ଶ୍ରୀନାଥ ଚାଟାର୍ଜୀ ଓ ଘିବିଲିଫିକେସନ୍‌ରୁ ଡିପଫେକ୍ ଯାଏଁ

ମଧୁ ବର୍ଣ୍ଣବୋଧ ପୁସ୍ତିକାଟି ସହ ପ୍ରାୟ ଆମେ ସଭିଏଁ ପରିଚିତ । ପ୍ରାରମ୍ଭିକ ଭାଷାଜ୍ଞାନ ଶିକ୍ଷାର ଏକ ବହୁ ଆଦୃତ ପାଠ୍ୟ ପୁସ୍ତକ ରୂପେ ଓଡିଶାର ଘରେ ଘରେ ସୁପରିଚିତ । ବହିଟିର ମୂଳ ନାମ ଛବିଳ ବର୍ଣ୍ଣବୋଧ । ଏଥିରେ ପିଲାଟିର ବର୍ଣ୍ଣବୋଧକୁ ସରଳ ଓ ସହଜ କରିବାରେ ସୁନ୍ଦର ଅଙ୍କିତ ଛବିମାନଙ୍କର ପ୍ରଭାବି ଭୂମିକା ରହିଛି । ସେଥିପାଇଁ ତ ଛବିଳ ବର୍ଣ୍ଣବୋଧ । ଏହି ବହିଟିକୁ ଚାହିଁବା ମାତ୍ରେ ପ୍ରଥମରୁ ଯାହା ଆକୃଷ୍ଟ କରେ,ତାହା ମଲାଟ ଉପରେ ଥିବା ବିଲେଇର ଚିତ୍ର । ସେଠାରୁ ପୃଷ୍ଠା ଲେଉଟାଇ ଚାଲିଲେ ଆଦ୍ୟରୁ ପ୍ରାନ୍ତ ଯାଏଁ ବହିଟିକୁ ଛବିଳ କରି ଗଢ଼ି ତୋଳୁଥିବା ସୁନ୍ଦର ସୁନ୍ଦର କଥାକୁହା ଚିତ୍ରମାନଙ୍କୁ ଆମେ ଭେଟୁ ।

ଓଡ଼ିଆ ପ୍ରାଣ ଓ ଅସ୍ମିତାର ଏହି ଅନନ୍ୟ ପାଠ୍ୟ ଖସଡ଼ାର ଧୂରୀଣ ଚିତ୍ରକର ହେଉଛନ୍ତି ଶ୍ରୀନାଥ ଚାଟାର୍ଜୀ । କେହି କେହି ଡାକ ନାମରେ ତାଙ୍କୁ ନିଲୁ ଚାଟାର୍ଜୀ ବୋଲି ମଧ୍ୟ କହିଥାନ୍ତି । ସ୍ୱାଧୀନତା ପରବର୍ତ୍ତୀ ସମୟରେ ଯେତେବେଳେ ଓଡ଼ିଆ ମୁଦ୍ରଣ ଶିଳ୍ପ ଓ ପାଠ୍ୟ ପୁସ୍ତକ ତା’ର ପ୍ରବାହମାନ ଧାରାରେ ଗତିଶୀଳତାର ଇନ୍ଧନ ଭରୁଥିଲା ସେହି ସମୟରେ ଜଣେ ନାମକରା ପ୍ରଚ୍ଛଦ ଶିଳ୍ପୀ ଥିଲେ ନିଲୁ ଦା’ । ଛାପା ଜଗତରେ ନିଜର ଅମଳିନ ମୁଦ୍ରାଙ୍କ ଛାଡ଼ି ଯାଇଛନ୍ତି ସେ । ପ୍ରାଥମିକ ଶିକ୍ଷା ପାଇଁ ଆବଶ୍ୟକ ପଡୁଥିବା ଭାଷା ସାହିତ୍ୟଠାରୁ ଅକ୍ଷର ପୁସ୍ତିକା ପୁଣି କଥା ଉପନ୍ୟାସଠାରୁ ପତ୍ରପତ୍ରିକା ପର୍ଯ୍ୟନ୍ତ ସବୁଠି ମଲାଟର ଚିତ୍ରଣଠାରୁ ଆରମ୍ଭ କରି ବିବିଧ ପୃଷ୍ଠାମାନଙ୍କରେ ତାଙ୍କର ନିଖୁଣ ଚିତ୍ରକାରିତାର ଛାପ ବାରି ହୋଇ ପଡୁଥିଲା । ତୈଳଚିତ୍ର,ଜଳରଙ୍ଗର ଛବି ଓ ପୁଣି ରେଖାଙ୍କନ ପରି ଚିତ୍ରକଳାର ବିଭିନ୍ନ ମାଧ୍ୟମରେ ସେ ଥିଲେ ପାରଙ୍ଗମ । ଆଜି ମଧ୍ୟ ସେ ପାଠ ପଢିଥିବା କେନ୍ଦ୍ରାପଡ଼ା ସହରର ସର୍ବପୁରାତନ ହାଇସ୍କୁଲର ପାଠାଗାରରେ ଲୋକପ୍ରିୟ ଚିକିତ୍ସକ ତଥା ବିଧାୟକ ଡାକ୍ତର ସରୋଜକାନ୍ତ କାନୁନ୍‌ଗୋଙ୍କ ତୈଳଚିତ୍ର ତାଙ୍କ ଅପୂର୍ବ କଳା ଚାତୁରୀର ସ୍ମାରକୀ ରୂପେ ବିଦ୍ୟମାନ । ତାଙ୍କ ବିଷୟରେ ଶୁଣାଯାଏ,ଯେ ସାମ୍ନାରେ ବସିଥିବା ମଣିଷର ଅବିକଳ ରେଖାଚିତ୍ର ବା ସ୍କେଚ ଆଙ୍କିବାରେ ସେ ଥିଲେ ଜଣେ ଅସମ୍ଭବ ଦକ୍ଷତାଧାରୀ ଚିତ୍ରଶିଳ୍ପୀ ।

