ଅନେକ ବର୍ଷ ତଳର କଥା। ଜଣେ ବଣିକ ବେପାର କରିବାକୁ ବାହାରିଲେ। ଘରୁ ବାହାରିବା ପୂର୍ବରୁ ସେ ନିଜ ତିନି ଝିଅଙ୍କୁ ଡାକି ପଚାରିଲେ ଫେରିଲା ବେଳେ କାହା ପାଇଁ କ’ଣ ଆଣିବେ। ବଡ ଝିଅ ଗୋଟିଏ ଧଳା ଘୋଡା ପାଇଁ କହିଲା, ମଝିଆ ଝିଅ ଶୁଆ ଆଉ ସାନ ଝିଅ ଲିଲି ଗୋଟିଏ ଲାଲ୍ ଗୋଲାପ ଫୁଲ ପାଇଁ। ଲିଲିର କଥା ଶୁଣି ବଣିକ ଟିକେ ଚିନ୍ତାରେ ପଡିଗଲେ। ଭାବିଲେ- ଏ ଶୀତ ଋତୁରେ, ସବୁଆଡ ତ ବରଫାବୃତ। ଖରାଦିନ ହୋଇଥିଲେ ସିନା ଗୋଲାପ ଫୁଲ ମିଳି ଯାଇ ଥା’ନ୍ତା। ଏ ଶୀତ ଋତୁରେ କୋଉଠି ମିଳିବ ଗୋଲାପ।
ତଥାପି ଝିଅକୁ ଗୋଲାପ ଆଣିଦେବାର ପ୍ରତିଶ୍ରୁତି ଦେଇ ବାପା ବାଣିଜ୍ୟ କରି ବାହାରିଲେ। ବେପାର ସରିଲା, ଏଥର ଘରକୁ ଫେରିବା ସମୟ। ଧଳା ଘୋଡା ଆଉ ଶୁଆ ଉଭୟ ମିଳିଗଲେ। ହେଲେ ପୂରା ସହର ବୁଲି ବୁଲି ଲାଲ୍ ଗୋଲାପ କାହାରି ବଗିଚାରୁ ମିଳିଲାନି। ଶେଷରେ ଜଣେ ମାଳି କହିଲେ, ଫେରିଲା ବେଳେ ସେ ନଦୀ ପାର କରି ନଯାଇ ଜଙ୍ଗଲ ରାସ୍ତା ଦେଇ ଗଲେ, ମଝି ଜଙ୍ଗଲରେ ଗୋଟିଏ ବିରାଟ ମହଲ ଦେଖିବେ। ସେଇ ମହଲର ବଗିଚାରେ ହିଁ ଏ ବରଫ ଭିତରେ ବି ଗୋଲାପ ଫୁଟିଥିବ। ବଣିକ ନିଜ ଦଳକୁ ଜଙ୍ଗଲ ରାସ୍ତା ଦେଇ ଘରକୁ ଫେରିବାର ଆଦେଶ ଦେଲେ। ଏହା ଭିତରେ ଜଙ୍ଗଲ ରାସ୍ତାରେ ବଣିକଙ୍କ ଦଳ ସପ୍ତାହେ ଉପରେ ଚାଲି ସାରିଲେଣି। କିନ୍ତୁ ମହଲ କିମ୍ବା ତା’ ବଗିଚାର ଦେଖା ଦର୍ଶନ ନଥାଏ। ବଣିକ ମନେ ମନେ ସନ୍ଦେହ କଲେ, ସେ ମାଳି କଥାରେ ଅଯଥାରେ ବିଶ୍ୱାସ କରି ନାହାନ୍ତି ତ? ଯାତ୍ରାର ଦଶମ ଦିନ ବେଳକୁ ବଣିକ ଜଙ୍ଗଲ ମଝିରେ ଗୋଟିଏ ବିଶାଳ, ସୁନ୍ଦର ମହଲ ଦେଖି ତାଙ୍କ ଦଳକୁ ଅଟକିବା ପାଇଁ କହିଲେ। ପାଖକୁ ଯାଇ ଦେଖିବାରୁ ସେଇ ମହଲର ସାମନାରେ ଗୋଟାଏ ବିରାଟ ବଗିଚା। ସେଇ ବଗିଚାର ଅଧା ଅ°ଶ ବରଫାବୃତ ତ ଆଉ ଅଧାରେ ଖରା ପଡିଛି। ସେଇ ଖରା ପଡିଥିବା ଅ°ଶରେ ଲାଲ୍ ଟହଟହ ଗୋଲାପ ଫୁଲ ଫୁଟିଛନ୍ତି। ଖୁସି ହୋଇ ବଣିକ ଏକଲୟରେ ସେଇ ବଗିଚା ଆଡକୁ ଏକ ପ୍ରକାରେ ଦୌଡିଲେ। ଠିକ୍ ବଗିଚାର ଦ୍ବାର ପାଖରେ ତାଙ୍କୁ ମାଳି ଏବଂ ଜଗୁଆଳି ରୋକିଲେ। ତା’ ପରେ ବଣିକ ସବୁକଥା କହିଲେ ଏବଂ ତାଙ୍କ ସାନଝିଅ ପାଇଁ ଲାଲ୍ ଗୋଲାପ ଫୁଲ ଦେବାକୁ ଅନୁରୋଧ କଲେ। ବଣିକଙ୍କ କଥା ଶୁଣି ମାଳି ତାଙ୍କୁ ବଗିଚା ଭିତରୁ ଗୋଲାପ ଫୁଲ ନେବା ପାଇଁ ଅନୁମତି ଦେଲେ। ବଣିକ ଖୁସି ହୋଇ ଫୁଲ ତୋଳୁଥିବା ସମୟରେ ଭୀଷଣ ଗର୍ଜନ କରି ବୁଦା ପଛରୁ ଗୋଟିଏ ସି°ହ ପ୍ରକଟ ହେଲା ଏବଂ ବଣିକକୁ କାହିଁକି ତା’ ବଗିଚାରୁ ଗୋଲାପ ତୋଳୁଛନ୍ତି ବୋଲି ପ୍ରଶ୍ନ କଲା। ତା’ ବଗିଚାରୁ ଫୁଲ ତୋଳି, ବଣିକ ଅପରାଧ କରିଛନ୍ତି ଏବଂ ଏହା ପାଇଁ ତାଙ୍କୁ ଦଣ୍ଡିତ କରାଯିବ କହିଲା। ବଣିକ ସି°ହଟିକୁ ସବୁକଥା କହି ଛାଡିଦେବା ପାଇଁ ଅନୁରୋଧ କଲେ। ସବୁ ଶୁଣି ସି°ହ ଗୋଟିଏ ସର୍ତ୍ତରେ ତାଙ୍କୁ ଛାଡିବା ପାଇଁ ରାଜି ହେଲା। ସି°ହଟି କହିଲା ସେ ଘରକୁ ଫେରିଲେ ପରିବାରର ଯେଉଁ ବ୍ୟକ୍ତିକୁ ପ୍ରଥମେ ଭେଟିବେ, ତାକୁ ତା’ ପାଖକୁ ପଠାଇ ଦେବେ। ଏହା ଶୁଣି ବଣିକଙ୍କ ଆଖିକୁ ଲୁହ ଦୁଇଠୋପା ଗଡି ପଡିଲା। ସେ ମନେମନେ ଭାବିଲେ, ପ୍ରତ୍ୟେକଥର ଫେରିଲା ବେଳକୁ ଲିଲି ହିଁ ଦୌଡ଼ି ଦୌଡି ଆସି ଫାଟକ ପାଖରୁ ତାଙ୍କୁ ପାଛୋଟି ନିଏ, ଆଉ ଏଥର ବି ଯଦି…….ଭାରୀ ମନରେ ବଣିକ ଲାଲ୍ ଗୋଲାପ ଧରି, ନିଜ ଦଳବଳ ସହ ଘରକୁ ଫେରିଲେ। ସତକୁ ସତ ଫାଟକ ପାଖକୁ ତାଙ୍କ ଅଲିଅଳି ସାନଝିଅ ଲିଲି ହିଁ ସବୁଥର ପରି ଦୌଡ଼ି ଆସି ତା’ ବାପାଙ୍କୁ ସ୍ବାଗତ କଲା। ଶୀତ ଆଉ ବରଫ ଦିନ ହୋଇଥିଲେ ବି ତା’ ପାଇଁ ଲାଲ୍ ଗୋଲାପ ଆସିଛି ଦେଖି ସେ ଖୁସିରେ ଗଦଗଦ୍ ହୋଇ ଯାଉଥାଏ। ଲିଲି ଲକ୍ଷ୍ୟ କରୁଥାଏ, ଘରକୁ ଫେରିବା ପରଠୁ ତା’ ବାପାଙ୍କ ଚେହେରା ଚିନ୍ତିତ ଏବଂ ଅସହଜ ଦେଖାଯାଉଥାଏ।
ରାତ୍ରିଭୋଜନ ପରେ ଲିଲି ବାପାଙ୍କୁ ନିରୋଳା ଦେଖି ସବୁ ପଚାରି ବୁଝିଲା। ବାପାଙ୍କ ଠାରୁ ସବୁ ଶୁଣି ହସି ଦେଇ କହିଲା, “ଏଇଥି ପାଇଁ ଏତେ ଚିନ୍ତିତ ତମେ? ବ୍ୟସ୍ତ ହୁଅନି, ତୁମେ କଥା ଦେଇଛ ଯେତେବେଳେ ମୁଁ ନିଶ୍ଚୟ ସେ ସି°ହ ପାଖକୁ ଯିବି। ଆଉ ମୋର ବିଶ୍ୱାସ ସି°ହ ଆଦୌ ମୋର କ୍ଷତି କରିବନି।”
Photo Credit : Dr Ipsita Pradhan
