ଅଲ୍ ସୋଲସ୍ ଡେ

” ଅଲ୍ ସୋଲସ୍ ଡେ” ବୋଲି ଗୋଟିଏ ଦିବସ ରହିଛି। ପ୍ରତି ବର୍ଷ ନଭେମ୍ବର ମାସ ୨ ତାରିଖ ଦିନ ଏହା ପାଳିତ ହୋଇଥାଏ । “ଅଲ୍ ସୋଲସ୍ ଡେ” କୁ ଆମ ଭାଷାରେ ତର୍ଜମା କଲେ ଏହା ହେବ “ସମସ୍ତ ଆତ୍ମାର ଦିବସ”। ଏବଂ ଏହା ଏକ ଖ୍ରୀଷ୍ଟାନ୍ ପର୍ବ ।

ଏହି ଦିନ ପୃଥିବୀର ଲୋକମାନେ ସମସ୍ତ ମୃତବ୍ୟକ୍ତିଙ୍କୁ ରାତିରେ ପାନଭୋଜନ ପାଇଁ ନିମନ୍ତ୍ରଣ କରିଥାନ୍ତି । ଭଲ ଭଲ ସୁସ୍ୱାଦୁ ଖାଦ୍ୟ ଏଠାରେ ପ୍ରସ୍ତୁତ ହୋଇଥାଏ ,ଅତି ଉନ୍ନତମାନର ମଦ ସେମାନଙ୍କ ପାଇଁ ଅଣାଯାଇଥାଏ ଆଉ ଘରକୁ ବି ସେଇଥିପାଇଁ ବେଶ୍ ସଜାସଜି କରାଯାଇଥାଏ । କହିବାକୁ ଗଲେ ଅନ୍ୟପକ୍ଷରେ ମୃତଲୋକ ନିବାସୀ ଗଣ ଏଇ ଭଳି ଦିନକୁ ବର୍ଷସାରା ଯଥେଷ୍ଟ ଆଗ୍ରହର ସହ ଅପେକ୍ଷା କରି ରହିଥାନ୍ତି । ଏମିତି ଅପେକ୍ଷା କରିବା ତ ସ୍ୱାଭାବିକ କଥା କାରଣ ଆପଣମାନେ ଜାଣନ୍ତି ସ୍ୱର୍ଗଲୋକ ଆଉ ଯାହାହେଉନା କାହିଁକି ସେଠାରେ ପରିବର୍ତ୍ତନ ବୋଲି କୌଣସି ଶବ୍ଦ ନାହିଁ । ସେଠାରେ ସବୁ କିଛି ସ୍ଥିର ବୋଲି ଆମେ ପଢିଛୁ । ଆଉ ଏକଥାବି ପଢିଛି ଯେ ସେଠାରେ ସବୁକିଛି ସୁନ୍ଦର । ଆମର କ୍ଷୁଦ୍ର ପାର୍ଥିବ ଦୃଷ୍ଟିରେ ଏକଥା କଦାପି ବୋଧଗମ୍ୟ ହେବନାହିଁ ଯେ ଯାହା ସ୍ଥିର ତାହା କେମିତି ସୁନ୍ଦର ହେବ । ଆମେ ଅସ୍ଥିର ବୋଲି ଆମେ ଦେଖୁଥିବା ବସ୍ତୁମାନ ଅସ୍ଥିର ଆଉ ଏହି ଅସ୍ଥିରତାର ବହୁବର୍ଣ୍ଣି ରଂଗ ସବୁବେଳେ ଛିଟିକି ପଡୁଥାଏ ଚାରିଆଡ ବୋଲି ସବୁକିଛି ଆମର ଏଇଠି ସୁନ୍ଦର । ସ୍ୱର୍ଗର ନନ୍ଦନକାନନକୁ ସ୍ଥିର ମୃତ ଲୋକଙ୍କ ଆଖିରେ ସତରେ କେମିତି ସୁନ୍ଦର ଦେଖାଯାଉଥିବ,ସେଇଭଳି ପ୍ରଶ୍ନ ଉପସ୍ଥିତ ଲେଖକର ରହିଛି । ଉପଯୁକ୍ତ କାହାକୁ ଦେଖିଲେ ସେ ସେଇକଥା ଏଇଠୁ ଯିବା ଆଗରୁ ଭଲକରି ବୁଝିନେବ । ସେ ଯାହାହେଉ ନନ୍ଦନକାନନ କଥା ପଛକୁ ଥାଉ ସ୍ୱର୍ଗରେ ମୃତଲୋକଙ୍କୁ ଯେଉଁ ଖାଦ୍ୟ ଦିଆଯାଉଥିବ ସେଥିରେ କ’ଣ କିଛି ପରିବର୍ତ୍ତନ ହେଉଥିବ ? ଆମର ଏଠାରେ କଏଦୀମାନଙ୍କୁ ବି ପ୍ରତିଦିନ ର ଖାଦ୍ୟର ମେନୁକୁ ବଦଳାଯାଉଛି । ବିଚରା ମୃତଲୋକ ମାନେ ନିଜର ସବୁଦିନର ସମାନଖାଦ୍ୟରେ ଭାରି କକର୍ଥନା ଭୋଗୁଥିବେ। ନିଜର ଜିଭସୁଆଦ ପାଇଁ ସେମାନେ ଏଇଭଳି ଅଲ୍ ସୋଲସ୍ ଡେ ରେ ଏଠିକାର ଲୋକଙ୍କର ରାତ୍ରଭୋଜ ନିମନ୍ତେ ନିମନ୍ତ୍ରଣକୁ ଅପେକ୍ଷା କରି ବସିବା କଥା ନିଧାର୍ଯ୍ୟ । ପୃଥିବୀର ଖାଦ୍ୟ ବୋଲି କଥା।ତାହାର ପଟାନ୍ତର ଅନ୍ୟତ୍ର କାହୁଁ ?