ବିଂଶ ଶତକର ତୃତୀୟ ଦଶକ ବା ୧୯୩୦ ମସିହା ମଧ୍ୟରେ ଶ୍ରୀନାଥ ଚାଟାର୍ଜୀଙ୍କର ଜନ୍ମ ତତ୍କାଳୀନ କେନ୍ଦ୍ରାପଡ଼ାର ଖ୍ୟାତନାମା ଚାଟାର୍ଜୀ ପରିବାରରେ । ତାଙ୍କ ଜନ୍ମର ସଠିକ୍ ସମୟକାଳ ସଂପ୍ରତି ଠାବ କରିବା କଷ୍ଟକର ଯେହେତୁ ଉତ୍ତରାଧିକାରୀ କହିଲେ କେବଳ ଵୈଧବ ଦଶା ଭୋଗୁଥିବା ଏକମାତ୍ର ଝିଅ ଜୀବିତ ଓ ସେ ଏ ତଥ୍ୟ ପ୍ରଦାନରେ ଅସମର୍ଥ ।ତାଙ୍କର ୭୬ବର୍ଷୀୟ ପୁତୁରା ଉତ୍ପଳ ଚାଟାର୍ଜୀ ସ୍ମରଣ କରି ଶ୍ରୀନାଥଙ୍କ ଆନୁମାନିକ ଜନ୍ମ ୧୯୨୫ କିମ୍ୱା ୨୬ ହେବ ବୋଲି କୁହନ୍ତି ।

୧୮୬୦ ମସିହାରେ କେନ୍ଦ୍ରାପଡ଼ାର ଛୋଟିଆ ସହରକୁ ନେଇ ସ୍ଥାପିତ ହୁଏ ପ୍ରଥମ ସବଡିଭିଜିନାଲ୍ କୋର୍ଟ। ସେହି ପରି ୧୮୬୯ ମସିହାରେ କେନ୍ଦ୍ରାପଡାରେ ସ୍ଥାପିତ ହୁଏ ମ୍ୟୁନିସ୍‌ପାଲଟି । ଏହି ସମୟରେ ବିଲାତରୁ ବାରିଷ୍ଟରୀ ପାଠ ପଢ଼ି କଟକ ହାଇକୋର୍ଟରେ ଆଇନ ବ୍ୟବସାୟ କରୁଥିବା ମୂଳ କଲିକତାର ଅଧିବାସୀ ଶ୍ରୀକୃଷ୍ଣ ଚାଟାର୍ଜୀ ଏଠାରେ ଆସି ଅବସ୍ଥାପିତ ହୁଅନ୍ତି ଏବଂ ଆଇନ ବ୍ୟବସାୟ ଆରମ୍ଭ କରନ୍ତି । ସେଇଠୁ କେନ୍ଦ୍ରାପଡ଼ା ସହରରେ ଭିତ୍ତିପ୍ରସ୍ଥର ପଡ଼େ ବଙ୍ଗାଳୀ କୁଳୀନ ଚାଟାର୍ଜୀ ପରିବାରର । କଟକ ଠାରେ ୧୯୬୯ ମସିହାରେ ଓଡ଼ିଶାର ପ୍ରଥମ ବାର୍ ଆସୋସିଏସନ ଗଠନ ହୁଏ । ଏହାର କିଛି ବର୍ଷ ପରେ ବ୍ରହ୍ମପୁର, ପଛକୁ ବାଲେଶ୍ଵର। ସମୟ କ୍ରମେ ୧୯୦୨ ମସିହା ବେଳକୁ କେନ୍ଦ୍ରାପଡା କୋର୍ଟରେ ପ୍ରଥମ ବାର୍ ଆସୋସିଏସନ ଗଠନ ହୁଏ ଓ ଏହାର ପ୍ରଥମ ସଭାପତି ଭାବେ ଶ୍ରୀକୃଷ୍ଣ ଚାଟାର୍ଜୀ ନିର୍ବାଚିତ ହୁଅନ୍ତି ।

