ଗୋଟିଏ ଉତ୍ସର୍ଗ ପୃଷ୍ଠା

ସମ୍ଭବତଃ ଆପଣମାନଙ୍କର ମନେ ଥିବ ସେହି ବହିଟିର କଥା ।

ସେହି ବହିଟି ଖୁବ୍ ଜନପ୍ରିୟ ଥିଲା ଆମର ତରୁଣ କାଳରେ । ଆମେ ସେହି ବହିଟି ଅନେକ ଥର କିଣିଛୁ । ଆମର ଉପହାର ତାଲିକାରେ ସେହି କ୍ଷୁଦ୍ରକାୟ ବହିଟି ବି ବିଶେଷ ଭାବରେ ସ୍ଥାନ ପାଉଥିଲା ସେତେବେଳେ ।

ସେହି ବହିଟିକୁ ଏବେ କେବଳ ଆପଣମାନଙ୍କର ସ୍ମରଣକୁ ଆଣିବା ଉପସ୍ଥିତ ଲେଖକର ଅଭିଳାଷ ।

ବିଶେଷ ଭାବରେ ସେହି ବହିଟିର ଉତ୍ସର୍ଗ ପୃଷ୍ଠାଟି କୁ ଆମର ଆଜି ମନେପକାଇବା ଉଚିତ ।

ଆଜି କାହିଁକି ?

ଏମିତିରେ ସେହି ବହିଟିର ଚିରକାଳୀନ ଆବେଦନ ରହିଅଛି ମାତ୍ର ଆଜି ଯଦି ଆମେ ଏହାକୁ ନିହାତି ବସ୍ତୁପରକ ଭାବରେ ଦେଖିବା ତେବେ ସେହି ବହିଟିର ଉତ୍ସର୍ଗ ପୃଷ୍ଠାରୁ ଆମେ ବୁଝିପାରିବା ଯେ,ଶିଶୁ କିଏ ଆଉ ଶିଶୁ କାହିଁକି ?

ଆଜି ଶିଶୁ ଦିବସ । ଶିଶୁ ଙ୍କୁ ସାମ୍ନାରେ ଉପସ୍ଥାପନା କରିବାର ଦିବସ ଆଜି ।

ଉପସ୍ଥିତ ଲେଖକ ର ସବୁବେଳେ କୌଣସି ବହିଟିଏ ଦେଖିଲେ ଆଗ ତାହାର ଉତ୍ସର୍ଗ ପୃଷ୍ଠା କୁ ଦେଖିଥାଏ । ଉତ୍ସର୍ଗ ପୃଷ୍ଠାରୁ ଲେଖକର ଚାତୁର୍ଯ୍ୟ ଓ ସଂଭ୍ରାନ୍ତ ପଣ କୁ ସେ ସେଥିରୁ ଅନୁଧ୍ୟାନ କରିବାକୁ ଆଗ୍ରହ ପ୍ରକାଶ କରିଥାଏ ।

ଉପସ୍ଥିତ ଲେଖକ ପାଖରେ ନିଜ ନିର୍ବାଚିତ ଶ୍ରେଷ୍ଠ ଉତ୍ସର୍ଗ ପୃଷ୍ଠାର ତାଲିକା ଗୋଟିଏ ମହଯୁଦ ରହିଛି। ସେ ବିଷୟରେ ପରେ କେବେ ବିସ୍ତାରରେ।

ଉଦାହାରଣ ଭାବରେ ଏବେ ଦୁଇଟି ଉତ୍ସର୍ଗ ପୃଷ୍ଠାର କଥା କହୁଛି ।

ପଣ୍ଡିତ ଜବାହାରଲାଲ ନେହେରୁ ଙ୍କ ଡିସକଭରି ଅଫ୍ ଇଣ୍ଡିଆ ବହିର ଉତ୍ସର୍ଗ ପୃଷ୍ଠାଟି ଅତ୍ୟନ୍ତ ମାର୍ମିକ । ପଣ୍ଡିତ ନେହେରୁ ତାଙ୍କର ସେହି ବହିଟିକୁ ନିଜର ସଦ୍ୟ ପରଲୋକଗତା ପତ୍ନୀଙ୍କୁ ଉତ୍ସର୍ଗ କରିଥିଲେ । ପଣ୍ଡିତ ନେହେରୁ ସେଇଠି ଏପରି ଲେଖିଛନ୍ତି :
” କମଳାକୁ : ଆହା ଯିଏ ଆଜି ଆଉ ନାହିଁ “।