୨ ନଭେମ୍ବର ର ଏହି ଅଲ୍ ସୋଲସ୍ ଡେ କୁ ଖ୍ରୀଷ୍ଟାନ ମାନେ ଏକ ପାରମ୍ପରିକ ଦିନ ହିସାବରେ ପାଳନ କରିଥାନ୍ତି । ମେକ୍ସିକୋ ରେ ଏଇ ଦିନକୁ ” ଦିଆ ଦେ ଲସ୍ ମୁରତସ୍” ବା “ମୃତଲୋକର ଦିନ” ବୋଲି କହିଥାନ୍ତି । ବିଶେଷତଃ ମେକସିକୋ ର ଆଜଟେକ୍ ସାମ୍ରାଜ୍ୟରେ (୧୪୨୮-୧୫୪୧ ଖ୍ରୀଅ) ପ୍ରଚଳିତ ଲୋକ ପରଂପରାରେ ଏଇ ଭଳି ମୃତଲୋକ ସହିତ ଗୋଟିଏ ଦିନ ବିତାଇବା ଭଳି ବ୍ୟବସ୍ଥାପନା ରହିଥିଲା ଆଉ ଏଇ ପରଂପରା ସହିତ କ୍ରମଶଃ ଖ୍ରୀଷ୍ଟାନ ପ୍ରତୀକବାଦ ଜଡିତ ହୋଇଯାଇଥିଲା । ଷୋଡଶ ଶତାବ୍ଦୀର ମଧ୍ୟଭାଗର ସ୍ପେନୀୟ ମାନେ ଆଜଟେକ୍ ଅଧିକାର କରିବା ପରେ ଖ୍ରୀଷ୍ଟାନ ପ୍ରତୀକବାଦ ସେଠିକାର ପରଂପରାକୁ କବଳିତ କରିଥିଲା । ଇଊରୋପୀୟ ଖ୍ରୀଷ୍ଟାନ ମିଶନାରୀମାନେ ଖ୍ରୀଷ୍ଟଧର୍ମ ପ୍ରଚାର କରି ନିଜର ପରିସରକୁ ବ୍ୟାପକ ଆଉ ବିସ୍ତୃତ କରିବାକୁ ସର୍ବଦା ଚେଷ୍ଟିତ ଥିଲେ । କିନ୍ତୁ ଏଇଭଳି ପ୍ରୟାସ କରିବା ବେଳେ ସେମାନେ ସର୍ବଦା ସଚେତନ ଥିଲେ ଯେ କୌଣସି ଅଂଚଳର ପାରଂପାରିକ ଆଧ୍ୟାତ୍ମିକ ପ୍ରଥାଗୁଡିକୁ ସଂପୂର୍ଣ୍ଣ ବିନଷ୍ଟ କରିବା ସେମାନଙ୍କର ଧର୍ମ ପ୍ରଚାରଭିତ୍ତିକ ଆଭିମୁଖ୍ୟ ପକ୍ଷରେ ଶୁଭଙ୍କର ହେବନାହିଁ । ତେଣୁ ସେମାନେ ସେହି ସ୍ଥାନୀୟ ଲୋକ ପରଂପରାଗତ ପ୍ରଥା ରେ ଖ୍ରୀଷ୍ଟୀୟ ପ୍ରତୀକବାଦ ଆରୋପଣ କରିବା ସହ ତାହାକୁ ଏକପ୍ରକାର ଆତ୍ମସ୍ଥ କରି ନେଇଥିଲେ । ଅନ୍ୟ ଭାବରେ କହିଲେ ଏହାଦ୍ୱାରା ସେମାନେ ଖ୍ରୀଷ୍ଟାନ ପରଂପରାକୁ ପ୍ରାକ୍ ଖ୍ରୀଷ୍ଟାନ ପରଂପରାର ସହାୟତାରେ ପ୍ରତିଷ୍ଠିତ କରୁଥିଲେ । ଖ୍ରୀଷ୍ଟଧର୍ମରେ ଇଷ୍ଟର ଭଳି ଯେତେକ ପ୍ରମୁଖ ଉତ୍ସବର ଦିନମାନ ଆଜି ପାଳନ କରାଯାଏ ସେ ସମସ୍ତ ର ଉତ୍ସ ସବୁବେଳେ ପ୍ରାକ୍-ଖ୍ରୀଷ୍ଟାନ ପଂରପରା ତଥା ଧାର୍ମିକ ପ୍ରଥାରେ ରହିଅଛି ।

ମେରିଗୋଲ୍ଡ ବା ଗେଣ୍ଡୁଫୁଲ ର ଗୋଟିଏ ବିଶେଷ ମହତ୍ତ୍ୱ ମେକ୍ସିକୋ ର ପରପଂରାରେ ରହିଛି । ଗେଣ୍ଡୁଫୁଲ କୁ ସେମାନେ “ମରଣର ଫୁଲ ବା ଦି ଫ୍ଲାୱାର ଅଫ୍ ଡେଥ୍ ବୋଲି କୁହାଯାଏ । ମେରିଗୋଲ୍ଡ ର ବାସ୍ନା ରେ ମୃତଲୋକମାନେ ଆକର୍ଷିତ ହୋଇ ପୃଥିବୀକୁ ଆସନ୍ତି ଆଉ ସେମାନଙ୍କର ପାର୍ଥିବ ପରିଜନମାନଙ୍କ ସଂପର୍କକୁ ଆଉ ଥରେ ଉଜ୍ଜୀବିତ କରିବା ଭଳି ଆନନ୍ଦମୟ ପରିବେଶ ରେ ରହିବାକୁ ସୁଖ ମଣିଥାନ୍ତି। ମେକ୍ସିକୋ ର ଲୋକେ ନିଜର ମୃତ ପ୍ରିୟଜନଙ୍କ ପାଇଁ ଅତି ସୁନ୍ଦର ସୁନ୍ଦର ବ୍ରେଡ୍ ମାନ ପ୍ରସ୍ତୁତ କରିଥାନ୍ତି ।ସେହି ବ୍ରେଡ୍ କୁ ଭିନ୍ନ ଭିନ୍ନ ଫୁଲରେ ସୁସଜ୍ଜିତ କରାଯାଇଥାଏ । ସେହି ଫୁଲ ଗୁଡିକ ଅସଲରେ ଖାଇବା ଫୁଲ ବା ଏଡିବ୍ଲ ଫ୍ଲାୱାର୍ସ । କହିବା କଥା ହେଉଛି ମୃତ ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ବ୍ରେଡ୍ ରେ ମେକ୍ସିକୋ ର ଲୋକେ ଗେଣ୍ଡୁଫୁଲ ବା ମେରିଗୋଲ୍ଡ ର ବ୍ୟବହାର କରନ୍ତି ନାହିଁ । ଏଇଠି କହିବା କଥା ହେଉଛି ସେ ସମୟରେ ଯେଉଁ ଫୁଲମାନ ମଣିଷର ଖାଇବାର ତାଲିକାରେ ରହୁଥିଲା ତାହା ଭିତରେ ମେରିଗୋଲ୍ଡ ଥିଲା ମାତ୍ର ଏହା “ମରଣର ଫୁଲ” ହୋଇଥିବାରୁ ମେକ୍ସିକୋର ଲୋକେ ଏହାକୁ ନିଜର ଖାଇବା ତାଲିକା ବାଦ ଦେଉ ଥିଲେ। “ଅଲ ସୋଲସ୍ ଡେ” ରେ ମେକ୍ସିକୋର ଲୋକେ ମୃତଲୋକ ମାନଙ୍କ ପାଇଁ ବ୍ରେଡ୍ ସହିତ ଚିନିରେ ମିଠାମାନ ପ୍ରସ୍ତୁତ କରୁଥିଲେ । ଏହି ଚିନିରେ ତିଆରି ମିଠା ଗୁଡିକ ଖପୁରୀ ଆକାରର ଆଉ ହାଡ ଆକାର ର ଥିଲା।

ମେକ୍ସିକୋର ସେହି ଆଜଟେକ୍ ସମୟରେ ମୃତଲୋକଙ୍କ ପାଇଁ ଯେଉଁ ବିଶେଷ ବ୍ରେଡ୍ ପ୍ରସ୍ତୁତ ହେଉଥିଲା ତାହାକୁ ପରେ ଇଂଲଣ୍ଡ ରେ “ସୋଲମାସ୍ ଲୋଭ୍” ବୋଲି କୁହାଯାଉଥିଲା । ଅନେକ ସମୟରେ ସେମାନେ ଏଇଭଳି “ସୋଅଲମାସ୍ ଲୋଭ୍” କୁ ତିଆରି କରି ନିଜ ଘରେ ପ୍ରାୟ ବର୍ଷେ ଯାଏଁ ସୁରକ୍ଷିତ କରି ରଖୁଥିଲେ। ଏହା ଫଳରେ ସେମାନଙ୍କ ଘରେ କୌଣସି ଅଶରୀରୀ ଦୁରାତ୍ମା ର କୁଦୃଷ୍ଟି ପଡିବ ନାହିଁ ବୋଲି ସେମାନଙ୍କର ବିଶ୍ୱାସ ଥିଲା ।

ଆଜଟେକ୍ ମାନେ “ମୃତଲୋକଙ୍କ ଦିବସ” ବା ଅଲ ସୋଲସ୍ ଡେ ରେ ମୃତଲୋକଙ୍କୁ ରାତ୍ରୀଭୋଜନ ପାଇଁ ନିମନ୍ତ୍ରଣ କରିବା ର ସଂପୂର୍ଣ୍ଣ ପ୍ରକ୍ରୀୟାରେ ଗୋଟିଏ ବଡ ଅସୁବିଧା ଦେଖାଯାଉଥିଲା । ପାନ ଆଉ ଭୋଜନର ଆକର୍ଷଣରେ ମୃତଲୋକମାନେ ସ୍ୱର୍ଗରାଜ୍ୟରୁ ଏଠିକୁ ଆସିବା ପାଇଁ ଅତ୍ୟଧିକ ଆଗ୍ରହ ପ୍ରକାଶ କରୁଥିଲେ । ଏମିତିରେ ଯଦି ହିସାବ କରାଯିବ ତେବେ ଆମେ ଦେଖିବା ଯେ ପୃଥିବୀରୁ ଯେତେ ଲୋକ ମରଣଲାଭ କରିଛନ୍ତି ସେମାନଙ୍କର ତୁଳନାରେ ଯେତେ ଏଠାରୁ ବିଦାୟ ନେଲେଣି ସେମାନଙ୍କର ସଂଖ୍ୟା ଯଥେଷ୍ଟ ଅଧିକ । ଏପଟେ ମରଣରେ ଯେଉଁମାନେ ବସବାସ କରୁଛନ୍ତି ସେମାନଙ୍କ ଭିତରୁ ପ୍ରତ୍ୟେକଙ୍କୁ ବାଛି ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିଙ୍କୁ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରିବା ସହଜ କଥା ନୁହଁ,ଯେତେବେଳେ ମରଣ ସମସ୍ତଙ୍କୁ ଗୋଟିଏ ସମାନ ସ୍ତର ଓ ଅବସ୍ଥାନ ପ୍ରଦାନ କରିଅଛି । ଆଉ ସବୁ ମୃତଲୋକ ଯଦି ପୃଥିବୀର ଖାଦ୍ୟ ପାନୀୟ ର ଆକର୍ଷଣରେ ଏଠିକୁ ଆସିଯାଆନ୍ତି ତେବେ ସେମାନଙ୍କର ବିପୁଳ ସଂଖ୍ୟାକୁ ଏଠାରେ ସେମିତି ଉପଯୁକ୍ତ ଆତିଥ୍ୟ ପ୍ରଦାନ କରାଯାଇପାରିବ ନାହିଁ,ସେମାନେ ଯେତେବେଳେ ବର୍ଷକୁ ଥରେ ଆସୁଛନ୍ତି । ଏହି “ଅଲ୍ ସୋଲସ୍ ଡେ” ରେ ଏଇଠୁ ଆମର ସମସ୍ତ ମୃତଲୋକଙ୍କୁ ୨ ନଭେମ୍ବର ରେ ରାତ୍ରୀଭୋଜନ ପାଇଁ ନିମନ୍ତ୍ରଣ ଦିଆଯାଏ ଆଉ ପୃଥିବୀ ଲୋକଙ୍କ ସୁବିଧା ପାଇଁ ସ୍ୱର୍ଗରେ ଆର୍କଆଞ୍ଜେଲ୍ ମାଇକେଲ୍ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କର୍ମ ସଂପାଦନ କରିଥାଏ । ସବୁ ମୃତଲୋକ ଯେତେବେଳେ ଏଇ ଭଳି ନିମନ୍ତ୍ରଣ ରକ୍ଷା କରି ପୃଥିବୀ କୁ ରାତିକ ପାଇଁ ଯିବାପାଇଁ ଆଗ୍ରହୀ ସେମାନଙ୍କର ସାମ୍ନାରେ ଗୋଟିଏ ବଡ ପ୍ରତିବନ୍ଧକ ଆକାରରେ ସେତେବେଳେ ଠିଆ ହୋଇଥାଏ ସେଇ ଆର୍କ ଆଞ୍ଜେଲ୍ ମାଇକେଲ୍ ,ତାହାର ହାତରେ ଥାଏ ଗୋଟିଏ ବଡ ତରାଜୁ । ସେ ସବୁ ମୃତଲୋକଙ୍କୁ କଡା ନିର୍ଦ୍ଦେଶ ଦିଏ,ଆସ , ଧାଡିବାନ୍ଧି ଆସ। ତାହାପରେ ସେ ସେହି ତରାଜୁରେ ମୃତଲୋକଙ୍କୁ ଜଣକ ପରେ ଜଣଙ୍କୁ ଓଜନ କରେ । ଯେଉଁମାନେ ଓଜନରେ ଭାରି ହୁଅନ୍ତି ସେଇମାନଙ୍କୁ ପୃଥିବୀକୁ ଫେରିଯାଇ ” ଅଲ୍ ସୋଲସ୍ ଡେ” ର ଭୋଜିରେ ଯୋଗ ଦେବାପାଇଁ ସେ ଅନୁମତି ଦେଇଥାଏ । ଏଇଠି ପ୍ରଶ୍ନ ଉଠୁଛି ମୃତ ଲୋକ ର ଓଜନ କ’ଣ ? ସମସ୍ତେ ହାଲୁକା ହୋଇ ଏଇଠୁ ସେଠିକି ଉଡିଯାଇଥାଆନ୍ତି ବୋଲି ଆମର ଧାରଣା । ମାତ୍ର ଆର୍କ ଆଞ୍ଜେଲ୍ ମାଇକେଲ୍ ସେମାନଙ୍କୁ ଓଜନ କରିଥାଏ ଆଉ ଯେଉଁମାନେ ପୃଥିବୀରେ ଥିବାବେଳେ ସଦଗୁଣ ଆଉ ଲୋକହିତରେ ବ୍ୟସ୍ତ ରହିଥିଲେ ସେମାନେ ମୃତଲୋକଙ୍କ ଭିତରେ ଅଧିକ ଓଜନର ହୋଇ ଥାଆନ୍ତି ଏବଂ ସେଇମାନଙ୍କୁ ହିଁ ପୃଥିବୀକୁ ଯିବାକୁ ଅନୁମତି ମିଳିଥାଏ ।

