ନିସ୍ବାର୍ଥ ପ୍ରେମ ଓ ଧୈର୍ଯ୍ୟର ପ୍ରତୀକ: ସୂର୍ଯ୍ୟମୁଖୀ ଫୁଲ



କେବେ କୌଣସି ସୂର୍ଯ୍ୟମୁଖୀ କ୍ଷେତରେ ଠିଆ ହୋଇଛନ୍ତି? ପାଦ ପାଖରୁ ଦିଗବଳୟ ଯାଏଁ ଯେତେ ଦୂର ନଜର ଯାଉଥିବ, ସେ ଯାଏଁ ସତେ ଯେମିତି କିଏ ଉଜ୍ଜ୍ୱଳ ସୁନେଲୀ- ହଳଦିଆ ରଙ୍ଗର ଚାଦରଟିଏ ବିଛେଇ ଦେଇଛି। ନାକରେ ବାଜୁଥିବ ନରମ ନରମ ବାସନା, ପରାଗ ଆଉ ଭିଜା କ୍ଷେତର। ଡେଙ୍ଗା ନହକା ଡାଙ୍ଗ ଅଗରେ, ସୂର୍ଯ୍ୟକୁ ନିଠେଇ ଚାହିଁଥିବା ଚକମକିଆ ହଳଦିଆ ଫୁଲଗୁଡା ହଠାତ୍ ଦୋହଲି ଯିବେ, ଦଲକାଏ ପବନ ଆସି ବହିଯିବ ସେଇ କ୍ଷେତ ଦେଇ। ପତ୍ର ଗୁଡିକର ଖୁସ୍-ଖୁସ୍ ଶବ୍ଦ କାନକୁ ଶୁଭି ଯାଉଥିବ କେଉଁ ଗୋଟିଏ ନିଷ୍ପାପ, ନିର୍ମଳ ଝିଅର ହସ ପରି। ବିଜ୍ଞାନ କୁହେ ସୂର୍ଯ୍ୟମୁଖୀ ଫୁଲର ସୃଷ୍ଟି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ମେକ୍ସିକୋ ଅଞ୍ଚଳରୁ। ଷୋଡ଼ଶ ଶତାବ୍ଦୀରେ ଏହା ଆମେରିକାରୁ ୟୁରୋପ ଆସିଥିଲା। ୪୦୦୦ରୁ ୫୦୦୦ ବର୍ଷ ତଳୁ ଆମେରିକୀୟ ମହାଦେଶର ସେହି ଅଞ୍ଚଳର ବାସିନ୍ଦା ମାନେ ସୂର୍ଯ୍ୟମୁଖୀ ଚାଷ ଓ ଉପଯୋଗ ଜାଣିଥିଲେ। ବିଜ୍ଞାନ ଏସବୁର ଉପଯୁକ୍ତ ପ୍ରମାଣ ଦେଲେବି, ସୂର୍ଯ୍ୟମୁଖୀ କ୍ଷେତରେ ଛିଡା ହେଲାମାତ୍ରେ, ମନକୁ ଆସେ ଗ୍ରୀକ୍ ପୁରାଣରୁ ଶୁଣିଥିବା କାହାଣୀଟିଏ। ମନକୁ ସେଇଟା ହିଁ ପାଏ।

ଅନେକ ବର୍ଷ ତଳର କଥା, କ୍ଲାଟି ନାମକ ଜଣେ ଓ୍ବାଟର ନିମ୍ଫ ଥାଏ। ପ୍ରାୟ ସବୁ ନିମ୍ଫଙ୍କ ପରି କ୍ଲାଟି ମଧ୍ୟ ଦେଖିବା ପାଇଁ ଖୁବ୍ ସୁନ୍ଦରୀ। ହେଲେ ଅନ୍ୟ ନିମ୍ଫଙ୍କ ଠାରୁ ତାକୁ ଅଲଗା କରେ, ତା’ର ସୁନେଲୀ ରଙ୍ଗର କେଶ ସହ ବାଦାମୀ ରଙ୍ଗର ଆଖି। ଡେଙ୍ଗା, ତନୁପାତଳୀ ଉଜ୍ଜ୍ୱଳ ଶରୀରକୁ ସେ ସୁନେଲୀ ରଙ୍ଗର କେଶ ଖୁବ୍ ମାନେ। ମୁକ୍ତାକାଶ ତଳେ, ପବନ ସହ ତାଳ ଦେଇ ଯେତେବେଳେ କ୍ଲାଟି ହସିଖେଳି ଦୌଡେ, ଆଉ ତା’ ଚେହେରା ଉପରେ ସେ ସୁନେଲୀ ରଙ୍ଗର କେଶ ଅନାବନା ହୋଇ ଖେଳିବୁଲେ, ସେତେବେଳେ ଯେକେହି ବି କ୍ଲାଟିର ମୋହରେ ପଡିଯିବ। କ୍ଲାଟି ନିମ୍ଫ ହେଲେ ମଧ୍ୟ, ତା’ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତା’ ପ୍ରେମରେ ପଡିବାରୁ ଗ୍ରୀକର ସୂର୍ଯ୍ୟ ଦେବତା ଆପୋଲୋ ମଧ୍ୟ ନିଜକୁ ରୋକି ପାରି ନଥିଲେ। ଆପୋଲୋଙ୍କ ସ୍ନେହ ପାଇ କ୍ଲାଟିର ପ୍ରେମ ଦିନକୁ ଦିନ ଆହୁରି ପ୍ରଗାଢ ହେଉଥାଏ। ହେଲେ କ୍ଲାଟିର ଏ ଖୁସି ବେଶୀ ଦିନ ରହିଲା ନାହିଁ। କିଛି ଦିନ ପରେ ଆପୋଲୋ, ଲ୍ୟୁକୋଥୀ ନାମକ ଆଉ ଜଣେ ନିମ୍ଫର ପ୍ରେମରେ ପଡିଗଲେ। ଲ୍ୟୁକୋଥୀ ଥିଲା ଅନନ୍ୟ ସୁନ୍ଦରୀ, ତା’ ସୌନ୍ଦର୍ଯ୍ୟ ଆଗରେ ଯେକୌଣସି ଦେବୀ ବି ଫିକା ପଡିଯିବେ। ଲ୍ୟୁକୋଥୀକୁ ପାଇ ଆପୋଲୋ, କ୍ଲାଟିକୁ ଅଣଦେଖା ଓ ଅବହେଳିତ କରିବାରେ ଲାଗିଲେ। ତାକୁ ଖୁବ୍ ତିରସ୍କାର କଲେ। କ୍ଲାଟିର କୗଣସି କଥା ଆପୋଲଙ୍କ ଉପରେ କାଟୁ କଲାନି। ଆପୋଲ ଯେତେ ଅଣଦେଖା କଲେ ମଧ୍ୟ କ୍ଲାଟି, ଆପୋଲଙ୍କ ପ୍ରତି ନିଜ ପ୍ରେମକୁ କୌଣସି ପ୍ରକାରେ ନିୟନ୍ତ୍ରିତ କରି ପାରିଲା ନାହିଁ। ଏଣିକି ଆକାଶରେ ଆପୋଲୋଙ୍କ ରଥର ଗତିପଥକୁ ଚାହିଁ ରହିବା ହିଁ କ୍ଲାଟିର କାମ ହୋଇଗଲା। ସେ ଦିନ ଦିନ ଧରି ପାହାନ୍ତିଆରୁ ସନ୍ଧ୍ୟା, ପୂର୍ବ ଆକାଶରୁ ପଶ୍ଚିମକୁ ଆକାଶକୁ ଚାହିଁ ଚାହିଁ ବିତେଇ ଦିଏ। ଯିଏ ଯେତେ ବୁଝାଇଲେ ମଧ୍ୟ କ୍ଲାଟିର ପ୍ରେମ ଉଣା ହୁଏ ନାହିଁ। ଧୀରେ ଧୀରେ କ୍ଲାଟି ଖାଦ୍ୟ ପାନୀୟ ଛାଡିଦେଲା। ଆପୋଲୋଙ୍କ ଗତିପଥକୁ ଚାହିଁ ଚାହିଁ, ଆକାଶ ଆଡକୁ ଅନେଇ ଅନେଇ ସେ ଜଙ୍ଗଲ, ପଡିଆ, ନଦୀ, ଏଇ ପାହାଡ଼ରୁ ସେ ପାହାଡ ଘୁରି ବୁଲିଲା। ସେ ଉଦୁଉଦିଆ ଖରାବେଳେ ହେଉ କି କଳାମେଘ ଆପୋଲୋକୁ ଢାଙ୍କି ଦେଇଥିବା ସମୟ, ଅହରହ କ୍ଲାଟି ଆକାଶରେ ଆପୋଲୋଙ୍କ ରଥର ଶବ୍ଦକୁ କାନେଇଥିବ। ଲଗାତାର ଏମିତି ଦିନଦିନ ଧରି ଅଖିଆ, ଅପିଆ, ବୁଲିବୁଲି କ୍ଲାଟିର ସୁନ୍ଦର, ଉଜ୍ବଳ ଶରୀର ମଳିନ ଦିଶିଲା। ତା’ ଡେଙ୍ଗା, ପତଳା ଗୋଡହାତ, ଓଠ ସବୁ ଶୁଖି କଳାକଠ ପଡିଗଲା। ତା’ ବାଦାମୀ ରଙ୍ଗର, ଉଜ୍ବଳ ଛନଛନିଆ ଆଖି ଯୋଡାକ ସତେ ଯେମିତି କୋରଡ଼ ଭିତରେ ପଶିଗଲା ପରି ଦିଶିଲେ। ତା’ ଦି ଗାଲରେ ସତେକି ପୋଷେ ପୋଷେ ଚାଉଳ ଧରିବ। ତାର ସବୁଠାରୁ ସୁନ୍ଦର ଓ ଆକର୍ଷଣୀୟ, ତାର ସୁନେଲୀ ଉଜ୍ୱଳ କେଶ, ନୁଖୁରା, ରୁକ୍ଷ ଓ ନିର୍ଜୀବ ଦିଶିଲା। ସାଙ୍ଗ ସାଥୀ ଯିଏ ଯେତେ ବୁଝାଇଲେ ମଧ୍ଯ କ୍ଲାଟି ସେମତି ଆପୋଲୋଙ୍କ ଗତିପଥକୁ ଚାହିଁ ଚାହିଁ ଘୁରିବୁଲେ। ଆପୋଲୋଙ୍କ ସହ ବିତାଇଥିବା ପ୍ରେମର ମୁହୂର୍ତ୍ତ ମାନଙ୍କୁ ଝୁରି ହୁଏ। ଅଖିଆ ଅପିଆ ଲଗାତାର ଏମିତି ଆପୋଲୋଙ୍କୁ ଝୁରି, ବୁଲିବୁଲି ଦିନେ କ୍ଲାଟିର ପ୍ରାଣବାୟୁ ଉଡିଗଲା। ଶୁଖିଲା କଳାକାଠ ପଡି ଯାଇଥିବା, ନିସ୍ତେଜ ଶରୀର ତାର ଜଙ୍ଗଲରେ ପଡି ରହିଲା। ଯେତେବେଳେ ଆପୋଲୋଙ୍କ ପାଖରେ ଏ ଖବର ପହଞ୍ଚିଲା, ସେ ଖୁବ୍ ଅନୁତାପ କଲେ। ଦିନ ଦିନ ଧରି କ୍ଲାଟିର ନିର୍ଜୀବ ଶରୀର ପାଖରେ ବସି ରହି ଲୁହ ଢାଳିଲେ। ଶେଷରେ ଆପୋଲୋ ନିଜ ପିତା, ତଥା ଦେବତା ମାନଙ୍କ ରାଜା ଜିଅସ୍ ଙ୍କ ପାଖରେ ପହଞ୍ଚିଲେ ଏବଂ କ୍ଲାଟିର ଜୀବନ ଫେରାଇବା ଦେବାପାଇଁ ଅନୁରୋଧ କଲେ। ଶେଷରେ ଆପୋଲୋଙ୍କ ଅନୁତାପ ଓ ଅଶ୍ରୁରେ ଜିଅସ୍ ମଧ୍ୟ ନିଜକୁ ରୋକି ପାରିଲେ ନାହିଁ। ଯଦିଓ କ୍ଲାଟିର ଜୀବନ ଫେରାଇ ପାରିଲେନି କିନ୍ତୁ ତାକୁ ଗୋଟିଏ ସୁନ୍ଦର ସୂର୍ଯ୍ୟମୁଖୀ ଫୁଲରେ ପରିଣତ କରିଦେଲେ। ଜିଅସ୍, କ୍ଲାଟିର ଉଜ୍ବଳ ସୁନେଲୀ କେଶକୁ ଫୁଲଟିର ପାଖୁଡ଼ା ଏବଂ ତାର ହବାଦାମୀ ରଙ୍ଗର ଆଖି ଦୁଇଟିକୁ ଫୁଲର ମଝିରେ ଥିବା ଫ୍ଲାଓ୍ବାର ଡିସ୍କରେ ପରିଣତ କରିଦେଲେ। କ୍ଲାଟିର ଶୁଖି ଯାଇଥିବା ସରୁସରୁ ଗୋଡହାତ ଗୁଡିକ ହେଲେ ସୂର୍ଯ୍ୟମୂଖୀ ଗଛର ସରୁଆ ଡାଳ। କୁହାଯାଏ ସେଇଥିପାଇଁ ସୂର୍ଯ୍ୟମୂଖୀ ଫୁଲ ଫୁଟିବା ପରେ ଦିନସାରା ସୂର୍ଯ୍ୟଙ୍କ ଆଡ଼କୁ ମୁହେଁଇ ଥାଏ।

ଗ୍ରୀକ୍ ପୁରାଣ ଅନୁସାରେ ସୂର୍ଯ୍ୟମୁଖୀ ଫୁଲ ନିସ୍ବାର୍ଥ, ପ୍ରଗାଢ ପ୍ରେମ, ସପର୍ପଣ ଓ ଧୈର୍ଯ୍ୟର ପ୍ରତୀକ ଅଟେ। ବୌଦ୍ଧ ଧର୍ମରେ ସୂର୍ଯ୍ୟମୁଖୀ ଫୁଲକୁ ଆସ୍ଥା ଓ ଉପାସନାର ପ୍ରତୀକ କୁହାଯାଏ। ଆହୁରି ମଧ୍ୟ ଦୃଢ ଇଚ୍ଛାଶକ୍ତି, ଧୈର୍ଯ୍ୟ ଏବଂ ସତ୍ୟର ଅନୁସନ୍ଧାନ ପାଇଁ ସୂର୍ଯ୍ୟମୁଖୀ ଫୁଲକୁ ବଛାଯାଏ। ଯେମିତି ସୂର୍ଯ୍ୟମୁଖୀ ଫୁଲ ନିଜର ସମସ୍ତ ସୌନ୍ଦର୍ଯ୍ୟ ଓ ଆକର୍ଷଣ ସତ୍ତ୍ୱେ ନଷ୍ଟ ହୋଇଯାଏ, ପ୍ରକୃତିରେ କୌଣସି ଜୀବ, ଜୀବନ, ମନୋଭାବ ଚିରସ୍ଥାୟୀ ନୁହେଁ ବୋଲି ଏହା ପ୍ରତିପାଦିତ କରେ।

ଭିକ୍ଟୋରିଆନ୍ ଫ୍ଲାଓ୍ବାର ଲାଙ୍ଗୁଏଜ୍ ଅନୁସାରେ ପ୍ରେମରେ ସୂର୍ଯ୍ୟମୁଖୀ ଫୁଲକୁ ପରମ ଆଦର, ସ୍ନେହ ଓ ବିଶ୍ୱାସର ପ୍ରତୀକ ହିସାବରେ ଗ୍ରହଣ କରାଯାଏ। ଚାଇନିଜ୍ ସ°ସ୍କୃତି ଅନୁସାରେ ସୂର୍ଯ୍ୟମୁଖୀ ଫୁଲ ସୌଭାଗ୍ୟ, ନିରୋଗ, ଦୀର୍ଘାୟୁର ପ୍ରତୀକ। ଜାପାନରେ ଏହାକୁ ‘ଆକିନୋମୋଟୋ’ (ପ୍ରେମର ସମ୍ପର୍କ) ସହ ଯୋଡ଼ା ଯାଏ। ଏହା ଆଦର, ବିଶ୍ବାସ ଓ କୃତଜ୍ଞତାର ପ୍ରତୀକ ହୋଇଥାଏ। ଆମେରିକୀୟ ମୂଳ ନିବାସୀ ସୂର୍ଯ୍ୟମୁଖୀ ଫୁଲକୁ ସୂର୍ଯ୍ୟଙ୍କ ପ୍ରତୀକ ଭାବରେ ଗ୍ରହଣ କରନ୍ତି, ତାଙ୍କ ପାଇଁ ଏହା ପ୍ରାଚୁର୍ଯ୍ୟ, ଫସଲ ଅମଳ, ଦାନ ଏବଂ ପ୍ରକୃତିର ସକଳ ବ୍ୟବସ୍ଥାର ପ୍ରତୀକ। ମେକ୍ସିକୋର ମୂଳ ଅଧିବାସୀ ଏହାକୁ ସୂର୍ଯ୍ୟ ଦେବତା