ନୀଳିମା ଡାଲମିଆ ଆଧାର : କସ୍ତୁରବାଙ୍କ ଗୋପନ ଡାଏରୀ

ଆଗା ଖାନ୍ ପାଲେସ୍,
୨୨ ଫେବ୍ରୁଆରୀ ୧୯୪୪
ସଂଧ୍ୟା ଛଅଟା

ହାତବୁଣା ଧଳାରଙ୍ଗର ଖଣ୍ଡିଏ ବହଳ ଖଦଡ ଶାଢୀ ,ଥରକୁ ଥର ସଫା ହେଉଛି ବୋଲି ଫିକା ପଡି ଆସିଲାଣି,ମୋର ଅଶକତ ହେବାକୁ ବସିଥିବା ଗୋଡ ଦୁଇଟି ସହ ବାରଂବାର ଘଷି ହେଉଥାଏ। ତା’ର ସିନ୍ଦୁରରଂଗର ସରୁ ଧଡିଟି ମୋର ଗୋଇଠି ଉପରକୁ ଉଠିଯାଇଥାଏ ଆଉ ଯେମିତି ସିଏ ଆଉ କାହାରକୁ ଖାତିର କରୁନି ସେଇଭଳି ଖୋଲାମେଲା ଭାବରେ ସଭିଙ୍କୁ ଦେଖାଇ ଦେଉଥାଏ ମୋର ଝାଉଁଳିଯାଇଥିବା ଗୋଇଠି ହଳକୁ। ଯେମିତି ପିଲାଟିଏ ମାତୃଗର୍ଭରେ କୁଣ୍ଡଳୀ ମାରି ଶୋଇଥାଏ ମୁଁ ସେମିତି ଶୋଇ ରହିଛି ଆଉ ମୋ ମଥାଟି ରହିଛି ସେଇ ଲୋକଟିର କୋଳର ଉପରେ,ସେଇ ଲୋକଟି ପରା ମୋ ବର,ଛଅ ଦଶକ ହେଲାଣି,ସେ ମୋ ବର।

ଏଇ ଅନ୍ଧାରୁଆ ଆଉ ଓଦାଳିଆ ବନ୍ଦୀଶାଳରେ ଯେଉଁଠି ମୁଁ ପଡି ରହିଛି,ସେଇଠି ଚାରିପଟରେ ମରଣର ଗୋଟିଏ ବାସ୍ନା ଖୁବ୍ ଭାରି। ମୋର ଏହା ଭାରି ଅସହ୍ୟ। ଗୋଟିଏ କଳା ରଙ୍ଗର ଛାଇ ଭଳି ଏହା ମୋ ଉପରେ ଚକ୍କର କାଟୁଛି ଆଉ ଝାଡିଦେଉଛି ନିଜର ଯେତେକ ପାଉଁଶ ମୋର କ୍ଷୟମୟ ଦେହଟିର ଉପରକୁ। ମୁଁ ଅନୁଭବ କରୁଛି ମୋ ଦେହର ସବୁତକ ହାଡ ଯେମିତି ଥୁରୁଥୁରୁ,ମୋ ଜୀବନ ବହିର୍ଦେଶ ର ଯାତ୍ରାପାଇଁ ଏଇଲେ ପ୍ରସ୍ତୁତ। ମୋର ନିଃଶ୍ୱାସପ୍ରଶ୍ୱାସ କ୍ଷୀଣ ଆଉ ଦୁର୍ବଳ। ମୋର ପାଦଠାରୁ ମଥା ଯାଏଁ ଖଇଫୁଟା ତାତି। ଲାଗୁଛି ଯେମିତି ମୋ ଆଖିଦୁଇଟି ଏଇଲେ ଦୁଇଟି ନିଆଁ ହୁଳା। ପ୍ରତିଥର ନିଃଶ୍ୱାସ ନେବାବେଳକୁ ଭାରି କଷ୍ଟ,ପଟେ ଛୁରୀ ଯେମିତି ମୋର ଛାତି ଭିତରକୁ ଦିଫାଳ କରିଦେଉଛି ଆଉ ଦମକାଏ ସହଜ ପବନ ପାଇଁ ମୋ ଶିଥିଳ ପାଟିରୁ ବାହାରୁଛି ବିକଳ ଆଉ କରୁଣ ଅର୍ଥହୀନ ଶବ୍ଦ। ଭିନ୍ନ ଭିନ୍ନ ପ୍ରତିଧ୍ୱନୀ ଆଉ ଚିତ୍ରମାନେ ବହୁଗୁଣିତ ହେବାରେ ଲାଗିଛନ୍ତି।

ଦୁଇଟି ସ୍ୱର ଯେମିତି ଭାସମାନ ଆତ୍ମା ଭଳି ମୋ ଉପରେ ଘୁରି ବୁଲନ୍ତି।

” ନା,ନା,ସବୁବେଳେ ନା ! ତା’କୁ ପେନିସିଲିନ୍ ଜମା ଦିଆଯିବନି । ଏହା ଅନିଷ୍ଟକର !”

“ମାତ୍ର ସାର୍,ଏହା ନିମୋନିଆ? ତାଙ୍କର ଜ୍ୱର କମୁ ନାହିଁ ! ତାଙ୍କର ହାର୍ଟ ଏହାକୁ ଆଉ ଅଧିକ ଟାଣିନେଇ ପାରିବ ନାହିଁ। ଏହାର ପରିଣତି ମାରାତ୍ମକ ହୋଇପାରେ !”

“ତା’କୁ ମରଣ ହାତରେ ଛାଡିଦିଆଯାଉ… ପ୍ରକୃତି ତାହାର ନିଜର ମାର୍ଗରେ ଯାଉ।”

ମୁଁ ଶୁଣିପାରିଲି ଦିଜଣଙ୍କ ଭିତରେ ଯୁକ୍ତିତର୍କ ଚାଲିଛି,ସେଇ ଦିଜଣଙ୍କ ଭିତରୁ ଜଣେ ବାପ ଆଉ ଆର ଜଣକ ପୁଅ ।

“ବାପୁ ,ଦୟାକରନ୍ତୁ,ବାପୁ ପ୍ଲିଜ୍,ସେମାନେ ତାହାକୁ ପେନସିଲିନ୍ ଇଂଜେକସନ୍ ଦିଅନ୍ତୁ।
ଏଇଟି ତା’ର ବଞ୍ଚିବାର ଏଇଲେ ତ ଗୋଟିଏ ବୋଲି ରାସ୍ତା।” ଅନୁଯୋଗରେ ଭରପୁର ସେଇ ଗଳାଟି ମୋ ପୁଅର।

“ନା! ନା ରେ ଦେବଦାସ,ପେନସିଲିନ ତାହାର କଷ୍ଟକୁ ଅଧିକ ସମୟ କେବଳ ବଢାଇଚାଲିବ।ତା’କୁ ଆଉ ଅଧିକ କଷ୍ଟ ଦେବା ନାହିଁ। ସେ ଏଥର ଶାନ୍ତିରେ ଯାଉ।”

ପରିଣତ ଗଳାରେ ଗାମ୍ଭୀର୍ଯ୍ୟର ଦୃଢ ପ୍ରଭୂତ୍ୱ।

ମୁଁ ଅଧିକ କୋଳାହଳ ଶୁଣିପାରିଲି,ସ୍ପଷ୍ଟ ଛବି,ଢୋଲରେ ଉନ୍ମତ୍ତ ପ୍ରହାର,ଚିତାକାଠର ଫାଟିବାର ଶବ୍ଦ,ସଂସ୍କୃତ ଶ୍ଳୋକର ଉଦାତ୍ତ ପଠନ-ସେଇ ସମସ୍ତ ଶ୍ଳୋକ ଯାହା କୁଣ୍ଡଳୀକାରରେ ଆଉ ଏକ “ସମୟପ୍ରେକ୍ଷ୍ୟ” କୁ ଗତିଶୀଳ। ପବିତ୍ର ମଙ୍ଗଳାଚରଣର ଆରମ୍ଭ ।

ମୁଁ ଗୋଟିଏ ନିଆଁର ଚାରିପଟରେ ଚାଲୁଛି,ଫୁଲରେ ଆଉ ଗହଣାରେ ଦେହସାରା ମୋର ସଜ୍ଜା ହୋଇଛି ,ଏମିତି ଖଣ୍ଡିଏ ଶାଢୀ ପିନ୍ଧିଛି,ଯାହାର ରଙ୍ଗ ରକ୍ତର ରଙ୍ଗ। ଛଅହାତର ଦାମିକା ସିଲ୍କ,ସୁନେଲି ସୂତାରେ ବୁଣା,ମୋର ଚାରିପଟକୁ ଗୁଡେଇଦିଆଯାଇଛି ଯେମିତି ଗୋଟିଏ ଶବଦେହର ଉପରେ ଏକ ବ୍ୟାଣ୍ଡେଜ୍। ମୁଁ ପତଳା ଅଥଚ ଟାଣୁଆ ଶ୍ୟାମଳବର୍ଣ୍ଣର ଗୋଟିଏ ପିଲାର ହାତକୁ ଧରିଛି ଯିଏ ମୋତେ ଆଗକୁ ଆଗକୁ ବାଟ କଢାଇ ନେଉଛି। ଆମେ ଏଇଲେ ଦୁଇଟି ଶିଶୁ ଯିଏ ଡିଆଁ କୁଦ କରୁଛନ୍ତି ଏକ ଆନନ୍ଦର ମୂକଅଭିନୟରେ । ମୁଁ ଚାଲିଲା ବେଳେ ମୋ ପାଦର ରୂପା ପାଉଁଜି ମଧୁର ସ୍ୱରରେ ଝୁମୁଝୁମୁ କରୁଛି। ପୁରୋହିତର ସ୍ୱର ଖୁବ୍ ଜୋର୍ ରେ ଧ୍ୱନୀତ ହେଉଛି ଆଉ ତାହାପରେ ମ୍ଳାନ ପଡିଯାଉଛି। ମୁଁ ନିଜ କାନରେ ଶୁଣିପାରୁଛି ତେରବର୍ଷ ବୟସର ଗୋଟିଏ ନିରକ୍ଷରା ଅଜ୍ଞ ବାଳ-କନ୍ୟା ଯନ୍ତ୍ରବତ ପୁନରାବୃତ୍ତି କରିଚାଲିଛି ବିବାହର ଯେତେକ ସଂକଳ୍ପ।

“ଗୋଟିଏ ପାଦ ଆଗକୁ ବଢା ତାହେଲେ ତୋର ଈଚ୍ଛା ସୁଦୃଢ ହେବ।” ପୁରୋହିତ କହେ।

“ତମର ସମସ୍ତ ଉପଯୁକ୍ତ ବିଚାରରେ ମୁଁ ତମର ସାହାଯ୍ୟକାରିଣୀ ହେବି।” ମୁଁ କହେ।

ଦ୍ୱିତୀୟ ପାଦ –

“ତେଣୁ ଆମେ ଦୁଇଜଣ ଶକ୍ତିସଂପର୍ଣ୍ଣ ହୋଇପାରିବୁ।” ଏକ ଅପରିବର୍ତ୍ତିତ ସ୍ଥିର ଏକତାନର ସ୍ୱରରେ ସେ ଆବୃତ୍ତି କରନ୍ତି।

“ତମର ସମସ୍ତ ଉପଯୁକ୍ତ ବିଚାରରେ ମୁଁ ତମର ସାହାଯ୍ୟକାରିଣୀ ହେବି।”ମୁଁ ଆଉଥରେ କହେ।

ତୃତୀୟ ପାଦ-

“ଆମର ଐଶ୍ୱର୍ଯ୍ୟ ସଂପଦ ର କ୍ରମବର୍ଦ୍ଧିଷ୍ଣୁ ଅଭିବୃଦ୍ଧି ଘଟୁଥାଉ।”
“ତମର ସମସ୍ତ ଆନନ୍ଦ ଆଉ ବିଷାଦକୁ ମୁଁ ସହଭାଗ କରିବି।”ସେ କହନ୍ତି ଆଉ ମୁଁ ତାହାର ପୁନରାବୃତ୍ତି କରେ।

ତାହାପରେ ଚତୁର୍ଥ ..ପଞ୍ଚମ..ଷଷ୍ଠ.. ଆଉ ତାହାପରେ ଶେଷ ପାଦ। ପଛକୁ ଦେଖେ ! ସେ ମୋତେ ଏବେ କ’ଣ କହିବା ପାଇଁ ଚାହିଁବେ?

“ଏହା ମୋହର ପୂର୍ବ ଜନ୍ମର ସୁକୃତ ଯେ ମୁଁ ତମକୁ ମୋ ବର ଆକାରରେ ପାଇଛି।

“ତମେ ମୋର ସବୁଠୁ ବଡ ସାଙ୍ଗ,ମୋର ଶ୍ରେଷ୍ଠ ଗୁରୁ। ମୋର ସାର୍ବଭୌମ ସମ୍ରାଟ,ମୁଁ ଶେଷ ନିଃଶ୍ୱାସ ଯାଏଁ ତମର ସେବା କରିଚାଲୁଥିବି। ମୁଁ ଅଖଣ୍ଡ ସୌଭାଗ୍ୟବତୀ। ମୋର ପ୍ରଭୂ ଏବଂ ସ୍ୱାମୀଙ୍କ ଆଗରୁ ଈଶ୍ୱର କରନ୍ତୁ ମୋତେ ଯେମିତି ମରଣ ଏଇଠୁ ଊଠାଇ ନେଉ।”