ଆର୍କ ଆଞ୍ଜେଲ୍ ମାଇକେଲ୍ ଏହିଭଳି ମୃତଲୋକମାନଙ୍କୁ ଯେଉଁମାନେ ଅଲ୍ ସୋଲସ୍ ଡେ ରେ ପୃଥିବୀର ଭୋଜିକୁ ଯିବାପାଇଁ ଯୋଗ୍ୟ ସେମାନଙ୍କୁ ଗୋଟିଏ ତରାଜୁରେ ଓଜନ କରୁଥିବାର ଛବି ଦେଖିବାକୁ ମିଳିଛି।

ଅବଶ୍ୟ ଆଉ ଗୋଟିଏ ବଡ ସମସ୍ୟା ଏହି ବିଶେଷ ଦିବସରେ ଦେଖାଯାଏ । ବର୍ଷକ ପରେ ମୃତ ଲୋକ ମାନେ ଏଠିକୁ ଆସୁଛନ୍ତି ଯେତେବେଳେ ସେମାନଙ୍କ ପାଇଁ ଏଠିକାର ପାନଭୋଜନରେ ଆଗ୍ରହ ତ ପ୍ରଚୁର ନିଶ୍ଚୟ ।ତାହା ସହିତ ଆଉ ଗୋଟିଏ କଥାରେ ସେମାନଙ୍କର ଆଗ୍ରହ ବି ମାତ୍ରାଧିକ । ବିଗତ ବର୍ଷରେ ସେମାନଙ୍କର ପ୍ରିୟ ପୃଥିବୀରେ କ’ଣ କ’ଣ କିଛି ଘଟିଯାଇଛି ସେମାନଙ୍କର ସେକଥା ସବୁକୁ ଟିକିନିଖି ସର୍ବପ୍ରଥମେ ଜାଣିବା ନିଶ୍ଚୟ ଦରକାର। ଖାଦ୍ୟ ପାନୀୟ ସହ ପୃଥିବୀ ର ଗପ ଆଉ ଗୁଜବର ଆକର୍ଷଣୀ ଶକ୍ତି ସେମାନଙ୍କ ପାଇଁ କିଛି କମ୍ ନୁହଁ । କିନ୍ତୁ ମୃତଲୋକଙ୍କ ପାଖରେ ରହିଛି ଏଇଥି ପାଇଁ ମାତ୍ର ଗୋଟିଏ ବୋଲି ରାତ୍ରୀ । ଏତିକି ସମୟ କ’ଣ ଯଥେଷ୍ଟ ? ଆଦୌ ନୁହଁ ।

ମୃତ ଲୋକଙ୍କର “ଅଲ୍ ସୋଲସ୍ ଡେ” ର ସେହି ପ୍ରତିକ୍ଷିତ ରାତି ଟି ଖୁବଶିଘ୍ର ବିତିଯାଏ । ତଥାପି ସେମାନଙ୍କର କଥାର ଶେଷ ନାହିଁ ।ଆଉ ଅସଲ ସମସ୍ୟାଟି ଆସେ ସେତିକିବେଳେ । ମୃତ ଲୋକଙ୍କ ଭିତରୁ ଅନେକେ ଆଉ ପୃଥିବୀ ଛାଡି ଯିବାକୁ ଚାହାଁନ୍ତି ନାହିଁ । ରାତି ପାହି ସକାଳ ହୁଏ । ଚର୍ଚ୍ଚରେ ଘଣ୍ଟା ବାଜେ । ଆଉ ଏହି ପୃଥିବୀପ୍ରେମୀ ମୃତଦଳଙ୍କ ର ସବୁଠୁ ବଡ ଭୟ ପୃଥିବୀର ସକାଳ। ସେଇଥିପାଇଁ ସେମାନେ ଯେଉଁଠି ଲଟାବୁଦା ଦେଖିଲେ ,ଯେଉଁଠି ସମାଧିସ୍ତମ୍ଭ ଦେଖିଲେ, ଠିକ୍ ତାହାର ପଛପଟରେ ଯଥାଶିଘ୍ର ଲୁଚି ପଡନ୍ତି ।

“ସମସ୍ତ ଆତ୍ମାର ଦିବସ” ର ପରଦିନ ସକାଳ ଅର୍ଥାତ୍ ୩ ନଭେମ୍ବର ର ସକାଳ ର ସବୁଠୁ ବଡ ସମସ୍ୟା ହେଇଛି ଏଇଟି । ନିମନ୍ତ୍ରିତ ମୃତଲୋକ ମାନେ ଆଉ ପୂଥିବୀକୁ ଛାଡି ଯାଉନାହାଁନ୍ତି । ମୃତଲୋକ ମାନେ ଆମର ଯେତେ ପ୍ରିୟ ହେଲେବି ମରଣ ବୋଲି ସେମାନଙ୍କର ଏକ ଅବସ୍ଥାନ ଘଟିବା ପରେ ସେମାନଙ୍କ ସହିତ ଆମର ସଂପର୍କ ଯାହା ଆଗରୁ କେବଳ ପ୍ରେମ ସଂପର୍କ ଥିଲା ତାହା “ପ୍ରେମ ଏବଂ ଘୃଣା” ସଂପର୍କ ରେ ବଦଳି ଯାଏ। ଆମେ ସେମାନଙ୍କୁ ଲୋଡୁ ମାତ୍ର ସମାନ ସମୟରେ ସେମାନଙ୍କର ଚିରସ୍ଥାୟୀ ସ୍ଥିରତାକୁ ସହ୍ୟ କରି ପାରୁନା । ବୃହତ ମୃତଲୋକଙ୍କର ଉପସ୍ଥିତି ଆମ ପାଇଁ କ୍ରମଶଃ ଏକ ଦୁଃସହ ସଂଖ୍ୟାଲଘୁ ର ସମସ୍ୟା ସୃଷ୍ଟି କରେ । ଆମର ମନେ ହୁଏ ଆମେ ଯେମିତି ସେମାନଙ୍କ ଉପସ୍ଥିତିରେ ନିଜର ସାମର୍ଥ୍ୟ ଯଥା ଆମର ଜୀବନ୍ତ ହୋଇ ରହିବାର ସମସ୍ତ ସାମର୍ଥ୍ୟକୁ ପ୍ରତିଷ୍ଠିତ କରି ପାରୁନାହୁଁ । ତେଣୁ ମୃତଲୋକଙ୍କୁ ଏଠାରୁ ସେମାନଙ୍କର ନିଜସ୍ଥାନ ବା ଅନ୍ୟତ୍ର କୁ ଯିବାକୁ ହୁଏ ।

ମଣିଷ ସଭ୍ୟତାର ଆଦି କାଳରେ ଯେତେବେଳେ ଆଦି ମଣିଷ ମରଣ କ’ଣ ସେକଥା ଜାଣି ନଥିଲା ସେତେବେଳେ ନିଜ ପାଖରେ କୌଣସି ମୃତ୍ୟୁ ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଯାଉଥିଲା । ଅନ୍ୟ ସମସ୍ତେ ଯେମିତି କାମ କରିପାରୁଛନ୍ତି ,ଚଳ ଚଞ୍ଚଳ ହୋଇ ରହିଛନ୍ତି ,ଏଇ ଲୋକଟି ଏମିତି ସ୍ଥିର ହୋଇ ଗୋଟିଏ ସ୍ଥାନରେ ପଡିରହିଛି କାହିଁକି ? ଆଦି ମଣିଷ କିଛି ବୁଝିପାରୁନଥିଲା । କ୍ରମଶଃ ସେଥିରୁ ଯେଉଁ ଦୁର୍ଗନ୍ଧ ବାହାରୁଥିଲା ସେଥିରେ ସେ ବ୍ୟସ୍ତ ବିବ୍ରତ ହୋଇ ସେହି ଅଚଳ ଲୋକର ଦେହରୁ ବାହାରୁଥିବା ଗନ୍ଧକୁ ଲୁଚାଇବା ପାଇଁ ଗାତଖୋଳି ତାହାକୁ ପୋତି ପକାଉଥିଲା । କ୍ରମଶଃ ଲୋକଟିଏ ଏଇଭଳି ହଠାତ୍ ଅଚଳ ହୋଇଯିବା ଏବଂ ତାହାପରେ ତାହାର ଦେହରୁ ଦୁର୍ଗନ୍ଧ ବାହାରିବା ,ଏଇଭଳି ଦୁଇଟି କଥାରୁ ମଣିଷମାନଙ୍କ ଭିତରେ ମରଣର ପ୍ରାଥମିକ ଅବବୋଧ ଟି ତିଆରି ହୋଇଗଲା ଆଉ ତାହା ସହିତ ଆଉ ଗୋଟିଏ ଅବବୋଧ ବି ସେତେବେଳଠାରୁ ମଣିଷ ସହ ଚାଲି ଆସିଛି,ତାହା ହେଉଛି ଏଇ ଭଳି ଅବସ୍ଥା ଆଉ ଯାହା ହେଉନା କାହିଁକି ତାହାଠାରୁ ସବୁବେଳେ ଦୂରରେ ରହିବାକୁ ହେବ, ଏହା ସାମୁହିକ କର୍ତ୍ତବ୍ୟ ନୁହଁ ।

ହାଇତି ଦ୍ୱୀପପୁଞ୍ଜରେ ଗୋଟିଏ ବିଚିତ୍ର ପ୍ରଥା ରହିଛି । ଶବକୁ କବରଖାନାକୁ ନେଲା ବେଳେ ସେମାନେ ଯେଉଁ ଶୋଭାଯାତ୍ରାରେ ଯାଇଥାନ୍ତି ତାହା ସିଧା ସଳଖ ରାସ୍ତାରେ ଯାଇ ନଥାଏ । ସେମାନେ ଶବ ଶୋଭାଯାତ୍ରାରେ ଗଲାବେଳେ ଯିବା ବାଟକୁ ଜାଣିଶୁଣି ବଙ୍କାଟଙ୍କା କରିଥାନ୍ତି,ଯାହା ଫଳରେ ସେମାନଙ୍କର ବିଶ୍ୱାସ ଯେ ମୃତ ଲୋକ ଜଣକ ଆଉ ତାହାର ପୁରୁଣା ଘରକୁ ଫେରି ଆସିବାର ଠିକ୍ ବାଟ ପାଇବ ନାହିଁ।

ଏଇଠି ଆଉ ଗୋଟିଏ ଉତ୍ସବର କଥା ବିଚାରକୁ ନିଆଯାଉ । ଏହି ଉତ୍ସବ ଟି ଶବକୁ ନେଇ ଏକ ଅଦ୍ଭୁତ ଉତ୍ସବ। ଏହି ଉତ୍ସବର ନାଆଁ ହେଉଛି “ମାନେନେ” । ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପରେ ବସବାସ କରୁଥିବା ଅଧିବାସୀ ଯେଉଁମାନଙ୍କୁ ତୋରାଜା ବୋଲି କୁହାଯାଏ ସେହି ତୋରାଜା ମାନଙ୍କର ପ୍ରମୁଖ ପର୍ବ ହେଉଛି ” ମାନେନେ” । ସ୍ଥାନୀୟ ଭାଷାରେ ମାନେନେ ର ଅର୍ଥ ହେଉଛି “ଶବକୁ ଧୁଆପୋଛା କରି ପରିଷ୍କାର ରଖିବା “। ଶବ କୁ ନେଇ ଏଇଭଳି ଗୋଟିଏ ଉତ୍ସବ ପାଳନ କରିବା କୁ ବିଚାରକୁ ନେଲେ ଆମେ ସେଠିକାର ତୋରାଜା ମାନଙ୍କର ମୃତ୍ୟୁକୁ ନେଇ ସେମାନଙ୍କର ବିଚାର ଏବଂ ଦୃଷ୍ଟିକୁ ସହଜରେ ବୁଝି ପାରିବା । ଇଣ୍ଡୋନେସିଆର ଏହି ପ୍ରାଚୀନ ଅଧିବାସୀମାନେ ମୃତ୍ୟୁ ଯେ ମଣିଷର ଶେଷକଥା ସେଥିରେ ବିଶ୍ୱାସ କରନ୍ତି ନାହିଁ । ସେମାନେ ବିଶ୍ୱାସ କରନ୍ତି ମୃତ୍ୟୁ ପରେ ମଣିଷର ଆଉ ଏକ ଜୀବନର ଆରମ୍ଭ ହୁଏ । ସେହି ମରଣୋପରାନ୍ତ ଜୀବନ ଟି ହେଉଛି ଏକ ଆତ୍ମିକ ଜୀବନ ଅର୍ଥାତ୍ ସ୍ପିରିଚୁଆଲ୍ ଲାଇଫ୍ ର ଆୟମାରମ୍ଭ। ଆମେ ମାନଙ୍କ ଭିତରୁ ସାଧାରଣତଃ ଅନେକେ ବିଶ୍ୱାସ କରନ୍ତି ଯେ, ମୃତ୍ୟୁପରେ ଏକ ଭିନ୍ନ ଜଗତରେ ଆମର ଅବିନାଶୀ ଆତ୍ମାମାନେ ଅବସ୍ଥାନ କରିଥାନ୍ତି। ଅତି ସରଳ ଭାବରେ କହିଲେ ଏଇଭଳି ଗୋଟିଏ ଅମରତ୍ୱ ର ଅବଧାରଣା ଆମର ମରଣ ରେ ଜୀବନ ଶେଷ ହୋଇଯାଉଛି ବୋଲି ଯେଉଁ ଅପୂର୍ଣ୍ଣତାଜନୀତ ଦୁଃଖବୋଧ ଥାଏ ତାହାକୁ ଦୂର କରି ଆମ ଭିତରେ ଏକ ନୂତନ ପ୍ରତ୍ୟୟ ପ୍ରଦାନ କରିଥାଏ । ସେ ଯାହାହେଉ ଇଣ୍ଡୋନେସିଆର ତୋରାଜା ମାନେ ମୃତ୍ୟୁ ହୋଇଗଲେ ମଣିଷକୁ ପରବର୍ତ୍ତି ଆତ୍ମିକ ଜୀବନ ପାଇଁ ପ୍ରସ୍ତୁତ କରିଥାନ୍ତି । ମୃତ ଲୋକର ଶରୀର ଯେପରି ଅବକ୍ଷୟ ନହୋଇଯାଏ ସେଇଥିପାଇଁ ସେମାନେ ସ୍ଥାନୀୟ ପଦ୍ଧତିରେ ଗୁଳ୍ମଲତାର ଏକ ବଟା ମୃତ ଲୋକର ଶରୀରସାରା ବୋଳି ଦେଇଥାନ୍ତି। ଏହି ଜୈବିକ-ମିଶ୍ରଣ ପ୍ରିଜରଭେଟୋରି ଆକାରରେ କାମ କରିଥାଏ ବୋଲି ସେମାନଙ୍କର ବିଶ୍ୱାସ । ଗୁଳ୍ମ ତଥା ଚେରମୂଳୀର ବଟା ବୋଳିସାରିବା ପରେ ସେମାନେ ସେହି ମୃତବ୍ୟକ୍ତିର ଶରୀରକୁ କନାରେ ଅନେକ ପରସ୍ତ ଗୁଡାଇ ଦେଇଥାନ୍ତି ।ତାହାପରେ ତାହାକୁ ଗୋଟିଏ କାଠର କଫିନ୍ ରେ ରଖି କବର ଦିଆଯାଇଥାଏ । ତୋରାଜା ମାନେ କବର ଦେବା ବେଳେ ସାଧାରଣତଃ ଅନ୍ୟମାନଙ୍କ ଭଳି ଭୂଇଁରେ କବର ଦିଅନ୍ତି ନାହିଁ । ବୟସ୍କ ବ୍ୟକ୍ତି ମାନଙ୍କର କଫିନକୁ ସେମାନେ ପଥରଖୋଲ ରେ ରଖି ବାହାରକୁ ପଥର ଦ୍ୱାରା ଢାଙ୍କି କବର ଦେଇଥାନ୍ତି । ମାତ୍ର ପିଲାମାନଙ୍କ କ୍ଷେତ୍ରରେ ସେମାନଙ୍କର କବର ଦେବା ପ୍ରଥାଟି ଭିନ୍ନ । ପିଲାମାନଙ୍କର କଫିନ୍ କୁ ସେମାନେ ସାଧାରଣତଃ ଗଛର କୋରଡରେ ରଖିଦେଇଥାନ୍ତି । ସେମାନଙ୍କର ବିଶ୍ୱାସରେ ମରଣ ପରେ ବ୍ୟକ୍ତି ଜଣକ ତାହାର ଶରୀରର ଆଖପାଖରେ ଥାଏ । ତେଣୁ ତୋରାଜା ମାନେ ମୃତବ୍ୟକ୍ତିର ପ୍ରିୟ ଖାଦ୍ୟ ପଦାର୍ଥ ଏପରିକି ସିଗାରେଟ୍ ତାହାର କଠିନ ପାଖରେ ରଖିଥାନ୍ତି । ଶବକୁ ସେମାନେ କଫିନସ୍ଥ କଲାବେଳେ ତାହାକୁ ନୂଆ ଲୁଗା ତଥା ନୂଆ ଗହଣା ଆଦି ପିନ୍ଧାଇ ଥାନ୍ତି। ବିଶେଷ ଭାବରେ ତାହାକୁ କଫିନ ଦେଲାବେଳେ ସେମାନେ ସେଇଠି ମଇଁଷୀ କି ଷଣ୍ଢ ବଳି ଦେଇଥାନ୍ତି । ବଳି ଦିଆଯାଇଥିବା ଏଇ ମଈଁଷୀ ବା ଷଣ୍ଢ ମୃତବ୍ୟକ୍ତିକୁ ତାହାର ମରଣୋପରାନ୍ତ ଯାତାୟାତରେ ସହାୟକ ହୋଇଥାଆନ୍ତି ବୋଲି ସେମାନଙ୍କର ବିଶ୍ୱାସ । ସେ ଯାହାହେଉ ବଳି ସରିବା ପରେ ସେମାନେ ବଳି ପଡିଥିବା ଜନ୍ତୁର ଶିଙ୍ଘକୁ ନେଇ ନିଜର ଘରେ ସଜାଇ ରଖିଥାନ୍ତି । ଯାହା ଘରେ ଯେତେ ଅଧିକ ଶିଙ୍ଘ ଦେଖାଯାଏ ତାହାର ସାମାଜିକ ପ୍ରତିଷ୍ଠା ସେତେ ଅଧିକ , କାରଣ ସେ ଅଧିକ ଜନ୍ତୁ ବଳି ଦେଇ ମୃତ ବ୍ୟକ୍ତି ପ୍ରତି ଅଧିକ ଶ୍ରଦ୍ଧାନିବେଦନ କରିଅଛି ଏବଂ ସେଇଥିପାଇଁ ସେ ସମ୍ମାନାର୍ହ ।

ଇଣ୍ଡୋନେସିଆ ର ଅଧିବାସୀ ତୋରାଜା ମାନଙ୍କ ର ଏଇ ଭଳି ଶବ ସତ୍କାର ବା କଫିନ ପ୍ରଦାନ ଅତ୍ୟନ୍ତ ବ୍ୟୟବହୁଳ ଥିଲା । ସେଇଥିପାଇଁ ସେମାନେ ପ୍ରଥମରୁ ଅର୍ଥ ସଂଚୟ କରି ରଖୁଥିଲେ। ଉପଯୁକ୍ତ ଅର୍ଥ ସଂଚୟ ହୋଇଗଲାପରେ ଯାଇ ସେମାନେ କଫିନ ର ବ୍ୟବସ୍ଥା କରୁଥିଲେ। ଯଦି ଉପଯୁକ୍ତ ଅର୍ଥ ନଥିଲା ଆଉ ତାହା ଆଗରୁ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଯାଉଥିଲା ତାହାହେଲେ ସେମାନେ ସେହି ମୃତ ବ୍ୟକ୍ତିର ଶବକୁ ତାହାର ଘରେ ପକାଇ ରଖୁଥିଲେ । ଯେପର୍ଯ୍ଯନ୍ତ କଫିନ୍ ଦେବାପାଇଁ ଉପଯୁକ୍ତ ଅର୍ଥ ଯୋଗାଡ ହୋଇନାହିଁ ସେ ପର୍ଯ୍ୟନ୍ତ ସେମାନେ ମୃତ ବ୍ୟକ୍ତିକୁ ତାହାର ଘରେ ଗୋଟିଏ ଅଲଗା ଘର ଠିକ୍ କରି ସେଇଠି ରଖୁଥିଲେ। ଆମେ ସାଧାରଣତଃ ଘରେ ଜଣେ ବ୍ୟକ୍ତି ଅସୁସ୍ଥ ହୋଇପଡିଲେ ତାହାର ଯେମିତି ସେବା ଶୁଶ୍ରୁଷା କରୁଥାଉ ,ଠିକ୍ ସେହି ଭଳି କଫିନ୍ ଅପେକ୍ଷାରେ ରହିଥିବା ଏହି ମୃତବ୍ୟକ୍ତିର ପରିଚର୍ଯ୍ୟା ତାହାର ଘରଲୋକ କରୁଥିଲେ ।

ଆଗରୁ ଉଲ୍ଲେଖ କରାଯାଇଥିବା ଇଣ୍ଡୋନେସିଆର ଏଇ ଅଧିବାସୀ ତୋରାଜା ମାନଙ୍କର ବିଶେଷ ପର୍ବ “ମାନେନେ” କହିଲେ ତାଙ୍କର ମୃତବ୍ୟକ୍ତିକୁ କଫିନ୍ ଦେବା କାମ ବା କଫିନ ଦେବା ବେଳର ଉତ୍ସବ କୁ ବୁଝାଏ ନାହିଁ । ମୃତବ୍ୟକ୍ତିକୁ କଫିନ ଦେଇସାରିବା ପରେ ଏଇ ଉତ୍ସବ ଅନୁଷ୍ଠିତ ହୋଇଥାଏ।ତୋରାଜା ମାନଙ୍କର ଅଦ୍ଭୁତ ଉତ୍ସବ ” ମାନେନେ” କୁ ଦେଖିବା ପାଇଁ ପୃଥିବୀର ଭିନ୍ନ ଭିନ୍ନ ଦେଶରୁ ପର୍ଯ୍ୟଟକ ଇଣ୍ଡୋନେସିଆକୁ ଆସିଥାନ୍ତି ।

” ମାନେନେ ” ଉତ୍ସବ ପ୍ରତି ତିନି ବର୍ଷରେ ଥରେ ପାଳିତ ହୋଇଥାଏ । ଅଗଷ୍ଟ ମାସର ଶେଷ ଆଡକୁ ପାଳନ କରାଯାଏ ଏଇ ମରଣ
ଉତ୍ସବ । ଏହି ଦିନ ତୋରାଜା ମାନେ ନିଜ ନିଜର ପ୍ରିୟ ବ୍ୟକ୍ତିଙ୍କ କବରସ୍ଥାନରେ ପହଞ୍ଚିଥାନ୍ତି ଆଉ ସେମାନଙ୍କ କଫିନକୁ ଖୋଲି ତାହା ଭିତରୁ ସେମାନଙ୍କର ଶବକୁ ବାହାରକରିଥାନ୍ତି । ତାହାପରେ ସେହି କଫିନ୍ କୁ ସଫା କରିଥାନ୍ତି । କଫିନ ସଫା ସରିଲେ ସେମାନେ ମୃତବ୍ୟକ୍ତିର ଶବକୁ ଧୂଆପୋଛା କରି ନୂଆ ପୋଷାକ ପିନ୍ଧାଇଥାନ୍ତି । ସେଇଠି ଭୋଜିଭାତ କରି ଆନନ୍ଦରେ ଦିନଟିକୁ ବିତାଇଥାନ୍ତି। ଲୋକଗୀତ,ଲୋକବାଦ୍ୟ ଆଉ ନୃତ୍ୟ ଆଦି ରେ ପାଳିତ ହେଉଥିବା ଏହି ଉତ୍ସବକୁ ଦେଖିଲେ ମନେ ହେବ ଯେମିତି ସେଇଠି କୌଣସି ମରଣ ନାହିଁ । ଯାହାର ମରଣ ହୋଇଛି ବୋଲି କୁହାଯାଉଛି ତାହା ଅସଲରେ ଏକ ସାମୟିକ ଅବର୍ତ୍ତମାନ। ପର୍ବ ଶେଷରେ ବାହାରେ ସାଜସଜ୍ଜା ହୋଇ ବସିଥିବା ଶବ ମାନଙ୍କୁ ପରିଷ୍କାର କଫିନ୍ ଭିତରକୁ ଫେରାଇନିଆଯାଏ । ସମସ୍ତେ ହସଖୁସିରେ ଘରକୁ ଫେରିଥାନ୍ତି ।

ମାନେନେ ପର୍ବ ଅସଲରେ ମରଣକୁ ଅସ୍ୱୀକାର କରିବାର ଏକ ପର୍ବ।

ମରଣକୁ ସେମିତି ଅସ୍ୱୀକାର କରିବାର ଏକ କଳ୍ପନା ହେଉଛି “ଅଲ୍ ସୋଲସ୍ ଡେ”।

କଳ୍ପନା ଆଉ ବାସ୍ତବତାର ସନ୍ଧିକ୍ଷଣରେ ଆଉ ଗୋଟିଏ କଥା ସହିତ ଆଜିର ଉପସଂହାର ।

ସବୁ ମୃତ ଯଦି ଜୀବନ୍ତ ହୋଇ ବସିବେ,ତେବେ ଆମେ କେତେ ପରିମାଣରେ ସେମାନଙ୍କୁ ନେଇ ଉତ୍ସାହିତ ହୋଇ ପାରିବା ?

ଜଟିଳ ପ୍ରଶ୍ନ । ଜଟିଳ ବି ତାହାର ଉତ୍ତର ।

ପିତୃଲୋକ,ଅନୁପସ୍ଥିତ ମୃତ ଆତ୍ମୀୟ,
ରାତ୍ରୀକାଳ,ପୟାଶ୍ରାଦ୍ଧ,ବଡବଡୁଆ ଡାକ,ଆଲୋକକୁ ସ୍ୱର୍ଗମୁଖି ଦିଶା ନିର୍ଦ୍ଦେଶ,ଏଇ ସମସ୍ତ ଅଂଶକୁ ନେଇ ଆମେ ଏଠାରେ ଯଦି କେତେଗୁଡିଏ ବାକ୍ୟ ଗଠନ କରି ତାହାକୁ ଏକ ବିଶ୍ୱାସର ଅନୁଚ୍ଛେଦ କରିବାକୁ ଯିବା ତେବେ ସେଇଠି ଆମେ ଦେଖିବା ଯେ ଆମର ସମସ୍ତ ପିତୃପୁରୁଷଙ୍କୁ ଆମେ “ଆଗଚ୍ଛନ୍ତୁ ମହାଭାଗା ପିତୃଲୋକାଃ ବରପ୍ରଦା” ବୋଲି ଆବାହନ କରିଛୁ କାରଣ ପିତୃଲୋକରେ ଯିଏ ଯିଏ ଅବସ୍ଥାନ କରିଛନ୍ତି ସେମାନେ ଆମର ହିତ ପକ୍ଷରେ ସର୍ବଦା ଏବଂ ସତତ ଜାଗ୍ରତ,ତେଣୁ ସେମାନେ ଏବେ ଏଠିକୁ ଆଗମନ କରିବେ ଆମକୁ ନିର୍ଭୟ ଏବଂ ସୁଖକର ଜୀବନ ନିମନ୍ତେ ବରପ୍ରଦାନ କରିବା ପାଇଁ ।ଯେମିତି ଦେବତା ସେମିତି ସେମାନେ। ଆମର ସମସ୍ତ ପିତୃଲୋକଙ୍କ ଭିତରୁ ଅଳ୍ପ କିଛି ଯେମିତି ବାପା ଜେଜେ ଙ୍କ ବ୍ୟତୀତ ଆମର ପୂର୍ବପୁରୁଷଙ୍କ ସହିତ ଆମର ଆଦୌ ପରିଚୟ ନଥାଏ । ସେମାନେ ମହାଳୟା ରେ ଆସିଛନ୍ତି, ଆମର ସାନ୍ନିଧ୍ୟକୁ ଉପଭୋଗ କରିଛନ୍ତି ଆଉ ଦୀପାବଳୀର ଆଲୁଅରେ, ଆମର ବଡବଡୁଆ ଡାକରେ ସେମାନଙ୍କ ପ୍ରସ୍ଥାନ। ସେମାନେ ଏଠୁ ଗଲାବେଳକୁ ଯେମିତି ଟିକିଏ କେଉଁଠି ଝୁଣ୍ଟି ନପଡନ୍ତି ସେଇଥିପାଇଁ ତ ଆମର ସାମର୍ଥ୍ୟ ଅନୁଯାୟୀ ଆମେ ଯଥାସମ୍ଭବ ଆଲୋକର ବ୍ୟବସ୍ଥା କରିଛୁ।

ବଡବଡୁଆଙ୍କୁ ଏମିତି ଛାଡିଦେଇ ଆସିବାପରେ ଆମ ଭିତରେ ହୁଏତ ଏପରି ଏକ ଭାବ ଘଡିକ ପାଇଁ ଆସିପାରେ, ନିଜ ଲୋକ ଚିହ୍ନା ହେଉ କି ଯେତେ ଅଚିହ୍ନା ହେଉ ତାହାକୁ ବିଦାୟ ଦେବା ବଡ କଷ୍ଠକର।

ପୃଥିବୀ ସାରା ଜୀବନ୍ତ ବଂଶଧରର ତାହାର ମୃତ ପିତୃପକ୍ଷ ସହିତ ସଂପର୍କ ଏଇଭଳି ନିରନ୍ତର ପ୍ରତିଷ୍ଠିତ ହେଉଥାଏ କାଳକୁ କାଳ।

ହେଲେ ମଣିଷ ଯେତେବେଳେ ଏକେଲା ସେ ତାହାର ସ୍ୱାର୍ଥପରତାକୁ ତାହାର ନିଜତ୍ୱର ଏକମାତ୍ର ପରିଭାଷା ବୋଲି ବିଚାର କରିଥାଏ।

“ଅଲ୍ ସୋଲସ୍ ଡେ” ର ପରଦିନ ସକାଳ।
୩ ନଭେମ୍ବର ର ସକାଳ।

ମେକ୍ସିକୋର ଲୋକେ ଘରୁ ବାହାରି ଆସନ୍ତି ।ହାତରେ ଥାଏ ତାଙ୍କର ଗୋଟିଏ ଗୋଟିଏ
ଝାଡୁ । ଯେଉଁଠି ଲଟାବୁଦା ଦେଖିଲେ ତାହାକୁ ଓଳାଇ ପକାନ୍ତି ,କବରଖାନା ରେ ପହଞ୍ଚି କବରଗୁଡିକୁ ଓଳାଇ ପକାନ୍ତି ଆଉ ଓଳାଇବା ବେଳେ ପାଟି କରି କହୁଥାନ୍ତି,”ଯାଆନ୍ତୁ,ଏଥର ନିଜ ନିଜ ସ୍ଥାନକୁ ଯାଆନ୍ତୁ”,”ଆମକୁ ଶାନ୍ତିରେ ରଖିବାକୁ ଦିଅନ୍ତୁ” ,”ଆର ବର୍ଷ ନିଶ୍ଚୟ ଦେଖାହେବ,ରହୁଛୁ ଆଜ୍ଞାମାନେ “।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →