ସେଇ ଯୋଉ ଫଟୋଟି… ଯେଉଁଟି ଏବେ ସବୁ ଯାନ୍ତ୍ରିକ ମାଧ୍ୟମର ଛାତି ଥରେଇ ରଖିଛି, ଯାହାକୁ ଦେଖି ପଥର ହେଲେ ବି ତରଳିଯିବ, ଯାହାକୁ ନେଇ ଲେଖା ସରିଲାଣି କବିତା ଧାର ଧାର,କୋଷା କୋଷା ଗପ ସେଇ ଛବିଟିକୁ ନେଇ ପଦଟେ ଲେଖିପାରିନି ମୁଁ । ଦେଖିବା ମାତ୍ରକେ ଲୁହେଇଛି। ଆଉ ବତୁରା ଆଖିରେ କିଏ ଲେଖିପାରନ୍ତା ଯେ ମୁଁ ଲେଖନ୍ତି ! ଭୟ ପାଇଛି । ରାଗିଛି । ଭିତରେ ଭିତରେ ଘାରି ହେଇଛି ଆଉ ଭାବିଛି ଆହା! ସଂସାର ଯାକର ସମସ୍ତେ ଘେରି ରହିଥିଲେ ବି ସେଇ ଜଣକ ନ ଥିଲେ ସତରେ କେତେ ଶୂନ୍ୟ ସତେ ସଂସାର ! ଭାବିଲେ ହିଁ କୋହ ଉଠେ କି କିଏ କଣ ବଞ୍ଚିପାରେ ! ଯଦିବା ଯିଏ ପାରିଛି ସିଏ ସାହାସୀ ନିଶ୍ଚୟ । ଜୀବନର ସବୁ ସର୍ତ୍ତ କୁ ସିଏ ତାର ପ୍ରତି ନିଶ୍ବାସରେ ହରେଇଛି । ପ୍ରତିଥର ମୁଖପୁସ୍ତିକା କି ଓ୍ବାଟ୍ସ ଅପ୍ ଖୋଲେ ତ ସେ ଝରକା ଦେଇ ଜଣେ ଅଛାଡ୍ ଶୋଇଥିବା ଯୁବକ ଓ ଜଣେ ଭଗ୍ନ ଯୁବତୀ ଯାହା ମୁହଁରେ ଗଗନଭେଦି କଷ୍ଟ ରେଖା ଉକୁଟି ଆସୁଥିବା ଛବିଟିର ଦୃଶ୍ୟ ଘୁରିବୁଲୁଥିଲା । ଲାଗୁଥିଲା କାହିଁକି ଗଲରେ ସେଠିକି କଣ ଦେଖିବାକୁ ? ଅଳତା ଗାର ଲିଭିନି ପାଦରୁ ହା’ ରେ ବିଧାତା । ଏମିତି ଅଠେଇଶଟି ଶବର ଅଠେଇଶ ଗପ ଉଜୁଡିଗଲା।
ସରକାର,ଜନତା, ସେନାବାହିନୀ, ରାଜନୀତି,ଧର୍ମ,ଲୋକ ନୀତି,ଗଣ ମାଧ୍ୟମ ସବୁ ଆଙ୍କି ବସିଲେ ନିଜ ନିଜର ଛବି । ଏତେ କଥା କାହିଁକି ଯେ ? ଏତେ ବୁଦ୍ଧି,ଜ୍ଞାନ,କୈଶଳ,ବିକାଶ, ଯନ୍ତ୍ର,ବିଦ୍ୟା,ଏ ଆଇ, ଡ୍ରୋନ, ପ୍ରଯୁକ୍ତି, ପଦ୍ଧତି ସମସ୍ତେ ମିଶିକି କୋଉ ଗାତ କି ଜଙ୍ଗଲରେ ଗଢି ଉଠୁଥିବା ଏ ଆତଙ୍କବାଦୀ ନାମ୍ନୀ ପୋକ ଦଳକୁ ଲୁଣ ମୁଠାଏ ଛାଟି ଦେଇ ପାରୁନେ? ତେବେ ଏତେ ନାଟ ତମାସାକୁ ଧିକ୍ । ମାନେ ଆମେ ପାଠସାଠ ପଢୁଆ ନିପାଠୁ। ଶ୍ରୀ ଅକ୍ଷର ବିବର୍ଜିତ। ଆଜି