ଅନେକ ବର୍ଷ ତଳର କଥା। ପେରିଓ୍ବିଙ୍କିଲ୍ ନାମକ ବରଫ ପରୀଟେ ଥରେ ନିଜ ଉତ୍ସୁକତା ଚାପି ନରଖି ପାରି, ଶୀତ-ବଣର ସୀମା ଅତିକ୍ରମ କରି ଗ୍ରୀଷ୍ମ ବଣରେ ପହଞ୍ଚି ଗଲା। କିଛି ସମୟ ବୁଲାବୁଲି କରି ପଶୁପକ୍ଷୀଙ୍କ ହାବଭାବ ଦେଖିବା ପରେ ପେରିଓ୍ବିଙ୍କିଲ୍ ଅନୁଭବ କଲା ଯେ ତା’ର ପର ଦୁଇଟି ହାଲୁକା ହାଲୁକା ଜଳି ଯାଉଛି। ସେ ତରତର ହୋଇ ପରୀ ମାନଙ୍କ ରକ୍ଷଣାବେକ୍ଷଣ ଓ ପରାମର୍ଶ ଦାୟିତ୍ୱରେ ଥିବା ପାଠାଗାର ରକ୍ଷକ ଡିଓ୍ବି ପାଖରେ ପହଞ୍ଚିଲା। ଠିକ୍ ସେହି ସମୟରେ ଟିଙ୍କରବେଲ୍ ନାମକ ଗ୍ରୀଷ୍ମ ପରୀ ମଧ୍ୟ ସମାନ ସମସ୍ୟା ନେଇ ସେଠି ପହଞ୍ଚିଲା। ଡିଓ୍ବିଙ୍କ ଠାରୁ ଦୁଇ ଜଣ ଜାଣିଲେ ଯେ ଯେତେବେଳେ ଦୁଇ ବିପରୀତ ଋତୁର ପରୀ ଗୋଟିଏ ମୂହୁର୍ତ୍ତରେ ଗୋଟିଏ ମାତୃଗର୍ଭରୁ ଜନ୍ମ ନିଅନ୍ତି ଏବଂ ସେମାନେ ପରସ୍ପରର ପାଖରେ ରୁହନ୍ତି ତା’ ହେଲେ ଏମିତି ଦୁଇଜଣଙ୍କ ପର ଜଳିଯାଏ। ଡିଓ୍ବିଙ୍କ କଥା ଶୁଣି ଦୁଇଜଣ ନିଶ୍ଚିତ ହେଲେ ଯେ ସେମାନେ ଯମଜ ଭଉଣୀ ବୋଲି। ଠିକ୍ ସେହି ସମୟରେ ବରଫ ପରୀଙ୍କ ଦେବୀ ମିଲୋରୀ ମଧ୍ୟ ସେଇଠି ପହଞ୍ଚିଲେ। ଦେବୀ ମିଲୋରୀ, କେହି ଗ୍ରୀଷ୍ମ ପରୀ ସୀମା ଲଙ୍ଘି ଶୀତ ବଣକୁ ପ୍ରବେଶ କରିଛି କି ବୋଲି ଡିଓ୍ବିଙ୍କୁ ପ୍ରଶ୍ନ କଲେ। ଡିଓ୍ବି ମନା କରିବାରୁ, ଯଦି ସେ ସେମିତି କୌଣସି ପରୀକୁ ଦେଖନ୍ତି, ତୁରନ୍ତ ତାଙ୍କୁ ଖବର ଦେବାକୁ କହିଲେ। ପ୍ରକୃତରେ ଡିଓ୍ବିଙ୍କର ଏତେ ଶୀଘ୍ର ଦୁଇ ଭଉଣୀଙ୍କୁ ପରସ୍ପର ଠାରୁ ଦୂର କରିବାର ଇଚ୍ଛା ନଥିଲା, ତେଣୁ ସେ ମିଲୋରୀଙ୍କୁ ମୁଣ୍ଡ ହଲାଇ ହଁ କହି ସେଠୁ ବିଦାୟ ଦେଲେ। ଦୁଇ ଭଉଣୀଙ୍କୁ ସତର୍କ ରହିବାକୁ କହି କିଛିଦିନ ଏକାଠି ରହିବା ପାଇଁ ଅନୁମତି ଦେଲେ।
ଦୁଇ ଭଉଣୀ ପରସ୍ପରକୁ ପାଇ ବହୁତ ଖୁସି ଥା’ନ୍ତି, ଖେଳନ୍ତି ଏବଂ ବୁଲନ୍ତି। କିନ୍ତୁ ନିଜକୁ ଉଷୁମ ରଖିବା ପାଇଁ ଟିଙ୍କରବେଲ୍ ଯେଉଁ ଅଗ୍ନିକୁଣ୍ଡର ବ୍ୟବସ୍ଥା କରିଥିଲା ତାହା ପେରିଓ୍ବିଙ୍କିଲ୍ ପାଇଁ ପ୍ରାଣଘାତକ ପ୍ରମାଣିତ ହୁଏ। ତା’ର ପର ତରଳିବାକୁ ଆରମ୍ଭ କରେ। କିନ୍ତୁ ଠିକ୍ ସମୟରେ ଡିଓ୍ବି ଆସି ତାକୁ ରକ୍ଷା କରନ୍ତି। ତାଙ୍କ ମନ୍ତ୍ର ବଳରେ ପେରିଓ୍ବିଙ୍କିଲର ପର ପୁଣି ଠିକ୍ ହୋଇଯାଏ। ଦୁଇ ଭଉଣୀଙ୍କ ଗୋଟିଏ ଜାଗାରେ ରହିବା ପ୍ରାଣଘାତକ ହୋଇପାରେ ଚିନ୍ତା କରି ଡିଓ୍ବି, ଟିଙ୍କରବେଲକୁ ଗ୍ରୀଷ୍ମ ବଣର ସୀମାରେ ଛାଡି ଆସିବା ପାଇଁ ନିଷ୍ପତ୍ତି ନିଅନ୍ତି। ବିଦାୟ ନେଲା ବେଳେ ଟିଙ୍କରବେଲ୍ତା’ ଭଉଣୀକୁ ବ୍ୟସ୍ତ ନହେବା ପାଇଁ କୁହେ। ସେ ଜଣାଇ ଦିଏ ଯେ ସେ ଗୋଟିଏ ତୁଷାର ତିଆରି ଯନ୍ତ୍ର ଦେଖିଛି। ସେହି ଯନ୍ତ୍ର ଦ୍ଵାରା ବରଫ ବଣରୁ ବରଫ ଖଣ୍ଡ ନେଇ ପେରିଓ୍ବିଙ୍କିଲ୍ ପାଇଁ ଗୋଟିଏ ତୁଷାର ଖଳା ବନାଇ ହେବ ଆଉ ତା’ ପରେ ସେମାନେ ଏକାଠି ରହି ପାରିବେ। ଠିକ୍ ସେୟା ହୁଏ। ଟିଙ୍କରବେଲ୍ ତୁଷାର ତିଆରି ଯନ୍ତ୍ର ଆଣେ ଆଉ ଶୀତ ବଣର ସୀମାକୁ ଲାଗି ଗ୍ରୀଷ୍ମ ବଣର ଗୋଟିଏ ଛୋଟିଆ ଅ°ଶରେ ତୁଷାର ଆବରଣ ବନାଇ ପେରିଓ୍ବିଙ୍କିଲ୍ସହ ରୁହେ। ସେମାନେ ସାଙ୍ଗ ହୋଇ ଖେଳନ୍ତି। ହେଲେ ଖେଳିବା ଭିତରେ ଶୀତ ବଣରୁ ଆଉ ବରଫଖଣ୍ଡ ଆଣି ତୁଷାର ବନେଇବାକୁ ଭୁଲି ଯା’ନ୍ତି। ପୂର୍ବରୁ ପ୍ରସ୍ତୁତ ତୁଷାର ତରଳିବାକୁ ଲାଗେ। ଗରମ ବଢେ, ଗ୍ରୀଷ୍ମ ବଣର ପ୍ରକୋପରେ ପେରିଓ୍ବିଙ୍କିଲ୍ର ପର କୁଞ୍ଚିତ ହୋଇ, ତରଳିବାକୁ ଲାଗେ। ତା’ ପର ସମ୍ପୂର୍ଣ୍ଣ ନଷ୍ଟ ହେବା ପୂର୍ବରୁ ଦେବୀ ମିଲୋରୀ ପହଞ୍ଚି ତା’ ପରକୁ ମନ୍ତ୍ର ଦ୍ଵାରା ଠିକ୍ କରି ଦିଅନ୍ତି। ଏବଂ ଦୁଇ ପରୀଙ୍କୁ ପରୀ ରାଣୀ କ୍ଲାରିଓନ୍ଙ୍କ ପାଖରେ ହାଜିର କରି, ଦୁଇ ଜଣଙ୍କ ଦୋଷ ବତାନ୍ତି। ଏଥିରେ ପରୀ ରାଣୀ କ୍ଷୁବ୍ଧ ହୋଇ ଆଦେଶ ଦିଅନ୍ତି ଯେ, “ଏହା ପରେ ଯେମିତି ଆଉ କୌଣସି ପରୀ ପରସ୍ପରର ସୀମା ଡେଇଁ ବିପରୀତ ବଣକୁ ନ ଯାଆନ୍ତି। ସେମିତି ହେଲେ ସେମାନଙ୍କୁ ପରୀ ରାଇଜରୁ ବରଖାସ୍ତ କରାଯିବ ଏବଂ ନଷ୍ଟ ହୋଇଥିବା ପରକୁ ଆଉ ସଜଡା ଯିବ ନାହିଁ।”
ପେରିଓ୍ବିଙ୍କିଲ୍ ଓ ଟିଙ୍କରବେଲ୍କୁ ନିଜ ନିଜ ବଣକୁ ପଠାଇ ଦିଆ ଯାଏ। ଦୁଇ ଭଉଣୀ ନିଜ ନିଜ ଜଙ୍ଗଲର ସୀମାରେ ଠିଆ ହୋଇ ପରସ୍ପରକୁ ଦୁଖଃରେ ଚାହିଁଥା’ନ୍ତି। ଉଭୟଙ୍କର ଖିଆଲ ନଥାଏ ଯେ ତୁଷାର ତିଆରି ଯନ୍ତ୍ର ସେଇ ସୀମାରେ ପଡିଥାଏ। ଶୀତ ବଣରୁ ବରଫ ଖଣ୍ଡ ଯନ୍ତ୍ର ଉପରକୁ ଛିଟିକି ତୁଷାର ବନି ଚାଲେ। ଦୁଇ ଭଉଣୀ ଅନ୍ୟମନସ୍କ ଥିବା ଭିତରେ ଟିଙ୍କରବେଲ୍ଉପରେ ତୁଷାର ମାଡିଯାଏ। ଏହି ଦୃଶ୍ୟ ଦେଖି ପେରିଓ୍ବିଙ୍କିଲ୍ନିଜକୁ ଅଟକାଇ ପାରେନି। ରାଣୀ କ୍ଲାରିଓନ୍ ଓ ଦେବୀ ମିଲୋରୀଙ୍କ ଆଦେଶକୁ ଭୁଲି ସେ ତା’ ଭଉଣୀକୁ ରକ୍ଷା କରିବା ପାଇଁ ଗ୍ରୀଷ୍ମ ଜଙ୍ଗଲକୁ ଡେଇଁ ପଡି, ଟିଙ୍କରବେଲ୍ ଚାରିକଡୁ ତୁଷାର ସଫା କରିବାକୁ ଲାଗେ। ରାଣୀ କ୍ଲାରିଓନ୍ ଓ ଦେବୀ ମିଲୋରୀ ଆସି ପହଞ୍ଚି ତୁଷାର ଯନ୍ତ୍ରକୁ ନଷ୍ଟ କରନ୍ତି, ତୁଷାର ସଫା ହୋଇ ଟିଙ୍କରବେଲ୍ଉଦ୍ଧାର ହୁଏ। ହେଲେ ସେତେବେଳକୁ ପେରିଓ୍ବିଙ୍କିଲ୍ଗ୍ରୀଷ୍ମ ବଣର ଉତ୍ତାପରେ ଆହତ ହୋଇ ଟଳି ପଡିଥାଏ। ରାଣୀ କ୍ଲାରିଓନ୍ ଓ ଦେବୀ ମିଲୋରୀ ଦୁଇ ଯମଜ ପରୀ ଭଉଣୀକୁ ଅଲଗା କରିଥିବାରୁ ପଶ୍ଚାତ୍ତାପ କରନ୍ତି। ଟିଙ୍କରବେଲ୍ର ଲୁହ ପଡି ପେରିଓ୍ବିଙ୍କିଲ୍ର ଶରୀର ଯେଉଁଠି ପଡିଥାଏ ସେଇଠି ପାଞ୍ଚ ପାଖୁଡା ବିଶିଷ୍ଠ ଗୋଲାପୀ ରଙ୍ଗର ଫୁଲ ଭର୍ତ୍ତି ଗୋଟିଏ ସୁନ୍ଦର ଫୁଲ ଗଛ ଉଠେ। ଦେବୀ ମିଲୋରୀ ଆଶୀର୍ବାଦ କରନ୍ତି ଯେ ସେ ଫୁଲ ଗ୍ରୀଷ୍ମ, ଶୀତ କୌଣସି ଋତୁର ସୀମାରେ ଆବଦ୍ଧ ନ ହୋଇ ବର୍ଷସାରା ଫୁଟିବ ଏବଂ ତାକୁ ପେରିଓ୍ବିଙ୍କିଲ୍ ନାଁ ଦିଅନ୍ତି। ଏ ପେରିଓ୍ବିଙ୍କିଲ୍ ଫୁଲ ଆଉ କେହି ନୁହେଁ, ଆମ ସମସ୍ତଙ୍କର ଅତି ପରିଚିତ ସଦାବିହାରୀ ଫୁଲ।
ସଦାବିହାରୀକୁ ସାଧାରଣତଃ ପେରିଓ୍ବିଙ୍କିଲ୍ କୁହା ଯାଉଥିବା ବେଳେ ଏହାର scientific name କ୍ୟାଥାରାନ୍ଥସ୍ ରୋଜିଅସ୍ ଅଟେ। ଆହୁରି ମଧ୍ୟ ଏହାକୁ କେପ୍ ପେରିଓ୍ବିଙ୍କିଲ୍, ପିଙ୍କ୍ ପେରିଓ୍ବିଙ୍କିଲ୍, ରୋଜ୍ ପେରିଓ୍ବିଙ୍କିଲ୍, ମାଡାଗାସ୍କର୍ ପେରିଓ୍ବିଙ୍କିଲ୍, ଗ୍ରେଭୟାଡ୍ ପ୍ଲାଣ୍ଟ୍, ଓଲ୍ଡ ମେଡ୍ ମଧ୍ୟ କୁହାଯାଏ। ମୂଳତଃ ଏହାର ଉତ୍ପତ୍ତି ମାଡାଗାସ୍କରରୁ, କିନ୍ତୁ ଏବେ ଏହା ପୃଥିବୀର ପ୍ରାୟ ପ୍ରତ୍ୟେକ ଅ°ଶରେ ଉଭୟ ଅର୍ଣ୍ଣାମେଣ୍ଟାଲ୍ ପ୍ଲାଣ୍ଟ୍ ଏବଂ ଔଷଧୀୟ ବୃକ୍ଷ ହିସାବରେ ଆଦୃତ। ସଦାବିହାରୀରୁ ମିଳୁଥିବା ଆଲ୍କାଲୋଏଡରୁ Vinblastine and Vincristine ପରି chemotherapy ମେଡିସିନ ପ୍ରସ୍ତୁତ ହୁଏ, ଯାହା ବିଭିନ୍ନ ପ୍ରକାର କର୍କଟ ବା କ୍ୟାନସର ରୋଗର ଚିକିତ୍ସାରେ ଲାଗେ। ଆହୁରି ମଧ୍ୟ ଏଥିରୁ ମିଳୁଥିବା vincoline ନାମକ ପଦାର୍ଥ ଇନ୍ସୁଲିନ୍ କ୍ଷରଣରେ ସାହାଯ୍ୟ କରେ ବୋଲି ଗବେଷଣାରୁ ଦେଖା ଯାଉଛି। ମଧୁମେହରେ ଧଳା ସଦାବିହାରୀର ପ୍ରୟୋଗ ଆର୍ୟୁବେଦରେ ମଧ୍ୟ ରହିଛି। ଉଭୟ ଭାରତୀୟ ଏବଂ ଚୀନର ପାରମ୍ପରିକ ଚିକିତ୍ସା ପଦ୍ଧତିରେ ସଦାବିହାରୀକୁ ମଧୁମେହ, ପାଳି ଜ୍ବର ଆଦି ପାଇଁ ବର୍ଷ ବର୍ଷ ଧରି ବ୍ୟବହାର କରା ଯାଉଛି। ଔଷଧୀୟ ବୃକ୍ଷ ଭାବରେ ସଦାବିହାରୀର ଚାଷ ପ୍ରାୟ ଖ୍ରୀଷ୍ଟପୂର୍ବ ୨୬୦୦ରୁ ମେସୋପଟାମିଆରୁ ଆରମ୍ଭ ହେଲାଣି ବୋଲି ଗବେଷକ ମାନେ ମତ ଦିଅନ୍ତି।
