ଅନେକ ବର୍ଷ ତଳର କଥା। କେରଳର ପଶ୍ଚିମଘାଟ ପର୍ବତମାଳା ଅଞ୍ଚଳରେ ବସବାସ କରୁଥିବା ଅନେକ ଜନଜାତି ଭିତରୁ ଗୋଟିଏ ଜନଜାତିରେ ପ୍ରଚଳିତ ଲୋକକଥାଟିଏ। ସବୁ ଜନଜାତି ପରି ସେମାନେ ମଧ୍ୟ ଜଙ୍ଗଲଜାତ ଦ୍ରବ୍ୟ ଆଉ ଶିକାର କରି ପେଟ ପୋଷନ୍ତି। ଦିନସାରାର ନିର୍ଧୁମ ପରିଶ୍ରମ ପରେ ସନ୍ଧ୍ୟାରେ ଗାଁ ମଝିରେ ଏକାଠି ହୋଇ ଗୀତ, ନାଚ ଆଉ ଗପସପ କରନ୍ତି। ସବୁ ସନ୍ଧ୍ୟା ହିଁ ସେମାନଙ୍କ ପାଇଁ ପର୍ବର ସମୟ। ହେଲେ ବର୍ଷ ତମାମ ପୂରା ଗାଁ ଅପେକ୍ଷା କରେ ବସନ୍ତ ଋତୁକୁ। କାରଣ ବସନ୍ତ ଋତୁରେ ହିଁ ଗାଁର ଯୁବକ ଯୁବତୀଙ୍କ ପାଇଁ ନିଜ ସାଥୀ ବାଛିବାର ସମୟ। ଯାହାକୁ ଯିଏ ପସନ୍ଦ କରେ, ସେ ତା’ ସମ୍ମତିରେ ତା’ ହାତ ଧରି ଗାଁ ମଝିରେ ତିଆରି ହୋଇଥିବା ଅଗ୍ନିକୁଣ୍ଡ ଚାରିକଡେ ନାଚେ ଆଉ ଗାଁ ସାରା ଲୋକ ସେମାନଙ୍କୁ ବିବାହିତ ମାନନ୍ତି।
ସବୁବର୍ଷ ଠାରୁ କିନ୍ତୁ ସେ ବର୍ଷ ଟିକେ ଖାସ୍ ଥିଲା। କାରଣ ସେଇ ବର୍ଷ ଗାଁର ସବୁଠୁ ସୁନ୍ଦରୀ, ଗୁଣବତୀ ଆଉ ପ୍ରିୟ ଝିଅ ବସୁ ଅନେକ ବର୍ଷ ପରେ ନିଜ ବାହାଘର ପାଇଁ ରାଜି ବୋଲି ସଙ୍କେତ ଦେଉଥିଲା। ବସୁକୁ ମୋଟରୁ ପାଞ୍ଚ-ଛ’ ବର୍ଷ ହୋଇଥିବା ବେଳେ ଥରେ ତା’ ସ୍ବପ୍ନରେ ବନଦେବୀ ଆସି ତାକୁ ତାଙ୍କ ନିଜ ଅ°ଶ ଓ କନ୍ୟା କହି ଜଣାଇଥିଲେ ଯେ, ବସୁ ଅନ୍ୟ ଝିଅଙ୍କ ପରି ସାଧାରଣ ମାନବୀ ନୁହେଁ। ତା’ ଭିତରେ ଦେବ ସୁଲଭ ଗୁଣ ରହିଛି। ତେଣୁ ତା’ର ବାହାଘର କୌଣସି ସାଧାରଣ ମାନବ/ଯୁବକ ସହ ନହୋଇ ଜଣେ ଦେବପୁରୁଷ ସହ ହେବ। ଏବଂ ସେ ଦେବପୁରୁଷ ନିଜେ ଆସି ତା’ ହାତ ଧରିବେ। ବସୁକୁ କେବଳ ଦେବୀଙ୍କ ଉପରେ ବିଶ୍ବାସ ରଖି, ନିଜକୁ ସମର୍ପି ଦେବାକୁ ପଡିବ। ବସୁ ସେଇଦିନୁ ଦେବୀଙ୍କ କଥା ଅନୁସାରେ ପୂଜାପାଠରେ ମନଦିଏ, ନିଜ କର୍ମ କରିଚାଲେ, ଗାଁ ଲୋକଙ୍କ ସେବା ଏବଂ ଉପକାରରେ ଲାଗେ, ସମସ୍ୟା ସମାଧାନର ବାଟ ବତାଏ। ନିଜ ବୟସର ଝିଅ ମାନଙ୍କ ପରି ଖେଳକୁଦ କିମ୍ବା ଚଗଲାମିରେ ନମାତି, ଚୁପଚାପ ରୁହେ। କମ କଥା କୁହେ, ଆଉ ଯାହା କୁହେ ପିଲାଠୁ ବୁଢା ଯାଏଁ ସମସ୍ତେ ସସମ୍ମାନେ ଗ୍ରହଣ କରନ୍ତି। ତା’ ବୟସର ସବୁ ଝିଅ ଗୋଟି ଗୋଟି କରି ବାହା ହୋଇଗଲେ ବି ବସୁ ଦେବୀମା’ ଙ୍କ ଆଦେଶ ଓ ଇଶାରାକୁ ଅପେକ୍ଷା କରିଥାଏ। ତାକୁ ଅଠର ବର୍ଷ ହେଲା ବେଳକୁ, ବସନ୍ତ ଋତୁ ଆରମ୍ଭରେ ଦେବୀ ମା’ ତା’ ସ୍ବପ୍ନରେ ଆସି ବସୁକୁ ପୁଣି କହିଲେ, ଏଥର ତା’ ଦେବପୁରୁଷ ଆସିବେ। ଏବେ ସେ ନିଜକୁ ବୈବାହିକ ଜୀବନ ପାଇଁ ପ୍ରସ୍ତୁତ କରୁ। ଆଉ ସବୁଥର ପରି ତାଙ୍କ ଉପରେ ଭରସା ରଖୁ।
ଏଥର ବସନ୍ତ ଆରମ୍ଭରୁ ବସୁ ନିଜକୁ ପ୍ରସ୍ତୁତ କଲା। ହଳଦୀ-ଚନ୍ଦନର ଲେପ ଲଗାଇ ତା ରୂପ ସୁନାଠାରୁ ବି ଅଧିକ ଝଟକୁଥାଏ। ଗାଁର ପ୍ରତ୍ୟେକ ଯୁବକ ବସୁ ପାଖରେ ନିଜର ପାରିବାପଣ ସାବ୍ୟସ୍ତ କରିବା ପାଇଁ, ତା’ ପାଖରେ ନିଜ ପ୍ରେମ ଜାହିର କରିବା ପାଇଁ, ବସୁକୁ ନିଜର କରିବା ପାଇଁ ଏକ ପ୍ରକାର ପ୍ରତିଯୋଗିତାରେ ଲାଗି ପଡିଲେ। ମନେମନେ ନିଜ ଦେବପୁରୁଷକୁ ଅପେକ୍ଷା କରି ଉଲ୍ଲସିତ ହେଉଥିଲେ ବି ବସୁ ପୂର୍ବପରି ବାହାରେ ନିଜର ଗାମ୍ଭୀର୍ଯ୍ୟ ବଜାୟ ରଖିଥାଏ। ଦେବୀଙ୍କ କଥାରେ ଭରସା ରଖିଥାଏ, ଗାଁ ଯୁବକଙ୍କ ଭିତରୁ କେହି ତାକୁ ସେମିତି ଦେବୋପମୋ ବା ଖାସ୍ ଲାଗୁନଥାନ୍ତି। ସନ୍ଧ୍ୟା ପରେ ସନ୍ଧ୍ୟା ସରେ, ଗାଁର