ନୁହେଁ କି କାଲି ନୁହେଁ। ଏମାନେ ଆମ ସହ ଲୁଚାଲୁଚି ଖେଳୁଛନ୍ତି ମୁଁ ପିଲା ଥିଲି ଯେବେଠୁ ସେବେଠୁ ଶୁଣୁଛି। କଣ ସତରେ ଏତେ ଦିନ ଲାଗୁଛି ମୂଳପୋଛ କରିଦେବାକୁ ଏଇ ନଳାକୀଟ ମାନଙ୍କୁ? ଆମ ଦକ୍ଷତା,କ୍ଷମତା ପରି ଯୋଉ ଭାରି ଭାରି ଶବ୍ଦ ତେବେ ଲୋକଦେଖାଣିଆ ବୋଧେ ।ଫେକ୍ ସବୁ ଫେକ୍। ମିଛକୁ ଆଧାର କରି ପାଦ ବିହୀନ କଣ ଦୈାଡି ହୁଏ ? ଆମେ ଏପଟେ ଉଡିବାର ସ୍ବପ୍ନ ଭରୁଥାଏ ଆମ ଆଗାମୀ ପୀଢି ଆଖିରେ ତେଣେ ତାଙ୍କ ଜୀବନ ଠୋ ଠା ପାଣି ଫୋଟକା ! କେତେ ଆଉ କେମିତି ଡରିମରି ବଞ୍ଚିବାକୁ ହୁଏ ଆମେ ଆମ କାମରେ ସେମାନଙ୍କୁ କରି ଦେଖାଉନେ କି ! ଆତଙ୍କବାଦୀ କଣ ଏଡେ ବଳୁଆ? ନା ଆମ ଡର ଆମକୁ ଦବେଇ ତା ବଳ ଦେଖଉଛି ? ହଁ ମାନୁଛି ଜୀବନକୁ ଭଲା ଲୋଭ କାହାର ନାହିଁ । କଥାରେ ଖାଲି ଗପିଦେବା ସହଜ । ପ୍ରକୃତ ପଡ଼ିଆରେ ଠିଆ ହେଇ ବ୍ୟାଟ ବୁଲେଇବା ଜାଣି କରାମତ୍। ହେଲେ ଯୋଉ ଗୋଟେ ଲାଲି ପିଲି ପିମ୍ପୁଡ଼ି ବିରାଟ ଧୂସରିଆ ହାତୀ କାନରେ ପଶି ତାକୁ କିଲିବିଲି କରିଦେଇଥିଲା ତା ପିମ୍ପୁଡ଼ି ଛାଉଣୀ ଯଦି ଉଠି ଆସିଲେ ତେବେ ଭାବିବା କଥା । ଡର୍ କା ପର୍ ନିକଲ ଆୟେଗା ।ଆଉ ସିଏ ଫୁର୍ ହେଇଯିବ ।
ମତେ ସବୁବେଳେ ଲାଗେ ଯେ ଯଦି ଭାରତର ଓ ପାକିସ୍ଥାନର ମାଆ ମାନେ କେବଳ ଯଦି ତିନିରୁ ଚାରି ପିଢ଼ି ଯାଏ ନିଷ୍ଠାର ସହ ଏତିକି କହିବେ କି ଆମେ ମିତ୍ର ଦେଶ , ଶତ୍ରୁତା ସରିଯିବ ବୋଧେ । ପ୍ରତି ମାନେ ପ୍ରତିଟି ମାଆ।ଜଣେ ବି ମାଆ ଛାଡ ଯିବନି ଯେମିତି । ଏତେ ସୀମା ସରହଦ ଗୋଳାବାରୁଦ କାହିଁକି ହନ୍ତା ! ମୋ ଲାଗିବା ଅନୁସାରେ ତ ସଂସାର ଚାଲିବନି, କଳ୍ପନା କିନ୍ତୁ କେବେ ନା କେବେ ରୂପ ନିଏ । ବ୍ରହ୍ମାଣ୍ଡ ତା କମ୍ପନ ଦେଇ ସବୁ ସାଇତି ରଖେ । ମନେ ରଖି ତିଆରୁଥାଏ।
ଛାଡ , ଏ ପ୍ରସଙ୍ଗ ଭିନ୍ନ ।
