ଜେନୀର ପ୍ରେମିକ


ଏକ

ଜେନୀ ର କଥା ଟିକିଏ ପରେ ।

ଜେନୀ କୁ ନେଇ ରଚିତ ଏଇ ପ୍ରେମ ଛଳଛଳ କବିତାଟିକୁ ଆଗ ପଢାଯାଉ ।

ଜେନୀ କୁ

ଜେନୀ ! ତମେ ଯତ୍ନର ସହ ଟିକିଏ ଖୋଜି ଦେଖ
କାହିଁକି ମୁଁ ମୋର ସମସ୍ତ ପଦ୍ୟକୁ ଅର୍ପଣ କରିଛି “ଜେନୀକୁ” ଆଉ
କରିଛି ସ୍ମୃତିମୟ,
ଯେତେବେଳେ କେବଳ ତମ ପାଇଁ ମୋର ସକଳ ନାଡିର ସ୍ପନ୍ଦନ ଧ୍ୱନୀମୟ,
ଯେତେବେଳେ କେବଳ ତମ ପାଇଁ ମୋର ନୈରାଶ୍ୟର ଯେତେ ହାହାକାର
ଯେତେବେଳେ କେବଳ ତମେ ହିଁ ପାରିଥାଅ ହୃଦୟରେ ତା’ର ଉତ୍ତାପର ସଂଚାର କରିବା ଭଳି କାମ ;
ଯେତେବେଳେ ତମ ନାଆଁର ପ୍ରତିଟି ଅକ୍ଷର ସ୍ୱୀକାରୋକ୍ତି ଜଣାଏ,
ଯେତେବେଳେ ତମର ପ୍ରତିଟି କଣାକୁ ତମେ ଭସାଇ ଦେଉଛ ସୁରର ଆଭାରେ,
ଯେତେବେଳେ କୌଣସି ମୁହୂର୍ତ୍ତ ହିଁ ବିଚ୍ୟୁତ ହୁଏନି ଈଶ୍ୱରଙ୍କ ନିଃଶ୍ୱାସର ପବନରେ ?
କାରଣ ଏଇ ନାଆଁ ଏତେ ପ୍ରିୟ,ଏତେ ଯେ ମଧୁର,
ଯେଉଁପରି କବିତାର ଛନ୍ଦ,ନମ୍ର ଓ ନିଭୃତ,
ଏତେ ବ୍ୟାପ୍ତ,ନିନାଦରେ ଭରା,ପ୍ରତିଧ୍ୱନୀମୟ,
ଯେଉଁ ପରି କେଉଁ ଦୂର ହୃଦୟରେ କମ୍ପନ,
ସୁନା ର ତାରରେ ସୁରବନ୍ଧା ବୀଣା ର ମଧୁର ଆଳାପନ,
ଯେଉଁ ପରି ଏକ ବିସ୍ମିତ ଅସ୍ତିତ୍ୱ ଚିରନ୍ତନ ଆଶ୍ଚର୍ଯ୍ୟ ଯାଦୁମୟ ହୁଏ।

ଦେଖ ! ମୁଁ ଏଇଲେ ରଚନା କରିପାରେ ସହସ୍ର ସହସ୍ର ପୁସ୍ତକ,
ପ୍ରତ୍ୟେକ ପଂକ୍ତିରେ ସେଇଠି ଥିବ ଖାଲି ଜେନୀ ଆଉ ଜେନୀ,
ତଥାପି ଗୋପନ ରହିଯିବ ଏକ ଅନ୍ୟ ଜଗତ,ଲୀନ ଥିବ ଚିନ୍ମୟରେ,
ହୃଦୟର ଉତ୍ତାପର ଏକ ଶାଶ୍ୱତ ଦଲିଲ ଏବଂ ଇଚ୍ଛା,ପରିବର୍ତ୍ତନହୀନ
ମଧୁର କାବ୍ୟ ସେ ସ୍ନେହରେ ବିଲୀନ,
ତାହାର ସମସ୍ତ ଆଭା ଦ୍ୟୁତିମୟ ଇଥର
ତାହାର ମନର ସମସ୍ତ ଦୁଃଖ,ସମସ୍ତ ସ୍ୱର୍ଗୀୟ ଆନନ୍ଦର ସର୍ବସାର
ତାହାର ଜୀବନ ତାହାର ଅସ୍ତିତ୍ଵ ସବୁ ମୋର।
ଆକାଶର ନକ୍ଷତ୍ରପୁଞ୍ଜରେ ମୁଁ ତାହା ପଢିନେଇ ପାରେ
ପଶ୍ଚିମ ବତାସରୁ ସିଏ ଫେରି ଆସେ,ଫେରି ଆସେ ମୋ ପାଖକୁ ବିକ୍ଷୁବ୍ଧ ତରଙ୍ଗର ଧ୍ୱନୀ ଭଳି
ମୁଁ ସେ ସବୁ କୁ ପାଖାପାଖି ଧାଡି ଧାଡି କରି ଲେଖି ଦେଇ ପାରେ
ଆଗାମୀ ସକାଳ ତାହାକୁ ଯେମିତି ଦେଖି ପାରିବ ସେତିକି ପ୍ରତ୍ୟାଶା,
ପ୍ରେମ ମାନେ ଜେନୀ,ଜେନୀ ମାନେ ପ୍ରେମ।

ଏଇ କବିତାର ପ୍ରେମିକ କବି ଅର୍ଥାତ୍ ଜେନୀର ପ୍ରେମିକ ହେଉଛନ୍ତି ଆମର ପରିଚିତ ସର୍ବହରାର ଦାର୍ଶନିକ କାର୍ଲ ମାର୍କସ , ଯାହାଙ୍କର ଗମ୍ଭୀର ଚିନ୍ତାନାୟକର ପ୍ରତିଛବିଟିଏ ଆମ ସାମ୍ନାରେ ସବୁବେଳେ ରହିଥାଏ । ତେଣୁ ଗୋଟିଏ ଗଂଭୀର ତାର୍କିକ ଚିନ୍ତାଶୀଳତା ଆଉ ଗୋଟିଏ ସହଜ ପ୍ରେମିକପଣକୁ ତାଙ୍କ ଭିତରେ ଏକାଠି ଦେଖିବାକୁ ଗଲାବେଳେ ହୁଏତ ଆମେ ଟିକିଏ ଝୁଣ୍ଟିପାରୁ ।

ଜେନୀ ବିଷୟରେ ଟିକିଏ ପରେ।

ପ୍ରଚୁର କବିତା ବ୍ୟତୀତ କାର୍ଲ ମାର୍କସ ଗୋଟିଏ ପୂର୍ଣ୍ଣ କାବ୍ୟନାଟକ “ଅଉଲାନେମ୍” ଓ ଗୋଟିଏ ଉପନ୍ୟାସ “ସ୍କରପିଆନ୍ ଆଣ୍ଡ ଫେଲିକ୍ସ” ଶୀର୍ଷକରେ ରଚନା କରିଥିଲେ।ଏଇ ଦୁଇଟି ଲେଖା କାର୍ଲ ମାର୍କସ୍ ଙ୍କ ହାତ ଲେଖା ବହି “ଏ ବୁକ୍ ଅଫ୍ ଭର୍ସ” ରେ ସ୍ଥାନ ପାଇଥିଲା।ଉପନ୍ୟାସ ଟିକୁ ସଂପୂର୍ଣ୍ଣ କଲା ପରେ ମାର୍କସ ନିଜର ପିତାଙ୍କୁ ଏଇ ପାଣ୍ଡୁଲିପିଟିକୁ ଉପହାର ଦେଇଥିଲେ। ଆଉ ଏହା ଯେମିତି ଛପା ହେବ ତାହାର ଇଚ୍ଛା ପ୍ରକାଶ ବି କରିଥିଲେ।ଏବଂ ଏହାର ଉତ୍ତରରେ ମାର୍କସ ଙ୍କ ପିତା ତାଙ୍କୁ ଏକ ସୁନ୍ଦର ଚିଠି ଦେଇଥିଲେ।ଯଦି ଉପସ୍ଥିତ ଲେଖକକୁ ସେଇ ଚିଠିଟି ଉପଲବ୍ଧ ହୋଇଥାନ୍ତା ତେବେ ସେ ଆଗ ତାହାକୁ ଅନୁସୃଜନ କରିଥାନ୍ତା।ସେ ଯାହାହେଉ ମାର୍କସଙ୍କ ପିତାଙ୍କର ମାର୍କସ ଙ୍କୁ ସେଇ ଚିଠି ଟି ର ସାରକଥା ଆମର ଜାଣିବା ଉଚିତ୍। ଆପଣମାନେ ସେଇ ଚିଠିର କଥାକୁ ପସନ୍ଦ କରି ନ ପାରନ୍ତି ,ତାହା ଆପଣଙ୍କ ନିଜ ବିଚାର।ସେଇ ଚିଠିରେ ମାର୍କସ ଙ୍କୁ ନିରୁତ୍ସାହିତ କରିବା ପିତାଙ୍କର ଉଦ୍ଦେଶ୍ୟ ଆଦୌ ନଥିଲା। ଏଇ ଉପନ୍ୟାସକୁ ଛାପିବା ସଂକ୍ରାନ୍ତ ପିତା ମାର୍କସଙ୍କୁ ଯେଉଁ ଚିଠି ଲେଖିଥିଲେ ତାହାର ସରକଥା ଏହିପରି :