ତା’ ପରଦିନ ଲିଲି ଜଙ୍ଗଲକୁ ସି°ହକୁ ଭେଟିବା ଉଦ୍ଦେଶ୍ୟରେ ବାହାରିଲା। ଜଙ୍ଗଲ ମଝିରେ ମହଲ ପାଖରେ ପହଞ୍ଚିଲା ବେଳକୁ ସୂର୍ଯ୍ୟାସ୍ତ ହୋଇ ସାରିଥାଏ। ଫାଟକ ପାଖରେ ପହଞ୍ଚି ଦରଓ୍ବାନକୁ ଡାକ ଦେବା ଆଗରୁ ଲିଲିର ନଜର ଘୋଡା ଚଢି ଫାଟକ ପାଖରେ ପହଞ୍ଚିଥିବା ଜଣେ ଯୁବକଙ୍କ ଉପରେ ପଡିଲା। ଯୁବକ ଜଣକ ମଧ୍ୟ ଲିଲିର ଶାନ୍ତ, ସୌମ୍ୟ ରୂପ ଦେଖି ଘୋଡା ଉପରୁ ତଳକୁ ଓଲ୍ହାଇ ପଡିଲେ। ପ୍ରଥମ ଦେଖାରୁ ହିଁ ଯୁବକ ଜଣକ ଲିଲିର ପ୍ରେମରେ ପଡିଗଲେ। ଝିଅଟି ଫାଟକ ପାଖରେ କାହିଁକି ଛିଡା ହୋଇଥିଲା କାରଣ ଜାଣି ସେ ଅତି ଯତ୍ନରେ ତାକୁ ମହଲ ଭିତରକୁ ନେଲେ। ସ୍ନେହରେ ତା’ର ଚର୍ଚ୍ଚା କଲେ। ଲିଲି ମନେ ମନେ ଡରୁଥାଏ, କେଜାଣି କେତେବେଳେ, କେଉଁ ଦିଗରୁ ସି°ହଟି ତା’ ଆଡକୁ ଲମ୍ପ ପ୍ରଦାନ କରିବ! ରାତ୍ରିଭୋଜନ ପରେ, ଲିଲିକୁ ଗୋଟିଏ ସୁନ୍ଦର କୋଠରୀରେ ବିଶ୍ରାମ ପାଇଁ ଛାଡିଦିଆଯାଏ। ସକାଳ ଉଠିଲା ପରେ ଯେତେ ଖୋଜିଲା ପରେ ବି ସେ ଯୁବକ ଜଣକର ଦେଖା ପାଏନି। କିମ୍ବା ସି°ହଟି ବିଷୟରେ ମଧ୍ୟ ମହଲରେ କୌଣସି କର୍ମଚାରୀ କିଛି କହନ୍ତିନି। ସୂର୍ଯ୍ୟାସ୍ତ ପରେ ବଗିଚାରେ ବୁଲୁଥିବା ସମୟରେ ପୁଣି ସେ ଯୁବକଙ୍କ ସହ ଭେଟ ହୁଏ। ଦୁଇ ଜଣ ପରସ୍ପର ସହ ସମୟ ବିତାନ୍ତି ଏବଂ ପରସ୍ପରର ପ୍ରେମକୁ ସ୍ବୀକାର କରନ୍ତି। ଦୁଇଜଣ ବିବାହ ପାଇଁ ସ୍ଥିର କରନ୍ତି। ବିବାହ ପୂର୍ବରୁ ଲିଲି ସି°ହ ବିଷୟରେ ପଚାରେ। ଯୁବକ ଜଣକ ଉତ୍ତର ଦିଅନ୍ତି, ସେ ନିଜେ ହିଁ ସେଇ ସି°ହ ଯାହାକୁ ତା’ ବାପା ଭେଟିଥିଲେ। ଗୋଟିଏ ଅଭିଶାପ ଫଳରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସେ ସି°ହ ହୋଇ ରୁହେ ଏବଂ ସ°ନ୍ଧ୍ୟା ପରେ ପୁଣି ନିଜ ରାଜକୁମାର ରୂପ ଫେରି ପାଏ। ବାର ବର୍ଷରୁ ଆଉ ପାଞ୍ଚ ବର୍ଷ ବାକି ଅଛି ଏ ଅଭିଶାପର ଯୋଗ କଟିବା ପାଇଁ। ସବୁ ଶୁଣି ମଧ୍ୟ ଲିଲି ଯୁବକକୁ ବିବାହ କରି ସେଇଠି ରୁହେ। ନିଜ ବାପାଙ୍କ ପାଖକୁ ସବୁ ଲେଖି ଖବର ପଠାଏ। ଲିଲି କୁଶଳ ଖବର ପାଇ ବାପା ଭାରି ଖୁସି