ଶ୍ରୀଗାନ୍ଧୀଦେବ :ଏକ ସ୍ମରଣାଲେଖ

ଆଜି ଗାନ୍ଧୀଦେବଙ୍କର ମହାପ୍ରୟାଣ ଦିବସ।

ଏଇ ଦିବସ ସହିତ ଆମର ବେଦନାବୋଧଟି ପ୍ରଖର। ପୃଥିବୀରେ ଏମିତି କିଛି କିଛି ବିରଳ ସମୟ ଆସିଥାଏ ଯେତେବେଳେ ସାକ୍ଷାତ୍ ଦେବତା ମାନେ ଏଠାରେ ଆମ ଗହଣରେ ରହିଥାଆନ୍ତି ଆଉ ଆମମାନଙ୍କୁ ଦେବସ୍ପର୍ଶ ଦେଇଥାନ୍ତି । ମାତ୍ର କିଛି ଲୋକ ନିଜନିଜର ବ୍ୟକ୍ତିଗତ କାରଣରୁ ଦେବତା ମାନଙ୍କ ପ୍ରତି ଚିରକାଳ ଅସହଣୀ । ଆଉ ସେମାନେ ଦେବତାକୁ ଯଥାଶିଘ୍ର ଲୋକାନ୍ତରିତ କରିବାର ଫିକରରେ ରହିଥାନ୍ତି।

ଆଜି ହେଉଛି ସେଇମିତି ଆମର ଗାନ୍ଧୀଦେବଙ୍କର ଏକ ବାଧ୍ୟତାମୂଳକ ପାର୍ଥିବ ଅସାନ୍ନିଧ୍ୟକରଣ ର ପ୍ରଚେଷ୍ଟାର ଏକ କରୁଣ ଦିବସ।

ଏହା ପରଠାରୁ ଗାନ୍ଧୀଦେବ କ’ଣ ଆମର ସାନ୍ନିଧ୍ୟରେ ନାହାଁନ୍ତି ? ନା ଆମେ ଗାନ୍ଧୀଦେବଙ୍କ ସ୍ମରଣ ରେ ରହିନାହୂଁ?ସେମିତିରେ ଦେଖିଲେ ସେତେବେଳର ସେହି ତରୁଣ ଓ ତାହାର ଗୁଳି ଆଜି ଆମକୁ ଅଧିକରୁ ଅଧିକ ପଥଭ୍ରଷ୍ଟ ହୋଇଥିଲା ବୋଲି ଲାଗୁଛି।

