ସମର୍ପଣ ଓ ନିବିଡ ପ୍ରେମର ପ୍ରତୀକ: କାଠଚମ୍ପା

ଏ ଲୋକକଥାଟି କାମ୍ବୋଡିଆର। ଅନେକ ବର୍ଷ ତଳର କଥା, ପରସ୍ପରକୁ ଖୁବ୍ ଭଲ ପାଉଥିବା ଦୁଇ ପ୍ରେମୀଙ୍କ କାହାଣୀ। ଦୁଇଜଣ ଘଡିଏ ପରସ୍ପରକୁ ଛାଡି ରହି ପାରନ୍ତିନି। ହେଲେ ଭାଗ୍ୟ ବେଳେବେଳେ ବଇରୀ ସାଜେ। କୌଣସି ଏକ କାରଣରୁ ପୁଅଟିର ଅକାଳ ବିୟୋଗ ଘଟେ। ଯିଏ ଯେତେ ବୁଝାଇଲେ ବି ଝିଅଟି ବିଶ୍ୱାସ କରେନି କି ମାନିବାକୁ ପ୍ରସ୍ତୁତ ନଥାଏ। ଦିନରାତି ତା’ ପ୍ରେମିକର ଫେରି ଆସିବାକୁ ଅପେକ୍ଷା କରି ତା’ ସମାଧି ପାଖରେ ବସିଥାଏ। ୟା ଭିତରେ ଅନେକ ଦିନ ବିତି ଯାଏ। ଝିଅଟି ଅଖିଆ ଅପିଆ, ଅବିଚଳିତ ତା’ ପ୍ରେମିକ ଫେରିଆସିବର ଅଟଳ ବିଶ୍ୱାସରେ ତା’ ସମାଧି ପାଖରେ ବସିଥାଏ। ସେ ଝିଅଟି ଯେଉଁଠି ବସି, ତା’ ପ୍ରେମିକର ଅପେକ୍ଷାରେ ପ୍ରାଣତ୍ୟାଗ କରିଥିଲା, ସେଇଠି ତାକୁ ସମାଧି ଦିଆଯାଏ। ଏବଂ କିଛିଦିନ ପରେ ସେ ଝିଅଟିର ସମାଧି ଜାଗରେ ଗୋଟିଏ ସୁନ୍ଦର ମିଠାଳିଆ, ମୃଦୁ ବାସ୍ନାଯୁକ୍ତ ଧଳା ଫୁଲର ପେନ୍ଥାରେ ଭର୍ତ୍ତି ଫୁଲ ଗଛଟେ ଉଠେ। ଏବଂ ପ୍ରତ୍ୟେକ ଦିନ ସେଥିରୁ ଗୋଟିଏ ଫୁଲ ସେ ପୁଅଟିର ସମାଧି ଉପରେ ଝରି ପଡେ। ସେଇ ଫୁଲକୁ ଆମେ କାଠଚମ୍ପା କହିଥାଉ। ସେଇଥିପାଇଁ ଆଜି ବି କାଠଚମ୍ପାକୁ ପ୍ରଗାଢ ପ୍ରେମ ଓ ବିଶ୍ୱାସର ପ୍ରତୀକ ମାନନ୍ତି କାମ୍ବୋଡିଆର ଲୋକେ। ନିଜ ବଗିଚାର କୋଣରେ ତଥା ମନ୍ଦିରର ବେଢାରେ ଲଗାନ୍ତି, ଫୁଲକୁ ପୂଜା ପାଇଁ ବ୍ୟବହାର କରନ୍ତି। ସେମାନଙ୍କର ବିଶ୍ୱାସ ଯେ ଚାରି କିମ୍ବା ଛ’ ପାଖୁଡ଼ା ଯୁକ୍ତ କାଠଚମ୍ପା ଫୁଲ ସ୍ଥାୟୀତ୍ତ୍ବର ପ୍ରତୀକ। ସାଧାରଣତଃ ଏଥିରେ ପାଞ୍ଚଟି ପାଖୁଡା ଥାଏ।

