କରୋନା ମହାମାରୀର ସମୟରେ ୟୁଟ୍ୟୁବରେ ୧୯୯୭ ମସିହାର ବ୍ରାଡ ପିଟ ଓ ଡେଭିଡ ଥିଉଲିସ ଅଭିନିତ ଗୋଟେ ସିନେମା ଦେଖିଥିଲି । ସିନେମାର ନାଁ ହେଲା “ସେଭେନ ଇୟରସ ଇନ୍ ତିବ୍ବତ”। ଚଳଚ୍ଚିତ୍ରର କାହାଣୀ ଆରମ୍ଭ ହେଇଛି ୧୯୩୯ ମସିହା, ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭର ସମୟ । ପର୍ବାତାରୋହୀ ପିଟରଙ୍କ ସହ ହେନେରିକ୍ ନାମକ ଯୁବକ ଘରେ ଅନ୍ତସତ୍ତ୍ୱା ପତ୍ନୀଙ୍କୁ ଛାଡି ହିମାଳୟ ପାର୍ବତ୍ୟାଞ୍ଚଳରେ ଅବସ୍ଥିତ ଏକ ଉଚ୍ଚ ଶୃଙ୍ଗ ଆରୋହଣ କରିବାକୁ ଯାଇଥିଲେ । ବିଭିନ୍ନ ଘଟଣାକ୍ରମରେ ସେମାନେ ଦୁହେଁ ଯାଇ ତିବ୍ବତରେ ପହଞ୍ଚିଲେ ଏବଂ ସେଠାରେ ସାତବର୍ଷକାଳ (୧୯୪୪-୫୧) ବସବାସ କରିବାପରେ ଇଟାଲି ଫେରିପାରିଥିଲେ।
ଏହି ସିନେମାଟି ମତେ ଭାରି ଭଲ ଲାଗିଥିଲା । ହିମାଳୟର ପାଦଦେଶରେ ଅବସ୍ଥିତ ବିଗତ ଶତାବ୍ଦୀର ଚାଳିଶ ଦଶକର ତିବ୍ବତ ଭାରି ସୁନ୍ଦର ଶୋଭନୀୟ ଏବଂ ସ୍ୱର୍ଗୀୟ ବୋଧ ହେଇଛି । ସେହି ସିନେମାରେ ସାନ ଦଲାଇଲାମା (ଯିଏ ପରେ ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଲେ)ଙ୍କ ଚରିତ୍ର ମଧ୍ୟ ଅଛି । ଚିନ୍ ତିବ୍ବତକୁ ଅକ୍ତିଆର କରିବା କଥା ଅଛି । ସେଠାର ନାନା କାହାଣୀ, କିମ୍ବଦନ୍ତୀ, ଆଚାରବିଚାର, ଗୋପନୀୟ ଧର୍ମଶାସ୍ତ୍ର, ବିହାର- ମନ୍ଦିର, ନଦୀ ଝରଣା, ଲାମାମାନଙ୍କର ଜୀବନଚର୍ଯ୍ୟା- ତିବ୍ବତ ବିଷୟରେ ଅନେକ କଥା ଜାଣି ହେଲା ଏହି ସିନେମାରୁ ।
ତିବ୍ବତ ଗୋଟେ ବୌଦ୍ଧଧର୍ମାବଲମ୍ବୀ ଦେଶ ଏବଂଏଠାରେ ବଜ୍ରଯାନ ଶାଖାର ହିଁ ପ୍ରାଧାନ୍ୟ ରହିଛି ବୋଲି ଜାଣିଥିଲି । ବଜ୍ରଯାନ ଓ ବଜ୍ର୍ୟାନ ତିବ୍ବତ ପହଞ୍ଚିବା ପୂର୍ବରୁ ସେଠାରେ ରହିଥିବା ସ୍ଥାନୀୟ ଧର୍ମବିଶ୍ୱାସ ଓ ବୌଦ୍ଧଧର୍ମ ମିଶିକରି ଲାମାଧର୍ମ । ଗୋପନୀୟତା ସେମାନଙ୍କ ଧର୍ମାଚରଣର ଏକ ବଳିଷ୍ଠ ଏବଂ ବିଶିଷ୍ଠ ଗୁଣ । ଯେଉଁଥିପାଇଁ ଅବଶିଷ୍ଠ ପୃଥିବୀ ଏବେ ମଧ୍ୟ ତିବ୍ବତୀୟମାନଙ୍କର ଶାସ୍ତ୍ର ଆଲେଖ୍ୟ ଏବଂ ଧର୍ମାଚରଣର ପଦ୍ଧତି ଗୁଡିକ ସମ୍ବନ୍ଧରେ ବିଶେଷ କିଛି ଜାଣିପାରେ ନାହିଁ ।

ସମଗ୍ର ପୃଥିବୀରେ ବସବାସ କରୁଛନ୍ତି ୬୦ କୋଟିରୁ ଅଧିକ ବୌଦ୍ଧଧର୍ମାବଲମ୍ବୀ । ସେଥିରୁ ବଜ୍ରଯାନ ପନ୍ଥୀଙ୍କର ସଂଖ୍ୟା ୧୦ କୋଟିରୁ ଅଧିକ । ତିବ୍ବତ, ଭୁଟାନ୍, ମଙ୍ଗୋଲିଆ, ମାଞ୍ଚୁରିଆ, ନେପାଳ, ଭିଏତନାମ, ସାଇବେରିଆ, ପୂର୍ବଏସିଆ, ଚୀନ ସହ ଭାରତର ସିକିମ୍, ଲଦାଖ୍, ଅରୁଣାଚଳପ୍ରଦେଶ, ହିମାଚଳପ୍ରଦେଶ ଓ ଉତ୍ତରବଙ୍ଗ ଅଞ୍ଚଳରେ ବଜ୍ରଯାନୀମାନେ ରହିଛନ୍ତି । ଏହା ବ୍ୟତୀତ ଆମେରିକା, ଦକ୍ଷିଣ ଆମେରିକା ଓ ଇଉରୋପରେ ସ୍ୱଳ୍ପ ସଂଖ୍ୟାରେ ହେଲେ ମଧ୍ୟ ଏମାନଙ୍କର ଉପସ୍ଥିତି ରହିଛି । ତେଣୁ କହିବାକୁ ଗଲେ ପୃଥିବୀର ପ୍ରାୟ ସର୍ବତ୍ର ଏମାନଙ୍କର ପ୍ରଭାବ, ପରିଚିତି ଓ ପ୍ରତିଷ୍ଠା ରହିଛି ।
ଏହି ଯେଉଁ ପୁରାତନ ଭାବ-ଗମ୍ଭୀର ଏବଂ ପ୍ରଭାବଶାଳୀ ବଜ୍ରଯାନ ଶାଖା, ପ୍ରକୃତରେ ତାହା ତନ୍ତ୍ରଯାନର ଅନ୍ୟତମ ବିଶିଷ୍ଟ ବିଭାଗ ବା ଶାଖା । ଅନ୍ୟ ଦୁଇଶାଖା ହେଲେ କାଳଚକ୍ରଯାନ ଏବଂ ସହଜଯାନ ।
ଏଇ ବଜ୍ରଜାନ ଶାଖାର ମୁଖ୍ୟ ପ୍ରବକ୍ତା, ପ୍ରଚାରକ ବା ପ୍ରତିଷ୍ଠାତା ହେଲେ ଆଚାର୍ଯ୍ୟ ପଦ୍ମସମ୍ଭବ । ପଦ୍ମସମ୍ଭବଙ୍କର ପିତା ଇନ୍ଦ୍ରଭୂତି ଯଦିଓ ତାନ୍ତ୍ରିକ ବୌଦ୍ଧଧର୍ମର ୮୪ ଜଣ ସିଦ୍ଧଙ୍କ ମଧ୍ୟରୁ ଅନ୍ୟତମ, ତିଦ୍ଧତୀୟ ବୌଦ୍ଧଧର୍ମର ପ୍ରସାର ଓ ପ୍ରାଧାନ୍ୟ ମୂଳରେ ରହିଛନ୍ତି ‘ଉଡ୍ଡୀୟାନ’ ଗୁରୁ ବା ‘ଦ୍ୱିତୀୟ ବୁଦ୍ଧ’ ଭାବରେ ବିଶ୍ୱବିଖ୍ୟାତ ଏହି ମହାନ୍ ଗୁରୁ ପଦ୍ମସମ୍ଭବ । ଏହି ଯୁଗୁପ୍ରବର୍ତ୍ତକ ଏବଂ ସର୍ବମାନ୍ୟ ବିଦ୍ୱାନ ଜଣଙ୍କ ଥିଲେ ନାଳନ୍ଦା ଏବଂ ବିକ୍ରମଶିଳା ବିଶ୍ୱବିଦ୍ୟାଳୟର ଅଧ୍ୟାପକ । ଏକାଧାରାରେ ସେ ଜଣେ ସମାଜ ସଂସ୍କାରକ, ପରିବ୍ରାଜକ, ଶିକ୍ଷାବିତ୍, ଧର୍ମପ୍ରଚାରକ, ଚିକିତ୍ସକ, ଜ୍ୟୋର୍ତିବିଦ୍ ଏବଂ ଭାଷାବିତ୍ । କୁହାଯାଏ ଯେ, ସେ ସଂସ୍କୃତ ଓ ପାଲି ସମେତ ୩୬୦ ପ୍ରକାରର କଥିତ ଭାଷା ଏବଂ ୬୪ ପ୍ରକାରର ଲିପି ଏ ଲିଖନ କଳାରେ ପାରଙ୍ଗମ ଥିଲେ । ପଥର ଖୋଦେଇ, ଧାତୁ ଢଳେଇ, ମାଟିପାତ୍ର ନିର୍ମାଣ, ହସ୍ତଶିଳ୍ପ ଇତ୍ୟାଦି କାର୍ଯ୍ୟରେ ମଧ୍ୟ ତାଙ୍କର ଦକ୍ଷତା ରହିଥିଲା । ତାଙ୍କର ଅନୁଗାମୀମାନେ ବିଶ୍ୱାସ କରନ୍ତି ଯେ, ସେ ଦେବତା ଏବଂ ପଶୁପକ୍ଷୀମାନଙ୍କର ଭାଷା ମଧ୍ୟ ବୁଝିପାରୁଥିଲେ।
ବନାରସର ପ୍ରସିଦ୍ଧ ଗୁରୁ ଲୋକସିଦ୍ଧ ଅର୍ଜୁନଙ୍କର ତତ୍ତ୍ୱାବଧାନରେ ସେ ଜ୍ୟେର୍ତିବିଜ୍ଞାନ ଶିକ୍ଷା କରିଥିଲେ ଏବଂ ପଦ୍ମାବତୀନଗରର ଜୀବକକୁମାରଙ୍କ ଠାରୁ ଚିକିତ୍ସାବିଦ୍ୟାର କଳାକୌଶଳ ମଧ୍ୟ ଆୟତ୍ତ କରିଥିଲେ । ଗୃଧ୍ରକୁଟଠାରେ ଅବସ୍ଥାନ କାଳରେ ସେ ନାନା ରହସ୍ୟମୟ, ତାନ୍ତ୍ରିକ ଓ ଆଶ୍ଚର୍ଯ୍ୟଜନକ ବିଦ୍ୟାମାନ ମଧ୍ୟ ଶିକ୍ଷା କରିଥିଲେ ।
ଏହି ବିଶ୍ୱବିଖ୍ୟାତ ବହୁମୁଖୀ ପ୍ରତିଭାଧର ଏବଂ ଧର୍ମସଂସ୍ଥାପକଙ୍କୁ ତାଙ୍କର ଶ୍ରଦ୍ଧାଳୁମାନେ ରିନ୍-ପୋ-ସେ ବୋଲି ତିବ୍ବତରେ ସମ୍ବୋଧନ କରନ୍ତି ।
ଦୁଇହଜାର ଦଶ ମସିହାରେ ଆମ ଓଡିଶାରେ ଦୁଇଟି ବିରଳ ଏବଂ ଗୁରୁତ୍ୱପୂର୍ଣ୍ଣ ଘଟଣା ସଂଯୋଗକ୍ରମେ ଏକାଠି ଘଟିଯାଇଥିଲା । ସେ ବର୍ଷ ମହାମାନ୍ୟ ଦଲାଲଲାମା ଜିରାଙ୍ଗ ଆସିଥିଲେ । ଗଜପତି ଜିଲ୍ଲାର ତିବ୍ବତୀୟ ବସତି ହେଉଛି ଜିରାଙ୍ଗ। ସେଠାରେ ସେ ନୂତନଭାବେ ନିର୍ମିତ ମହାବିହାରର ଉଦ୍ଘାଟନ କରିଥିଲେ, ଯାହାର ନାମ ହେଉଛି ‘ପଦ୍ମସମ୍ଭବ ମହାବିହାର’ । ଭୂବନେଶ୍ୱର ଠାରେ ‘ମହାବୋଧି ସୋସାଇଟି’ ଦ୍ୱାରା ସମ୍ବର୍ଦ୍ଧିତ ହେବା ଅବସରରେ ସେ ଗୁରୁ ପଦ୍ମସମ୍ଭବଙ୍କ ବିଷୟରେ ଆଲୋଚନା କରିଥିଲେ । ପଦ୍ମସମ୍ଭବଙ୍କର ଜନ୍ମସ୍ଥାନ ଓଡିଶାରେ ବୋଲି ସୂଚାଇ ଏ ସଂପର୍କରେ ଅଧିକ ଗବେଷଣା କରିବା ପାଇଁ ସେ ଗବେଷକମାନଙ୍କୁ ଆହ୍ୱାନ କରିଥିଲେ ।
ଓଡିଶାର ସୁଧୀମଣ୍ଡଳୀଙ୍କ ନିକଟରେ କେବଳ ନୁହଁନ୍ତି, ପୁସ୍ତକ ଏବଂ ପରିବେଶ ତଥା ଇତିହାସ ଓ କଳାସାମଗ୍ରୀ ପ୍ରତି ଶ୍ରଦ୍ଧା ରଖିଥିବା ସାଧାରଣ ଜନତା, ସମସ୍ତଙ୍କ ନିକଟରେ ଖୁବ୍ ପରିଚିତ ଦାସିଆ ଅଜା ବା ଦାଶରଥି ପଟ୍ଟନାୟକ । ଦାଶରଥି ପଟ୍ଟନାୟକ ଉଦୟପୁର(ନୂଆଗାଁ), ନୟାଗଡ ଜିଲ୍ଲାର ଲୋକ । ଜଙ୍ଗଲ ବିଭାଗରେ ଚାକିରି ପାଇଁ ସେ ରଣପୁରଠାରେ ଅବସ୍ଥାନ କରୁଥିଲେ । ରଣପୁର ଏକ ଗଡଜାତ ରାଜ୍ୟ । ରଣପୁରରେ ୫ ଜାନୁଆରୀ ୧୯୩୯ ଦିନ ସେଠାକାର ପଲିଟିକାଲ ଏଜେଣ୍ଟ ମେଜର ବଜେଲଗେଟ୍ଙ୍କୁ ଗଣରୋଷର ଶିକାର ହେବାକୁ ପଡିଥିଲା। ଲୋକମାନେ ତାଙ୍କୁ ବାଉଁଶ ଠେଙ୍ଗାରେ ପିଟିପିଟି ମାରି ଦେଇଥିଲେ । ଦାଶରଥି ପଟ୍ଟନାୟକ ସେହି ଐତିହାସିକ ଘଟଣାକ୍ରମର ସାକ୍ଷୀ ଥିଲେ ଏବଂ ଇଂରେଜ ଆଇନରୁ ବଞ୍ଚିଯିବା ପାଇଁ ପଛୁଆ ତାରିଖରେ ମହତାବଙ୍କ ନିର୍ଦେଶରେ ଚାକିରି ଛାଡି ସେ ସ୍ଥାନ ଛାଡି ଚାଲିଯାଇଥିଲେ ।
ସେହି ଦାଶରଥି ପଟ୍ଟନାୟକଙ୍କର ସୁପୁତ୍ର ବୌଦ୍ଧଧର୍ମର ସୁବିଖ୍ୟାତ ଗବେଷକ ହେଉଛନ୍ତି ଶ୍ରୀଯୁକ୍ତ ପ୍ରବୀର କୁମାର ପଟ୍ଟନାୟକ । ୭ ସେପ୍ଟେମ୍ବର ୧୯୪୯ରେ ଜନ୍ମିତ ଏହି ନିଷ୍ଠାପର ସାଧନ ପିଲାଟି ଦିନରୁ ଦାଶରଥିଙ୍କର ପାଖେ ପାଖେ ରହିଥିବାରୁ ନାନା ପୁସ୍ତକ ଅଧ୍ୟୟନ କରିବାର ସୁଯୋଗ ପାଇଥିଲେ। ପିତାଙ୍କ ଦ୍ୱାରା ପ୍ରତିଷ୍ଠିତ ପାଠାଗାର ଓ ସଂଗ୍ରହାଳୟ ତାଙ୍କର ଜ୍ଞାନପିପାସାକୁ ଋଦ୍ଧିମନ୍ତ କରିଥିଲା ।