ଶ୍ରୀକୃଷ୍ଣଙ୍କର ଅନ୍ୟତମ ସୁପୁତ୍ର ଥିଲେ ରତ୍ନେଶ୍ୱର ଚାଟାର୍ଜୀ । ଡାକ୍ତରୀ ପାଠରେ ଏଲ୍ଏମ୍‌ପି ପାସ୍‌ କରି ରାଜସ୍ଥାନର ରାଜପୁତନା ମିଲିଟାରୀ ରେଜିମେଣ୍ଟରେ ଚାକିରୀ କରୁଥାନ୍ତି । ମହାତ୍ମା ଗାନ୍ଧୀଙ୍କ କେନ୍ଦ୍ରାପଡ଼ା ଆଗମନ ଓ ସ୍ୱଳ୍ପ ସମୟ ପାଇଁ ତାଙ୍କ ଗୃହରେ ଅବସ୍ଥାନକାଳୀନ ସାନ୍ନିଧ୍ୟ ରତ୍ନେଶ୍ୱର ଚାଟାର୍ଜୀଙ୍କ ଜୀବନର ଗତିପଥ ବଦଳାଇ ଦିଏ । ସ୍ବେଚ୍ଛାକୃତ ଭାବେ ଇଂରେଜି ସରକାରଙ୍କ ଚାକିରୀକୁ ପରିତ୍ୟାଗ କରି କେନ୍ଦ୍ରାପଡ଼ା ସହରରେ ଡାକ୍ତରୀ ପ୍ରାଟିସ୍‌ ଆରମ୍ଭ କରନ୍ତି । ସେତେବେଳେ ଡକ୍ଟର ସରୋଜକାନ୍ତ କାନୁନ୍‌ଗୋ ଓ ଡାକ୍ତର ରତ୍ନେଶ୍ୱର ଚାଟାର୍ଜୀ ଦୁଇ ଏଲ୍ଏମ୍‌ପି ଉତ୍ତୀର୍ଣ୍ଣ ଚିକିତ୍ସକ କେନ୍ଦ୍ରାପଡ଼ା ସହରରେ ନିଜର ଘରୋଇ କ୍ଲିନିକ୍ କରି ଚିକିତ୍ସା ସେବା ପ୍ରଦାନ କରୁଥିଲେ । ମାତ୍ର ରତ୍ନେଶ୍ୱରଙ୍କ ଡାକ୍ତରୀ ପେଶା ସହ ଅଦ୍ଭୁତ ବିରୋଧାଭାସ ଭାବେ ଗୁଣି ବିଦ୍ୟା ଓ ତନ୍ତ୍ରସାଧନା ପରି ଅଭ୍ୟାସ ରହିଥିଲା ।

