ଆନି ଏର୍ନୋଙ୍କ ଫିଲିପ୍ପାକୁ ନେଇ କିଛି ଅଳ୍ପ ସ୍ମୃତି

ଆନି ଏର୍ନୋ ହେଉଛନ୍ତି ଚଳିତ ବର୍ଷ ଅର୍ଥାତ୍ ୨୦୨୨ ରେ ସାହିତ୍ୟରେ ନୋବେଲ୍ ପୁରସ୍କାର ପ୍ରାପକ ଏଇ କ୍ଷୁଦ୍ର ଲେଖାରୁ ଆମେ ଆନି ଏର୍ନୋଙ୍କ କାହାଣୀ ନିର୍ମାଣ ଏବଂ ଲେଖନ ବିଶେଷତ୍ୱ କୁ କିଛି ପରିମାଣରେ ବୁଝିପାରିବା ଲେଖନ ହେଉଛି ସବୁବେଳେ ଶାରିରୀକତାର ଏକ ଅଦ୍ଭୁତ ଚିତ୍ରାଙ୍କନ ,ଏଇ କଥାଟି  ତାଙ୍କଠାରୁ ଶିଖିବାକୁ ମିଳିଥାଏ

ବେଶ୍ କେତେଗୁଡିଏ ଚିଠିରେ ସେ କିଛିଦିନ ହେଲା ଲେଖୁଥିଲା,ସେ ମୋତେ ତାହାର ଅତି ନିକଟରେ ଚାହେଁ । ଆଗରୁ ସମୟ ଠିକ୍ କରିସାରିବା ପରେ ଗୋଟିଏ ସଂଜରେ ଆମେ ପରସ୍ପରକୁ ଦେଖା କରିଥିଲୁ । ସେତେବେଳେ କିନ୍ତୁ ହଠାତ୍ ମନେ ହେଲା, ସେ ଭୟ ପାଇ ଯାଇଛି । ଜମାରୁ କିଛି କଥା କହୁ ନଥାଏ ସେ। ସେପରି ହେବାର କଥା, କାରଣ ସେ ସେତେବେଳେ ତଥାପି ବି ଜଣେ ଛାତ୍ର,ବୟସରେ ମୋ ଠାରୁ ଅନେକ ଛୋଟ । ତାହା ଛଡା ମୁଁ ଏମିତିରେ ଲେଖାଲେଖି କରେ । ଥିଏଟର୍ ର ଚେୟାର୍ ର ହାତରଖା ଉପରେ ତାହାର ଆଉ ମୋର ହାତ ପ୍ରାୟତଃ ଉଭୟଙ୍କୁ ଛୁଇଁ ଯାଉଥିଲା । ଶୋ ଶେଷ ହେଲାପରେ ମୁଁ ତାହାକୁ ମଦ ପିଇବାକୁ ପ୍ରସ୍ତାବ ଦେଇଥିଲି । ଆମେ ଦୁହେଁ ତାହାପରେ ମସିଁୟେ- ଲା-ପ୍ରିନ୍ସ ର ଗୋଟିଏ ନିହାତି ଛୋଟ ପାନଶାଳାରେ ଯାଇ ପହଞ୍ଚିଥିଲୁ । ସେତେବେଳ ଯାଏଁ ମୁଁ ଆଉ ଆଗ ଭଳି ନିଶ୍ଚିତ ନଥିଲି,ତାହା ସହିତ ଶାରିରୀକ ପ୍ରେମ କରିବାକୁ ମୁଁ ଚାହୁଁଛି ନା ଚାହୁଁନାହିଁ, ଯଦିଓ ବିଗତ କେତେ ସପ୍ତାହ ହେଲା  ମନ କହୁଥିଲା ସଂପର୍କଟା ଆଗକୁ ଆଗକୁ