ମୁଁ ଶୁଣିପାରିଲି ମୋ ନିଜ ଗଳାର ପ୍ରତିଧ୍ୱନୀ ଗୁଣୁ ଗୁଣୁ କରୁଛି ପୁରୋହିତର ଉଚ୍ଚାରଣର ସହିତ।

ବୟସ ତେର ବର୍ଷ ,ସେମିତି କହିଲେ ତ ଆଉ ଅଳ୍ପ କିଛିମାସ ମୋ ବରଠାରୁ ବେଶି ହେବ,ମୁଁ ତାଙ୍କର ତୃତୀୟ ପତ୍ନୀ। ମୋ ଆଗରୁ ସେଇ ଦିଜଣଙ୍କର ଦେହନାଶ ହୋଇଥିଲା ପାଖାପାଖି ସମୟରେ,ସେତେବେଳେ ସେମାନେ ଖୁବ୍ ବେଶିରେ ଛଅମାସର ହୋଇଥିବ କି ନାହିଁ,ଗୁରୁଣ୍ଡିବା ଆଗରୁ ସେମାନଙ୍କର କଥାଦିଆ ପର୍ବ ସରିଥିଲା। ମୋ ମଥାଭିତରେ ଯେମିତି ଗୋଟିଏ ସୁତୁଲି ବାଣ ଫୁଟିଯାଉଛି ଆଉ ତାହାପରେ ଧାରାବାହିକ ଭାବରେ ପ୍ରଚଣ୍ଡ ଶବ୍ଦରେ ମୋ କାନ ବଧିରା ପାଲଟି ଯାଉଛି। ଜୀବନ ଛାଡି ଯାଉଛି।

ଏବେ ମୋ ପାଦ ଦୁଇଟି ଜମାଟ ବାନ୍ଧି ଗଲାଣି,ନୀଳ ପଡି ଗଲାଣି,ମୁଁ ସେମାନଙ୍କୁ ଏପଟ ସେପଟ କରି ପାରୁନାହିଁ ।ମୋର ଗୋଇଠି ଦିଇଟି ଯେମିତି ସୀସାର ସେମିତି ଲାଗୁଛି। ଗୋଟିଏ ପ୍ରକାର ନୂଆ ଅଥର୍ବତା ମୋର ଊରୁସନ୍ଧିରୁ ଚାରିଆଡକୁ ଖେଳି ଯାଉଛି। ମୋ ଛାତି ଧଇଁସଇଁ ହେଉଛି ଆଉ ସେଇଟି ଯେମିତି କୁଣ୍ଡଳୀମାରି ଉପରକୁ ଉଠୁଛି। ଏହାର ଭିତରୁ ଫୁଟିଊଠୁଛି ମାଂସପେଶୀର ଏକ ପ୍ରଚଣ୍ଡ ଅନିୟନ୍ତ୍ରୀତ ସଂକୋଚନ। ମୋ ପାଟିରୁ ବାହାରୁଚି ରନ୍ଦା ଘଷିବା ଭଳି କର୍କଶ ଧ୍ୱନୀ। ଈଷତ ଲାଲରଙ୍ଗର ଜେଲିରେ ଭରିଯାଉଛି ମୋର ଫୁସଫୁସ। ମୋତେ ନିଃଶ୍ୱାସ ନେବାକୁ ଭାରି କଷ୍ଟ।ଚଟାଣରେ ରହିବା ପାଇଁ ମୋତେ ଯେମିତି କିଏ ଶସ୍ୟ ଝାଡିବା ଭଳି ଝାଡିବାରେ ଲାଗିଛି ଆଉ ମୁଁ ଆତୁର ହେଉଛି ମନ୍ଦାଏ ପବନ ପାଇଁ,ହେଲେ ମୁଁ ଏଇଲେ ଅଚଳ ଆଉ ମୋତେ ଯିଏ ଟାଣୁଛି ତାହାର ଭାରି ବପୁ। ମୁଁ ଚେତନାର ଭିତର ବାହାର ହେଉଛି। କିଏ ଜଣେ ମୋ ପାଖକୁ ଆସେ ତାମ୍ରପାତ୍ରରେ ଧରିଥାଏ ପବିତ୍ର ଗଙ୍ଗାଜଳ,ମୋର ହୁଗୁଳା ପଡିଯାଇଥିବା ପାଟିକୁ ଟିକିଏ ମେଲା କରି ସେଥିରୁ ଠୋପାଏ ଠୋପାଏ ମୋ ଶୁଖିଲା ଜିଭର ଉପରେ ଆସ୍ତେ ଆସ୍ତେ ପକାଇବାକୁ ଲାଗେ। ମୋର ଦୁଇଟି ଯାକ ଆଖିପତା ବୁଜି ହୋଇ ଆସିଛି।ସେମାନଙ୍କୁ ଖୋଲିବା ପାଇଁ ଏଇଲେ ମୋ ପାଖରେ ବପୁ ନାହିଁ। “ମୋର ମରଣ ଆନନ୍ଦ ପାଳିବାର ଏକ ଅବସର ହେଉ। ମୁଁ କୌଣସି କାନ୍ଦଣା କି କୋହ ଲୋଡିବି ନାହିଁ,” ମୁଁ ଗୁଣୁଗୁଣୁ କରେ।

“ହେ ପରମାତ୍ମନ,ମୋର ତ୍ରାଣକର୍ତ୍ତା.. ଦୟା ବହି ଆପଣଙ୍କ କରୁଣା ପ୍ରଦାନ କରନ୍ତୁ ପ୍ରଭୂ ।”

ମୋ ମଥା ଭିତରକୁ ଚହଟି ଆସେ ଆଉ ଗୋଟିଏ ଛବି।ମୋର ପ୍ରଥମ ଶରୀର ସଂଘର୍ଷ; ମୁଁ ତେରବର୍ଷର । ମୋର ରକ୍ତସ୍ରାବ ହେଉଛି। ଭାରି କଷ୍ଟ । ଅଧିକ ଛବି..ସ୍ମୃତିରେ ସକ୍ରିୟ ଏକ ଯୌନଜୀବନକୁ ଏମିତି ଜଣେ ପୁରୁଷ ସହିତ ମୁଁ ସହଭାଗ କରୁଛି ଯାହାର ଅଦ୍ଭୁତ ଭାବରେ ରହିଛି ଏକ ଉତ୍ତୁଙ୍ଗ ଯୌନ-ଇଚ୍ଛା ଆଉ ତାହା ସହିତ ତାହାର ଉପରେ ସବାର ହୋଇଯାଉଛି ଅହରହ ଚାବୁକ ପିଟୁଥିବା ଏକ ଆତ୍ମନିନ୍ଦାପରକ ଦୋଷୀଭାବ ବା ଗିଲ୍ଟ। ତାହାପରେ ଗୋଟିଏ ଦୀର୍ଘ ଯନ୍ତ୍ରଣାଦାୟକ ସନ୍ତାନଜନ୍ମ ର ସମୟକାଳ,ଲାଗୁଛି ଯେମିତି ସେଇ ସମୟକାଳଟି ବସ୍ତୁତଃ ଗୋଟିଏ ଏକେଲା ମାଆର ବା ସିଙ୍ଗଲ୍-ମଦର ର ସମୟକାଳ। ଏବଂ ତାହାପରେ ମୋର ବିନା ସମ୍ମତିରେ ଏକପାଖିଆ ବ୍ରହ୍ମଚର୍ଯ୍ୟର ପ୍ରତିଜ୍ଞା ।

