ଗୋଟିଏ ଲିଭିଯିବା ତରା

ମୂଳ ରଚନା : ପାର୍ନିଆ ଆବାସି ।। ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ

ମୁଁ ଉଭୟଙ୍କ ପାଇଁ ଲୁହ ଝରାଇଥିଲି
ତମ ପାଇଁ
ଆଉ ମୋ ପାଇଁ

ତମେ କ୍ଷେପଣାସ୍ତ୍ର ମାଡ କରିଛ
ସେଇ ତାରାମାନଙ୍କୁ,ମୋର ଟଳମଳ ଲୁହକୁ

ତମର ଦିନ ଦୁନିଆରେ
ଯେତେକ ସ୍ୱାଧୀନ ଆଲୁଅ ରହିଛି
ମୋ ଭିତରେ ଥିବା
ଛାଇମାନଙ୍କ ପଛରେ ଦୌଡୁଥାଏ ଖାଲି

ତମେ ଆଉ ମୁଁ ଚାଲି ଚାଲି ପହଞ୍ଚି ଯିବା ଏପରି ଗୋଟିଏ ଶେଷକୁ
କେଉଁଠି ନା କେଉଁଠି
ପୃଥିବୀର ସୁନ୍ଦରତମ କବିତାଟିଏ
ବସିଥିବ ସେଇଠି ଚୁପଚାପ ହୋଇ

ତମେ ଆରମ୍ଭ କରିଦେବ
କେଉଁଠି ନା କେଉଁଠି
କଇଁ କଇଁ କାନ୍ଦ
ଜୀବନର ଯେତେ ଗୁଣୁଗୁଣୁ

ହେଲେ ମୁଁ ଶେଷ ହେବି
ଜଳି ଜଳି ଯାଉଥିବି
ମୁଁ ହେବି ସେଇ ଲିଭିଯିବା ତରା
ତମର ଆକାଶରେ
ଯେମିତି ଖଣ୍ଡେ ଧୂଆଁ ।

ଗଭୀର ଦୁଃଖର କଥା ପାର୍ନିଆ ଆବାସି ଜଣେ ଏପରି ଇରାନୀ କବି ଯାହାର ବୟସ ଚବିଶ ବର୍ଷ ବୟସରୁ ଆଉ ଅଧିକ ବଢିଲା ନାହିଁ।

ସେ ଆଗରୁ ଥରେ କହିଥିଲେ :

” ଯେତେବେଳେ ମୁଁ ଯାହା କିଛି ଲେଖିଥାଏ ତାହାକୁ ମୁଁ ଆଗ ମୋ ମାଆକୁ ଦେଖାଇଥାଏ,ସାଙ୍ଗମାନଙ୍କୁ ଦେଖାଇଥାଏ । ମୁଁ ମୋ ଆଖପାଖରେ ଯେଉଁମାନେ ଥାଆନ୍ତି ସେମାନଙ୍କୁ ପଚାରିଥାଏ ସେମାନେ ଏହାକୁ ନେଇ କ’ଣ ଭାବୁଛନ୍ତି। ମୋର କବିତାକୁ ପଢିବାବେଳେ ସେମାନଙ୍କର ପ୍ରତିକ୍ରିୟାକୁ ଦେଖିବାକୁ ମୋତେ ଭାରି ଭଲ ଲାଗେ । ସେମାନଙ୍କର ମୁହଁର ଭାବଭଂଗି,ସେମାନଙ୍କର ଅଭିବ୍ୟକ୍ତି,ଏହା ସବୁବେଳେ ମୋ ପାଇଁ ଏକ ରହସ୍ୟୋଦ୍ଦୀପକ ସ୍ଥିତି।ସତ କହୁଛି,ଏହା ମୋ ଜୀବନର ଏକ ବିପୁଳ ଇଲାକାକୁ ମାଡି ବସିଛି । ମୋ ସହିତ ଯାହା ଯାହା ଘଟିଥାଏ ସେଇ ସବୁକିଛିକୁ ମୁଁ ଏପରି ଭାବରେ ଦେଖିଥାଏ ଯାହାକୁ ମୁଁ କେବେ ନା କେବେ ଲେଖିପାରିବି, ମୋ ସହିତ ଘଟିଥିବା ଘଟଣାର ଘଟିବାବେଳର ମୁହୂର୍ତ୍ତର ଅନୁଭବ କବିତାର ମାଧ୍ୟମରେ ପ୍ରକାଶ କରିବା। ଏଇ ଅର୍ଥରେ କବିତା ମୋତେ ପ୍ରଶାନ୍ତି ପ୍ରଦାନ କରିଥାଏ। ଏପରିକି ଏହା କେବଳ ଗୋଟିଏ ସବୁଦିନର ଛୋଟିଆ ରାତିଟିଏ ହେଉ ପଛକେ। ମୁଁ ସେଇ କବିତା ମଧ୍ୟରୁ ଅଧିକାଂଶକୁ କେଉଁଠିକୁ ବା ପ୍ରକାଶନ ପାଇଁ କେବେହେଲେ ଦେବି ନାହିଁ ,ମାତ୍ର ମୁଁ ଯେତେବେଳେ ଏହିସବୁ ଆପେ ଆପେ ପଢିଥାଏ ,ମୋତେ ଲାଗେ ଯେମିତି ସେତେବେଳର ସେଇସବୁ ଅନୁଭବ ମୋ ଭିତରେ ଆଉ ଥରେ ଜାଗ୍ରତ ହୋଇ ଉଠିଛନ୍ତି, ଆଉ ଏହା ମୋ ପାଇଁ ଯଥେଷ୍ଟ ପରିମାଣରେ ଅର୍ଥବହ।”