ଯାଉ । ମୁଁ ଆଗ କଥା ଆରମ୍ଭ କରିଥିଲି, ଆଉ ସେ ଆରପଟୁ ମୋତେ ଦେଖୁଥିଲା । ଆଖପାଖରେ କେତେଗୁଡିଏ ଅଳ୍ପ ଉଚ୍ଚା ଟେବୁଲ ପଡିଥିଲା, ତାହାର ଚାରିପଟେ ଯୁବକଯୁବତୀ ମାନେ ଟୁଲ୍ ଉପରେ ବସିଥାନ୍ତି ।  ଗାଢ କଳାରଙ୍ଗର ଛୋଟ ସ୍କଟ୍ ପିନ୍ଧା ୱେଟର୍ ବାରଂବାର ଆମ ପାଖ ଦେଇ ଯିବା ଆସିବା କରୁଥାଏ । ସେ ଆଲକହଲ୍ ମିଶା କକଟେଲ୍ କୁ ଅଳ୍ପ ଅଳ୍ପ ପିଉଥାଏ ଆଉ ମୋ ସାମ୍ନା ରେ ଥିଲା ଫଳରସ୍,ଜୁସ୍ । ଏହା ହେଉଛି ଏପରି ଗୋଟିଏ କ୍ଷଣ ,ଯେତେବେଳେ ମନେ ହେବ,ଚାରିପାଖର ସବୁକିଛି ର ଯେମିତି ଗୋଟିଏ ଅର୍ଥ ରହିଅଛି , କାରଣ ସେତେବେଳେ କିଛି ହିଁ ଘଟିନାହିଁ ,ଏବଂ ସମ୍ଭବତଃ କିଛି ହିଁ ଘଟିବ ନାହିଁ ।

ପାନଶାଳାରୁ ବାହାରକୁ ଆସିବା ପରେ ମୁଁ ତାହାକୁ ମୋ ଘରକୁ ଆସିବାପାଇଁ ନିମନ୍ତ୍ରଣ କରିଥିଲି ,ଯାହା ଫଳରେ ଆଉ ଗୋଟିଏ ଦଫା ଆମର ପାନପର୍ବ ଅବ୍ୟାହତ ରହିବ । ସେ ତତକ୍ଷଣାତ୍ ରାଜି ହୋଇଗଲା । ସେତେବେଳଯାଏଁ ଜାଣିନି ମୁଁ ତାହା ସହିତ ଦୈହିକ ସଂପର୍କ ରଖିବାକୁ ମୁଁ ଅସଲରେ ଚାହୁଁଛି  ନା ନାହିଁ । ମନେ ହୋଇଥିଲା ଯେମିତି ଏ ବିଷୟରେ କିଛି ସିଦ୍ଧାନ୍ତ ନେବାର ଆଗରୁ ମୁଁ ଯେମିତି ମୋ ନିଜକୁ ଆଉ କିଛି ସମୟ ଦିଏ ।  ଏକଥା ବି ନିଜେ ବୁଝି ପାରୁଥିଲି , ତାହାକୁ ନିଜ ଘରକୁ ଏମିତି ଡାକିନେବା ଟା ସେହି ସମ୍ଭାବନାକୁ ଆଉ ଟିକିଏ ତେଜି ଦେଉଛି ।  ଗାଡିରେ ବସିବା ପରେ ଗୋଟିଏ ପପ୍ ସଙ୍ଗୀତ ର କାସେଟ୍ ପ୍ଲେୟାର୍ ରେ ବଜାଇଥିଲି । ଯେତେଥର ଗିୟର୍ ଚେଞ୍ଜ କରୁଥାଏ ସେତେଥର ମୋ ହାତ ତାହାର ଜଙ୍ଘକୁ ଛୁଉଁଥାଏ ।

ଘରେ ଆମେ ଦିଜଣ ବେଶ୍ ଦୂରରେ ପଡିଥିବା ଦୁଇଟି ହାତବାଲା ଚେୟାର୍ ରେ ବସିଥିଲୁ ।

” କ’ଣ ପିଇବ,ତମର ପ୍ରିଫରେନ୍ସ କ’ଣ ?” ଏଇମିତି କିଛି ଛୋଟକାଟର ବାକ୍ୟ ବିନିମୟ ବ୍ୟତୀତ ଯାହାକୁ ପ୍ରକୃତରେ କଥାବାର୍ତ୍ତା ବୋଲି କୁହାଯାଏ ସେ ପର୍ଯ୍ୟନ୍ତ ତାହା ଆରମ୍ଭ ହୋଇ ନଥାଏ । ଆମେ ମାନେ ଅପେକ୍ଷା କରୁଥିଲୁ । ଆରମ୍ଭ କରିବାର ଦାୟିତ୍ୱ ମୋତେ ହିଁ ନେବାକୁ ପଡିଲା । ମୁଁ ଭଲଭାବରେ ଏହା ଭିତରେ ବୁଝି ଯାଇଥିଲି ଯେ,ମୁଁ ସାମ୍ନାକୁ ଆଗେଇ ନଆସିଲେ ସେମିତି କିଛି ଘଟିବ ନାହିଁ ।