ଜଣେ ଲେଖକର ସାମାଜିକ ଦାୟିତ୍ୱ ଯଥେଷ୍ଟ ଏବଂ ଚିନ୍ତା ଆଉ ରଚନା ଶୈଳୀରେ ସେମିତି ଏକ ଯୋଗ୍ୟ ଆସ୍ଥାନ ରେ ପହଞ୍ଚିବା ପରେ ଯାଇ ଜଣେ ନିଜର ବହି ଛାପିବା ସଂପର୍କରେ ଚିନ୍ତା କରିବା ଉଚିତ୍।

ଆଉ ଥରେ କହୁଛି,ଏହା ମାର୍କସ ଙ୍କ ଉପନ୍ୟାସକୁ ଛାପିବା ସଂପର୍କରେ ମାର୍କସ୍ ଙ୍କୁ ତାଙ୍କ ପିତାଙ୍କ ଉପଦେଶ।ଏହା ଆପଣମାନଙ୍କ ପାଇଁ କାହିଁକି ପ୍ରଯୁଜ୍ୟ ହେବ ? ଉପସ୍ଥିତ ଲେଖକର ନିଜ ସନ୍ତାନ ଯଦି ସୌଭାଗ୍ୟବଶତଃ କେବେ ନିଜର କୌଣସି ପ୍ରକାର ପାଣ୍ଡୁଲିପି ପ୍ରସ୍ତୁତ କରି ତାହାକୁ ଛାପିବା ସଂପର୍କରେ ଆଗ୍ରହ ପ୍ରକାଶ କରେ ତେବେ ଉପସ୍ଥିତ ଲେଖକ ହିଁ ସର୍ବପ୍ରଥମେ ତାହାକୁ ପାଠ କରିବା ପୂର୍ବରୁ ନିଜର “ଥମସ୍ ଅପ୍” ସାଇନ୍ ଦେଖାଇବ।

ସେ ଯାହା ହେଉ ପିତାଙ୍କ ଚିଠି ଟି ପାଇବା ପରେ କାର୍ଲ ମାର୍କସ୍ ନିଜର ସେଇ ଏକମାତ୍ର ଉପନ୍ୟାସକୁ ଛାପିବା ପାଇଁ ଆଉ ଆଗ୍ରହ ପ୍ରକାଶ କରିନାହାଁନ୍ତି।ସେହି କାରଣରୁ ତାଙ୍କର ହାତ ଲେଖା ବହି “ଏ ବୁକ୍ ଅଫ୍ ଭର୍ସ “ରେ ସେହି ଉପନ୍ୟାସ ଟି ସଂପୂର୍ଣ୍ଣ ରହିନାହିଁ,କିଛି ଅଂଶ ରହିଅଛି।କିନ୍ତୁ ଯେତିକି ଅଛି ସେଥିରୁ ଉପନ୍ୟାସ ର ସଂପୂର୍ଣ୍ଣ ରୂପଟି ବୁଝାଯାଇ ପାରେ।ଏହା ସର୍ବ ପ୍ରଥମେ ଛପା ହୋଇଥିଲା ଇଂରେଜୀରେ ୧୯୧୨ ମସିହାରେ,ଜର୍ମାନୀର ୧୯୨୯ ମସିହାରେ।

କାର୍ଲ ମାର୍କସ୍ ଙ୍କୁ ଜଣେ ସାହିତ୍ୟିକ ହିସାବରେ ଆମେ ସେତେ ଜାଣୁନା ଯେତିକି ଜାଣିଛୁ ତାଙ୍କୁ ଜଣେ ଚିନ୍ତକ ହିସାବରେ।ମାତ୍ର ତାଙ୍କର ଆରମ୍ଭ ଟି ଏକ ପ୍ରଖର ସାହିତ୍ୟ ଚର୍ଚ୍ଚା ଆଉ ସାହିତ୍ୟ ଲେଖନରୁ ଆରମ୍ଭ ହୋଇଥିଲା।