ଶ୍ରୀନାଥ ଚାଟାର୍ଜୀଙ୍କ ଦ୍ୱାରା ଅଙ୍କିତ ତାଙ୍କ ବାପା ରତ୍ନେଶ୍ୱର ଚାଟାର୍ଜୀ

ଏହି ରତ୍ନେଶ୍ୱର ଚାଟାର୍ଜୀଙ୍କ ଷଷ୍ଠ ସନ୍ତାନ ହେଉଛନ୍ତି ଶ୍ରୀନାଥ ଚାଟାର୍ଜୀ । ଖୁବ୍ ପିଲାବେଳୁ ତାଙ୍କ ଭିତରେ ଉଙ୍କି ମାରିଥିଲା ଚିତ୍ର ଓ ସଙ୍ଗୀତ ପ୍ରତି ଅପାର ଦୁର୍ବଳତା । ସ୍ଥାନୀୟ କେନ୍ଦ୍ରାପଡ଼ା ହାଇସ୍କୁଲରୁ ମାଟ୍ରିକ୍ ପାସ୍‌ କରିବା ପରେ ନିଜ ରୁଚି ଓ ଆଗ୍ରହର ଚରିତାର୍ଥ ନିମନ୍ତେ ପାଠ ପଢିବାକୁ କାଲ୍‌କାଟା ଆର୍ଟ କଲେଜରେ ନାମ ଦାଖଲ କରନ୍ତି । ସଫଳତାର ସହିତ ଉତ୍ତୀର୍ଣ୍ଣ ହେବାପରେ ପ୍ରଥମେ କିଛି କାଳ ଚିତ୍ରକର ରୂପେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି ସେହି କଲିକତା ସହରରେ । କଟକରେ ସେତେବେଳେ ଛାପା ପାଠ୍ୟ ପୁସ୍ତକ ଓ ମୁଦ୍ରଣ ଶିଳ୍ପ ବିକାଶର ପଥ ଧରିଥାଏ । ନିମନ୍ତ୍ରଣ ପାଇଁ ବାହୁଡ଼ି ଆସନ୍ତି ଓଡିଶା ମାଟିକୁ । ପ୍ରାୟ ଅଶୀ ଦଶକ ପର୍ଯ୍ୟନ୍ତ ଏହି କଟକ ହିଁ ପାଲଟେ ଉଭୟ ତାଙ୍କ ବୃତ୍ତି ଓ କୃତିର ପରୀକ୍ଷାଗାର । ସୁପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ଓଡିଶା ବୁକ୍‌ସ ଏମ୍ପୋରିୟମ୍ ପାଲଟେ ତାଙ୍କ ଚିତ୍ର ନିର୍ମାଣର କର୍ମଶାଳା । ଏହାର ସତ୍ୱାଧିକାରୀ ଦେବବ୍ରତ କରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନ ଓ ପୃଷ୍ଠପୋଷାକତାରେ ଜଣେ ସଫଳ ଆର୍ଟିଷ୍ଟ ଭାବେ ସେ ନିଜର ପରିଚୟ ସୃଷ୍ଟି କରନ୍ତି । କେବଳ ଓଡିଶା ବୁକ୍‌ସ ଏମ୍ପୋରିୟମ୍ ପ୍ରକାଶନ ସଂସ୍ଥାର ପାଠ୍ୟ ଓ ଅନ୍ୟାନ୍ୟ ପୁସ୍ତକ ବ୍ୟତୀତ ତତ୍କାଳୀନ ଓଡିଶାର ପ୍ରକାଶନ ସଂସ୍ଥାର ପ୍ରାଣକେନ୍ଦ୍ର ବାଲୁବଜାରର ଅନ୍ୟ ସବୁ ପ୍ରକାଶନୀ ସଂସ୍ଥାର କାମ ମଧ୍ୟ ବଳକା ସମୟ ଦେଖି କରିଥାନ୍ତି । ତାଙ୍କ ହାତର ଅଙ୍କିତ ଚିତ୍ରର ଆଧାରରେ ବ୍ଲକ ପ୍ରସ୍ତୁତ ହୋଇ ଅସଂଖ୍ୟ ପୁସ୍ତକ ମୁଦ୍ରିତ ହେଉଥିଲା ।