କାଠଚମ୍ପାକୁ ଇ°ରାଜୀରେ ଫ୍ରାଞ୍ଜିପାନି ତଥା ପ୍ଲମେରିଆ ମଧ୍ୟ କୁହାଯାଏ। ୧୬ଶହ ଖ୍ରୀଷ୍ଟାବ୍ଦ ସମୟରେ ମାର୍କ୍ବିସ୍ ଫ୍ରାଞ୍ଜିପାନି ନାମକ ଜଣେ ୟୁରୋପୀୟ ଧନୀ ବ୍ୟବସାୟୀ, ମହିଳାମାନେ ହାତରେ ପିନ୍ଧିବା ପାଇଁ କାଠଚମ୍ପା ଫୁଲ ବାସ୍ନା ଯୁକ୍ତ ଗ୍ଲୋବ୍ସ ବନାଇ ଥିଲେ। ସେଥିପାଇଁ ଏ ଫୁଲକୁ ଫ୍ରାଞ୍ଜିପାନି କୁହାଯାଏ। ଷ୍ଟେଲା ମ୍ୟାକ୍କାର୍ଟନୀ ପପ୍ ଏବଂ ମନ୍ ଗ୍ୟୁର୍ଲାଇନ୍ସ ଏଲଏସେନ୍ସ ଗ୍ୟୁର୍ଲେଇନ ପରି ଲୋକପ୍ରିୟ ପରଫ୍ୟୁମରେ ମଧ୍ୟ କାଠଚମ୍ପାର ବାସ୍ନା ବ୍ୟବହାର କରାଯାଏ।

Photo Credit: Dr. Ipsita Pradhan

କାମ୍ବୋଡିଆ ପରି ହାଓ୍ବାଇ ପରମ୍ପରାରେ ମଧ୍ୟ କାଠଚମ୍ପାକୁ ଖୁବ ସମ୍ମାନ ଦିଆଯାଏ। ହାଓ୍ବାଇରେ ଏହାକୁ ସକାରାତ୍ମକ ଉର୍ଜା ଏବଂ ନୂତନ ଆଶାର ପ୍ରତୀକ ମାନନ୍ତି। ତେଣୁ ଅତିଥିଙ୍କ ସ୍ବାଗତଠୁ ଆରମ୍ଭ କରି ହୋଟେଲ ଏବଂ ପ୍ରତ୍ୟେକ ସାଜସଜ୍ଜାରେ ଏହି ଫୁଲକୁ ବ୍ୟବହାର କରନ୍ତି। ଆଉ ଗୋଟିଏ ମଜାଳିଆ ପରମ୍ପରା ମଧ୍ୟ ହାଓ୍ବାଇରେ ପ୍ରଚଳିତ ଅଛି। ଯେଉଁ ଝିଅ ନିଜ ବାମ କାନ ଉପରକୁ ଏହି ଫୁଲ ଖୋସାରେ ଲଗାଏ ସେ ପ୍ରେମ ସମ୍ପର୍କରେ ଅଛି (she is in a relationship) ଏବଂ ଡାହାଣ କାନ ଉପରକୁ ଲଗାଇଲେ ସେ ବର୍ତ୍ତମାନ କୌଣସି ପ୍ରେମ ସମ୍ପର୍କରେ ନାହିଁ (she is single) ଧରାଯାଏ। ଜାଭାରେ ଏହି ଫୁଲ ଭୌତିକ ଶକ୍ତି ବା ଅତୃପ୍ତ ଆତ୍ମାଙ୍କୁ ଆକର୍ଷିତ କରେ ବୋଲି ବିଶ୍ବାସ କରି କୌଣସି ଘରର ବଗିଚାରେ ଏହାକୁ ଲଗାଯାଏ ନାହିଁ। ସେମିତି ଚୀନର କିଛି ଅ°ଶ ଏବଂ ଭିଏତନାମରେ ଏହି ଗଛରେ ପ୍ରେତାତ୍ମାମାନେ ବାସ କରନ୍ତି ବୋଲି ଏହାକୁ ଅଶୁଭ ଗଛ ମାନନ୍ତି। ଚୀନର ଅନ୍ୟ କିଛି ଅ°ଶର ପରମ୍ପରା ଅନୁସାରେ କାଠଚମ୍ପାକୁ ପ୍ରେମ ନିବେଦନ ପାଇଁ ଉପଯୁକ୍ତ ମାନନ୍ତି। ଚୀନ୍ ତଥା ଦକ୍ଷିଣ କୋରିଆରେ ଏହାର ଶୁଖିଲା ଫୁଲରୁ ଚା’ ମଧ୍ୟ ପ୍ରସ୍ତୁତ ହୁଏ। ଏହାର ସୁନ୍ଦର ରୂପ ଏବଂ ମଧୁର ବାସ୍ନା ପାଇଁ ଅନେକ ଏସିଆନ୍ ଦେଶରେ କାଠଚମ୍ପାକୁ ସୁନ୍ଦରତା, ସମୃଦ୍ଧି, ଧନର ପ୍ରତୀକ ଧରାଯାଏ। ହିନ୍ଦୁ ଏବଂ ଭାରତୀୟ ପରମ୍ପରା ଅନୁସାରେ କାଠଚମ୍ପା ସମର୍ପଣ ଏବଂ ନିବିଡ଼ ପ୍ରେମକୁ ପ୍ରତିନିଧିତ୍ଵ କରେ। ସେଥିପାଇଁ ଦକ୍ଷିଣ ଭାରତରେ ବାହାଘର ସମୟରେ ଏହି ଫୁଲ ବ୍ୟବହାର କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ଫୁଲ ପତି-ପତ୍ନୀଙ୍କ ସମ୍ପର୍କକୁ ଦୃଢ ଏବଂ ଚିରସ୍ଥାୟୀ କରେ। ବୌଦ୍ଧ ଧର୍ମ ଅନୁସାରେ କାଠଚମ୍ପା ଅମର ଆତ୍ମା, ପୁନର୍ଜନ୍ମ ଏବଂ ନୂତନ ଆରମ୍ଭର ପ୍ରତୀକ ଅଟେ। ଆମେରିକୀୟ ପରମ୍ପରାରେ ଏହାକୁ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିଜ ବିଶ୍ୱାସ ଏବଂ ନିଷ୍ପତ୍ତିରେ ଦୃଢ, ଏହି ଭାବନାର ପ୍ରତୀକ ଧରାଯାଏ। ଲାଓସରେ ଏହାକୁ ଆଧ୍ୟାତ୍ମିକ ଏବଂ ପବିତ୍ରତାର ଚିହ୍ନ କୁହାଯାଏ।

ଫ୍ଲାଓ୍ବାର ସିମ୍ବଲିଜିମରେ କାଠଚମ୍ପାକୁ ସକାରାତ୍ମକ ଉର୍ଜା, ସ୍ବାଗତ, ସହଯୋଗ ଏବଂ ଧନର ପ୍ରତୀକ ବୋଲି ଧରାଯାଏ। ଅନେକ ପ୍ରତିକୂଳ ପରିସ୍ଥିତି ଏବଂ ବାଧାବିଘ୍ନ ସତ୍ତ୍ୱେ ନିଜ ଲକ୍ଷ୍ୟରେ ପହଞ୍ଚି ପାରିଥିବା ମଣିଷଟେ ପାଇଁ କାଠଚମ୍ପା ସବୁଠାରୁ ଉପଯୁକ୍ତ ଉପହାର। ଏହାଛଡା ଧଳା, ଗୋଲାପୀ, କମଳା, ବାଇଗଣୀ ଏବଂ ହଳଦିଆ ପ୍ରତ୍ୟେକ କାଠଚମ୍ପା ଫୁଲର ଫ୍ଲାଓ୍ବାର ସିମ୍ବଲିଜିମ ଅନୁସାରେ ଅଲଗା ଅର୍ଥ ରହିଛି।

ଧଳା-କାଠଚମ୍ପା ପବିତ୍ରତା, ସ୍ବଚ୍ଛତା ଏବଂ ନିଷ୍ପାପ ଭାବନାର ପ୍ରତୀକ। ଜଣେ ଅନ୍ତରଙ୍ଗ ବନ୍ଧୁ ଏବଂ ସ୍ନେହର ସମ୍ପର୍କ ପାଇଁ ଏହା ପ୍ରକୃଷ୍ଟ ଉପହାର। ପ୍ରାୟ ସମସ୍ତ ପାରିବାରିକ ପୂଜା, ଉତ୍ସବରେ ସାଜସଜ୍ଜା ପାଇଁ ବ୍ୟବହାର କରାଯାଇ ପାରିବ।

ହଳଦିଆ-କାଠଚମ୍ପା ବନ୍ଧୁତା, ସୁଖ, ସମୃଦ୍ଧି, ଆନନ୍ଦ ଏବଂ ଆଶାବାନ୍ ଭାବନାର ପ୍ରତୀକ। ଯେକୌଣସି ପାରିବାରିକ ସମ୍ପର୍କୀୟ ଏବଂ ବନ୍ଧୁଙ୍କୁ ଏହା ଦିଆଯାଇ ପାରେ।

କମଳା-କାଠଚମ୍ପା ଆନନ୍ଦ, ଉଲ୍ଲାସ, ଏନକରେଜମେଣ୍ଟ୍ ର ପ୍ରତୀକ। କୌଣସି ପରୀକ୍ଷା କିମ୍ବା ଚାକିରୀ ସାକ୍ଷାତକାର ପୂର୍ବରୁ ଏହାକୁ ଉପହାର ଦିଆଯାଇ ପାରେ। କୌଣସି ବ୍ୟକ୍ତିକୁ କମଳା-କାଠଚମ୍ପା ଦେବାର ଅର୍ଥ ତା’ ପାଇଁ ସଫଳତା ଏବଂ ପ୍ରାଚୁର୍ଯ୍ୟ କାମନା କରିବା ଅଟେ।