ଏବଂ ମୁଁ ଦେଖିପାରୁଛି ,ମୋ ବରର ସତ୍ୟ ଆଉ ଅହିଂସା ପ୍ରତି ରହିଥିବା ସମସ୍ତ କଠୋର ନିଷ୍କରୁଣ ଅନୁଧାବନ ର ଭିତରେ ତଥାପି ଆସିବାର ଅଛି ଯୌନତା ସହିତ ଏକ ଧୂଆଁଳିଆ ସଂପ୍ରୟୋଗ ,ଅନ୍ୟ ଏକ ଭାବବିଭୋର ପ୍ରଚେଷ୍ଟା ଯାହା ତାଙ୍କର ବ୍ରହ୍ମଚର୍ଯ୍ୟ ପ୍ରତିଜ୍ଞାର ପରୀକ୍ଷା ନେବ। ଏଇ ଯେଉଁ ବିପର୍ଯ୍ୟସ୍ତ ନିଷ୍ଫଳନ ର ଦ୍ୱୈତ ଭୂମୀକାକୁ ଆମ ଦୁହେଁ ଆମର ଜୀବନପ୍ରବାହରେ
ପାଳି ଆସିଛୁ, ତାଙ୍କର ମୁକ୍ତ ସ୍ୱୀକାରୋକ୍ତିର କାରଣରୁ ସେଇଥିପାଇଁ ଲଜ୍ଜା ଆଉ ଅପବାଦର କଳଙ୍କ ତାଙ୍କର କପାଳରେ ଦିନେ ବୋଳି ହୋଇ ଯିବ। ତାଙ୍କର କିମ୍ଭୂତ ପ୍ରତି ଆକର୍ଷଣ ଆଉ ସେଇ ଅଯୌକ୍ତିକତା ହିଁ ଏପରି ଏକ ଆବେଗର ଉଦଗିରଣ ଘଟାଇବ ଯାହା ପୃଥିବୀକୁ ଦୋହଲାଇ ଦେବ,ହେଲେ ସେ ସବୁକୁ ଦେଖିବା ପାଇଁ ମୁଁ ରହି ନଥିବି।

ଏବେ ମୋର ଭାବନାସବୁ ବରଫ। ମୋର ଫୁସଫୁସରେ ବିଷ୍ଫୋଟ। ମୋର ଶ୍ୱାସକ୍ରୀୟା ଦ୍ରୁତ ଏବଂ ତୁଚ୍ଛ। ମୁଁ ଦେଖିପାରୁଛି ମୋର ସମସ୍ତ ମୃତ ପୂର୍ବପୁରୁଷଙ୍କୁ,ସମସ୍ତଙ୍କ ଦେହରେ ରହିଛି ଗାଢ କଳାରଂଗର ପୋଷାକ,ମୋ ଚାରିପାଖରେ ସେମାନେ ସ୍ଥିର ଭାବରେ ଛିଡାହୋଇଛନ୍ତି। ସେମାନେ ମୋତେ ସେଇ ଏକମୁଖୀ ରାସ୍ତାରେ ଆଗକୁ ବାଟ କଢାଇ ନେବେ,ଏଇ ପାର୍ଥୀବ ଯାତନାରୁ ସମୁଜ୍ଜଳ ଆଲୋକକୁ,ନିତ୍ୟ ଆନନ୍ଦକୁ। ମୁଁ ଏକ ଗଭୀର ପ୍ରଶାନ୍ତିର ଭିତରକୁ ଟାଣି ହୋଇ ଯାଉଛି,ସଂପୂର୍ଣ୍ଣ ହେବି,ବେଦନାବିହୀନ ହେବି ପୁଣି ଥରେ। ମୋତେ ଲାଗୁଛି ମୁଁ ଯେମିତି ଏଇଲେ ଉପରକୁ ଉପରକୁ ଭାସି ଚାଲୁଛି,ଗୋଟିଏ ବେଲୁନ ଯାହାର ଓଜନ କହିଲେ କିଛି ନାହିଁ ବଉଦର ଉପରକୁ ଉଠି ଯାଇଛି,ବିସ୍ତାରି ଯାଉଛି ଆଉ ଏକ ଘନ ବଉଦର ଭିତରକୁ।ମୁଁ ନିଜକୁ ନିଜେ ଏପରି ଯିବା ପାଇଁ ଛାଡି ଦେଇଛି; ଏହା ଏକ ସଂପୂର୍ଣ୍ଣ ସମର୍ପଣ।

ମାଇଲ ମାଇଲ ବ୍ୟାପୀ ତଳେ,ରଂଗମାଳାର ମହୋତ୍ସବ ଆଉ ଫୁଟନ୍ତା ଡାଫୋଡିଲ,କାନା ଆଉ ଗେଣ୍ଡୁ ଫୁଲର ବାସ୍ନାରେ,ମୁଁ ହୁଏତ ଟିକିଏ ଦେଖିପାରିବି ମୋର ପରିତ୍ୟକ୍ତ ମୃତ ଦେହକୁ ଯାହା ମୋତେ ଆଉ ଅଧିକ ବନ୍ଧନରେ ରଖିପାରିବ ନାହିଁ । ମୁକୁଳିଯିବାର ଅନୁଭବରେ ମୁଁ ଜଳିଯିବାକୁ ବସିଛି।ମୁଁ ମିଳାଇଯିବି ଗୋଟିଏ ପ୍ରଶାନ୍ତ,
ଅବିନଶ୍ୱର ନାହିଁପଣକୁ। ଗୋଟିଏ ପୁରୁଣା ଆମ୍ବଗଛର ଛାଇ ତଳେ ଗୋଟିଏ ଧାତବ ଚାରପାଇ ଉପରେ ସେ ବସିରହିଥିବେ ତଥାପି,ମୋର ଶିଥିଳ ଶୀତଳ ଦେହଟିର ଉପରକୁ ଝୁଙ୍କି ପଡିଥିବେ ଟିକିଏ, ତାଙ୍କର କୋଳରେ ମୋର ମଥାଟି ରହିଥିବ,ତାଙ୍କର ବିଷର୍ଣ୍ଣ ମୁହଁରୁ ଝରିପଡୁଥିବ ଟୋପା ଟୋପା ଲୁହ। ମୁହଁଟି ବିଷାଦ ବୋଳା; ଏକ ସଂଜତ ଆଉ ସହିଷ୍ଣୁ ଶକ୍ତି କିନ୍ତୁ ବାଟଭାଙ୍ଗି ଯାଇନାହିଁ।