ଗୋଟି ଗୋଟି କରି ଯୁବକ ଯୁବତୀ ନିଜ ସାଥୀ ବାଛନ୍ତି, ହାତ ଧରନ୍ତି, ପରିବେଶ ପ୍ରେମମୟ ହୋଇଯାଏ। ହେଲେ ବସୁ ଏକା ଥାଏ, ତା’ ଦେବପୁରୁଷ ଆସନ୍ତିନି। ସେଦିନ ବସନ୍ତର ଶେଷ ସନ୍ଧ୍ୟା। ଗାଁ ସାରା ଲୋକ ବି ଭାରି ଆଗ୍ରହରେ ବସୁ କାହାକୁ ଜୀବନସାଥୀ ବାଛିଚି ଦେଖିବା ପାଇଁ ଅପେକ୍ଷା କରିଥା’ନ୍ତି, ଉଚ୍ଛନ୍ନ ହୁଅନ୍ତି। ରାତି ବଢିବାକୁ ଲଗେ, ନିଆଁର ତେଜ କମିବା ପାଇଁ ତତ୍ପରେ ହୁଏ, ନାଚଗୀତର ଆସର ଥକିଥକି ଆସେ। ହେଲେ ଦେବପୁରୁଷଙ୍କ ଦେଖାଦର୍ଶନ ନଥାଏ। ବସୁର ଦେବୀମା’ଙ୍କ ଉପରେ ଥିବା ବିଶ୍ୱାସ ଟଳମଳ ହୁଏ। ଥରେ ଗାଁ ମଝିର ଅଗ୍ନିକୁଣ୍ଡ ଆଉ ଥରେ ଗାଁର ଠାକୁର ଆସ୍ଥାନ ଆଡକୁ ଚାହିଁ ମନେମନେ ଭାବେ, ମା’ଙ୍କ ଉପରେ ତା’ ଭରସା ଏବଂ ତା’ ତପସ୍ୟାରେ କେଉଁଠି କମତି ରହିଗଲା? ଠାକୁରଙ୍କ ଆସ୍ଥାନ ତଥାପି ଶୂନଶାନ ଦେଖାଯାଏ। ଏଥର ସେ ସ୍ଥିର କରେ ଏଇ ଅଗ୍ନିକୁଣ୍ଡରେ ଝାସ ଦେଇ ନିଜ ଜୀବନକୁ ଶେଷ କରି ଦେବ।
ବସୁ ଏକ ନିଶ୍ୱାସରେ ଅଗ୍ନିକୁଣ୍ଡ ଆଡକୁ ଦୌଡେ, ହେଲେ ଠିକ୍ ତା’ର ଝାସ ଦେବା ଆଗରୁ ଚଉଦିଗ ଉଜ୍ଜ୍ୱଳ କରି ଠାକୁରଙ୍କ ଆସ୍ଥାନ ପାଖରୁ କାମଦେବ ପ୍ରକଟ ହୋଇ ବସୁର ହାତକୁ ଟାଣି ଧରନ୍ତି ଆଉ ତା’ ଜୀବନ ରକ୍ଷା କରନ୍ତି। ଏଥର ବସୁ ନିଶ୍ଚିତ ହୋଇଯାଏ ଯେ ଏଇ ଉଜ୍ଜ୍ୱଳ ବ୍ୟକ୍ତିତ୍ୱର ଅଧିକାରୀ ହିଁ ତା’ ଦେବପୁରୁଷ। ସେ ଆନନ୍ଦରେ ତାଙ୍କ ହାତ ଧରି ଅଗ୍ନିକୁଣ୍ଡ ଚାରିକଡେ ନାଚିବାକୁ ଲାଗେ ଏବଂ ସେମାନଙ୍କ ବିବାହ ସମ୍ପନ୍ନ ହୁଏ। ବସୁ ସହ ବିବାହ କରି କାମଦେବ ପୃଥିବୀପୃଷ୍ଠରେ ରୁହନ୍ତି। ଶେଷରେ ଏ ଖବର ତାଙ୍କ ସ୍ତ୍ରୀ ରତିଙ୍କ ପାଖରେ ପହଞ୍ଚେ। ରତି ରାଗ ତମତମ ହୋଇ ବସୁକୁ ଉଚିତ ଶିକ୍ଷା ଦେବା ପାଇଁ ପୃଥିବୀପୃଷ୍ଠକୁ ଆସନ୍ତି। ସେଇ ସମୟରେ ବସୁ ନିଜ ନିତ୍ୟକର୍ମ ସାରି ଜଙ୍ଗଲରୁ ଫେରୁଥାଏ। ଅଧ ବାଟରେ ରତିଙ୍କୁ ଦେଖି ପ୍ରଣାମ କରେ। ହେଲେ ରତି ଏତେ ଜୋରରେ ରାଗିଥା’ନ୍ତି ଯେ ତାଙ୍କ ଦୃଷ୍ଟି ବସୁ ଉପରେ ପଡିବା କ୍ଷଣି ସେ ତା’ ଠିଆ ହେବା ଜାଗାରୁ ଉଭାନ୍ ହୋଇଯାଏ। ଆଉ ଠିକ୍ ସେଇ ଜାଗରେ ପେନ୍ଥା ପେନ୍ଥା ହଳଦିଆ ଫୁଲରେ ଭର୍ତ୍ତି ଗୋଟିଏ ବିଶାଳ ଗଛ ପ୍ରକଟ ହୁଏ। ବସୁ, ରତିଦେବୀଙ୍କୁ ନତମସ୍ତକ ହୋଇ ପ୍ରଣାମ କଲା ପରି ସେଇ ଗଛର ଫୁଲ ପେନ୍ଥାମାନେ ବି ତଳକୁ ଝରି ପଡିଲା ପରି ମୁଦ୍ରାରେ ଥା’ନ୍ତି। ସେଇ ସୁନାପରି ଚିକଚିକ୍ କରୁଥିବା ହଳଦିଆ ଫୁଲ ଗଛକୁ ଆମେ ସୁନାରୀ ଫୁଲ ବା ଅମଲତାସ୍ କହିଥାଉ। ଏହାକୁ ଇ°ରାଜୀରେ Golden Shower tree କୁହାଯାଏ।
ଏବେ ଆପଣଙ୍କ ନିହାତି ନିଜ ନିଜ ସହରର ରାସ୍ତାରେ ସୌନ୍ଦର୍ଯ୍ୟୀକରଣ ପାଇଁ ଦୁଇ ଧାରରେ ଲଗା ଯାଇଥିବା ଏଇ ହଳଦିଆ ଫୁଲର ଝୁଲନ୍ତା ପେନ୍ଥାଳିଆ ଫୁଲ ଗଛ ମନେ ପଡି ଯାଇଥିବ। ଏପ୍ରିଲ – ମେ’ ମାସ ହୋଇଗଲେ ସୁନାରୀ ଫୁଲର ପେନ୍ଥା ମାନେ ଛାତରୁ ଓହଳି ଥିବା ଝାଡ-ଫନୁସ୍ ବା ଚାଣ୍ଡେଲିୟର ପରି ଗଛ ଡାଳରୁ ପେନ୍ଥା ପେନ୍ଥା ହୋଇ ଓହଳି ପଡନ୍ତି। ପ୍ରଖର ଖରାରେ ଆହୁରି ଚିକଚିକ୍ କରେ ଅମଲତାସର ହଳଦିଆ ରଙ୍ଗ। ବିଶେଷଜ୍ଞଙ୍କ ମତରେ ଅମଲତାସ୍ ଗଛର ସୃଷ୍ଟି ଦକ୍ଷିଣ ଭାରତ ଏବଂ ଦକ୍ଷିଣ ଏସିଆ ଅଞ୍ଚଳରୁ। କେରଳର ରାଜ୍ୟ ଫୁଲ ବା state flower ହେଉଛି ଅମଲତାସ୍, ଯାହାକୁ ସେମାନେ ସ୍ଥାନୀୟ ଭାଷାରେ କନ୍ନୀ-କୋନ୍ନା (Kanni- konna) କୁହନ୍ତି। କେରଳର ପରମ୍ପରାରେ ଅମଲତାସର ଖାସ ମହତ୍ତ୍ଵ ରହିଛି। ସେଠି ସୁନାରୀ ଗଛକୁ ଖୁବ ପବିତ୍ର ମାନନ୍ତି ଏବଂ ଏହାକୁ ଅନେକ ଜାଗାରେ “ସ୍ଥଳବୃକ୍ଷ” କହି ପୂଜା କରନ୍ତି। କେରଳର ବିଷ୍ଣୁ ଉତ୍ସବରେ ଏହି ଫୁଲକୁ ବିଷ୍ଣୁଙ୍କୁ ଅର୍ପଣ କରାଯାଏ। କେରଳର ପାରମ୍ପରିକ ବିଶ୍ୱାସ ଅନୁସାରେ, ଅମଲତାସ୍ ଫୁଲ ଫୁଟିବା ଆରମ୍ଭ ହେବାର ୪୫ ଦିନ ଭିତରେ ବର୍ଷା ଆରମ୍ଭ ହୁଏ। ତେଣୁ କୃଷି ଏବଂ ଜଳବାୟୁ ପାଇଁ ବି ଏହି ଫୁଲର ଅନେକ ମହତ୍ତ୍ଵ ରହିଛି। ଆୟୁର୍ବେଦରେ ମଧ୍ୟ ଅମଲତାସ୍ ବୃକ୍ଷକୁ ଖୁବ ମହତ୍ତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଏ। ଏହି ବୃକ୍ଷର ପ୍ରାୟ ପ୍ରତ୍ୟେକ ଅ°ଶର ଔଷଧୀୟ ଗୁଣ ରହିଛି। ଆୟୁର୍ବେଦ ଅନୁସାରେ ଏହାକୁ ସର୍ବରୋଗ ପ୍ରସମଣି କୁହାଯାଏ।
କେବଳ ଆମ ଦେଶ ନୁହେଁ ଅନ୍ୟ ଅନେକ ଦେଶରେ ମଧ୍ୟ ଅମଲତାସ୍ ଫୁଲକୁ ଖୁବ ମହତ୍ତ୍ଵ ଓ ସମ୍ମାନ ଦିଆଯାଏ। ଲାଓସରେ ନୂତନବର୍ଷର ସ୍ବାଗତ ଏବଂ ଉତ୍ସବ ଅମଲତାସ୍ ଫୁଲ ବିନା ଅସମ୍ଭବ। ସେମିତି ଥାଇଲ୍ୟାଣ୍ଡର ଏହା ହେଉଛି ନ୍ୟାସନାଲ ଟ୍ରି। ଏହାର ଥାଇ ନାଁ ହେଉଛି ଡୋକ୍ କୁନ୍ (Dok koon)। ସେଠି ଅମଲତାସକୁ ରାଜକୀୟ ଆଭିଜାତ୍ୟର ପ୍ରତୀକ ଭାବେ ଗ୍ରହଣ କରାଯାଏ। ଥାଇ ପରମ୍ପରା ଅନୁସାରେ ଅମଲତାସ୍ ଧନଧାନ୍ୟ, ପ୍ରାଚୁର୍ଯ୍ୟ, ସୌଭାଗ୍ୟ ଏବଂ ଆନନ୍ଦର ପ୍ରତୀକ। ଆନନ୍ଦ-ଉତ୍ସବ ଏବଂ ସମାରୋହରେ ତେଣୁ ଏହି ଫୁଲର ପ୍ରଚୁର ବ୍ୟବହାର ହୁଏ। ପ୍ରତିବର୍ଷ ମେ’ ମାସରେ ଅମଲତାସ୍ ଫୁଟିବା ଆରମ୍ଭ କଲେ ତେଣୁ ଦେଶସାରା ଏହି ଫୁଲର