ଗଛଟି



ମୂଳ ବଙ୍ଗଳା: ଋତ୍ଵିକ ଘଟକ || ଓଡିଆ ଅନୁବାଦ: ମୃଣାଳ

ଗାଁରୁ ଟିକିଏ ଦୂରରେ ଗୋଟେ ଛୋଟ ନଈ ଉପରେ ପ୍ରାୟ ହାମୁଡ଼ି ପଡିଥିବା ଗୋଟେ ବରଗଛ । ଗଛ ହିସାବରେ ସେଟା ଭୀଷଣ କିଛି ନୁହଁ । ବହୁ ପୁରୁଣା ଗଛ । ତା’ ଗଣ୍ଡିଟି ପୋକ ଖାଇ ଯାଇଛି । ଡାଳଗୁଡିକରୁ ବେଶ୍ କିଛି ପଚି ଗଲାଣି । ବିସ୍ୱୃତ କୌଣସି ସୁଦୂର ଅତୀତରେ ଏଇ ଗଛଟି ଥିଲା ତାଜା । ଆଜି ନୁହଁ । କୌଣସି କାମରେ ଆସୁନଥିଲା ଗଛଟି । କେବଳ ଗାଁରେ ଆସିବା ବାଟରେ ଲୋକମାନେ ଗଛଟିକୁ ଚିହ୍ନୁଥିଲେ । ଜାଣୁଥିଲେ ଏହା ପର ମୋଡ଼ରେ ହିଁ ଅଛି ହାରୁ କମାରର କମାରଶାଳ । ତା ପରଠୁ ଗାଁ ଆରମ୍ଭ ।

ବର୍ଷରେ କେବଳ ଥରୁଟିଏ ସେ ଗଛର ଗୌରବ ବଢ଼ିଯାଉଥିଲା । ଚଡ଼କ ବେଲେ ଏ ଗଛର କେତୋଟି ଚେରକୁ ତେଲ ସିନ୍ଦୁର ଦେଇ କେଉଁମାନେ ଚକ୍‌ଚକ୍ କରି ତୋଳୁଥିଲେ । ଦୂର ଦୂର ଗାଁରୁ ଲୋକ ଆସୁଥିଲେ । ଗାଁ ପଡିଆରେ ମେଳା ବସୁଥିଲା । ସେତେବେଳେ ହଠାତ ଗଛଟି ଦ୍ରଷ୍ଟବ୍ୟ ହେଇ ଉଠୁଥିଲା । ତାପରେ ପୁଣି ବର୍ଷସାରା ଗଛଟି ପଡି ରହୁଥିଲା । ଆଖପାଖର ଜମିଗୁଡିକରେ ଗାଈ ଚରୁଥିଲେ । କେତେବେଳେ କେମିତି ଦୂରାଗତ ପଥିକ ତା ଶୀତଳ ଛାଈରେ ବସି ନିଜର ଗଣ୍ଠିଲି ଖୋଲି ଚୂଡାମୁଢ଼ି ଖାଇ ନଈପାଣି ପିଇ ପୁଣି ତା ବାଟରେ ଯାଉଥିଲା ।

ଜ୍ୟୋସ୍ନା ରାତିରେ ଗଛଟି ଏକାକୀ ଏ ବିଶାଳ ପଡିଆ କୋଣରେ ନିଜ ଅଗଣାରେ ଅପରୁପ ଆଲୁଅ ଅନ୍ଧାର ସୃଷ୍ଟି କରି ନଈ ପାଣିରେ ଯେମିତି କୌଣସି ରହସ୍ୟର ସ୍ପପ୍ନ ଦେଖୁଥିଲା । ଛଅଟି ଋତୁ ଗଛଟି ଉପର ଦେଇ ଚାଲିଯାଉଥିଲା । ନଈରେ ନୌକା ଯାଉଥିଲା । ନୌକା ଭିତରୁ ଛୋଟ ଛୋଟ ମୁହଁ ଅସୀମ କୌତୁହଳ ସହିତ ଚାହିଁ ରହୁଥିଲା ତା ଆଡକୁ । ଛୋଟ ପିଲାମାନଙ୍କର ଆଡ୍ଡା ଥିଲା ସେ ଗଛମୂଳ । ବଙ୍କା ଗଛଟିର ଶାଖାରେ ଶାଖାରେ ପିଲାମାନେ ଖେଳୁଥିଲେ, ଡାଳରୁ ନଈକୁ ଡେଉଁଥ୍‌ଲେ, ସ୍କୁଲରୁ ଲୁଚି ଆସି ଏଇଠି ବସି ରହୁଥିଲେ । ଗାଁ ଲୋକମାନେ ପିଲାବେଳୁ ଏ ଗଛପାଖକୁ ଆସୁଥିଲେ । ଗ୍ରୀଷ୍ମ ଅପରାହ୍ନରେ କେହି କେହି ତା ତଳେ ଚେରଗୁଡାକ ଯେଉଁଠି ଜଟିଳ ହୋଇ ଗୋଟେ ସୁନ୍ଦର ବସିବା ଯାଗା କରିଛନ୍ତି ସେଇଠି ବସି ନଈର ସ୍ତିମିତ ଛଳଛଳ ଧ୍ୱନୀ ଶୁଣୁଥିଲେ । ସେଠିକାର କେଉଟମାନେ ଜାଣିଥିଲେ ଯେ ତା ତଳେ ନଈଧାରରେ ଆଉ ୟା ଚେରର ଫାଙ୍କରେ ମାଛ ମିଳେ । ଛୋଟ ବଡ ବହୁତ ମାଛ । ସେମାନଙ୍କ ପିଲାମାନେ ସେଥିପାଇଁ ଗାଧୋଇବାପାଇଁ ଆସି ଗାମୁଛା ପକେଇ ମାଛ ଧରୁଥିଲେ । ଜାଲ ପକେଇଲେ ବି ବହୁତ ମାଛ ଉଠୁଥିଲା । ବୁଢାଲୋକମାନେ ଏହାକୁ ଚିହ୍ନୁଥିଲେ । ସେମାନେ ଗଛ ଗଣ୍ଡିରେ ପିଠି ଦେଇ ପିଲାମାନଙ୍କର ଖେଳ, କେଉଟମାନଙ୍କର ମାଛଧରା ଏସବୁ ଦେଖୁଥିଲେ ଆଉ ନିଜ ମନେମନେ ମୁଣ୍ଡ ହଲଉଥିଲେ । ବୋଧହୁଏ ସେମାନେ ଭାବୁଥିଲେ ସେମାନଙ୍କର ଜୀବନର ପ୍ରଦୋଶର କଥା । କିନ୍ତୁ ସେମାନେ ନିଜେ ଜାଣିନଥିଲେ ଯେ ତାଙ୍କ ମନ ଭିତରେ ଏ ବୁଢ଼ା ବରଗଛର ଜାଗା କେତେ ବିଶାଳ ଥିଲା । ସେମାନେ ଭାବୁଥିଲେ ଏଟା କେବଳ ଗୋଟେ ବୁଢ଼ା ଶିବ ବଟ । ଏଇଠି ହିଁ ଚିରକାଳ ଥିଲା । ଏଇଠି ହିଁ ଚିରକାଳ ରହିବ ।

ବୁଢ଼ା ଶିବ ବଟ ଥିଲା ଏବଂ ଯେତେଦୂର ସମ୍ଭବ ସେଟା ହୁଏତ ସେଇଠି ରହିଥାନ୍ତା ଆହୁରି କେତେ ପୁରୁଷ ଧରି ଆଉ ଆଶ୍ରୟ ଦେଇଥାନ୍ତା ଆହୁରି କେତେ ଅନାଗତ ପଥିକଙ୍କୁ । କିନ୍ତୁ ଅକସ୍ମାତ ଦିନେ କୌଣସି ଖବର ନଦେଇ ନୂଆ ସରକାରୀ ପରିକଳ୍ପନା ଆସି ଉପସ୍ଥିତ ହେଲା । ବର୍ତ୍ତମାନ ସେଚ ବ୍ୟବସ୍ଥାର ନୂତନ ପରିକଳ୍ପନା ଅନୁସାରେ ଏ ନଈକୁ ବଡ ଆଉ ପ୍ରବହମାନ କରାଯିବ । ଅତଏବ ଦିନେ ବହୁ ଶୋରଗୋଳ କରି ନିଦାରୁଣ ଆପତ୍ତି ସତ୍ୱେ ବୁଢ଼ା ବରଗଛ ମାଟିରେ ଲୋଟି ପଡିଲା । ନଈର ଦୁଇ ଧାରକୁ ସମାନକରି କାଟି ପ୍ରଚୀନ ନଈକୁ ନୂଆ ଢ଼ଙ୍ଗର ନାଳରେ ପରିଣତ କରାଗଲା । ସମସ୍ତ ଗାଁ ଗୋଟେ ପଟରେ ଜାଗି ଉଠିଲା । ସେମାନେ ଗଛଟିର ମୂଲ୍ୟ ବୁଝିପାରିଛନ୍ତି । ସମସ୍ତଙ୍କର ମନରେ ଆଲୋଡନ ଆସିଲା । ସେମାନେ ମୁହଁଖୋଲି ଆପତ୍ତି ଜଣେଇଲେ । କିନ୍ତୁ ସେମାନଙ୍କର ଏଇ ଆପତ୍ତି ନିଜ ନିଜ ଭିତରେ ଆଲୋଚନାରେ ହିଁ ସୀମାବଦ୍ଧ ରହିଗଲା । ଗଛଟା କଟାହେଲା । ତାପରେ ଗାଁ ଲୋକେ ଧିରେ ଧିରେ ବରଗଛଟାକୁ ଭୁଲିଯିବାକୁ ଲାଗିଲେ । ନୂଆ ମୁହଁ, ନୂଆ ଘର ସବୁ ନୂଆ । କେବଳ ଗାଁର ବୁଢ଼ଲୋକମାନେ ଯେତେବେଳେ ସେପଟ ଦେଇ ଯାଉଥିଲେ ସେତେବେଳେ ନଈଧାରଟା କେମିତି ବଡ ନଣ୍ଡନଣ୍ଡା ଲାଗୁଥିଲା । ସେମାନଙ୍କ ଆଖିରେ ଭାରି ଖାଲି ଖାଲି । ସେଥିପାଇଁ ସେମାନେ ସେକଥା ନୂଆ ଲୋକମାନଙ୍କ ପାଖରେ ବର୍ଣ୍ଣନା କରୁଥିଲେ । କିନ୍ତୁ ତା ବି ଆଉ କେତେଦିନ ।

ବରଗଛଟା ଏତେଦିନ ଧରି ଏତେ ଲୋକଙ୍କୁ ଆଶ୍ରୟ ଦେଇ ଦେଇ ଆଜି ଲୋକଙ୍କ ମନରୁ ନିଶବ୍ଦରେ ଚୁପଚାପ ଅନ୍ତର୍ଦ୍ଧାନ ହୋଇଯାଇଛି ।


ଲେଖକ ପରିଚିତି :

ଋତ୍ଵିକ ଘଟକ ଭାରତରେ ମନନଶୀଳ ଜୀବନବାଦୀ ଚଳଚିତ୍ର ଜଗତର ଅନ୍ୟତମ ପଥିକୃତ ଭାବେ ପରିଚିତ | ବିଶ୍ୱ ଚଳଚ୍ଚିତ୍ର ଇତିହାସରେ ଦେଶ ବିଭାଜନ ଉପରେ ନିର୍ମିତ ସିନେମାଗୁଡ଼ିକ ଭିତରୁ ତାଙ୍କର ‘ମେଘେ ଢାକା ତାରା’, ‘କୋମଲ ଗାନ୍ଧାର’ ଏବଂ ‘ସୁବର୍ଣ୍ଣରେଖା’ – ଏ ତିନୋଟିକୁ ଅନ୍ୟତମ ଶ୍ରେଷ୍ଠ ବୋଲି ଧରାଯାଏ | ଏବର୍ଷ ହେଉଛି ତାଙ୍କ ଜନ୍ମ ଶତବାର୍ଷିକୀ | ତାଙ୍କ ଜନ୍ମ ୧୯୨୫ ମସିହା ନଭେମ୍ବର ଚାରି ତାରିଖ ଅବିଭକ୍ତ ଭାରତର (ବର୍ତ୍ତମାନ ବାଂଲାଦେଶ) ରାଜସାହି ସହରରେ । ୧୯୪୭ରେ ଦେଶଭାଗ ପରେ ତାଙ୍କ ପରିବାର କଲିକତାକୁ ଚାଲି ଯାଆନ୍ତି ।

କଲିକତା ବିଶ୍ୱବିଦ୍ୟାଳୟରେ ପଢ଼ିଲାବେଳୁ ସେ ବିଭିନ୍ନ ପତ୍ରପତ୍ରିକାରେ ଲେଖାଲେଖି ସହିତ ଯୁକ୍ତ ହୁଅନ୍ତି । ଦେଶ, ଶନିବାର ଚିଠି, ଅଗ୍ରଣୀ ଭଳି ବିଭିନ୍ନ ପତ୍ରିକାରେ ଲେଖାଲେଖି ଆରମ୍ଭ କରନ୍ତି ।

ଏଇ ସମୟରେ ସେ ବାମପନ୍ଥୀ ଚିନ୍ତାଧାରାଦ୍ୱାରା ପ୍ରଭାବିତ ହୁଅନ୍ତି | ସେ ସମୟର ସାମାଜିକ ପରିବେଶ- ଦାରିଦ୍ର୍ୟ, ବେକାରୀ – ତାଙ୍କୁ ଗଭୀର ଭାବେ ଆଲୋଡିତ କରେ । ପତ୍ରିକାରେ ଲେଖାଲେଖି ସହିତ ମଂଚ ନାଟକକୁ ମଧ୍ୟ ସେ ପ୍ରତିବାଦର ଭାଷା ଭାବରେ ବାଛି ନେଇଥିଲେ । ସେ ଅନେକ ନାଟକ ଲେଖିଛନ୍ତି, ନିର୍ଦେଶନା ଦେଇଛନ୍ତି ଏବଂ ଅଭିନୟ କରିଛନ୍ତି । ରିତିକ୍ ଘଟକଙ୍କର ପ୍ରଥମ ପରିଚାଳିତ ଚଳଚ୍ଚିତ୍ର ହେଲା ‘ନାଗରିକ’ (1952) ଏବଂ ପ୍ରଥମ ମୁକ୍ତିପ୍ରାପ୍ତ ପୂର୍ଣ୍ଣଦୈର୍ଘ୍ୟ ଚଳଚ୍ଚିତ୍ର ହେଲା ‘ଆଯ|ନ୍ତ୍ରିକ’ (1958) । ୧୯୬୬ ମସିହା ଫେବୃଆରି ୬ ତାରିଖ ମାତ୍ର 51 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।