ହୁଅନ୍ତି, ତା’ ପାଇଁ ଉପହାର ପଠାନ୍ତି। କିଛି ଦିନ ପରେ ବଣିକଙ୍କର ବଡ ଝିଅର ବିବାହ ସ୍ଥିର ହୁଏ। ଲିଲି ଏବଂ ଜ୍ବାଇଁଙ୍କୁ ନିମନ୍ତ୍ରଣ କରାଯାଏ। ନିମନ୍ତ୍ରଣ ପାଇ ଝିଅ-ଜ୍ବାଇଁ ସମାରୋହରେ ସାମିଲ ହେବା ପାଇଁ ରାଜି ହୁଅନ୍ତି। କିନ୍ତୁ ଲିଲି ଆଗୁଆ ବାପାଙ୍କ ପାଖକୁ ଖବର ପଠାଏ, ତା’ ସ୍ବାମୀଙ୍କ ପାଇଁ ଗୋଟାଏ ଶବ୍ଦ ଭେଦି ପାରୁ ନଥାବା ନିବୁଜ କୋଠରୀର ବ୍ୟବସ୍ଥା କରିବା ପାଇଁ। କାହିଁକି ନା’ ଯୁବକଟି ଉପରେ ଆଉ ଗୋଟିଏ ଅଭିଶାପ ଥାଏ, ଯଦି ତାଙ୍କ କାନରେ ବାହାଘରର ବାଜା ଏବଂ ସଙ୍ଗୀତର ସ୍ବର ବାଜେ ତା’ ହେଲେ ସେ ସାତ ବର୍ଷ ପାଇଁ ଗୋଟିଏ ଧଳା କପୋତରେ ପରିଣତ ହୋଇଯିବେ। ରାଜକୁମାର ଶ୍ବଶୁରଘରେ ବାହାଘରର ସବୁ ଯୋଗାଡଯନ୍ତ୍ରରେ ସାମିଲ ହୁଅନ୍ତି। କିନ୍ତୁ ଠିକ୍ ବାହାଘର ଦିନ ତାଙ୍କୁ ସେଇ ନିବୁଜ କୋଠରୀରେ ବନ୍ଦ କରି ଲିଲି ବାହାରେ ଜଗିବସେ। ହେଲେ ସମସ୍ତଙ୍କ ଅଜାଣତରେ ସେଇ କୋଠରୀର ଝରକା କାଠରେ ଗୋଟିଏ ଛୋଟ କଣା ରହିଯାଇଥାଏ। ଯେମିତି ବିବାହ ଉତ୍ସବ ଆରମ୍ଭ ହୁଏ ଏବଂ ବାଜା ବାଜିବା ଆରମ୍ଭ ହୁଏ, ଯୁବକଙ୍କ କାନରେ ସେଇ ଶବ୍ଦ ପଡେ ଓ ସେ ଗୋଟିଏ କପୋତରେ ପରିଣତ ହୋଇ ଯାଆନ୍ତି। ସମାରୋହ ପରେ ଯେତେବେଳେ ଲିଲି କବାଟ ଖୋଲେ ତା’ ସାମନାରେ ସ୍ବାମୀ ବଦଳରେ ଗୋଟିଏ ଧଳା କପୋତ ବସିଥାଏ। ଲିଲି କାନ୍ଦିକାନ୍ଦି କପୋତଟିକୁ ନିଜ ଛାତିରେ ଚାପିଧରେ। କପୋତ ରୂପୀ ରାଜକୁମାର ତାକୁ ବୁଝାନ୍ତି, ଏବେ ସେ ସାତ ବର୍ଷ ପର୍ଯ୍ୟନ୍ତ ଆକଶରେ ଉଡି ବୁଲିବେ। ବୁଲିବା ଭିତରେ ମଝିରେ ମଝିରେ ସେ ନିଜ ପରରୁ ଖଣ୍ଡିଏ ଲେଖା ତଳକୁ ଝାଡିଦେବେ, ସେଇ ପରକୁ ପାଇ ଲିଲି ଜାଣିବେ ଯେ ସେ ଏବେ କେଉଁ ଦିଗରେ ଯାତ୍ରା କରୁଛନ୍ତି। ଏମିତି ଚାହୁଁଚାହୁଁ ସାତ ବର୍ଷ ବିତିଯିବ। ଠିକ୍ ସେୟା ହିଁ ହେଲା। କପୋତ ଉଡିବା ସମୟରେ ଛାଡୁଥିବା ପରକୁ ଗୋଟାଇ ଲିଲି ତାଙ୍କର ଉପସ୍ଥିତ ଓ ଯାତ୍ରା ବିଷୟରେ ଜାଣେ। ହେଲେ ହଠାତ୍ କରି ଦିନେ ଲିଲି ଆଉ କୌଣସି ପର ପାଇଲା ନାହିଁ। ଚଉଦିଗ ଖୋଜି ହତାଶ ହେଲା ପରେ, ସେ ଯାଇ ଗୋଟିଏ ଦେବୀ ମନ୍ଦିରରେ ପ୍ରାର୍ଥନା କରି ବସିଲା। ତା’ ଦୁଃଖ ଓ ଅଭିଶପ୍ତ ଯୁବକଙ୍କ ପ୍ରତି ପ୍ରଗାଢ ପ୍ରେମ ଦେଖି ଦେବୀ ଲିଲିକୁ ସ୍ବପ୍ନରେ ବତାଇ ଦେଲେ ଯେ, ” ତା’ ସ୍ବାମୀ ସେ ବସିଥିବା ଯାଗାରୁ ଉତ୍ତରକୁ ଗଲେ ଯେଉଁ ଜଙ୍ଗଲ ପଡେ ସେଇ ଦିଗରେ ଅଛନ୍ତି। ହେଲେ ବର୍ତ୍ତମାନ ଡ୍ରାଗନ ରୂପରେ ଗୋଟିଏ ସଇତାନ ରାଜକୁମାରୀ ତାଙ୍କୁ ନିଜ ସ୍ବାମୀ କରି ନେବା ପାଇଁ ଚେଷ୍ଟା କରୁଛି। ଆଉ ତା’ ସ୍ବାମୀ ତାକୁ ଡ୍ରାଗନ ଭାବି ଲଢେଇ ପାଇଁ ପ୍ରଣପ୍ରଣେ ଚେଷ୍ଟା କରୁଛନ୍ତି।”
Photo Credit : Dr Ipsita Pradhan
ଲିଲି ତୁରନ୍ତ ନିଜ ବସିବା ଜାଗାରୁ ଉଠି ଉତ୍ତର ଦିଗରେ ଥିବା ଜଙ୍ଗଲ ଆଡକୁ ଆଗେଇବାକୁ ଲାଗିଲା। ସେତେବେଳକୁ ଶୀତ ଋତୁ କାରଣରୁ ବରଫ ପଡିବା ଆରମ୍ଭ ହୋଇଯାଇଥିଲା। ଲିଲି ଦେବୀ ବତାଇଥିବା ଜଙ୍ଗଲ ମଝିର ପଡିଆରେ ପହଞ୍ଚିଲା ବେଳକୁ ସେଠି କେହି ନଥିଲେ। ଚାରିଆଡ଼େ ଖୋଜିଲା ପରେ ଲିଲି ଭେଟ ଗୋଟିଏ ପେଚା ସହ ହେଲା। ପେଚାଟି, ଲିଲିକୁ ଦେଖିଥିବା କପୋତ ଓ ସଇତାନ୍ ଡ୍ରାଗନର ଲଢେ଼ଇ ବିଷୟରେ କହିଲା। ଆଉ କେମିତି ଡ୍ରାଗନ ରାଜକୁମାରୀ ନିଜ ପ୍ରେମ ଜାଲରେ କପୋତ ରାଜକୁମାରକୁ ନଫସାଇ ପାରି ଶେଷରେ ହତ୍ୟା କରିଦେଲା ତାହା ମଧ୍ୟ ବର୍ଣ୍ଣନା କଲା। ପେଚାଟି କେଉଁଠି ମୃତ କପୋତ ରାଜକୁମାରଙ୍କ ରକ୍ତ ବୁନ୍ଦା ଆଉ ତାଙ୍କ ମୃତ ଶରୀର ସେଇ ପଡିଆରେ ପଡିଥିଲା କହିଲା। ହେଲେ ଲିଲି ପଡିଆରେ ପହଞ୍ଚିଲା ବେଳକୁ ବରଫ ପଡି ଚାରିଆଡେ ଖାଲି ଧଳା ଦେଖା ଯାଉଥାଏ, କୋଉଠି ବି ତା’ ରାଜକୁମାର ଦେଖା ଯାଉ ନଥାନ୍ତି। ଲିଲି କାନ୍ଦି କାନ୍ଦି ସେଇଠି ବସି ଗ୍ରୀଷ୍ମ ଋତୁ ଆଉ ବରଫ ତରଳିବାକୁ ଅପେକ୍ଷା କଲା। ଗ୍ରୀଷ୍ମ ଋତୁ ଆରମ୍ଭ ହୋଇ ବରଫ ତରଳିଲା ପରେ ଯେଉଁଠି କପୋତ ରାଜକୁମାରଙ୍କ ମୃତ ଶରୀର ପଡି ପୋତି ହୋଇ ଯାଇଥିଲା ସେଇଠି ଗୋଟିଏ ସୁନ୍ଦର ପେଣ୍ଡୁ ଆକୃତିର ଲାଲ୍ ରଙ୍ଗର ଫୁଲ ଫୁଟିଲା। ଆଉ ତା’ ସହ ରାଜକୁମାଙ୍କ ସ୍ବର ଲିଲିକୁ ସେ କେତେ ଭଲ ପାଆନ୍ତି ଆଉ ଏ ଫୁଲ ତାଙ୍କ ତରଫରୁ ଲିଲି ପାଇଁ ତାଙ୍କ ପ୍ରେମର ଭେଟି ବୋଲି କହିଗଲା। ସେଇ ଫୁଲ ଆଉ ଅଲଗା କିଛି ନୁହେଁ ପ୍ରତି ବର୍ଷ ମେ’ ମାସରେ ଫୁଟୁଥିବା Blood Lily ବା May Lily।
ହଁ, ମେ’ ଲିଲି ବା ବ୍ଲଡ୍ ଲିଲି ଯେଉଁଠି ବି ଲଗାଯାଇଥାଏ, ବର୍ଷ ତମାମ ସେଇ ଜାଗାଟି ରେ ଫୁଲ କି ପତ୍ର କ’ଣ ଡାଙ୍ଗ ଖଣ୍ଡେର ବି ଚିହ୍ନବର୍ଣ୍ଣ ନଥାଏ। ଆଉ ମେ’ ମାସ ହେଲେ ମାଟି ଫଟାଇ ସେଇ ଜାଗାରେ ପ୍ରଥମେ ଗୋଟିଏ ହାଲକା ସବୁଜ ରଙ୍ଗର ଗଜା ଭଳି କଢ଼ଟେ ମୁଣ୍ଡ ଟେକେ। କଢ଼ଟି ଧିରେଧିରେ ବଡ ହେବା ସହ ନାଡ଼ଟି ମଧ୍ୟ ଲମ୍ବା ହୋଇ ଚାଲେ। ନାଡ଼ଟି ୧୨ -୨୪ ଇଞ୍ଚ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ ଏବଂ ଏହାର ଅଗ୍ରଭାଗରେ ଗୋଲ ପେଣ୍ଡୁ ସଦୃଶ୍ୟ ଲାଲ୍ ରଙ୍ଗର ଫୁଲ ଫୁଟେ, ଯାହା ୧୫ ଇଞ୍ଚ ପର୍ଯ୍ୟନ୍ତ ମଧ୍ୟ ଗୋଲାକାର ହୋଇପାରେ। ପକୃତରେ ଏହି ପେଣ୍ଡୁ ଆକୃତି ଫୁଲ ୧୦ରୁ ୨୦୦ଟି ଛୋଟ ଫୁଲର ସମାହାର, ସେଇଥିପାଇଁ ଏହାକୁ ପୂର୍ବରୁ Haemanthus multiflorus କୁହାଯାଉ ଥିଲା (Haemanthusର ଅର୍ଥାତ ଲାଲ୍ multiflorus ଅର୍ଥାତ ଏକାଧିକ ଫୁଲ)। ଏବେ ଏହାର scientific name ହେଉଛି Scadoxus multiflorus। ଏହା ପିଆଜ ଏବଂ ରସୁଣ ପରି bulbous plant ବା କନ୍ଦା ଜାତୀୟ। ଏହାର ଉତ୍ପତ୍ତି ସାହାରା ମରୁଭୂମି, ଦକ୍ଷିଣ ଆଫ୍ରିକା, ୟେମନ୍ ଏବଂ ଓମାନ ଅଞ୍ଚଳରୁ। ଏହା ଭାରତୀୟ ଭୂଖଣ୍ଡରେ ମଧ୍ୟ ଦେଖାଯାଏ। ପ୍ରତ୍ୟେକ ଛୋଟ ଫୁଲର ୧୫ -୪୫ ମିମିର ଗୋଟାଏ ନାଡ (stalk) ଥାଏ। ଏହାର Tepal (ଯେହେତୁ ପାଖୁଡା ଗୁଡିକ ପକୃତ ପାଖୁଡା ବା petals ନୁହନ୍ତି), ପୁରୁଷ ଏବଂ ସ୍ତ୍ରୀ ପ୍ରଜନନ ଅ°ଶ (stamen and style) ସବୁ ଲାଲ୍ ରଙ୍ଗର ହୋଇଥାଏ। ପାଖୁଡା ଗୁଡିକ ସରୁ ଏବଂ ୧୨ -୩୨ ମିମି ପର୍ଯ୍ୟନ୍ତ ଲମ୍ବା ହୋଇ, ଚାରିଆଡକୁ ମେଲି ହୋଇ ରୁହନ୍ତି। ଫୁଲ ସମ୍ପୂର୍ଣ୍ଣ ଶୁଖି ସାରିଲେ ସେହି ନାଡର ଅଗରେ ଛୋଟଛୋଟ ୫ -୧୦ ମିମି ଆକାରର ଗୋଲ କୋଳି ପରି ଫଳ ହୁଏ। ଫଳ ସମ୍ପୂର୍ଣ୍ଣ ଝଡି, ନାଡଟି ଶୁଖିଲା