ଗାନ୍ଧୀଦେବ ଆମ ପାଇଁ କ’ଣ କରିଛନ୍ତି ନକରିଛନ୍ତି ତାହାର ବିଚାର ଏବେ ଏକ ସାର୍ବଜନୀନ ବିଚାର। ଚିତା ନିଆଁ ଟି ଲିଭିଗଲାପରେ ମଣିଷ ଆର ମଣିଷକୁ ବିସ୍ମରି ଯାଉଥିବାବେଳେ ଆଜିଠୁ ଯାହାର ଚିତାନିଆଁ ଦୀର୍ଘ ପଞ୍ଚସ୍ତରୀ ବର୍ଷ ତଳେ ଲିଭିଯାଇଛି ସେଇଭଳି ଜଣେ ମହାନୁଭବଙ୍କୁ ନେଇ ଆଜି ବି ଆମର ସମାଜରେ ସମପରିମାଣରେ ଉତ୍ସାହ ରହିଅଛି।ଏହାର କାରଣ କ’ଣ ? ଯଦି ଆମେ କହିବା ଯେ ଏହା ପଛରେ ସରକାରଙ୍କ ନିୟମିତ ପ୍ରୋତ୍ସାହନ ରହିଅଛି,ସରକାର ଗାନ୍ଧୀଜୀଙ୍କୁ ସବୁବେଳେ ଆନ୍ତର୍ଜାତିକ ସ୍ତରରେ ନିଜର ଏକ ଜାତୀୟ ବ୍ରାଣ୍ଡ ଭାବରେ ଉପସ୍ଥାପନ କରିବାକୁ ଚାହିଁଥାନ୍ତି,ତାହାହେଲେ କ’ଣ ଆମେ ଗାନ୍ଧୀଜୀଙ୍କୁ ନେଇ ଆମ ଭିତରେ ଯାହା ଯେତିକି ଉନ୍ମାଦନା ଦେଖା ଯାଏ ତାହାର ଅସଲ କାରଣଟି ପାଇଯିବୁ? ଆଦୌ ନୁହଁ।ସରକାର ଙ୍କ ଗାନ୍ଧୀଜୀ ସ୍ମରଣ ରେ କେବଳ କଥାଟି ନାହିଁ। ଆମ ପାଖରେ ହିଁ ଅସଲ କଥାଟି ଅଛି। ଆମେ ଗାନ୍ଧୀଜୀଙ୍କୁ ଆମର ସାର୍ବଜନୀନ ଦୃଷ୍ଟି,ଆଚରଣ,ବିଚାରବୋଧ ଏବଂ ସଂପର୍କ ରେ ସବୁବେଳେ ପ୍ରାସଙ୍ଗିକ ବୋଲି ମନେକରିଥାଉ।ଆଉ ସେଇଥିପାଇଁ ଆମର ସାମାଜିକ ସହାବସ୍ଥାନରେ ଏହି ଦୁର୍ବଳ ସାଧାସିଧା ଲୋକଟି ଏକ ନିର୍ବିକଳ୍ପ ପ୍ରତୀକ ହୋଇ ଆମର ଚେତନାରେ ସବୁବେଳେ ଅବସ୍ଥାନ କରୁଥାଏ।

ଏଇଠି ଗୋଟିଏ ଛବି ସଂପର୍କରେ କିଛି ବିଚାର କରାଯାଉ। “ଗାନ୍ଧୀଜୀଙ୍କ ସ୍ୱର୍ଗଯାତ୍ରା” ବୋଲି ଶୀର୍ଷକରେ ୧୯୪୮ ର ତାହା ଏକ କାଲେଣ୍ଡର ଛବି। ଏହି କାଲେଣ୍ଡର ଛବିରେ ଏକ ଚିତା ଜଳୁଛି। ଏଇ ଚିତାକୁ ପ୍ରତ୍ୟକ୍ଷ କରୁଛନ୍ତି ବିଶାଳ ଜନତା। ଚିତାର ଦୁଇପଟେ ହାତଯୋଡି ଛିଡା ହୋଇଛନ୍ତି ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ଓ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍।