ନିହାତି ଆତ୍ମମଗ୍ନ କବି ପାର୍ନିଆ ଆବାସି କିନ୍ତୁ ନିଜ ଜୀବନରେ ଘଟିଥିବା ଶେଷ ଘଟଣାର ଅବିକଳକୁ ସେ ଆଉ ନିଜର କବିତାରେ ପୁନର୍ଜାଗ୍ରତ କରିବାକୁ ଅସମର୍ଥ ହେବେ।

ଗତ ୧୩ ଜୁନ ଆଉ ୧୪ ଜୁନ ୨୦୨୫ ର ମଧ୍ୟରାତ୍ରରେ ଇରାନ ର ତେହେରାନ୍ ର ପଶ୍ଚିମାଂଚଳରେ ଏକ ଆପାର୍ଟମେଣ୍ଟ ରେ ଶୋଇଥିବା ଅବସ୍ଥାରେ ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ କାରଣରୁ କବି ପାର୍ନିଆ ଆବାସୀ ଏବଂ ତାଙ୍କର ପିତାମାତାଙ୍କ ସମେତ ପରିବାରରର ସମସ୍ତଙ୍କର ମୃତ୍ୟୁ ଘଟିଯାଇଛି।

” ଗୋଟିଏ ଲିଭିଯିବା ତରା” ବା “ଦି ଏଷ୍ଟିଙ୍ଗ୍ୟୁଇସଡ ଷ୍ଟାର୍” ତାହେଲେ କବିର କ’ଣ ଏକ ଅନ୍ତଃକାଳର ପ୍ରାକ୍-ଜ୍ଞାନ ବା ପ୍ରିମୋନିସନ ବା କୌଣସି ଅନ୍ତଃକାଳ ଘଟିଯିବା ପରେ ଏହା ଏକ ପାଠକକୃତ ସାହିତ୍ୟ-ରୋପଣ , ଏପରି ଦ୍ୱନ୍ଦ୍ୱର ସଠିକ ଉତ୍ତର ଗୋଟିଏ ଯୁଦ୍ଧ ଆମଠାରୁ ନିଷ୍ଠୁର ଭାବରେ ଛଡାଇ ନେଇଛି ।

ଯୁଦ୍ଧର କ୍ଷୁଧା ଅତ୍ୟନ୍ତ କରାଳ ।

ଏହା ଅଧିକ ବିକଟାଳ ଯେତେବେଳେ ଏହା ଏକ ପ୍ରତିଶ୍ରୁତିସଂପନ୍ନ କବିକୁ , ଭବିଷ୍ୟତକୁ ଗ୍ରାସ କରିଦେଇଥାଏ।

ଏହାପରେ,ଏକାନ୍ତ ରେ ବସିଥିବା ପୃଥିବୀର ସୁନ୍ଦରତମ କବିତାଟିକୁ ଆମର ଏଇ ଚିରକିଶୋରୀ କବିଟି ନିଶ୍ଚୟ ଭେଟିଥିବ ।

ଏହାପରେ, ଆମକୁ ଯେତିକି ଦୃଶ୍ୟ ହେଉଛି,କବିତାର ଆଖି ଲୁହରେ ଭରପୁର ଆଉ ଆମ ଆଖିମାନ ବି ଲୁହରେ ଟଳମଳ, କାହାର କିଛିକୁ ପୋଛିଦେବାକୁ ଇଚ୍ଛା ହେଉନି।

( ମୂଳ ଆରବିକ୍ ରୁ ଇଂରେଜୀରେ ଅନୁଦିତ ପାର୍ନିଆ ଆବାସିଙ୍କ ଏଇ କବିତାଟି ଶ୍ରଦ୍ଧେୟ ବନ୍ଧୁ ପିନାକୀ ଦେଙ୍କ ସୌଜନ୍ୟରୁ। ତାଙ୍କୁ ଧନ୍ୟବାଦ।)

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

One Comment on “ଗୋଟିଏ ଲିଭିଯିବା ତରା”

Comments are closed.