ଏବେ ମୋର ଏଇ ବୟସରେ
ଅନେକ ସମୟଧରି ମୁଁ ଶୋଇରହେ,
ଶୋଇ ରହିଥାଏ।
ନିଦଭାଗିଂଲେ ମୁଣ୍ଡପାଖରେ ରଖିଥିବା
ଵହିରୁ ପୃଷ୍ଟାଏ ଦିପୃଷ୍ଠା ପଢେ…….
ଭିନ୍ନ କେଉଁ ଦେଶ ଅନ୍ୟ କେଉଁ ବୁଢା ମଣିଷର କଥା,
ଆମର ଏଇ ପୃଥିବୀର ଶେଷ ଦିନ ମାନଙ୍କ କାହାଣୀ,
ଆକାଶ ଦଦରା ଯିବା, ମାଟିର ମୁମୁର୍ଷୁ ଯନ୍ତ୍ରଣା,
ଜୀଵର ଜୀବୋତ୍ତର ହେବାଲାଗି ବାଧ୍ୟ୍ୟବାଧକତା।
“ସେ” ଯାହାର ବିଜ୍ଞାତି ସହ
ଏଠାର ସମସ୍ତ ସ୍ଥିତି ଉପସ୍ଥିତି
ହୁଅନ୍ତି ବିମୁକ୍ତ ପ୍ରତ୍ୟେକଟି ବିଭ୍ରାନ୍ତିରୁ
ଏଵଂ ହୋଇଥାନ୍ତି ନିର୍ମଳରେ ପ୍ରତିଭାତ,
ଏବେ ମୋ ଚଢି ସାରିବା ସହ ବର୍ଷଙ୍କର
ଅନେକ ଅନେକ ପାହାଚ
ଏଇ ସୁଉଚ୍ଚ ସୋପାନ ଏଵଂ
ଜୀବନ ପ୍ରତି ଧୀର ଶାନ୍ତ ସୁଧୀର୍ଘ ପଶ୍ଚାତ ଦୃଷ୍ଟି :
ହଁ, ହୋଇପାରେ ଏଭଳି ଯେ
ଯେତେ ଯେତେ ଆକସ୍ମିକ ବିଜ୍ଞାତିଙ୍କର
ଏକାକୀ ମୁହୂର୍ତ
ଏକାକାର ହୋଇ ଏବେ
ଉଦ୍ଭାସିତ ହେବାକୁ ଉଦ୍ୟତ :
ଏକ ସର୍ବବ୍ୟାପ୍ତ ବିଚିତ୍ର ଆଲୋକ
ସବୁ ସ୍ଥିତି ଉପସ୍ଥିତି ଯାହା ମଧ୍ୟେ ଏକାକାର।
ତଥାପି, “ସେ” ବିଦ୍ୟମାନ ମୋ ସମ୍ମୁଖ ରେ
ଅଥବା ସେ ପୁନର୍ବାର ହଜି ହଜି ଯାଇଥାଏ?
ମୁଁ, ବୃଦ୍ଧ, ମୋ ମନ ଏବେ ମଧ୍ୟ ସଂକକୁଳ…..
ଝରକା ଦେଇ ଆକାଶକୁ ଚାହେଁ…..
ଡେଙ୍ଗ ଡେଙ୍ଗ ଆକାଶିଆଙ୍କ ଚୁଳରେ
ଉଡ଼ୁଥାନ୍ତି କୁଆ ଓ ବଗ ମାନେ,
ସେପାଖୁ ଅନତି ଦୂରରେ
ଜନାରଣ୍ୟ ନଗରୀର ଅଶ୍ଳୀଳ ଉପସ୍ଥିତି
ଅନ୍ୟ ଦିଗ, କମ୍ପାନୀ ଅଧୀନରେ
ଫସଲ ବିହିନ କ୍ଷେତଙ୍କର ଅଜସ୍ର ବିସ୍ତୃତି……
ବେଶକିଛି ଦୁରତାରେ ମୋ ମନ ଏକାକାର ଭାସୁଥାଏ
ଆକାଶର ନିରବତାସହ
ସମୁଦ୍ରର ଆଳାପ ମୋ ପରିକଳ୍ପନାରେ…….
ମୁଁ ଉଡ଼ିବୁଲେ ଉଡ଼ିବୁଲୁଥାଏ
ଯେଭଳି ସୁନେଲି ତା କ୍ଷୀଣ ଦେହ କାଳ୍ପନିକ ପକ୍ଷ ଆଶ୍ରୟରେ ଏକା ଏକା କଙ୍କି
ଉଡ଼ିବୁଲେ ଅହରହ ଆଲୋକରେ
ସମୁଦ୍ର ସମୁଦ୍ର ସମୁଦ୍ର…..
ଏଭଳି ସମୟେ……
ମୁଁ ଥାଏ, ଅଥଚ ନିଶ୍ଚିତ କହିହୁଏନା
ମୋର ଏଇ ମୁଁ’ଟିର ଠାବ କେଉଁଠାରେ,
ଯଦି ଖୋଜିଯିବା ଲାଗି ବାଧ୍ୟନୁହେଁ
ଯନ୍ତ୍ରଣାର ଉତ୍ପତି ସ୍ଥାନ
ଏ ଶରୀର କଥା
ହେତୁ ହିଁ ନଥାଏ।
ଅନ୍ୟ ଏକ ଦିଗ ଏବଂ ଯେଉଁ ଦ୍ୱାର ଉନ୍ମୁକ୍ତ ହୁଏ….
ମୋ ଲାଗି ଭାସିଆସେ
ପର୍ବତର ପାଦଦେଶ, ଉପତ୍ୟକା ଓ ଶିଖର
ସଫେଦ ଜହ୍ନ ଆଲୁଅରେ
ଭାସମାନ ମେଘଙ୍କର ଶୀତଳ ପରଶ
ରାତ୍ରୀଚର ପକ୍ଷୀଙ୍କର ଅକସ୍ମାତ ସମ୍ଭାଷଣ
ଅଲୌକିକ ଗୀତ
ଶବର ଚିକିତ୍ସକର ଯଡିବୁଟି ବାସ୍ନା
ମୋ ଆତ୍ମାର ଯନ୍ତ୍ରଣାରେ
ଯତସାମାନ୍ୟ ଉପସମ ସମ୍ଭାବନା….
ଏଵଂ ବିଚିତ୍ର ଏ ଆଲୋକିତ ନିଦ୍ରା!
ମୁଁ ହଜି ହଜି ଯାଉଥାଏ…….
ସହର ଉପକଣ୍ଠରେ ଆକାଶ ଓ ବୁଢାମଣିଷ