ଆଜି ପଢୁଥିଲି ଆଚାର୍ଯ୍ୟ ମଧୂସୁଦନ ସରସ୍ଵତୀଙ୍କ ଜୀବନି କିୟଦଂଶ। ସେଥିରେ ଦେଖେ ମୈଲା ମାନେ ଆକବରଙ୍କର ଶାସନ କାଳରେ ବାରାଣାସୀ ଠାରେ ହୀନ୍ଦୁ ସାଧୁସନ୍ଥ ମାନଙ୍କୁ ଅତ୍ୟାଚାର କରିବା ସହ ହତ୍ୟା କରୁଥିଲେ । ପରେ ଏ ସବୁ ରୋକିବା ପାଇଁ ନାଗା ସଂପ୍ରଦାୟର ସଶସ୍ତ୍ର ସାଧୁ ଆସିଲେ ଏବଂ ଈଶ୍ବରପନ୍ଥିଙ୍କୁ ସୁରକ୍ଷିତ କଲେ । ଆଛ୍ଛା ହିରଣ୍ୟକଶିପୁ ଆଉ କଂସ ମଧ୍ୟ ହରିଭକ୍ତ ମାନଙ୍କୁ ଅକଥ୍ୟ କଷ୍ଟ ଦେବାରେ ହେଳା କରୁ ନଥିଲେ ।
ମୋର ମନେ ପଡୁଛି ପିଲାଦିନେ ଆମ କଟକରେ ବହୁତ ଦଙ୍ଗା ହେଉଥିଲା । କିଛି କୁଆଡେ ନ ଥିବ ଶୁଖିଲାଟାରେ ହଣାମରା ହେଇ ଦି ଗଡ ଖାନନଗର ରେ ଗଡୁଥିବେ । ଧଡ୍ଧାଧଡ କବାଟ କିଲିଣି ପଡିଯିବ ଆଉ ପୋଲିସ୍ ଭ୍ୟାନ ସାଇରନ ବଜେଇ ସତର୍କ କରେଇ ଯିବ ଯେ କେହି ବାହାରକୁ ବାହାରନି। ବିପଦ ବିପଦ। ସାହିଭାଇ ସବୁ ଜାଗତୟାର ରହିବେ ଆଉ ଘରଣୀ ମାନେ ପିଲାଙ୍କୁ ସମ୍ବାଳି ଘରେ ପୁରେଇ ଦୁଆର ଦେବେ ।ତଥାପି ବଗୁଲିଆ ମନ ପିଲେ ଓର ଉଣ୍ଡି ଏ ସେ ଠଣାରୁ ଗଳିପଶି ଦେଖିବେ କିଏ କିଏ ଖଣ୍ଡା,ଭୁଜାଲି,ଗୁପ୍ତି ଧରି ବିକଟାଳ ରଡିଟି ମାନ ସହ ରାସ୍ତାରେ ଦୈଡୁଛନ୍ତି । ଧସ୍ତାଧସ୍ତି କାହା କାହା ଭିତରେ ହେଉଛି। ଏଇ ସବୁ ସାହି ସାହି ଭିତରର ନିଶୁଆ ଭାଇ ଭାଇ ମାନଙ୍କ କଳି। ଆଉ ଗୋଟିଏ ପ୍ରକାର ଦଙ୍ଗା ହୁଏ ଆମ କଟକର ପର୍ବ ପର୍ବାଣୀ ଦାଣ୍ଡରେ । ହିନ୍ଦୁ ମୁସଲମାନ ଦଙ୍ଗା । କିଏ କାହାକୁ ମାରୁଛି ହାଣୁଛି କେହି ବିଚାର କରନ୍ତିନି । ବାସ୍ ଗୋଟେ ଜୋଶରେ ସବୁ ଦମ୍ ଲଗେଇ ଶାଗକିଆରି ସଫା କଲା ପରି ମଣିଷ ସଫା ହେଇ ଯାଆନ୍ତି।ଧାଁ ଧଉଡ ଲାଗେ। ପରେ ଜଣାପଡେ ଥାର୍ଡ ପାର୍ଟି କିଏ ଗୋଟେ ବାହାରବାଲା ଭାଇ ଭାଇରେ ବିବାଦଟେ ପୁରେଇ ଦେଇଥିଲା। ନାରଦକୁ ଧରାଯାଇ ବହେ କୁଟାଯାଏ। ତା ମଜା ଛଡେଇ ସାରିଲା ପରେ ମେଡିକାଲରେ ଉଭୟ ପକ୍ଷ କ୍ଷତିଗ୍ରସ୍ତ ପକ୍ଷ ପାଇଁ ଫଳ,ସେଉ,ହର୍ଲିକ୍ସ,ଗାଣ୍ଠିଆ ପ୍ୟାକେଟ ନେଇ ପହଞ୍ଚେ ଓ ଡିସଚାର୍ଜ ହେବାଯାଏ ବଡ଼ମେଡ଼ିକାଲର ଚକ୍କର କାଟେ।
ପୁଣି କିଛି ଦିନ ଯାଏ ରାତିଆ ଖାକିବର୍ଦିର ପେଟ୍ରୋଲିଂ ବଢେ ।ପୁଣି କଟକ କଟକ ହେଇଯାଏ । ସଲିମ ଭାଇ ଗଣେଷ ପୂଜା ପେଣ୍ଡାଲରେ ଜୁହାର ହୁଏ ,ରିକ୍ସା ଚଢି ତା ବେଗମକୁ ଦଶରା ଦେଖାଏ। ଆଉ ଆମେ ବୋଉ କୋଳରେ ପିରବାବା ମନ୍ଦିରରେ ଯାଇ ଝଡାହେଇ ଆସୁ ।ନମାଜ ଶୁଭିଲେ ଆପେ ଆମ ହାତ ବି ଜୋଡ ମୁଦ୍ରାରେ ଅଞଳି ଟେକେ। ଭୋର ଭୋର ଚଢେଇ ମାନେ ପୁଣି ମଙ୍ଗଳାଆଳତୀରେ ମନ୍ଦିର ବେଢାରେ ଦାନା ଖୁଣ୍ଟନ୍ତି। ମୋର ମନେ ଅଛି ଆମ ସାଙ୍ଗରେ ଝିଅଟେ ପଢୁଥିଲା ରେଶମା ବୋଲି । ଆମେ ଦିନେ ଦି ଜଣ ସାଙ୍ଗ ତା ଘରକୁ ଯାଇଥାଉ କାଇଁ ସିଏ ଚାରିଦିନରୁ କଲେଜ୍ ଆସିନି ଦେଖିବାକୁ।ସାଇକଲ ଡେରି ତାଙ୍କ ଗେଟ୍ ଖୋଲି ଭିତରକୁ ତ ଗଲୁ ହେଲେ ମନେ ପଡିଗଲା ଶୁଣାଯାଏ ଏମାନେ କାଳେ ଗୋମାସଂ ଖାନ୍ତି।ୟାଙ୍କ ଘରେ ପଶିଲୁ ମାନେ ଜେଜେମାଆ ଗୋବର ପାଣି ପିଏଇଦେଇ ପାରେ । ଯୋଗକୁ ସେଦିନ ଇଦ୍ ।ଆମକୁ ଖବର ନାହିଁ। ରେଶମାର ଅମ୍ମୀ ଆମକୁ ଦେଖି ଭାରି ଖୁସି ହେଲେ ଆଉ ଆମକୁ ଭିତକୁ ପାଛୋଟି ନେଇ ତାଙ୍କ ବାଉଁଶପାତ ବୁଣା ସୋଫାରେ ବସେଇଲେ । ଭିତରକୁ ରେଶମୀ କୁ ଡାକିବାକୁ ଗଲେ ଓ ଆମେ ତାଙ୍କ କାନ୍ଥ ବାଡ ଅବଲୋକନ ରେ ବ୍ୟସ୍ତ ରହିଲୁ। ଆମ ମାନଙ୍କ ଘର ପରି ହିଁ ଘର । ସଜାସଜି।କାନ୍ଥରେ ଓଡିଆ କ୍ୟାଲେଡର। ଲକ୍ଷ୍ମୀ ଜୁଏଲରୀବାଲାର ମହାଲକ୍ଷ୍ମୀ ବରଦା ମୁଦ୍ରାରେ ହସୁଥାନ୍ତି ସେଥିରେ। ମାଉସୀ ଆମ ପାଇଁ କଣ କଣ ସବୁ ଖାଇବା ସହ ସିମେଇ ଖିରି ଆଉ ଆରିସା ଆଣିଥାନ୍ତି। ଆମେ ଦିଜଣ ଦିହିଙ୍କ ମୁହଁକୁ ଚାହିଁଲୁ । କୁନ୍ତୁକୁନ୍ତୁ ଭାବଟି ମୁହଁରେ ଚଟ୍ କି ଲେଖି ହେଇଗଲା କି କଣ ମାଉସୀଙ୍କ ଯାଏ ସଞ୍ଚରି ଗଲା। ମାଉସୀ ବୁଝିଗଲେ ଆଉ କହିଲେ ,” ପିଲେ ଆମ ଘରେ ଆଇଁଷ ହୁଏନି ରେ ।