ଗ୍ରୀକ୍ ପୁରାଣରେ ସୌନ୍ଦର୍ଯ୍ୟ, ପ୍ରେମ ଓ କାମନାର ଦେବୀ ଆଫ୍ରୋଡାଇଟ୍ ଏବଂ ମୃତ୍ୟୁଲୋକର ରାଣୀ ପର୍ସେଫୋନ୍ ଦିହେଁ କେମିତି ଯୁବକ ଆଡୋନିସଙ୍କ ସୌନ୍ଦର୍ଯ୍ୟ ଓ ବ୍ୟକ୍ତିତ୍ବରେ ଆକର୍ଷିତ ହୋଇ, ଦିହେଁ କେମିତି ତାଙ୍କ ପ୍ରେମରେ ପଡି ଯାଇଥିଲେ ଆମେ ଗତଥର “ସକାରତ୍ମକ ଉର୍ଜା ଓ ସମୃଦ୍ଧି ପାଇଁ: ମନ୍ଦାର ଫୁଲ”ରେ ପଢିଥିଲେ। ଆଫ୍ରୋଡାଇଟ୍ ଏବଂ ପର୍ସେଫୋନଙ୍କ ମଧ୍ୟରେ ଭିଷଣ କଳି ଲାଗିଲା। କଳିର ସମାଧାନ କରିବା ପାଇଁ ଘଡଘଡି- ବିଜୁଳି ତଥା ଆକାଶର ଦେବତା ଏବଂ ପର୍ସେଫୋନଙ୍କ ବାପା ଜିଅସ୍ ପ୍ରକଟ ହୋଇଥିଲେ। କଳିର ଫଇସଲା କରି କହିଥିଲେ, “ବର୍ଷର ଚାରିମାସ – ଚାରିମାସ କରି ଆଡୋନିସ୍ ଦୁଇ ଜଣଙ୍କ ପାଖରେ ଭାଗ କରି ରହିବ ଏବଂ ବଳକା ଚାରିମାସ ତା’ ଇଚ୍ଛା ମୁତାବକ ଦେବୀ ପାଖରେ ରହିବ।” ଏହା ପରେ ଆଫ୍ରୋଡାଇଟ୍ ପାଇଁ ଆଡୋନିସର ପ୍ରେମ ଓ ଆକର୍ଷଣ ସ୍ପଷ୍ଟ ହୋଇଯାଇଥିଲା, ଯେତେବେଳେ ଶେଷ ଚାରିମାସ ମଧ୍ୟ ସେ ଦେବୀ ଆଫ୍ରୋଡାଇଟ୍ ସହ ରହିବା ପାଇଁ ମନସ୍ଥ କରିଥିଲେ। ଦିନକୁ ଦିନ ଆଡୋନିସଙ୍କ ପାଇଁ ଆଫ୍ରୋଡାଇଟଙ୍କ ପ୍ରେମ ଓ ଆକର୍ଷଣ ଅଧିକରୁ ଅଧିକ ପ୍ରଗାଢ ହେବାକୁ ଲାଗିଲା। ଆଡୋନିସ୍ ମଧ୍ୟ ଆଫ୍ରୋଡାଇଟଙ୍କୁ ଖୁବ୍ ଭଲ ପାଉଥିଲେ। ଯୁବକ ଆଡୋନିସ୍ ଖୁବ୍ ଦକ୍ଷ ଶିକାରୀ ଥିଲେ। ଶିକାର ବିଦ୍ୟାରେ ସେ କେବଳ ପାରଙ୍ଗମ ନଥିଲେ ବର° ଏହା ତାଙ୍କର ନିଶା ଥିଲା। ଦିନଦିନ ଧରି ସେ ଶିକାର କରିବା ପାଇଁ ଜଙ୍ଗଲରେ ବୁଲୁଥିଲେ। ଧିରେଧିରେ ଆଡୋନିସଙ୍କ ମନରେ ଗର୍ବ ମଧ୍ୟ ଆସି ଯାଇଥିଲା ଯେ, ସମଗ୍ର