କଲମ୍-ଖୁସ୍ ପେପର୍, କାଗଜୀ ସମ୍ପ୍ରଦାୟ ଓ ୭୦୦ ବର୍ଷର ପରମ୍ପରା

୧୫୨୬ରେ ପାନିପତ୍ ଯୁଦ୍ଧରେ ଇବ୍ରାହିମ୍ ଲୋଦ୍ଧୀଙ୍କୁ ପରାସ୍ତ କରି ଉଜବେକୀ ରାଜା ବାବର ଯେତେବେଳେ ଭାରତୀୟ ଭୂଖଣ୍ଡରେ ପ୍ରବେଶ କଲେ, ସେତେବେଳେ ସେ ନିଜ ସାଙ୍ଗରେ କେବଳ ନିଜର ସୈନ୍ୟ-ସାମନ୍ତ ଧରି ରାଜ୍ୟ ଜୟ କରିବା ପାଇଁ ଆସିନଥିଲେ। ସେ ଆସିଥିଲେ ନିଜର ସାମ୍ରାଜ୍ୟ ବିସ୍ତାର ପାଇଁ। ସେଇଥିପାଇଁ ସାଙ୍ଗରେ ଆଣିଥିଲେ ବିଭିନ୍ନ ବିଭାଗର ବିଦ୍ବାନ ଓ କାରିଗର। ସେଇ କାରିଗରମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ “କାଗଜୀ (କାଗ୍-ଜୀ)” ସମ୍ପ୍ରଦାୟ। ଏମାନେ ତୁର୍କୀରୁ ଆସିଥିଲେ ଏବଂ ସିଆଲ୍-କୋଟ୍ (ବର୍ତ୍ତମାନ ପାକିସ୍ତାନରେ), ସାଙ୍ଗାନେର୍ (ଜୟପୁର, ରାଜସ୍ଥାନ), ସାହପୁର (ଅହମଦାବାଦ,ଗୁଜରାଟ), ଔରଙ୍ଗାବାଦ୍ (ମହାରାଷ୍ଟ୍ର) ଅଞ୍ଚଳରେ ବସବାସ କଲେ। ଉର୍ଦ୍ଦୁରେ ‘କାଗଜୀ’ର ଅର୍ଥ ‘କାଗଜ ତିଆରି କରୁଥିବା ମଣିଷ/ଜାତି’ ଯାହା ପାର୍ସୀ ଶବ୍ଦ ‘କାଗଜ୍’ ରୁ ଆସିଛି। କିନ୍ତୁ ଇତିହାସରେ ଆହୁରି ମଧ୍ୟ ବର୍ଣ୍ଣନା ଅଛି ଯେ ୧୩୨୭ ମସିହାରେ ଯେତେବେଳେ ତୁଗଲକ୍ ବ°ଶର ଶାସକ ମହମ୍ମଦ୍ ବିନ୍ ତୁଗଲକ୍ ନିଜ ରାଜଧାନୀ ଦିଲ୍ଲୀରୁ ଦୌଲତାବାଦକୁ ସ୍ଥାନାନ୍ତର କଲେ, ସେତେବେଳେ ତାଙ୍କ ସହ କାଗଜ ତିଆରି କରୁଥିବା ଗୋଟିଏ ସମ୍ପ୍ରଦାୟ ମଧ୍ୟ ଆସିଥିଲେ। ଏମାନେ ଔରଙ୍ଗାବାଦରେ ବସବାସ ଆରମ୍ଭ କଲେ ଏବଂ ଏହି ଜାଗାକୁ ପରେ ‘କାଗଜୀପୁରା’ କୁହାଗଲା, ଯାହା ଦୌଲତାବାଦ୍ ରାଜମହଲ ଓ ଏଲୋରା ଗୁମ୍ଫା ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ। ଯଦିଓ ପରେ ମହମ୍ମଦ୍ ବିନ୍ ତୁଗଲକ୍ ନିଜ ରାଜଧାନୀ ପୁଣି ଦିଲ୍ଲୀକୁ ସ୍ଥାନାନ୍ତର କରିଥିଲେ, କିନ୍ତୁ ଏହି ସମ୍ପ୍ରଦାୟଟି ସେହି ଔରଙ୍ଗାବାଦ ଅଞ୍ଚଳରେ ହିଁ ରହି ଯାଇଥିଲେ। ଏବଂ ବର୍ତ୍ତମାନ ସୁଦ୍ଧା ଏହି ଅଞ୍ଚଳରେ ସେହି ୭୦୦ ବର୍ଷ ପୁରୁଣା ଶୈଳୀରେ କାଗଜ ତିଆରି ହୁଏ। କୁହାଯାଏ ଯେ, ମୋଗଲ ସମ୍ରାଟ ଆକବରଙ୍କ ସମୟରେ ହିଁ ଏହି ସମ୍ପ୍ରଦାୟ ନିଜ କୌଳିକ ବୃତ୍ତିକୁ କୌଳିକ ନାଁ (surname) ‘କାଗଜୀ’ ଭାବରେ ଗ୍ରହଣ କରିଥିଲେ।