ଫ୍ଲାଓ୍ବାର ସିମ୍ବଲିଜିମ୍ ଅନୁସାରେ ସଦାବିହାରୀ ଫୁଲ ବିଶ୍ୱାସ, ଆସ୍ଥା ଏବଂ ଚିରସ୍ଥାୟୀ ପ୍ରେମର ପ୍ରତୀକ। ଜୀବନର କଠିନ ସମୟରେ ଏହି ଫୁଲ ନୂତନ ଆଶା ଏବଂ ଅବସରର ଚିହ୍ନ। ଏହି ଫୁଲର ଅର୍ଥ ନିରାଶ ନହୋଇ, ଭାଙ୍ଗି ନପଡି, ସତ୍ ପଥରେ ରହି କର୍ମ କରିଚାଲ; ଲକ୍ଷ୍ୟ ହାସଲ ପାଇଁ ନିଜର ଅସ୍ତିତ୍ଵ ଏବଂ ଚରିତ୍ରକୁ ବଳିଦାନ ନଦେଇ, ନିଜତ୍ବ ବଜାୟ ରଖ; ସଫଳତା ନିଶ୍ଚୟ ମିଳିବ।
ଭିକ୍ଟୋରିଆନ୍ ଫ୍ଲାଓ୍ବାର ଲାଙ୍ଗୁଏଜରେ ଏହାକୁ ନୂତନ ବନ୍ଧୁତ୍ବର ଆରମ୍ଭ ତଥା ଆନନ୍ଦ ଓ ଅନ୍ତରଙ୍ଗ ମୁହୂର୍ତ୍ତ ଭରା ସ୍ମୃତିର ଚିହ୍ନ ବୋଲି ମଧ୍ୟ ଧରାଯାଏ; ଏବଂ ଯେଉଁ ବ୍ୟକ୍ତିଙ୍କ ସହ ବିତାଇଥିବା ସମୟର ସ୍ମୃତିକୁ ଆପଣ ଚିରସ୍ଥାୟୀ କରିବାକୁ ଇଚ୍ଛା ରଖନ୍ତି ତାଙ୍କୁ ଏହା ଫୁଲର ଗଛ ଉପହାର ଦିଆଯାଇ ପାରିବ। ଲକ୍ଷ୍ୟ ହାସଲ ପାଇଁ ଏବଂ ସମାଜରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଆସ୍ତେ ଆସ୍ତେ କରି ଆଗକୁ ବଢ, ନିଜ ଗୁଣ ଏବଂ ପରିଶ୍ରମକୁ କାମରେ ଲଗାଓ, ଥରକେ ସ୍ବୀକୃତି ନମିଳିଲେ ଭାଙ୍ଗିପଡ ନାହିଁ, କାମ ହାସଲ ପାଇଁ ନୈତିକତା ହରାଅ ନାହିଁ, ନିଜର ଗୁଣକୁ ଚିହ୍ନ ଏବଂ ନିଜେ ନିଜକୁ ସମ୍ମାନ କର, କାହା ସହ ନିଜକୁ ତୁଳନା କର ନାହିଁ (ଆପଣ ଦେଖିଥିବେ, ଅନେକ ସମୟରେ ସଦାବିହାରୀ ଫୁଲ ରାସ୍ତା କଡରେ ଫୁଟିଥାଏ ଆଉ କେହି ତା’ପ୍ରତି ଧ୍ୟାନ ଦିଅନ୍ତି ନାହିଁ, କିନ୍ତୁ ସେ ବର୍ଷ ବର୍ଷ ଧରି ସେଇଠି ଫୁଟେ; ଆଉ ହଠାତ୍ କରି ଯଦି କେହି ତାକୁ ସେଠୁ ତାଡି ଫୋପାଡ଼ି ଦିଏ ଜାଗାଟା ଭାରି ଫାଙ୍କା ଦେଖା ଯାଏ)। ଫ୍ଲାଓ୍ବାର ସିମ୍ବଲିଜିମରେ ଆହୁରି ମଧ୍ୟ କୁହାଯାଏ ଯେ ସଦାବିହାରୀ ଫୁଲ କୁହେ ଯେ ତୁମ ପ୍ରତି ଉପକାର କରିଥିବା ମଣିଷ, ନିଜର