ଆମେ ସାଦା ଖାଉ ସବୁବେଳେ। ତମ ଅଙ୍କଲ ବି ଛୁଅଁନ୍ତିନି । ଖାଅ। କିଛି ହବନି।” ମୋର ଆଉ କିଛି ଦ୍ଵନ୍ଦ ନ ଥିଲା।ପିଲାମନ କେତେବେଳୁ ପ୍ରିୟ ଆରିସା ଉପରେ ଅଟକି ଥିଲା।ଟକଳିଆଙ୍କ ପରି ଉଠେଇ ନେଇ ଚଟ୍ କରିଗଲି । ଆର ସାଙ୍ଗ ଟି ସେମିତି ହାଁ କରି ବସିଥାଏ ଆଉ ଭାବୁଥାଏ କଣ କରିବ ନ କରିବ। ସେତ ବେଳକୁ ରେଶମୀ ଆସି ତା ହାତରେ ସିମେଇ ଗିନାଟା ଧରେଇଦେଇ କହିଲା,” ଖିରି ଖିର ଆଉ ଖୁଆରେ ହୁଏ । ଖୁଆ ଶତପଥି ନନା ଦୋକାନରୁ ଆଣିଛି ଲୋ । ଖା। ମରିବୁନି ଜମା। ବିଶ୍ବାସ କର ।” ସେଦିନର କଥା ସେଇଠି ହସଖୁସିରେ ସରିଗଲା। ରେଶମୀ ଆମ ଘରେ ଶହେ ଥର ଆମ ସାଙ୍ଗରେ ବସି ଅରୁଆ ଡାଲମା ହାପୁଡିଲା। ଏବେ ଏ କଥା ମନେ ପକେଇ ଲେଖିବାର ଅର୍ଥ କ୍ଷତି କଣ ହେଉଥିଲା ? ଜାଣିବା। ମଣିଷ ଛୁଆ ଚାରୋଟି କୈାଣସି ବି ହାସପାତାଳର ଲେବର ରୁମରେ ଏକାଠି ଥୋଇଦେଲେ କେମିତି ଜାଣିବ କୋଉଟା କୋଉ ଜାତିର? ଲୁଗା ପିନ୍ଧା,କଥା ଭାଷାରେ ଟିକିଏ ମୋଡ଼ କଲେ କେମିତି ଜାଣିବ କିଏ କଣ ? ଏତେ ବୁଲି ଯାଉଛେ ହୋଟେଲରେ ଖାଉଛେ,ଲୁଗାପଟା,ସଜବାଜ ଖରିଦ କରୁଛେ କିଏ କହିପାରିବ କୋଉ ଜାତି ଲୋକ ତାକୁ ରାନ୍ଧି ପରଶୁଛି? ବୁଣିଛି,ଗଢିଛି? ହିସାବ ଅଛି? ସାଲବେଗ ହୁଅନ୍ତୁ ବା ଅବଦୁଲ କଲାମ ଆମେ କଣ ତାଙ୍କୁ ନେଇ ହୀନ୍ଦୁ ବୋଲି ଗର୍ବ କରିନେ? ଚନ୍ଦ୍ର, ସୂର୍ଯ୍ୟ, ପୃଥିବୀ, ଆକାଶ,ବତାସ,ପାଣି,ପବନ ଏମାନେ ନିରନ୍ତର ଈଶ୍ବରୀୟ ଆଦେଶ ଘେନି ବ୍ରହ୍ମାଣ୍ଡର ସେବା କର୍ମରେ ରତ । ଏମାନେ କୋଉ ଦଳ ,ଧର୍ମ, ଅନୁଷ୍ଠାନ, ପ୍ରତିଷ୍ଠାନର ଅନ୍ତର୍ଭୁକ୍ତ, କୁହ ତ ଦେଖି?
