|| ମୃଣାଳ ||
ପୃଥିବୀର ଶେଷ ଚଢ଼େଇଟି କହିଲା ପୃଥିବୀର ଶେଷ ମଣିଷକୁ, ଭାଇ ତୁମେ ମୋତେ ତୁମ ସାଙ୍ଗରେ ନେଇଯିବ?
ସମୟ ହେଉଛି ୨୦୫୦ । ପୃଥିବୀ ଏବେ ମଣିଷ ଓ ଜୀବଜନ୍ତୁ ଶୂନ୍ୟ ହୋଇଯାଇଛି । କ୍ରମାଗତ ପ୍ରଦୂଷଣ ତାପମାତ୍ରା ବୃଦ୍ଧି ଯୋଗୁଁ ପୃଥିବୀ ଆଉ ବାସଯୋଗ୍ୟ ହୋଇନାହିଁ । ତେଣୁ ପୃଥିବୀ ସରକାର ଠିକ୍ କଲେ ଯେ ସବୁ ମଣିଷମାନଙ୍କୁ ଅନ୍ୟ ଏକ ଗ୍ରହକୁ ସ୍ଥାନାନ୍ତର କରିଦିଆଯିବ । ସେହି ଅନୁସାରେ କାର୍ଯ୍ୟ ହେଲା । ମଙ୍ଗଳ ଗ୍ରହରେ ଘରଦ୍ୱାର ତିଆରି ହେଲା ଏବଂ ପୃଥିବୀର ମଣିଷମାନଙ୍କୁ ସେଠାକୁ ନିଆଗଲା । ଯେଉଁ ଯେଉଁ ଜୀବ ଜନ୍ତୁ ମଣିଷମାନେ ପୋଷ୍ୟ ଭାବରେ ରଖନ୍ତି, କେବଳ ସେହିମାନଙ୍କୁ ହିଁ ଅଳ୍ପ ସଂଖ୍ୟାରେ ନିଆଗଲା । ଖାଦ୍ୟ ପାଇଁ ଆଉ ପଶୁ ପକ୍ଷୀ ପୋଷିବାର ଆଉ କୌଣସି କାରଣ ନାହିଁ | କାରଣ ମାଛ ମାଂସ ଏବେ ଲ୍ୟାବ ରେ ତିଆରି ହୁଏ |
ସବୁ ମଣିଷଙ୍କୁ ସ୍ଥାନାନ୍ତରିତ କରାଯାଇ ସାରିଥିଲା | ରହି ଯାଇଥିଲା ପୃଥିବୀର ଶେଷ ମଣିଷଟି ଏବଂ ଶେଷ ଚଢ଼େଇଟି ।
ଅନ୍ତରୀକ୍ଷଯାନ ଆସିଲା । ମଣିଷ ଅନ୍ତରୀକ୍ଷଯାନ ଚାଳକକୁ କହିଲା, ମୋ ସହିତ କ’ଣ ଏ ଚଢ଼େଇଟି ଯାଇପାରିବ?
ଅନ୍ତରୀକ୍ଷଯାନ ଚାଳକ କହିଲେ, ଏ ଯାନରେ ଯେତିକି ଅମ୍ଳଜାନ ଅଛି ସେଥିରେ କେବଳ ଜଣେ ଯାଇପାରିବେ । ହୁଏତ ଆପଣ ଯିବେ, ନହେଲେ ଚଢ଼େଇ ଯିବେ । ଆପଣ ଠିକ୍ କରିନିଅନ୍ତୁ କିଏ ଯିବେ |
ଏଇଠୁ ଏ କାହାଣୀର ଶେଷ ଦୁଇଟି ପ୍ରକାରରେ ହୋଇପାରେ ।
(କ) ମଣିଷ କହିବ ଚଢ଼େଇକୁ, ମୁଁ ଦୁଃଖିତ | ତୁମକୁ ତ ମୁଁ ନେବାପାଇଁ ଚାହୁଁଥିଲି । କିନ୍ତୁ ଯେହେତୁ ଯାନରେ ଜାଗା ନାହିଁ, ଆଉ କୌଣସି ବାଟେ ତମକୁ ନେବାର ସୁବିଧା ନାହିଁ, ତେଣୁ ବାଧ୍ୟ ହୋଇ ତୁମକୁ ଏଇଠି ଛାଡିଯିବାକୁ ପଡୁଛି । ମୋର ତୁମ ପ୍ରତି ଦୟା ଅଛି, ମୋତେ ଖରାପ ବି ଲାଗୁଛି କିନ୍ତୁ କ’ଣ କରାଯାଏ । ଆମେ ମଣିଷ ତ! ନିଜକୁ ସବୁଠୁ ବେଶୀ ପ୍ରାୟରିଟି ଦେଉ, ପ୍ରାଧାନ୍ୟ ଦେଉ |
ମଣିଷ ଚାଲିଗଲା । ଚଢ଼େଇ ରହିଗଲା ଆସନ୍ନ ମୃତ୍ୟୁକୁ ଅପେକ୍ଷା କରି ।
(ଖ) ମଣିଷ ଚଢ଼େଇ ଆଡକୁ ଚାହିଁଲା । ନିଜକୁ ଦେଖିଲା | ବନ୍ଧ୍ୟା ପୃଥିବୀ ଆଉ ଧୁମିଳ ଆକାଶକୁ ଚାହିଁଲା | କହିଲା, ଶସ୍ୟ ଶ୍ୟାମଳ ସବୁଜ ଏ ପୃଥିବୀକୁ ଏମିତି ଧୂସର ଜଳହୀନ କରିବାରେ ସବୁଠୁ ଦାୟୀ ମଣିଷମାନେ । ସେମାନଙ୍କର ପାପର କିଂଚିତ ପ୍ରାୟଶ୍ଚିତ ମୁଁ କରିବି । ଯାନଚାଳକ, ଚଢ଼େଇକୁ ନେଇ ଯାଅ ।
ଚଢ଼େଇ ଚାଲିଗଲା । ମଣିଷ ରହିଗଲା ଆସନ୍ନ ମୃତ୍ୟୁକୁ ଅପେକ୍ଷା କରି ।
ଏବେ ପ୍ରକୃତରେ କ’ଣ ହେଲା ବା ହେଇଥିବ ତାହା ଭାବିବାର ଏବଂ ଠିକ୍ କରିବାର ଦାୟିତ୍ୱ ପାଠକମାନଙ୍କର । କେଉଁ କାହାଣୀ ପ୍ରକୃତରେ କେମିତି ଶେଷ ହେଉଛି ତାହା କହିବାର କହିବାର ଦ|ୟ ଲେଖକର ନୁହେଁ ।
+++
ଅମୃତ, ଡି-24, ସମଲେଶ୍ୱରୀ ବାଟିକା, ରେମେଡ଼ ଛକ, ସମ୍ବଲପୁର 768006
9437026194