ଗୁଜରାଟର କାଗଜୀ ସମ୍ପ୍ରଦାୟ ସୁଲତାନ୍ ଅହମଦ୍ ଶାହଙ୍କ ନିମନ୍ତ୍ରଣ କ୍ରମେ ଯାଇ ସେଠି ବସବାସ ଆରମ୍ଭ କରିଥିବା ଦାବି କରନ୍ତି। ଯଦିଓ ଅନେକ ଦାବି କରନ୍ତି ଯେ ଭାରତୀୟ ଭୂଖଣ୍ଡରେ କାଗଜର ବ୍ୟବହାର ଏବଂ ତିଆରିର ପରମ୍ପରା ପଶ୍ଚିମ-ଏସିଆରୁ ଆସିଥିବା ମୁସଲମ୍ ଶାସକ ମାନଙ୍କ ସହ ଆସିଥିଲା, କିନ୍ତୁ ଏହା ପୂର୍ବରୁ ସପ୍ତମ ଶତାବ୍ଦୀର ଦ୍ବିତୀୟାର୍ଦ୍ଧ ବେଳକୁ ଭାରତରେ କାଗଜର ବ୍ୟବହାର ଆରମ୍ଭ ହୋଇଥିବାର ପ୍ରମାଣ ବୌଦ୍ଧଧର୍ମ ସମ୍ବନ୍ଧୀୟ ଦସ୍ତାବେଜରୁ ମିଳେ। ଭାରତୀୟ ଭୂଖଣ୍ଡରେ କାଗଜ ନିର୍ମାଣ ଏବଂ ବ୍ୟବହାରର କଳା ଚୀନରୁ ବୌଦ୍ଧ ପରିବ୍ରାଜକଙ୍କ ଦ୍ବାରା ନେପାଳ ଏବଂ ତିବ୍ବତ ଦେଇ ଆସିଥିବା ମତ ପ୍ରକାଶ କରାଯାଏ।