କାର୍ଲ ମାର୍କସ୍ ଙ୍କ ବୟସ ସେତେବେଳେ ସତର।ପିତୃବନ୍ଧୁ ଲୁଡଭିଗ୍ ଭନ୍ ଭେଷ୍ଟଫାଲେନ୍ ଏହି ସୁକୁମାର କିଶୋର ପ୍ରତି ଯଥେଷ୍ଟ ଶ୍ରଦ୍ଧାଶୀଳ ଥିଲେ।ତାହା ପାଇଁ ସେ ଉନ୍ମୁକ୍ତ କରିଦେଇଥିଲେ ନିଜର ବ୍ୟକ୍ତିଗତ ସଂଗ୍ରହରେ ଥିବା ଏକ ସଂଭାନ୍ତ ଲାଇବ୍ରେରୀ।କାର୍ଲ ମାର୍କସ ପିତୃବନ୍ଧୁଙ୍କ ସେହି ବ୍ୟକ୍ତିଗତ ସଂଗ୍ରହକୁ ଭରପୁର ଉପଯୋଗ କରିଛନ୍ତି।ସେଇଠି ତାଙ୍କର ପରିଚୟ ଘଟେ ଶେକସପିଅର ଆଉ ସର୍ଭାଣ୍ଟିସ୍ ଙ୍କ ସହ।ଗ୍ରୀକ୍ ଏବଂ ଲାଟିନ୍ ସାହିତ୍ୟରେ ଗଭୀର ମନୋନିବେଶ,ଜୁରିସପ୍ରୁଡେନ୍ସ ଆଉ ପଲିଟିକାଲ୍ ଇକୋନୋମି ସଂପର୍କରେ ଆଗ୍ରହ,ନିୟମିତ ହୋମର-ଚର୍ଚ୍ଚା ଭଳି ୧୮୩୫-୩୬ ର ସେହି ବହୁଚିତ୍ରିତ ସମୟରେ କାର୍ଲ ମାର୍କସ ଙ୍କ ଜୀବନରେ ଥିଲା ଜେନି ଭଳି ଜଣେ କିଶୋରୀକୁ ନେଇ ପ୍ରଖର ବିରହ-ବୋଧ।ଯଦିଓ ଜେନି ଓ ମାର୍କସ ପରସ୍ପରକୁ ପ୍ରାୟ ପ୍ରତିଦିନ ଦେଖାସାକ୍ଷାତ କରୁଥିଲେ ବା ସେମାନଙ୍କର ସାକ୍ଷାତରେ ସେମିତି କୌଣସି ପ୍ରତିବନ୍ଧକ ନଥିଲା ତଥାପି ସବୁ ମୁହୂର୍ତ୍ତରେ ଗଭୀର ବିରହ ଅନୁଭବ କରୁଥିଲେ ମାର୍କସ୍।ସେଇ ମନୋଭାବକୁ ସେ ରୂପ ଦେଉଥିଲେ ନିଜର କବିତାରେ।ଜେନୀ ପାଇଁ ଅନେକ କବିତା ସେ ଲେଖିଛନ୍ତି।ସେଥିରୁ ଗୋଟିଏ ଏଇଠି ଅନୁସୃଜିତ ହୋଇଛି।ଆଶା ସେଥିରୁ କିଶୋର ମାର୍କସଙ୍କ ଭାବ ବଳୟକୁ ଆମେ କିଛି ପରିମାଣରେ ବୁଝି ପାରିବା।