ଏଇଠେ ସର୍ଦ୍ଦାର ପଟେଲ୍ ଙ୍କ ସଂପର୍କରେ ପଦେ କଥା କହିବାର ଲୋଭକୁ ସମ୍ବରଣ କରିପାରୁନାହିଁ। ମହାତ୍ମା ଗାନ୍ଧୀଙ୍କ ହତ୍ୟାପରେ ତୁରନ୍ତ ସେଠାରେ ଉପସ୍ଥିତ ଲୋକମାନେ ହତ୍ୟାକାରୀ ଦୁଇଜଣଙ୍କୁ ଧରି ପୁଲିସ କୁ ହସ୍ତାନ୍ତରିତ କରିଥିଲେ। ଯେତେବେଳେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଆଉ ଗୃହମନ୍ତ୍ରୀଙ୍କ ନିକଟରେ ସେହି ହତ୍ୟାକାରୀର ଛବି ଉପସ୍ଥାପନ କରାଯାଇଥିଲା ସେମାନେ କେହି ସେହି ହତ୍ୟାକାରୀ ଦିଜଣଙ୍କୁ ସନାକ୍ତ କରିପାରିନଥିଲେ। ସେତିକିବେଳେ ସେଇଠେ ଉପସ୍ଥିତ ଥିଲେ ସର୍ଦ୍ଦାର ପଟେଲ୍ ଙ୍କର ଜଣେ ସହଯୋଗୀ । ତାଙ୍କର ନାଆଁ ହେଉଛି କାକା ଗାଡଗିଲ୍ ।ଏଇ କାକା ଗାଡଗିଲ୍ ହିଁ ଫଟୋରୁ ସେହି ହତ୍ୟାକାରୀ ଦିଜଣଙ୍କୁ ଚିହ୍ନଟ କରିଥିଲେ। ଜଣକର ନାଆଁ ନାଥୁରାମ ଗଡସେ ଆଉ ଆରଜଣଙ୍କର ନାଆଁ ହେଉଛି ନାରାୟଣ ଆପ୍ତେ। ଗାନ୍ଧୀହତ୍ୟାର ଷଡଯନ୍ତ୍ର ର ଶେଷ ଭାଗରେ ନାଥୁରାମ ଦୁଇ ହଜାର ଆଉ ତିନି ହଜାର ଟଙ୍କାର ଦୁଇଟି ଇନସୁରାନ୍ସ କରିଥିଲା।ସେଥିରେ ଗୋଟିଏ ନାରାୟଣ ଆପ୍ତେର ପତ୍ନୀର ନାଆଁରେ ଆଉ ଆରଟି ଥିଲା ଗାନ୍ଧୀହତ୍ୟା ଷଡଯନ୍ତ୍ରର ଅନ୍ୟତମ ଅଭିଯୁକ୍ତ ନିଜର ସହୋଦର ଗୋପାଳ ଗଡସେର ପତ୍ନୀର ନାଆଁରେ।

ଗାନ୍ଧୀହତ୍ୟା ପରିପ୍ରେକ୍ଷୀରେ ଜାନୁଆରୀ ୩୧ ଆଉ ଫେବ୍ରୁଆରୀ ୧ ଆଉ ୨ ତାରିଖରେ ଦେଶବ୍ୟାପୀ ବିପୁଳ ପ୍ରତିକ୍ରୀୟା ପ୍ରକାଶ ପାଇଥିଲା । ସମ୍ବାଦପତ୍ର ମାନ ମୁଖର ହୋଇ ଉଠିଥିଲେ।ଏକ ସମ୍ବାଦପତ୍ରର “ସଂପାଦକଙ୍କୁ ପତ୍ର”ରେ ଗାନ୍ଧୀଜୀଙ୍କୁ ଯଥୋଚିତ ସୁରକ୍ଷା ଦେବା କାର୍ଯ୍ୟରେ ସଂପୂର୍ଣ୍ଣ ବିଫଳ ହୋଇଥିବା କାରଣରୁ ଭାରତର ଗୃହମନ୍ତ୍ରୀ ତଥା ସର୍ଦ୍ଦାର ବଲ୍ଲଭଭାଇଙ୍କର ଇସ୍ତଫା ଦାବୀ କରାଯାଇଥିଲା। ବିଶେଷତଃ ଫେବ୍ରୁଆରୀ ତିନି ତାରିଖ ଦିନ କିଛି ବାମପନ୍ଥୀ ଦଳ ସର୍ଦ୍ଦାର ପଟେଲ୍ ଙ୍କର ଇସ୍ତଫା ଦାବୀରେ ଦେଶବ୍ୟାପୀ ପ୍ରଦର୍ଶନ କରିଥିଲେ। ଏହି ଘଟଣା ସର୍ଦ୍ଦାର ପଟେଲ୍ ଙ୍କୁ ଖୁବ୍ ବ୍ୟଥିତ କରିଥିଲା। ସେ ସମୟରେ ଗାନ୍ଧୀଜୀ,ଜବାହାରଲାଲ ଆଉ ବର୍ଦ୍ଦୋଳିର ସର୍ଦ୍ଦାର ପଟେଲ,ଏଇ ତିନି ଜଣଙ୍କର ପାରସ୍ପରିକ ସଂପର୍କକୁ ନେଇ ଏକ ଆପ୍ତବାକ୍ୟ ପ୍ରଚଳିତ ଥିଲା।ତାହା ହେଉଛି: “ମହାତ୍ମା ଗାନ୍ଧୀଙ୍କର ହୃଦୟ ଯଦି ଜବାହାରଲାଲ ତେବେ ତାଙ୍କର ମସ୍ତିଷ୍କ ହେଉଛି ବର୍ଦ୍ଦୋଳିର ସର୍ଦ୍ଦାର,ସର୍ଦ୍ଦାର୍ ବଲ୍ଲଭଭାଇ”। ପରବର୍ତ୍ତୀ ଘଟଣାକ୍ରମରେ ସର୍ଦ୍ଦାର ପଟେଲ୍ ଅତ୍ୟନ୍ତ ବ୍ୟଥିତ ହୋଇ ପଣ୍ଡିତ ନେହେରୁଙ୍କୁ ଆଉ ଏକ ପତ୍ର ଲେଖିଥିଲେ। ଆଉ ଏକ ପତ୍ର ବୋଲି ଏଠାରେ ଲେଖିବାର ଉଦ୍ଦେଶ୍ୟ ହେଉଛି ମହାତ୍ମା ଗାନ୍ଧୀଙ୍କ ନିଧନର ଠିକ୍ ପରେ ଏହି ଭଳି ଏକ ଜାତୀୟ ମହାର୍ଘ ସଂପତ୍ତିକୁ ଯଥାଯଥ ସୁରକ୍ଷା ଦେବାକୁ ଅକ୍ଷମ ହୋଇଥିବା କାରଣରୁ ସର୍ଦ୍ଦାର ପଟେଲ୍ ଗଭୀର ବ୍ୟଥାର ସହ ଗୃହମନ୍ତ୍ରୀ ପଦବୀରୁ ତାଙ୍କୁ ତୁରନ୍ତ ଅବ୍ୟାହତି ଦେବାପାଇଁ ପଣ୍ଡିତଜୀଙ୍କୁ ନିବେଦନ କରିଥିଲେ। ମାତ୍ର ପଣ୍ଡିତଜୀ ଗାନ୍ଧୀ-ବିୟୋଗ ରେ ତାଙ୍କର ପ୍ରସିଦ୍ଧ “ଦି ଲାଇଟ୍ ହାଜ୍ ଗନ୍ ଆଉଟ୍” ଭାଷଣଟି ରେଡିଓରେ ଦେଇ ସାରିବା ପରେ ସର୍ଦ୍ଦାର ପଟେଲ୍ ଙ୍କ ସାମ୍ନାସାମ୍ନି ହୋଇଥିଲେ। ଉଭୟଙ୍କର ଆଖି ଲୁହ ଛଳଛଳ। ସେଇଠି ପଣ୍ଡିତଜୀ ସଂଭବତଃ ସର୍ଦ୍ଦାର ପଟେଲ୍ ଙ୍କୁ କହିଥିଲେ,ଆମେ ଗାନ୍ଧୀଜୀଙ୍କୁ ସୁରକ୍ଷିତ କରି ରଖିପାରିଲୁ ନାହିଁ।ସର୍ଦ୍ଦାର ପଟେଲ୍ ଙ୍କ ଇସ୍ତଫା ର ଅଭିପ୍ରାୟ ଠିକ୍ ସେଇ ମୁହୂର୍ତ୍ତରୁ ହିଁ ବାତିଲ୍ ହୋଇଯାଇଥିଲା।