ନିଜ କଳା ଦକ୍ଷତାର ଉତ୍କର୍ଷ ସୀମାକୁ ଛୁଇଁ ସାରିଥିବା ଶ୍ରୀନାଥ ଚାଟାର୍ଜୀଙ୍କର କ୍ୟାରିୟରର ବୃତ୍ତିଗତ ଜୀବନ ସମ୍ପୂର୍ଣ୍ଣ କାଳ ମୁଦ୍ରିତ ପୁସ୍ତକ ସାମ୍ରାଜ୍ୟର ପେଣ୍ଠ କଟକ ସହରରେ ତିଷ୍ଠି ରହିପାରେନା । ୧୯୮୦ ମସିହାର ସାମାନ୍ୟ ଉପରାନ୍ତ କଥା । ମୁଁ ପଢୁଥାଏ କେନ୍ଦ୍ରାପଡ଼ାର ସାନ୍ତସାହି ଉନ୍ନତ ପ୍ରାଥମିକ ବିଦ୍ୟାଳୟରେ । ବୋଧହୁଏ ପଞ୍ଚମ ଶ୍ରେଣୀ ହୋଇଥିବ । ଦେଖୁଥିବା ଦୁନିଆକୁ ବୁଝିବାରେ ସାମାନ୍ୟ ହେତୁ ଆସି ସାରିଥାଏ । ସ୍କୁଲ ଛୁଟିରେ ଉପରାନ୍ତେ ଫେରିବା ବାଟରେ ଅନେକ ଥର ମୋର ଆଖି ଝୁଣ୍ଟେ ଗୋଟେ ଚିରା ଚରିତ ଦୃଶ୍ୟ ସହ । ସାମ୍ନା ପଟ ରାସ୍ତାରୁ ବଳଦେବଜୀଉ ପାୱାରଲୁମ୍ ତିଆରି ଘନ ନୀଳର ଲୁଙ୍ଗି ସାଙ୍ଗକୁ ମଇଳା ଧଳା ହାପ ସାର୍ଟ ଖଣ୍ଡେ ପିନ୍ଧି ମାତାଲ ଅବସ୍ଥାରେ ଦୋହଲି ଦୋହଲି ମୋତେ ଅତିକ୍ରମ କରି ଯାଉଥିବା ଜଣେ ଗୌରବର୍ଣ୍ଣ ପକ୍ୱକେଶୀ ବୃଦ୍ଧଙ୍କୁ । ତାଙ୍କ ଓଠ ଥଙ୍ଗ ଥଙ୍ଗ ହୋଇ ଲହରାଉଥାଏ ପୁରୁଣା ହିନ୍ଦୀ ହିଟ୍ ଗୀତ-“ମଧୁବନ୍ ମେ ରାଧିକା ନାଚେରେ…””। କୌତୁହଳତାର ସହ ବୁଝୁ ବୁଝୁ ଜାଣେ, ଇଏ ହେଉଛନ୍ତି ନିଲୁ ଚାଟାର୍ଜୀ । ଡାକ୍ତର ରତନ ବା ରତ୍ନେଶ୍ୱର ଚାଟାର୍ଜୀଙ୍କ ପୁଅ । ଭାରି ସୁଦକ୍ଷ ଚିତ୍ରଶିଳ୍ପୀ । ତାଙ୍କର ଫେରିବା ବାଟରେ ଦେଶୀ ମଦର ଗନ୍ଧ ସହ ହିନ୍ଦୀ ସିନେମା ଗୀତର ସୁର୍ ମିଶି ଗୋଟେ ବିଚିତ୍ର କିସମର କକ୍‌ଟେଲ୍‌ ପରି ବାସେ ନାକକୁ । ଚିତ୍ର,ମଦ ଓ ଗୀତ;ଏହି ତିନୋଟି ତାଙ୍କ ଶେଷ ଜୀବନର ଯେପରି ଚାଳିକା ଶକ୍ତି ଥିଲେ । ପୁଣି ତାଙ୍କର ଫେବୋରାଇଟ୍ ସିଙ୍ଗର ଥିଲେ କେଏଲ୍ ସାଇଗଲ୍ । ପେଟ ଭିତରକୁ ଦୁଇ ଢ଼ୋକ ମଦ ପଶିଗଲେ,ତାହା ଭିତରେ ଭିତରେ ଗୋଟିଏ ମଧୁର ଘୁର୍ଣ୍ଣିଝଡ଼ ପାଲଟି ଗୋଟିଏ ପରେ ଗୋଟିଏ ଗୀତର ସୁରକୁ ଉଗାଳି ପକାଇଥାଏ ବାହାରକୁ । ଏମିତି ମଧ୍ୟ ଶୁଣାଯାଏ,ଅଳ୍ପ କିଛି ପଇସା କିଏ ତାଙ୍କ ହାତକୁ ବଢ଼ାଇ ଦେଲେ ସେ ସଙ୍ଗେ ସଙ୍ଗେ କାନ ସନ୍ଧିରେ ଗେଞ୍ଜିଥିବା ପେନସିଲ୍‌କୁ ଓଟାରି ପଟିଲି ଉପର ସଫେଦ କାଗଜରେ ଅବିକଳ ରେଖାଙ୍କିତ ସ୍କେଚଟିଏ ଆଙ୍କି ବଢ଼ାଇ ଦିଅନ୍ତି ହାତକୁ । ବାସ୍,ତା’ପରେ ସେହି ରେଜା ପଇସାକୁ ଧରି ବଳଗଣ୍ଡି ବଜାରର ରାସ୍ତା କଡ଼େ ଥିବା ଦେଶୀ ମଦ ଭାଟି ଆଡକୁ ଟାଣି ହୋଇ ଯାଆନ୍ତି ଆପଣା ଛାଏଁ । ସେହି ମଦ ହିଁ ପାଲଟେ ତାଙ୍କ ଦୀର୍ଘ ମିଆଦି ପେଟ ବେମାରୀ ଓ ଅକାଳ ମୃତ୍ୟୁର କାରଣ । ୧୯୯୦ ମସିହାରେ ଶ୍ରୀନାଥଙ୍କ ଜୀବନ ଡୋରୀ ବାନ୍ଧି ହୋଇଯାଏ ସବୁଦିନ ପାଇଁ ।

ଆଜି ଯେତେବେଳେ ଆମେ ଚିତ୍ରକଳାର ସର୍ବୋତ୍ତମ ପ୍ରଯୁକ୍ତିଗତ ଅବତାର ରୂପେ ଘିବିଲିଫିକେସନ୍‌ ଓ ଡିପଫେକ୍ ପର୍ଯ୍ୟାୟରେ ପହଞ୍ଚି ସାରିଛୁ,ସେତେବେଳେ ମୂଳ ଚିତ୍ରକୁ ସହସ୍ରଗୁଣରେ ମହିମାବନ୍ତ କରିବାଠାରୁ ଆରମ୍ଭ କରି ଖଳ କାରସାଦିର ଅକ୍ଷୁର୍ଣ୍ଣ ଅସ୍ତ୍ର ରୂପେ ମଧ୍ୟ ପ୍ରୟୋଗ କରି ପାରୁଚୁ । ଏପରି କି ରାଜା ରାଓ କିମ୍ବା ମକ୍‌ବୁଲ ଫିଦା ହୁସେନଙ୍କ ଚର୍ଚ୍ଚିତ ଚିତ୍ରକୃତିର ଚମକକୁ ସୁଦ୍ଧା କୃତିମ ବୁଦ୍ଧିମତାର ପ୍ରୟୋଗରେ ବଳିୟାନ ଏହି ଘିବିଲିଫିକେସନ୍‌ ଓ ଡିପଫେକ୍ ଅସରନ୍ତି ଆହ୍ୱାନ ସୃଷ୍ଟି କରିଛି । ଏପରି କି ଡିପଫେକ୍‌ର ନକାରାତ୍ମକ କଳାସୃଷ୍ଟିକୁ ପ୍ରତିହତ କରିବା ପାଇଁ ବିଭିନ୍ନ ଦେଶରେ ସ୍ୱତନ୍ତ୍ର ଆଇନ ସବୁ ପ୍ରଣୟନର ଆରମ୍ଭ ହେଲାଣି ।

ସେହି ସମୟରେ ପଛକୁ ମୁହଁ ଘୂରାଇ ଚାହିଁଲେ ଯଦିଓ ବେଶ ନିଷ୍ପ୍ରଭ ଲାଗନ୍ତି ନିଲୁ ଦା’ ଓରଫ ଆର୍ଟିଷ୍ଟ ଶ୍ରୀନାଥ ଚାଟାର୍ଜୀ । ତଥାପି କୁହୁଡି ସେପଟେ ଏକ କାନଭାସରେ ଅଙ୍କା ଏକ ଅମ୍ଳାନ ରେଖା ରଙ୍ଗର କଳାକୃତି ପରି ଅବିମିଶ୍ର ବିଶୁଦ୍ଧତାରେ ଭାସ୍ଵର ଜଣା ପଡନ୍ତି ତାଙ୍କ ହାତର ଚିତ୍ରମୟ ଗାରସବୁ । ଯେପରି ଘିବିଲିଫିକେସନ୍‌ ଓ ଡିପଫେକ୍‌ର ଏହି ନବ ପ୍ରଜନ୍ମର କଳା କୌଶଳ ମଧ୍ୟରେ ତଥାପି ବାରି ହୋଇପଡ଼େ ଛବିଳ ବର୍ଣ୍ଣବୋଧର ଅତୁଳନୀୟ ଚିତ୍ରାକ୍ଷର ।

ମାଧପୁର, କେନ୍ଦ୍ରାପଡା
ସମ୍ପର୍କ : ୯୬୫୮୮୧୦୨୪୪