ଜେନୀ ଥିଲେ ମାର୍କସ୍ ଙ୍କ ବଡ ଭଉଣୀ ସୋଫି ର ଘନିଷ୍ଠ ବାନ୍ଧବୀ।ମାର୍କସଙ୍କ ଠାରୁ ବୟସରେ ପ୍ରାୟ ଚାରି ବର୍ଷ ବଡ।ତାଙ୍କର ପୂରା ନାଆଁ ଥିଲା ଜେନୀ ଭାଷ୍ଟଫାଲେନ୍।ସେ କାର୍ଲ ମାର୍କସ୍ ଙ୍କ ପିତୃବନ୍ଧୁ ଲୁଡଭିଗ୍ ଭନ୍ ଭେଷ୍ଟଫାଲେନ୍ ଙ୍କର ଆଦରିଣୀ କନ୍ୟା,ଯାହାଙ୍କର ସଂକ୍ରାନ୍ତ ପୁସ୍ତକାଗାର କାର୍ଲ ମାର୍କସ ଙ୍କୁ ପ୍ରକୃତ କାର୍ଲ ମାର୍କସ କରିବାରେ ସାହାଯ୍ୟ କରିଥିଲା।ସେଇଠି ମାର୍କସ ଙ୍କ ଜୀବନରେ ପୁସ୍ତକ ପ୍ରେମ ଓ ପ୍ରେମ ଉଭୟ ହିଁ ପଲ୍ଲବିତ ହୋଇଥିଲା।

ମାର୍କସ ଆଉ ଜେନୀ ଙ୍କର ପ୍ରେମ କାହାଣୀ ଅତ୍ୟନ୍ତ ସୁଖର ଥିଲା।ଜେନୀ ହିଁ ଶେଷରେ ଶ୍ରୀମତୀ କାର୍ଲ ମାର୍କସ ହୋଇ ଏହି ଚିନ୍ତକକୁ ସାରା ଜୀବନ ବହନ କରିଥିଲେ।

ତାଙ୍କର ଚିନ୍ତକ ପରିଚୟ ଟି ତାଙ୍କର ସାହିତ୍ୟ ପରିଚୟକୁ ସବୁବେଳେ ଆଢୁଆଳରେ ରଖି ଦେଇଛି,ତାହା ବଡ ଦୁଃଖର କଥା।

ମେ ମାସର ପାଞ୍ଚ ତାରିଖରେ କାର୍ଲ ମାର୍କସ୍ ୧୮୧୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ।ସେ ଜଣେ ଜର୍ମାନ,ଜଣେ ଇହୁଦୀ,ଏବଂ ଏକ ବହୁକୁଟୁମ୍ବୀ ପରିବାର ର ସନ୍ତାନ।

Johanna Bertha Julie Jenny Edle von Westphalen (12 February 1814 – 2 December 1881)

ଦୁଇ

ସେଦିନ ଥିଲା ୧୪ ମାର୍ଚ୍ଚ ୧୮୮୩ ମସିହା।

ମାର୍କସ ଙ୍କର ପ୍ରିୟତମ ବଂଧୁ ଓ ସହଯୋଗୀ ଏଙ୍ଗେଲସ୍ ତାଙ୍କ ବିଷୟରେ ଏଇ କଥାଟି କହିଥିଲେ ସେଦିନ।ଘଟଣାଟି ଘଟିବା ପରେ।

” ମାର୍ଚ୍ଚ ମାସର ଚଉଦ ତାରିଖ, ସମୟ ଅପରାହ୍ନ,ଘଣ୍ଟାରେ ପନ୍ଦର ମିନିଟ୍ ଅଛି ତିନିଟା ବାଜିବାକୁ,ଠିକ୍ ସେତିକିବେଳେ ପୃଥିବୀର ସର୍ବଶ୍ରେଷ୍ଠ ଚିନ୍ତକ ଜଣକ ଚିନ୍ତା କରିବା ଛାଡିଦେଲେ।”

ମାର୍କସ ହେଉଛନ୍ତି ମାର୍କସ୍ । ଚିରକାଳ ଅନନ୍ଯ।

ଆମ ପୃଥିବୀରେ ତାଙ୍କର ବେଶ୍ ସୁଖ୍ଯାତି ରହିଛି ଆଜିଯାଏଁ।ସବୁବେଳେ ସେ ପୃଥିବୀକୁ ଅନ୍ଯ ଗୋଟିଏ ପ୍ରକାରର ହେବ ବୋଲି ଭାବୁଥିଲେ।

ନା ,ପୃଥିବୀ ସେ କହୁଥିବା ଭଳି ଅନ୍ଯ ପ୍ରକାରର ହୋଇନାହିଁ ଏ ଯାଏଁ।

ଆଜିର ତାରିଖରେ ଅର୍ଥାତ୍ ୧୪ ମାର୍ଚ୍ଚ ୧୮୮୩ ମସିହାରେ ସେଠିକାର ଜଣେ କବରରକ୍ଷକ ଙ୍କ ସମେତ ମାତ୍ର ଏଗାର ଜଣ ଲଂଡନର ଗୋଟିଏ କବରାଗାର ରେ ଏକାଠି ହୋଇଥିଲେ ତାହାଙ୍କୁ ଭୂମୀଗତ କରିବା ପାଇଁ।