ଏଇ ଉତ୍ସର୍ଗ ପୃଷ୍ଟାକୁ ଯେତେବେଳେ ଉପସ୍ଥିତ ଲେଖକ ଦେଖେ ତାହାର ମନ ଭାରାକ୍ରାନ୍ତ ହୋଇଯାଏ ।

ଠିକ୍ ସେହିପରି ଆଉ ଗୋଟିଏ ବହିର ଉତ୍ସର୍ଗ ପୃଷ୍ଠା । ବହିଟି ଗୁଲଜାର୍ ଙ୍କର କ୍ଷୁଦ୍ରଗଳ୍ପ ସଂକଳନ ,ରବି ପାର୍ ଆଣ୍ଡ ଅଦର ଷ୍ଟୋରିଜ । ପ୍ରବୀଣ ସାହିତ୍ୟକାର ତଥା ଚିତ୍ର ପରିଚାଳକ ଗୁଲଜାର ତାଙ୍କର ସେହି ବହିଟିକୁ ତାଙ୍କର ପତ୍ନୀ ତଥା ପ୍ରଖ୍ୟାତ ଅଭିନେତ୍ରୀ ରାଖୀ ଗୁଲଜାରଙ୍କୁ ଉତ୍ସର୍ଗ କରିଛନ୍ତି । ଗୁଲଜାର୍ ନିଜର ସେହି ଉତ୍ସର୍ଗ ପୃଷ୍ଠାରେ ଲେଖିଛନ୍ତି :
ରାଖୀକୁ,ଯିଏ ମୋ ଜୀବନର ଦୀର୍ଘତମ କ୍ଷୁଦ୍ରଗଳ୍ପ।

ନିଜର ସଂପର୍କର ବୈଚିତ୍ର୍ୟ,କାରୁଣ୍ୟ ଆଉ ନିବିଡତା ଏଇ ଧାଡିକରେ ଅତ୍ୟନ୍ତ କଳାତ୍ମକ ଭାବରେ ଉପସ୍ଥାପିତ ହୋଇଅଛି ।

ସେ ଯାହାହେଉ ,ଏବେ ଫେରିବା ଆମର ପ୍ରଥମରେ ଉଲ୍ଲେଖ କରିଥିବା ବହି ପାଖକୁ । ବହିଟିର ଉତ୍ସର୍ଗ ପୃଷ୍ଟା ନିକଟକୁ ।

ବହିଟି ର ମୂଳ ଲେଖା ଫରାସୀରେ । ବହିଟିକୁ ଆମପାଇଁ ପ୍ରଥମେ ଅନୁବାଦ କରିଥିଲେ ବିଶିଷ୍ଟ ପ୍ରାବନ୍ଧିକ ତଥା ଚିନ୍ତକ ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ଦାସ। ବସ୍ତୁତଃ ସେହି ପୁସ୍ତକ ସହିତ ସେହି ପୁସ୍ତକର ଅଦ୍ଭୁତ ଲେଖକ ଙ୍କୁ ସେ ଆମମାନଙ୍କୁ ନିଜର ସାବଲୀଳ ଅନୁବାଦ ମାଧ୍ୟମରେ ପରିଚିତ କରାଇଥିଲେ ।

ଏବେ ସେହି ବିଖ୍ୟାତ ବହିଟିର ଏକ ସାବଲୀଳ ଏବଂ ସଂହତ ଅନୁସୃଜନକୁ ନୂତନ ସଂସ୍କରଣରେ ଆମ ପାଇଁ ପ୍ରସ୍ତୁତ କରିଛନ୍ତି ଆମର ପ୍ରଖ୍ୟାତ ଚିନ୍ତାଶୀଳ କଥାକାର ତଥା ଅନୁବାଦକ ଶ୍ରୀଯୁକ୍ତ କମଳାକାନ୍ତ ମହାପାତ୍ର।ଆଉ ସେହି ବହିଟିର ଦୃଷ୍ଟିନନ୍ଦିତ ଛବିଳ ଅଳଙ୍କରଣରେ ରହିଛନ୍ତି ଆମର କୃତବିଦ୍ୟ ଚିତ୍ରଶିଳ୍ପୀ ତଥା କଥାକାର ଶ୍ରଦ୍ଧେୟ ରମାକାନ୍ତ ସାମନ୍ତରାୟ।

ବହିଟି ବିଷୟରେ ଆପଣମାନେ ଅବଗତ ଥିବେ। ଆଉ ଥରେ ପଢନ୍ତୁ,ଅନ୍ୟମାନଙ୍କୁ ପଢିବାକୁ କହନ୍ତୁ।

ସେଇ ବହିଟିର ମୂଳ ଫରାସୀରେ ନାଆଁ ହେଉଛି “ଲା ପାତି ପ୍ରିନ୍ସ”।

ଆମ ଭାଷାରେ ତାହା “ଛୋଟ ରାଜକୁମାର । ଆଉ ବହିଟିର ଲେଖକ ହେଉଛନ୍ତି ଆନ୍ତୋଆନ୍ ଦି ସାନ୍ତ-ଏକସୁପେରି । ସେ ବୃତ୍ତିରେ ଜଣେ ବିମାନଚାଳକ। ତାଙ୍କର ଲିଖିତ କାହାଣୀ ଯେତିକି ବୈଚିତ୍ର୍ୟମୟ ତାହାଠାରୁ ଅଧିକ ବୈଚିତ୍ର୍ୟମୟ ହେଉଛି ତାଙ୍କର ଜୀବନ।

ବିଶ୍ୱର ଦଶଟି ଜନପ୍ରିୟ ପୁସ୍ତକର ତାଲିକାରେ ସ୍ଥାନିତ ସେହି ବହି “ଛୋଟ ରାଜକୁମାର” ର ଉତ୍ସର୍ଗ ପୃଷ୍ଠାଟି ଏହିଭଳି :

” ଲେଓଁ ଭେରତ୍ ର କରକମଳରେ

ଛୋଟମାନଙ୍କ ନିକଟରେ କ୍ଷମା ଚାହୁଛି ଏଇଥିପାଇଁ ଯେ ଏଇ ବହିଟିକୁ ଜଣେ ବୟସ୍କକୁ ଉତ୍ସର୍ଗ କରୁଛି। ଯୁକ୍ତି ଅବଶ୍ୟ ରହିଛି,ମୂଲ୍ୟବାନ ଯୁକ୍ତି,ଏଇ ବୟସ୍କ ମଣିଷଟି ମୋର ଅତ୍ୟନ୍ତ ପ୍ରିୟ ଜଣେ ପ୍ରାଣର ଦୋସର । ଆହୁରି ନିକଟରୁ ଦେଖିଲେ,ସେ ସବୁକିଛି ବୁଝନ୍ତି,ଏପରିକି ପିଲାମାନଙ୍କ ପାଇଁ ଲେଖାଯାଇଥିବା ବହିଟି ପର୍ଯ୍ୟନ୍ତ । ଏହାକୁ ବାଦ ଦେଇ ଦେଖିଲେ ସେ ବ୍ୟକ୍ତିଜଣକ ସେହି ସୁଦୂର ଫ୍ରାନ୍ସରେ ଏବେ କ୍ଷୁଧାତୁର ଆଉ ଦାରୁଣ ଶୀତକାଳ ବିତାଉଛନ୍ତି ,ତେଣୁ ତାଙ୍କର ନିହାତି ସାନ୍ତ୍ୱନା ଆବଶ୍ୟକ । ଏତେ ଗୁଡିଏ ଯୁକ୍ତି ଯଦି କାହାକୁ ଯଥାର୍ଥ ମନେହେବନାହିଁ , ତାହାହେଲେ ଉତ୍ସର୍ଗ ପତ୍ରକୁ ମୁଁ ସଂଶୋଧନ କରି ଲେଖିଦେଉଛି, ” ଯେବେ ଛୋଟ ଥିଲେ ସେ,ସେତେବେଳକାର ସେହି ଲେଓଁ ଭେରତ୍ କୁ ” । ବୟସ୍କ ମାନେ ତ ଦିନେ ଛୋଟ ଥିଲେ ,ଅନେକେ ଯଦିଓ ,ହାୟ , ଆଜି ସେକଥା ପାଶୋରି ଯାଇଛନ୍ତି।

ଆନ୍ତୋଆନ୍ ଦି ସାନ୍ତ-ଏକସୁପେରି “

ଏହି ଭଳି ଗୋଟିଏ ଉତ୍ସର୍ଗ ପୃଷ୍ଠା ପଢିବାପରେ ଆଉ ଅଧିକ କ’ଣ କୁହାଯାଇପାରିବ ?

ପରିଣତ ବୟସ୍କର କାରୁଣ୍ୟକାଳରେ ଶୈଶବର ଆଉଁଷାଟିକକ ଜୀବନକୁ ଦିଗନ୍ତବିସ୍ତାର ପ୍ରଦାନ କରିଥାଏ ବୋଲି ଅଭିମତ ସହିତ ହୁଏତ ଆମେ କେହି ଦ୍ୱିମତ ହେବୁନାହିଁ।

ଏବେ ଚାରିଆଡେ ଆମର ଲେଓଁ ଭେରତ୍ ।
ଏବେ ଚାରିଆଡେ ଶିଶୁଦିବସ ।
ଏବେ ଚାରିଆଡେ ଆମର ରାଜକୁମାର ,ଯିଏ କଦାପି ଆଉ ଯାହା ହେଉ ପଛକେ ନିଜକୁ ଜମା ଛୋଟ ମଣିବ ନାହିଁ ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

One Comment on “ଗୋଟିଏ ଉତ୍ସର୍ଗ ପୃଷ୍ଠା”

Comments are closed.