ପୁରା ନାମ ହେଉଛି ଆଗ୍ନେଶ ବର୍ଣ୍ଣିସ୍ ମାର୍ଟିନ । କଳା ସମାଲୋଚକ ମାନେ ଆଗ୍ନେଶଙ୍କୁ ଜଣେ ମିନିମାଲିଷ୍ଟ ଚିତ୍ରଶିଳ୍ପୀ ଭାବରେ ଗ୍ରହଣ କରୁଥିବା ବେଳେ, ସେ କିନ୍ତୁ ନିଜକୁ ଜଣେ ଆବଷ୍ଟ୍ରାକ୍ଟ ଏକ୍ସପ୍ରେସନିଷ୍ଟ ଭାବରେ ପରିଚୟ ଦେଉଥିଲେ ।
ଆଗ୍ନେଶଙ୍କ ଜନ୍ମ ମାର୍ଚ୍ଚ ୨୨,୧୯୧୨ରେ କାନାଡ଼ାରେ ହୋଇଥିଲା । ୧୯୩୧ମସିହାରେ ସେ ତାଙ୍କ ଗର୍ଭବତୀ ବଡ ଭଉଣୀକୁ ସାହାଯ୍ୟ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ଆସିଥିଲେ ଓ ସେଇଠି ପାଠ ପଢି ୧୯୫୦ରେ ଆମେରିକାର ନାଗରିକ ହୋଇଯାଇଥିଲେ । ୧୯୪୭ ମସିହାରେ ଆଗ୍ନେଶ ଏକଦା ଡି.ଟି. ସୁଜୁକି ନାମକ ଜଣେ ଜାପାନୀ ଜେନ୍ ବୌଦ୍ଧ ଧର୍ମର ଲେଖକଙ୍କ ଭାଷଣ ଶୁଣି ଜେନ୍ ବୌଦ୍ଧ ଧର୍ମ ପ୍ରତି ଆକର୍ଷିତ ହୋଇପଡିଲେ । ତା ପରଠୁ ଆଗ୍ନେଶ ସାରା ଜୀବନ ପ୍ରାଚ୍ୟ ଭୂଖଣ୍ଡ ପ୍ରତି ଅନୁରକ୍ତ ଥିଲେ । ଧର୍ମ ପରିବର୍ତନ କରିନଥିଲେ ମଧ୍ୟ, ସେ ସେଇଦିନରୁ କିନ୍ତୁ ଜେନ୍ ଓ ତାଓ ଦର୍ଶନକୁ ନିଜ ଜୀବନ ଚର୍ଯ୍ୟାରେ ପରୀକ୍ଷl କରି ଚାଲିଥିଲେ ।
ଆଗ୍ନେଶ ୧୯୫୭ରେ ପାଠପଢା ସାରି ନିୟୁୟର୍କ ସହର ଆସିଥିଲେ । ଅନେକ ଚିତ୍ରଶିଳ୍ପୀ ବନ୍ଧୁ,ଚିତ୍ର ପ୍ରଦର୍ଶନୀ, ପ୍ରସିଦ୍ଧି ଓ ଗ୍ୟାଲେରୀ ଭିତରୁ ବାହାରି ଦିନେ ସେ କିନ୍ତୁ ୧୯୬୭ରେ ଏକ। ରହିବାକୁ ନିୟୁୟର୍କ ସହର ଛାଡ଼ି ଅନ୍ୟତ୍ର ଚାଲିଯାଇଥିଲେ । ରାସ୍ତାରେ ପୁରା ଅଠର ମାସ କଟେଇ ଶେଷରେ ନିଉ ମେକ୍ସିକୋର କ୍ୟୁବାରେ ପହଂଚିଥିଲେ । ତାପରେ ଅନେକ ବର୍ଷ ପର୍ଯ୍ୟନ୍ତ ସେ କଳା ରାଜ୍ୟ ସାଙ୍ଗରେ ତାଙ୍କର ସବୁ ପ୍ରକାର ସମ୍ପର୍କ ବିଛିନ୍ନ କରି ରଖିଥିଲେ । ସେଠି ୧୯୭୭ ରୁ ୧୯୯୩ ପର୍ଯ୍ୟନ୍ତ ରହିଲା ପରେ ପୁଣି ଗାଲିଷ୍ଟେଓ ଚାଲିଯାଇଥିଲେ । ସେଠି ସେ ୧୯୯୩ ପର୍ଯ୍ୟନ୍ତ ରହିଥିଲେ । ଶେଷରେ ସେ ନିଉ ମେକ୍ସିକୋର ଥାଉସ୍ କୁ ଫେରି ଆସିଥିଲେ ଓ ୨୦୦୪ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେଇଠି ହିଁ ରହିଥିଲେ । ସାରା ଜୀବନ ଏକା ରହିଥିବା ଆଗ୍ନେଶ ସବୁଠି ନିଜ ପାଇଁ ମେକ୍ସିକାନ ପାରମ୍ପରିକ ଶୈଳୀରେ ମାଟି ଘର ଗୋଟେ ଲେଖା ତିଆରି କରି ରହୁଥିଲେ ।
ଆଗ୍ନେଶ ମାନସିକ ରୋଗ ସ୍କିତଜୋଫ୍ରେନିଆରେ ଆକ୍ରାନ୍ତ ଥିଲେ ଓ ସେଥିପାଇଁ ଚିକିତ୍ସତ ବି ହେଉଥିଲେ । ସାରା ଜୀବନ ଏକା ରହି ଓ ଜଣେ ମାନସିକ ରୋଗୀ ହୋଇ ବି ସେ ତାଙ୍କର ଚିତ୍ରମାନଙ୍କର ନାମକରଣ କିନ୍ତୁ ଖୁବ ସୁନ୍ଦର ଭାବରେ କରୁଥିଲେ । ଯେମିତିକି ‘ଅନ ଏ କ୍ଳିଅର ଡେ’, ‘ହାପି ହଲିଡେ’, ‘ଦ ହାରଭେଷ୍ଟେ ଗ୍ରାଟିଟୁଡ’, ‘ଆଇ ଲଭ ଦି ହୋଲ ୱାର୍ଲଡ’ ପ୍ରଭୃତି । ତାଙ୍କର ଧରଣl ଥିଲା ଖୁସି ଓ ଆନନ୍ଦ ବିନା ସୌନ୍ଦର୍ଯ୍ୟର କିଛି ମାନେ ନାହିଁ ।
ଆଗ୍ନେଶଙ୍କ ଛବି ସବୁ ନିଉ ମେକ୍ସିକୋର ଉତ୍ତରରେ ଥିବା ମରୁଭୂମି ଘେରା ଥାଉସ୍ ସହର ସାଙ୍ଗରେ ଗଭୀର ଭାବରେ ଯୋଡି ହୋଇ ରହିଛି । ବିଶିଷ୍ଟ ଚିତ୍ରଶିଳ୍ପୀ ଏ.ଡି. ରେନହାର୍ଟଙ୍କ ସହ ବନ୍ଧୁତା ଆଗ୍ନେଶଙ୍କ ଚିତ୍ରଧାରା ଓ ଚିନ୍ତାଧାରାକୁ ବହୁଧା ପ୍ରଭାବିତ କରିଥିଲା । ରେନହାର୍ଟଙ୍କ ବିୟୋଗ ଆଗ୍ନେଶଙ୍କ ନିୟୁୟର୍କ ସହର ଛାଡିବାର ଅନ୍ୟତମ କାରଣ ମଧ୍ୟ ଥିଲା ।
ଆପଣା ଜୀବନ କାଳ ଭିତରେ ୮୫ଟି ଏକକ ଚିତ୍ର ପ୍ରଦର୍ଶନ କରିଥିବା ଆଗ୍ନେଶ ନିଜ ମନ ପସନ୍ଦ ନହେଲେ ନିଜ କଳାକୃତିକୁ ସମ୍ପୂର୍ଣ ନଷ୍ଟ କରିବାରେ ମଧ୍ୟ ପ୍ରସିଦ୍ଧ ଥିଲେ । ପ୍ରାୟତଃ ଛ ଗୁଣନ ଛ ଫୁଟ ଆକାରରେ ଅଙ୍କା ଆଗ୍ନେଶଙ୍କ ଛବିରେ ରେଖା ମାନଙ୍କର ଜାଲି ଦେଖିବାକୁ ମିଳେ, ଯେଉଁଥିରେ ସେ ନାମକୁ ମାତ୍ର ବର୍ଣ୍ଣର ବ୍ୟବହାର କରୁଥିଲେ । ପରେ ବୟସ ଅଧିକ ହେଲାରୁ ସେ ତାଙ୍କ ଛବି ଆକାରକୁ ଛ ଗୁଣନ ଛ ଇଂଚକୁ ଆଣି ଦେଇଥିଲେ ।
ଆଗ୍ନେଶଙ୍କ କହିବା କଥା ହେଲା, ସେ ଥରେ ପାହାଡ ମାନଙ୍କ ଗହଣରେ ପାହାଡ ଆଙ୍କୁଥିବା ବେଳେ ହଠାତ ସମତଳ ଅଂଚଳରେ ପହଂଚି ଯେଉଁ ଆଶ୍ୱାସ ଅନୁଭବ କଲେ ସେଇ ଅନୁଭଵକୁ ହିଁ ଭୂଲମ୍ବ ରେଖା ସବୁ ଆଙ୍କି ବ୍ୟକ୍ତ କରିଥିଲେ । ପରେ ସେଥିରେ ଉଲମ୍ବ ରେଖାମାନ ଯୁକ୍ତ କରିଥିଲେ । ଆଖିକୁ ଦେଖିବାକୁ ଖୁବ ସହଜ ଓ ସରଳ ମନେ ହେଉଥିବା ଆଗ୍ନେଶଙ୍କ ଛବି ମାନଙ୍କର ପ୍ରସ୍ତୁତି ପ୍ରଣାଳୀ ଖୁବ ଜଟିଳ ଓ ସମୟ ସାପେକ୍ଷ ।
ପ୍ରକୃତିକୁ ଅତି ଅଳ୍ପ ଜ୍ୟାମିତିକ ରୂପରେ ପ୍ରକାଶ କରିବାର ତାଙ୍କର ଆଗ୍ରହ ଏପରି ଏକ ଚିତ୍ରକାରୀକୁ ଜନ୍ମ ଦେଇଥିଲା । ସେ ତାଙ୍କ ଛବିକୁ ସବୁବେଳେ ସଂଗୀତ ସାଙ୍ଗରେ ତୁଳନା କରୁଥିଲେ । ସରଳତା ଓ ନିରୋଳା ଆନନ୍ଦ ସନ୍ଧାନରେ ଜୀବନ କାଟିଥିବା ଓ ଜୀବନ ପ୍ରତି ସର୍ବଦା ଯୁକ୍ତାତ୍ମକ ଦୃଷ୍ଟିଭଙ୍ଗୀ ରଖିଥିବା ଏହି ମହାନ ଚିତ୍ରଶିଳ୍ପୀଙ୍କ ଜୀବନୀ ଗ୍ରନ୍ଥ ୨୦୧୮ ମସିହାରେ ପ୍ରକାଶିତ । ‘ଆଗ୍ନେଶ ମାର୍ଟିନ: ପାୟୋନିୟର, ପେଣ୍ଟର,ଆଇକନ’ ନାମକ ଏହି ଗ୍ରନ୍ଥରେ ତାଙ୍କ ବିଷୟରେ ଅନେକ ବ୍ୟକ୍ତିଗତ ତଥ୍ୟ ପ୍ରକାଶିତ ହୋଇଛି ।