ଓ ପବିତ୍ରତାର ପ୍ରତିକ କୁହନ୍ତି। ତାଙ୍କ ପାଇଁ ସୂର୍ଯ୍ୟମୁଖୀ ଈଶ୍ବରୀୟ ମାର୍ଗଦର୍ଶନ ଓ ଚେତନାର ଚିହ୍ନ। ଋଷ ପରମ୍ପରା ଅନୁସାରେ ଏହା ପ୍ରାଚୁର୍ଯ୍ୟ ଓ ଉତ୍ପାଦନର ପ୍ରତୀକ। ୟୁକ୍ରେନ୍ ସ°ସ୍କୃତିରେ ସୂର୍ଯ୍ୟମୁଖୀ ଶାନ୍ତି, ଆଶା ଓ ସ୍ଥିରତାର ପ୍ରତୀକ ଅଟେ। ଇଟାଲୀ ଏବଂ ଫ୍ରାନ୍ସର ବିଶ୍ୱାସ ଅନୁସାରେ ସୂର୍ଯ୍ୟମୁଖୀ ହେଉଛି ସକାରତ୍ମକ ଭାବନା, ଆନନ୍ଦ, ଉତ୍ସାହ ଓ ଆଶାର ପ୍ରତୀକ। ଫ୍ଲାଓ୍ବାର ସିମ୍ବଲିଜମ୍ ଅନୁସାରେ ସୂର୍ଯ୍ୟମୁଖୀ ଫୁଲ ସକାରାତ୍ମକ ଉର୍ଜା, ଧୈର୍ଯ୍ୟ, ବିଶ୍ବାସ, ଆଶା, ଉତ୍ସାହ, ଆନନ୍ଦ, ସମର୍ପଣ, ଶକ୍ତି, ଆଦର ଓ ସ୍ନେହର ପ୍ରତୀକ ହୋଇଥାଏ।

ଫ୍ଲାଓ୍ବାର ସିମ୍ବଲିଜମ୍ ଅନୁସାରେ ଯଦି ଆପଣ କେବେ ସୂର୍ଯ୍ୟମୁଖୀ ଫୁଲକୁ ଉପହାର ଦେବା ପାଇଁ ବାଛନ୍ତି ତାହେଲେ ପ୍ରଥମେ କ୍ଲାଟିର ନିସ୍ବାର୍ଥ ପ୍ରେମ ଓ ସମର୍ପଣକୁ ମନେ ପକାଇବେ। କୌଣସି ବନ୍ଧୁ କିମ୍ବା ଆତ୍ମୀୟଙ୍କ ଜନ୍ମଦିନରେ ସୂର୍ଯ୍ୟମୁଖୀ ଫୁଲ ଉପହାର ଏକଦମ୍ ସଠିକ ଚୟନ, କାରଣ ଏହା ସକାତ୍ମକ ଉର୍ଜା, ଖୁସି ଓ ବିଶ୍ୱାସ କୁ ଦର୍ଶାଏ। ସେମିତି ପରିବାର ମଧ୍ୟରେ ଯେକୌଣସି ଉତ୍ସବ କିମ୍ବା ବିଶେଷ ମୁହୂର୍ତ୍ତରେ ସୂର୍ଯ୍ୟମୁଖୀ ଫୁଲର ତୋଡା ସ୍ନେହ, ପ୍ରେମ ଓ ଆନନ୍ଦର ଚିହ୍ନ ହୋଇଥାଏ। ଯେହେତୁ ଭିକ୍ଟୋରିଆନ୍ ଏରାରୁ ସୂର୍ଯ୍ୟମୁଖୀ ଫୁଲକୁ ପ୍ରେମରେ ପରମ ଆଦର, ସ୍ନେହ ଏବଂ ସମର୍ପଣ ଅର୍ଥରେ ଗ୍ରହଣ କରାଯାଏ, ତେଣୁ ପ୍ରେମ ନିବେଦନ, ଭାଲେଣ୍ଟାଇନ୍ସ ଡେ’ ଓ ପ୍ରେମ କିମ୍ବା ବିବାହ ବାର୍ଷିକୀରେ ସୂର୍ଯ୍ୟମୁଖୀର ତୋଡା ଖୁବ୍ ମାନେ ରଖେ। କୌଣସି ବନ୍ଧୁ କିମ୍ବା ପରିଚିତଙ୍କର ନୂତନ କାର୍ଯ୍ୟ, ବ୍ୟବସାୟ, ପାଠ୍ୟକ୍ରମରେ ଦାଖିଲା ଆଦି ସମୟରେ ସୂର୍ଯ୍ୟମୁଖୀ ଫୁଲ ଉପହାର