ଫଟୋ ସୌଜନ୍ୟ ୱିକିମିଡ଼ିଆ କମନସ୍

କାଗଜ ତିଆରି କେବେଠୁ ଆରମ୍ଭ ହେଲା ଏବଂ କିଏ ଆରମ୍ଭ କରାଇଲେ କିମ୍ବା କେଉ ସମୟରେ ପ୍ରସାର ହେଲା ସେ ଇତିହାସ ପଢିବା ପାଇଁ ଯେତିକି ରୋଚକ ଲାଗେ, ଏହି କାଗଜୀ ସମ୍ପ୍ରଦାୟ ଦ୍ବାରା କାଗଜ ତିଆରି କରିବାର ପ୍ରଣାଳୀ ଦେଖିବାକୁ ମଧ୍ୟ ସେତିକି ରୋଚକ ଲାଗେ। ପ୍ରକ୍ରିୟାର ଆରମ୍ଭରୁ ଶେଷ ଯାଏଁ ସବୁ କାମ କାରିଗର ମାନେ ହାତରେ କରିଥାନ୍ତି, ସେଥିପାଇଁ ଏହାକୁ ହ୍ୟାଣ୍ଡ୍-ମେଡ୍ ପେପର କୁହାଯାଏ। ଓ୍ବାଟର୍-କଲର୍ ଚିତ୍ର କରିବା ପାଇଁ, କାଳି କଲମରେ ଲେଖିବା ପାଇଁ ଏବଂ ଗିଫ୍ଟ ବ୍ୟାଗ୍ ଆଦି ଏବେ ମଧ୍ୟ ଏହି କାଗଜର ବେଶ୍ ଚାହିଦା ରହିଛି। ଏହା ଦେଖିବା ପାଇଁ ଏବଂ ଛୁଇଁବା ପାଇଁ ହାତକୁ ମୋଟା ଓ ଖଦଡିଆ ଲାଗେ। ଓ୍ବାଟର କଲର୍ କିମ୍ବା କାଳୀକୁ ଏହି କାଗଜ ସହଜରେ ଶୋଷି ନେଇ ଶୁଖାଇଦିଏ, ଯଦ୍ୱାରା ରଙ୍ଗ ଛପିଯାଏ ନାହିଁ। ଇତିହାସରେ ଭାରତୀୟ ଭୂଖଣ୍ଡରେ କାଗଜୀପୁରା, ଔରଙ୍ଗାବାଦର ହ୍ୟାଣ୍ଡ୍-ମେଡ୍ କାଗଜ ସବୁଠାରୁ ଭଲ କ୍ବାଲିଟିର ଥିଲା ବୋଲି ବର୍ଣ୍ଣନା ରହିଛି। ଏଠାରୁ ପ୍ରସ୍ତୁତ କାଗଜ ବିଭିନ୍ନ ରାଜପରିବାର ଗୁଡିକୁ ଯୋଗାଇ ଦିଆଯାଉଥିଲା, ଏବଂ ଏଇଥିରେ  ରାଜଜ୍ଞା ବା ଫରମାନ୍ ଲେଖା ଯାଉଥିଲା। ସେତେବେଳେ ଗୋଟିଏ ଗୋଟିଏ କାଗଜ ଛ’ ଫୁଟ୍ ଲମ୍ବା ପର୍ଯ୍ୟନ୍ତ ତିଆରି କରା ଯାଇଥିବା ଇତିହାସରେ ଦର୍ଜ ଅଛି। କାଗଜୀ ପାରମ୍ପାରିକ ଶୈଳୀରେ କାଗଜ ତିଆରି ପାଇଁ ପୁରୁଣା ସୂତା କପଡାର ଖଣ୍ଡ, ଖଦୀ କପଡା ବା କଟନକୁ କଞ୍ଚାମାଲ ହିସାବରେ ବ୍ୟବହାର କରାଯାଏ। ପ୍ରଥମେ ଖଦୀ,  ସୂତା ବା କଟନ୍ କପାକୁ ଛୋଟ ଛୋଟ ଖଣ୍ଡ କରାଯାଏ, ଏହି କାମ ସାଧାରଣତଃ ମହିଳାମାନେ କରିଥା’ନ୍ତି। ତା’ପରେ ଏହି ଛିଣ୍ଡା କପଡା ବା କଟନକୁ ପାଣିରେ ଭେଦେଇ ରଖାଯାଏ। ଭେଦିଗଲେ ପାଣି ମିଶାଇ ଏହାକୁ ବାଟି ଘୋଳ ବା ପେଷ୍ଟ ପ୍ରସ୍ତୁତ କରାଯାଏ। କିଛି ଯାଗାରେ ଏହି ପେଷ୍ଟ ପ୍ରସ୍ତୁତ ସମୟରେ କପଡା ସହ ବାଉଁଶ ପଲ୍ପ ମଧ୍ୟ ମିଶାଯାଏ। ଏହି ଘୋଳ ପାଇଁ ପ୍ରଚୁର ପରିମାଣର ପାଣି ଦରକାର ହୋଇଥାଏ। ଘୋଳରେ ୧:୯୯ ଅନୁପାତରେ କଟନ ପଲ୍ପ ଏବଂ ପାଣି ରହିଥାଏ। ଘୋଳ ପ୍ରସ୍ତୁତ ହୋଇଗଲେ, ମସୃଣ ଏବଂ ସମାନତା ଆଣିବା ପାଇଁ ଏହାକୁ ଅନେକ ସମୟ ପର୍ଯ୍ୟନ୍ତ ଘାଣ୍ଟିବାକୁ ବା ଫେଣ୍ଟିବାକୁ ପଡିଥାଏ। ଘୋଳଟି ଭଲରେ ଫେଣ୍ଟି ହୋଇଗଲେ, କାଠ ଫ୍ରେମ୍ ଥାଇ ସରୁ ତାରଜାଲିର ଛଣାରେ ଦୁଇ ଜଣ ଲାଗି ଆସ୍ତେ କରି ଛାଞ୍ଚର ପରିମାଣ ଅନୁଯାୟୀ ଘୋଳ ଛାଣି ଆଣନ୍ତି। ସାଧା କାଗଜକୁ ରଙ୍ଗୀନ କିମ୍ବା ସୁନ୍ଦର କରିବା ପାଇଁ ଆବଶ୍ୟକ ଥିଲେ ଏହି ପଲ୍ପ ସମୟରେ ହିଁ ବିଭିନ୍ନ ଜିନିଷ ଯୋଗ କରାଯାଏ। କଳା ରଙ୍ଗ ପାଇଁ କାବୁଲିସୋଲାକୁ ପୋଡି ସେହି ଅଙ୍ଗାର, ଲାଲ୍ ରଙ୍ଗ ପାଇଁ କେଶର ପାଣି, ହଳଦିଆ ରଙ୍ଗ ପାଇଁ ଗୋଲ୍ଡ ପାଓଡର ଏବଂ ମହୁ ତଥା ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଗୋଲାପ ଫୁଲ ପାଖୁଡା ମିଶାଯାଏ। ଛାଞ୍ଚରେ ସେଟ୍ ହେବା ପାଇଁ ଛଣାକୁ ହାଲକା ହଲାଇ, ତଳେ ବାଡେଇ ଦିଆଯାଏ। ତା’ପରେ ଛାଞ୍ଚ ଉପରେ ଗୋଟିଏ ସଫା, ସରୁ କପଡାକୁ ଏକଦମ୍ ଟାଇଟ୍ କରି ସେଟ୍ କରାଯାଇ ରଖାଯାଏ। ଏମିତି ଥାକ ଥାକ କରି ଛାଞ୍ଚ ଗୁଡିକୁ ଗୋଟିଏ ଉପରେ ଗୋଟାଏ ରଖାଯାଇ ଏକ୍ସଟ୍ରା ପାଣି ବାହାର କରିବା ପାଇଁ କୌଣସି ଓଜନିଆ ପଥର କିମ୍ବା ବସ୍ତୁ ତଳେ ରଖାଯାଏ (ଏବେ ଏହି କାର୍ଯ୍ୟ ପାଇଁ ମେସିନ ବ୍ୟବହାର କରାଯାଉଛି)। ପାଣି ନିଗିଡି ବାହାରି ଯିବା ପରେ ଶୁଖିବା ପାଇଁ ଛଡା ଯାଏ। ଏହି ସବୁ କାର୍ଯ୍ୟ ସାଧାରଣତଃ ପୁରୁଷ କାରିଗର କରନ୍ତି। ଛାଞ୍ଚରୁ ସମ୍ପୂର୍ଣ୍ଣ ପାଣି ଗଡି ସାରିଲା ପରେ, ଛାଞ୍ଚ ଗୁଡିକୁ ଅଲଗା କରାଯାଏ। ଧିରେ ଧିରେ ପ୍ରତି ଛାଞ୍ଚ ଉପରୁ କପଡା କଢାଯାଇ, ସେଥିରୁ କାଗଜ ବାହାର କରାଯାଏ। ବାହାରିଥିବା କାଗଜକୁ ଖରାରେ ଗୋଟି ଗୋଟି କରି ଦଉଡିରେ ଟାଙ୍ଗି ଶୁଖାଯାଏ। ଏହି ପର୍ଯ୍ୟାୟଟି ମଧ୍ୟ ମହିଳା କାରିଗରଙ୍କ ଦ୍ବାରା ସମ୍ପାଦିତ ହୁଏ। ଶୁଖି ସାରିବା ବେଳକୁ କାଗଜ ଗୁଡିକ ଖଡଖଡିଆ ହୋଇଯା’ନ୍ତି କିନ୍ତୁ ଠିକ୍ ସେପରେ ବା ସମାନ୍ତରାଳ ନଥାନ୍ତି। ଶୁଖିଲା ପରେ କାଗଜ ଗୁଡିକୁ ଦୁଇଟି ସିଟ୍ ମଧ୍ୟରେ ରଖି ପ୍ରେସିଙ୍ଗ୍ ମେସିନରେ ପ୍ରେସ୍ କରାଯାଏ (ମେସିନ ଆସିବା ପୂର୍ବରୁ କେତେ କଷ୍ଟରେ ସମାନ୍ତରାଳ କରା ଯାଉଥିବ ଭାବିଲେ)। ପ୍ରେସ୍ ହୋଇ ସାରିଲେ ମେସିନ୍ ଦ୍ବାରା ଆବଶ୍ୟକ ସାଇଜରେ କଟା ଜାଇ ବିକ୍ରି ପାଇଁ ପ୍ରସ୍ତୁତ କରାଯାଏ।

