୧୭୫ ବର୍ଷରେ ଭାରତେନ୍ଦୁ ହରିଶ୍ଚନ୍ଦ୍ର ହିନ୍ଦୀ ସାହିତ୍ୟର ଅଗ୍ରଦୂତ


ଭାରତେନ୍ଦୁ ହରିଶ୍ଚନ୍ଦ୍ରଙ୍କୁ ଆଧୁନିକ ହିନ୍ଦୀ ସାହିତ୍ୟର ଅଗ୍ରଦୂତର ମାନ୍ୟତା ଦିଆଯାଏ | ମାତ୍ର ୩୫ ବର୍ଷର ସ୍ପଳ୍ପ ଆୟୁଷକାଳ ଭିତରେ ହିନ୍ଦୀ ସାହିତ୍ୟ ଭଣ୍ଡାରକୁ ନୂଆ ଭାଷା, ନୂଆ ସ୍ୱର ଏବଂ ନୂଆ ଦିଗ୍‌ଦର୍ଶନରେ ସମୃଦ୍ଧ କରିଥିଲେ ସେ । ସ୍ୱାଧୀନତା ସଂଗ୍ରାମ ଏବଂ ସମାଜ ସଂସ୍କାର କ୍ଷେତ୍ରରେ ମଧ୍ୟ ତାଙ୍କର ପ୍ରମୁଖ ଭୂମିକା ଥିଲା | ୧୮୫୦ ମସିହା ସେପ୍ଟେମ୍ବର ୯ ତାରିଖ ବାର|ଣାସୀରେ ତାଙ୍କର ଜନ୍ମ | 1885 ଜାନୁଆରୀ 6 ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା |

ଭାରତେନ୍ଦୁଙ୍କ ପୂର୍ବରୁ ହିନ୍ଦୀ ସାହିତ୍ୟରେ ବ୍ରଜଭାଷା ଏବଂ ଅବଧି ପ୍ରଚଳିତ ଥିଲା । ସାଧାରଣ ପାଠକଙ୍କ ପାଖରେ ଏଗୁଡିକ ପ୍ରାୟ ଦୁର୍ବୋଧ୍ୟ ଥିଲା । ଭାରତେନ୍ଦୁ ପ୍ରଥମଥର ପାଇଁ ସାହସିକତାର ସହିତ ଖଡିବୋଲି ହିନ୍ଦୀକୁ ସାହିତ୍ୟର ଭାଷା ଭାବରେ ବ୍ୟବହାର କଲେ । ତାଙ୍କ ରଚନାରେ ସହଜ ପ୍ରାଞ୍ଜଳ ଏବଂ ଲୋକଭାଷାର ସ୍ୱାଦ ମିଶ୍ରିତ ହିନ୍ଦୀ ନୂଆ ପରିଚୟ ପାଏ । ଏଇଥିପାଇଁ ତାଙ୍କୁ ଆଧୁନିକ ହିନ୍ଦୀ ସାହିତ୍ୟର ଜନକ ବୋଲି ମଧ୍ୟ କୁହାଯାଏ । ନାଟକ, ପ୍ରବନ୍ଧ, କବିତା, ଭ୍ରମଣ କାହାଣୀ ଏ ସବୁଥିରେ ସେ ଏକ ଅଭିନବ ଢ଼ଙ୍ଗରେ ସମାଜର ବାସ୍ତବତାକୁ ପାଠକମାନଙ୍କ ସାମ୍ନାରେ ତୋଳି ଧରିଛନ୍ତି । ତାଙ୍କର କାବ୍ୟଗ୍ରନ୍ଥ ଭାରତେନ୍ଦୁ ଗ୍ରନ୍ଥାବଳୀଠୁ ଆରମ୍ଭ କରି ନାଟକ ‘ଅନ୍ଧେର ନଗରୀ’, ‘ଭାରତ ଦୁର୍ଗତି’ ଏସବୁ ସମକାଳୀନ ସମାଜ ଏବଂ ରାଜନୈତିକ ପରିସ୍ଥିତିର ପ୍ରତିଛବି । ବିଶେଷକରି ‘ଅନ୍ଧେର ନଗରୀ’ ନାଟକରେ ସେ ଦୁର୍ନିତୀଗ୍ରସ୍ଥ ଶାସନ ବ୍ୟବସ୍ଥା ଏବଂ ଅଦକ୍ଷ ନେତାମାନଙ୍କୁ କଟାକ୍ଷ କରନ୍ତି । ସେ ଦୀନବନ୍ଧୁ ମିତ୍ରଙ୍କ ବଙ୍ଗଳା ଭାଷାରେ ଲିଖିତ ନାଟକ ‘ନୀଳଦର୍ପଣ’ (1858-59 ମସିହାରେ ଲେଖା ହୋଇଥିଲା; 1860ରେ ପ୍ରକାଶିତ ହୋଇଥିଲା) ତା’ର ହିନ୍ଦୀ ଅନୁବାଦ ମଧ୍ୟ କରିଥିଲେ । ଏ ନାଟକରେ ନୀଳ ଚାଷୀମାନଙ୍କ ଉପରେ ବ୍ରିଟିଶ ଅତ୍ୟାଚାର ଏବଂ ପରେ ପରେ ବ୍ରିଟିଶ ବିରୋଧୀ ଆନ୍ଦୋଳନକୁ ଦର୍ଶା ଯାଇଛି |