ବ୍ରହ୍ମାଣ୍ଡରେ ଶିକାର ବିଦ୍ୟାରେ ତାଙ୍କ ସମକକ୍ଷ କେହି ନାହିଁ। କିନ୍ତୁ ଆଫ୍ରୋଡାଇଟ୍ ତାଙ୍କୁ ପ୍ରତିଥର ଶିକାର ପାଇଁ ବାହାରିଲା ସମୟରେ ତାଗିଦ କରୁଥିଲେ ଯେ, “କେବେ ମଧ୍ୟ ଅତ୍ୟଧିକ ଘଞ୍ଚ ଜଙ୍ଗଲକୁ ଏକୁଟିଆ ଶିକାର ପାଇଁ ଯିବ ନାହିଁ। ସବୁବେଳେ ଏମିତି ଦୂର ଯାଏଁ ଯିବ, ଯେମିତି ତୁମର ଡାକ ସରିବା ପୂର୍ବରୁ ମୁଁ ତୁମ ପାଖରେ ପହଞ୍ଚି ପାରିବି। ଏବଂ କେବେ ମଧ୍ୟ ଏମିତିକା ଜନ୍ତୁ ଉପରକୁ ଅସ୍ତ୍ର ପ୍ରୟୋଗ କରିବ ନାହିଁ, ଯିଏ ତୁମ ଅସ୍ତ୍ର ଦେଖି ଭୟଭିତ ନହୋଇ ଆକ୍ରମଣ ପାଇଁ ତୟାର ହେବ।”
ଦିନେ ଶିକାର କରୁକରୁ ଆଡୋନିସ୍, ଗୋଟିଏ ବଣୁଆ ବାର୍ହା ପଛରେ ଗୋଡାଇ ଗୋଡାଇ ଘଞ୍ଚ ଜଙ୍ଗଲ ମଧ୍ୟକୁ ଚାଲିଗଲେ। ଶତ ଚେଷ୍ଟା ପରେ ମଧ୍ୟ ଆଡୋନିସ୍ କୌଣସି ପ୍ରକାରେ ବାର୍ହାଟି ପାଖରେ ନା’ ପହଞ୍ଚି ପାରୁଥାନ୍ତି ନା’ ତାକୁ ଅକ୍ତିଆରକୁ ଆଣି ପାରୁଥାନ୍ତି! ଜଙ୍ଗଲର ମଝାମଝି, ଆଫ୍ରୋଡାଇଟଙ୍କ ମହଲରୁ ଖୁବ୍ ଦୂରରେ ପହଞ୍ଚିଲା ପରେ ବାର୍ହାଟି ଅଟକି ଯାଇ ହଠାତ୍ ଆଡୋନିସଙ୍କ ଆଡ଼କୁ ବୁଲିପଡି ଆକ୍ରମଣ ପାଇଁ ତୟାର ହୋଇଗଲା। ନିଜ ଜିଦ୍ ଏବଂ ଶିକାର ନିଶାରେ ଆଡୋନିସ୍ ଏହା ଭିତରେ ଆଫ୍ରୋଡାଇଟ୍ ଦେଇଥିବା ଚେତାବନୀ ଭୁଲି ଯାଇଥିଲେ। ଆଡୋନିସ୍ ବାର୍ହାକୁ ମାରିବା ପାଇଁ ଉଦ୍ୟୋକ୍ତ ହେଲା ବେଳକୁ ବାର୍ହାଟି ବିକଟାଳ ରଡି ଦେଇ ତାଙ୍କ ଛାତି ଉପରକୁ ଲମ୍ପ ଦେଇ, ଏକା ମୁଥରେ ତାଙ୍କୁ ରକ୍ତାକ୍ତ କରି ତଳେ ପକାଇ ଦେଲା। ପ୍ରକୃତରେ ପୁରାଣ ଅନୁସାରେ ସେଇ ବାର୍ହାଟି କୌଣସି ସାଧାରଣ ବଣୁଆ ବର୍ହା ନଥିଲା, ବର° ଦେବୀ ଆଫ୍ରୋଡାଇଟଙ୍କୁ ମନେମନେ ପ୍ରେମ କରୁଥିବା ଏବଂ ଆଡୋନିସକୁ ଇର୍ଷା କରୁଥିବା ଯୁଦ୍ଧ ଏବଂ ସ°ଘର୍ଷର ଦେବତା ଆରିସ୍ ଥିଲେ। କ୍ଷତାକ୍ତ ଏବଂ ରକ୍ତାକ୍ତ ହୋଇ ତଳେପଡିବା ପୂର୍ବରୁ ଆଡୋନିସ୍ ଖୁବ୍ ଜୋରରେ ଆଫ୍ରୋଡାଇଟଙ୍କ ନାଁ ନେଇ ଚିତ୍କାର କରିଥିଲେ। ଆଡୋନିସଙ୍କ ଆକୁଳ ଚିତ୍କାର ଶୁଣି ଆଫ୍ରୋଡାଇଟ୍ ନିଜ ଶୋଇବା ସ୍ଥାନରୁ ଉଠି ଜଙ୍ଗଲ ଭିତରକୁ ଦୌଡ଼ିବା ଆରମ୍ଭ କରି ଦିରିଦେଲେ। ଜଙ୍ଗଲ ଭିତରେ ଦୌଡ଼ିବା ଭିତରେ ବାଟସାରା ତାଙ୍କ ପାଦରେ କଣ୍ଟାଝଣ୍ଟା ଲାଗି, ପାଦ ଖଣ୍ଡିଆ ହୋଇ ରକ୍ତ ଝରିବାକୁ ଲାଗିଲା। ବାଟସାରା ଆଫ୍ରୋଡାଇଟଙ୍କ ପାଦରୁ ଯେଉଁଠି ରକ୍ତ ବୁନ୍ଦା ଝରି ପଡେ, ସେଇଠି ସୁନ୍ଦର ଲାଲ୍ ଟହଟହ ଫୁଲଥାଇ ଗଛଟିଏ ଫୁଟିଉଠିଲା। ଆଫ୍ରୋଡାଇଟଙ୍କ ରକ୍ତ ପଡି ଫୁଟି ଉଠିଥିବା ଲାଲ୍ ଫୁଲ ପରେ ପ୍ରେମର ପ୍ରତୀକ ଗୋଲାପ ଭାବରେ ପ୍ରସିଦ୍ଧ ହେଲା।
ଗୋଲାପ ଫୁଲର ବ୍ୟବହାର, ରୋପଣ ଓ ଚାଷ ପ୍ରଥମେ ଚୀନରୁ ଆରମ୍ଭ ହୋଇଥିବା ବିଶ୍ବାସ କରାଯାଏ। କନଫୁସିୟସଙ୍କ (ଖ୍ରୀଷ୍ଟପୂର୍ବ ୫୫୧ -୪୭୯ ) ରଚନାରେ, ଚଉ ରାଜବଂଶର ଶାସନକାଳରେ ରାଜମହଲର ବଗିଚାରେ ଗୋଲାପ ଗଛ ଲାଗିଥିବାର ବର୍ଣ୍ଣନା ରହିଛି। କିନ୍ତୁ ୟୁରୋପ, ଏସିଆ ଏବଂ ଉତ୍ତର ଆମେରିକାର ବିଭିନ୍ନ ସ୍ଥାନରୁ ମିଳିଥିବା fossil ରୁ ଏହା ୩୦ ନିୟୁତ ବର୍ଷ ତଳେ ମଧ୍ୟ ମହଯୁଦ ଥିବା ପ୍ରମାଣ ମିଳେ। ଖ୍ରୀଷ୍ଟପୂର୍ବ ୧୪୭- ୮୭ ମଧ୍ୟରେ ହାନ୍ ରାଜବଂଶର ଶାସନ କାଳରେ ମଧ୍ୟ ଚୀନରେ ଗୋଲାପର ବ୍ୟବହାରର ପ୍ରମାଣ ମିଳେ। ବର୍ତ୍ତମାନ ପୃଥିବୀର ବିଭିନ୍ନ ସ୍ଥାନରେ ଉପଲବ୍ଧ ବିଭିନ୍ନ ପ୍ରଜାତିର ଗୋଲାପ ଫୁଲର ମୂଳ ଏହି ଚୀନର ଗୋଲାପରୁ ବୋଲି ବିଚାର କରାଯାଏ। ପୃଥିବୀର ପ୍ରାୟ ପ୍ରତ୍ୟେକ ଧର୍ମରେ ବିଭିନ୍ନ ରଙ୍ଗର ଗୋଲାପ ଫୁଲକୁ ନେଇ ବିଭିନ୍ନ ମାନ୍ୟତା ରହିଛି। ପ୍ରାୟ ପ୍ରତ୍ୟେକ ଧର୍ମାବଲମ୍ବୀ ଧଳା ଗୋଲାପକୁ ପବିତ୍ରତା ଏବଂ ସୁଦ୍ଧତାର ପ୍ରତୀକ ଭାବରେ ଗ୍ରହଣ କରନ୍ତି। ହିନ୍ଦୁ ଧର୍ମ ଅନୁସାରେ ଧଳା ଗୋଲାପ ଶାନ୍ତି, ଆଧ୍ୟାତ୍ମିକ ଏବଂ ପବିତ୍ର ଚିନ୍ତାଧାରାର ପ୍ରତୀକ। ଖ୍ରୀଷ୍ଟାନିଟୀ ଅନୁସାରେ ଲାଲ୍ ଗୋଲାପ, ପ୍ରଭୁ ଯୀଶୁଙ୍କ ରକ୍ତର ପ୍ରତୀକ ହୋଇଥାଏ। ଅନେକ ସମୟରେ ମଦର ମେରୀଙ୍କୁ ଧଳା ଗୋଲାପ ଧରିଥିବାର ଲକ୍ଷ୍ୟ କରାଯାଏ। ବୌଦ୍ଧଧର୍ମରେ ଲାଲ୍ ଗୋଲାପକୁ ଦୟା, ଦାନ ଓ କରୁଣାର ଚିହ୍ନ ଭାବରେ ଗ୍ରହଣ କରାଯାଏ। ଇସଲାମ୍ ଅନୁସାରେ ଗୋଲାପ ପ୍ରେମ, ପବିତ୍ରତା ଓ ଆଧ୍ୟାତ୍ମିକ ଚେତନାର ପ୍ରତୀକ ଅଟେ।
କେବଳ ଧର୍ମ ନୁହେଁ, ପୃଥିବୀର ବିଭିନ୍ନ ସଭ୍ୟତା, ଦେଶର ପରମ୍ପରା ଏବଂ ଚାଲିଚଳଣୀରେ ମଧ୍ୟ ଗୋଲାପର ଖାସ୍ ସ୍ଥାନ ରହିଛି। ଗୋଲାପ ଇ°ଲଣ୍ଡର ଜାତୀୟ ଫୁଲ ହୋଇଥିବା ବେଳେ, ସେଠାରେ ଗୋଲାପୀ ଗୋଲାପକୁ ନାରୀ ସୌନ୍ଦର୍ଯ୍ୟର ପ୍ରତୀକ ଭାବରେ ଗଣା ଯାଉଥିବା ବେଳେ, ଭିକ୍ଟୋରିଆନ୍ ସମୟରେ ହଳଦିଆ ଗୋଲାପକୁ ପ୍ରତାରଣାର ଚିହ୍ନ ଭାବରେ ଗଣା ଯାଉଥିଲା। ଜାପାନରେ କଳା ଗୋଲାପକୁ ସମୁରାଇ ବା ସାହସ ଏବଂ ସୌର୍ଯ୍ୟର ପ୍ରତୀକ ଧରାଯାଏ। ପ୍ରେମ ଏବଂ ସମର୍ପଣର ପ୍ରତୀକ ହୋଇଥିବା କାରଣରୁ ୧୯୮୬ ଯୁକ୍ତରାଷ୍ଟ୍ର ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଗୋଲାପକୁ ଦେଶର ରାଷ୍ଟ୍ରୀୟ ଫୁଲ ଘୋଷଣା କରିଥିଲେ। ପାଶ୍ଚାତ୍ୟ ସଭ୍ୟତାରେ ଗୋଲାପ ଫୁଲ ପ୍ରେମ ଏବଂ ଉତ୍ସାହର ପ୍ରତୀକ ହୋଇଥିବା ବେଳେ ପ୍ରାଚ୍ୟରେ ଏହା ସୌଭାଗ୍ୟ ଏବଂ ସମୃଦ୍ଧିର ପ୍ରତୀକ ହୋଇଥାଏ। ହଙ୍ଗେରୀ ଏବଂ ମେକ୍ସିକୋରେ ଶୋକସଭାରେ ଗୋଲାପ ଫୁଲ ବ୍ୟବହାରର ପ୍ରଥା ରହିଛି। ବିଭିନ୍ନ ସମ୍ପ୍ରଦାୟ ଏବଂ ପରମ୍ପରାରେ ଗୋଲାପ ଫୁଲକୁ ପ୍ରେମ, ସୌନ୍ଦର୍ଯ୍ୟ, ଆଭିଯାତ୍ୟ, ସମ୍ବେଦନଶୀଳତାର ପ୍ରତୀକ ଭାବରେ ଗ୍ରହଣ କରାଯାଏ। ପୃଥିବୀର ଅନ୍ୟକୁ ଉପହାର ସ୍ବରୂପ ପ୍ରଦାନ କରାଯାଉଥିବା ସର୍ବାଧିକ ଲୋକପ୍ରିୟ ଫୁଲ ବୋଧହୁଏ ଗୋଲାପ। ଫ୍ଲାଓ୍ବରସିମ୍ବଲିଜମ୍ ଅନୁସାରେ କିନ୍ତୁ ସ୍ଥାନ, ପାତ୍ର ଏବଂ କାଳ ଅନୁଯାୟୀ କାହାକୁ କେଉଁ ରଙ୍ଗର ଗୋଲାପ ଫୁଲ ଦିଆଯିବ ସେଥିରେ ଫରକ ଥାଏ।
ନାଲି ଗୋଲାପ ଫୁଲ ଯେ ପ୍ରେମର ପ୍ରତୀକ ତାହା ବା କିଏ ନଜାଣେ। କିନ୍ତୁ ଫ୍ଲାଓ୍ବରସିମ୍ବଲିଜମ୍ ଅନୁସାରେ ଗାଢ ନାଲି ରଙ୍ଗର ଗୋଲାପ ପ୍ରଗାଢ ଏବଂ ପ୍ରତିବଦ୍ଧ ପ୍ରେମର ଚିହ୍ନ ହୋଇଥିବା ବେଳେ ହାଲକା ଏବଂ ଉଜ୍ଜ୍ୱଳ ରଙ୍ଗର ଗୋଲାପ ମଣିଷର passion ଏବଂ ସଦିଚ୍ଛାକୁ ଜାହିର କରେ। ନିଜ ପ୍ରେମକୁ କାହା ପାଖରେ ସ୍ବୀକାର ଓ ଜାହିର କରିବା ପାଇଁ ଲାଲ୍ ରଙ୍ଗର ଗୋଲାପ ହିଁ ସବୁଠାରୁ ଉପଯୁକ୍ତ।
ହଳଦିଆ ଗୋଲାପ ବନ୍ଧୁତ୍ୱ, ସୁଖ, ଉତ୍ତମ ସମୟର ପ୍ରତୀକ ଅଟେ। ଏହାର ଉଜ୍ଜ୍ୱଳ ଚମକ ରଙ୍ଗ ବାତାବରଣ ଓ ଜୀବନକୁ ସକାରତ୍ମକ ଉର୍ଜାରେ ଭରିଦିଏ। ନିଜ ବନ୍ଧୁ ଏବଂ କାହାକୁ ଅଭିନନ୍ଦନ ଜଣାଇବା ସମୟରେ ହଳଦିଆ ରଙ୍ଗର ଗୋଲାପ ଉତ୍କୃଷ୍ଟ ଅଟେ।