ଆତ୍ମୀୟ ଏବଂ ବନ୍ଧୁ ମାନଙ୍କୁ ସବୁବେଳେ ମନେ ରଖ ଓ ସେମାନଙ୍କ ପ୍ରତି କୃତଜ୍ଞ ରୁହ। ନିଜ କର୍ମ ଏବଂ ଆଚରଣ ଦ୍ଵାରା ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କର। ପ୍ରଶଂସା ନମିଳିଲେ ଭାଙ୍ଗି ପଡନି, ନିଜ ଗୁଣକୁ ବିକାଶ କର ଏବଂ ମୌଳିକତା ହରାଓ ନାହିଁ।
ଅନ୍ୟ ଯେକୌଣସି ସଦାବିହାରୀ ଅପେକ୍ଷା ଗୋଲାପୀ (ଫିକା ଏବଂ ଗାଢ଼) ଓ ପର୍ପଲ ରଙ୍ଗର ସଦାବିହାରୀ ଅଧିକ ଦେଖାଯାଏ। ଏହା ମାନସିକ ଶାନ୍ତି ଏବଂ ତୃପ୍ତିର ପ୍ରତୀକ ଅଟେ। ମଦର୍ସ ଡେ’, ନବଦମ୍ପତି, ସଦ୍ୟ ମାତୃତ ଲାଭ କରିଥିବା ମା’, ପରୀକ୍ଷାରେ ସଫଳ ହୋଇଥିବା ଛାତ୍ର ଏମାନଙ୍କ ପାଇଁ ଏହି ଫୁଲର ତୋଡା ଉପହାର ଦିଆଯାଇ ପାରେ। ସେହିପରି ନାଲି, ଫିକା ଗୋଲାପୀ, ପର୍ପଲ୍ ଏସବୁ ସଦାବିହାରୀ ଚିରସ୍ଥାୟୀ ପ୍ରେମର ପ୍ରତୀକ। ଧଳା ସଦାବିହାରୀ ଶୁଦ୍ଧତା ଏବଂ ନିରୀହପଣର, ନିସ୍ବାର୍ଥ ପ୍ରେମର ପ୍ରତୀକ ହୋଇଥାଏ; ଅନ୍ତରଙ୍ଗ ବନ୍ଧୁ ଏବଂ ଜୀବନର କୌଣସି ମହତ୍ତ୍ୱପୂର୍ଣ୍ଣ ସମ୍ପର୍କକୁ ଏହା ଉପହାର ଦିଆ ଯାଇ ପାରେ । ନୀଳ ସଦାବିହାରୀ ନୂତନ ବନ୍ଧୁତ୍ବ ଏବଂ ନୂଆ ଆରମ୍ଭର ପ୍ରତୀକ। ନୂଆ ଘରକୁ ସିଫ୍ଟ ହୋଇଥିବା ବ୍ୟକ୍ତି ଏବଂ ନୂଆ ମା’ଙ୍କୁ ଏହି ଫୁଲର ତୋଡା ଦିଆଯାଏ। ଗୋଲାପୀ ସଦାବିହାରୀ ପ୍ରେମ ଏବଂ ରୋମାନ୍ସର ପ୍ରତୀକ ଅଟେ। କେହି ଆପଣଙ୍କୁ ଏହି ଫୁଲର ତୋଡା କିମ୍ବା ଗଛ ଦେବାର ଅର୍ଥ ସେ ଆପଣଙ୍କ ସହ ଗୋଟିଏ ସ୍ନେହପୂର୍ଣ୍ଣ, ବିଶ୍ୱାସ ଭରା, ଚିରସ୍ଥାୟୀ ପ୍ରେମ ସମ୍ପର୍କ ଚହେଁ। ନାଲି ସଦାବିହାରୀ ପ୍ରଗାଢ଼ ଓ ଗଭୀର ପ୍ରେମକୁ ପ୍ରତିନିଧିତ୍ଵ କରେ। ଆପଣଙ୍କ ପ୍ରିୟ ମଣିଷ ଦୁଃଖୀ କିମ୍ବା ହତାଶ ଥିବା ସମୟରେ ଏହି ଫୁଲ ଉପହାର ସବୁଠାରୁ ଭଲ।