ଦେବାର ଅର୍ଥ ତାଙ୍କର ସଫଳତା, ଉତ୍ତମ ସ୍ବାସ୍ଥ୍ୟ, ସୌଭାଗ୍ୟ ଏବଂ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିବାକୁ ବୁଝାଏ। ନିଜ ଗୁରୁ କିମ୍ବା ମେଣ୍ଟରଙ୍କୁ ମନରେ ତାଙ୍କ ପ୍ରତି ଥିବା ସମ୍ମାନ, ଭକ୍ତି, ଆଦରକୁ ଦର୍ଶାଇବା ପାଇଁ ସୂର୍ଯ୍ୟମୁଖୀ ଫୁଲ ଉପଯୁକ୍ତ ଉପହାର ଅଟେ। କୌଣସି ପରିଚିତ ଅବସାଦ ଗ୍ରସ୍ତ କିମ୍ବା ନିରାଶା ଭିତରେ ଥିଲେ, ସୂର୍ଯ୍ୟମୁଖୀ ଫୁଲଠାରୁ ଉଚିତ ଉପହାର ଆଉ କିଛି ନୁହେଁ, କାରଣ ଏହା ନୂତନ ଆଶା, ସୌଭାଗ୍ୟ, ଦୃଢ ଇଚ୍ଛାଶକ୍ତି ଓ ସାମର୍ଥ୍ୟର ପ୍ରତୀକ ଅଟେ। ପରିଚିତ କିମ୍ବା ଆତ୍ମୀୟଙ୍କ ସ୍ବାସ୍ଥ୍ୟ ସମସ୍ୟା ସମୟରେ ସୂର୍ଯ୍ୟମୁଖୀ ଫୁଲ ଉପହାର କେବଳ ଉତ୍ତମ ସ୍ବାସ୍ଥ୍ୟର କାମନା ହୋଇନଥାଏ ବର° ଏହା ସକାତ୍ମକ ଉର୍ଜା ଓ ନୂତନ ଆଶାର ସଞ୍ଚାରର ପ୍ରତୀକ ହୋଇଥାଏ।

ସୂର୍ଯ୍ୟମୁଖୀ ଫୁଲଯେ କେବଳ ସୁନ୍ଦର ଦେଖାଯାଏ କିମ୍ବା ଫ୍ଲାଓ୍ବାର ସିମ୍ବଲିଜମ୍ ଅନୁସାରେ ଏହା କାହାକୁ କେବଳ ଉପହାର ଦେବା ପାଇଁ ଉପଯୁକ୍ତ ତାହା ନୁହେଁ ଅନେକ ଅଞ୍ଚଳର ପାରମ୍ପରିକ ଚିକିତ୍ସା ପଦ୍ଧତି ଏବଂ ନ୍ୟୁଟ୍ରିସନ୍ (ଖାଦ୍ୟ) ବିଜ୍ଞାନ ଦୃଷ୍ଟିରୁ ମଧ୍ୟ ସୂର୍ଯ୍ୟମୁଖୀ ଖୁବ୍ ଉପଯୋଗୀ। କିଛି ପାରମ୍ପରିକ ଚିକିତ୍ସା ପଦ୍ଧତିରେ ଥଣ୍ଡା ଜ୍ବର ଏବଂ ଫୁସଫୁସର ସ°କ୍ରମଣରେ ଏହାର ପତ୍ରର ଚା’ ବନାଇ ଦିଆଯାଏ। ଆହୁରି ମଧ୍ୟ ଏହି ଫୁଲର ପାଖୁଡା ଏବଂ ପରାଗକୁ ବିଭିନ୍ନ ପ୍ରକାର ଶ୍ବାସ ସମସ୍ୟାର ଚିକିତ୍ସା ପାଇଁ ବ୍ୟବହାର କରାଯାଏ। କିଛି ପାରମ୍ପରିକ ଚିକିତ୍ସା ପଦ୍ଧତିରେ ଏହାର ମଞ୍ଜିର ତେଲ ଖଣ୍ଡିଆଖାବରର ଚିକିତ୍ସା ପାଇଁ ବ୍ୟବହାର କରାଯାଏ। ଏହାର ତୈଳରେ LDL (good cholesterol)ର ଉତ୍ତମ ମାତ୍ରା ରହିଥିବା କାରଣରୁ ଏହା ହୃତପିଣ୍ଡ ସ୍ବାସ୍ଥ୍ୟ ପାଇଁ ଉପକାରୀ। ସୂର୍ଯ୍ୟମୁଖୀର ମଞ୍ଜିରେ ଭାଇଟାମିନ୍ ଇ ଏବଂ ସେଲେନିୟମ୍ ରହିଥାଏ, ଯାହା ଆଣ୍ଟିଅକ୍ସିଡାଣ୍ଟ ଭାବରେ କାମ କରେ, ଯାହା ମଧୁମେହ ଏବଂ କର୍କଟ ରୋଗୀଙ୍କ ପାଇଁ ଉପକାରୀ। ଏଥିରୁ କିଛି ମାତ୍ରାରେ ଓମେଗା-3 ଫ୍ୟାଟି ଏସିଡ୍ ମଧ୍ୟ ମିଳିଥାଏ। ଏଥିରୁ ବାୟୋଟିନ୍ ମଧ୍ୟ ମିଳିଥାଏ ଯାହା କେଶ ଓ ନଖ ପାଇଁ ଉପକାରୀ। ସାଧାରଣତଃ ଫେବୃଆରୀ ରୁ ମାର୍ଚ୍ଚ ମଧ୍ୟରେ ସୂର୍ଯ୍ୟମୁଖୀ ଚାଷ ଆରମ୍ଭ ହୁଏ। ଗ୍ରୀଷ୍ମ ଋତୁରେ ସୂର୍ଯ୍ୟଙ୍କ ପ୍ରଖର କିରଣକୁ ମୁହଁ କରି ସେମିତି ଠିଆ ହୋଇ ରୁହେ ସୂର୍ଯ୍ୟମୁଖୀ। ଯଦି ପାରିବେ ଗୋଟିଏ ସୂର୍ଯ୍ୟମୁଖୀ ଚାରା ଆଣି ଏଥର ନିଜ ବଗିଚାରେ ଲଗାନ୍ତୁ ଏବଂ ନିଜ ପରିବାର ଓ ପରିବେଶ ପାଇଁ ସକରାତ୍ମକ ଉର୍ଜା ଓ ନୂତନ ଆଶାର ସଞ୍ଚାର କରନ୍ତୁ। ଗୋଟିଏ ଗୋଟିଏ ଫୁଲରୁ ୨୦୦୦ଟି ପର୍ଯ୍ୟନ୍ତ ମଞ୍ଜି ଅମଳ ହୋଇପାରେ। କ୍ଲାଟି ପରି ଝାଉଁଳି ପଡିଲା ପରେ ମଧ୍ୟ ଆପଣଙ୍କ ପାଇଁ ନିଜ ପ୍ରେମ ଓ ସମର୍ପଣକୁ ମଞ୍ଜିର ପସରା ଆକାରରେ ଛାଡିଯିବ।


( ଗ୍ରୀକ୍ ପୁରାଣ ଅନୁସାରେ, “ନିମ୍ଫ” ମାନେ ହେଉଛନ୍ତି ଛୋଟ ଛୋଟ ଦେବୀ ପରି, ଯଦିଓ ସେମାନେ ଅମର ନୁହଁନ୍ତି କିନ୍ତୁ ଦୀର୍ଘାୟୁ, ଚିରଯୌବନ ଓ ଅପରୂପ ସୌନ୍ଦର୍ଯ୍ୟପର ଅଧିକାରିଣୀ। ନିମ୍ଫ ମାନେ ସାଧାରଣତଃ ପ୍ରକୃତି ଯେମିତିକି ପାହାଡ଼, ଜଙ୍ଗଲ, ଜଳାଶୟ ସହ ଜଡିତ।)

About Dr. Ipsita Pradhan

Dr. Ipsita Pradhan is a doctor by profession and writer by passion.

View all posts by Dr. Ipsita Pradhan →

Leave a Reply

Your email address will not be published. Required fields are marked *