“ବିଦାୟ ବା,ମୋର ପ୍ରିୟତମା !” ସହବନ୍ଦୀମାନଙ୍କର ସୁଦୀର୍ଘ କାନ୍ଦଣା ଭିତରେ ସେ ଏମିତି ଗୁଣୁଗୁଣୁ କରିଥିଲେ ଆଉ ବାହାରେ ଅପେକ୍ଷାରତ ଭୀଡର ବିଳାପ ଧ୍ୱନୀର ଭିତରେ ତାହା ମିଶିଯାଇ ମିଳାଇ ଯାଏହିଥିଲା ତାହା ଆକାଶରେ ।

ରାତି ସାରା ସେ ଗୋଟିଏ କୋଣରେ ସେମିତି ବସି ରହିଥିଲେ,ଶ୍ରୀମଦ ଭଗବତ ଗୀତାରୁ ଅଧ୍ୟାୟ ପରେ ଅଧ୍ୟାୟ ପଢି ଚାଲିଥିଲେ, ସେତେବେଳେ ମୋର ଦେହକୁ ଗାଧୋଇ ଦିଆଯାଉଥିଲା,ମୋତେ ନୂଆ ଲୁଗା ପିନ୍ଧାଇ ଦିଆଯାଉଥିଲା,ମୋ ମୁହଁକୁ ସଜାଇଦିଆଯାଉଥିଲା ଅଗୁରୁ ଚନ୍ଦନରେ। ମୋର ଶେତା ପଡିଯାଇଥିବା କପାଳର ଠିକ୍ ମଝି ଜାଗାରେ ସ୍ତ୍ରୀଲୋକମାନେ ବେଶ ବଡ ଆକାରରେ
ଲଗାଇ ଦେଇଥିଲେ ଗୋଟିଏ ଲାଲ ଟୋପା। ସେ ଦେଖୁଥିଲେ ମୋ ହାତ ଦୁଇଟିରେ ଛଅପଟ ଛଅପଟ କରି ଏକା ପ୍ରକାର ର ଚୂଡି ରହେ ଯେମିତି ।ଜଣେ ବିବାହିତା ହିନ୍ଦୁ ରମଣୀ ସହିତ ଯାହା ଯାହା ପ୍ରତୀକ ରହିବାର ଅଛି ସେଇ ସବୁ ଠିକ୍ ଠାକ୍ ରଖାଯିବା ପରେ ମୋତେ ଭୂଇଁରେ ଥିବା କୋକେଇ ଉପରକୁ ନିଆଗଲା। ବାଉଁଶରେ ତିଆରି କୋକେଇ ଟି ଗେଣ୍ଡୁ ଆଉ ଗୋଲାପ ଫୁଲରେ ସଜା ହୋଇଛି। କୋକେଇକୁ ଚିତାକାଠ ଉପରେ ଥୋଇ ଦିଆଗଲା।ଚିତାକାଠ କହିଲେ ଚନ୍ଦନର କାଠ। ନିଆଁ ଧରାଇବା ଆଗରୁ ତାହାର ଉପରେ ତରଳାଯାଇଥିବା ଘିଅକୁ ଢାଳି ଦିଆଯାଇଥିଲା। ନିଆଁର ଶିଖା ଆସ୍ତେ ଆସ୍ତେ ଉପରକୁ ଉଠିବାରେ ଲାଗେ,ଅନବରତ ଫଟ ଫଟ ଶବ୍ଦ ର ଭିତରେ ତାହା ଅନେକ କାଳର ବୁଭୁକ୍ଷୁ ପରି ଚରିଯାଉଥିଲା କ୍ଷୟିଷ୍ଣୁ ମାଂସପେଶୀ ଆଉ ମାଂସ ସବୁକୁ ଯାହା ଆବୋରି ରହିଥିଲା ଗୋଟିଏ ମୃତ କସ୍ତୁରକୁ। ମାଂସ ପୋଡିଯିବାର ଉତ୍କଟ ଗନ୍ଧ ତାଙ୍କ ନାକରେ ବାଜୁଥାଏ। ଚିତାନିଆଁର ଖୁବ୍ ନିକଟରେ ବସିଥାନ୍ତି ସେ,ଅବସାଦଭରା,ନିଶ୍ଚଳ। “ମୁଁ ତା’କୁ ଏମିତି କେଉଁ ଭଳି ଛାଡି ଦେଇ ଯିବି?ସେ ମୋତେ ମାଫ୍ କରିବ ନାହିଁ ।” ସେ କାନ୍ଦୁଥାନ୍ତି। ଅନିୟନ୍ତ୍ରିତ କୋହ ରେ ତାଙ୍କର ଶୀର୍ଣ୍ଣ ଦେହ ଥର ଥର ହୋଇ କମ୍ପୁଥାଏ।

ଚବିଶ ଘଣ୍ଟା ପରେ,ମୋର ଚିତାଭସ୍ମକୁ ସଂଗ୍ରହ କରୁଥିବା ବେଳେ,କିଏ ଜଣେ ଧୂଳୀ ଆଉ ପାଉଁଶ ର ଭିତରୁ ପାଇଥିଲା ଛଅ ପଟ ଲାଲ୍ ରଙ୍ଗର ଚୂଡି,ଅବିକଳ ଠିକ୍ ସେମିତି ରହିଛି,ଟିକିଏ ବୋଲି ମ୍ଳାନ ପଡିନାହିଁ ।

“ତା’ ବିନା ମୁଁ ମୋ ଜୀବନକୁ କଳ୍ପନା କରି ପାରୁନାହିଁ ” ଜମା ହୋଇଥିବା ଲୋକଙ୍କ ଆଗରେ ଏମିତି କହୁକହୁ ତାଙ୍କର ବାକ୍ ରୁଦ୍ଧ ହେଲା ଆଉ ସେ କାନ୍ଦରେ ଫାଟି ପଡିଥିଲେ। ସମବେତ ଲୋକଙ୍କ କାନ୍ଦଣାରେ ଭରିଯାଇଥିଲା ସେଇ ଇଲାକା।

“କସ୍ତୁରବା ଗାନ୍ଧୀ ଅମର ରହେ,କସ୍ତୁରବା ଗାନ୍ଧୀ ଅମର ରହେ।”

“ଧନ୍ୟ ବା ! ଚିରକାଳ ଅନୁଗତ ଆଉ ପ୍ରେମଶୀଳା ପତ୍ନୀ;ପବିତ୍ରତା,ଆନୁଗତ୍ୟ ଏବଂ ଅନୁରାଗର ପ୍ରତିମୂର୍ତ୍ତି;ନାରୀତ୍ୱ ପ୍ରତି ଏକ ଜୀବନ୍ତ ଶ୍ରଦ୍ଧାଞ୍ଜଳୀ; ସେ ମାନବତା ପ୍ରତି ରହିଥିବା ଋଣକୁ ପରିଶୋଧ କରିଯାଇଛନ୍ତି; ସେ ସର୍ବଦା ସ୍ୱର୍ଗରାଜ୍ୟରେ ବିରାଜିତ ହେବେ।”