ମହୋତ୍ସବ ପାଳନ କରାଯାଏ। ଶ୍ରୀଲଙ୍କାରେ ବୌଦ୍ଧ ମନ୍ଦିର ଏବଂ ମଠ ଗୁଡିକରେ ଅମଲତାସ୍ ବୃକ୍ଷ ନିଶ୍ଚିତ ଲଗାଯାଏ। ସିଂହଳୀ ଭାଷାରେ ଅମଲତାସ୍ କୁ ଏଲ୍ଲା (Ehela) କୁହନ୍ତି। ଭିଏତନାମରେ ମଧ୍ୟ ଅମଲତାସକୁ ସୁଖ, ସୌଭାଗ୍ୟ, ପ୍ରାଚୁର୍ଯ୍ୟ ଏବଂ ସଫଳତାର ପ୍ରତୀକ ମାନନ୍ତି। ଭଗବାନଙ୍କୁ ଅର୍ପଣ କରିବା ଠାରୁ ନୂତନ ବର୍ଷର ସ୍ବାଗତ ପର୍ଯ୍ୟନ୍ତ ସବୁଥିରେ ଏହି ଫୁଲ ଲୋଡା ପଡେ। ନୂଆ ବର୍ଷ ସମୟରେ ଘରର ମୁଖ୍ୟ ଦ୍ବାରା ଏବଂ ଫାଟକ ସାମନାରେ ଅମଲତାସ୍ ଫୁଲକୁ ଟାଙ୍ଗିବାକୁ ଭିଏତନାମରେ ଖୁବ ଶୁଭ ମାନନ୍ତି।
ଫ୍ଲାଓ୍ବାର ସିମ୍ବଲିଜିମ୍ ଅନୁସାରେ ଅମଲତାସ୍ ବା ସୁନାରୀ ଫୁଲ ନିଜର ଉଜ୍ଜ୍ବଳ ହଳଦିଆ ରଙ୍ଗ କାରଣରୁ ଧନ, ଯଶ, ସୁଖ ବର୍ଷାକାରୀ ବା Golden shower tree ହିସାବରେ ଜଣାଶୁଣା। ଏହି ଫୁଲ ସଫଳତା, ସୌଭାଗ୍ୟ, ସୁଖ, ଧନ, ନୂତନ ସୁଯୋଗ ଆଣେ ବୋଲି ବିଶ୍ୱାସ କରାଯାଏ। ଏହା ଛଡା ଅମଲତାସ ବିଜୟ, ଶକ୍ତିଶାଳୀ, ଦୀର୍ଘସ୍ଥାୟୀ ଏବଂ ସମୃଦ୍ଧିର ମଧ୍ୟ ପ୍ରତୀକ ଅଟେ। ଅମଲତାସ୍ ଫୁଲ ବାତାବରଣରେ ସୁଖ, ସମୃଦ୍ଧି ଏବଂ ସକାରାତ୍ମକ ଉର୍ଜାର ସଞ୍ଚାର କରେ। କୌଣସି ନୂତନ କାମ ଆରମ୍ଭ ପୂର୍ବରୁ ଅମଲତାସ୍ ଫୁଲର ଦର୍ଶନ ସଫଳତା ଆଣିଥାଏ। ସେଥିପାଇଁ ଯଦି ନିଜ ଘରେ ବଗିଚାଟି ଛୋଟ ହୋଇଥାଏ, ଘରର ଆଖପାଖ ରାସ୍ତାରେ ଅମଲତାସ୍ ଚାରା ରୋପଣ କରନ୍ତୁ। ଏପ୍ରିଲ- ମେ’ ମାସରେ ଯେତେବେଳେ ଏହି ଗଛ ଗୁଡିକ ପେନ୍ଥା ପେନ୍ଥା ହଳଦିଆ ଫୁଲରେ ଲଦି ହୋଇଯିବ, ତା’ର ଉଜ୍ଜ୍ୱଳ ରଙ୍ଗ ଆଉ ରୂପ ଦେଖି ସତରେ ବୃକ୍ଷରୁ ସୁନା ବର୍ଷା ହେଲା ପରି ହିଁ ପ୍ରତୀତ ହେବ।