ଶାନ୍ତି, ସୁଦ୍ଧତା ଏବଂ ସୌହାର୍ଦ୍ଦ୍ୟର ପ୍ରତୀକ ହେବା ସହ ଧଳା ଗୋଲାପ ଦୟା ଏବଂ ପବିତ୍ରତାର ମଧ୍ୟ ପ୍ରତୀକ ଅଟେ। ଫ୍ଲାଓ୍ବରସିମ୍ବଲିଜମ୍ ଅନୁସାରେ ଏହା ପବିତ୍ର ଏବଂ ଚିରନ୍ତନ ପ୍ରେମର ଚିହ୍ନ ହୋଇଥିବାରୁ ଏହାକୁ ବିବାହ ଉତ୍ସବରେ ବ୍ୟବହାର କରାଯାଏ। କାହାକୁ ଧଳା ରଙ୍ଗର ଗୋଲାପ ଫୁଲ ଦେବାର ଅର୍ଥ ଉକ୍ତ ମଣିଷ ସହ ଗୋଟିଏ ସ୍ନେହମୟ, ଦୀର୍ଘସ୍ଥାୟୀ ବନ୍ଧୁତାର କାମନା କରାଯାଏ।
ଗାଢ ଗୋଲାପୀ ରଙ୍ଗର ଗୋଲାପକୁ ସ୍ବୀକୃତି ଏବଂ ପ୍ରଶଂସାର ପ୍ରତୀକ କୁହାଯାଉଥିବା ବେଳେ ହାଲକା ନରମ ଗୋଲାପୀ ରଙ୍ଗର ଗୋଲାପକୁ ଆନନ୍ଦ, କୃତଜ୍ଞତା ଏବଂ ଅନୁଗ୍ରହର ଚିହ୍ନ କୁହାଯାଏ। ଜଣେ ବ୍ୟକ୍ତିଙ୍କୁ ପ୍ରଶଂସା, ଅଭିନନ୍ଦନ କିମ୍ବା କୃତଜ୍ଞତା ଜ୍ଞାପନ ସମୟରେ ଗୋଲାପୀ ରଙ୍ଗର ଗୋଲାପ ତୋଡା ହିଁ ସବୁଠାରୁ ଉପଯୁକ୍ତ। ନିଜ ଗୁରୁ କିମ୍ବା ପ୍ରିୟ ବନ୍ଧୁଙ୍କ ପାଇଁ ମଧ୍ୟ ଗୋଲାପୀ ଗୋଲାପ ସବୁଠାରୁ ସୁନ୍ଦର ଉପହାର।
ନାରଙ୍ଗୀ ରଙ୍ଗର ଗୋଲାପ ସାହସ, ସୁଦ୍ଧତା, ପ୍ରଶଂସାର ଏବଂ ଉର୍ଜାର ଚିହ୍ନ ଅଟେ। ନୂଆ କରି ବ୍ୟବସାୟ କିମ୍ବା ଚାକିରୀ ଆରମ୍ଭ କରିଥିବା ବ୍ୟକ୍ତି ପାଇଁ ନାରଙ୍ଗୀ ରଙ୍ଗର ଗୋଲାପ ସବୁଠାରୁ ଶୁଭ ଉପହାର।
ପିଚ୍ ରଙ୍ଗ ବା ମଠା ପରି ଦିଶୁଥିବା ଗୋଲାପ ଫୁଲ କୃତଜ୍ଞତା, ଅନୁଗ୍ରହ, ସଚ୍ଚୋଟ ପଣିଆ, ବିଶ୍ବସ୍ତ ଭାବର ପ୍ରତୀକ ଅଟେ। ପଦୋନ୍ନତି, କାର୍ଯ୍ୟକ୍ଷେତ୍ରରେ ସଫଳତା, partnership କିମ୍ବା ବ୍ୟବସାୟୀକ ଦୃଷ୍ଟିରୁ ପିଚ୍ ରଙ୍ଗର ଗୋଲାପ ଉପଯୁକ୍ତ ଭେଟି।