ଜନ୍ମ ବିଚାର

ଖୋଜୁଚନ୍ତି କାହାକୁ?

(ମୋତେ ହିଁ କହୁଥିଲା ଲୋକଟା !
ଯେହେତୁ, ଦେଖୁଥିଲି ଗୋଟେ ସୁନ୍ଦର କୁଟକମ ଘର
ରାସ୍ତାରେ ଠିଆହେଇ, ଦି’ହାତ ଦୂର ଗେଟ୍ ପାଖରୁ !)

ମୁଣ୍ଡ ହଲେଇଲି: ନା !
ହଲହଲ ହଉଚି ତ ଏଇ ଇଲାକା ଖଣ୍ଡକରେ ସକାଳ ପହରୁ
କେହି, ଅନ୍ତତଃ ସେ ଲୋକଟି ନ ଭାବନ୍ତୁ
ଯେ ଗୋଟେ ଚୋର ମୁଁ !

ବର୍ତ୍ତମାନ, ମୁଁ ବୋଲି ଯୋଉ ଲୋକଟି ସେ
କରିବ କଣ !
କେହି ଚାହୁନାହାନ୍ତି ପ୍ରଶ୍ନ। ତେଣୁ, ସାଦା ସମ୍ବୋଧନ।
ବୁଲିବ ଏ ଗଳି ସେ ଗଳି–କେତେ ସମୟ !
ଗୀତ ଗାଇବ ଗୁଣୁଗୁଣୁ — (ଡିଟୋ)
ଚାହିଁବ କାହାକୁ– (ଡିଟୋ)
ତ ମୁଁ ହତାଶ ହେଇ ଭାବିବ କାଇଁ ଚାଲିଚି ଏ ନାଟ
ସେତେବେଳକୁ ପିଠିରେ ବସିଥିବ ପେଟ !
ସମୟ ଯିଏ, ସିଏ ସ୍ବୟଂ ବିଚିତ୍ର !

କିଛି କରିପାରିଲାନି ଏଯାଏଁ – ଭାବିବ ସେ
ଭାବିଭାବି ଚାଲୁଥିବ, ଚାଲୁଚାଲୁ ଭାବୁଥିବ
ସରିସରି ଯାଉଥିବ ଜୀବନ !
କା’କୁ ଚାହିଁବ କେତେ,ଚାହିଁଚାହିଁ ଭାବିବ କେତେ !
କିଛି କର୍ମ କିଛି କଷଣ
ଇ ଜୀବନ !
ଏତିକି କଣ ସବୁର ସମାଧାନ ?

ମନରେ ଅଜସ୍ର ଅଭିମାନ:

ଏ ଘରଟି ଠିଆ ହେଇଚି ଯୋଉଠି
ସେଇ ମାଟିତକ ଥିଲା ମୁଁର,
ଏଇଠି ପୋତି ହେଇଚି ପିଲାବେଳ
ଏଇଠି ଦଉଡ଼ି ଦେଇ ମରିଥିଲେ ମାଆ ଆଉ ବାପା
ଚିପି ଦେଇଥିଲେ ତା ପାଳିତ କୁକୁଡ଼ାର ବେକ !

କଣ ନ କରିପାରେ ଏ ପୃଥିବୀରେ ଭୋକ!
ଆପେ ପାଟିକୁ ଚାଲିଆସିଲା ଶବ୍ଦ ଗୋଟେ:
କକ୍ କକ୍ କକ୍ କକ୍ !

ଲୋକଟା ନିଠେଇ ଚାହିଁଚି ସେତିକିବେଳୁ
ଦେଖୁଚି ହାବଭାବ ଯଦିଓ ଯଥେଷ୍ଟ ଦୂରରୁ !

କିନ୍ତୁ, ସେ କେବେ ଭାବି ନ ଥିବ କି ଭାବୁ ନ ଥିବ
କି ନ ଥିବ କାହାର ମନରେ ଭାବନା:
ମଲା ବା ମରିବାକୁ ଯାଉଥିବା ଲୋକର
ସରିଯାଇଥିବା ଆୟୁଷରେ ବି
ଥାଏ ଅଧିକାର !

ମୁଁ ଜନ୍ମ ହଏ, ଜାଣେନା ସେ ବିଚରା ! ବରାବର
ଏଇଥିପାଇଁ, ବାରବାର !
**
ଚଳଭାଷ-୭୯୭୮୮୫୮୦୯୧