ସେତେବେଳେ କ’ଣ କରିବା ଠିକ୍ ହେବ, ସେମିତି କିଛି ଭାବି ନଥିଲି। ଖାଲି ମୋର ମନେ ହୋଇଥିଲା ଯେ,ମୋତେ ଏଇଲେ କ’ଣ କିଛି ଆରମ୍ଭ କରିବାକୁ ହେବ । ଚେୟାର୍ ରୁ ଉଠି ପଡିଲି,ତା’ ଆଡକୁ ଆଗେଇ ଗଲି ଆଉ ତା’ ମଥାର କେଶ ଉପରେ ନିଜର ହାତକୁ ବୁଲାଇ ନେଲି । ସେ ମୋ ଶରୀର ରେ ନିଜର ମୁହଁକୁ ଚାପି ଧରିଲା ଆଉ ତାହାପରେ ଉଠି ଛିଡାହୋଇ ମୋତେ ଏକ ବଣ୍ୟ ଆଲିଙ୍ଗନରେ ଜଡାଇ ଧରିଲା ।  ଟେର୍ ପାଉଥିଲି ସେତେବେଳ ଯାଏଁ ଅଚିହ୍ନା ଗୋଟିଏ ଲିଙ୍ଗ ଦୁଇଜଣଙ୍କର ପୋଷାକକୁ ଭେଦ କରି ମୋତେ ଚାପ ଦେଉଥାଏ । ସେଥିରେ ଏହିପରି ଜୋର୍ ଆଉ ଦୃଢତା ଥିଲା ,ଯାହାର ନୀରବତାର ଅର୍ଥ ସେହି ସଂଧ୍ୟାରେ ପରିଷ୍କାର ହୋଇ ଯାଇଥିଲା ।

ସେ ଚାଲିଗଲା । ପରଦିନ,ମୁଁ ଆଉଥରେ ସେହି ରାତିରେ ଘଟିଯାଇଥିବା ଘଟଣାମାନଙ୍କର ସ୍ମୃତିଚାରଣ କରୁଥିଲି । ପ୍ରଥମ ଥର ତାହାର ଲିଙ୍ଗ ଦେଖିବାର ମୁହୂର୍ତ୍ତ – ଯାହା ସବୁବେଳେ ବର୍ଣ୍ଣନାର ଅତୀତ ଗୋଟିଏ କ୍ଷଣ,ଏବଂ ପରେ ଗୋଟିଏ ଛୋଟ କଣ୍ଡୋମ୍ ରେ ନିଜକୁ ଅଧା ଆଢୁଆଳ କରୁଥିବା ବେଳର ଦୃଶ୍ୟ ମୋତେ ଆଲୋଡିତ କରୁଥାଏ । ମୋ ଆଡୁ ଆରମ୍ଭ ହୋଇଥିବା ପ୍ରଥମ ଇଂଗିତର କଥା ବି ମୋର ମନେ ପଡିଗଲା,ତାହାର ମଥାର କେଶରେ ହାତ ବୁଲାଇବା, ଏମିତି ଆରମ୍ଭଟିଏ ନଥିଲେ ତ ଆଉ ପରେ କିଛି ଘଟି ନଥାନ୍ତା । ଅନ୍ୟ ଯେ କୌଣସି କିଛି ର ଅପେକ୍ଷା ଏହି ସଙ୍କେତର ସ୍ମୃତିଟି ମୋତେ ପ୍ରାୟ ରତିସ୍ଖଳନ ର ସୁଖ ଭଳି ତୀବ୍ର,ପ୍ରବଳ ଆନନ୍ଦରେ ଭରି ଦେଉଥାଏ । ମନକୁ ଆସିଲା ଗୋଟିଏ ବହିର ପ୍ରଥମ ବାକ୍ୟଟି ଲେଖା ହୁଏ ଯେମିତି,ଇଏ ଠିକ୍ ସେହିପରି । ଯେମିତି ଏଇଟି ବି ସାରା ଜଗତରେ କିଛି ଗୋଟିଏ ଘଟାଇପାରିବାର ଇଚ୍ଛାରୁ ଉତ୍ସାରିତ ହୋଇଯାଇଛି । ମନେ ହେଲା ଜଣେ ନାରୀ ପାଇଁ, କୌଣସି ପ୍ରକାର ସଂକୋଚହୀନ ଭାବରେ କଲମ ଚଳାଇବାର ସ୍ୱାଧୀନତା ଯେମିତି କୌଣସି ପୁରୁଷର ଶରୀରରେ ପ୍ରଥମ ରମଣୀ ହିସାବରେ କାମନାବିଜଡିତ ସ୍ପର୍ଶ ଭଳି ହିଁ ।