ବେଳକୁ ସ୍ପାଇରାଲ୍ ଆରେଞ୍ଜମେଣ୍ଟର ପତ୍ର ବାହାରେ, ଅବଶ୍ୟ ଅନେକ ସମୟରେ ଫୁଲ ଫୁଟିବା ସମୟରେ ମଧ୍ୟ ପତ୍ର ବାହାରେ। ପତ୍ର ଗୁଡିକ ଗାଢ ସବୁଜ ରଙ୍ଗର, ଚିକ୍କଣ, ଖଣ୍ଡାକୃତି, ୧୨ -୧୫ ଇଞ୍ଚ ପର୍ଯ୍ୟନ୍ତ ଲମ୍ବା ଏବଂ ନାଡ ଗୁଡିକରେ ଖଇରିଆ ଛିଟା ଥାଏ। ଶୀତଦିନ ବେଳକୁ ସବୁ ପତ୍ର ଶୁଖି ନଷ୍ଟ ହୋଇଯାଏ ଏବଂ ଗଛଟି ଆସନ୍ତା ଗ୍ରୀଷ୍ମ ଋତୁ ପର୍ଯ୍ୟନ୍ତ ଡର୍ମାଟ୍ ରୁହେ। Scadoxus multiflorusକୁ ଆହୁରି ମଧ୍ୟ Ball lily, Fireball lily, Powderpuff lily, Blood flower, Katherine- wheel ଏବଂ ହିନ୍ଦୀରେ रक्त कुमुदिनी କୁହାଯାଏ। ଏହାର ପତ୍ର ଏବଂ କନ୍ଦା ମେଣ୍ଢା, ଛେଳି ଆଦିଙ୍କ ପାଇଁ ବିଷାକ୍ତ ହୋଇଥାଏ। ଆଫ୍ରିକୀୟ ଦେଶ ଗୁଡିକରେ କନ୍ଦାର ବିଷକୁ ଧନୁତୀରରେ ମାଛ ଶିକାର ପାଇଁ ବ୍ୟବହାର କରାଯାଏ। ଏହାର ପତ୍ର ଏବଂ କନ୍ଦାରୁ କ୍ଷରଣ ହେଉଥିବା କିଛି କେମିକାଲ୍ ଚମଡାରେ ଲାଗିଲେ କୁଣ୍ଡାଇ ହୋଇ ଫଳିଯାଏ ବା ସ୍କିନ୍ ଇରିଟେସନ୍ କରେ, ତେଣୁ ଏହି ଗଛକୁ ଧରିଲା ପରେ ହାତ ଭଲରେ ଧୋଇନେବା ଉଚିତ।
Photo Credit : Dr Ipsita Pradhan
ଫ୍ଲାଓ୍ବାର ସିମ୍ବଲିଜିମ୍ ଅନୁସାରେ ବ୍ଲଡ ଲିଲି ଧୈର୍ଯ୍ୟବାନ୍, ସାହସୀ, କଷ୍ଟସହିଷ୍ଣୁ, ଦୃଢ ନିଶ୍ଚିତ ବ୍ୟକ୍ତିତ୍ବର ପ୍ରତୀକ। ଜ୍ଞାନ ଏବଂ ଗୁଣର ଭଣ୍ଡାର ହୋଇବି କେମିତି ଜଣେ ଚୁପଚାପ ସାଧନା କରି ପାରିବ, ଏହା ହିଁ ବ୍ଲଡ୍ ଲିଲିର ବାର୍ତ୍ତା। କୌଣସି ବ୍ୟକ୍ତି ଜୀବନରେ କଠିନ ଏବଂ challenging ପରିସ୍ଥିତିର ସାମନା କରୁଥିବା ସମୟରେ ତାଙ୍କୁ ବ୍ଲଡ୍ ଲିଲି ଫୁଲ କିମ୍ବା କନ୍ଦା ଉପହାର ଦେବା ଉଚିତ। ଏହାର ଅର୍ଥ, କଠିନ ସମୟ ଗୋଟିଏ ଋତୁ ପରି। ତା’ର ଅବଧି ପୂରା ହେଲେ ପୁଣି ସୁଖ ସମୟ ଆସିବ। ନିଜ ପ୍ରିୟ ବନ୍ଧୁ କିମ୍ବା ପ୍ରେମୀ ଠାରୁ ବିଦାୟ ନେବା ସମୟରେ ବ୍ଲଡ୍ ଲିଲି ଫୁଲ କିମ୍ବା କନ୍ଦା ଉପହାର ଦେବାର ଅର୍ଥ ହେଉଛି ବିଚ୍ଛେଦଟି ଅଳ୍ପ ସମୟର, ପୁଣି ନିଶ୍ଚୟ ମିଳନ ହେବ। ବ୍ଲଡ୍ ଲିଲି ହେଉଛି ପ୍ରେମ, ପ୍ରତୀକ୍ଷା