ଛାତ୍ରାବସ୍ଥାରୁ ସେ ସମାଜ ଓ ଗ୍ରାମବିକାଶ ସଂପର୍କିତ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଓ ଅଧ୍ୟୟନ ସହ ଜଡିତ ଥିଲେ । ୧୯୩୯ ରୁ ୧୯୯୭ ମସିହା ମଧ୍ୟରେ ମୁଖ୍ୟତଃ ଆନ୍ତ୍ରର୍ଜାତିକ ଶ୍ରମ ସଂଗଠନ ରେ କାର୍ଯ୍ୟକରିଥିଲେ ଏବଂ ସେହି ସୁଯୋଗରେ ଏସିଆ, ଆଫ୍ରିକା, ୟୁରୋପ, ଆମେରିକା, ଦକ୍ଷିଣ ଆମେରିକା ଆଦି ମହାଦେଶଗୁଡିକର ନାନା ଦେଶ ଭ୍ରମଣ କରିଥିଲେ । ସଂଗଠନର ବିଭିନ୍ନ ଦାୟିତ୍ୱ ତୁଲାଇବା ପାଇଁ ସେ ଥାଇଲାଣ୍ଡ , ଶ୍ରୀଲଙ୍କା ଓ ଦକ୍ଷିଣପୂର୍ବ ଏସିଆର ଅନ୍ୟାନ୍ୟ ବୌଦ୍ଧ ଧର୍ମାବଲମ୍ବୀ ଦେଶମାନଙ୍କୁ ବାରମ୍ବାର ଯାଇଥିବାରୁ ସେଠାକାର ସଂସ୍କୃତି, ଧର୍ମ ଓ ବୌଦ୍ଧ କୀର୍ତ୍ତରାଜି ପ୍ରତି ଆକର୍ଷଣ ଅନୁଭବ କରୁଥିଲେ । ପଦ୍ମସମ୍ଭବଙ୍କର ନାଳନ୍ଦା ଠାରେ ଅଧ୍ୟାପନା ଓ ଓଡିଶା ସହ ସଂପୃକ୍ତି ଇତ୍ୟାଦି ବିଷୟରେ ସେଠାର ଲୋକମାନେ ଆଗରୁ ପରିଚିତ ଥିବାରୁ ସ୍ୱାଭାବିକ ଭାବେ ପ୍ରବୀରଙ୍କୁ ବିଶେଷ ସମ୍ମାନ ତ ମିଳୁ ଥିଲା, ତା ସହିତ ତାଙ୍କୁ ଅନେକ ଜିଜ୍ଞାସୁଙ୍କର ପ୍ରଶ୍ନାବଳୀର ଉତ୍ତର ବି ରଖିବାକୁ ପଡୁଥିଲା ।
ପୂର୍ବରୁ କହିଛି ୨୦୧୦ ଜାନୁଆରୀରେ ଏକ ବିରଳ ସଂଯୋଗ କ୍ରମେ ଦଲାଲଲାମାଙ୍କ ସହିତ ପ୍ରବୀରଙ୍କର ଆଳାପ ଆଲୋଚନା ହୋଇଥିଲା । ବଜ୍ରଯାନ ବୌଦ୍ଧଧର୍ମାବଲମ୍ବୀ ମାନଙ୍କ ଆରାଧ୍ୟ ପ୍ରଭୁ ପଦ୍ମସମ୍ଭବ ସ୍ଥଳ ବିଶେଷରେ ଗୌତମବୁଦ୍ଧଙ୍କ ଠାରୁ ଅଧିକ ସମ୍ମାନ ଓ ଆଦର ପାଉଥିଲେ । କିଛି ଗବେଷକ ପଦ୍ମସମ୍ଭବ ପାକିସ୍ଥାନର (ଅବିଭକ୍ତ ଭାରତ ବା ପୁରାଣ ଓ ଇତିହାସରେ ବର୍ଣ୍ଣିତ ଭାରତନାମକ ଭୂଖଣ୍ଡର ଅନ୍ତର୍ଭୂକ୍ତ ବୋଲି ମନେ ରଖିଲେ ଭଲ ) ସ୍ୱାତ ଉପତ୍ୟକାରେ ଜନ୍ମଗ୍ରହଣ କରିଥିଲେ ବୋଲି ଦାବୀ କରନ୍ତି । କିନ୍ତୁ ନାନା କାରଣରୁ, ଯେପରି କି ଆଫଗାନିସ୍ଥାନ (ଗାନ୍ଧାର ଅଞ୍ଚଳ) ଏବଂ କାଶ୍ମୀର ଅଞ୍ଚଳରେ ବଜ୍ରଯାନ ବୌଦ୍ଧ ଦେବାଦେବୀଙ୍କର ମୂର୍ତ୍ତି ଉପଲବ୍ଧ ହୁଏନାହିଁ, ତେଣୁ ଏଠାରେ ବଜ୍ରଜାନ ନୁହେଁ ବରଂ ହୀନଯାନର ପ୍ରଭାବ ଅଧିକ ରହିଥିବାର ଅନୁମାନ କରାଯାଏ ।