ନାଲି-କାଠଚମ୍ପା ଇଚ୍ଛା, ଆଦର, ପ୍ରେମ, ଆବେଗକୁ ସୂଚାଏ। ଯଦି ଆପଣ କାହାର ସ୍ନେହପୂର୍ଣ୍ଣ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛନ୍ତି ତା’ ହେଲେ ନାଲି କାଠଚମ୍ପାର ତୋଡା ହିଁ ଠିକ୍ ଉପହାର।

ଗୋଲାପୀ-କାଠଚମ୍ପା ଆପଣଙ୍କ ସାଥୀ ବା ପ୍ରେମିକ/ ପ୍ରେମିକା ପାଇଁ ସବୁଠାରୁ ସୁନ୍ଦର ଉପହାର। ଗୋଲାପୀ ଚମ୍ପା ପ୍ରେମ, କଳ୍ପନା, ସୁନ୍ଦରତା ପରି ଭାବନା ଏବଂ ସମ୍ଭ୍ରାନ୍ତ ଏବଂ ଭଦ୍ର ମହିଳାର ପ୍ରତୀକ ଅଟେ। ଆପଣଙ୍କ ପ୍ରେମିକାର ସୌନ୍ଦର୍ଯ୍ୟ ଏବଂ ତାଙ୍କ ପ୍ରତି ଆପଣଙ୍କ ସ୍ନେହକୁ ପ୍ରଦର୍ଶିତ କରିବା ପାଇଁ ଗୋଲାପୀ ଚମ୍ପା ଉପଯୁକ୍ତ।

ବାଇଗଣୀ-କାଠଚମ୍ପା ସମ୍ବେଦନଶୀଳତା, ଶକ୍ତିଶାଳୀ ବ୍ୟକ୍ତିତ୍ୱ, ସମ୍ଭ୍ରାନ୍ତ, ଦୃଢ ଇଚ୍ଛାଶକ୍ତି ର ପ୍ରତୀକ।

ଫିକା ସବୁଜ-କାଠଚମ୍ପା ସଫଳତା, ପ୍ରକୃତି, ନୂତନ ଆରମ୍ଭ, ପ୍ରାଚୁର୍ଯ୍ୟ, ଶକ୍ତି, ବିକାଶର ପ୍ରତୀକ। କୌଣସି ବ୍ୟକ୍ତିଙ୍କୁ ତାଙ୍କ ସଫଳତାର ଅଭିନନ୍ଦନ ଜଣାଇବା ପାଇଁ ଏହି ଚମ୍ପା ଫୁଲ ସବୁଠାରୁ ଉପଯୁକ୍ତ ଉପହାର।

ଜଣେ ଗଛ ସୌଖୀନ ମଣିଷ, ଯାହାର ଛୋଟିଆ ବଗିଚାଟେ ବି ଥିବ, ତା’ର ଗୋଟିଏ କୋଣରେ ଅତି ସହଜରେ କାଠଚମ୍ପା ଗଛ ଲଗାଇ ପାରିବ। ଯେକୌଣସି ବଡ ଗଛରୁ ଡାଳ ଖଣ୍ଡେ କାଟି ଆଣି ଲଗାଇଦେଲ ଏହା ନୂଆ ଗଛ ହୋଇଯାଏ। ଏତେ ସୁନ୍ଦର ରୂପ ଏବଂ ମଧୁର ବାସ୍ନାଯୁକ୍ତ ହୋଇ ମଧ୍ୟ ସେଥିରେ ମହୁ ନଥାଏ। ତେଣୁ ଏହା ପାଖକୁ ସାଧାରଣତଃ କୌଣସି ପ୍ରଜାପତି କିମ୍ବା ମହୁମାଛି ଆସନ୍ତି ନାହିଁ। ବିଶ୍ୱାସ ଅନୁସାରେ ଫେବୃୟାରୀ ମାସ ହେଉଛି କୌଣସି ବ୍ୟକ୍ତି କିମ୍ବା ବନ୍ଧୁଙ୍କୁ କାଠଚମ୍ପା ଗଛ ଉପହାର ଦେବାର ସବୁଠାରୁ ପ୍ରକୃଷ୍ଟ ସମୟ ।

Photo Credit: Dr. Ipsita Pradhan

About Dr. Ipsita Pradhan

Dr. Ipsita Pradhan is a doctor by profession and writer by passion.

View all posts by Dr. Ipsita Pradhan →