ସବୁବେଳେ ସବୁଠି ଗଣ୍ଡଗୋଳରେ ଭୋଗ ଭୋଗୁଥାନ୍ତି ସାଧାରଣ ଲୋକେ। ତାଙ୍କର ଲୁଣତେଲର ସଂସାର ଅସ୍ତବ୍ୟସ୍ତ ହୁଏ ।ଗପରେ ଲୁହଧାରଟେ ହେଇ ସେଇମାନେ ଚିରି ହୁଅନ୍ତି ବାରମ୍ବାର। କାହିଁକି? କିଏ କହିବ କାହିଁକି? ଯୋଉ ମାନେ ଏ ଆତଙ୍କର ମଞ୍ଜି ତାଙ୍କୁ କେବେ ଓ କେମିତି ଓପଡା ଯିବ ସେ ବ୍ୟବସ୍ଥା ହେଉ ।ତାହା ହିଁ ମଙ୍ଗଳକର । ଭୁବନେଶ୍ୱରର ହମିଦ ଚାଚା ଯିଏ ଚାରିପିଢୀରୁ ଏଇଠି ଚାଳିଆ ବାନ୍ଧିଛି ଚାକୁ ହଠାତ କରି ଯା ପାକିସ୍ଥାନ ପଳା କହିଲେ ସିଏ କୁଆଡେ ଯିବ? କାହାକୁ ଚିହ୍ନେ ସିଏ ସେଠି? ଏଇ ତ ତାର ମାଟି । କିଏ ଛାତିରେ ହାତ ରଖି ହଲପ କରି କହିପାରିବ ଗୋଟେ ବି ହିନ୍ଦୁ ଅଣାୟତ ପଟେ ନାହାନ୍ତି ବୋଲି ? ଧର୍ମକୁ ଧର ହେଲେ ବୁଝ ଆଗେ ଧର୍ମ କହେ କଣ ! ଧର୍ମ ନା ସେ ଏ ସବୁ ବନ୍ଦ୍ କର । ନହେଲେ ଏ ଧର୍ମ ତମକୁ ସହିଲେ ହେଲା ।
ଆରେ ଆଜି ସକାଳୁ ପୁଣି ଭିଡିଓଟିଏରେ ଦମ୍ପତିଟିଏ କହୁଥିବାର ଶୁଣାଗଲା ଯେ ସେମାନେ ବଞ୍ଚିଛନ୍ତି ।ସୁରକ୍ଷିତ ଘରକୁ ଫେରି ଆସିଛନ୍ତି କୋଉ ଦିବ୍ୟ ଶକ୍ତି ବଳରେ ନିଶ୍ଚୟ। ତେବେ ମିଡିଆ ଯୋଉ ଦିଜଣ ହନିମୁନ କପଲଙ୍କୁ ଦେଖାଉଛି ସେଇଟି କଣ ? ସତ ମିଛ ବାଛିବ କିଏ ?
ପହଲଗାମ ଖାଲି ନୁହେଁ ଯୋଉଠି ଯୋଉଠି ଏମାନେ ଆମ ମାଟିମାଆର ଲୁଗାକାନିକୁ ଓଡ଼ଶ ପରି ଖାଇ ଧୂଳି ଉଡେଇ ଦେଉଛନ୍ତି ଲୁଚିଛପି, ସେଠି ପକାଯାଉ ବ୍ଲିଚିଂ ପକାଯାଇ ଲାଭ କଣ ? ବାଡେଇ ଝାଡି ନୂଆ ରଙ୍ଗ ଲଗାଅ ନହେଲେ ଭାଙ୍ଗିରୁଜି ନୂଆ କାନ୍ଥ ଉଠୁ। ପୁରା ଘର ରକ୍ଷା କରିବାକୁ କାନ୍ଥଟେ ବଦଳିଗଲେ କେତେ ବଢିଆ ନା !
କଥା ନୁହେଁ କାମରେ କରି ଦେଖାଅ ।
ଜାଗ ମାନବେ ଜାଗ ।।