ଖ୍ରୀଷ୍ଟିଆନିଟି ଅନୁସାରେ ସଦାବିହାରୀ ମଦର ମେରୀଙ୍କ ପବିତ୍ରତା, ନିଷ୍ପାପ ଓ ନିସ୍ବାର୍ଥ ପ୍ରେମ ତଥା ମମତାର ପ୍ରତୀକ ଅଟେ। ସଦାବିହାରୀ ଫୁଲର ଟ୍ୟାଟୁ କରାଇଥିବା ମଣିଷ ବିଶ୍ବସ୍ତ ଏବଂ ନିଷ୍ଠାବାନ ବୋଲି ଧରାଯାଏ। ସଦାବିହାରୀକୁ ପସନ୍ଦ କରୁଥିବା ମଣିଷମାନେ ସାଧାରଣତଃ ନିଜ କଥା ରଖନ୍ତି, ନିଜ ନିର୍ଣ୍ଣୟରୁ ସହଜରେ ଓହରିଯାଆନ୍ତି ନାହିଁ ଏବଂ କୌଣସି ବନ୍ଧୁଙ୍କୁ ଅଧା ରାସ୍ତାରେ ଛାଡି ଚାଲି ଯାଆନ୍ତି ନାହିଁ। ବିଶେଷଜ୍ଞଙ୍କ ମତରେ ସଦାବିହାରୀକୁ ପ୍ରଥମେ ଦେଖାଯିବା ସମୟରେ ଜଣେ ଇ°ଲିସ୍ ବୋଟାନିଷ୍ଟ ଏହାର ଫୁଲ ଷ୍ଟାରଫିସ୍ ପରି ଏବଂ କଢ଼ ଓ୍ବିଙ୍କଲ୍ ଗେଣ୍ଡା (ଛୋଟ ଶଙ୍ଖ ପରି ଗେଣ୍ଡା) ପରି ଦେଖା ଯାଉଥିବାରୁ “ପେରିଓ୍ବିଙ୍କିଲ୍” ନାଁ ଦେଇଥିଲେ। ସାଧାରଣତଃ ଗରମ ଜଳବାୟୁ ଏବଂ ଯେଉଁ ଜାଗାର ତାପମାତ୍ରା ୭-୮℃ ତଳକୁ ଖସେ ନାହିଁ ସେଇ ସବୁ ଅଞ୍ଚଳରେ ସଦାବିହାରୀ ଗଛ ବଢିପାରେ। ଫୁଲ ମଧ୍ୟ ମାର୍ଚ୍ଚରୁ ମେ’ ଭିତରେ ଅଧିକ ମାତ୍ରାରେ ଫୁଟିଥାଏ। ଟିକେ ଯତ୍ନ ନେଲେ ଗୋଟିଏ ସଦାବିହାରୀ ଗଛ ୨୦ ବର୍ଷ ପର୍ଯ୍ୟନ୍ତ ମଧ୍ୟ ବଞ୍ଚି ପାରେ। ଆମ ଘରେ ଗୋଟିଏ ଗଛ ସର୍ବାଧିକ ୧୬-୧୭ ବର୍ଷ ପର୍ଯ୍ୟନ୍ତ ରହିଥିଲା, ଏବେ ତା’ରି ଡଟର ପ୍ଲାଣ୍ଟସ ସବୁ ଅଛନ୍ତି। ସାଧାରଣତଃ ବଡ ଗଛ ମୂଳରେ ମଞ୍ଜି ପଡି ଛୋଟ ଗଛ ଆପେ ଉଠିଥାଏ। ବଡଗଛର ଡାଳକୁ କାଟି ମଧ୍ୟ ପ୍ରୋପୋଗେଟ୍ କରା ଯାଇ ପାରିବ। ଏବେ ବଜାରରେ ବିଭିନ୍ନ ରଙ୍ଗର ସଦାବିହାରୀ ମିଳିଲାଣି, କିନ୍ତୁ ସେଇ ଗଛ ଗୁଡିକ ଏଇ ଗୋଲପୀ, ପର୍ପଲ ଏବଂ ଧଳା ସଦାବିହାରୀ ପରି ଦୀର୍ଘସ୍ଥାୟୀ ନୁହନ୍ତି। ଏଥର ଯେଉଁଠୁ ବି ପାଇବେ ସଦାବିହାରୀ ଗଛଟେ ଆଣି ଲଗାଇବେ। ଜୀବନରେ ନୂତନ ଆଶା ଏବଂ ସୁଯୋଗର ଆସ୍ଥା ସଞ୍ଚାର କରିବେ।