ଆମର ପ୍ରେମର ସମୟ, ଅକ୍ଟୋବର ର ଗୋଟିଏ ରବିବାର । ବିଛଣାରେ ଛବି ଆଙ୍କିବାର କାଗଜକୁ ବିଛାଡି ତାହାରି ଉପରେ ଶୋଇପଡିଥିଲି ମୁଁ । ସେ ଦେଖିବାକୁ ଚାହୁଁଥିଲା ତାହାର ବୀର୍ଯ୍ୟ ଆଉ ମୋର ମାସିକର ରକ୍ତ ଉଭୟ ମିଶିଯାଇ ଅସଲରେ କେଉଁ ଭଳି ଛବି ତିଆରି କରିପାରେ ।

ପରେ ଆମେମାନେ ଛବିଟିକୁ ଦେଖିଥିଲୁ । ସେଇଟି ସେତେବେଳେ ତଥାପି କିଛି ପରିମାଣରେ ଓଦା ଥାଏ । ଆମେମାନେ ଗୋଟିଏ ନାରୀର ଛବି ଦେଖିବାକୁ ପାଇଥିଲୁ, ଯାହାର ମୋଟା ମୁହଁ ତାହାର  ମୁଖମଣ୍ଡଳ କୁ ଗିଳି ଖାଇଦେବାକୁ ବସିଛି  । ଯାହାର ଶରୀର ପ୍ରବହମାନ ଏବଂ ବିବର୍ଣ୍ଣ । ଏବଂ ତାହାର ଯାହା ଆକାର ରହିଛି  ତାହାକୁ ସେ ହରାଇ ବସିଛି । ଅଥବା ହୁଏତ ସେ ଉତ୍ତର ଗୋଲାର୍ଦ୍ଧର ଆଲୋକ,ବା ହୁଏତ ସେ ସୂର୍ଯ୍ୟାସ୍ତ ।

ଆହୁରି ଆଗରୁ କାହିଁକି ଏହି ଧାରଣାଟି ମନକୁ ଆସିଲା ନାହିଁ ସେଇ କଥା କୁ ଭାବି ଆମକୁ ଭାରି ମଜା ଲାଗୁଥାଏ । କିଏ ଜାଣେ ଅନ୍ୟମାନେ ଏଇ ଭଳି ସମାନ ଭାବରେ କଥାଟିକୁ ଭାବୁଥିଲେ କି ନାହିଁ ! ପରଦିନ ସେ ସେହି ଛବିଟିକୁ ଫ୍ରେମ କରି ତାହାର ଘରର କାନ୍ଥରେ ଟଙ୍ଗାଇ ଦେଇଥିଲା ।

ପରବର୍ତ୍ତି ଦୁଇତିନିମାସ ଆମେମାନେ ଗୋଟିଏ କାର୍ଯ୍ୟ କରୁଥିଲୁ । ଏହି ଘଟଣା ଭିତରେ ଗୋଟିଏ ଅତିରିକ୍ତ ଆନନ୍ଦ ଥିଲା । ରତିସ୍ଖଳନ ହୋଇଗଲେ ସବୁର ଯେ ଶେଷ ହୋଇଯାଏ,ଏକଥା ନୁହଁ ,ଏହାର ଗୋଟିଏ ଆବେଶ ତଥାପି ରହିଯାଇଥାଏ – ଏହି ଭଳି ଗୋଟିଏ ଧାରଣା ରୁ କାଗଜ ଉପରେ ଆମେ ତାରିଖ ଆଉ ସମୟ ଲେଖି ରଖୁଥିଲୁ,ଯାହା ସାଧାରଣତଃ କୌଣସି ଶିଳ୍ପକର୍ମ ର ଉପରେ କରାଯାଇଥାଏ ।

ଲେଖାଲେଖି ଏବଂ ଶାରିରୀକ ପ୍ରେମ । ମୁଁ ଅନୁଭବ କରେ ,ଏଇ ଦୁଇଟି ପରସ୍ପର ସହ ସଂଯୁକ୍ତ । ଏହାକୁ ସଂପୂର୍ଣ୍ଣ ବ୍ୟାଖ୍ୟା କରି ବୁଝାଇବା ସମ୍ଭବ ନୁହଁ । ମୁଁ ଯାହା କରିପାରିବି ତାହା ହେଉଛି କେବଳ ସେହି ମୁହୂର୍ତ୍ତଗୁଡିକର ବିବରଣୀ ଲେଖି ରଖିବା, ଯେଉଁ କ୍ଷଣଗୁଡିକ ମୋ ନିକଟରେ ସବୁଠାରୁ ଅଧିକ ସ୍ପଷ୍ଟ ଭାବରେ ଧରା ଦେଇଥାଏ ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →