com