ଫଟୋ ସୌଜନ୍ୟ ୱିକିମିଡ଼ିଆ କମନସ୍

ସପ୍ତମ-ଅଷ୍ଟମ ଶତାବ୍ଦୀରେ ଆରମ୍ଭ ହୋଇଥିବା ଏବଂ ମୋଗଲ ଶାସନ କାଳରେ ମଧ୍ୟ ବଜାୟ ରହିଥିବା ଭାରତର ଏହି ହାତ ତିଆରି ବା ହ୍ୟାଣ୍ଡ୍-ମେଡ୍ ପେପର ବ୍ୟବସାୟ ଇ°ରେଜ ଶାସନ କାଳରେ ଖୁବ୍ କ୍ଷତି ସହିଥିଲା। ଇ°ରେଜ ମାନେ ଆସିବା ପରେ ୟୁରୋପୀୟ ମେସିନ ତିଆରି କାଗଜର ଆମଦାନୀ ଏବଂ ବ୍ୟବହାରକୁ ପ୍ରଶ୍ରୟ ଦେଲେ। କଳକାରଖାନାରେ କମ୍ ସମୟରେ ଅଧିକ ପରିମାଣରେ କାଗଜ ତିଆରି କରା ଯାଇ ପାରୁଥିଲା। ତେଣୁ ୧୯୩୦ ବେଳକୁ କାଗଜୀପୁରା ସମେତ ଅନ୍ୟାନ୍ୟ ଅଞ୍ଚଳରେ ହ୍ୟାଣ୍ଡ୍-ମେଡ୍ ପେପର ଇଣ୍ଡଷ୍ଟ୍ରି ପ୍ରାୟତଃ ନିଶ୍ଚିନ୍ନ ହେବା ସ୍ଥିତିରେ ପହଞ୍ଚି ଯାଇଥିଲେ। ହେଲେ ମହାତ୍ମାଗାନ୍ଧିଙ୍କ ସ୍ବଦେଶୀ ଆନ୍ଦୋଳନ ସମୟରେ ଏହାର ପୁନରୁଦ୍ଧାର ହେଲା। ଗାନ୍ଧିଜୀ ନିଜର ଏବଂ ତାଙ୍କ ଆଶ୍ରମର ଲେଖାଲେଖି କାମ ପାଇଁ ଏହି କାଗଜୀପୁରା ହ୍ୟାଣ୍ଡ୍-ମେଡ୍ କାଗଜକୁ ହିଁ ବ୍ୟବହାର କରୁଥିଲେ ଏବଂ ସମ୍ପୂର୍ଣ୍ଣ ଦେଶକୁ ବିଦେଶୀ କଳକାରଖାନା ପ୍ରସ୍ତୁତ କାଗଜ ବର୍ଜନ କରି ଏହି ହାତ ତିଆରି ପାରମ୍ପରିକ କାଗଜ ବ୍ୟବହାର ପାଇଁ ଆହ୍ୱାନ ଦେଇଥିଲେ। ଏହି ହ୍ୟାଣ୍ଡ୍-ମେଡ୍ କାଗଜରେ ଲେଖିବା ସମୟରେ ଥରେ ଗାନ୍ଧିଜୀ ଉଲ୍ଲେଖ କରିଥିଲେ ଯେ “My kalam is khush to write on this beautiful paper,” (ଏହି ସୁନ୍ଦର କାଗଜରେ ଲେଖି ମୋ କଲମ ଖୁସ (ଖୁସି) ହୋଇଯାଉଛି)। ଗାନ୍ଧିଜୀଙ୍କ ଏହି କଥାରୁ ହିଁ କଲମ୍ଖୁସ୍ କାଗଜର ନାଁ ପଡିଥିଲା ଏବଂ ୧୯୪୦ରେ ଅହମଦାବାଦ ଠାରେ “କଲମ୍-ଖୁସ୍ ହ୍ୟାଣ୍ଡ୍-ମେଡ୍ ପେପର ଇଣ୍ଡଷ୍ଟ୍ରି” ଆରମ୍ଭ ହୋଇଥିଲା। କାଗଜୀ ସମ୍ପ୍ରଦାୟ ଦ୍ବାରା ତିଆରି କରାଯାଉଥିବା କାଗଜ କେବଳ ଗୋଟିଏ ୭୦୦ ବର୍ଷର ପରମ୍ପରା ନୁହେଁ, ଏହା ପୁରାଣ କପଡା ଏବଂ ଖଦୀରୁ ପ୍ରସ୍ତୁତ ହେଉଥିବାରୁ “ରି-ସାଇକ୍ଲି°” ପ୍ରକ୍ରିୟାର ମଧ୍ୟ ଗୋଟିଏ ପ୍ରକୃଷ୍ଠ ଉଦାହରଣ, ଯାହା ବର୍ତ୍ତମାନ ସମୟ ପାଇଁ ସବୁଠାରୁ ବେଶୀ ଜରୁରୀ।

ହାତ ତିଆରି କାଗଜ ଉପରେ ଜଳରଙ୍ଗ ଚିତ୍ର- ରମାକାନ୍ତ ସାମନ୍ତରାୟ

About Dr. Ipsita Pradhan

Dr. Ipsita Pradhan is a doctor by profession and writer by passion.

View all posts by Dr. Ipsita Pradhan →