ଏହି ପୁସ୍ତକରେ ସ୍ଥାନିତ ପ୍ରବନ୍ଧଗୁଡ଼ିକ କେବଳ କଳା ଜଗତକୁ ନେଇ ସୀମିତ ନୁହେଁ, ବରଂ: ଲେଖକ ରୋଜେନବର୍ଗ କବିତା, ରାଜନୈତିକ ଏବଂ ସାଂସ୍କୃତିକ ମତବାଦ ସହ ଲୋକପ୍ରିୟ ସଂସ୍କୃତି (Popular Culture) ଆଦି ବିଷୟରେ ବିସ୍ତୃତଭାବେ ଆଲୋଚନା କରିଛନ୍ତି । ଜର୍ମାନ ଇହୁଦୀ ଦାର୍ଶନିକ ଏବଂ ସାଂସ୍କୃତିକ ସମାଲୋଚକ ୱାଲ୍ଟର ବେଞ୍ଜାମିନ୍ (୧୮୯୨ – ୧୯୪୦)ଙ୍କ ପ୍ରବନ୍ଧ ପରି ବ୍ୟାପକ, ସ୍ୱାଧୀନ ଏବଂ ଗଭୀର ଅନୁସନ୍ଧାନମୂଳକ, ହ୍ୟାରୋଲ୍ଡ୍ ରୋଜେନବର୍ଗଙ୍କ “ଦି ଟ୍ରାଡିଶନ ଅଫ୍ ଦି ନ୍ୟୁ” ବିଂଶ ଶତାବ୍ଦୀର କଳା ସମାଲୋଚନା କ୍ଷେତ୍ରରେ ଯଥାର୍ଥରେ ଏକ କ୍ଲାସିକ୍ ଅଟେ ।
“ଦି ଟ୍ରାଡିଶନ୍ ଅଫ୍ ଦି ନ୍ୟୁ” ବହିଟିର ପ୍ରଚ୍ଛଦ ଯେକୌଣସି ସାଧାରଣ ପ୍ରଚ୍ଛଦ ଭଳି ନୁହଁ । ପ୍ରସିଦ୍ଧ ଡଚ-ଆମେରିକନ୍ ଆବଷ୍ଟ୍ରାକ୍ଟ ଏକ୍ସପ୍ରେଶନିସ୍ଟ୍ ଚିତ୍ରଶିଳ୍ପି ୱିଲିଅମ୍ ଦ କୋନିଙ୍ଗ୍ (୧୯୦୪ – ୧୯୯୭) ଙ୍କ ଦ୍ୱାରା ପ୍ରସ୍ତୁତ ଏହି ଅନନ୍ୟ ପ୍ରଚ୍ଛଦଟି ବହିଟିର ମୂଳ ଅବଧାରଣାକୁ ରୁଦ୍ଧିମନ୍ତ କରୁଅଛି ।
ହ୍ୟାରୋଲ୍ଡ୍ ରୋଜେନବର୍ଗ (୧୯୦୬ – ୧୯୭୮) ଦି ନ୍ୟୁ ୟର୍କର୍ ମ୍ୟାଗାଜିନ ପାଇଁ ଜଣେ କଳା ସମୀକ୍ଷକ ଭାବେ କାର୍ଯ୍ୟରତ ଥିଲେ, ଦି ୟୁନିଭର୍ସିଟି ଅଫ୍ ଶିକାଗୋଠାରେ ପ୍ରଫେସର ଥିଲେ, ଜଣେ ଲେଖକ ଏବଂ କବି ଥିଲେ । ସେ ନିଃସନ୍ଦେହରେ ବିଂଶ ଶତାବ୍ଦୀର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆମେରିକୀୟ କଳା ସମାଲୋଚକ ଥିଲେ । ଆମେରିକୀୟ ଆବଷ୍ଟ୍ରାକ୍ଟ ଏକ୍ସପ୍ରେଶନିସ୍ଟ୍ ଯେପରିକି ଜ୍ୟାକସନ୍ ପୋଲକ୍, ଫ୍ରାଞ୍ଜ କ୍ଲାଇନ୍, ଏବଂ ୱିଲିଅମ୍ ଦ କୋନିଙ୍ଗଙ୍କ ଭଳି କଳାକାରମାନଙ୍କୁ ସୂଚାଇବାକୁ ଯାଇ ସେ ହିଁ ପ୍ରଥମେ “ଆକ୍ସନ୍ ପେଣ୍ଟର୍ସ” ଶବ୍ଦର ବ୍ୟବହାର କରିଥିଲେ । ଏହି କଳା ଆନ୍ଦୋଳନ ଉପରେ ରୋଜେନବର୍ଗଙ୍କ ଗଠନମୂଳକ ରଚନା ତଥା ବାର୍ନେଟ ନ୍ୟୁମନ୍ ଏବଂ ମାର୍କ ରୋଦକୋଙ୍କ ପରି ଅନ୍ୟ କଳାକାରମାନଙ୍କ ଉପରେ ତାଙ୍କର ପ୍ରଥମ ତଥା ପ୍ରଭାବଶାଳୀ ପୁସ୍ତକ “ଦି ଟ୍ରାଡିଶନ ଅଫ୍ ଦି ନ୍ୟୁ” ୧୯୫୯ରେ ପ୍ରକାଶିତ ହୋଇଥିଲା; ପରବର୍ତ୍ତୀ କଳା ସମାଲୋଚନା ଏବଂ କଳା ଅଭ୍ୟାସ ଉପରେ ଏହାର ପ୍ରଭାବ, ଆଜି ମଧ୍ୟ ଅନୁଭୂତ ହେଉଛି ।
ନ୍ୟୁ ୟର୍କ ସ୍ଥିତ ଦା କାପୋ ପ୍ରେସ୍ ଦ୍ୱାରା ପ୍ରକାଶିତ, କଳା ଓ ସାହିତ୍ୟ ସମାଲେଚନାକୁ ଆଧାର କରି ୨୮୫ ପୃଷ୍ଠା ବିଶିଷ୍ଟ ଏଇ ବହିଟି, ୨୦୧୦ ମସିହାରେ ମୋର ଜଣେ ଚିତ୍ରଶିଳ୍ପି ବନ୍ଧୁଙ୍କଠାରୁ ଉପହାର ସ୍ୱରୂପ ପାଇଥିଲି । ସ୍ପଷ୍ଟବାଦୀ, ସରଳ ଓ ସାବଲୀଳ ଇଂରାଜୀ ଭାଷାରେ ଲିଖିତ ଏହି ବହିଟି ପୃଷ୍ଠା ପରେ ପୃଷ୍ଠା ମୋ ମନ ଭିତରେ ନୂତନତ୍ୱର ନବ ଉନ୍ମାଦନା ଆଣି ଦେଇଥିଲା । ବହିଟିର କେନ୍ଦ୍ରୀୟ ବିଷୟବସ୍ତୁ ହେଉଛି ଆତ୍ମ-ରୂପାନ୍ତର ସହ ଅନ୍ୟମାନଙ୍କର ରୂପାନ୍ତରିକରଣ । ନିଜକୁ ପୁନଃଆବିଷ୍କାର କରିବା ।
ବହିଟି ପଢ଼ିବାବେଳେ ପେନସିଲରେ ଅଣ୍ଡରଲାଇନ୍ କରିଥିବା ଅଳ୍ପ କିଛି ଧାଡ଼ି ସହ ଅନୁସନ୍ଧାରରୁ ମିଳୁଥିବା ଲେଖକଙ୍କ କିଛି ମହତ୍ତ୍ୱପୂର୍ଣ୍ଣ ବାକ୍ୟାଂଶ ଉଦ୍ଧାର କରି ତାର ପାଖାପାଖି ଓଡ଼ିଆ ଅନୁବାଦ ତଳେ ଲେଖୁଛି :
“ଜଣେ ନୂତନ ମଣିଷ ହେବା ଏକ ସର୍ତ୍ତ ନୁହେଁ ବରଂ ଏକ ପ୍ରୟାସ ।“
“ମୋର ଚିତ୍ରକଳା କଳା ନୁହେଁ; ଏହା ଅଟେ ।” “ଏହା କୌଣସି ବସ୍ତୁର ଚିତ୍ର ନୁହେଁ; ଏହା ନିଜେ ହିଁ ଗୋଟେ ବସ୍ତୁ ।” “ଏହା ପ୍ରକୃତିର ପୁନଃପ୍ରକାଶନ କରେ ନାହିଁ; ଏହା ପ୍ରକୃତି ଅଟେ।” “ଚିତ୍ରକର ଭାବେ ନାହିଁ; ସେ ଜାଣେ ।”
ହିନ୍ଦୁମାନେ କୁହନ୍ତି, “ବାସ୍ତବତା (Realism) ହେଉଛି ସତାବନ ପ୍ରକାରର ଶୋଭାପ୍ରଦ ସାଜସଜ୍ଜା ମଧ୍ୟରୁ ଅନ୍ୟତମ ।“
“ପ୍ଲାଟୋ ଠାରୁ ନୀଚାଃ(Nietzsche) ପର୍ଯ୍ୟନ୍ତ, ପୌରାଣିକ “ମିଥ୍ୟା” କିମ୍ବା ପ୍ରକାଶନ(revelation)ର ସତ୍ୟତା ସହିତ କଳାକୁ ଏକ ଅତିବାସ୍ତବ ଭାବରେ କଳ୍ପନା କରାଯାଇଛି ।“
“ଆମେରିକାର ସମୟ ସାରା ବିଶ୍ୱରେ ବ୍ୟାପିଛି । ଏହି ଆଧୁନିକ ଇତିହାସ, ବିଶେଷ କରି ୟୁରୋପୀୟ ଇତିହାସର ଏକ ପ୍ରମୂଖ ସ୍ରୋତରେ ପରିଣତ ହୋଇଛି ।“
“ପ୍ରତ୍ୟେକ ସଚ୍ଚା କଳାକାରଙ୍କର ଉଦ୍ଦେଶ୍ୟ ହେଉଛି କଳା ଇତିହାସ ସହିତ ସାମଞସ୍ୟ ରକ୍ଷା କରିବା ନୁହଁ, ବରଂ ଏହାକୁ ନିଜସ୍ୱ ଇତିହାସ ସହିତ ବଦଳାଇବା ପାଇଁ ଏଥିରୁ ନିଜକୁ ମୁକ୍ତ କରିବା ।“
“ଚିତ୍ରକରଙ୍କ ଗହଣରେ ସମ୍ମାନ ପାଉଥିବା ଜଣେ ଚିତ୍ରକର ଶୀଘ୍ର କିମ୍ବା ବିଳମ୍ବରେ ହେଉ ଆବିଷ୍କାର ହେବାକୁ ବାଧ୍ୟ ।“
“କେବଳ ରକ୍ଷଣଶୀଳମାନେ ବିଶ୍ୱାସ କରନ୍ତି ଯେ କଳାରେ ବିଦ୍ରୋହ ଜାରି ରହିଛି ଏବଂ ସମାଜ ଏହା ଦ୍ୱାରା ପ୍ରକମ୍ପିତ ହେଉଛି …”
ରାଜନୌତିକ ବିପ୍ଲବ ଠାରୁ କଳାରେ ବିପ୍ଳବ କିପରି ଅଲଗା ତାହା ଦର୍ଶାଇବାକୁ ଯାଇ ସେ ଲେଖୁଛନ୍ତି, “କଳାରେ ବିପ୍ଳବ ବିନାଶ କରିବାର ଇଚ୍ଛାରେ ନୁହେଁ ବରଂ ଯାହା ପୂର୍ବରୁ ବିଲୟ ହୋଇଯାଇଛି ତାହାର ପ୍ରକାଶନରେ ଅଛି । କଳା କେବଳ ମୃତମାନଙ୍କୁ ହତ୍ୟା କରିଥାଏ ।“