ଓ ଦୁଇ ପ୍ରେମୀଙ୍କ ଭିତରେ ଥିବା ଅତୁଟ ବନ୍ଧନର ପ୍ରତୀକ। ଦୀର୍ଘଦିନ ପର୍ଯ୍ୟନ୍ତ କୌଣସି କଠିନ ପରିସ୍ଥିତି କିମ୍ବା ବ୍ୟାଧି ଭୋଗୁଥିବା ମଣିଷକୁ ମଧ୍ୟ ଏହି ଫୁଲ କିମ୍ବା କନ୍ଦା ସଫଳତା ତଥା ସୁଖ ସମୟର ପ୍ରତୀକ ହିସାବରେ ଦିଆଯାଇ ପାରେ। ଆଧ୍ୟାତ୍ମିକ ଦୃଷ୍ଟିରୁ ବ୍ଲଡ୍ ଲିଲିକୁ ପୁନର୍ଜନ୍ମ, ଆସ୍ଥା, ଇହ ଏବଂ ପରଜନ୍ମ ମଧ୍ୟରେ ସ°ଯୋଗର ସୂତ୍ର ଧରାଯାଏ। ଫ୍ଲାଓ୍ବାର ସିମ୍ବଲିଜିମ୍ ହିସାବରେ, ଯେ କୌଣସି ବିପରୀତ ପରିସ୍ଥିତିରେ ଶାନ୍ତ ଏବଂ ସ୍ଥିର ରହି ସମାଧାନ ପାଇ ହୁଏ ବୋଲି ଏହି ଫୁଲ ପଛରେ ବିଶ୍ୱାସ ରହିଛି।
ଆମ ଘରେ ଥିବା ବ୍ଲଡ୍ ଲିଲି ଗଛର ମୂଳ କନ୍ଦାଟି ମୋ ବୋଉର ଅଜା 1940s ରେ କଲିକତାରୁ ଆଣିଥିଲେ। ଆଈ ବାହା ହୋଇ ଆସିବା ବେଳେ ସାଙ୍ଗରେ ଶାଶୂ ଘରକୁ ଆଣିଥିଲା। ସମୟକ୍ରମେ ମୁଁ ସେଥିରୁ ଦୁଇଟି କନ୍ଦା, ମାମୁଁଘର ବାଡିରୁ ଆଣି ଥିଲି। ସେ କୁଣ୍ଡଟି ବର୍ଷ ତମାମ ଖାଲି ମାଟି ଭର୍ତ୍ତି ହୋଇ ରହିଲା ପରି ଶୁଖିଲା ପଡିଥାଏ। ମେ’ ମାସରେ ଗୁଳୁଗୁଳି ବଢିଲେ ମାଟି ଫଟାଇ ସେଥିରୁ ବ୍ଲଡ୍ ଲିଲିର କଢ଼ ମୁଣ୍ଡ ଟେକେ। ପ୍ରତିବର୍ଷ ଥରେ କୁଣ୍ଡର ମାଟି ବଦଳାଇବା ଯଥେଷ୍ଟ (ଦୀପାବଳି ପରେ ବା ଶୀତଦିନେ ହିଁ କରିବେ)। ଗୋଟିଏ କନ୍ଦାରୁ ପ୍ରତି ବର୍ଷ ନୂଆ କନ୍ଦା ଅଲଗା କରି ନୂଆ ଗଛ ସୃଷ୍ଟି କରି ହେବ। ଗଛଟି ଡର୍ମାଟ୍ ଥିବା ସମୟରେ ଏଥିରେ ବେଶି ପାଣି ଦେବା ଅନୁଚିତ। ଖାଲି ମାଟି ଉପରେ ହାଲୁକା ପାଣି ଛିଞ୍ଚି ଦେଲେ ଯଥେଷ୍ଟ। ବଗିଚାରେ ମାଟିରେ ଲାଗିଥିଲେ, ସେତିକି କରିବା ବି ଆବଶ୍ୟକ ନାହିଁ। ଅଧିକ ପାଣି ଦେଲେ କନ୍ଦା ପଚି ଯିବାର ଭୟ ଥାଏ। ଏବେ ନର୍ସରୀ ଛଡା ଅନଲାଇନ୍ ରେ ମଧ୍ୟ ବ୍ଲଡ୍ ଲିଲିର କନ୍ଦା ମିଳି ଯାଉଛି। ସୁଯୋଗ ପାଇଲେ ବ୍ଲଡ୍ ଲିଲି କନ୍ଦା ଆଣି ନିଶ୍ଚୟ ଲଗାନ୍ତୁ। କଠିନ ସମୟରେ ସକାରାତ୍ମକ ଉର୍ଜା ଏବଂ ସାହସ ସଞ୍ଚାର କରନ୍ତୁ। ଦୁର୍ଦ୍ଦିନ ପରେ ସୁଖର ଦିନ ନିଶ୍ଚୟ ଆସିବ ଏହା ହିଁ ବ୍ଲଡ୍ ଲିଲିର ବାର୍ତ୍ତା।
Photo Credit : Dr Ipsita Pradhan