ଏବେ ଫେରିବା ସେଇ ୧୯୪୮ ମସିହାର “ଗାନ୍ଧିଜୀଙ୍କ ସ୍ୱର୍ଗଯାତ୍ରା” ନାମକ ସେଇ ବିଖ୍ୟାତ କାଲେଣ୍ଡର ଛବିକୁ। ଗାନ୍ଧୀଜୀଙ୍କର ଜଳୁଥିବା ଚିତାର ଉଭୟପଟରେ ପ୍ରମୁଖ ଭାଗରେ ଛିଡା ହୋଇ ରହି ନିଜର ଶ୍ରଦ୍ଧାଞ୍ଜଳୀ ଜଣାଉଛନ୍ତି ଚିତାନିଆଁରେ ଜଳିଯାଉଥିବା ଗାନ୍ଧୀଜୀଙ୍କର
ଉଭୟ ହୃଦୟ ଓ ମସ୍ତିଷ୍କ, ପଣ୍ଡିତ ଜବାହାରଲାଲ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍। ଏବଂ ଏହି ଛବିର ଉପର ଭାଗରେ ଆମର ତ୍ରିରଙ୍ଗାଖଚିତ ଏକ ସୁଶୋଭିତ ରଥରେ ସ୍ୱର୍ଗଗାମୀ ହେଉଛନ୍ତି ଆମର ପ୍ରିୟ ଗାନ୍ଧୀଜୀ।ଆପଣମାନେ ଜାଣନ୍ତି ଆମର କାଲେଣ୍ଡରର ଛବିମାନ ସବୁବେଳେ ଆମର ମନସ୍ତତ୍ତ୍ୱର ବା “ସାଇକି” ର ପରିପ୍ରକାଶ।ଆମର ଯାହା ସବୁ ଦୃଷ୍ଟିନନ୍ଦିତ ତଥା ଆଦରର ଉପକରଣ ,ଯାହା ଯାହା ଆମ ପାଇଁ ଏକ ଅନୁକରଣୀୟ ଲକ୍ଷ୍ୟସ୍ଥଳ ଆଉ ଯାହା ଯାହା ଆମ ପାଇଁ ଏକ ଦୈବିକ ପବିତ୍ର ଉପସ୍ଥିତି ସେହି ସବୁକୁ ଆମେ ଆମର ଅତି ନିକଟରେ ରଖିବାକୁ ଚାହିଁଥାଉ।ଏଇଠି ଏହି କାଲେଣ୍ଡରର ଛବିରେ ଆମେ ଆମର ସମକାଳୀନ ରାଜନୀତି,ସମାଜ,ବ୍ୟକ୍ତି ଆଉ ତାହାର ଦେବପଣକୁ ଏକାଠି ବାନ୍ଧି ରଖି ଏକ ଆଗ୍ରହ ଲୋକକ୍ଷେତ୍ର କୁ ଆମ ସାମ୍ନାରେ ରଖିଛୁ। ଏହା ଆମର ମାନସିକତାରେ ଗାନ୍ଧୀ-ଉପସ୍ଥିତି ର ଏକ ସଶକ୍ତ ପ୍ରମାଣ।

ଆଉ ଗୋଟିଏ କଥା କହିବାକୁ ଚାହିଁବି।ଗାନ୍ଧୀଜୀଙ୍କ ଦେହାବସାନ ର ଚଉତିରିଶ ବର୍ଷ ପରେ ଅର୍ଥାତ୍ ୧୯୮୨ ମସିହାରେ ଗାନ୍ଧୀଜୀ ଙ୍କ ଜୀବନ ଓ କର୍ମ କୁ ନେଇ ଗୋଟିଏ ଚଳଚ୍ଚିତ୍ର ଇଂରେଜୀରେ ହୋଇଥିଲା।ଏହି ଛବିର ନିର୍ମାତା ଥିଲେ ସାର୍ ରିଚାର୍ଡ ଆଟେନବର୍ଗ ଆଉ ଗାନ୍ଧୀଜୀ ନାମ ଭୂମିକାରେ ଅଭିନୟ କରିଥିଲେ ବେନ୍ କିଙ୍ଗସ୍ଲେ।ଏହି ଚଳଚ୍ଚିତ୍ର ର ବିଶ୍ୱଯୋଡା ଖ୍ୟାତି ବିଷୟରେ କହିବା ଉପସ୍ଥିତ ଲେଖକର ଅଭିପ୍ରାୟ ନୁହଁ। ଉପସ୍ଥିତ ଲେଖକ ଆପଣମାନଙ୍କୁ ଗୋଟିଏ ରୋଚକ ତଥ୍ୟ ସଂପର୍କରେ ଦୃଷ୍ଟିପାତ କରିବାକୁ ଚାହୁଁଛି।ଏହି “ଗାନ୍ଧୀ” ଚଳଚ୍ଚିତ୍ର ର ଗୋଟିଏ ବିଚିତ୍ର ସୁଖ୍ୟାତି ରହିଅଛି। ଆମର ବିଶ୍ୱ ଶ୍ରେଷ୍ଠ ର ଯେଉଁ ରୋଚକ ରେକର୍ଡ ସଂସ୍ଥା ଅର୍ଥାତ୍ ଗିନିଜ୍ ବୁକ୍ ଅଫ୍ ରେକର୍ଡ ଅଛି ସେଥିରେ ଏହି ଚଳଚ୍ଚିତ୍ର ନାଆଁରେ ଗୋଟିଏ ବିରଳ ରେକର୍ଡ ରହିଅଛି।ସେହି ରେକର୍ଡ ଟି ହେଉଛି ଏହି ଛବିରେ ପୃଥିବୀର ଅନ୍ୟ କୌଣସି ଚଳଚ୍ଚିତ୍ର ର ତୁଳନାରେ ସବୁଠାରୁ ଅଧିକ “ଅତିରିକ୍ତ” ବା ଏକ୍ସଟ୍ରା କାମ କରିଛନ୍ତି। ଚଳଚ୍ଚିତ୍ର ରେ ଏକ୍ସଟ୍ରା ର ଅର୍ଥ ହେଉଛି ଯେଉଁମାନେ ପ୍ରମୁଖ ଅଭିନେତା ଅଭିନେତ୍ରୀ ବ୍ୟତୀତ ଅତିରିକ୍ତ ଭାବରେ ନିଜର ଉପସ୍ଥିତି ସାବ୍ୟସ୍ତ କରିଥାନ୍ତି ।”ଗାନ୍ଧୀ” ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅତିରିକ୍ତ ଙ୍କ ସଂଖ୍ୟା ହେଉଛି ପ୍ରାୟ ତିନି ଲକ୍ଷ।ଗାନ୍ଧୀଜୀଙ୍କ ଶବ ଶୋଭାଯାତ୍ରା ର ଦୃଶ୍ୟକୁ ଚଳଚ୍ଚିତ୍ରାୟଣ କରିବା ପାଇଁ ଆଉ ଏହାକୁ ଐତିହାସିକ କରିବା ପାଇଁ ଚଳଚ୍ଚିତ୍ର ପକ୍ଷରୁ ନିବେଦନ କରାଯାଇଥିଲା ଆଉ ସ୍ୱତଃ ପ୍ରବୃତ୍ତ ହୋଇ ଏଥିରେ ଏହି ବିପୁଳ ଜନସମୁଦ୍ର ଯୋଗ ଦେଇଥିଲେ । ତିନି ଦଶନ୍ଧୀରୁ ଅଧିକ କାଳ ପରେ ଗାନ୍ଧୀ-ଜୀବନୀ ର ଏହି ଭଳି ଏକ ଅଳଙ୍କରଣ କରିବା ପାଇଁ ଭାରତୀୟମାନଙ୍କ ର ଏହି ଭଳି ସ୍ୱତଃସ୍ଫୃର୍ତ୍ତ ଆଗ୍ରହ ପ୍ରମାଣ କରୁଛି ଯେ ଆମ ସହିତ ଆମ ର ଗାନ୍ଧୀ-ସଂପ୍ରୀତି କେତେ ପରିମାଣରେ ନିବିଡ ଭାବରେ ଜଡିତ ରହିଛି ।

°°°°°

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →