ଆଗ୍ନେଶ ମାର୍ଟିନଙ୍କ ଛବି

ପୁରା ନାମ ହେଉଛି  ଆଗ୍ନେଶ ବର୍ଣ୍ଣିସ୍ ମାର୍ଟିନ । କଳା ସମାଲୋଚକ ମାନେ ଆଗ୍ନେଶଙ୍କୁ ଜଣେ ମିନିମାଲିଷ୍ଟ ଚିତ୍ରଶିଳ୍ପୀ ଭାବରେ ଗ୍ରହଣ କରୁଥିବା ବେଳେ, ସେ କିନ୍ତୁ ନିଜକୁ ଜଣେ ଆବଷ୍ଟ୍ରାକ୍ଟ  ଏକ୍ସପ୍ରେସନିଷ୍ଟ  ଭାବରେ ପରିଚୟ ଦେଉଥିଲେ ।

ଆଗ୍ନେଶଙ୍କ ଜନ୍ମ ମାର୍ଚ୍ଚ ୨୨,୧୯୧୨ରେ  କାନାଡ଼ାରେ ହୋଇଥିଲା । ୧୯୩୧ମସିହାରେ ସେ ତାଙ୍କ ଗର୍ଭବତୀ ବଡ ଭଉଣୀକୁ ସାହାଯ୍ୟ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ଆସିଥିଲେ ଓ ସେଇଠି ପାଠ ପଢି ୧୯୫୦ରେ ଆମେରିକାର ନାଗରିକ ହୋଇଯାଇଥିଲେ । ୧୯୪୭ ମସିହାରେ  ଆଗ୍ନେଶ ଏକଦା  ଡି.ଟି. ସୁଜୁକି ନାମକ ଜଣେ ଜାପାନୀ ଜେନ୍ ବୌଦ୍ଧ ଧର୍ମର ଲେଖକଙ୍କ ଭାଷଣ ଶୁଣି ଜେନ୍ ବୌଦ୍ଧ ଧର୍ମ ପ୍ରତି ଆକର୍ଷିତ ହୋଇପଡିଲେ । ତା ପରଠୁ ଆଗ୍ନେଶ ସାରା ଜୀବନ ପ୍ରାଚ୍ୟ ଭୂଖଣ୍ଡ ପ୍ରତି ଅନୁରକ୍ତ  ଥିଲେ । ଧର୍ମ ପରିବର୍ତନ କରିନଥିଲେ ମଧ୍ୟ, ସେ ସେଇଦିନରୁ କିନ୍ତୁ ଜେନ୍ ଓ ତାଓ ଦର୍ଶନକୁ ନିଜ ଜୀବନ ଚର୍ଯ୍ୟାରେ ପରୀକ୍ଷl  କରି ଚାଲିଥିଲେ ।

ଆଗ୍ନେଶ ୧୯୫୭ରେ ପାଠପଢା ସାରି  ନିୟୁୟର୍କ ସହର ଆସିଥିଲେ । ଅନେକ ଚିତ୍ରଶିଳ୍ପୀ ବନ୍ଧୁ,ଚିତ୍ର ପ୍ରଦର୍ଶନୀ, ପ୍ରସିଦ୍ଧି ଓ ଗ୍ୟାଲେରୀ ଭିତରୁ ବାହାରି ଦିନେ ସେ କିନ୍ତୁ ୧୯୬୭ରେ ଏକ।  ରହିବାକୁ  ନିୟୁୟର୍କ ସହର ଛାଡ଼ି ଅନ୍ୟତ୍ର ଚାଲିଯାଇଥିଲେ । ରାସ୍ତାରେ ପୁରା ଅଠର ମାସ କଟେଇ ଶେଷରେ ନିଉ ମେକ୍ସିକୋର କ୍ୟୁବାରେ ପହଂଚିଥିଲେ । ତାପରେ ଅନେକ ବର୍ଷ  ପର୍ଯ୍ୟନ୍ତ ସେ କଳା  ରାଜ୍ୟ ସାଙ୍ଗରେ ତାଙ୍କର ସବୁ ପ୍ରକାର ସମ୍ପର୍କ ବିଛିନ୍ନ କରି ରଖିଥିଲେ ।  ସେଠି ୧୯୭୭ ରୁ ୧୯୯୩ ପର୍ଯ୍ୟନ୍ତ ରହିଲା ପରେ ପୁଣି ଗାଲିଷ୍ଟେଓ  ଚାଲିଯାଇଥିଲେ । ସେଠି ସେ ୧୯୯୩ ପର୍ଯ୍ୟନ୍ତ ରହିଥିଲେ । ଶେଷରେ ସେ  ନିଉ ମେକ୍ସିକୋର ଥାଉସ୍ କୁ  ଫେରି  ଆସିଥିଲେ ଓ ୨୦୦୪ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେଇଠି ହିଁ ରହିଥିଲେ । ସାରା ଜୀବନ ଏକା ରହିଥିବା ଆଗ୍ନେଶ ସବୁଠି ନିଜ ପାଇଁ ମେକ୍ସିକାନ ପାରମ୍ପରିକ ଶୈଳୀରେ ମାଟି ଘର ଗୋଟେ ଲେଖା  ତିଆରି କରି ରହୁଥିଲେ ।

ଆଗ୍ନେଶ  ମାନସିକ ରୋଗ ସ୍କିତଜୋଫ୍ରେନିଆରେ ଆକ୍ରାନ୍ତ ଥିଲେ ଓ ସେଥିପାଇଁ ଚିକିତ୍ସତ ବି ହେଉଥିଲେ । ସାରା ଜୀବନ ଏକା ରହି ଓ ଜଣେ ମାନସିକ ରୋଗୀ ହୋଇ ବି ସେ ତାଙ୍କର ଚିତ୍ରମାନଙ୍କର ନାମକରଣ କିନ୍ତୁ ଖୁବ ସୁନ୍ଦର ଭାବରେ କରୁଥିଲେ । ଯେମିତିକି ‘ଅନ ଏ କ୍ଳିଅର ଡେ’, ‘ହାପି ହଲିଡେ’, ‘ଦ ହାରଭେଷ୍ଟେ ଗ୍ରାଟିଟୁଡ’, ‘ଆଇ ଲଭ ଦି ହୋଲ ୱାର୍ଲଡ’ ପ୍ରଭୃତି । ତାଙ୍କର ଧରଣl ଥିଲା ଖୁସି ଓ ଆନନ୍ଦ ବିନା ସୌନ୍ଦର୍ଯ୍ୟର  କିଛି ମାନେ ନାହିଁ ।

ଆଗ୍ନେଶଙ୍କ ଛବି ସବୁ ନିଉ ମେକ୍ସିକୋର ଉତ୍ତରରେ ଥିବା ମରୁଭୂମି ଘେରା ଥାଉସ୍ ସହର ସାଙ୍ଗରେ ଗଭୀର ଭାବରେ ଯୋଡି ହୋଇ ରହିଛି । ବିଶିଷ୍ଟ ଚିତ୍ରଶିଳ୍ପୀ ଏ.ଡି. ରେନହାର୍ଟଙ୍କ ସହ ବନ୍ଧୁତା ଆଗ୍ନେଶଙ୍କ ଚିତ୍ରଧାରା ଓ ଚିନ୍ତାଧାରାକୁ ବହୁଧା ପ୍ରଭାବିତ କରିଥିଲା । ରେନହାର୍ଟଙ୍କ ବିୟୋଗ ଆଗ୍ନେଶଙ୍କ ନିୟୁୟର୍କ ସହର ଛାଡିବାର ଅନ୍ୟତମ କାରଣ ମଧ୍ୟ ଥିଲା ।

ଆପଣା ଜୀବନ କାଳ ଭିତରେ ୮୫ଟି ଏକକ ଚିତ୍ର ପ୍ରଦର୍ଶନ କରିଥିବା ଆଗ୍ନେଶ ନିଜ ମନ ପସନ୍ଦ ନହେଲେ ନିଜ କଳାକୃତିକୁ ସମ୍ପୂର୍ଣ ନଷ୍ଟ କରିବାରେ ମଧ୍ୟ ପ୍ରସିଦ୍ଧ ଥିଲେ । ପ୍ରାୟତଃ ଛ ଗୁଣନ ଛ ଫୁଟ ଆକାରରେ ଅଙ୍କା ଆଗ୍ନେଶଙ୍କ ଛବିରେ ରେଖା ମାନଙ୍କର ଜାଲି ଦେଖିବାକୁ ମିଳେ, ଯେଉଁଥିରେ ସେ ନାମକୁ ମାତ୍ର ବର୍ଣ୍ଣର ବ୍ୟବହାର କରୁଥିଲେ । ପରେ ବୟସ ଅଧିକ ହେଲାରୁ ସେ ତାଙ୍କ ଛବି ଆକାରକୁ ଛ ଗୁଣନ ଛ ଇଂଚକୁ ଆଣି ଦେଇଥିଲେ ।

ଆଗ୍ନେଶଙ୍କ  କହିବା କଥା ହେଲା, ସେ ଥରେ ପାହାଡ ମାନଙ୍କ ଗହଣରେ ପାହାଡ ଆଙ୍କୁଥିବା ବେଳେ ହଠାତ ସମତଳ ଅଂଚଳରେ ପହଂଚି ଯେଉଁ ଆଶ୍ୱାସ ଅନୁଭବ କଲେ ସେଇ ଅନୁଭଵକୁ ହିଁ  ଭୂଲମ୍ବ ରେଖା ସବୁ  ଆଙ୍କି ବ୍ୟକ୍ତ କରିଥିଲେ । ପରେ ସେଥିରେ ଉଲମ୍ବ ରେଖାମାନ ଯୁକ୍ତ କରିଥିଲେ । ଆଖିକୁ ଦେଖିବାକୁ ଖୁବ ସହଜ ଓ ସରଳ ମନେ ହେଉଥିବା ଆଗ୍ନେଶଙ୍କ ଛବି ମାନଙ୍କର ପ୍ରସ୍ତୁତି ପ୍ରଣାଳୀ ଖୁବ ଜଟିଳ ଓ ସମୟ ସାପେକ୍ଷ ।

ପ୍ରକୃତିକୁ ଅତି ଅଳ୍ପ ଜ୍ୟାମିତିକ ରୂପରେ ପ୍ରକାଶ କରିବାର ତାଙ୍କର ଆଗ୍ରହ ଏପରି ଏକ ଚିତ୍ରକାରୀକୁ ଜନ୍ମ ଦେଇଥିଲା । ସେ ତାଙ୍କ ଛବିକୁ ସବୁବେଳେ ସଂଗୀତ ସାଙ୍ଗରେ ତୁଳନା କରୁଥିଲେ । ସରଳତା ଓ ନିରୋଳା ଆନନ୍ଦ ସନ୍ଧାନରେ ଜୀବନ କାଟିଥିବା ଓ ଜୀବନ ପ୍ରତି ସର୍ବଦା ଯୁକ୍ତାତ୍ମକ ଦୃଷ୍ଟିଭଙ୍ଗୀ ରଖିଥିବା ଏହି ମହାନ ଚିତ୍ରଶିଳ୍ପୀଙ୍କ ଜୀବନୀ ଗ୍ରନ୍ଥ ୨୦୧୮ ମସିହାରେ ପ୍ରକାଶିତ । ‘ଆଗ୍ନେଶ ମାର୍ଟିନ: ପାୟୋନିୟର, ପେଣ୍ଟର,ଆଇକନ’ ନାମକ ଏହି ଗ୍ରନ୍ଥରେ ତାଙ୍କ ବିଷୟରେ ଅନେକ ବ୍ୟକ୍ତିଗତ ତଥ୍ୟ ପ୍ରକାଶିତ ହୋଇଛି ।

About Dr. Ramakanta Samantaray

Ramakanta Samantaray is a contemporary Indian Artist and well known Odia fiction writer. He also regularly writing features and critical texts on art and culture. Presently he is living and working in Bhubaneswar. He has published more than fifteen books.

View all posts by Dr. Ramakanta Samantaray →