କମଳାକାନ୍ତ ମହାପାତ୍ରଙ୍କ ଅନୁଦିତ “ଟିକି ରାଜକୁମାର”

ଶୀତ ଯିବା ଯିବା ହେଉଚି, ପବନରେ ବସନ୍ତର ହିଲ୍ଲୋଳ । ମୁଁ ଏବେ ଏବେ ପଢ଼ିକି ସାରିଲି ଆନ୍ତନ ଡି ସେଣ୍ଟ ଏକ୍ସୁପେରୀଙ୍କ ଦ୍ୱାରା ରଚିତ ଓ ବିଶିଷ୍ଟ ଅନୁବାଦକ କମଳାକାନ୍ତ ମହାପାତ୍ରଙ୍କ ଦ୍ୱାରା ଅନୁଦିତ “ଟିକି ରାଜକୁମାର” ।

ବହିଟି ୱାଇଡ ଓପନ ବୁକସ ଓ ଫୋର କର୍ଣ୍ଣର ସହଯୋଗରେ ପ୍ରକାଶିତ । ହସ୍ତଗତ ହେଇଥିବା ବହିଟି ରଙ୍ଗବିହୀନ ସଂସ୍କରଣ ଯାହାର ମୂଲ୍ୟ ୨୫୦ ଟଙ୍କା । ଓ ଅନ୍ୟଏକ ଆକର୍ଷଣୀୟ ଓ ଚିତାକର୍ଷକ ସଂଜ୍ଞାଧାରି ରଙ୍ଗୀନ ଘଖାଘୋଆନା- ସଂସ୍କରଣ ମଧ୍ୟ ଉପଲବ୍ଧ ଯାହାର ମୂଲ୍ୟ ୪୫୦ ଟଙ୍କା, ଯେଉଁଠି ଘଖାଘୋଆନା – ସଂସ୍କରଣ ଅର୍ଥ ‘ଘରୁ ଖାଇ ଘୋଡ଼ା ଆଗେ ନାଚିବା ସଂସ୍କରଣ’ ! ହାଲୁକା ହଳଦିଆ କାଗଜରେ ଛପା, ଡିମେଇ ସାଇଜର ଏ ପେପରବ୍ୟାକ୍ ବହିର ପ୍ରଛଦ ଅଭିଭୂତ କଲା ପରି – ହାଲୁକା ହଳଦିଆ ବ୍ୟାକଗ୍ରାଉଣ୍ଡରେ ଗୁଡ଼ି ପରି ଦଳେ ବିହଙ୍ଗ ନଟେଇରେ ଟାଣି ନେଉଛନ୍ତି ଟିକି ରାଜକୁମାରକୁ।

୧୩୧ ପୃଷ୍ଠା ସମ୍ବଳିତ ଏ ବହିରେ ଅଛି ଏକ ଚମତ୍କାର ମୁଖବନ୍ଧ, ଉତ୍ସର୍ଗ, ମୂଳପାଠ୍ୟର ଏକ ଅତି ଅନ୍ତରଙ୍ଗ ଓ ବିଶ୍ୱସ୍ତ ଅନୁବାଦ ଓ ପେଟ ପୁରା ସୁଖ୍ୟାଦ୍ୟ ପରେ ‘ମିଠାପାନ’ ପରି ଅଛି, ମୂଳ ଲେଖାର ଉତ୍ସର୍ଗ ପ୍ରାପକ ଲିଅନ ରେଥଙ୍କ ବିଷୟରେ କିଛି ବିବରଣୀ ଓ ଆଉ କିଛି ଅଭିଭୁତ କଲା ପରି ତିନୋଟି ପରିଶିଷ୍ଟ । ବିଷୟ ବସ୍ତୁ ବିଚିତ୍ର ଏବଂ ସଚିତ୍ର। ଏ ବହିର ଅନ୍ୟତମ ପ୍ରମୁଖ ଆବେଦନ ହେଉଛି ଏଥିରେ ନୂତନ ଭାବେ ସଂକଳିତ ଚିତ୍ର ସମୂହ । ନୂତନ ଅନୁବାଦରେ ଏ ଏକ ବିଶିଷ୍ଟତା । ଅନ୍ୟ ପ୍ରାୟ ସବୁ ଇଂରାଜୀ ଓ ଅନ୍ୟ ଭାଷାରେ ଅନୁବାଦିତ ଏ ପୁସ୍ତକରେ ସଂକଳିତ ଚିତ୍ରମାଳା ନିଜେ ଏକ୍ସୁପେରୀଙ୍କ ଦ୍ୱାରା ହେଇଥିବା ବେଳେ, ଏଥିରେ ଅଳ୍ପ କିଛି ପରିବର୍ତ୍ତିତ କରାଯାଇ ନୂଆ ଛବିମାନ ଆଙ୍କିଛନ୍ତି ଆମ ସମୟର ବିଶିଷ୍ଟ ଚିତ୍ରଶିଳ୍ପୀ ରମାକାନ୍ତ ସାମନ୍ତରାୟ । ସବୁ ଛବି ଅତି ସୁଖମ ଭାବେ ମୂଳ ଛବି ଠାରୁ ଅଲଗା ଓ ଆକର୍ଷଣୀୟ । ଏ ଅଭିନବ ପ୍ରୟାସ ଓଡ଼ିଆ ପାଠକମାନଙ୍କ ପାଇଁ ନିଶ୍ଚୟ ଆଉ ଟିକେ ଅଧିକା ପଠନାନନ୍ଦ ଦେବ ଓ ତାହା ଯଦି ଉପରୋକ୍ତ ‘ଘଖାଘୋଆନା’ ସଂସ୍କରଣରୁ ହେଇଥିବ ତେବେ ଏହା ନିଃସନ୍ଦେହ; ପରୀକ୍ଷା ପ୍ରାର୍ଥନୀୟ ।

ଏବେ ଆସିବା ବହିର ବିଷୟବସ୍ତୁ ଉପରେ । ସତ କହିଲେ ଏ ଏକ ବିଚିତ୍ର ଉପନ୍ୟାସ । ଏହାକୁ ନିର୍ଦ୍ଦିଷ୍ଟ ବିଭାଗୀକରଣ କରିବା କାଠିକର ପାଠ । ବିମାନ ଦୁର୍ଘଟଣାରେ ବଞ୍ଚିକି ମରୁଭୂମିରେ ଏକେଲା ହେଇ ପଡିଥିବା ଜଣେ ପାଇଲଟର ଅନ୍ୟ ଗ୍ରହରୁ ଆସିଥିବା ଗୋଟେ ଟିକି ପିଲା ସଙ୍ଗେ ବନ୍ଧୁତା ଓ ସେଇ ଅନ୍ୟ ଗ୍ରହରୁ ଆସିଥିବା ଟିକି ରାଜକୁମାରର ବିଭିନ୍ନ ଗ୍ରହର ଅନୁଭୁତି ଯେତିକି ବିଚିତ୍ର ସେତିକି ବିମୁଗ୍ଧ କରେ । ପିଲା ମନରେ ବୟସ୍କଙ୍କ ପ୍ରତି ଥିବା ସଂଶୟ, ଅବୁଝାପଣ, ସନ୍ତାପ, ସନ୍ଦେହ ଓ ତା ସଙ୍ଗେ ବନ୍ଧୁତ୍ୱ, ପ୍ରେମ, ନିସଙ୍ଗତା ଏ ବହିରେ ଏକାନ୍ତ ଉପଭୋଗ୍ୟ । ଏ ବହିକୁ ମୁଁ ଏଥରକୁ ମିଶେଇ ଓଡ଼ିଆରେ ପଢିଚି ତିନିଥର । ସବୁଥର ମୋର ସେଇ ସମାନ ଅନୁଭୂତି ହେଇଚି – ସାନପିଲାମାନେ ବୟସ୍କଙ୍କ ଠାରୁ ବେଶୀ ବୁଝିପାରନ୍ତି । ଆଉ ଗୋଟେ କଥା ହେଲା ସବୁବେଳେ ସିରିୟସ ରହୁଥିବା, ଆଦେଶ ଦେଉଥିବା, ଅନ୍ୟକୁ ମଣ କରିବାକୁ ଚାହୁଁଥିବା ବଡ଼ମାନେ ଯେ ଗୋଟିଏ ଗୋଟିଏ ଗଳଗ୍ରହ ଓ ସେମାନଙ୍କ ଉପରେ ସାନପିଲାମାନଙ୍କ ଧାରଣା ଏ ଗ୍ରହରେ ଯାହା ଅନ୍ୟ ଗ୍ରହରେ ବି ତାହା-ସାର୍ବଜନୀନ ତାହା ଉପଜୀବ୍ୟ । ମୋଟାମୋଟି ଏକ ଅଦ୍ଭୁତ ଶୈଳୀରେ ଲିଖିତ, ଚିତ୍ରସହ ରୂପକଥାର ଆଧାରରେ ଲେଖାଯାଇଥିବା ଏ ଛୋଟ ଉପନ୍ୟାସ ସ୍ଥଳ ବିଶେଷରେ ପାଠକଙ୍କ ପାଇଁ କେବେ ଅର୍ଥପୂର୍ଣ୍ଣ ତ କେବେ ଅର୍ଥହୀନ । ପିଲା ମନ ପାଇଁ ଯେତିକି ହୁଏତ ବିଶ୍ୱାସ ଯୋଗ୍ୟ, ଅର୍ଥପୂର୍ଣ୍ଣ, ସବୁ କଥାରେ ଯୁକ୍ତି ଖୋଜୁଥିବା ବୟସ୍କ ପାଇଁ ସେତିକି ପ୍ରମାଦପୂର୍ଣ୍ଣ, ଅର୍ଥହୀନ। ହୁଏତ ଏ ବହି ଏମିତି ଏକ ମାପକାଠି –ଯାହା ପାଠକ ପାଖେ କଳ୍ପନା ଓ ବାସ୍ତବତାର ଭାଗମାପ – ସମୟ/ ଅସମୟର ତାଡ଼ନାରୁ କେତେ ବଞ୍ଚିଚି ତା’ ଜଣେଇ ଦେବାର କ୍ଷମତା ରଖେ ।

ୟା ପୁର୍ବରୁ ଚିତ୍ତରଞ୍ଜନ ଦାସଙ୍କ ଦ୍ୱାରା ଓଡ଼ିଆରେ ଅନୁଦିତ ହେଇଥିବା, ବିଦ୍ୟାପୁରୀ ଦ୍ୱାରା ପ୍ରକାଶିତ କରିଥିବା “ରାଜକୁମାର” ଓ କମଳାକାନ୍ତ ମହାପାତ୍ରଙ୍କ ଦ୍ୱାରା ଅନୁବାଦିତ ଓ ୱାଇଡ ଓପନ ୱିଣ୍ଡୋ ଦ୍ୱାରା ପ୍ରକାଶିତ “ଟିକି ରାଜକୁମାର” ଦୁଇଟି ଯାକ ଅନୁବାଦ ଭିତରେ ଗୁଣାତ୍ମ୍କ ମାନରେ ଖୁବ କମ୍ ପାର୍ଥକ୍ୟ ନଜରକୁ ଆସିଛି । ଯଦିଓ ବାକ୍ୟ ଗଠନ, ଶୈଳୀ ଓ ସଂରଚନାରେ ପ୍ରତି ଅନୁବାଦକଙ୍କର ନିଜସ୍ୱ ମୌଳିକତା ରହିଛି – ହେଲେ ପଢିବାସାରିବା ପରେ ଦିଓଟି ଯାକ ବହି ମତେ ବେଶ୍ ସାବଳିଳ ଓ ସନ୍ତୋଷ ଦେଇଚି । କିନ୍ତୁ ଏ ବହିର ମଜା ହେଉଚି – ଅତ୍ୟନ୍ତ ପ୍ରଭାବଶାଳୀ ଢଂଗରେ ଲେଖାଯାଇଥିବା ଚମତ୍କାର ମୁଖବନ୍ଧ ଓ ପରିଶିଷ୍ଟ । ନିଜର ପ୍ରତି ସୃଜନରେ ମୌଳିକତାର ଛାପ ରଖୁଥିବା କମଳାକାନ୍ତ ମହାପାତ୍ରଙ୍କ ଏ ନୂଆ ଅନୁଦିତ ବହି ମଧ୍ୟ ପାଠକକୁ ଏକସଙ୍ଗେ ବିମୁଗ୍ଧ ଓ ବିହ୍ଵଳ କରିବ ।

ଭବିଷ୍ୟତରେ ଅନୁବାଦ କାମରେ ହାତ ମାରିବାକୁ ଯାଉଥିବା ଯେ କେହିବି ପାଇଁ – ମୂଳପାଠ ଛଡ଼ା, ଲେଖକ ପରିଚୟ୍, ଏ ଲେଖା ବିଷୟର ଏ ପ୍ରକାର ଉପୋଦଘାତ, ଓ ଏ ଧରଣ ର ପରିଶିଷ୍ଟ (ଯେଉଁଥିରେ ଅଛି – ଏକ୍ସୁପେରୀଙ୍କ ନିଜ ହାତ ଅଙ୍କା ଛବି ଓ ଅକ୍ଷର) ଅନୁକରଣ ଯୋଗ୍ୟ ବୋଲି ମୋର ନିଜସ୍ୱ ଅନୁଭବ ।


ଶେଷରେ କିଣି ଆଣି, ମାଗି ଆଣି, ଚୋରି କରି ଆଣି, ବସି, ଶୋଇ, ପେଟେଇ, ଆଉ କାହା କାନ୍ଧ ଉପରୁ, କାଖ ସନ୍ଧିରୁ, ପିଠି ପଛରୁ ଏ ବହି ନ ପଢ଼ିଲେ କେବଳ ନିଜର ଯେ କ୍ଷତି, ସାଇ ପଡ଼ିଶା, ସମାଜ, ଦେଶର ଯେ ଚିମୁଟାଏ ନୁହେଁ ଏତିକି ସ୍ମରଣଯୋଗ୍ୟ ।

About Suman Dash

Suman Dash is an Engineer by profession and a prolific story writer of contemporary time.

View all posts by Suman Dash →