ଶ୍ରୀଯୁକ୍ତ ପ୍ରବୀର ପଟ୍ଟନାୟକ ନିରଳସ ଅଧ୍ୟୟନ, ଗବେଷଣା, ଚିନ୍ତନ ଏବଂ ଅନୁଶୀଳନ କରି ଏହି ସିଦ୍ଧାନ୍ତକୁ ପ୍ରମାଣ ଏବଂ ପ୍ରତିଷ୍ଠା ଯୋଗାଇ ଦେଇଛନ୍ତି ଯେ, ପଦ୍ମସମ୍ଭବ ଆମ ଓଡିଶାରେ ହିଁ ଜନ୍ମଗ୍ରହଣ କରିଥିଲେ । କେବଳ ଜନ୍ମଗ୍ରହଣ ନୁହେଁ ତାଙ୍କର ଶିକ୍ଷା, ସାଧନା, ସିଦ୍ଧି, ପ୍ରଥମ ବିବାହ ଏପରିକି ମହାପରିନିର୍ବାଣ ମଧ୍ୟ ଓଡିଶାରେ ହିଁ ହୋଇଥିଲା ।

ମହାନଦୀକୂଳରେ ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ଲକ୍ଷ୍ମଣପୁର ଅଞ୍ଚଳରେ ଥିଲା ପଦ୍ମପୁର ଗ୍ରାମ । ଏ ଗ୍ରାମର ବୌଦ୍ଧଦେବୀଙ୍କ ନାମ ଥିଲା ପଦ୍ମାସିନୀ ଏବଂ ସେହି ଅନୁଯାୟୀ ତାଙ୍କର ନାମ ପଦ୍ମସମ୍ଭବ ବୋଲି ପ୍ରବୀର ଓ ସମଧର୍ମାମାନେ ବିଶ୍ୱାସ କରନ୍ତି ଏବଂ ଏହି କଥାକୁ ସିଦ୍ଧ କରିବା ପାଇଁ ନାନା ପ୍ରକାରର ପ୍ରମାଣ ଖୋଜି ପାଇଛନ୍ତି । ଥାଇଲାଣ୍ଡ, ଶ୍ରୀଲଙ୍କା, କାମ୍ବୋଡିଆ, ଚୀନ, ଲାଓସ, ତିଦ୍ଧତ୍, ନେପାଳ, କାମ୍ବୋଡିଆ, ମାଞ୍ଚୁରିଆ ଇତ୍ୟାଦି ଦେଶଗୁଡିକରେ କାମ କଲାବେଳୁ ପ୍ରକୃତରେ ଶ୍ରୀ ପଟ୍ଟନାୟକ ବୁଦ୍ଧକୀର୍ତ୍ତି ଏବଂ ବୁଦ୍ଧି ସାହିତ୍ୟଗୁଡିକର ବ୍ୟାପକ ଅଧ୍ୟୟନ ଆରମ୍ଭ କରିସାରିଥିଲେ । ତାଙ୍କ ନିକଟରେ ତାଙ୍କ ବକ୍ତବ୍ୟର ପ୍ରମାଣ ସ୍ୱରୂପ ଅନେକ ପୁସ୍ତକ ରହିଅଛି ।
ପଦ୍ମସମ୍ଭବ ଉଡ୍ଡୀୟାନର ମୁଖ୍ୟକ୍ଷେତ୍ର ଯାଜପୁରର ବିରଜାକ୍ଷେତ୍ରରେ ସାଧନା କରିଥିବାର ନାନା ପ୍ରମାଣ ରହିଅଛି । ତା’ପରେ ନିକଟସ୍ଥ ରତ୍ନଗିରି ମହାବିହାରରେ ସେ ଯୋଗତନ୍ତ୍ର ଶିକ୍ଷା କରିଥିଲେ । ଜଣେ ଜିଜ୍ଞାସୁ ପରିବ୍ରାଜକ ଓ ତୀର୍ଥଯାତ୍ରୀ ହୋଇ ସେ ମଧ୍ୟ ଭାରତର ନାନା ସ୍ଥାନ ପରିଭ୍ରମଣ କରିଥିଲେ । ଜୀବନର ଶେଷ ପର୍ଯ୍ୟକାଳ ଶେଷହେବା ପରେ ସେ ଭାରତ ବା ଓଡିଶାକୁ ଫେରିଆସି ଉଦୟଗିରି ମହାବିହାରରେ ବାସ କଲେ ଏବଂ ଖ୍ରୀ ୮୦୨ରେ ସେହିଠାରେ ହିଁ ସେ ମହାପରିର୍ନିବାଣ ଲାଭ କଲେ । ଉଦୟଗିରିଠାରେ ରହିଥିବା ସାଢେଆଠ ଫୁଟ ଉଚ୍ଚର ଅବଲୋକିତେଶ୍ୱରଙ୍କର ମୂର୍ତ୍ତି ପଛରେ ଲେଖାଅଛି ଯେ ସେଠାରେ ପଦ୍ମସମ୍ଭବଙ୍କର ରେଲିକ୍ସ ବା ଦେହାବିଶେଷ ରହିଅଛି ।
ଆଚାର୍ଯ୍ୟ ପଦ୍ମସମ୍ଭବଙ୍କ ଜୀବନର କାହାଣୀମାନ ନାନା ଆଲୌକିକତା ଏବଂ କିମ୍ବଦନ୍ତୀ ଓ ଅତିକଳ୍ପନାରେ ଆଚ୍ଛନ୍ନ । ଭାରତର ବିଶିଷ୍ଟ ପ୍ରାଚ୍ୟତତ୍ତ୍ୱବିତ୍ ଶ୍ରୀଯୁକ୍ତ ରାଜେନ୍ଦ୍ର ଲାଲ ମିତ୍ର ଓ ଓଡିଶାର ଶ୍ରୀଯୁକ୍ତ ନବୀନ ସାହୁଙ୍କ ପରି ଐତିହାସିକମାନେ ତାଙ୍କ ଜୀବନର ଇତିହାସ ଖୋଜିଛନ୍ତି। ବର୍ତ୍ତମାନର ସମୟରେ ତଥ୍ୟପ୍ରମାଣ ସହ ତାଙ୍କର ଜନ୍ମଭୂମି ଓ କର୍ମଭୂମି ବିଷୟରେ ଅନୁଧ୍ୟାନ କରାଯାଉଛି ।
ଝାରସୁଗୁଡା, ଯାଜପୁର, ରତ୍ନଗିରି, ଉଦୟଗିରି ଓ ନାଳନ୍ଦା ପରି ସ୍ଥାନ ସହିତ ତାଙ୍କର ସଂପୃକ୍ତି ଓ ସଂପର୍କର ବହୁୁପ୍ରମାଣ ଧୀରେ ଧୀରେ ମିଳିବାରେ ଲାଗିଛି ।
ଆମର ଏଇ ପବିତ୍ର ଓଡିଶାମାଟିରେ ଦ୍ୱିତୀୟ ବୁଦ୍ଧ ପଦ୍ମସମ୍ଭବଙ୍କର ରକ୍ତଗତ ଓ ନିବିଡ ସଂପର୍କ ଆମକୁ ଓ ଆମର ଓଡିଆ ଅସ୍ମିତାକୁ ଆହୁରି ଔଜ୍ଜଲ୍ୟ ଦେବ- ଏଥିରେ ସନ୍ଦେହ ନାହିଁ । ବର୍ତ୍ତମାନର ସମୟରେ ପ୍ରତ୍ୟେକ ଓଡିଆ ପଦ୍ମସମ୍ଭବଙ୍କ ବିଷୟରେ ଜାଣିବା ଓ ଆମର ଏହି ଲୁପ୍ତ ଗୌରବର ପୁନରୁଦ୍ଧାର ପାଇଁ ଚେଷ୍ଟିତ ହେବା ଏକ ଅତ୍ୟନ୍ତ ଜରୁରୀ ଆବଶ୍ୟକତା ।
ଅଧ୍ୟକ୍ଷା, ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ,ଅଡଶପୁର, କଟକ