ପୋରବନ୍ଦର
୧୧ ଏପ୍ରିଲ ୧୮୬୯

ସେଦିନ ଥିଲା ଏପ୍ରିଲ ର ଏକ ଶାନ୍ତ ସକାଳ ,”ଧବଳ ସହର”ବୋଲି କୁହାଯାଉଥିବା କାଥିଆବାଡ ର ଏକ ଛୋଟ ଅଞ୍ଚଳ,ସେଇ ସହରଟିର ଏମିତି ଗୋଟିଏ ନାଆଁ କାରଣ ତାହାର ଘରମାନଙ୍କର କାନ୍ଥଗୁଡିକ ସବୁ ଉଚ୍ଚା ଉଚ୍ଚା ଏବଂ ଧଳା ଚୂନପଥରରେ ତିଆରି। ଗୋଟିଏ ସୌଖୀନ ବଂଗଳା ର ଭିତରେ ଆଉ ଯାହାର ଚାରିପଟେ ଛକିକଟା ଭଳି ଗଳି ଆଉ ରହିଛି ଗୁଡାଏ ଲଗାଲଗି ହୋଇ ଛୋଟ ଛୋଟ ଘର,ସେଇଠି ଜଣେ ଖୁବ ଅଳ୍ପ ବୟସର ତରୁଣୀ ପ୍ରସବ ବେଦନାରେ ଅସ୍ଥିର, ତା’ର ଚତୁର୍ଥ ଗର୍ଭ ସେଇଟି। ତାହାର ଉପରକୁ ଝୁଙ୍କି ପଡିଛି ଯେଉଁ ଧାଈଟି ତାହାର ପାଟିରେ ଗୋଟିଏ ବୋଲି ଦାନ୍ତ ନାହିଁ,ତାହାର ମାଢିରୁ ଦୁର୍ଗନ୍ଧ ଆସି ପୁଆତିର ଦେହରେ ବାଜୁଛି,ସେ ଚେଷ୍ଟା ଚଳାଇ ଚାଲିଛି କେମିତି ସୁଖ ପ୍ରସବର ରାସ୍ତାରେ ପୃଥିବୀକୁ ଓହ୍ଲାଇ ଆସିବ ସେଇ ଅଜନ୍ମା ଶିଶୁ। ସେ ମନ୍ତ୍ର ଉଚ୍ଚାରଣ କରୁଛି ଆଉ ନିଜର ଅଭିଜ୍ଞତାର ପୋଖତପଣକୁ ଆଧାରକରି ପୁଆତିର ଫୁଲିଲା ପେଟ ଉପରେ ଥରକୁ ଥର ଚାପ ଦେଉଛି । ପ୍ରାକ୍ ଜନ୍ମକାଳର ସଂକୋଚନଜନିତ ଅସହ୍ୟ ବେଦନାକୁ ସହିନେବାର ସାହସ ସହ ବ୍ରଜକୁଅଁର କାପାଡିଆ, ମାଆଟି ମୋର, ସେଇଠି ପଡିରହିଥାଏ,ପ୍ରାର୍ଥନା କରୁଥାଏ ତାହାର ଏଇ ସଂତାନଟି ଯେମିତି ସୁସ୍ଥସବଳ ଶିଶୁ ହୋଇ ଜନ୍ମଲାଭ କରୁ।

କଠିନ ପ୍ରସୂତି ସମସ୍ତଙ୍କୁ ଗୋଚର,ମୁଁ ଗୋଟିଏ ସଂଭ୍ରାନ୍ତ ବିତ୍ତଶାଳି ପରିବାରରେ ଜନ୍ମ ନେଇଥିଲି,ଦେଖିବାକୁ ଭାରି ତୋଫା,ସୁନ୍ଦର ହେଲେ ମୋହର ଫୁସଫୁସ ଟା କୁଆଡେ ଜନ୍ମବେଳଠୁ ଦୁର୍ବଳ । ମୋ ବାପା ଗୋପାଳଦାସ ମକାନଜୀ କାପାଡିଆ,ପୋରବନ୍ଦର ର ପ୍ରାକ୍ତନ ମେୟର ଜଣେ ସମ୍ମାନୀତ ଧନାଢ୍ୟ ବ୍ୟବସାୟୀ ଥିଲେ,କାର୍ପାସବସ୍ତ୍ର,ଖାଦ୍ୟଶସ୍ୟ ଏବଂ କପା ଆଦି ରେ ତାଙ୍କର ସଫଳ ଦରିଆପାରି ବ୍ୟବସାୟ ଥିଲା। ଏଇଟି ହେଉଛି ସେଇ ବିଶେଷ ବର୍ଷ ଯେବେ ବ୍ରିଟିଶ ମାନେ ସୁଏଜ କେନାଲର ବାଟଟି ଖୋଲିବ ବୋଲି ଘୋଷଣା କରିବାର ପ୍ରସ୍ତୁତିରେ ଥାଆନ୍ତି ଯାହା ଅସଲରେ ଆଫ୍ରିକୀୟ ମହାଦେଶକୁ ଯାଉଥିବା ପ୍ରସ୍ତାବିତ ସମୁଦ୍ରପଥର ଦୂରତ୍ୱକୁ ପ୍ରାୟତଃ ହଜାରେ ମାଇଲ ସଂକୁଚିତ କରିଦେବ। ସେଇଟି ତେଣୁ ଥିଲା ଆନ୍ତର୍ଜାତିକ ବ୍ୟବସାୟୀ ବର୍ଗର ଏକ ହର୍ଷଉଲ୍ଲାସର ବର୍ଷ । ଯେତେବେଳେ ସମଗ୍ର ବିଶ୍ୱ ସେଇ ଭବ୍ୟ କେନାଲ ପଥଟି ଯାହା ଭାରତକୁ ଆସିବାର ମୁଖ୍ୟପଥ ହେବ ତାହାର ଆନୁଷ୍ଠାନିକ ଉନ୍ମୋଚନ ନିମନ୍ତେ ଉନ୍ମୁଖ,ଏଠିକାର ଉପକୂଳବର୍ତ୍ତି “ଧବଳ ସହର”ରେ ଗୋଟିଏ ଛୋଟ ଘରକୁ ବରଣୀ କନ୍ୟା ଭଳି ସୁସଜ୍ଜିତ କରାଯାଏ,ଅନେକ କଣ୍ଠରେ ହୁଳହୁଳି ପଡୁଥାଏ । ଗୋଟିଏ ସୁନ୍ଦରୀ ଝିଅର ଜନ୍ମକୁ ବିଶେଷ ଭାବରେ ଉତ୍ସବମୁଖର କରିବା ପାଇଁ ଯେତେବେଳେ ପ୍ରସ୍ତୁତି ଚାଲିଛି ମୁଁ ସେତିକିବେଳେ ମୋ ଦୋଳଶେଜକୁ ମୋ ଗୋଡରେ ଗୋଇଠା ମାରୁଥାଏ,ମୋ ଚାରିପଟର ପୃଥିବୀର ଉତ୍ସାହ ଉଦ୍ଦୀପନା ପ୍ରତି ବେପରବାୟ, ଯାହା ମୋର ପରବର୍ତ୍ତି ପାର୍ଥିବ ଯାତ୍ରାପଥକୁ ସ୍ଥିର କରିଦେବ ସେଥିପ୍ରତି ବେପରବାୟ। ମାଆକୁ ଦ୍ରୁତଗତିରେ ଶୋଷିନେବା ବେଳେ,ମୁଁ ତାହାର ଦେହର ଛୁଆଁରେ ସଂତୁଷ୍ଟ ଥାଏ ଆଉ ଚାହୁଁଥାଏ ଯେମିତି ତାହାର ଗରମ ଆଉ ବାମ୍ଫୁଳିଆ ଶ୍ୱାସ ଏମିତି ପଡୁଥାଉ ମୋ କପାଳ ଉପରେ ।