ତାଙ୍କର ନିଜ କଥାଟିଏ ରହିଅଛି ତାଙ୍କର ସମାଧୀ-ଲେଖ ରେ।

“ଦାର୍ଶନିକ ମାନେ ବହୁଭାବରେ ପୃଥିବୀକୁ ବ୍ଯାଖ୍ଯା କରିଆସିଛନ୍ତି କିନ୍ତୁ ଅସଲ କଥାଟି ହେଲା ଏହାକୁ ପରିବର୍ତ୍ତନ କରିବା ଆବଶ୍ଯକ।”

Karl Marx

ତିନି

ପାର୍ଥୀବ ପରିବର୍ତ୍ତନ ର ଏହି ପ୍ରବକ୍ତା ଜଣକ ନିଜ ଜୀବନ ସାରା କିନ୍ତୁ ଲୁଚିବୁଲୁଥିଲେ ପୁଲିସ୍ ଆଉ ମହାଜନ ମାନଙ୍କ ଠାରୁ। ଦେଣା ରୁ ରକ୍ଷା ପାଇବା ପାଇଁ।

ପାରିବାରିକ ଜୀବନରେ ବି ସେ ସେମିତି ଉଦାରବାଦୀ ନଥିଲେ।ନିଜର ଦ୍ବିତୀୟ ଝିଅ ଯେତେବେଳେ ଗୋଟିଏ ଫରାସୀ ବୁଦ୍ଧିଜୀବୀକୁ ନିଜ ବର ହିସାବରେ ବାଛିଲା ସେତେବେଳେ ସେ ଏହାର ଘୋର ବିରୋଧ କରିଥିଲେ।ଯଦିଓ ଏହି ଦ୍ବିତୀୟ ଜୋଇଁଟି ଶ୍ବଶୁରଙ୍କର ବେଶ୍ ଅନୁରକ୍ତ ଥିଲା।ତାଙ୍କର ଦର୍ଶନ ଦ୍ବାରା ପ୍ରଭାବିତ ହୋଇ ଖଣ୍ଡିଏ ବହି ଲେଖିଥିଲା।ବହିର ଶୀର୍ଷକ ଭାରି ଚମତ୍କାର,”ଅଳସୁଆର ଅଧିକାର ” ବା “The Right to be Lazy”।ତାଙ୍କର ସେହି ଦ୍ବିତୀୟ ଝିଅ ଆଉ ଜୋଇଁଙ୍କ ମଧ୍ଯ ରେ ସଂପର୍କ ଉଦାହରଣ ଦେଲା ଭଳି ମଧୁର ଥିଲା।ଦୁଇଜଣଯାକ ନିଜ ନିଜ ଭିତରେ ଚୁକ୍ତି କରି ଗୋଟିଏ ଦିନ ଏକାଠି ଆତ୍ମହତ୍ଯା କରିଥିଲେ। ଅବଶ୍ଯ ଏହି ହୃଦୟବିଦାରକ ଘଟଣାଟିକୁ ପ୍ରତ୍ୟକ୍ଷ କରିବା ପାଇଁ ସେ ନଥିଲେ।ତାଙ୍କର ମୃତ୍ୟୁର ପାଖାପାଖି ତିନି ଦଶନ୍ଧି ପରେ ଏହା ଘଟିଥିଲା।

ନିଜ ଜୋଇଁଙ୍କ ବହିଟିକୁ ସେ ଆଗ୍ରହର ସହ ପଢିଥିଲେ।ପଢିସାରିବା ପରେ ନିଜର ପ୍ରିୟ ବଂଧୁଙ୍କ ଆଗରେ ସେଇ ବହିଉପରେ ମନ୍ତବ୍ଯ ବି ଦେଇଥିଲେ।ସେହି ମନ୍ତବ୍ୟରୁ ବାରି ହୋଇପଡେ ଜଣେ ଶ୍ବଶୁରର ବାଧ୍ଯ ହୋଇ ସ୍ବୀକୃତି ଦେଇଥିବା ଜୋଇଁ ପ୍ରତି ଚାପା ପଡିଥିବା ରାଗରୁ ଛୋଟ ନିଆଁଝୁଲ ଟିଏ।ଜୋଇଁ ବା ଜୋଇଁଙ୍କର ସେ ଅଳସୁଆ ମାନଙ୍କର ଅଧିକାର ବହି ସେମିତି ପ୍ରସିଦ୍ଧି ପାଇ ନାହିଁ କିନ୍ତୁ ତାଙ୍କର ମନ୍ତବ୍ଯ ଏକ ସର୍ବକାଳୀନ ଉଲ୍ଲେଖଯୋଗ୍ଯ ମନ୍ତବ୍ଯ ହୋଇ ରହି ଆସିଛି ଆମ ଆଗରେ। ମନ୍ତବ୍ଯ ଟି ହେଲା,”ଏହାକୁ ଯଦି ମାର୍କ୍ସବାଦ ବୋଲି କୁହାଯାଏ ତେବେ ଭଗବାନଙ୍କୁ ଧନ୍ଯବାଦ ମୁଁ ଜଣେ ମାର୍କ୍ସବାଦୀ ନୁହଁ।”

ନିଜ ସଂପର୍କ ରେ ସେ ଲେଖିଥିଲେ,”ନିଜ ପାଖରେ ଏତେ କମ୍ ପଇସା ଥିବା ଜଣେ ଲୋକ ପଇସା ଉପରେ ଏତେ ବେଶି କେବେ ଲେଖିନାହିଁ।”ପୁଂଜି” ବହିଟି ଲେଖିବା ପଛରେ ମୁଁ ଯେଉଁ ସିଗାର୍ ଟାଣିବାର ଖର୍ଚ୍ଚ କରିଛଥିଲି ତାହା ବହିଟିରୁ ମିଳିନାହିଁ।”

କାର୍ଲ ମାର୍କସ ଙ୍କ ଭୂମ୍ୟାରୋହଣ କାଳରେ ସେଦିନ ଅର୍ଥାତ୍ ୧୪ ମାର୍ଚ୍ଚ ୧୮୮୩ ଦିନ ଲଣ୍ଡନର ହାଇଗେଟ୍ ସିମେଟ୍ରିରେ ଉପସ୍ଥିତ ଥିଲେ ମାତ୍ର ଏଗାର ଜଣ ଲୋକ ଆଉ ଜଣେ କବର ରକ୍ଷକ । ସମାଧି ନିକଟରେ ଠିଆ ହୋଇ ମାର୍କସ ଙ୍କ ଅନ୍ତରଙ୍ଗ ବନ୍ଧୁ ଫ୍ରେଡେରିକ୍ ଏଙ୍ଗେଲସ୍ ଉପସ୍ଥିତ ସେହି ନଗଣ୍ୟ ଜନ ସମୂହକୁ ଏକ ସଂକ୍ଷିପ୍ତ ଶୋକ-ବକ୍ତୃତା ଦେଇଥିଲେ:

“ମାର୍କସଙ୍କ ନାଆଁ ଏବଂ କାର୍ଯ୍ୟାବଳୀ ପ୍ରଜନ୍ମ ପ୍ରଜନ୍ମକୁ ଉଜ୍ଜୀବିତ କରିବ।”

ଚାରି

ଆଜି ସେହି ଚିନ୍ତକ ଆଉ ପ୍ରେମିକଙ୍କୁ ସ୍ମରଣ କରିବା ସମୟରେ ତାଙ୍କର ଗୋଟିଏ ପ୍ରସିଦ୍ଧ ମନ୍ତବ୍ୟକୁ ଉଦ୍ଧାର କରୁଛି।

“ଯଦି ଏହା ମାର୍କସବାଦ ହୁଏ ତେବେ,ଈଶ୍ୱରଙ୍କୁ ଧନ୍ୟବାଦ,ମୁଁ ମାର୍କସବାଦୀ ନୁହଁ।”

ପ୍ରଚଳିତ ପ୍ରତିମାନକୁ ଚିରକାଳ ଅସ୍ୱୀକାର କରିଆସୁଥିବା ଏହି ଚିନ୍ତକକୁ ଜେନୀର ପ୍ରେମିକ ହିସାବରେ ଘଡିଟିଏ ଦେଖାଯାଉ ।

ସେ ସେଥିରେ ଆମକୁ ଭାରି ନିଜର ପରି ଦିଶନ୍ତି।

°°°°

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

Leave a Reply

Your email address will not be published. Required fields are marked *