ଭାରତେନ୍ଦୁ ହରିଶ୍ଚନ୍ଦ୍ର କେବଳ ସାହିତ୍ୟିକ ନଥିଲେ ସେ ଜଣେ ଦୂରଦର୍ଶୀ ସାମ୍ବାଦିକ ମଧ୍ୟ ଥିଲେ । ତାଙ୍କର ‘କବିବଚନସୁଧା’ ଏବଂ ‘ହରିଶ୍ଚନ୍ଦ୍ର ପତ୍ରିକା’ ମାଧ୍ୟମରେ ସେ ଜାତୀୟ ଚେତନା ଉଜାଗର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଶିକ୍ଷାର ପ୍ରସାର, ନାରୀ ଶିକ୍ଷା, ଦେଶପ୍ରେମ ଏଗୁଡିକ ଥିଲା ତାଙ୍କ ଲେଖାର କେନ୍ଦ୍ରରେ । ଏ ପତ୍ରିକା ଗୁଡିକ ଉତ୍ତର ଭାରତରେ ବୁଦ୍ଧିଜୀବି ସମାଜରେ ଜାତୀୟତାବାଦୀ ଚେତନାର ଉନ୍ମେଷ ଘଟେଇଥିଲା ।

ଭାରତର ସ୍ୱାଧୀନତା ସଂଗ୍ରାମର ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତେନ୍ଦୁ୍‌ଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ । ତାଙ୍କ କଲମ ମୁନରେ ଥିଲା ଔପନିବେଷିକ ଶାସନ ବିରୁଦ୍ଧରେ ତୀବ୍ର ପ୍ରତିବାଦ । ସେ ବ୍ରିଟିଶ୍‌ର ଶୋଷଣ, ଅର୍ଥନୈତିକ ଦାସତ୍ୱ, ବିଦେଶୀ ପଣ୍ୟର ବହୁଳ ବ୍ୟବହାର, ତାକୁ ନେଇ କଟାକ୍ଷ କରିଛନ୍ତି, ସମାଲୋଚନା କରିଛନ୍ତି, ତୀବ୍ର ଭାଷାରେ ଲେଖିଛନ୍ତି । ତାଙ୍କର ବିଖ୍ୟାତ ଉକ୍ତି ‘ନିଜ ଭାଷା ଉନ୍ନତି ଅହେ ସବ୍ ଉନ୍ନତିକେ ମୂଲ୍’- ନିଜସ୍ୱ ଭାଷାର ଉନ୍ନତି ହିଁ ସବୁ ଉନ୍ନତିର ମୂଳାଧାର । ଏହି ଅବଧାରଣା ଜାତୀୟତାବାଦୀ ଆନ୍ଦୋଳନର ସାଂସ୍କୃତିକ ଭିତ୍ତିକୁ ଦୃଢ଼ କରିଥିଲା । ଏହାଛଡା ଦେଶୀୟ ଶିଳ୍ପ ଏବଂ ସ୍ୱଦେଶୀ ପଣ୍ୟର ପ୍ରଚାରରେ ସେ ସକ୍ରିୟ ଥିଲେ । ବ୍ରିଟିଶ୍ ମାନଙ୍କର ଅନ୍ୟାୟ ନୀତି ବିରୁଦ୍ଧରେ ସିଏ ସ୍ୱର ଉତ୍ତୋଳନ କରିଥିଲେ । ଏହା ଫଳରେ ତାଙ୍କର ସାହିତ୍ୟ ସ୍ୱାଧିନତା ଆନ୍ଦୋଳନର ପ୍ରାରମ୍ଭିକ ବୀଜ ବପନ କରିଥିଲା । ଭାରତେନ୍ଦୁଙ୍କର ସାହିତ୍ୟ ଓ ସାମ୍ବାଦିକତାରେ ସ୍ପଷ୍ଟ ଦେଖାଯାଏ ସମାଜ ସଂସ୍କାରର ବାର୍ତ୍ତା । ନାରୀ ଶିକ୍ଷାର ଜଣେ ଦୃଢ଼ ସମର୍ଥକ ଥିଲେ ସେ । କୁସଂସ୍କାର, ଅନ୍ଧ ବିଶ୍ୱାସ, ସାମାଜିକ ବୈଷମ୍ୟ ଏ ସବୁ ବିରୁଦ୍ଧରେ ସେ ସ୍ୱର ଉତ୍ତୋଳନ କରିଥିଲେ । ତାଙ୍କ ଲେଖାରେ ଆଧୁନିକତା ଯୁକ୍ତିବାଦ ଏବଂ ଦେଶପ୍ରେମର ଅନନ୍ୟ ସମନ୍ୱୟ ଘଟିଥିଲା ।

୧୮୮୫ ମସିହାରେ ମାତ୍ର ୩୫ ବର୍ଷ ସମୟରେ ଭାରତେନ୍ଦୁଙ୍କର ଦେହାନ୍ତ ହୁଏ । କିନ୍ତୁ ଏହି ସ୍ୱଳ୍ପ ଅବଧି ଭିତରେ ସେ ଯେଉଁ ଲେଖା ଲେଖିଯାଇଛନ୍ତି ଉତ୍ତର ଭାରତର ନବଜାଗରଣକୁ ଏହା ତ୍ୱରାନ୍ୱିତ କରିଥିଲା । ହିନ୍ଦୀ ସାହିତ୍ୟ ଏବଂ ଭାରତୀୟ ସମାଜ ଜୀବନରେ ତାଙ୍କର ପ୍ରଭାବ ଅତ୍ୟନ୍ତ ଗଭୀର । ଆଜି ବି ତାଙ୍କ ଲେଖା ପଢ଼ିଲେ ମନେ ହୁଏ ସିଏ ସମକାଳୀନ ।

ଭାରତେନ୍ଦୁ ହରିଶ୍ଚନ୍ଦ୍ର କେବଳ ଆଧୁନିକ ହିନ୍ଦୀ ସାହିତ୍ୟର ଜନକ ନଥିଲେ ସେ ଜାତୀୟ ଜାଗରଣର ଅଗ୍ରଦୂତ ମଧ୍ୟ ଥିଲେ । ତାଙ୍କ ଲେଖନି ମଣିଷ ଭିତରେ ଦେଶପ୍ରେମ, ସ୍ୱାବଲମ୍ବନଶୀଳତା ଏବଂ ସାମାଜିକ ସଚେତନତାର ବହ୍ନି ଜାଳିଦେଇଥିଲା । ତାଙ୍କ ଲେଖନୀରୁ ଆମେ ଉପଲବ୍‌ଧି କରୁ ଯେ ସାହିତ୍ୟ କେବଳ ସୌନ୍ଦର୍ଯ୍ୟ ସୃଷ୍ଟିର ଉପାୟ ନୁହେଁ ବରଂ ସମାଜ ଏବଂ ଜାତିର ମୁକ୍ତିପାଇଁ ଏକ ଶକ୍ତିଶାଳୀ ହତିଆର ହେଇପାରେ ।