ପୃଥିବୀର ସବୁଠାରୁ ମୋହଗ୍ରସ୍ତ କରୁଥିବା ବାସ୍ନା ଯାହାକୁ କସ୍ତୁରୀ କହନ୍ତି ତାହାକୁ ନେଇ ମୋତେ ମୋର ନାଆଁ ଦିଆଗଲା କସ୍ତୁର । ଏହାର ବାସ୍ନା ବିରଳ ଆଉ ଉତ୍କଟ,କସ୍ତୁରୀ ମୃଗର ନାଭି ଦେଶରେ ଏହାର ବାସ। ଯୁଗ ଯୁଗ ଧରି ମଣିଷ ଏଇ ନୈସର୍ଗିକ ଏବଂ ଯୌନାଚାରଗତ ସୁରଭିତ ବୁଟିର ସନ୍ଧାନରେ ରତ ରହିଛି,ଆଉ ସେଇଥିପାଇଁ ହଜାର ହଜାର ଏଇ ନିରୀହ ଜୀବକୁ ଅକୁଣ୍ଠିତ ଭାବରେ ବଧ କରିଛି। ମଣିଷମାନେ ଯେଉଁପର୍ଯ୍ୟନ୍ତ ସେମାନଙ୍କୁ ଶିକାର କରି ନାହାଁନ୍ତି ସେଯାଏଁ,ଏଇ ମୃଗଯୂଥ ତାହାର ବସତି ଇଲାକାରେ ନିଜର ନାଭିଦଶରୁ ଉଦଗତ ଏଇ କାମୋତ୍ତେଜକ ସୁରଭିର ଭ୍ରମରେ ଉନ୍ମାଦ ଭଳି ଚାରିଆଡେ ଘୁରିବୁଲୁଥାନ୍ତି, ଇଏ ଏମିତି ଏକ ଅଭିଶାପ ଯାହା ସେମାନଙ୍କୁ ଏକ ନିଶ୍ଚିତ ବିନାଶସ୍ଥଳକୁ ଟାଣିନେଉଥାଏ । ଏହାକୁ ତମେ ମୋ ଜନ୍ମବେଳର ଅଭିଶାପ କହିପାର,ଅଥବା ମୁଁ ଧାରଣ କରିଥିବା ନାଆଁଟିର ଭାର,ମୁଁ ସେଇଠି ଥିଲି,କସ୍ତୁର , ତିନିଭଉଣୀଙ୍କ ଭିତରେ ସବୁଠୁ ସାନ,ସମ୍ମାନଜନକ ସ୍ଥାନରେ, ଯେହେତୁ ମୋର ଆଗ ଦୁଇ ବଡ ଭଉଣୀଙ୍କର ଜନ୍ମପରେ ହିଁ ବିୟୋଗ ଘଟିଥାଏ। ତେଣୁ ମୋ ପିତାମାତାଙ୍କ ପାଇଁ ମୁଁ ଏକ ଦେବତାର ଆଶିଷ ଆଉ ସେଇଥିପାଇଁ ମୋତେ ସେମାନେ ଅଧିକ ଯତ୍ନରେ ଗେହ୍ଲା କରି ପାଳିଥିଲେ।

ଯଦିଓ ମୋ ମାଆ ବ୍ରଜକୁଆଁର ବା ତାହାର ସଦ୍ୟ ନିର୍ମିତ ଅସ୍ଥାୟୀ ଏନ୍ତୁଡିଶାଳର ଭିତରେ ଶେଷ ଥରର ଶରୀରୀ ସଂକୋଚନରେ ଚିତ୍କାର କରିଥିଲା,ସେଇଠୁ ଟିକିଏ ଦୂରରେ ଆଉ ଜଣେ , ନାଆଁ ପୁତଲିବାଈ,କରମଚାନ୍ଦ ଗାନ୍ଧୀଙ୍କର ତୃତୀୟ ତଥା ସବୁଠୁ ତରୁଣୀ ଭାର୍ଯ୍ୟା,ସଦ୍ୟ ତାହାର ପ୍ରସୁତୀର ପ୍ରଥମ ତିନିମାସ ଶେଷ କରିଥାଏ । ସେ ତାହାର ଅଭ୍ୟନ୍ତରରେ ଏମିତି ଗୋଟିଏ ଆତ୍ମାକୁ ବହନ କରିଥାଏ ଯିଏ ଅତ୍ୟନ୍ତ ଧୈର୍ଯ୍ୟର ସହିତ ସେଇଠି ଅପେକ୍ଷା କରିଥାଏ ଯେ ବାହାରକୁ ଆସିବାପରେ ସେ ମୋ ସହିତ ସଂଯୁକ୍ତ ହେବ,କସ୍ତୁର ,ଏଇ ନବଜାତିକା ସହିତ,ମାତ୍ର କେତୋଟି ଘରକୁ ଛାଡି,ତିନୋଟି ତ୍ରିମାସିକୀ ପରେ ରାସ୍ତାରେ। ଏହା ଏପରି ଏକ ସୁଯୋଗର ଅପେକ୍ଷାରେ ଯେଉଁଠି ସମୟ ଗୋଟିଏ ଜଟିଳ ପ୍ରବିଧିରେ ଦୁଇଟି ଆତ୍ମାକୁ ଏକ ଅନ୍ତଃ ସମ୍ବନ୍ଧରେ ଏକତ୍ର କରିଦେବ ଉଭୟଙ୍କୁ ଜୀବନର ପଥରେ।

କରମଚାନ୍ଦ ଏବଂ ପୁତଲିବାଈଙ୍କର ସେଇ ଉଜ୍ଜଳ ବୀଜ ବିଶେଷ ଯାହା ମାଆର ଗର୍ଭରେ ସେତେବେଳେ ତୁମୁଳ ଆଲୋଡନ ସୃଷ୍ଟି କରୁଥାଏ ,ସେ ମୋର ବାଗଦତ୍ତ ହେବା ନିୟତି ଥିଲା। ସେ ହେଉଛି ସେଇ ଯାହାକୁ ପରେ ସମଗ୍ର ବିଶ୍ୱ ଭାରତୀୟ ରାଜନୈତିକ ପୁନଃଜାଗରଣର ପୁରୋଧା ହିସାବ ଶ୍ରଦ୍ଧା ନିବେଦନ କରିବ,ଯିଏ ଦରିଦ୍ର ନିଷ୍ପେଷିତ ମଣିଷର ସବୁଠାରୁ ସଶକ୍ତ ତ୍ରାଣକର୍ତ୍ତା ସାଜିବ, ସେ ହେବ ଏପରି ଜଣେ “ମହାତ୍ମା” ଯିଏ ମଣିଷକୁ ସ୍ୱାଧୀନତା ପ୍ରଦାନ କରିବ,ଶେଷରେ ନିଜଦେଶର ଗୋଟିଏ ଉନ୍ମାଦର ଗୁଳିକୁ ସାମ୍ନା କରିବାକୁ ଯାଇ ଟଳିପଡିବ,ଶେଷ ବେଳକୁ ତୁଣ୍ଡରେ ରହିଥିବ ତାହାର ପ୍ରିୟତମ ଦେବତାର ନାଆଁ।

ସେହି ତଥାପି ଜନ୍ମନେଇନଥିବା ଗାନ୍ଧୀ ପହଁରୁଥାଏ ,ନିଜର ମାଆର ଗର୍ଭଥଳୀ ରେ ଭରପୁର ରହିଥିବା ଆମିନିଓଟିକ ରସକୁ ଗୋଇଠା ମାରୁଥାଏ,ସେତେବେଳକୁ ସେ ମାତ୍ର ବାର ସପ୍ତାହର ଗୋଟିଏ ଭ୍ରୂଣ । “ମୁଁ ତମ ପାଇଁ ଅପେକ୍ଷା କରିଛି ,ଭାବୀ ସ୍ୱାମୀ ମୋର ” ମୁଁ କୁଜନରେ କହିଥିଲି,ମୋର କାମନାକୁ ଭସାଇଦେଇଥିଲି ପୁତଲିବାଈର ଗର୍ଭର ଅନ୍ତରକୁ। ସେଇଟି ଥିଲା ମୋର ଗୋପନ ଦୁଃସାହସ ,ମୋର ଏମିତି ଏକ ପ୍ରିୟ କୌତୁକ ,ସେଥିରେ ସମାହିତ ମୁଁ ।

“ତମେ ଆଗ ତଳକୁ ଖସିବାକୁ ଚେଷ୍ଟା କରିବ,ପ୍ରଥମରେ ମଥା,ବେଳ ଆସିଲେ । ଭୟ କରିବନି ,ପ୍ରିୟତମ ମୋର। ମୁଁ ପରା ଏଇ ବାଟ ଦେଇ ଆଗରୁ ଆସିଛି ।ମୁଁ ଆରପଟରେ ଅପେକ୍ଷାରେ ଅଛି।”

କେବଳ ଅପେକ୍ଷା କରିବା ହିଁ ଏଇ ପୃଥିବୀରେ ମୋର ଏକମାତ୍ର କାର୍ଯ୍ୟକ୍ରମ ବୋଲି ନିର୍ଦ୍ଧାରିତ ହୋଇ ସାରିଛି।

୨ ଅକ୍ଟୋବର ୧୮୬୯ ରେ ପାଖଘରୁ ଉଲ୍ଲାସ ଶୁଣାଯାଏ । ମନ୍ଦିରରେ ଅବିରତ ଘଣ୍ଟାଧ୍ୱନୀ ଆଉ ଆକାଶ ବତାସକୁ ସ୍ତବ୍ଧ କଲାଭଳି ବୀର ବାଜା ବାଜେ,ଘୋଷଣା କରେ ମୋହନଦାସର ଆଗମନ,ମୋହନଦାସ,କରମଚାନ୍ଦ ଆଉ ପୁତଲିବାଈର ଚତୁର୍ଥ ସନ୍ତାନ।

ମୋତେ ସେତେବେଳକୁ ଛଅମାସ।

°°°°

କସ୍ତୁରବା ଙ୍କ ଉପରେ ଶ୍ରୀଯୁକ୍ତା ନୀଳିମା ଡାଲମିଆ ଆଧାର ଙ୍କ ଲିଖିତ “ଦି ସିକ୍ରେଟ ଡାଏରୀ ଅଫ୍ କସ୍ତୁରବା” ଗୋଟିଏ ଅତ୍ୟନ୍ତ ସୁଖପାଠ୍ୟ ଏବଂ ଉଚ୍ଚମାନର ଜୀବନୀ ପୁସ୍ତକ। ଆମର ଏହାକୁ ପାଠ କରିବା ଉଚିତ। ଆପଣମାନଙ୍କ ଭିତରୁ ଅନେକ ଏହା ଜାଣନ୍ତି।

ଉପସ୍ଥିତ ଲେଖକର ବିଚାରରେ ଏହା ବ୍ୟତୀତ ଆଉ ଗୋଟିଏ ଅତ୍ୟନ୍ତ ଚମତ୍କାର ଜୀବନୀ ପୁସ୍ତକ କସ୍ତୁରବା ଙ୍କ ଉପରେ ହିନ୍ଦି ଭାଷାରେ ଗାନ୍ଧୀ ଜୀବନୀ “ପହଲି ଗିରମିତିଆ”ର ଲେଖକ ଶ୍ରୀଯୁକ୍ତ ଗିରିରାଜ କିଶୋରଙ୍କ ଦ୍ୱାରା ସେଇ ହିନ୍ଦି ଭାଷାରେ ଲିଖିତ।

ସେହି ପୁସ୍ତକର ନାଆଁ “ବା”।

ଆଜି ର ତାରିଖ ଅର୍ଥାତ୍ ୧୧ ଏପ୍ରିଲ୍ ୧୮୬୯ ହେଉଛି କସ୍ତୁରବା ଙ୍କ ଜନ୍ମଦିନ।

ଶୁଭ ଜନ୍ମଦିନ ବା।

ଭାରତୀୟ ଇତିହାସର ଏଇ ସର୍ବକାଳୀନ ଶ୍ରେଷ୍ଠ ନେପଥ୍ୟଚାରିଣୀଙ୍କୁ ଭୁଲିଯିବା ଆମର ଏକ ଅକ୍ଷମଣୀୟ ଅପରାଧ ହେବ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →